Categories
ବିଶେଷ ଖବର

ମିଶନ ଶକ୍ତିକୁ ନେଇ ଧରାପଡିଲା ଧର୍ମେନ୍ଦ୍ରଙ୍କ ମିଛ: ବିଜେଡି

ଭୁବନେଶ୍ୱର:  କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଠଗଡରେ ଯେଉଁ ଅଭିଭାଷଣ ରଖିଲେ, ସେଥିରୁ ତାଙ୍କର ନିର୍ବୋଧତା ପଦାରେ ପଡିଛି। ଦୁର୍ଭାଗ୍ୟର କଥା ଶ୍ରୀଯୁକ୍ତ ପ୍ରଧାନ କହୁଛନ୍ତି, ମିଶନ ଶକ୍ତି ତାଙ୍କ ସରକାର ସମୟରେ ଆରମ୍ଭ ହେଲା, ଯାହା ସମ୍ପୂର୍ଣ୍ଣ ମିଛ କଥା ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ।

ଶ୍ରୀମତୀ ସାହୁ କହିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟରେ ୨୦୦୧ ମସିହାରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଭଳି ବିଭ୍ରାନ୍ତିକର ତଥ୍ୟ ଦେଇ ଶ୍ରୀଯୁକ୍ତ ପ୍ରଧାନ ରାଜ୍ୟର ଲକ୍ଷ ଲକ୍ଷ ମିଶନ ଶକ୍ତି ମା’ ମାନଙ୍କୁ ଅପମାନିତ କରିଛନ୍ତି। ଯେଉଁ ମା’ ମାନେ ଗଛ ତଳେ ବସି, ମୁଠି ଚାଉଳ ଦେଇ ଏହାକୁ ଗଢିଛନ୍ତି, ତାଙ୍କ କାର୍ଯ୍ୟ ବିଷୟରେ ନଜାଣି ବକ୍ତବ୍ୟ ଦେବା ସେମାନଙ୍କ ପ୍ରତି ଅପମାନ ଓ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା।

ମାନ୍ୟବର କେନ୍ଦ୍ରମନ୍ତ୍ରୀ ଆଠଗଡ ନିର୍ବାଚନ ମଣ୍ଡଳୀ ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥର ଶୋଚନୀୟ ଅବସ୍ଥାକୁ ସୁଧାରିବାକୁ କଣ କରିଛନ୍ତି ଏବଂ ୯ ବର୍ଷର କେନ୍ଦ୍ରମନ୍ତ୍ରୀତ୍ୱ ସମୟରେ କଣ ପଦକ୍ଷେପ ନେଇଛନ୍ତି ସେ ବିଷୟରେ ଆଠଗଡବାସୀଙ୍କୁ କହିଥିଲେ ଭଲ ହୋଇଥାନ୍ତା। କାରଣ ଖାଲି ଆଠଗଡବାସୀ ନୁହଁନ୍ତି, ସାରା ଓଡିଶାବାସୀ ଜାଣିବାକୁ ଚାହୁଁଛନ୍ତି କାହିଁକି ଏନଏଚ-୫୫ ମରଣଯନ୍ତା ହେଲା ପରେ ମଧ୍ୟ ସେ ଚୁପ୍ ହୋଇ ରହିଛନ୍ତି।

ସେହିଭଳି ଓଡିଶାର ବିଜେପି ସାଂସଦମାନେ ଷଡଯନ୍ତ୍ର କରି ଗରିବ ଆଦିବାସୀଙ୍କୁ ମିଳିବାକୁ ଥିବା ଘର ବନ୍ଦ କରିଦେଲେ। ଆଜିର ସଭାରେ ଶ୍ରୀଯୁକ୍ତ ପ୍ରଧାନ ଏ ବାବଦରେ ପଦୁଟିଏ ମଧ୍ୟ ଉଲ୍ଲେଖ କଲେନାହିଁ। ସାଢେ ୪ କୋଟି ଓଡିଶାବାସୀଙ୍କ ସାମ୍ନାରେ ଏଭଳି ଅବିଚାର ନେଇ ବକ୍ତବ୍ୟ ରଖିଥିଲେ ଭଲ ହୋଇଥାନ୍ତା।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଆପଣ ଦାୟିତ୍ୱ ତୁଲାଉଛନ୍ତି। ଆଠଗଡ ଗସ୍ତ ସମୟରେ ଜବାହର ନବୋଦୟ ବିଦ୍ୟାଳୟ ଅଥବା କେନ୍ଦ୍ରୀୟ ବିଦ୍ୟାଳୟ ନେଇ ଶିଳାନ୍ୟାସ କରିଥିଲେ ଆଠଗଡବାସୀ ଉପକୃତ ହୋଇଥାନ୍ତେ। ଶିକ୍ଷାମନ୍ତ୍ରୀ ଭାବେ ଓଡିଶାର ବିଭିନ୍ନ ସ୍ଥାନ ବୁଲୁଛନ୍ତି। କହିଲେ, କେତେ କେନ୍ଦ୍ରୀୟ ବିଦ୍ୟାଳୟ ଓ ଜବାହର ନବୋଦୟ ବିଦ୍ୟାଳୟ ପାଇଁ ଆପଣ କି ପଦକ୍ଷେପ ନେଇଛନ୍ତି। ସଭାରେ ବିଭ୍ରାନ୍ତିକର ତଥ୍ୟ ଦେବା ବଦଳରେ ଏସବୁର ହିସାବ ଦେଇଥିଲେ ଭଲ ହୋଇଥାନ୍ତା ବୋଲି ଶ୍ରୀମତୀ ସାହୁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଠଗଡ଼ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଦ୍ୱାରା ଆଠଗଡ଼ ବସଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟକୁ ଯଥାଶୀଘ୍ର ଶେଷ କରି ଯାତ୍ରୀମାନଙ୍କ ନିମନ୍ତେ ଲୋକାର୍ପିତ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନଠାରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି।

ବସଷ୍ଟାଣ୍ଡର ବାକିଥିବା ସିଭିଲ, ଇଲେକ୍‌ଟି୍ରକାଲ୍‌ ଏବଂ ଜନସ୍ୱାସ୍ଥ୍ୟ କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ନିମନ୍ତେ ବକେୟା ଅର୍ଥରାଶିକୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଦ୍ୱାରା ସେପେଫମ୍ବର ୨୦ ତାରିଖ ସୁଦ୍ଧା ପ୍ରଦାନ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥି ସହିତ ଟେଣ୍ଡରରେ ସାମିଲ ହୋଇଥିବା କାର୍ଯ୍ୟ ବ୍ୟତୀତ ବସଷ୍ଟାଣ୍ଡରେ ଅଗ୍ନିନିର୍ବାପକ ବ୍ୟବସ୍ଥା, କାର୍ଯ୍ୟାଳୟର ଆସବାବପତ୍ର, ସିସିଟିଭି ଏବଂ ଜେନେରେଟର ଆଦି ବ୍ୟବସ୍ଥାର ଅତିରିକ୍ତ କାର୍ଯ୍ୟ ନିମନ୍ତେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଦ୍ୱାରା ଅତିରିକ୍ତ ବ୍ୟୟରାଶି ସେପେଫମ୍ବର ୨୦ ତାରିଖ ସୁଦ୍ଧା ପ୍ରଦାନ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ବୈଠକର ସୂଚନା ଅନୁଯାୟୀ ନବନିର୍ମିତ ବସଷ୍ଟାଣ୍ଡର ଯାତ୍ରୀମାନଙ୍କ ନିମନ୍ତେ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ପ୍ରଦାନ, ଜଗୁଆଳି ବ୍ୟବସ୍ଥା ଏବଂ ବସଷ୍ଟାଣ୍ଡର ରକ୍ଷଣାବେକ୍ଷଣ କାର୍ଯ୍ୟଭାର ସେପେଫମ୍ବର ୨୦ ତାରିଖ ସୁଦ୍ଧା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବସଷ୍ଟାଣ୍ଡ ନିର୍ମାଣ ଯୋଗୁ ଉଚ୍ଛେଦ ଏବଂ ସ୍ଥାନାନ୍ତରିତ ହୋଇଥିବା ଦୋକାନୀମାନଙ୍କୁ ଉପଯୁକ୍ତ ଭାବରେ ଥଇଥାନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

ବୈଠକରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦୀପ୍ତେଷ କୁମାର ପଟ୍ଟନାୟକ, ବାଣିଜ୍ୟ ଓ ପରିବହନ ବିଭାଗର ଅର୍ଥ ପରାମର୍ଶଦାତା ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ପ୍ରଭାତ କୁମାର ଜେନା, ଚାରବାଟିଆ ରାସ୍ତା ଓ ଗୃହ ନିର୍ମାଣ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ମହାନ୍ତି, ଆଠଗଡ଼ ଉପଜିଲ୍ଲାପାଳ ଶ୍ରୀ ହେମନ୍ତ କୁମାର ସ୍ୱାଇଁଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

Categories
ଆଞ୍ଚଳିକ

ଆଠଗଡ଼ରେ ରୋଟାରୀ କ୍ଲବ ଉଦ୍‌ଘାଟିତ

ଭୁବନେଶ୍ୱର: ଆଠଗଡ଼ ଶ୍ରୀରାମ ମଣ୍ଡପଠାରେ ରୋଟାରୀ କ୍ଲବ ଆଠଗଡ଼ର ଆନୁଷ୍ଠାନିକ ଉଦ୍‌ଘାଟନ ଉତ୍ସବରେ ଯୋଗଦେଇ ଆନ୍ତର୍ଜାତିକ ରୋଟାରୀ ଜିଲ୍ଲା ୩୨୬୨ର ଜିଲ୍ଲା ଗଭର୍ଣ୍ଣର ଶାନ୍ତନୁ କୁମାର ପାଣି କହିଲେ ଯେ, ସେବା କ୍ଷେତ୍ରରେ ରୋଟାରୀ ସଂସ୍ଥାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ବିଶ୍ୱରୁ ପୋଲିଓ ରୋଗର ନିରାକରଣ ପାଇଁ ରୋଟାରୀର କାର୍ଯ୍ୟକ୍ରମ ବିଶ୍ୱବାସୀଙ୍କ ଦ୍ୱାରା ଆଦୃତ ହୋଇଛି। ଆଠଗଡ଼ର ସାଧାରଣ ଜନତାଙ୍କୁ ବିଶ୍ୱବାସୀଙ୍କ ସହ ଯୋଡ଼ିବାରେ ରୋଟାରୀ କ୍ଲବ ଆଠଗଡ଼ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ ନୂତନ କ୍ଲବର ସଦସ୍ୟ ସଦସ୍ୟାମାନଙ୍କୁ ଆହ୍ୱାନ ଦେଇଥିଲେ।

ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସଂସ୍କୃତ ବିଦ୍ୱାନ ତଥା ପୂର୍ବତନ କୁଳପତି ପ୍ରଫେସର ଡଃ ହରେକୃଷ୍ଣ ଶତପଥୀ କହିଲେ ଯେ, ମାନବ ସେବା ହିଁ ମାଧବ ସେବା। ଏହି ମାନସିକତାରେ ଯଦି ଆମେ ସାଧାରଣ ଜନତାର ସେବା କରିବା, ତେବେ ଇତିହାସରେ ନିଶ୍ଚିତଭାବେ ରୋଟାରୀ କ୍ଲବ ଆଠଗଡ଼ର ନାମ ରହିବ। ରୋଟାରୀ ଏଭଳି ଏକ ସଂସ୍ଥା ଯେ, ବିଶ୍ୱରେ ବହୁ ବିଶିଷ୍ଟ ଲୋକଙ୍କ ଠାରୁ ଆରମ୍ଭ କରି ତଳେ ଥିବା ସାଧାରଣ ଜନତାଙ୍କୁ ଏକତ୍ରିତ କରିବାରେ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିଛି। ସାରା ବିଶ୍ୱରେ ରୋଟାରୀର କୋଟି କୋଟି ସଦସ୍ୟା ଓ ସଦସ୍ୟା ଉତ୍ସର୍ଗୀକୃତ ଭାବେ ସାଧାରଣ ଜନତାର ସେବା କରୁଛନ୍ତି। ନବଗଠିତ କ୍ଲବର ଉପଦେଷ୍ଟା ତଥା ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲର ସଭାପତି ବିଶିଷ୍ଟ ସମାଜସେବୀ, ସଂସ୍କୃତ ବିଦ୍ୱାନ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଆଠଗଡ଼ ମାଟିର ଐତିହ୍ୟ ଓ ଗଡ଼ଜାତ ପ୍ରଜା ଆନ୍ଦୋଳନ ଓ ଅଂଶୁପା ହ୍ରଦ ଉପରେ ନିଜର ବକ୍ତବ୍ୟ ରଖିବା ସହ ସହରର ଗ୍ରାମୀଣ ପରିବେଶ ମଧ୍ୟରେ ରୋଟାରୀ ସଂସ୍ଥାର ସେବାମୂଳକ କାର୍ଯ୍ୟକ୍ରମକୁ ପହଞ୍ଚାଇବା ଆମର ମୂଳ ଲକ୍ଷ୍ୟ ବୋଲି କହିଥିଲେ।

ଆଜିର ଏହି କାର୍ଯ୍ୟକ୍ରମକୁ ଡଃ ଜ୍ଞାନେନ୍ଦ୍ର ଆରମ୍ଭ କରି ନୂତନ ସଭାପତି ମାନସ ସାହୁଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଚାର୍ଟର ସେକ୍ରେଟାରୀ ବରୁଣ ରାଜ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଆଗାମୀ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ। ଶିକ୍ଷକ ନିରାକାର ମହାପାତ୍ର ଅତିଥି ପରିଚୟ ଓ ରୋଟାରୀୟାନ ରବୀନ୍ଦ୍ର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ଗଭର୍ଣ୍ଣର ଶ୍ରୀ ପାଣି ସଭାପତି ଶ୍ରୀ ସାହୁଙ୍କୁ ରୋଟାରୀ ସ୍ୱୀକୃତି ପତ୍ର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ପ୍ରଥମ ମହିଳା ଶ୍ରୀମତୀ ଝରଣା ପାଣି ଓ ଆଠଗଡ଼ର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।