Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

‘ମିଶନ ଜୀବିକା’ ଅଧୀନରେ ଅର୍ଥକାରୀ ଫସଲକୁ ପ୍ରୋତ୍ସାହନ, ଲାଭବାନ ହେଉଛନ୍ତି ଆଦିବାସୀ ଚାଷୀ

ସୁନ୍ଦରଗଡ଼: ଚାଷୀମାନଙ୍କ ଆୟକୁ ବହୁ ଗୁଣିତ କରିବା ଲାଗି ଅର୍ଥକାରୀ ଫସଲ ଚାଷ ଉପରେ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ଚାଷୀ ଭାଇ ଭଉଣୀମାନେ ବିଭିନ୍ନ ପୁଷ୍ଟିଶସ୍ୟ ସହିତ ଡାଲି ଜାତୀୟ, ତୈଳବୀଜ ଏବଂ ବିଭିନ୍ନ ପନିପରିବା ଚାଷ କରୁଛନ୍ତି।

ଆଗରୁ ଆଦିବାସୀ ବର୍ଗର ଚାଷୀମାନେ ପାରମ୍ପରିକ ପଦ୍ଧତିରେ ବିଭିନ୍ନ ଚାଷ କରୁଥିଲେ। ତେଣୁ ସେମାନେ କିପରି ଉନ୍ନତ ପ୍ରଣାଳୀରେ ଚାଷ କରି ଦୀର୍ଘସ୍ଥାୟୀ ଜୀବିକା ପାଇପାରିବେ ସେଥିପାଇଁ ଏକ ୩ ବର୍ଷିଆ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସୁନ୍ଦରଗଡ଼ ଆଇଟିଡିଏର ୯ଟି ବ୍ଲକରେ ଏହା ଲାଗୁ କରାଯାଇଛି।

ଏଥିପାଇଁ ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ “ମିଶନ ଜୀବିକା” କାର୍ଯ୍ୟକ୍ରମ ମାଧ୍ୟମରେ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି।

“ଆଦିବାସୀ ବର୍ଗର ଚାଷୀମାନଙ୍କ ଜୀବନ ଜୀବିକାକୁ ସଶକ୍ତ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ମିଶନ ଜୀବିକା ମାଧ୍ୟମରେ ସେମାନେ ବିଭିନ୍ନ ଲାଭଜନକ ଫସଲ କରୁଛନ୍ତି। ୧୩ଟି ଫସଲ ଲାଗି ଚାଷୀମାନଙ୍କୁ ପ୍ରୋତ୍ସାହନ ଦିଆଯାଉଛି। ସ୍ଥାନୀୟ ବଜାରରେ ଏହାକୁ ବିକ୍ରି କରି ଚାଷୀମାନେ ଲାଭବାନ ହେଉଛନ୍ତି”, କହିଛନ୍ତି ସୁନ୍ଦରଗଡ଼ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ।

“ମିଶନ ଜୀବିକା” କାର୍ଯ୍ୟକ୍ରମ ଅଧୀନରେ ଚାଷୀମାନେ ଉନ୍ନତ ପଣାଳୀରେ ୧୩ଟି ଫସଲର ଚାଷ କରୁଛନ୍ତି। ସେଥିମଧ୍ୟରେ ରହିଛି ମକା, ମାଣ୍ଡିଆ, ହରଡ଼, ବାଦାମ, ସୋରିଷ ସହିତ ବାଇଗଣ, ଫୁଲ କୋବି, ସିମଲା ଲଙ୍କା, କଞ୍ଚା ଲଙ୍କା, ଛତୁ ଏବଂ ତରଭୁଜ ଆଦି ଫସଲ। ଏହି ଚାଷ ପାଇଁ ଆଇଟିଡିଏ ପକ୍ଷରୁ ଚାଷୀମାନଙ୍କୁ ଉନ୍ନତ କିସମର ବିହନ ଏବଂ ଜୈବିକ ସାର ଦିଆଯାଉଛି।

ସୁନ୍ଦରଗଡ଼ର ୯ଟି ବ୍ଲକର ୪ ହଜାର ୫୦୦ ଏକର ଜମିରେ ଏହିସବୁ ଚାଷ କରାଯାଇଛି। ଏଥିରେ ୬ ହଜାରରୁ ଅଧିକ ହିତାଧିକାରୀ ଯୋଡ଼ି ହୋଇଛନ୍ତି। ଜୈବିକ ପଦ୍ଧତିରେ ହେଉଥିବା ଫସଲର ଚାହିଦା ବଜାରରେ ଭଲ ରହିଛି।

“ଆଗରୁ ବଜାରରୁ ବିହନ କିଣି ତରଭୁଜ ଚାଷ କରୁଥିଲୁ। ହେଲେ ଗତ ତିନି ବର୍ଷ ହେଲା ସୁନ୍ଦରଗଡ଼ ଆଇଟିଡିଏ ପକ୍ଷରୁ ଆମକୁ ଉନ୍ନତମାନର ବିହନ ମିଳୁଛି। ଫସଲରେ ଜୈବିକ ସାର ବ୍ୟବହାର କରୁଥିବାରୁ ଆଗ ଅପେକ୍ଷା ଚଳିତ ବର୍ଷ ଭଲ ତରଭୁଜ ଅମଳ ହେଉଛି”, କହିଛନ୍ତି ବଡ଼ଗାଁ ବ୍ଲକ ଫୁଲବାରୀ ଗ୍ରାମର ଜଣେ ମହିଳା ଚାଷୀ ପବିତା କିସାନ।

“ଆଇଟିଡିଏର ଅଧିକାରୀମାନଙ୍କ ପରାମର୍ଶକ୍ରମେ ମୁଁ ୧ ଏକର ଜମିରେ କ୍ୟାପ୍ସିକମ୍ ଚାଷ କରୁଛି। ଗତ ବର୍ଷ ସ୍ଥାନୀୟ ବଜାରରେ ଏହାକୁ ବିକ୍ରି କରି ୫୦ରୁ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥିଲି”, କହନ୍ତି ସୁନ୍ଦରଗଡ଼ର ଯୁବ ଚାଷୀ ରବି ବାର୍ଲା।

ସୁନ୍ଦରଗଡ଼ର ଆଦିବାସୀ ବର୍ଗର ଚାଷୀମାନଙ୍କୁ ଜୀବିକାର ବ୍ୟାପକ ସୁଯୋଗ ଦେବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ମିଶନ ଜୀବିକା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଚାଷୀମାନଙ୍କ ଆର୍ଥିକ ସ୍ଥିତିକୁ ଅଧିକ ସୁଦୃଢ଼ କରିବା ଲାଗି ବିଭିନ୍ନ ପଦକ୍ଷେପ ନିଆଯାଉଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ପଡ଼ିଆ ଜମିରେ ଫଳ ଚାଷକୁ ପ୍ରୋତ୍ସାହନ, ଆଦିବାସୀ ଚାଷୀଙ୍କୁ ଦୀର୍ଘସ୍ଥାୟୀ ଜୀବିକା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ବର୍ଗର ଚାଷୀମାନଙ୍କୁ ଦୀର୍ଘସ୍ଥାୟୀ ଜୀବିକା ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକାରର ଫଳ ଚାଷ କରାଯାଉଛି। ଚାଷୀମାନେ ସେମାନଙ୍କ ପଡ଼ିଆ ଜମିରେ ଆମ୍ବ, କାଜୁ ଓ ଲେମ୍ବୁ ଆଦି ଚାରା ଲଗାଉଛନ୍ତି। ଏଥିପାଇଁ ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି।

ସୁନ୍ଦରଗଡ଼ ଆଇଟିଡିଏ ଅଧୀନରେ ଥିବା ମୋଟ ୯ଟି ବ୍ଲକରେ ଏହି ଫଳ ଚାଷ କରାଯାଉଛି। ୨୦୨୦-୨୧ରୁ ବର୍ତ୍ତମାନ ସୁଦ୍ଧା ଏହି ଚାଷରେ ୧୧୭୦ରୁ ଅଧିକ ହିତାଧିକାରୀ ଯୋଡ଼ି ହୋଇଛନ୍ତି। ୧୯୦୦ରୁ ଅଧିକ ଏକର ଜମିରେ ଆମ୍ବ, କାଜୁ ଓ ଲେମ୍ବୁ ଚାଷ କରାଯାଉଛି। ୨୦୨୨-୨୩ରୁ ଲେମନ ଗ୍ରାସ୍ ଚାଷ ଲାଗି ମଧ୍ୟ ପ୍ରୋତ୍ସାହନ ଦିଆଯାଉଛି।

“ମୋର ୫ ଏକର ଜମି ପଡ଼ିଆ ପଡ଼ିଥିଲା। ଏହା ପଥୁରିଆ ଥିବାରୁ ଏଥିରେ କୌଣସି ଚାଷ ହେଉ ନଥିଲା। ଏହି ଜମିରେ ଆମ୍ବ ଗଛ ଲଗାଇବାକୁ ସୁନ୍ଦରଗଡ଼ ଆଇଟିଡିଏର ଅଧିକାରୀମାନେ ଆସି ମତେ ବୁଝାଇଥିଲେ। ମୁଁ ସେଠି ଆମ୍ବ ଗଛ ଲଗାଇଥିଲି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଫଳ ଆସିଛି। ଏହାସହ ଇଣ୍ଟରକ୍ରପିଂରେ ତରଭୁଜ ଚାଷ ମଧ୍ୟ ମୁଁ କରିଛି”, କହନ୍ତି ଲେଫ୍ରିପଡ଼ା ବ୍ଲକର ସାହେବଡେରା ଗ୍ରାମର ମଧୁସୂଦନ ମାଝି।

“ମୁଁ କାଜୁ ଚାଷ କରିଛି। ମତେ କାଜୁ ଚାରା ଏବଂ ଖତ ସାର ଆଦି ମାଗଣାରେ ମିଳିଥିଲା। କାଜୁ ଗଛଗୁଡ଼ିକ ଏବେ ବଢ଼ି ଗଲାଣି। ଆସନ୍ତା ବର୍ଷକୁ ଫଳ ଆସିଯିବ। ଏହାକୁ ବିକ୍ରି କରି ଦି’ ପଇସା ଲାଭ କରିବି ବୋଲି ଆଶା ରହିଛି। ଏଥିପାଇଁ ସୁନ୍ଦରଗଡ଼ ଆଇଟିଡିଏକୁ ଧନ୍ୟବାଦ”, କହନ୍ତି ଟାଙ୍ଗରପାଲି ବ୍ଲକ୍ କେପସେ ଗ୍ରାମର ହିତାଧିକାରୀ ସୁଦର୍ଶନ ମାଝି।

ଫଳ ଚାଷ ପାଇଁ ହିତାଧିକାରୀମାନଙ୍କୁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମାଗଣାରେ ଚାରା ଓ ଜୈବିକ ସାର ଦିଆଯାଉଛି। ଏହି ଚାରାଗୁଡ଼ିକର ସୁରକ୍ଷା ପାଇଁ ତାରବାଡ଼ ମଧ୍ୟ ଯୋଗାଇ ଦିଆଯାଉଛି। ଚାରା ଲଗାଇବାଠୁ ଆରମ୍ଭକରି ୩ ବର୍ଷ ଯାଏଁ ଏହାର ରକ୍ଷଣାବେକ୍ଷଣ କରାଯାଉଛି। ଏ ବାବଦରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମଜୀବୀମାନଙ୍କୁ ମଜୁରି ସହାୟତା ଦିଆଯାଉଛି। ତା’ଛଡ଼ା ଜଳସେଚନ ସୁବିଧା ପାଇଁ ପ୍ରତି ୫ ଏକର ଜମିରେ ଗୋଟିଏ ଲେଖାଏଁ କୂଅ ଖୋଳାଯାଉଛି।

“ସୁନ୍ଦରଗଡ଼ ଆଇଟିଡିଏର ଏକ ସୁଦୂରପ୍ରସାରୀ କାର୍ଯ୍ୟକ୍ରମ ହେଉଛି ଫଳ ଚାଷ। ଆଦିବାସୀ ବର୍ଗର ଚାଷୀଙ୍କୁ ଆର୍ଥିକ ସ୍ତରରେ ସଶକ୍ତ କରିବା ପାଇଁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏଥିରେ ମହାତ୍ମା ଗାନ୍ଧୀ ନରେଗା ଯୋଜନାକୁ ଯୋଡ଼ା ଯାଇଥିବାରୁ ସ୍ଥାନୀୟ ଲୋକମାନେ ମଧ୍ୟ ଜୀବିକା ପାଇ ପାରୁଛନ୍ତି। ଆଗାମୀ ଦିନରେ ଏହାକୁ ଆହୁରି ବ୍ୟାପକ କରିବାକୁ ଲକ୍ଷ୍ୟ ରଖାଯାଇଛି”, କହିଛନ୍ତି ସୁନ୍ଦରଗଡ଼ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ।

ଫଳ ଚାରା ଫଳନ୍ତି ଅବସ୍ଥାକୁ ଆସିବା ଲାଗି ୨ରୁ ୩ ବର୍ଷ ସମୟ ଲାଗିଥାଏ। ଏହି ଅବଧି ଭିତରେ ଚାଷୀମାନଙ୍କୁ ରୋଜଗାର ଦେବା ପାଇଁ ମିଶନ ଜୀବିକା ଅଧୀନରେ ଇଣ୍ଟରକ୍ରପିଂକୁ ଗୁରୁତ୍ୱ ଦିଆଯାଉଛି। ଚାଷୀମାନେ ଆମ୍ବ, କାଜୁ ଓ ଲେମ୍ବୁ ବଗିଚା ଭିତରେ ଆଳୁ, ତରଭୁଜ, ଟମାଟୋ, ବାଇଗଣ, ଲଙ୍କା ଆଦି ଚାଷ କରିଛନ୍ତି। ଏହାକୁ ସେମାନେ ସ୍ଥାନୀୟ ବଜାରରେ ବିକ୍ରି କରି ଭଲ ଦି’ ପଇସା ପାଉଛନ୍ତି।

ଏହି ଫଳ ଚାଷରେ ହିତାଧିକାରୀମାନଙ୍କୁ ସହଯୋଗ କରିବା ପାଇଁ ସ୍ଥାନୀୟ ସ୍ୱେଚ୍ଛାସେବୀ ସଙ୍ଗଠନକୁ ଦାୟିତ୍ୱ ଦିଆଯାଇଛି। ସୁନ୍ଦରଗଡ଼ ଆଇଟିଡିଏର ଅଧିକାରୀଙ୍କ ସହ ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତାମାନେ ହିତାଧିକାରୀ ଚିହ୍ନଟ କରିବା ସହିତ ଫଳ ଚାଷ ଲାଗି ପଡ଼ିଆ ଜମିକୁ ପ୍ରସ୍ତୁତ କରିବାରେ ଚାଷୀମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଥାନ୍ତି।

ବର୍ତ୍ତମାନ ୭୯୪ ଜଣ ହିତାଧିକାରୀ ପ୍ରାୟ ୧୨୫୬ ଏକର ଜମିରେ ଆମ୍ବ ଚାରା ରୋପଣ କରିଛନ୍ତି। ସେହିପରି ୨୫୦ରୁ ଅଧିକ ହିତାଧିକାରୀ ୪୫୦ ଏକର ଜମିରେ କାଜୁ ଚାଷ କରିଥିବା ବେଳେ ୯୦ରୁ ଅଧିକ ହିତାଧିକାରୀ ପ୍ରାୟ ୧୪୦ ଏକର ଜମିରେ ଲେମ୍ବୁ ଚାଷ କରିଛନ୍ତି। ପ୍ରଥମ ଥର ପାଇଁ ୪୦ ଜଣ ହିତାଧିକାରୀ ୬୦ ଏକର ଜମିରେ ଲେମନ୍ ଗ୍ରାସ୍ ଚାଷ କରିଛନ୍ତି।