Categories
ଆଜିର ଖବର ଜାତୀୟ ଖବର

ଏକଦା ଅଣଦେଖାର ଶିକାର ହୋଇଥିବା ଜନଜାତି ସମାଜ ଆଜି ହେଉଛି ସଶକ୍ତ

ନୂଆଦିଲ୍ଲୀ: ସ୍ୱାଧୀନତା ପରବର୍ତ୍ତୀ ଭାରତରେ ଦୀର୍ଘ ଦଶନ୍ଧି ଧରି ଅବହେଳା, ଅଣଦେଖା ଏବଂ ଭେଦଭାବର ଶିକାର ହୋଇଥିବା ଜନଜାତି ସମାଜ ବିଗତ ୧୦ ବର୍ଷ ମଧ୍ୟରେ ସଶକ୍ତ ହୋଇଛି। ବର୍ତ୍ତମାନର କେନ୍ଦ୍ର ସରକାର ଜନଜାତି ବର୍ଗଙ୍କ ସାମାଜିକ-ଆର୍ଥିକ କଲ୍ୟାଣ ଓ ସଶକ୍ତିକରଣ ଦିଗରେ ସମର୍ପିତ ହୋଇ କାମ କରୁଛନ୍ତି।

୨୦୧୪ ପୂର୍ବରୁ ଭାରତର ଜନଜାତି ସମାଜ ଏକ କଠିନ ପରିସ୍ଥିତିର ସାମ୍ନା କରୁଥିଲା, କିନ୍ତୁ  ସେମାନଙ୍କ ସଂଘର୍ଷକୁ ଦେଶରେ ପ୍ରାୟତଃ ଅଣଦେଖା କରାଯାଉଥିଲା। ଅନେକ ଆଦିବାସୀ ଅଞ୍ଚଳରେ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଆର୍ଥିକ ସୁଯୋଗ ଭଳି ମୌଳିକ ସୁବିଧା ସର୍ବନିମ୍ନ ଅଛି କିମ୍ବା ଆଦୌ ନଥିଲା। କିନ୍ତୁ ୨୦୧୪ ପରଠାରୁ ଏ କ୍ଷେତ୍ରରେ ପରିବର୍ତ୍ତନ ଆସିଛି। ମୋଦୀ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କେବଳ ଆଦିବାସୀ ସମ୍ପ୍ରଦାୟର ଆବଶ୍ୟକତାକୁ ସ୍ୱୀକାର କରିନାହିଁ ବରଂ ସେମାନଙ୍କ କଲ୍ୟାଣକୁ ତତ୍ପରତାର ସହ ପ୍ରାଥମିକତା ଦେଇଛି। ଶିକ୍ଷା, ସ୍ୱାସ୍ଥ୍ୟସେବା ଠାରୁ ଆରମ୍ଭ କରି ଆର୍ଥିକ ସଶକ୍ତୀକରଣ ପର୍ଯ୍ୟନ୍ତ, ଏହି ସମ୍ପ୍ରଦାୟଗୁଡ଼ିକ ଏବେ ଯେଭଳି ସମର୍ଥନ ଓ ପୁଞ୍ଜିନିବେଶ ପାଉଛନ୍ତି, ସେଥିରୁ ସେମାନେ ଦୀର୍ଘଦିନ ଧରି ବଞ୍ଚିତ ରହିଥିଲେ।

ଶିକ୍ଷାକୁ ଉଦାହରଣ ସ୍ୱରୂପ ଦେଖିଲେ, ଏକଦା ଆଦିବାସୀ ପିଲାମାନେ ଗୁଣାତ୍ମକ ଶିକ୍ଷା ପାଇବାର ଆଶା କମ୍ ଥିଲା। ୨୦୧୪ ପୂର୍ବରୁ ଅଳ୍ପକିଛି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଥିଲା ଏବଂ ସେଥିରେ ଅଳ୍ପ ସମ୍ବଳ ଉପଲବ୍ଧ ଥିଲା । ମୋଦୀ ସରକାର ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିବାରୁ ଏହି ବିଦ୍ୟାଳୟଗୁଡ଼ିକର ସଂଖ୍ୟାରେ ଯଥେଷ୍ଟ ସମ୍ପ୍ରସାରଣ ହୋଇଛି। ଏବେ ୭୧୫ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ମଞ୍ଜୁର ହୋଇଥିବା ବେଳେ ୪୭୬ଟି କାର୍ଯ୍ୟକ୍ଷମ ହୋଇଛି। ଏଥିରେ ୧ ଲକ୍ଷ ୩୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଏହି ବିଦ୍ୟାଳୟଗୁଡ଼ିକରେ ଆଧୁନିକ ସୁବିଧା, ଡିଜିଟାଲ କ୍ଲାସରୁମ୍ ଏବଂ କ୍ରୀଡ଼ା ଭିତ୍ତିଭୂମି ରହିଛି, ଯାହା ଆଦିବାସୀ ପିଲାମାନଙ୍କୁ ସହରାଞ୍ଚଳ ପିଲାଙ୍କ ସହ ସମାନ ଶିକ୍ଷାଦାନ ସୁନିଶ୍ଚିତ କରୁଛି। ୧୭,୦୦୦ କୋଟି ଟଙ୍କାର ଛାତ୍ରବୃତ୍ତି ୩ କୋଟିରୁ ଅଧିକ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଅଧିକ ସଶକ୍ତ କରିଛି, ଯାହା ସେମାନଙ୍କୁ ଉଚ୍ଚଶିକ୍ଷା ଏବଂ ଉନ୍ନତ କ୍ୟାରିୟର ସୁଯୋଗ ପ୍ରଦାନ କରିଛି। ଏକଦା ଆଦିବାସୀ ଯୁବକମାନଙ୍କ ପାଇଁ ଯେଉଁ ରାସ୍ତା ବନ୍ଦ ମନେ ହେଉଥିଲା, ତାହା ଏବେ ବ୍ୟାପକ ଭାବେ ଖୋଲା ରହିଛି ଏବଂ ସେମାନେ ଏକ ସମ୍ଭାବନାରେ ପରିପୂର୍ଣ୍ଣ ଭବିଷ୍ୟତରେ ପାଦ ଥାପିଛନ୍ତି।

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କାହାଣୀ ମଧ୍ୟ କିଛି ଅଲଗା ନୁହେଁ। ୨୦୧୪ ପୂର୍ବରୁ ଜନଜାତି ସମାଜକୁ ସୀମିତ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ମିଳୁଥିଲା। ଏବେ ଆଦିବାସୀ ଅଞ୍ଚଳର ଦୁର୍ଗମ କୋଣଅନୁକୋଣରେ ଭ୍ରାମ୍ୟମାଣ ମେଡିକାଲ ୟୁନିଟ୍ ପହଞ୍ଚିବା ସହିତ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେଉଛି। ଏହାବ୍ୟତୀତ ଆଦିବାସୀ ଅଞ୍ଚଳରେ ୧.୫ କୋଟିରୁ ଅଧିକ ଶୌଚାଳୟ ନିର୍ମାଣ କରାଯାଇଛି, ପରିମଳ ବ୍ୟବସ୍ଥାରେ ଉନ୍ନତି ଘଟିଛି ଏବଂ ରୋଗ ସଂକ୍ରମଣ ହ୍ରାସ ପାଇଛି। ଆଦିବାସୀ ସମ୍ପ୍ରଦାୟର ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ପ୍ରାଥମିକତା ଦିଆଯାଉଛି, ଯାହା ସେମାନଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିଛି।

ଆଦିବାସୀ ସମାଜକୁ ବ୍ୟାପକ ଭାବେ ପ୍ରଭାବିତ କରୁଥିବା ସିକଲ୍ ସେଲ୍ ଏନିମିଆ ଦୂର କରିବା ପାଇଁ ଦେଶବ୍ୟାପୀ ପ୍ରୟାସ କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ପାଲଟିଛି। ୨୦୨୩ରେ ଆରମ୍ଭ ହୋଇଥିବା ଜାତୀୟ ସିକଲ ସେଲ ଆନିମିଆ ବିଲୋପ ମିଶନରେ ୨୦୪୭ ସୁଦ୍ଧା ଏହି ରୋଗକୁ ସମ୍ପୂର୍ଣ୍ଣ ରୂପେ ସମାପ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନସୁଦ୍ଧା ୪.୬ କୋଟିରୁ ଅଧିକ ଆଦିବାସୀ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି। ସେମାନଙ୍କର ରୋଗ ନିରୂପଣ ଓ ଚିକିତ୍ସା କରାଯାଉଛି ଯାହା କିଛି ବର୍ଷ ପୂର୍ବେ ଏକ ଦୁଃସ୍ୱପ୍ନ ପରି ମନେ ହେଉଥିଲା। ୭ କୋଟି ଲୋକଙ୍କୁ ଯାଞ୍ଚ, ପରାମର୍ଶ ଓ ଚିକିତ୍ସା ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି।

ଜଙ୍ଗଲ ଅଧିକାର ଆଇନକୁ  କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବା ଦ୍ୱାରା ଆଦିବାସୀଙ୍କ ଜମି ଅଧିକାରକୁ ସ୍ୱୀକୃତି ଓ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ୨୦୧୪ ପୂର୍ବରୁ ଆଦିବାସୀ ସମାଜର ଲୋକମାନେ ସେମାନଙ୍କ ଜମି ଉପରେ ସ୍ୱଳ୍ପ ଅଧିକାର ପାଇଥିଲେ ଏବଂ ସବୁବେଳେ ଜବରଦଖଲ ଓ ବିସ୍ଥାପିତ ହେବାର ଭୟରେ ରହୁଥିଲେ। ସେମାନଙ୍କ ଜମି ଉପରେ ଏହି ନିୟନ୍ତ୍ରଣର ଅଭାବ ଦାରିଦ୍ର୍ୟ ଓ ସଂସ୍କୃତି ହରାଇବାର ଚକ୍ରକୁ ବଜାୟ ରଖିଥିଲା। କିନ୍ତୁ ମୋଦୀ ସରକାରଙ୍କ ଅମଳରେ ଏକ ଐତିହାସିକ ପରିବର୍ତ୍ତନ ଘଟିଛି। ଜଙ୍ଗଲ ଅଧିକାର ଆଇନକୁ ସକ୍ରିୟ ଭାବେ କାର୍ଯ୍ୟକାରୀ କରାଯାଇଛି, ଯାହାଫଳରେ ୧.୯ କୋଟି ଏକରରୁ ଅଧିକ ଅଞ୍ଚଳରେ ଆଦିବାସୀ ପରିବାରମାନଙ୍କୁ ୨୩ ଲକ୍ଷରୁ ଅଧିକ ଜମି ମାଲିକାନା ପ୍ରଦାନ କରାଯାଇଛି। ଏହି ଐତିହାସିକ ପଦକ୍ଷେପ ଆଦିବାସୀମାନଙ୍କୁ ସେମାନଙ୍କ ଜମିଚାଷ କରିବା, ପାରମ୍ପରିକ ଜୀବିକା ପାଳନ କରିବା ଏବଂ ବିସ୍ଥାପିତ ହେବାର ଭୟ ନ କରି ସେମାନଙ୍କ ପୈତୃକ ଐତିହ୍ୟକୁ ସୁରକ୍ଷିତ ରଖିବା ପାଇଁ ସଶକ୍ତ କରିଛି।

ଆର୍ଥିକ ସଶକ୍ତୀକରଣ ହେଉଛି ଅନ୍ୟ ଏକ କ୍ଷେତ୍ର ଯେଉଁଠାରେ ପରିବର୍ତ୍ତନ ଗଭୀର ହୋଇଛି। ୨୦୧୪ ପୂର୍ବରୁ ଆଦିବାସୀ ସମ୍ପ୍ରଦାୟ ନିଜର ଜୀବିକା ପାଇଁ ଜଙ୍ଗଲ ସମ୍ପଦ ଉପରେ ନିର୍ଭର କରୁଥିଲେ କିନ୍ତୁ ଏହି ସମ୍ବଳଗୁଡ଼ିକୁ ପ୍ରଭାବଶାଳୀ ଭାବରେ ଉପଯୋଗ କରିବା ପାଇଁ ସେମାନଙ୍କ ପାଖରେ ସହାୟତା କିମ୍ବା ଉପାୟର ଅଭାବ ଥିଲା। ଆଜି ଜାତୀୟ ବାଉଁଶ ମିଶନ ଭଳି ପଦକ୍ଷେପ ଆଦିବାସୀଙ୍କ ଆର୍ଥିକ ଦୃଶ୍ୟପଟ୍ଟକୁ ନୂଆ ରୂପ ଦେଇଛି। ବାଉଁଶକୁ ଗଛ ଭାବରେ ବର୍ଗୀକରଣ କରି ସରକାର ଆଦିବାସୀ ପରିବାରମାନଙ୍କ ପାଇଁ ବାଉଁଶ ଅମଳ, ପ୍ରକ୍ରିୟାକରଣ ଏବଂ ବିକ୍ରୟ ପାଇଁ ନୂତନ ବାଟ ଖୋଲିଥିଲେ, ଯାହା ସେମାନଙ୍କୁ ରୋଜଗାରର ଏକ ସ୍ଥାୟୀ ଉତ୍ସ ପ୍ରଦାନ କରିଛି। ବନ ଧନ ବିକାଶ କେନ୍ଦ୍ର (ଭିଡିଭିକେ) ମଧ୍ୟ ୪୫ ଲକ୍ଷରୁ ଅଧିକ ଆଦିବାସୀ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିଛି, ଯାହାକି ଜଙ୍ଗଲ ଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଏବଂ ସେମାନଙ୍କ ଆୟ ବୃଦ୍ଧି କରିବାରେ ସାହାଯ୍ୟ କରିଛି। ପିଏମ-କିଷାନ ଅଧୀନରେ ପ୍ରାୟ ୧.୨ କୋଟି ଆଦିବାସୀ କୃଷକମାନେ ବର୍ତ୍ତମାନ ପ୍ରତ୍ୟକ୍ଷ ଆର୍ଥିକ ସହାୟତା ପାଉଛନ୍ତି, ଯାହା ସେମାନଙ୍କୁ କୃଷିରେ ପୁଞ୍ଜିନିବେଶ ଏବଂ ଉତ୍ପାଦକତାରେ ଉନ୍ନତି ଆଣିବା ପାଇଁ ସଶକ୍ତ କରୁଛି । ଏହି ପଦକ୍ଷେପ କେବଳ ଆଦିବାସୀ ଅର୍ଥବ୍ୟବସ୍ଥାକୁ ପରିବର୍ତ୍ତନ କରୁନାହିଁ; ସେମାନେ ଆତ୍ମନିର୍ଭରଶୀଳତା ଏବଂ ଦୀର୍ଘମିଆଦୀ ସମୃଦ୍ଧିର ମୂଳଦୁଆ ପକାଇଛନ୍ତି।

ଭିତ୍ତିଭୂମି ଦୃଷ୍ଟିରୁ, ବିଶେଷ କରି ନକ୍ସଲ ପ୍ରଭାବିତ ଅଞ୍ଚଳରେ ଆଦିବାସୀ ସମ୍ପ୍ରଦାୟ ଦୀର୍ଘ ଦିନ ଧରି ବିଚ୍ଛିନ୍ନ ହୋଇ ରହିଥିଲେ। ଦୁର୍ବଳ ସଡ଼କ ଯୋଗାଯୋଗ, ବିଶୁଦ୍ଧ ଜଳର ଅଭାବ ଏବଂ ଖରାପ ପରିବହନ ବ୍ୟବସ୍ଥା ସେମାନଙ୍କ ପାଇଁ ଦୈନନ୍ଦିନର ସଂଘର୍ଷ ଥିଲା। କିନ୍ତୁ ୨୦୧୪ ମସିହାରୁ ଏହି ଦୁର୍ଗମ ଅଞ୍ଚଳଗୁଡ଼ିକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବ୍ୟାପକ ପ୍ରୟାସ ଚାଲିଛି। ହଜାର ହଜାର କିଲୋମିଟର ରାସ୍ତା ନିର୍ମାଣ କରାଯାଇଛି, ଆଦିବାସୀ ଗାଁଗୁଡ଼ିକୁ ସହରାଞ୍ଚଳ ସହ ସଂଯୋଗ କରାଯାଇଛି ଏବଂ ଶିକ୍ଷା, ସ୍ୱାସ୍ଥ୍ୟ ସେବା ଓ ବାଣିଜ୍ୟ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇଛି। ଭିତ୍ତିଭୂମି ଉପରେ ସରକାର ଗୁରୁତ୍ୱ ଦେବା ଦ୍ୱାରା ଦଶନ୍ଧି ଧରି ରହିଥିବା ବ୍ୟବଧାନ ଦୂର ହୋଇଛି ଏବଂ ଆଦିବାସୀ ସମ୍ପ୍ରଦାୟ ସେମାନଙ୍କ ଆଖପାଖ ଦୁନିଆରୁ ଆଉ ବିଚ୍ଛିନ୍ନ ହେବେ ନାହିଁ।

ସାଂସ୍କୃତିକ ସ୍ୱୀକୃତି କ୍ଷେତ୍ରରେ ଆଦିବାସୀ ସମ୍ପ୍ରଦାୟରେ ବୋଧହୁଏ ସବୁଠୁ ସ୍ୱାଗତଯୋଗ୍ୟ ପରିବର୍ତ୍ତନ ଆସିଛି। ବର୍ଷ ବର୍ଷ ଧରି ଆଦିବାସୀ ବୀରମାନଙ୍କ ଅବଦାନ ଓ ବଳିଦାନକୁ ବହୁମାତ୍ରାରେ ଭୁଲି ଯାଉଥିଲେ। କିନ୍ତୁ ଏବେ ମୋଦୀ ସରକାରଙ୍କ ଅମଳରେ ଏହି ଅନାଲୋଚିତ ସଂଗ୍ରାମୀମାନଙ୍କୁ ସମ୍ମାନିତ କରିବା ପାଇଁ ବ୍ୟାପକ ପ୍ରୟାସ ଆରମ୍ଭ ହୋଇଛି। ଭାରତର ସ୍ୱାଧୀନତା ସଂଗ୍ରାମରେ ମହାନ ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କ ଅତୁଳନୀୟ ଅବଦାନ ଓ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ ଜୟନ୍ତୀକୁ ବର୍ତ୍ତମାନ ଜନ ଜାତୀୟ ଗୌରବ ଦିବସ ଭାବରେ ପାଳନ କରାଯାଉଛି। ହବିବଗଞ୍ଜ ଭଳି ରେଳ ଷ୍ଟେସନର ନାମ ରାଣୀ କମଳାପତି ରେଳ ଷ୍ଟେସନ ରୂପେ ନାମିତ କରିବା ଏବଂ ଦେଶବ୍ୟାପୀ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ନିର୍ମାଣ ମଧ୍ୟ ଜନଜାତି ନାୟକମାନଙ୍କୁ ଯୋଗ୍ୟ ମାନ୍ୟତା ପ୍ରଦାନ କରିଛି।

ଭାରତର ଜନଜାତି ସମାଜ ଅବହେଳାରୁ ସଶକ୍ତୀକରଣ ଦିଗରେ ଗତି କରିବା କେବଳ ଏକ ପ୍ରତିଶ୍ରୁତି ନୁହେଁ- ଏହା ପ୍ରତିଦିନ ସରକାରୀ ନୀତି ଏବଂ ପଦକ୍ଷେପ ମାଧ୍ୟମରେ ଆକାର ନେଉଥିବା ଏକ ବାସ୍ତବତା। ଏକଦା ଆଦିବାସୀ ସମ୍ପ୍ରଦାୟର ଜୀବନରେ ସଂଘର୍ଷର ଯେଉଁ ପ୍ରାଧାନ୍ୟ ରହିଥିଲା, ତାହା ଏବେ ତତ୍ପରତା ଓ ଗୁରୁତ୍ୱ ଦିଆଯାଇ ସମାଧାନ କରାଯାଉଛି। ଏହାର ପରିଣାମ ସ୍ୱରୂପ ଭାରତର ଆଦିବାସୀ ଜନସଂଖ୍ୟା ପାଇଁ ଏକ ଉଜ୍ଜ୍ୱଳ ତଥା ଅଧିକ ସମାବେଶୀ ଭବିଷ୍ୟତ ପାଇଁ ପଥ ପ୍ରଶସ୍ତ କରୁଛି।

Categories
ଆଞ୍ଚଳିକ

ବାଣପୁର: ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ବ୍ଲକ ସମ୍ମୁଖରେ ଆନ୍ଦୋଳନ କଲେ ଶତାଧିକ ଆଦିବାସୀ

ବାଣପୁର (ସୀତାରାମ ଅଗ୍ରୱାଲ): ଚାଷୀମୁଲିଆ ସଙ୍ଘ, ଓଡିଶା ଅଲ ଇଣ୍ଡିଆ କ୍ଷେତ ମଜଦୁର କିଷାନ ସଭା ତରଫରୁ ଦାମିଆ ବରବରା ନୀଳାଦ୍ରି ପ୍ରସାଦ ପଞ୍ଚାୟତ ଆଞ୍ଚଳିକ କମିଟି ପକ୍ଷରୁ ରାଜ୍ୟ ସଂଯୋଜକ ନୀଳାମ୍ବର ନାୟକ, ନିରଞ୍ଜନ ଶବର ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଆଦିବାସୀ ପୁରୁଷ ଓ ମହିଳା ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ବ୍ଲକ ସମ୍ମୁଖରେ ରାସ୍ତା ନିର୍ମାଣ ଦାବିରେ ଆନ୍ଦୋଳନ କରିଥିଲେ। ନୀଳାଦ୍ରି ପ୍ରସାଦ ପଞ୍ଚାୟତ ଏକ ଆଦିବାସୀ ବହୁଳ ଅଞ୍ଚଳ ଭାବେ ପରିଚିତ ଥିବାବେଳେ ସ୍ୱାଧୀନତାର ଦୀର୍ଘ ୭୬ବର୍ଷ ପରେ ମଧ୍ୟ ପଞ୍ଚାୟତର ବହୁ ଗ୍ରାମକୁ ପକ୍କା ରାସ୍ତା ଖଣ୍ଡିଏ ନଥିବାରୁ ପଞ୍ଚାୟତର ୬ ଓ ୭ନମ୍ବର ୱାର୍ଡର ମଶାଣି ସାହି, ବରକୋଳି, ଚନ୍ଦ୍ରମା, କରଞ୍ଜ ପଲ୍ଲୀ, କଳାପାଟ ସମେତ ୧୦ଖଣ୍ଡ ଗ୍ରାମର ଆଦିବାସୀ ଧାରଣା ସ୍ଥଳରେ ଲାଲ ସଲାମ ସ୍ଲୋଗନ ଦେବା ସହ ଆନ୍ଦୋଳନକାରି ମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜନ କରିଥିଲେ।

ସେମାନଙ୍କ ଦାବୀ ମୁତାବକ ସରକାର ଆଦିବାସୀ ମାନଙ୍କ ପାଇଁ ବିଭିନ୍ନ କରୁଥିବା ଯୋଜନା ଦ୍ୱାରା କେବଳ ପୁଞ୍ଜିପତି ମାନେ ଉପକୃତ ହେଉଛନ୍ତି। ରାଜ୍ୟର ବିକାଶ ହୋଇଛି ବୋଲି ସରକାର କହୁଥିବା ବେଳେ ଆଦିବାସୀ ମାନଙ୍କ ଜୀବନ ଧାରଣ ପାଇଁ ରାସ୍ତା ଭଳି ମୌଳିକ ସମସ୍ୟା ଆଜି ପର୍ଯ୍ୟନ୍ତ ଦୂର ହୋଇପାରିଲା ନାହିଁ। ଯାହାଫଳରେ ଆମ ଦଶ ଖଣ୍ଡ ଗ୍ରାମର ଗର୍ଭବତୀ ମହିଳା ଓ ରୋଗୀମାନଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ପହଂଚି ପାରୁ ନାହିଁ। ଛାତ୍ରଛାତ୍ରୀ ମାନେ ସ୍କୁଲ ଯିବାକୁ ଅସୁବିଧା ହେଉଛି।

ଉକ୍ତ ଘଟଣାକୁ ଆଜି ଆମେ ଦାବିପତ୍ର ମାଧ୍ୟମରେ ତୁରନ୍ତ ସମାଧାନ କରିବାକୁ ନିବେଦନ କରୁଛୁ। ଯଦି ଏହାର ସମାଧାନ କରାନଯାଏ ଆଗାମୀ ଦିନରେ ହଜାର ହଜାର ସଂଖ୍ୟାରେ ଆଦିବାସୀ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି। ସଙ୍ଘ ତରଫରୁ ଦିଆଯାଇଥିବା ଦାବିପତ୍ରକୁ ବିଡ଼ିଓଙ୍କ ଅନୁପସ୍ଥିତରେ ମୁଖ୍ୟ କିରାଣୀ ପ୍ରଦୀପ କୁମାର ସର୍ଦାର ଗ୍ରହଣ କରି ଉପରିସ୍ଥ ଅଧିକାରୀଙ୍କୁ ତୁରନ୍ତ ଅବଗତ କରାଯିବ ବୋଲି କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଡ୍ରୋନ୍‌ ପ୍ରୟୋଗ ଦ୍ୱାରା କୃଷି କ୍ଷେତ୍ରରେ ଆସୁଛି ଯୁଗାନ୍ତକାରୀ ପରିବର୍ତ୍ତନ

ନୂଆଦିଲ୍ଲୀ: ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି କୃଷି କ୍ଷେତ୍ରର ବିକାଶ ଏବଂ କୃଷକଙ୍କ ସଶକ୍ତିକରଣ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡ୍ରୋନ୍‌ ପ୍ରଯୁକ୍ତିର ବହୁଳ ବ୍ୟବହାର ଉପରେ ଗୁରୁତ୍ୱାରୋପ କରି ଆସୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜାତୀୟ ଡ୍ରୋନ୍‌ ମିଶନର ଶୁଭାରମ୍ଭ କରାଯିବା ସହିତ କୃଷି କ୍ଷେତ୍ରରେ ଡ୍ରୋନର ବହୁଳ ବ୍ୟବହାର ପାଇଁ ସରକାର ସବସିଡି ମଧ୍ୟ ଯୋଗାଇ ଦେଉଛନ୍ତି। ଡ୍ରୋନ୍‌ ଜରିଆରେ ଚାଷ ଜମିରେ କୀଟନାଶକ ସିଞ୍ଚନ କରିବା ଏବେ ସହଜ ହୋଇଥିବାରୁ ଚାଷୀଙ୍କ ପରିଶ୍ରମ କମିଛି ଏବଂ ସେମାନଙ୍କୁ ଅଧିକ ଲାଭ ମିଳିପାରୁଛି। ଏହି ଆଧୁନିକ ଜ୍ଞାନକୌଶଳ କୃଷି କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛି।

ଏହି କ୍ରମରେ ସମ୍ପ୍ରତି ଜାରି ରହିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନ୍ତର୍ଗତ କୃଷି କ୍ଷେତ୍ରରେ ଡ୍ରୋନର ବ୍ୟବହାର କିଭଳି କରାଯାଇପାରିବ ସେ ସମ୍ପର୍କରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସଚେତନତା ପ୍ରଦର୍ଶନୀମାନ ଆୟୋଜନ କରାଯାଇଛି। ରାଜ୍ୟର ୭ଟି ଆଦିବାସୀ ବହୁଳ ଜିଲ୍ଲାରେ ମୋଟ୍‌ ୬୦ ରୁ ଊର୍ଦ୍ଧ୍ବ ଡ୍ରୋନ୍‌ ବ୍ୟବହାର ପ୍ରଦର୍ଶନୀ ଆୟୋଜନ କରାଯାଇଛି। ଏଥିରେ ହଜାର ହଜାର ଚାଷୀ ଭାଗ ନେଇ ଡ୍ରୋନ୍‌ ବ୍ୟବହାର କୌଶଳ ଶିଖିଛନ୍ତି।  ମୟୂରଭଞ୍ଜ ଜିଲ୍ଲାର ବାରିପଦା ସମେତ କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାରେ ଚାଷ ଜମିରେ ଡ୍ରୋନ୍‌ ପ୍ରୟୋଗ କରି କୀଟନାଶକ ସିଞ୍ଚନ ପ୍ରଦର୍ଶନ କରାଯାଇଥିଲା।

ଫର୍ଟିଲାଇଜର୍ସ ଏଣ୍ଡ କେମିକାଲ୍ସ ଟ୍ରାଭାଙ୍କୋର୍‌ ଲିମିଟେଡ୍‌ (ଏଫଏସିଟି) ପକ୍ଷରୁ ଡ୍ରୋନ୍‌ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ବିଶେଷଜ୍ଞମାନେ ଡ୍ରୋନରେ କୀଟନାଶକ ସିଞ୍ଚନ ଉପକରଣ ଲଗାଇ ଚାଷୀଙ୍କୁ ଫସଲରେ କୀଟନାଶକ ପ୍ରୟୋଗ ଶିଖାଇ ଦେଇଥିଲେ। ଚାଷୀମାନେ ଏସବୁ ଡ୍ରୋନ୍‌ କିଣିବାକୁ ଚାହିଁଲେ କେନ୍ଦ୍ର ସରକାର ସବସିଡି ବ୍ୟବସ୍ଥା ମଧ୍ୟ କରିଛନ୍ତି। ଡ୍ରୋନ୍‌ ବ୍ୟବହାର ପାଇଁ ଚାଷୀଙ୍କୁ ପ୍ରଶିକ୍ଷଣ ବ୍ୟବସ୍ଥା ମଧ୍ୟ ରହିଛି ବୋଲି ଏହି ଅବସରରେ ସୂଚନା ଦିଆଯାଇଥିଲା।

ସୂଚନାଯୋଗ୍ୟ ହାତରେ କୀଟନାଶକ ସିଞ୍ଚନ କରିବା ଦ୍ୱାରା ଚାଷୀଙ୍କ ଶରୀର ଉପରେ କୁପ୍ରଭାବ ପଡ଼ିବାର ଆଶଙ୍କା ରହିଛି। କିନ୍ତୁ ଡ୍ରୋନ୍‌ ବ୍ୟବହାର ଦ୍ୱାରା ଚାଷୀମାନେ ଚାଷ ଜମି ଭିତରକୁ ପ୍ରବେଶ ନକରି ସାର ଓ କୀଟନାଶକ ପ୍ରୟୋଗ କରିପାରିବେ ଓ ଏହାଦ୍ୱାରା ସେମାନଙ୍କ ଶରୀର ଉପରେ କୌଣସି ପ୍ରତିକୂଳ ପ୍ରଭାବ ମଧ୍ୟ ପଡ଼ିବ ନାହିଁ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଏଣିକି ଆଦିବାସୀମାନେ ନିଜ ଜମି ସାଧାରଣ ଲୋକଙ୍କୁ ବିକ୍ରି କରିପାରିବେ, ମିଳିଲା କ୍ୟାବିନେଟ ମଂଜୁରୀ

ଭୁବନେଶ୍ବର: ରାଜ୍ୟ ସରକାର ଆଦିବାସୀଙ୍କ ଜମି ବିକ୍ରି ଉପରେ ଏକ ବଡ ପରିବର୍ତ୍ତନ ଆଣୁଛନ୍ତି। ଫଳରେ ବହୁ ପୁରୁଣା ସମୟରୁ ଯେଉଁ ନିୟମ ରହିଥିଲା ସେଥିରେ ପରିବର୍ତ୍ତନ ହେବ। ପୁରୁଣା ନିୟମ ଅନୁସାରେ କୌଣସି ଅନୁସୂଚିତ ଜନଜାତି ସେମାନଙ୍କ ଜମିକୁ ଉଚ୍ଚ ବର୍ଗର ଲୋକଙ୍କୁ ବିକ୍ରି କରିପାରିବେ ନାହିଁ। ଏହାଦ୍ବାରା ବହୁ ଆଦିବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସେଥିପାଇଁ ରାଜ୍ୟ ସରକାର ଅନୁସୂଚିତ ଜନଜାତି ଜମି ନିୟନ୍ତ୍ରଣ ଆଇନ ୧୯୬୫ କୁ ସଂଶୋଧନ କରିବେ। ଏହି ସଂଶୋଧନକୁ ଗତକାଲି ରାଜ୍ୟ କ୍ୟାବିନେଟରେ ଅନୁମୋଦନ ହୋଇଛି। ଏହି ଆଇନର ଧାରା ୨ କୁ ସଂଶୋଧନ କରାଯାଇଛି। ଏହା ଦ୍ବାରା ଅନୁସୂଚିତ ଜନଜାତିର ବର୍ଗ ଉଚ୍ଚ ବର୍ଗର ଲୋକଙ୍କୁ ଜମି ବିକ୍ରି, ଉପହାର, ବନ୍ଧକ, ବଦଳ କରିପାରିବେ। ଏପରିକି ଶିଳ୍ପ ପ୍ରତିଷ୍ଠା ପାଇଁ ସେମାନେ ଜମି ହସ୍ତାନ୍ତର କରିପାରିବେ।

ତେବେ ଏହି ସଂଶୋଧନରେ କୁହାଯାଇଛି ଯେ, ଯେଉଁ ବ୍ୟକ୍ତି ଜମି ବିକ୍ରି କରିବେ ସେ ପ୍ରଥମେ ଉପଜିଲ୍ଲାପାଳଙ୍କର ଅନୁମତି ହାସଲ କରିବାକୁ ପଡିବ। ସେ ଲିଖିତ ଭାବେ ଅନୁମତି ଦେବା ପରେ ତାହା ଉଚ୍ଚ ବର୍ଗକୁ ବିକ୍ରି କିମ୍ବା ବନ୍ଧକ ରଖିପାରିବେ। ତେବେ କୌଣସି କାରଣରୁ ଯଦି ଉପଜିଲ୍ଲାପାଳ ଏଥିରେ ଅନୁମତି ପ୍ରଦାନ ନ କରନ୍ତି ତେବେ ଛଅ ମାସ ମଧ୍ୟରେ ସେ ଜିଲ୍ଲାପାଳଙ୍କୁ ଆବେଦନ କରିପାରିବ। ଜିଲ୍ଲାପାଳ ଯାହା ନିଷ୍ପତି ନେବେ ତାହା ଚୁଡାନ୍ତ ନିଷ୍ପତି ହେବ ବୋଲି ଏହି ଆଇନରେ କୁହାଯାଇଛି।

ତେବେ ଏଥିରେ କେତେକ ବିଷୟରେ ଧ୍ୟାନ ଦେବା ପାଇଁ ଉଲ୍ଲେଖ କରାଯାଇଛି। ତାହା ହେଲା ଯେଉଁ ଆଦିବାସୀ ବ୍ୟକ୍ତି ଜମି ବିକ୍ରି କରିବେ ସେ ଯେପରି ଜମି ହୀନ ବା ବାସହୀନ ନ ହେବ ସେଥିରେ ଦୃଷ୍ଟି ରଖିବାକୁ କୁହାଯାଇଛି।

ପୂର୍ବରୁ ନିୟମ ରହିଥିଲା ଯେ, ଜଣେ ଅଦିବାସୀ ବ୍ୟକ୍ତି ତାହାର ସ୍ଥାବର ସଂପତ୍ତି କେବଳ ସେହି ଜାତିର ବ୍ୟକ୍ତିଙ୍କୁ ବିକ୍ରି କରିପାରିବେ। ଏହାପରେ ସେଥିରେ କିଛି ସଂଶୋଧନ କରାଯାଇ ଯେଉଁ ଆଦିବାସୀଙ୍କର ବିପୁଳ ସଂପତ୍ତି ଥିବ ସେ ଜମି ବିକ୍ରି କରିପାରିବ। ହେଲେ ଅନ୍ୟମାନେ ବିକ୍ରି କରିବାର କଟକଣ ରହିଥିଲା। ଏହି କଟକଣା ଯୋଗୁଁ ଅନେକ ଆଦିବାସୀ ସେମାନଙ୍କର ପିଲାଙ୍କ ପାଠପଢା କିମ୍ବା ଅନ୍ୟାନ୍ୟ ଜରୁରୀ କାମ ପାଇଁ ଜମି ଉଚ୍ଚ ବର୍ଗର ଲୋକଙ୍କୁ ବିକ୍ରି କରିପାରୁ ନ ଥିଲେ।

ଏହିପରି ଅସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ଜନଜାତି ପରାମର୍ଶଦାତା ପରିଷଦ ଏହାକୁ ସଂଶୋଧନ କରିବା ପାଇଁ ଦାବୀ କରି ଆସୁଥିଲା। ଯାହାକୁ ଗତକାଲି ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହାପରେ ବିଧାନସଭାରେ ଏହି ସଂଶୋଧନ ବିଲ ପାଶ ହେଲେ ତାହା କାର‌୍ୟ୍ୟକାରୀ ହେବ। ଏହି ଆଇନ ପାଶ ହେଲେ ବହୁ ଅନୁସୂଚିତ ଜନଜାତିର ଲୋକେ ବେଶ ଉପକୃତ ହୋଇପାରିବେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାର ୧୬୯ ଆଦିମ ଜନଜାତିଙ୍କୁ ମାନ୍ୟତା ପାଇଁ ରାଜ୍ୟସଭାରେ ଦାବୀ କଲେ ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ: ଓଡିଶାର ୧୬୯ଟି ଜନଜାତି ସଂପ୍ରଦାୟଙ୍କୁ ମାନ୍ୟତା ଦେବା ପାଇଁ ମଙ୍ଗଳବାର ଦିନ ରାଜ୍ୟସଭାରେ ଦାବୀ କରିଛନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର। ଛିତଶଗଡର ଜନଜାତି ସଂଶୋଧନ ବିଲ ପାଶକୁ ସମର୍ଥନ କରି ଡ ପାତ୍ର ଏହି ଦାବୀ କରିଛନ୍ତି। ବିଜେଡି ଏହି ବିଲକୁ ସଂପୂର୍ଣ୍ଣ ସମର୍ଥନ କରୁଛି, ହେଲେ ଦୀର୍ଘଦିନ ଧରି ଓଡିଶାର ଆଦିମ ଜନଜାତି ପ୍ରତି କେନ୍ଦ୍ର ସରକାର ଦୃଷ୍ଟି ଦିଅନ୍ତୁ ବୋଲି ସେ ଦାବୀ କରିଥିଲେ।

ଡ. ପାତ୍ର କହିଥିଲେ ଯେ, ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ସେ ବହୁବାର ଦାବୀ କରିଛନ୍ତି। ସେ ଏ ସଂକ୍ରାନ୍ତରେ ମଧ୍ୟ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। ହେଲେ ଏ ପର‌୍ୟ୍ୟନ୍ତ ତାହା କାର‌୍ୟ୍ୟକାରୀ ହୋଇପାରିଲା ନାହିଁ। ଅନ୍ୟପକ୍ଷରେ ହୋ ଏବଂ ମୁଣ୍ଡାରୀ ପରି କେତେକ ଜନଜାତି ଭାଷାକୁ ମଧ୍ୟ କେନ୍ଦ୍ର ସରକାର ମାନ୍ୟତା ପ୍ରଦାନ କରୁ ନାହିଁନ୍ତି। ଏଥି ପ୍ରତି ଜନଜାତି କଲ୍ୟାଣ ମନ୍ତ୍ରୀ ଧ୍ୟାନ ଦେବାକୁ ସେ ଅନୁରୋଧ କରିଥିଲେ।

ଏହି ବିଲକୁ ସମର୍ଥନ କରି ସେ ଜନଜାତି କଲ୍ୟାଣ ପାଇଁ କେତେକ ପ୍ରସ୍ତାବ ମଧ୍ୟ ଆଗତ କରିଥିଲେ। ସେ କହିଥିଲେ ଯେ, ଜନଜାତିର ମୁଖ୍ୟ ରୋଜଗାର ମାଧ୍ୟମ ହେଉଛି କେନ୍ଦୁପତ୍ର। ହେଲେ ଦୁଃଖର କଥା ଏହି କେନ୍ଦୁପତ୍ର ଉପରେ କେନ୍ଦ୍ର ସରକାର ୧୮ ପ୍ରତିଶତ ଜିଏସଟି ନେଉଛନ୍ତି। ଏହା ଜନଜାତି ମନ୍ତ୍ରଣାଳୟ ଅଧିନର ନ ଥିଲେ ମଧ୍ୟ ଏହି ଜିଏସଟି ଛାଡ କରିବା ପାଇଁ ମୁଁ ସଂସଦ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛି।

ସେହିପରି ଜନଜାତି କଲ୍ୟାଣ ପାଇଁ ଡ ପାତ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ମଧ୍ୟ ଗୃହରେ ଉଠାଇଥିଲେ। ସେ କହିଥିଲେ ଯେ, ଅନେକ ଜନଜାତୀ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି। ସେମାନଙ୍କ ପାଇଁ ଭଲ ଘରଟିଏ ମିଳିପାରୁ ନାହିଁ। ସେଥିପାଇଁ ଏହିମାନଙ୍କର ଉନ୍ନତି ପାଇଁ କେନ୍ଦ୍ର ସରକାର ଧ୍ୟାନ ଦେବେ ବୋଲି ସେ ଗୃହ ମଧ୍ୟରେ ଅନୁରୋଧ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଆରମ୍ଭ ହେବ ଆଦିବାସୀ ମେଳା, ରାଜଧାନୀରେ ଲୋକେ ଦେଖିବେ ବଣଜଙ୍ଗଲର ଗାଁ

ଭୁବନେଶ୍ବର: ଆସନ୍ତାକାଲିଠାରୁ ଭୁବନେଶ୍ବରରେ ଆରମ୍ଭ ହେବ ଆଦିବାସୀ ମେଳା।  ରାଜଧାନୀର ୟୁନିଟ-1 ରେ ଥିବା ଆଦିବାସୀ ପଡିଆରେ ଏହି ମେଳା କରାଯିବ। ସେଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି। ବିଭିନ୍ନ ଆଦିବାସୀ ଜିଲ୍ଲାରୁ ଆସିଥିବା ଆଦିବାସୀମାନେ ସେମାନଙ୍କର ଝାଟିମାଟି ଘର ଏହି ପଡିଆରେ ନିର୍ମାଣ କରିଛନ୍ତି।

ପ୍ରତିବର୍ଷ ଏହି ମେଳାର ଆୟୋଜନ ହୋଇଥାଏ। ହେଲେ ଗତ ଦୁଇ ବର୍ଷ ଧରି କୋରନା ପାଇଁ ଏହି ମେଳା ହୋଇପାରି ନ ଥିଲା। ତେବେ ଏଥର ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ଆଦିବାସୀ କଲ୍ୟାଣ ବିଭାଗ ତରଫରୁ ସବୁ ପ୍ରଚେଷ୍ଠା କରାଯାଇଛି।

ଏଥିରେ ଆଦିବାସୀଙ୍କ ଚାଲିଚଳନି, ବସବାସ ଏବଂ ଖାଦ୍ୟପେୟ ସବୁ କିଛି ପ୍ରଦର୍ଶିତ ହେବ। ଏପରିକି ଆଦିବାସୀଙ୍କ ଉତ୍ପାଦିତ ପଦାର୍ଥ ମଧ୍ୟ ଏଠାରେ ବିକ୍ରି କରାଯିବ।

Categories
ଆଞ୍ଚଳିକ

ବାଲୁଗାଁ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଆଦିବାସୀ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ବନଖଣ୍ଡ ଅଧିନସ୍ଥ ବାଲୁଗାଁ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଅପରାହ୍ନରୁ ଧାରଣାରତ ଅଛନ୍ତି ଦାମିଆ ବରବରା ଅଞ୍ଚଳର କିଛି ଆଦିବାସୀ ଗ୍ରାମବାସୀ। ସେମାନଙ୍କ ଅଭିଯୋଗ ହେଲା ଯେ, ବନବିଭାଗର କର୍ମଚାରୀ ମାନେ ଦାମିଆ ବରବରା ଅଞ୍ଚଳର ଦେବରାଜ ଶବର ନାମକ ବ୍ୟକ୍ତିଙ୍କୁ ଗତକାଲି ଠାରୁ ଅଟକ ରଖିଛନ୍ତି। ଉକ୍ତ ଅଟକ ବେଆଇନ ଏବଂ କଣ ପାଇଁ ତାଙ୍କୁ ଅଟକ ରଖାଯାଇଛି ବୋଲି ଦେବରାଜଙ୍କ ପତ୍ନୀ ସୁମତି ଶବର ବନବିଭାଗକୁ ପ୍ରଶ୍ନ କରିବା ସହ ତାଙ୍କ ସ୍ୱାମୀଙ୍କୁ ଯଥାଶୀଘ୍ର ଅଟକମୁକ୍ତ କରାଯାଉ ବୋଲି ଦାବି କରିଛନ୍ତି।

ତେବେ ଏ ନେଇ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତିଙ୍କୁ ଯୋଗାଯୋଗ କରାଯିବାରୁ ଦେବରାଜ ଚୁଲିଝିଙ୍କା ସରଂକ୍ଷିତ ଜଙ୍ଗଲ ଅଞ୍ଚଳରୁ ବେଆଇନ ଭାବେ କାଠ କାଟିବା ସହ ସରକାରୀ ଜଙ୍ଗଲ ଅବରୋଧ କରିଥିବାରୁ ତାଙ୍କୁ ଗିରଫ କରାଯାଇଛି ଏବଂ ବର୍ତ୍ତମାନ ଉକ୍ତ ପ୍ରକ୍ରିୟା ଜାରି ରହିଥିବାର କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଦିବାସୀ ବିଧବା ତପସ୍ୱିନୀର ଅକୁହା କାହାଣୀ: ପିଲାଙ୍କ ପାଠ ପଢା ପାଇଁ ଅର୍ଥ ସାଜିଛି ବାଧକ

କନ୍ଦର୍ପ ବେହେରା
ରେଢାଖୋଲ: ସରକାର ଆଦିବାସୀ ମାନଙ୍କର କଲ୍ୟାଣ ପାଇଁ କେତେ ଯେ ଯୋଜନା ପ୍ରଣୟନ କରିଛନ୍ତି ତାର ହିସାବ ନାହିଁ। ସରକାରୀ ଯୋଜନା ଥିଲେ ମଧ୍ୟ ଆଦିବାସୀମାନେ ଠିକ୍ ସମୟରେ ଏହାର ସୁଫଳ ପାଇବାରୁ ବଂଚିତ ହେଉଛନ୍ତି। ଧନିକ ଗୋଷ୍ଠି ହାତେଇ ନେଉଛନ୍ତି ସରକାରୀ ଯୋଜନା। ଯା’ ଫଳରେ ଗରୀବ ଆଦିବାସୀ ଅସହାୟ ପରିବାର ଏହି ଯୋଜନାରୁ ବଂଚିତ ହେଉଛନ୍ତି। କାହାରି ପାଖରେ ଗୁହାରି କରିବାକୁ ମଧ୍ୟ ସାହାସ କରିପାରୁ ନାହାନ୍ତି ଆଦିବାସୀମାନେ। ସରକାରଙ୍କ ଏହି ଯୋଜନା କଣ ପାଇଁ ଏବଂ କାହା ପାଇଁ କାର୍ଯ୍ୟକାରୀ କରାଯାଇଛି ତାହା ବଡ ପ୍ରଶ୍ନ ବାଚୀ ସୃଷ୍ଟି କରିଛି।

ସେମିତି ଜଣେ ଆଦିବାସୀ ମହିଳା ଅଛନ୍ତି ଯିଏକି ଗରୀବ ପରିବାରର। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ବଳମ୍ ପଂଚାୟତର ପିତାଳିପଡାରେ ବାସ କରନ୍ତି ତପସ୍ୱିନୀ ଧରୁଆ ନାମକ ବିଧବା ମହିଳା। ତାଙ୍କର ତିନୋଟି ଝିଅ ପ୍ରିୟା , ମୁକ୍ତିମୟୀ ଓ ଟିମ୍ପଲ। ସ୍ୱାମୀ ଦଧିଚି ଧରୁଆ ଗତ ୯ ଜାନୁଆରୀ ୨୦୨୨ ରେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କଲେ। ସ୍ୱାମୀର ମୃତ୍ୟୁ ପର ଠାରୁ ତପସ୍ୱିନୀ ଭାଙ୍ଗି ପଡିଥିଲେ। ୩ ଝିଅକୁ ପାଠ ପଢାଇବା ତଥା ବୃଦ୍ଧା ଶାଶୁକୁ ପାଳନ ପୋଷଣ କରିବାରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି ତପସ୍ୱିନୀ ଧରୁଆ। ତିନି ଝିଅକୁ ପାଠ ପଢାଇବା ପାଇଁ ଆଶା କରିଥିଲେ ମଧ୍ୟ ପାଠ ପଢାରେ ବାଧକ ସାଜିଛି ଅର୍ଥ। ଯା’ ଫଳରେ ପିଲାଙ୍କ ଭବିଷ୍ୟତକୁ ନେଇ ତପସ୍ୱିନୀ ସ୍ୱପ୍ନ ଦେଖୁଛନ୍ତି। ରୋଜଗାର ସ୍ୱାମୀର ମୃତ୍ୟୁ ପର ଠାରୁ ସେ ମୂଲ ମଜୁରି କରି ଏପରିକି ଏବେ ମହୁଲ ସଂଗ୍ରହ କରି ଯାହା ପଇସା ପତ୍ର ହେଲା ସେଥିରେ କଷ୍ଟେ ମଷ୍ଟେ ଚଳିଯାଉଛି ପରିବାର। ତଥାପି ଯାହା ରୋଜଗାର ହେଉଛି ପାଂଚ ପ୍ରାଣୀ କୁଟୁମ୍ବକୁ ଅଂଟୁନି।

ସରକାରଙ୍କ ବାସହରା ଯୋଜନାରେ ମଧ୍ୟ ସେ ସାମିଲ ହୋଇ ପାରି ନାହାନ୍ତି। ବଳମ୍ ପଂଚାୟତରେ ଥିବା ସରପଂଚ ଏ ଦିଗରେ ଧ୍ୟାନ ଦେବାକୁ ଦାନବୀ ହେଉଛୀ। ତପସ୍ୱିନୀ ଯୁକ୍ତ ଦୁଇ ଯାଏଁ ପାଠ ପଢିଛନ୍ତି। ଶିକ୍ଷିତ ହୋଇଥିବାରୁ ସେ ପିଲାମାନଙ୍କୁ ପାଠ ପଢାଉଛନ୍ତି ଘରେ। ଜମିବାଡି କି ଘର ଡିହ ନ ଥିବାରୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ତପସ୍ୱିନୀ ଧରୁଆ। ସରକାର ଏଭଳି ଗରୀବ ଆଦିବାସୀ ପରିବାରକୁ ଘର ଖଣ୍ଡିଏ ପ୍ରଦାନ କରିବାକୁ ତପସ୍ୱିନୀ ଦାବୀ କରିଛନ୍ତି। କୌଣସି ଅନୁଷ୍ଠାନ ଝିଅ ତିନୋଟିର ପାଠ ପଢାରେ ଆର୍ଥିକ ସାହାଯ୍ୟ କରିବାକୁ ଜିଲ୍ଲା ଆଦିବାସୀ ସଂଘର ସଦସ୍ୟ ରୋହିତ ଭୋଇ ଦାବୀ କରିଛନ୍ତି।

Categories
ଆଞ୍ଚଳିକ

ଆଦିବାସୀଙ୍କ ଜମି ସୁରକ୍ଷା ଆନ୍ଦୋଳନକୁ ପ୍ରଫୁଲ ଓ ନିରଞ୍ଜନଙ୍କ ଦୃଢ ସମର୍ଥନ

ଭୁବନେଶ୍ୱର : ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର ଆଦିବାସୀ ଲୋକମାନଙ୍କର ରାଜଭବନ ସମ୍ମୁଖରେ ନିଜର ଜମି ସୁରକ୍ଷା ପାଇଁ ଚାଲିଥିବା ଆନ୍ଦୋଳନ ଚତୁର୍ଥ ଦିନରେ ପହଚିଛି । ଏକ ବିଶାଳ ରାଲି ମାଷ୍ଟରକ୍ୟାଣ୍ଟିନ ଛକଠାରୁ ଆରମ୍ଭ ହୋଇ ଲୋୟର ପିଏମ୍‌ଜି, ବିଧାନସଭା ସମ୍ମୁଖ ପର୍ଯ୍ୟନ୍ତ ଯାଇଥିଲା ।

ଆଦିବାସୀଙ୍କ ନିଜର ଜମିର ସୁରକ୍ଷା ଏବଂ ହକ୍ ପାଇଁ ବିଶେଷକରି ଓସିଏଲ୍ କର୍ତ୍ତୃପକ୍ଷଙ୍କର ଜୋର ଜବରଦସ୍ତ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବିଶିଷ୍ଟ ସମାଜସେବୀ ତଥା ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟ ଉପସ୍ଥିତ ରହି ଆଦିବାସୀଙ୍କ ଆନ୍ଦୋଳନକୁ ଦୃଢ ସମର୍ଥନ କରି କମ୍ପାନୀ କର୍ତ୍ତୃପକ୍ଷଙ୍କ ବିରୋଧରେ ବିଶଦ୍‌ଗାର କରିଥିଲେ । ସେହିପରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ସବୁଦିନ ପାଇଁ ଆପଣମାନଙ୍କ ସାଥୀରେ ଅଛି ଏବଂ ଆପଣମାନଙ୍କ ସବୁ ସମସ୍ୟା ସମ୍ପର୍କରେ ମୁଁ ଜଡ଼ିତ ରହିବି, ସାହାଯ୍ୟ କରିବି ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଓସିଏଲ୍ ଚକ୍ରାନ୍ତରେ ଆଦିବାସୀ, ପୋଲିସ୍ ସାଜିଛି ହାତବାରିସୀ

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର ୫ଟି ପଞ୍ଚାୟତର ଆଦିବାସୀମାନେ ନିଜ ଜମିର ସୁରକ୍ଷା, ଓସିଏଲ୍ ନିର୍ଯ୍ୟାତନାରୁ ରକ୍ଷା ପାଇବା ଏବଂ ପୋଲିସ୍‌ର ଅତ୍ୟାଚାରରୁ ବର୍ତ୍ତିବା ପାଇଁ ମହାମହୀମ ରାଜ୍ୟପାଳଙ୍କୁ ଗୁହାରୀ କରିବାକୁ ଆସି ରାଜଭବନ ସମ୍ମୁଖରେ ଧାରଣା ଦେଇଛନ୍ତି। ଫୋରମ୍ ଫର୍ ଗ୍ରାମସଭା କମିଟି, ରାଜଗାଙ୍ଗପୁର ଅଧୀନରେ ଗ୍ରାମବାସୀମାନେ କୁକୁଡ଼ା, ଆଳନ୍ଦା, କେସ୍ରମାଲ, ଝାଗରପୁର ଓ ଖତଙ୍ଗ ଗ୍ରାମ ପଞ୍ଚାୟତର ଜମିଗୁଡ଼ିକ ସମ୍ବିଧାନର ପଞ୍ଚମ ସିଡ୍ୟୁଲ ଅଞ୍ଚଳ ମଧ୍ୟରେ ଆସୁଥିବାରୁ ଏହାର ବିଚାର ପାଇଁ ମହାମହୀମଙ୍କ ରାଜ୍ୟପାଳଙ୍କ ହସ୍ତକ୍ଷେପ ନିହାତି ଜରୁରୀ ବୋଲି ମନେ କରି ଆଦିବାସୀମାନେ ରାଜଭବନ ସମ୍ମୁଖରେ ନିଜର ହକ୍ ପାଇଁ ଧାରଣାରେ ବସିରହିହଛନ୍ତି।

ରାଜଗାଙ୍ଗପୁରର ବିଧାୟକ ଡଃ ସି.ଏସ୍‌. ରାଜନଏକ୍କାଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ ଆଦିବାସୀ ଆସି ସେମାନଙ୍କ ଜମିର ସୁରକ୍ଷା ପାଇଁ ଏକତ୍ରିତ ହୋଇଛନ୍ତି। ଏଠାରେ ଉଲ୍ଲେଖଥାଉକି, ଲାଞ୍ଜିବର୍ଣ୍ଣା ଖଣି ଅଞ୍ଚଳରେ ବହୁ ଆଦିବାସୀ ଚୂନପଥର ଏବଂ ଡ଼ୋଲମାଇଟ୍ ଖଣି ଯୋଗୁଁ ସେମାନଙ୍କ ଜମି ହରାଇଥିବାରୁ ସେମାନେ ନୂଆ ଜମି ପାଇବା ପାଇଁ ସରକାରଙ୍କୁ ଆବେଦନ କରିଥିଲେ ମଧ୍ୟ ସରକାର ସେମାନଙ୍କୁ ଥଇଥାନ ପାଇଁ କୌଣସି ଜମି ପ୍ରଦାନ କରିନାହାଁନ୍ତି।

ଅପରପକ୍ଷରେ ଆଦିବାସୀମାନଙ୍କର ନିଜର ଜମିଗୁଡ଼ିକୁ ଓସିଏଲ୍ କମ୍ପାନୀ ଜୋର ଜବରଦସ୍ତ ଲୋକଙ୍କ ଜାଲ ଦସ୍ତଖତ ବଳରେ ଗ୍ରାମସଭାର ଅନୁମୋଦନ ପାଇଛି ବୋଲି କହି ଜମି ଅଧିଗ୍ରହଣ ପାଇଁ ଚେଷ୍ଟା ଜାରି ରଖିଥିବା ବେଳେ ସ୍ଥାନୀୟ ପୋଲିସ୍ ମାତ୍ରାଧିକ ବଳପ୍ରୟୋଗ ଯୋଗୁଁ ଆଦିବାସୀମାନେ ଘୋର ଅଶାନ୍ତିରେ କାଳାତିପାତ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ପ୍ରକୃତପକ୍ଷେ କହିବାକୁ ଗଲେ ୨୬ ଜାନୁୟାରୀ ୨୦୨୦, ୧୬ ଏପ୍ରିଲ ୨୦୨୧ ଏବଂ ୨୩ ଅଗଷ୍ଟ ୨୦୨୧ରେ ଗ୍ରାମସଭା ମାନଙ୍କରେ ଜମି ନଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବେଳେ, ଓସିଏଲ୍ କମ୍ପାନୀ ପୋଲିସ୍‌କୁ ହାତବାରିସୀ କରି ଲୋକମାନଙ୍କୁ ଧମକାଇ ଏକପ୍ରକାର ଆତଙ୍କରାଜ ସୃଷ୍ଟି କରି ସେମାନଙ୍କୁ ନିଜ ଜମିରୁ ଉଚ୍ଛେଦ କରିବା ପାଇଁ ଯୋଜନାବଦ୍ଧ ଭାବେ ପ୍ରୟାସ କରୁଥିବାରୁ ସେମାନେ ମହାମହୀମ ରାଜ୍ୟପାଳଙ୍କୁ ଗୁହାରୀ କରିବାକୁ ରାଜଧାନୀରେ ଧାରଣା ଦେଇଛନ୍ତି।

ଯଦି ସରକାର ଏହି ଆଦିବାସୀମାନଙ୍କର ଦୁଃଖ ନଶୁଣନ୍ତି, ତେବେ ସେମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବା ସହ ଆମରଣ ଅନଶନ କରି ଏଠାରେ ନିଜ ଜୀବନ ହାରିବେ ସିନା, ଗାଁକୁ ଫେରିବେ ନାହିଁ ବୋଲି ନିଷ୍ପତ୍ତି ଗ୍ରହଣ କରିଛନ୍ତି।