ଦୁବାଇରେ ହେବ ଓଡିଶା ଜନଜାତି ଚିତ୍ରକଳା ପ୍ରଦର୍ଶନୀ, ଶିଳ୍ପୀମାନଙ୍କ ଦ୍ବାରା ଚାଲିଛି ପ୍ରସ୍ତୁତି 

Published: Mar 13, 2024, 8:12 pm IST
tribal

ଭୁବନେଶ୍ୱର: ବିଦେଶ ମାଟିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ଓଡ଼ିଶାର ୧୫ ଜଣ ଜନଜାତି ଶିଳ୍ପୀ ଦୁବାଇଠାରେ ଆଦିବାସୀ ଜୀବନୀ ଓ ଚାଲିଚଳଣି ଚିତ୍ର ଅଙ୍କନରେ ନିମଗ୍ନ ଅଛନ୍ତି।

୧୪ ତାରିଖ ଦିନ ଦୁବାଇଠାରେ ଭାରତର କନ୍‌ସୁଲ୍‌ ଜେନେରାଲ ସତିଶ କୁମାର ଶିବମ୍‌, ଏକାଡେମୀର ସଭାପତି ତଥା ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ମଧୂସୁଦନ ଦାସ ଅତିଥି ଭାବେ ଯୋଗଦେଇ ପ୍ରଦର୍ଶନୀ ଉଦ୍‌ଘାଟନ କରିବେ।

ପ୍ରଥମ ଥର ପାଇଁ ବିଦେଶ ମାଟିରେ, ଦୁବାଇଠାରେ ଓଡ଼ିଶାର ଜନଜାତି ଚିତ୍ରକଳା ଅଙ୍କନ କରୁଥିବାରୁ ଶିଳ୍ପୀମାନଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି। ବିନୋଦିନୀ ସିଂହ, ସୁଜନ୍ମତି ଏକା, ଇନ୍ଦିରା ଗମାଙ୍ଗ, ସୁକୁମତି ଥିଉ, ସୌଭାଗ୍ୟ ମଞ୍ଜରୀ ମଲ୍ଲିକ, ସୁଭଦ୍ରା କରୱା, ଡଲି ଜାନୀ, ସୂର୍ଯ୍ୟଲତା ନାୟକ, ଭାରତୀ ଟୁଡୁ, ଜୁନେଶ ଗମାଙ୍ଗ, ରାଜେନ୍ଦ୍ର ସିଂ ଲାଗୁରି, ସନ୍ତୋଷ ସିଂ ଖୁଣ୍ଟିଆ, ଯୋଗୀ ଶବର, ସାମସନ୍‌ ଗମାଙ୍ଗ ଏବଂ ଅନିଲ କେରକେଟା ପ୍ରମୁଖ ଶିଳ୍ପୀମାନେ ଯୋଗ ଦେଇଛନ୍ତି।

ହ୍ୟାଟ ପ୍ଲେସ ଦୁବାଇ ଅଲ ରିଗା ଠାରେ ୩ ଦିନ ଧରି ଓଡ଼ିଶାର ସୁପ୍ରସିଦ୍ଧ ସୌରା ଚିତ୍ର, ସାନ୍ତାଳ, କନ୍ଧ, ପରଜା, ହୋ ଓ କୋହ୍ଲ ଆଦି ସମ୍ପ୍ରଦାୟର ଚିତ୍ର ଅଙ୍କନ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଭାଗ ଦ୍ୱାରା ବିଦେଶରେ ଚିତ୍ରକଳା ଶିବିରରେ ଯୋଗଦେଇ ଚିତ୍ର କରିବା ସହିତ ନିଜ ନିଜ ଚିତ୍ରର ପ୍ରଦର୍ଶନୀ କରିବାର ସୁଯୋଗ ପାଉଥିବାରୁ ଚିତ୍ରଶିଳ୍ପୀମାନେ ଅତ୍ୟନ୍ତ ଖୁସି ପ୍ରକଟ କରିଛନ୍ତି। ଏକାଡ଼େମୀର ସଚିବ ପଞ୍ଚାନନ ସାମଲ ଶିବିରକୁ ପରିଚାଳନା କରିଛନ୍ତି।

Related posts