Categories
EDUCATION ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ବିଭିନ୍ନ ସରକାରୀ ହାଇସ୍କୁଲର ବଦଳୁଛି ରୂପରେଖ

ଭୁବନେଶ୍ୱର/ସୁନ୍ଦରଗଡ଼: ସ୍କୁଲ ସ୍ତରରୁ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତର କ୍ୟାରିୟର ସ୍ୱପ୍ନକୁ ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି। ଏହି କ୍ରମରେ ଖଣି ପ୍ରଭାବିତ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ସରକାରୀ ହାଇସ୍କୁଲ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ନୂଆ ରୂପ ଦିଆଯାଉଛି। ଏଥିପାଇଁ ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡସି) ପାଣ୍ଠିରୁ ଆର୍ଥିକ ସହାୟତା ଦିଆଯାଉଛି।

ରାଜ୍ୟ ସରକାରଙ୍କ ‘୫ଟି’ ଅଭିଯାନ ଅଧୀନରେ ଚାଲିଥିବା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ସରକାରୀ ହାଇସ୍କୁଲଗୁଡ଼ିକର ରୂପରେଖ ବଦଳିଛି। ଓମ୍ବାଡସି ସହାୟତାରେ ୩୪୭ଟି ହାଇସ୍କୁଲରେ ସ୍ମାର୍ଟ କ୍ଲାସରୁମ୍, ଆଧୁନିକ ବିଜ୍ଞାନାଗାର, ଆଇସିଟି ଲ୍ୟାବ୍ ଏବଂ ଇ-ଲାଇବ୍ରେରି ଆଦି ବ୍ୟବସ୍ଥା କରାଯାଇଛି।

ପିଲାମାନେ ସ୍ମାର୍ଟ ବୋର୍ଡରେ ପାଠ ପଢ଼ିବା ସହ ଆଧୁନିକ ବିଜ୍ଞାନାଗାରରେ ଉପଲବ୍ଧ ନୂଆ ନୂଆ ବିଜ୍ଞାନ ଉପକରଣର ବ୍ୟବହାର କରୁଛନ୍ତି। ଆଇସିଟି ଲ୍ୟାବ ଯୋଗୁଁ ଛାତ୍ରଛାତ୍ରୀମାନେ ସ୍କୁଲ ସ୍ତରରୁ କମ୍ପ୍ୟୁଟର ଶିକ୍ଷା ପାଉଛନ୍ତି। ସେହିପରି ଇ-ଲାଇବ୍ରେରି ସୁବିଧା ଯୋଗୁଁ ସେମାନେ ଦେଶ ଦୁନିଆ ବିଷୟରେ ଆଜି ଜାଣିପାରୁଛନ୍ତି।

‘‘ଶିକ୍ଷକମାନେ ଆମକୁ ସ୍କୁଲରେ ସ୍ମାର୍ଟ ବୋର୍ଡ ସାହାଯ୍ୟରେ ପାଠ ପଢ଼ାଉଛନ୍ତି। ଫଳରେ ପାଠ ବୁଝିବା ଅଧିକ ସହଜ ହେଉଛି। ଯେଉଁ ବିଷୟ ଆମେ କେବଳ ବହିରେ ପଢୁଥିଲୁ ଏବଂ ଚିତ୍ର ଦେଖୁଥିଲୁ ତାହାକୁ ଏବେ ବିଜ୍ଞାନାଗାରରେ ନିଜ ହାତରେ ପ୍ରୟୋଗ କରିପାରୁଛୁ। ଏହା ଦ୍ୱାରା ବିଜ୍ଞାନ ସମ୍ପର୍କରେ ଆମେ ଅଧିକ ଜ୍ଞାନ ପାଇପାରୁଛୁ’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପୂଜା ବରୁଆ।

ଓମ୍ବାଡସି ସହାୟତାରେ ସରକାରୀ ହାଇସ୍କୁଲରେ ଖେଳ ପଡ଼ିଆର ବିକାଶ ଓ କ୍ରୀଡ଼ା ଉପକରଣ ବ୍ୟବସ୍ଥା କରାଯାଉଛି। ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ନିଜ ଭିତରେ ଥିବା କ୍ରୀଡ଼ା ପ୍ରତିଭା ଦେଖାଇବାର ସୁଯୋଗ ପାଉଛନ୍ତି। ଓମ୍ବାଡସି ସହଯୋଗରେ ରାଜ୍ୟର ୭ଟି ଖଣି ପ୍ରଭାବିତ ଜିଲ୍ଲାର ୧୬ ଶହରୁ ଅଧିକ ସରକାରୀ ହାଇସ୍କୁଲ ଏହି ରୂପାନ୍ତରଣ ପ୍ରକ୍ରିୟାରେ ଯୋଡ଼ି ହୋଇଛି।

ଗ୍ରାମାଞ୍ଚଳର ପିଲାଙ୍କୁ ଇଂଲିସ୍ ମିଡିୟମ ସ୍କୁଲ ଢାଞ୍ଚାରେ ଉନ୍ନତ ମାନର ଶିକ୍ଷା ଦେବା ପାଇଁ ପ୍ରତି ବ୍ଲକରେ ପ୍ରତିଷ୍ଠା କରାଯାଉଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟ। ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ବ୍ଳକରେ ସ୍ଥାପିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଲାଗି ଓମ୍ବାଡସି ଆର୍ଥିକ ସହାୟତା ଦେଉଛି।

‘‘ଘରୋଇ ସ୍କୁଲଠାରୁ ଆମ ସ୍କୁଲ କୌଣସି ଗୁଣରେ କମ୍ ନୁହେଁ। ଏଠାରେ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ଆଧୁନିକ ବ୍ୟବସ୍ଥା ରହିଛି। ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କ ସାମଗ୍ରିକ ବିକାଶ ହୋଇପାରୁଛି’’, କହିଛନ୍ତି ସିମଡେଗାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଆଶିଷ କୁମାର ନାୟକ। ଏଥିପାଇଁ ସେ ଓମ୍ବାଡସିକୁ ଧନ୍ୟବାଦ ଜଣାଇଛନ୍ତି।

ଓମ୍ବାଡସି ସହାୟତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଉଭୟ ଛାତ୍ର ଓ ଛାତ୍ରୀଙ୍କ ଲାଗି ହଷ୍ଟେଲ ନିର୍ମାଣ କରାଯାଉଛି। ଦୂରବାଟ ଯୋଗୁଁ ଯେଉଁମାନେ ଦିନେ ସ୍କୁଲକୁ ଆସିବାକୁ ଅସୁବିଧା ହେଉଥିଲା, ଆଜି ସେମାନେ ହଷ୍ଟେଲରେ ରହି ସୁବିଧାରେ ପାଠ ପଢ଼ିପାରୁଛନ୍ତି। ସେହିପରି କିଚେନ୍, ଡାଇନିଙ୍ଗ ହଲ୍ ଓ ସାଇକେଲ୍ ଷ୍ଟାଣ୍ଡ ଆଦି ନିର୍ମାଣ କରାଯାଇଥିବାରୁ ସ୍କୁଲ ପରିବେଶ ଆହୁରି ଆକର୍ଷଣୀୟ ହୋଇପାରୁଛି।

‘‘ଓମ୍ବାଡସି ସହାୟତାରେ ସୁନ୍ଦରଗଡ଼ ଜିଲ୍ଲାରେ ଶିକ୍ଷା କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ଯେଉଁ କାର୍ଯ୍ୟକ୍ରମ କରାଯାଉଛି ତାହା ସ୍ୱାଗତଯୋଗ୍ୟ। ଏଭଳି ପଦକ୍ଷେପ ଯୋଗୁଁ ଛାତ୍ରଛାତ୍ରୀମାନଙ୍କର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ହୋଇପାରୁଛି। ଫଳରେ ସେମାନେ ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇପାରିବେ’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ମହାଜନ।

ହାଇସ୍କୁଲ ରୂପାନ୍ତରଣ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଆଧୁନିକୀକରଣ ଯୋଗୁଁ ଓଡ଼ିଶାର ଖଣି ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଶିକ୍ଷାର ମାନ ଉନ୍ନତ ହୋଇପାରିଛି। ଏଥିରେ ଆର୍ଥିକ ସହାୟତା ଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତର କ୍ୟାରିୟର ସ୍ୱପ୍ନ ପୂରଣ ଦିଗରେ ବାଟ ପ୍ରସ୍ତୁତ କରିବାରେ ସହାୟକ ହୋଇପାରିଛି ଓମ୍ବାଡସି।

Categories
ଆଜିର ଖବର ରାଜ୍ୟ ଖବର

ସ୍ୱୀକୃତି ନଥିବା ଘରୋଇ ସ୍କୁଲ ପିଲା ନବୋଦୟ, ଆଦର୍ଶ ବିଦ୍ୟାଳୟରେ ଆଡ଼ମିସନ ନିର୍ଦ୍ଦେଶକୁ ସ୍ୱାଗତ

ଭୁବନେଶ୍ୱର: ସ୍ୱୀକୃତି ନଥିବା ଘରୋଇ ସ୍କୁଲର ପିଲା ନବୋଦୟ, ଆଦର୍ଶ ବିଦ୍ୟାଳୟ ଭଳି ସ୍କୁଲରେ ଆଡ଼ମିସନ କରିବାକୁ ପରୀକ୍ଷା ଦେଇ ଯୋଗ୍ୟ ହୋଇଥିଲେ ମଧ୍ୟ ଆଡ଼ମିସନ କରି ପାରୁ ନ ଥଲେ। ବହୁତ ପିଲା ଏହି ସ୍କୁଲରେ ପାଠ ପଢ଼ାରୁ ବଞ୍ଚିତ ହେଉଥିଲେ। ଏନେଇ ଓଡିଶା ଅଭିଭାବକ ମହାସଂଘ ସରକାରଙ୍କ ନଜରକୁ ଆଣିଥିଲା। ଆଜି ବିଧିବଦ୍ଧ ଭାବେ ଗଣଶିକ୍ଷା ବିଭାଗ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛି।

ଏହା ଦ୍ୱାରା ରାଜ୍ୟରେ ଅନେକ ପିଲା ସ୍ୱୀକୃତି ନଥିବା ଶିଶୁମନ୍ଦିର, ବିଦ୍ୟାମନ୍ଦିର ତଥା ଛୋଟ ଛୋଟ ଘରୋଇ ସ୍କୁଲର ପିଲା ଯୋଗ୍ୟ ବିବେଚିତ ହୋଇ ମଧ୍ୟ ଯେଉଁ ଅସୁବିଧାର ସମୁଖୀନ ହେଉଥିଲେ, ସେଥିରେ ପୂର୍ଣ୍ଣଛେଦ ପଡିଛି। ଦୀର୍ଘଦିନ ହେଲା ଏହି ସମସ୍ୟାର ସମାଧାନ ପାଇଁ ଓଡିଶା ଅଭିଭାବକ ମହାସଂଘ ଦାବି କରି ଆସୁଥିଲା।

ରାଜ୍ୟରେ ବିଭିନ୍ନ ଅଂଚଳରେ ଉତ୍ତମ ଶିକ୍ଷା ପ୍ରଦାନ ପାଇଁ ଘରୋଇ ସ୍କୁଲ ସ୍ଥାପନ ହୋଇଛି। ସରକାରୀ ସ୍ୱୀକୃତି ପାଇଁ ଭିତ୍ତିଭୂମି ସହ ଅନେକ ସୁବିଧା ସୁଯୋଗର ବ୍ୟବସ୍ଥା ହେଲେ ଘରୋଇ ସ୍କୁଲ ସ୍ୱୀକୃତି ପାଇପାରିବେ। ଅନେକ ସ୍କୁଲ ଭଲ ଶିକ୍ଷାଦାନ କରୁଥିଲେ ମଧ୍ୟ ବିଭିନ୍ନ କାରଣରୁ ସ୍ୱୀକୃତି ପାଉନଥିଲେ। ଯଦ୍ୱାରା କି ଛାତ୍ର ଛାତ୍ରୀ ଓ ଅଭିଭାବକ କେନ୍ଦ୍ରୀୟ, ନବୋଦୟ ଓ ଆଦର୍ଶ ବିଦ୍ୟାଳୟରେ ନାମ ଲେଖେଇବା ପାଇଁ ଶିକ୍ଷା ଅଧିକାରୀଙ୍କ ଦସ୍ତଖସ୍ତ ପାଇଁ ହଇରାଣ ହେଉ ଥିଲେ। ଏବେ ଏହାର ପୂର୍ଣ୍ଣଛେଦ ପଡିଛି।

ଏହି ନିର୍ଦ୍ଦେଶନାମକୁ ଓଡିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ସ୍ୱାଗତ କରିଛନ୍ତି। ଯେହେତୁ ବିଭିନ୍ନ ସମସ୍ୟା ନେଇ ଘରୋଇ ସ୍କୁଲ ସ୍ୱୀକୃତି ପାଇ ପାରିନାହାନ୍ତି କିମ୍ବା ଆବେଦନ କରି ବିଚରାଧୀନ ରହିଛି ସେହି ସ୍କୁଲର ପିଲାମାନେ ତାଙ୍କର ମେଧାତ୍ୱ ଥାଇ ଯୋଗ୍ୟ ବିବେଚିତ ହୋଇ ମଧ୍ୟ ଆଡ଼ମିସନ କରିପାରୁନଥିଲେ। ସାରା ରାଜ୍ୟରୁ ବହୁତ ଅଭିଭାବକ ଯୋଗାଯୋଗ କରିବାପରେ ମହାସଂଘ ଏହାକୁ ସରକାରଙ୍କ ନଜରକୁ ଆଣିଥିଲେ।

ଗଣଶିକ୍ଷା ନିର୍ଦ୍ଦେଶକ ଜ୍ୟୋତି ରଞ୍ଜନ ମିଶ୍ର ଏହି ସମସ୍ୟାର ସମାଧାନ କରିଛନ୍ତି। ଏହି ଚିଠି ଦ୍ୱାରା ଶହ ଶହ ଅଭିଭାବକ ଏହାର ସୁଯୋଗ ନେଇପାରିବେ। ଏହା ସରକାରଙ୍କ ଓ ଘରୋଇ ସ୍କୁଲର ପ୍ରଶାସନିକ ବିଧିବ୍ୟବସ୍ଥାର ତ୍ରୁଟି, ତେଣୁ ମେଧାବୀ ପିଲାଙ୍କ ଉତ୍ତମ ଶିକ୍ଷା ଗ୍ରହଣରେ ବାଧା ସୃଷ୍ଟି ନକରିବାକୁ ଗଣଶିକ୍ଷା ବିଭାଗ ଏହି ନିର୍ଦ୍ଦେଶ ଜାରି କରିଥିବାରୁ ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଶିକ୍ଷା ବଜେଟ ୨୦୨୩: ଏଥର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତି ହେବେ ୧୦୭୦ ଶିକ୍ଷକ

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବାର୍ଷିକ ବଜେଟ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ସମୀର ରଂଜନ ଦାଶ ପ୍ରସ୍ତାବିତ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ପରାମର୍ଶ ଅନୁଯାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପରିବର୍ତ୍ତିତ ପରିସ୍ଥିତି ଅନୁସାରେ ଉଚିତ ସମୟରେ ଉଚିତ ପଦକ୍ଷେପ ନେବାକୁ ସର୍ବାଧିକ ଗୁରୁତ୍ୱ ଦେଉଛି।

ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଶିକ୍ଷାର ବିକାଶକୁ ପ୍ରାଥମିକତା ଦେଇ ଓଡିଶାର ପିଲାମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତଙ୍କୁ ଏକାଠି କାମ କରିବାକୁ ପରାମର୍ଶ ଦେଇଛନ୍ତି। ଏହାର ସଫଳ ରୂପାୟନ ପାଇଁ ଆମ ବିଭାଗ ୨୦୨୩-୨୪ ଆର୍ଥିକ ବର୍ଷ ବଜେଟରେ ଦୁଇଟି ମୁଖ୍ୟ କ୍ଷେତ୍ରକୁ ଧ୍ୟାନ ଦିଆଯାଇଛି। ପ୍ରଥମଟି ଶୈକ୍ଷିକ ବାତାବରଣ ଏବଂ ପ୍ରଶାସନିକ ବିକାଶ ଉପରେ ଆଧାରିତ ଗୁଣାତ୍ମକ ଶିକ୍ଷା, ଦ୍ୱିତୀୟରେ ନିରନ୍ତର ବିକାଶର ଧାରା।

ଏହି ଜନକଲ୍ୟାଣକାରୀ ବଜେଟରେ ଶିକ୍ଷା କ୍ଷେତ୍ରର ଅଭିବୃଦ୍ଧି, ବିକାଶ, ଭିତ୍ତିଭିୂମି ଉନ୍ନୟନ ଓ ଉନ୍ନତ ଶୈକ୍ଷିକ ବାତାବରଣ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ବଜେଟ ବିଗତ ୨୦୨୨-୨୩ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୫% ଅଧିକ ଅଟେ। ଶିକ୍ଷାନୁଷ୍ଠାନଗୁଡ଼ିକର ସର୍ବାଙ୍ଗୀନ ବିକାଶ, ଛାତ୍ରଛାତ୍ରୀମାନଙ୍କ ବୈଦ୍ଧିକ, ମାନସିକ ଏବଂ ଶାରୀରିକ ବିକାଶ ସହ ଶିକ୍ଷାଦାନ ସମ୍ପ୍ରଦାୟର ସାମଗ୍ରିକ ବିକାଶ ପାଇଁ ମୋଟ ୨୨,୫୨,୭୮୦.୨୩ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି। ସେଥି ମଧ୍ୟରୁ ପ୍ରଶାସନିକ ଖର୍ଚ୍ଚ ପାଇଁ ୧୨,୮୬,୨୮୪.୨୩ ଲକ୍ଷ ଏବଂ କାର୍ଯ୍ୟକ୍ରମ ଖର୍ଚ୍ଚ ୯,୬୬,୪୯୬.୦୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି।

ଚଳିତ ଆର୍ଥିକ ବର୍ଷରେ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ୫୦ ହଜାରରୁ ଉଦ୍ଧ୍ୱର୍ର୍ ନୂତନ ନିଯୁକ୍ତି ପ୍ରଦାନ କରାଯିବ। ଏହାସହ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଉ ୨୩୬ଟି ଛାତ୍ରନିବାସ ନୂତନ ଭାବରେ ନିର୍ମାଣ କରାଯିବ। ୨୦୨୨-୨୩ ଆର୍ଥିକ ବର୍ଷରେ ସ୍କୁଲ ୟୁନିଫର୍ମ ଓ ଅନ୍ୟାନ୍ୟ ସହାୟକ ସାମଗ୍ରୀ ପାଇଁ ପୂର୍ବରୁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ୬୦୦ଟଙ୍କା ପ୍ରଦାନ କରାଯାଉଥିବାବେଳେ ଏବେ ତାହାକୁ ବୃଦ୍ଧି କରାଯାଇ ୧୦୦୦ଟଙ୍କା କରିବାକୁ ପ୍ରସ୍ତାବ ରହିଛି। ଏହି ଯୋଜନା ନିମନ୍ତେ ୨୩୪୪୬ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି। ସରକାରୀ ଓ ପୂର୍ଣ୍ଣ ସହାୟତାପ୍ରାପ୍ତ ବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କ ନିମନ୍ତେ ନୋଟବୁକ୍ ର ବ୍ୟବସ୍ଥା କରାଯାଇଛି।

ଶିକ୍ଷା ଅନୁଷ୍ଠାନଗୁଡିକର ଭିତ୍ତିଭୂମିରେ ସର୍ବାଙ୍ଗୀନ ଉନ୍ନତି ପାଇଁ ୨୦୨୩-୨୪ ବଜେଟରେ ୨୭୭୮.୨୫ କୋଟି ଟଙ୍କାର ପ୍ରାବଧାନ କରାଯାଇଛି। ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକରେ ସ୍ମାର୍ଟ ଶ୍ରେଣୀଗୃହ, ଅତ୍ୟାଧୁନିକ ଇ-ଲାଇବ୍ରେରୀ, ସାଇନ୍ସ ଲାବୋରୋଟରୀ, ଛାତ୍ରଛାତ୍ରୀଙ୍କ ପାଇଁ ପୃଥକ ଶୌଚାଳୟ, ସ୍ୱଚ୍ଛ ପାନୀୟଜଳ ବ୍ୟବସ୍ଥା ଏବଂ ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରାଯାଉଛି।

ପ୍ରଥମିକ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ନିମନ୍ତେ ୧୭୦୦ ଲକ୍ଷ, ସୈନିକ ସ୍କୁଲ ନିର୍ମାଣ ନିମନ୍ତେ ୮୫୦ଲକ୍ଷ, ମାଧ୍ୟମିକ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ନିମନ୍ତେ ୨୬୫୦ ଲକ୍ଷ ଓ ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ନିମନ୍ତେ ୬୮୦୦ ଲକ୍ଷ ବ୍ୟୟବରାଦ କରାଯାଇଛି। ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ ପାଇଁ ୧୦୦ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଥିବାବେଳେ ୫-‘ଟି’ ବିଦ୍ୟାଳୟ ରୂପାନ୍ତରୀକରଣ, ମୋ ସ୍କୁଲ ଅଭିଯାନ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରି ଅଭିନବ ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି।

ମୋ ସ୍କୁଲ ଅଭିଯାନ ଅଧୀନରେ ୮୦୫୧୪.୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ନୂଆ ଯୋଜନା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଜିଲ୍ଲା, ବ୍ଲକ୍‌, ବିଦ୍ୟାଳୟ, ପ୍ରଧାନଶିକ୍ଷକ, ଶିକ୍ଷକ, ନିର୍ବାଚିତ ପଞ୍ଚାୟତ ପ୍ରତିନିଧି, SMC/SMDCs, CRCCs, ବ୍ଲକ୍‌ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ପୁରାତନ ଛାତ୍ର କମିଟି ଓ DIET ନିମନ୍ତେ ୧୩୮.୯୭ କୋଟି ଟଙ୍କା ପ୍ରଦାନ କରାଯାଇଛି।

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଅଧିନରେ ୫୧୫୩୫ଟି ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୧୦୭୦ ଶିକ୍ଷକ ପଦବୀ ନିଯୁକ୍ତି ନିମନ୍ତେ ୧୦୪୫.୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି।

ସରକାରୀ ଅନୁଦାନ ପ୍ରାପ୍ତ, ବ୍ଲକଗ୍ରାଣ୍ଟ ହାଇସ୍କୁଲ୍‌, ସଂସ୍କୃତ ଟୋଲ୍‌ ଓ ମାଦ୍ରାସାର ନବମ ଶ୍ରେଣୀରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ସାଇକେଲ ଯୋଗାଇଦେବା ପାଇଁ ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା((GMSMY) ) ଅଧୀନରେ ୧୫, ୫୦୦.୦୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ୧୯୧୮.୧୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହାସହ ଶିକ୍ଷକମାନଙ୍କ ପ୍ରଶିକ୍ଷଣ ନିମିତ୍ତ ୬୦୬୨ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି।

ଅଧାରୁ ପାଠ ଛାଡିଥିବା ବିଦ୍ୟାର୍ଥୀମାନଙ୍କ ନିମନ୍ତେ New India Literacy Programme ରେ ୭୧୫.୬୨ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯିବା ସହ ୧୦୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନୂତନ ଭାବରେ ନିର୍ମାଣ କରାଯିବ । ୫-‘ଟି’ ବିଦ୍ୟାଳୟ ରୂପାନ୍ତରିକରଣ ଯୋଜନାରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ ୩୪୧୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ୫-‘ଟି’ ଉଚ୍ଚ ବିଦ୍ୟାଳୟଗୁଡିକର ରକ୍ଷଣାବେକ୍ଷଣ ତଥା ସୁରକ୍ଷା ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟମରେ ମାନବ ସମ୍ବଳ ନିୟୋଜିତ ପାଇଁ ୧୩୦ କୋଟି ପ୍ରଦାନ କରାଯାଇଛି।

ସିବିଏସ୍‌ଇ ପାଠ୍ୟକ୍ରମ ଅନୁଯାୟୀ ଗୁଣାତ୍ମକ ଶିକ୍ଷା ଯୋଗାଇଦେବା ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧୀନରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୧୦୦୦.୧୪ କୋଟି ଟଙ୍କା ପ୍ରଦାନ କରାଯାଇଛି ।

୩୧୩ ବ୍ଲକରେ ୩୧୫ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି । ବର୍ତ୍ତମାନ କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ବ୍ଲକର କୋଟିଆଠାରେ ଏକ ଅତିରିକ୍ତ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିଛନ୍ତି । ଭୁବନେଶ୍ୱରର ଅନ୍ଧାରୁଆଠାରେ ଏକ ଆଇକନିକ୍‌ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କାର୍ଯ୍ୟ ଆରମ୍ଭ ହୋଇଛି । ୨୦୨୨-୨୩ ଶିକ୍ଷାବର୍ଷରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧୀନରେ ୧,୦.୨୫୩ ଛାତ୍ରଛାତ୍ରୀ ଶିକ୍ଷାଲାଭ କରୁଥିବାବେଳେ ସେଥିମଧ୍ୟରେ ୫୮,୩୪୩ ଛାତ୍ରୀ ଓ ୪୧,୯୧୦ ଛାତ୍ର ରହିଛନ୍ତି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଅଶ୍ୱଥୀ ଏସ୍‌ ନୂତନ ପଦକ୍ଷେପଗୁଡ଼ିକ ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ସହଯୋଗରେ ୧୭ ବର୍ଷରୁ ଅଧିକ ବିଦ୍ୟାଳୟ ବାହାରେ ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ କାଉନସିଲିଂ ଅଧିବେଶନ ମଧ୍ୟ ଆରମ୍ଭ କରାଯିବ ।

ହାଇସ୍କୁଲ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୫୦,୦୦୦ ରୁ ଅଧିକ ଶିକ୍ଷକ ନିଯୁକ୍ତି ମାଧ୍ୟମରେ ଖାଲିଥିବା ପଦବୀ ପୂରଣ କରିବାକୁ ସରକାର ପ୍ରାଥମିକତା ଦେଉଛନ୍ତି । ଏହିସବୁ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତ୍ୱରିତ ପଦକ୍ଷେପ ନେବା ପାଇଁ ସ୍ଥିର କରିଛି ବୋଲି ଶ୍ରୀମତୀ ଅଶ୍ୱଥୀ ଏସ୍‌ ସୂଚନା ଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଶିକ୍ଷକ ପୂରଣ ଦାବିରେ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଜୁନାଗଡ଼ ସ୍ଥିତ ଆଦର୍ଶ ବିଦ୍ୟାଳୟ ଠାରେ ସ୍ଥାୟୀ ଅଧ୍ୟକ୍ଷ ଓ ଶିକ୍ଷକ ନିଯୁକ୍ତି ଦାବୀ ନେଇ ବିଦ୍ୟାଳୟ ସମ୍ମୁଖରେ ଶ୍ରେଣୀ ବର୍ଜନ କରି ଛାତ୍ରଛାତ୍ରୀ ମାନେ ଧାରଣା ଦେଇଛନ୍ତି। ଏହି ବିଦ୍ୟାଳୟ ୨୦୧୬ମସିହାରୁ ଆରମ୍ଭ ହୋଇ ବର୍ତ୍ତମାନ ଷଷ୍ଠରୁ ଦଶମ ଶ୍ରେଣୀ ଯାଏଁ ପାଠ ପଢା ହେଉଛି। ହେଲେ ଏଠାରେ ଆବଶ୍ୟକ ଶିକ୍ଷକ ପଦବୀ ପୂରଣ ହୋଇ ପାରିନି। ଏପରିକି ଏଠାରେ ସ୍ଥାୟୀ ଅଧ୍ୟକ୍ଷ ପଦ ମଧ୍ୟ ଖାଲି ଅଛି। ଏନେଇ ଅଭିଭାବକ ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏହା ପୂରଣ ହୋଇ ପାରୁ ନାହିଁ। ଏପରିକି ଏଠାରୁ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ଅନ୍ୟତ୍ର ବଦଳି ହୋଇ ଯାଇଥିଲେ ମଧ୍ୟ ଏଠାରେ ଏହି ଶିକ୍ଷକ ନିଯୁକ୍ତି କରାଯାଇ ନାହିଁ।

ଯାହା ଫଳରେ ଛାତ୍ରଛାତ୍ରୀମାନଙ୍କୁ ପଢ଼ିବାରେ ଅନେକ ସମସ୍ୟା ଦେଖା ଦେଇଛି। ଏଣୁ ସ୍ଥାୟୀ ଅଧ୍ୟକ୍ଷ, ପି ଜି ଟି, ଫିଜିକ୍ସ, ହିନ୍ଦୀ, ସଂସ୍କୃତ, ଆର୍ଟ, ମ୍ୟୁଜିକ ଶିକ୍ଷକ ଏବଂ କ୍ଲର୍କ ନିଯୁକ୍ତି ଦାବୀନେଇ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଶ୍ରେଣୀ ବର୍ଜନ କରି ସ୍କୁଲ ଫାଟକ ସମ୍ମୁଖରେ ଧର୍ମଘଟ କରିଥିଲେ।

ପ୍ରଶାସନ ତରଫରୁ ଧର୍ମଗଡ଼ ଉପଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ସ୍ଥାନୀୟ ତହସିଲଦାର ବେଦବ୍ୟାସ ଭୋଇ, ବିଡ଼ିଓ ଦୁଲାରାମ ମାରାଣ୍ଡି ଘଟଣାସ୍ଥଳରେ ଉପସ୍ଥିତ ହୋଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏଠାରେ ସ୍ଥାୟୀ ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ଶିକ୍ଷକ ବ୍ୟବସ୍ଥା କରାଯାଇ ପାଠ ପଢା ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀ ଧର୍ମଘଟରୁ ଓହରି ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଆସନ୍ତା ଶିକ୍ଷା ବର୍ଷ ପ୍ରାରମ୍ଭରେ ୩୦୦ ଆଦର୍ଶ ବିଦ୍ୟାଳୟର ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ ହେବ

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଆଦର୍ଶ ବିଦ୍ୟାଳୟକୁ ଶୀଘ୍ର କାର୍ଯ୍ୟକ୍ଷମ କରବା ପାଇଁ ଆସନ୍ତା ଜୁନ୍‌ ୨୦୨୨ ସୁଦ୍ଧା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସମସ୍ତ ନିର୍ମାଣ କାର୍ଯ୍ୟକୁ ଶେଷ କରିବା ସହିତ ଆସନ୍ତା ଡିସେମ୍ବର ୨୦୨୧ ମଧ୍ୟରେ ସ୍କୁଲ ଗୃହର ପୁନଃବିନ୍ୟାସ ଏବଂ ରୂପାନ୍ତରଣ କାର୍ଯ୍ୟ ଏବଂ ୮୦ଟି ବାଳିକା ହଷ୍ଟେଲ ଗୃହ କାର୍ଯ୍ୟ ଶେଷ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ନିର୍ଦ୍ଦେଶ  ଦେଇଛନ୍ତି ।

ଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ମାସିକ ସମୀକ୍ଷା ବୈଠକ ଭର୍ଚୁଆଲ ମୋଡ୍‌ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସେ ଏ ସଂପର୍କରେ ସୂଚିତ କରିଛନ୍ତି । ପ୍ରମୁଖ ସଚିବ ଶ୍ରୀ ସାହୁ ଆସନ୍ତା ଶିକ୍ଷାବର୍ଷ ଜୁନ୍‌ମାସରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନୂତନ ଅଟ୍ଟାଳିକାରେ ପାଠପଢ଼ା କାର୍ଯ୍ୟ ଆରମ୍ଭ କରିବାକୁ ଗୁରୁତ୍ୱ ପ୍ରଦାନ କରିଥିଲେ । ବିରିଡ଼ି, ଅସ୍ତରଙ୍ଗ, ଝାରବନ୍ଧ(ବରଗଡ଼) ପ୍ରଭୃତି ସ୍ଥାନରେ ଆଦର୍ଶ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ହୋଇନଥିବାରୁ ସଚିବ ଶ୍ରୀ ସାହୁ ଅସନ୍ତୋଷ ପ୍ରକାଶ କରିଥିଲେ । ସେହିପରି ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ୍‌ରେ ନୂତନ ସ୍ଥାନ ଚିହ୍ନଟ କରି କାର୍ଯ୍ୟ ଆରମ୍ଭ କରିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଥିଲା ।

ଆସନ୍ତା ଶିକ୍ଷାବର୍ଷ ପ୍ରାରମ୍ଭରେ ୮୦ଟି ଛାତ୍ରୀନିବାସ କାର୍ଯ୍ୟକ୍ଷମ କରାଯିବ । ଏଥି ସହିତ ଯେଉଁ ଆଦର୍ଶ ବିଦ୍ୟାଳୟର ପ୍ରାଚୀର ନାହିଁ ସେହି ସ୍କୁଲର ପ୍ରାଚୀର ନିର୍ମାଣ କରିବା ପାଇଁ ନିର୍ମାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ଥିବା ବିଦ୍ୟାଳୟଗୁଡ଼ିକରେ ଆପ୍ରୋଚ୍‌ ରୋଡ୍‌ କାର୍ଯ୍ୟ ହାତକୁ ନିଆଯିବ ଏବଂ ନିର୍ମାଣ ବିଭାଗ ସମସ୍ତ ଆଦର୍ଶ ବିଦ୍ୟାଳୟର ଭିତ୍ତିଭୂମି ଯୋଗାଇ ଦେବା ପାଇଁ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି, ଯାହା ଦ୍ୱାରା କି ଅତିରିକ୍ତ ବଜେଟ୍‌ରେ ଅର୍ଥ ବ୍ୟବସ୍ଥା କରାଯାଇପାରିବ ।

ସମସ୍ତ ନିର୍ବାହୀ ସଂସ୍ଥାଗୁଡ଼ିକ ଉନ୍ନତ ମାନର ନିର୍ମାଣ କାର୍ଯ୍ୟ ଉପରେ ଗୁରୁତ୍ୱ ଦେବା ସହ ଏଗୁଡ଼ିକରେ ୱାଟର ପ୍ରୁଫ ରଙ୍ଗ କରିବାକୁ ପରାମର୍ଶ ଦେଇଥିଲେ । ଭୁବନେଶ୍ୱର ଅନ୍ଧାରୁଆଠାରେ ନିର୍ମାଣ ହେବାକୁ ଥିବା ମଡେଲ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସମସ୍ତ ଆନୁଷଙ୍ଗିକ ନକ୍ସା ଓ ଡିଜାଇନ୍‌ ପ୍ରସ୍ତୁତ ହୋଇସାରିଛି, ଯାହାକି ଯଥାଶୀଘ୍ର ଓବିସିସି ମାଧ୍ୟମରେ ହୋଇ ୨୦୨୩ ମସିହାରେ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଉକ୍ତ ଉତ୍କର୍ଷ ଆଦର୍ଶ ବିଦ୍ୟାଳୟରେ ପ୍ରଥମ ପର୍ଯ୍ୟାୟରେ ୫୦୦ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ମାନର ଶିକ୍ଷା ପ୍ରଦାନ କରିବାକୁ ସରକାରଙ୍କର ଲକ୍ଷ୍ୟ ଅଛି । ଏ ସମସ୍ତ କାମକୁ ଓଡ଼ିଶା ବି୍ରଜ୍‌ ନିର୍ମାଣ ନିଗମକୁ ୨୦୨୩ ସୁଦ୍ଧା ସାରିବାକୁ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ଏକ ବିକାଶ ନକ୍ସା ପ୍ରସ୍ତୁତ କରି ତଦନୁଯାୟୀ ସମସ୍ତ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବାକୁ ଯୋଜନା କରାଯାଉଛି ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀଙ୍କ ସମେତ ମୁଖ୍ୟଯନ୍ତ୍ରୀ ନିର୍ମାଣ, ମୁଖ୍ୟଯନ୍ତ୍ରୀ, ଜଳ ଓ ପରିମଳ ବିଭାଗ, ମୁଖ୍ୟଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ଟାଟା ଷ୍ଟିଲର କ୍ଷେତ୍ର ଅଧିକାରୀ ପ୍ରମୁଖ ଭର୍ଚୁଆଲ ମୋଡ୍‌ରେ ଯୋଗଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ଆଦର୍ଶ ବିଦ୍ୟାଳୟର ଦଶମ ପରୀକ୍ଷା ଫଳ, ଜାଣନ୍ତୁ କିଏ ହେଲା ଟପର

ଭୁବନେଶ୍ବର, ଆଜି ଓଡିଶା ଆଦର୍ଶ ବିଦ୍ୟାଳୟ ଦଶମ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଛି। ସମୁଦାୟ ୯୫୫୮ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୯୩୭୮ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। କେଉଁଝର ଜିଲ୍ଲା ଆନନ୍ଦପୁର ଶାଳପଡା ଆଦର୍ଶ ବିଦ୍ୟାଳୟ ଛାତ୍ର ଶ୍ରୀ ଅମ୍ରିତ୍ ରାଜ ବିଶ୍ବାଳ ୯୯.୪୦ ପ୍ରତିଶତ ନମ୍ବର ରଖି ଓଡିଶାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏଥିରେ ଛାତ୍ରୀମାନଙ୍କଠାରୁ ଛାତ୍ରମାନେ ଭଲ ଫଳ କରିଛନ୍ତି।

ଆଦର୍ଶ ବିଦ୍ୟାଳୟର ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଶୁଭେଚ୍ଛା ଜଣାଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ବିଜୟ ସାହୁଙ୍କ ପରଲୋକ ପରେ ବସିଲା ପ୍ରଥମ ଆଦର୍ଶ ବିଦ୍ୟାଳୟ ବୈଠକ, ନିଆଗଲା ଏହି ନିଷ୍ପତି

ଭୁବନେଶ୍ୱର, ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ଜାରି ରହିଥିବା ନିର୍ମାଣ କାର୍ଯ୍ୟ ବାବଦରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରୁ ଜଣାପଡ଼ିଛି ଯେ ଭୁବନେଶ୍ୱରରର ଅନ୍ଧାରୁଆଠାରେ ନିର୍ମାଣାଧୀନ ମଡେଲ ଆଦର୍ଶ ବିଦ୍ୟାଳୟର ପାଚେରୀ କାନ୍ଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ପୂର୍ଣ୍ଣାଙ୍ଗ କାର୍ଯ୍ୟ ୨୦୨୨ ସୁଦ୍ଧା ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଓଡ଼ିଶାର ବିଭିନ୍ନ ଆଦର୍ଶ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ୫୦୦ ଜଣ ମେଧାବୀ ବିଦ୍ୟାର୍ଥୀଙ୍କୁ ମେଡିକାଲ, ଇଂଜିନିୟରିଂ ଏବଂ ଅନ୍ୟ ପ୍ରବେଶିକା ପରୀକ୍ଷା ପାଇଁ ଏଠାରେ ପ୍ରଶିକ୍ଷଣ ଦିଆଯିବ । ଏହା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ସ୍ୱର୍ଗତ ବିଜୟ କୁମାର ସାହୁଙ୍କର ଏକ ଅଭିଳଷିତ ପ୍ରକଳ୍ପ ଥିଲା ଏବଂ ପ୍ରମୁଖ ଶାସନ ସଚିବ ଆଗାମୀ ଶିକ୍ଷାବର୍ଷରୁ ଏଠାରେ ଶିକ୍ଷାରମ୍ଭ କରି ସଂଗଠନର ଉପଦେଷ୍ଟାଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ପ୍ରଦର୍ଶନ କରିବାକୁ କହିଥିଲେ ।

ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ଟାଟା ଷ୍ଟିଲ୍‌ ଦ୍ୱାରା ଜାରି ରହିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟର ସମୀକ୍ଷା କରାଯିବା ସହ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି କାର୍ଯ୍ୟଗୁଡ଼ିକ ସଂପୂର୍ଣ୍ଣ କରିବା ପାଇଁ ନିବେଦନ କରାଯାଇଥିଲା । ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଏବଂ ବରଗଡ଼ର ଜିଲ୍ଲାପାଳମାନଙ୍କୁ ଜମିଜମା ସଂକ୍ରାନ୍ତୀୟ ସମସ୍ୟାର ସମାଧାନ ସହ ଜମିର ମାଲିକାନା ନିର୍ବାହୀ ଯନ୍ତ୍ରୀମାନଙ୍କୁ ହସ୍ତାନ୍ତର କରିବାକୁ କୁହାଯାଇଥିଲା ।

କେଉଁଝର, ଯାଜପୁର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାମାନଙ୍କରେ ବିଦ୍ୟାଳୟଗୁଡ଼ିକର ଉନ୍ନତିକରଣ ପାଇଁ ଓମ୍‌ବାଡ୍‌ସ ପାଣ୍ଠିରେ ନିର୍ମିତ ହେଉଥିବା ହଷ୍ଟେଲ, ପଚୋରୀ କାନ୍ଥ, ସାଇକେଲ ଷ୍ଟାଣ୍ଡ, ଗମନାଗମନ ରାସ୍ତା ଆଦି ବାବଦରେ ମଧ୍ୟ ସମୀକ୍ଷା କରାଯାଇଥିଲା । ସମସ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ଏହି ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ଅନୁରୋଧ କରାଯାଇଥିଲା ।

ଏହି ସମୀକ୍ଷା ବୈଠକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା, ପୂର୍ତ୍ତ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ, ଆର୍‌ଡବ୍ଲୁ୍ୟଏସ୍‌ଏସ୍‌ର ମୁଖ୍ୟ ଯନ୍ତ୍ରୀ, ଟାଟା ଷ୍ଟିଲ୍‌ ଲିମିଟେଡ୍‌ର ପ୍ରତିନିଧି, ଓବିସିସିର ପରିଚାଳନା ନିର୍ଦ୍ଦେଶକ, ବିଭାଗୀୟ ଅତିରିକ୍ତ ସଚିବ, ଅନ୍ୟ ସମସ୍ତ ସଂପୃକ୍ତ ର୍ନିବାହୀ ଯନ୍ତ୍ରୀ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଚାକିରୀ କରାଇଦେବାକୁ ଲାଞ୍ଚ: ଭିଜିଲାନ୍ସ ହାତରେ ଧରା ହେଲେ ଆଦର୍ଶ ବିଦ୍ୟାଳୟ ପ୍ରନ୍ସିପାଲ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରସ୍ଥିତ ଆଦର୍ଶ ବିଦ୍ୟାଳୟରେ ପିଅନ ଚାକିରୀ ରେ ନିଯୁକ୍ତି ଦେବାପାଇଁ ୪୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିିଲାନ୍ସ ହାତରେ ପ୍ରନ୍ସିପାଲ ଧରାପଡିଥିବା ସୂଚନା ମିଳିଛି।

ଘଟଣାରୁ ପ୍ରକାଶେଯ, ମ.ରାମପୁର ଚାରିଛକର ଭୀମା ବାଗଙ୍କ ପୁଅ ଗଙ୍ଗାଧର ବାଗଙ୍କୁ ପିଅନ-ଚୌକିଦାର ପଦବୀରେ ନିଯୁକ୍ତି ଦେବାକୁ ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ କ୍ଷିତିଶ ବିଶ୍ୱାଳ କୁଆଡେ ଏକ ଲକ୍ଷ ଟଙ୍କା ଲାଂଚ ଦାବୀ କରିଥିଲେ। ଗଙ୍ଗାଧର ଗରିବ ପରିବାରର ହୋଇଥିବାରୁ ଦାବୀ ମୁତାବକ ଟଙ୍କା ଦେଇପାରିନଥିଲେ। ପ୍ରିନ୍ସିପାଲ ଶେଷରେ ୫୦ ହଜାର ଟଙ୍କାରେ ରାଜି ହୋଇ ୪୦ ହଜାର ଟଙ୍କା ଏଡଭାନ୍ସ ଦାବୀ କରିଥିଲେ। ଗରିବ ଗଙ୍ଗାଧର ବାଧ୍ୟ ହୋଇ ଭିଜିଲାନ୍ସ ବିଭାଗ ସହ ଯୋଗାଯୋଗ କରିଥିଲେ।

ଅଭିଯୋଗ ଅନୁସାରେ କୋରାପୁଟ ଭିଜିଲାନ୍ସ ଥାନା କେଶ ନଂ.୦୭/୨୧ ରେ ଏକ କେଶ ରୁଜ୍ଜୁ କରାଯାଇ କଳାହାଣ୍ଡି ଭିଜିଲାନ୍ସ ଡିଏସପିଙ୍କୁ ଘଟଣାର ତଦନ୍ତ ଦାୟୀତ୍ୱ ଦିଆଯାଇଥିବା ପ୍ରକାଶ। ଚୁକ୍ତି ଅନୁସାରେ ପ୍ରିନ୍ସିପାଲ ଆଦର୍ଶ ବିଦ୍ୟାଳୟ ଠାରୁ ୩/୪ କି.ମି. ଦୂରରେ ଏକ ପଡିଆରେ ଟଙ୍କା ଦେବାକୁ କହିଥରବା ବେଳେ ପୂର୍ବ ଯୋଜନା ଅନୁଯାୟୀ ଗଙ୍ଗାଧର ପ୍ରିନ୍ସିପାଲ କ୍ଷିତିଶ ବିଶ୍ୱାଳଙ୍କୁ ୪୦ ହଜାର ଟଙ୍କା ଦେବା ସମୟରେ ଭିଜିଲାନ୍ସ ପକ୍ଷରୁ କାବୁ କରାଯାଇ ଘଟଣାର ଅଧିକ ତଦନ୍ତ ଚାଲିଥିବା ଜଣାପଡିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଆଦର୍ଶ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍ ଦ୍ୱାରା ଶିକ୍ଷା ପ୍ରଦାନ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ରହିଥିବା ଆଦର୍ଶ ବିଦ୍ୟାଳୟଗୁଡ଼ିକ ଶିକ୍ଷାର ମାନ ବୃଦ୍ଧି ଏବଂ ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ଏବଂ ସ୍ୱଚ୍ଛତା ଦିଗରେ ଅଧିକ ଧ୍ୟାନ ଦିଆଯିବ। ଏଥି ସକାଶେ ଆଜି ଜିଲ୍ଲାପାଳ ସଦ୍‌ଭାବନା ସମ୍ମଳିନୀ କକ୍ଷରେ ଜିଲ୍ଲାରେ ରହିଥିବା ସମସ୍ତ ୨୨ ଗୋଟି ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ୧୪ ଗୋଟି ଅପ୍‌ଗ୍ରେଡ଼େସନ ହୋଇଥିବା ବିଦ୍ୟାଳୟ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ନିମନ୍ତେ କିଣାଯିବାକୁ ଥିବା ଆସବାବ ପତ୍ର ନେଇ କ୍ରୟ କରିବାକୁ ଥିବା କମିଟିଦ୍ୱାରା ଆଲୋଚନା ହୋଇଥିଲା।

ହାତୀଓଟ ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ଛାତ୍ରାବାସରେ ରହିବା ବ୍ୟବସ୍ଥା କରାଯାଇ ଶତକଡ଼ା ୯୦ ପ୍ରତିଶତ କୋଚିଂ ବ୍ୟବସ୍ଥା କରାଯିବ। ସମସ୍ତ ଆଦର୍ଶ ବିଦ୍ୟାଳୟଗୁଡ଼ିକରେ କମ୍ପ୍ୟୁଟର ପ୍ରୋଜେକ୍ଟର ସ୍ଥାପନ କରି ସ୍ମାର୍ଟ କ୍ଲାସ ପ୍ରସ୍ତୁତ ହେବ। ବିଦ୍ୟାଳୟଗୁଡ଼ିକର ପାଠ୍ୟକ୍ରମ ଖସଡ଼ା ପ୍ରସ୍ତୁତ ହୋଉ ଉନ୍ନତମାନର ଶିକ୍ଷା ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା। ଉପସ୍ଥିତ ଅଧିକ୍ଷକଗଣ ନିଜ ନିଜ ବିଦ୍ୟାଳୟରେ ରହିଥିବା ସମସ୍ୟାମାନ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ବୈଠକରେ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏସ୍‌ଏସ୍ ମିଶ୍ର, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତାପନ କୁମାର ପାଣିଗ୍ରାହୀ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଗଂଜାମ-୧ ଅରୁଣ ଶତପଥୀ, ଯନ୍ତ୍ରୀ ସରୋଜ କୁମାର କର, କର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ମହାପାତ୍ର, ସହକାରୀ ଯନ୍ତ୍ରୀ ଲଡ଼ୁକିଶୋର ମିଶ୍ର ଏବଂ ସମସ୍ତ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଗଣ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ସିବିଏସିଇ ଦଶମ ପରୀକ୍ଷା ଫଳ: ରାଜପୁର (ରାଗପୁର) ଆଦର୍ଶ ବିଦ୍ୟାଳୟର ୧୦୦% ଫଳାଫଳ, ସଂନ୍ଧ୍ୟା ପ୍ରିୟଦର୍ଶିନୀ ପଟ୍ଟନାୟକ ଟପର୍

ପିଣ୍ଟୁ ବିଷୋୟୀ

ବେଗୁନିଆପଡା: ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ତେବେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ରାଜପୁର (ରାଗପୁର) ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଶତ ପ୍ରତିଶତ ସଫଳତା ହାସଲ କରିଛି। ବିଦ୍ୟାଳୟର ମୋଟ ୫୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୫୦ ଜଣ ୬୦ ପ୍ରତିଶତରୁ ଅଧିକ ମାର୍କ ଏବଂ ୮ ଜଣ ପରୀକ୍ଷାର୍ଥୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି। ସେହିପରି ୪ ଜଣ ୫୩ ପ୍ରତିଶତରୁ ୬୦ ପ୍ରତିଶତ ମଧ୍ୟରେ ମାର୍କ ରଖିଛନ୍ତି।

ସଂନ୍ଧ୍ୟା ପ୍ରିୟଦର୍ଶିନୀ ପଟ୍ଟନାୟକ ୯୭.୦୨ ପ୍ରତିଶତ ମାର୍କ ରଖି ବିଦ୍ୟାଳୟର ଟପର୍ ହୋଇଥିବା ବେଳେ ଦ୍ଵିତୀୟ ସ୍ଥାନରେ ଦୀପିକା ସାମନ୍ତରାୟ ୯୪. ୦୮ପ୍ରତିଶତ ମାର୍କ ରଖିଛନ୍ତି। ରାଧାକାନ୍ତ ବେହେରା ୯୪ ପ୍ରତିଶତ ମାର୍କ ରଖି ତୃତୀୟ ସ୍ଥାନରେ ଅଛନ୍ତି। ଚଳିତ ବର୍ଷ ବିଦ୍ୟାଳୟର ଶତ ପ୍ରତିଶତ ଫଳାଫଳ ହୋଇଥିବା ଯୋଗୁଁ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଏ. ମିରାରାଣୀ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଇଛନ୍ତି।