Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ସଂସ୍କୃତି

ଦୁବାଇରେ ହେବ ଓଡିଶା ଜନଜାତି ଚିତ୍ରକଳା ପ୍ରଦର୍ଶନୀ, ଶିଳ୍ପୀମାନଙ୍କ ଦ୍ବାରା ଚାଲିଛି ପ୍ରସ୍ତୁତି 

ଭୁବନେଶ୍ୱର: ବିଦେଶ ମାଟିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ଓଡ଼ିଶାର ୧୫ ଜଣ ଜନଜାତି ଶିଳ୍ପୀ ଦୁବାଇଠାରେ ଆଦିବାସୀ ଜୀବନୀ ଓ ଚାଲିଚଳଣି ଚିତ୍ର ଅଙ୍କନରେ ନିମଗ୍ନ ଅଛନ୍ତି।

୧୪ ତାରିଖ ଦିନ ଦୁବାଇଠାରେ ଭାରତର କନ୍‌ସୁଲ୍‌ ଜେନେରାଲ ସତିଶ କୁମାର ଶିବମ୍‌, ଏକାଡେମୀର ସଭାପତି ତଥା ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ମଧୂସୁଦନ ଦାସ ଅତିଥି ଭାବେ ଯୋଗଦେଇ ପ୍ରଦର୍ଶନୀ ଉଦ୍‌ଘାଟନ କରିବେ।

ପ୍ରଥମ ଥର ପାଇଁ ବିଦେଶ ମାଟିରେ, ଦୁବାଇଠାରେ ଓଡ଼ିଶାର ଜନଜାତି ଚିତ୍ରକଳା ଅଙ୍କନ କରୁଥିବାରୁ ଶିଳ୍ପୀମାନଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି। ବିନୋଦିନୀ ସିଂହ, ସୁଜନ୍ମତି ଏକା, ଇନ୍ଦିରା ଗମାଙ୍ଗ, ସୁକୁମତି ଥିଉ, ସୌଭାଗ୍ୟ ମଞ୍ଜରୀ ମଲ୍ଲିକ, ସୁଭଦ୍ରା କରୱା, ଡଲି ଜାନୀ, ସୂର୍ଯ୍ୟଲତା ନାୟକ, ଭାରତୀ ଟୁଡୁ, ଜୁନେଶ ଗମାଙ୍ଗ, ରାଜେନ୍ଦ୍ର ସିଂ ଲାଗୁରି, ସନ୍ତୋଷ ସିଂ ଖୁଣ୍ଟିଆ, ଯୋଗୀ ଶବର, ସାମସନ୍‌ ଗମାଙ୍ଗ ଏବଂ ଅନିଲ କେରକେଟା ପ୍ରମୁଖ ଶିଳ୍ପୀମାନେ ଯୋଗ ଦେଇଛନ୍ତି।

ହ୍ୟାଟ ପ୍ଲେସ ଦୁବାଇ ଅଲ ରିଗା ଠାରେ ୩ ଦିନ ଧରି ଓଡ଼ିଶାର ସୁପ୍ରସିଦ୍ଧ ସୌରା ଚିତ୍ର, ସାନ୍ତାଳ, କନ୍ଧ, ପରଜା, ହୋ ଓ କୋହ୍ଲ ଆଦି ସମ୍ପ୍ରଦାୟର ଚିତ୍ର ଅଙ୍କନ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଭାଗ ଦ୍ୱାରା ବିଦେଶରେ ଚିତ୍ରକଳା ଶିବିରରେ ଯୋଗଦେଇ ଚିତ୍ର କରିବା ସହିତ ନିଜ ନିଜ ଚିତ୍ରର ପ୍ରଦର୍ଶନୀ କରିବାର ସୁଯୋଗ ପାଉଥିବାରୁ ଚିତ୍ରଶିଳ୍ପୀମାନେ ଅତ୍ୟନ୍ତ ଖୁସି ପ୍ରକଟ କରିଛନ୍ତି। ଏକାଡ଼େମୀର ସଚିବ ପଞ୍ଚାନନ ସାମଲ ଶିବିରକୁ ପରିଚାଳନା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ଭୁବନେଶ୍ବରରେ ଉଦଘାଟିତ ହେଲା ଜନଜାତି ଚିତ୍ରକଳା କର୍ମଶାଳା

ଭୁବନେଶ୍ବର: ଓଡିଶା ସରକାରଙ୍କ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଦ୍ବାରା ପାଳନ ହେଉଥିବା ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସ ସମାରୋହର ଦ୍ବିତୀୟ ଦିବସରେ ପ୍ରତିଷ୍ଠାନ ପରିସରରେ ତିନି ଦିବସୀୟ ଜନଜାତି ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ ଆଜିଠାରୁ ଆରମ୍ଭ ହୋଇଛି।

ମୁଖ୍ୟ ଅତିଥି ଭାବେ ଏହି କର୍ମଶାଳା ତଥା ପ୍ରଦର୍ଶନୀର ଉଦଘାଟନ କରିଛନ୍ତି ବିଭାଗୀୟ ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ। ଜନଜାତି ସଂସ୍କୃତି ଓ ଐତିହ୍ୟକୁ ଚିତ୍ରକଳା ମାଧ୍ୟମରେ ପ୍ରଦର୍ଶନ କରାଯିବ। ଏ ଅବସରରେ ଚିତ୍ରକଳାର ସଂରକ୍ଷଣ ଓ ପ୍ରସାର ନିମନ୍ତେ ଏହାକୁ ସ୍ବତନ୍ତ୍ର ବିଷୟବସ୍ତୁ ଭାବେ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବା ତଥା ଗବେଷଣା ପାଇଁ ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି ବିଭାଗୀୟ ଶାସନ ସଚିବ।

କାର୍ଯ୍ୟକ୍ରମରେ ବି.କେ କଲେଜ୍ ଅଫ୍ ଆର୍ଟ୍ସର ଅଧ୍ୟକ୍ଷ ଗଜେନ୍ଦ୍ର କୁମାର ପାଢୀ ଆଧୁନିକ ଯୁଗରେ ଚିତ୍ରକଳା ସମ୍ପର୍କରେ ଗୁରୁତ୍ବ ଦେଇଥିଲେ। ଅନ୍ୟତମ ବକ୍ତା ଭାବେ ଶ୍ରୀଯୁକ୍ତ ମାନସ କୁମାର ଜେନା, ଜନଜାତିଙ୍କ ଚିତ୍ରକଳାର ସୃଜନତା ଉପରେ ବକ୍ତବ୍ୟ ରଖିଥିଲେ। ଅନୁଷ୍ଠାନର ସ୍ବତନ୍ତ୍ର ଅଧିକାରୀ ଶ୍ରୀ ସମରେନ୍ଦ୍ର ଭୂତିଆ ଅତିଥି ମାନଙ୍କୁ ସ୍ବାଗତ ଜଣାଇବା ସହ କାର୍ଯ୍ୟକ୍ରମର ସଞ୍ଚାଳନ କରିଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରତିଷ୍ଠାନର ଉପନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ରଥ।

ଏହି ପ୍ରଦର୍ଶନୀ ୧୮ ତାରିଖ ଯାଏଁ ଚାଲିବ। ଏଥିସହିତ ଜନଜାତୀୟ ଗୌରବ ଦିବସ ଅବସରରେ ଓଡିଶା ରାଜ୍ୟ ଜନଜାତି ସଂଗ୍ରହାଳୟରେ ଛାତ୍ର ଯୋଗଦାନ କାର‌୍ୟ୍ୟକ୍ରମ ଓ ଜନଜାତି କବି ସମ୍ମିଳନୀର ମଧ୍ୟ ଆୟୋଜନ କରାଯିବ।