ବିଜେପି ମହିଳା ମୋର୍ଚ୍ଚାକୁ କଡା ଜବାବ ଦେଲେ ବିଜେଡିର ଦୁଇ ନେତ୍ରୀ, କହିଲେ ଏମିତି କଥା

Published: Oct 23, 2021, 5:36 pm IST

ଭୁବନେଶ୍ୱର : ଓଡିଶା ବିଜେପିର ମହିଳା ମୋର୍ଚ୍ଚା ଆଜି ତାହାର ଘେରାଉ ସମୟରେ ମିଥ୍ୟା ଓ ଭିତ୍ତିହୀନ ବିବୃତି ଦେଇ ସମସ୍ତ ଲଜ୍ଜାକୁ ଅତିକ୍ରମ କରି ଅତି ନିମ୍ନ ସ୍ତରକୁ ଖସି ଆସିଛି । ଏଭଳି ଭାବେ ନିମ୍ନ ସ୍ତରକୁ ଯିବା ସମ୍ପୂର୍ଣ୍ଣ ନୂଆ ଯାହାକି ଶସ୍ତା ରାଜନୀତି ପାଇଁ ପୂର୍ବରୁ ଖେଳା ଯାଇଥିବା ସମସ୍ତ ଲଜ୍ଜାଜନକ ରାଜନୀତି ଠାରୁ ମଧ୍ୟ କମ୍ ଅଟେ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଶ୍ରୀମତୀ ଏଲିନା ଦାସ ଓ ସୁଶ୍ରୀ ଇପ୍ସିତା ସାହୁ ।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମହିଳା ମୋର୍ଚ୍ଚାକୁ କଡା ଜବାବ ଦେଇ ଶ୍ରୀମତୀ ଦାସ ଓ ସୁଶ୍ରୀ ସାହୁ କହିଛନ୍ତି ଯେ ଓଡିଶା ବିଜେପିର ମହିଳା ମୋର୍ଚ୍ଚା ବେଶ୍ ଭଲ ଭାବେ ଜାଣିଛି ଯେ ମମିତା ମେହେର ମାମଲାରେ ଗୋଟିଏ ଏଫଆଇଆର ରୁଜୁ ହୋଇଥିବାରୁ ସମାନ ମାମଲାରେ ଆଉ ଗୋଟିଏ ଏଫଆଇଆର ହୋଇପାରିବ ନାହିଁ ।

ଏହା ଜାଣି ମଧ୍ୟ ସେମାନେ ଗତକାଲି ଭୁବନେଶ୍ୱରର କ୍ୟାପିଟାଲ ଥାନାକୁ ଆସି ଆଉ ଗୋଟିଏ ଏଫ୍‌ଆଇଆର ଦେଇଛନ୍ତି । ଏଥିରୁ ଜଣାପଡୁଛି ଯେ କିଏ କେତେ ଅଧିକ ଟିଭିରେ ମୁହଁ ଦେଖାଇବ ସେଥିପାଇଁ ବିଜେପି ନେତାଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଚାଲିଥିବାରୁ ସେମାନେ ଏଭଳି ନିମ୍ନ ରୁଚିର କାର୍ଯ୍ୟ କରୁଛନ୍ତି ।

ଅନୁରୂପ ଭାବେ ଏହି ଘଟଣାରେ ବିଜେପି ନେତାମାନେ ଅତି ତଳ ସ୍ତରର ରାଜନୀତି କରି କଳାହାଣ୍ଡି ଜିଲ୍ଲାର ଶିକ୍ଷାନୁଷ୍ଠାନରେ ଥିବା ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ।

ବିଜେଡି ପ୍ରବକ୍ତା କହିଛନ୍ତି ଯେ ସାରା ଓଡିଶା ଏପରିକି ସାରା ଭାରତ ଜାଣିଛି ଯେ ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ ଏବଂ ଆସାମ ଭଳି ବିଜେପି ଶାସିତ ରାଜ୍ୟଗୁଡିକରେ ମହିଳାଙ୍କ ବିରୁଦ୍ଧରେ ହେଉଥିବା ଜଘନ୍ୟ ଅପରାଧ ମାମଲା ସର୍ବାଧିକ ରହିଛି । ପ୍ରତି ମାସରେ ବିଜେପି ଶାସିତ ରାଜ୍ୟରେ ମହିଳାଙ୍କ ବିରୁଦ୍ଧରେ ହେଉଥିବା ଜଘନ୍ୟ ଅପରାଧ ମାମଲା ସଂଖ୍ୟା ବଢି ବଢି ଚାଲିଛି ଏବଂ ସଂଖ୍ୟାଧିକ ମାମଲାରେ ବିଜେପି ନେତାମାନେ ଜଡିତ ।

ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ବିଭିନ୍ନ ମାମଲାରେ ଓଡିଶା ବିଜେପି ପୂର୍ବରୁ ଅଦାଲତର ଦ୍ୱାରସ୍ଥ ହୋଇଛି ଏବଂ ସବୁ ଘଟଣାରେ ମାନ୍ୟବର ଅଦାଲତ ସେମାନଙ୍କ ଆବେଦନକୁ ଗ୍ରହଣ କରିନାହାନ୍ତି । ସତ କ’ଣ ଜାଣିବା ସତ୍ତ୍ୱେ ଓଡିଶା ବିଜେପି ଶସ୍ତା ରାଜନୀତି କରିବାକୁ ଚେଷ୍ଟା କରିଥାଏ ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ।

କଳାହାଣ୍ଡିର ଜନସାଧାରଣ ଏବଂ ଓଡିଶାବାସୀ ଓଡିଶା ବିଜେପି ମହିଳା ମୋର୍ଚ୍ଚାର ମିଥ୍ୟା ଓ ଭିତ୍ତିହୀନ ଆଚରଣକୁ ଦେଖିୁଛନ୍ତି ଏବଂ ମହିଳା ହିଂସା ଭଳି ସମ୍ବେଦନଶୀଳ ଘଟଣାକୁ ନେଇ ସେମାନେ ଯେଉଁ ନିମ୍ନ ରୁଚିର ରାଜନୀତି କରୁଛନ୍ତି ସେଥିପାଇଁ ସେମାନଙ୍କୁ ଆଦୌ କ୍ଷମା କରିବେ ନାହିଁ ବୋଲି ବିଜେଡି ପ୍ରବକ୍ତା ଶ୍ରୀମତୀ ଦାସ ଓ ସୁଶ୍ରୀ ସାହୁ କହିଛନ୍ତି ।

Related posts