ଆଦର୍ଶ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍ ଦ୍ୱାରା ଶିକ୍ଷା ପ୍ରଦାନ

Published: Dec 3, 2020, 9:28 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ରହିଥିବା ଆଦର୍ଶ ବିଦ୍ୟାଳୟଗୁଡ଼ିକ ଶିକ୍ଷାର ମାନ ବୃଦ୍ଧି ଏବଂ ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ଏବଂ ସ୍ୱଚ୍ଛତା ଦିଗରେ ଅଧିକ ଧ୍ୟାନ ଦିଆଯିବ। ଏଥି ସକାଶେ ଆଜି ଜିଲ୍ଲାପାଳ ସଦ୍‌ଭାବନା ସମ୍ମଳିନୀ କକ୍ଷରେ ଜିଲ୍ଲାରେ ରହିଥିବା ସମସ୍ତ ୨୨ ଗୋଟି ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ୧୪ ଗୋଟି ଅପ୍‌ଗ୍ରେଡ଼େସନ ହୋଇଥିବା ବିଦ୍ୟାଳୟ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ନିମନ୍ତେ କିଣାଯିବାକୁ ଥିବା ଆସବାବ ପତ୍ର ନେଇ କ୍ରୟ କରିବାକୁ ଥିବା କମିଟିଦ୍ୱାରା ଆଲୋଚନା ହୋଇଥିଲା।

ହାତୀଓଟ ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ଛାତ୍ରାବାସରେ ରହିବା ବ୍ୟବସ୍ଥା କରାଯାଇ ଶତକଡ଼ା ୯୦ ପ୍ରତିଶତ କୋଚିଂ ବ୍ୟବସ୍ଥା କରାଯିବ। ସମସ୍ତ ଆଦର୍ଶ ବିଦ୍ୟାଳୟଗୁଡ଼ିକରେ କମ୍ପ୍ୟୁଟର ପ୍ରୋଜେକ୍ଟର ସ୍ଥାପନ କରି ସ୍ମାର୍ଟ କ୍ଲାସ ପ୍ରସ୍ତୁତ ହେବ। ବିଦ୍ୟାଳୟଗୁଡ଼ିକର ପାଠ୍ୟକ୍ରମ ଖସଡ଼ା ପ୍ରସ୍ତୁତ ହୋଉ ଉନ୍ନତମାନର ଶିକ୍ଷା ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା। ଉପସ୍ଥିତ ଅଧିକ୍ଷକଗଣ ନିଜ ନିଜ ବିଦ୍ୟାଳୟରେ ରହିଥିବା ସମସ୍ୟାମାନ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ବୈଠକରେ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏସ୍‌ଏସ୍ ମିଶ୍ର, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତାପନ କୁମାର ପାଣିଗ୍ରାହୀ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଗଂଜାମ-୧ ଅରୁଣ ଶତପଥୀ, ଯନ୍ତ୍ରୀ ସରୋଜ କୁମାର କର, କର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ମହାପାତ୍ର, ସହକାରୀ ଯନ୍ତ୍ରୀ ଲଡ଼ୁକିଶୋର ମିଶ୍ର ଏବଂ ସମସ୍ତ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଗଣ ଉପସ୍ଥିତ ଥିଲେ।

Related posts