Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ସଂସ୍କୃତି

ଦୁବାଇରେ ହେବ ଓଡିଶା ଜନଜାତି ଚିତ୍ରକଳା ପ୍ରଦର୍ଶନୀ, ଶିଳ୍ପୀମାନଙ୍କ ଦ୍ବାରା ଚାଲିଛି ପ୍ରସ୍ତୁତି 

ଭୁବନେଶ୍ୱର: ବିଦେଶ ମାଟିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ଓଡ଼ିଶାର ୧୫ ଜଣ ଜନଜାତି ଶିଳ୍ପୀ ଦୁବାଇଠାରେ ଆଦିବାସୀ ଜୀବନୀ ଓ ଚାଲିଚଳଣି ଚିତ୍ର ଅଙ୍କନରେ ନିମଗ୍ନ ଅଛନ୍ତି।

୧୪ ତାରିଖ ଦିନ ଦୁବାଇଠାରେ ଭାରତର କନ୍‌ସୁଲ୍‌ ଜେନେରାଲ ସତିଶ କୁମାର ଶିବମ୍‌, ଏକାଡେମୀର ସଭାପତି ତଥା ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ମଧୂସୁଦନ ଦାସ ଅତିଥି ଭାବେ ଯୋଗଦେଇ ପ୍ରଦର୍ଶନୀ ଉଦ୍‌ଘାଟନ କରିବେ।

ପ୍ରଥମ ଥର ପାଇଁ ବିଦେଶ ମାଟିରେ, ଦୁବାଇଠାରେ ଓଡ଼ିଶାର ଜନଜାତି ଚିତ୍ରକଳା ଅଙ୍କନ କରୁଥିବାରୁ ଶିଳ୍ପୀମାନଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି। ବିନୋଦିନୀ ସିଂହ, ସୁଜନ୍ମତି ଏକା, ଇନ୍ଦିରା ଗମାଙ୍ଗ, ସୁକୁମତି ଥିଉ, ସୌଭାଗ୍ୟ ମଞ୍ଜରୀ ମଲ୍ଲିକ, ସୁଭଦ୍ରା କରୱା, ଡଲି ଜାନୀ, ସୂର୍ଯ୍ୟଲତା ନାୟକ, ଭାରତୀ ଟୁଡୁ, ଜୁନେଶ ଗମାଙ୍ଗ, ରାଜେନ୍ଦ୍ର ସିଂ ଲାଗୁରି, ସନ୍ତୋଷ ସିଂ ଖୁଣ୍ଟିଆ, ଯୋଗୀ ଶବର, ସାମସନ୍‌ ଗମାଙ୍ଗ ଏବଂ ଅନିଲ କେରକେଟା ପ୍ରମୁଖ ଶିଳ୍ପୀମାନେ ଯୋଗ ଦେଇଛନ୍ତି।

ହ୍ୟାଟ ପ୍ଲେସ ଦୁବାଇ ଅଲ ରିଗା ଠାରେ ୩ ଦିନ ଧରି ଓଡ଼ିଶାର ସୁପ୍ରସିଦ୍ଧ ସୌରା ଚିତ୍ର, ସାନ୍ତାଳ, କନ୍ଧ, ପରଜା, ହୋ ଓ କୋହ୍ଲ ଆଦି ସମ୍ପ୍ରଦାୟର ଚିତ୍ର ଅଙ୍କନ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଭାଗ ଦ୍ୱାରା ବିଦେଶରେ ଚିତ୍ରକଳା ଶିବିରରେ ଯୋଗଦେଇ ଚିତ୍ର କରିବା ସହିତ ନିଜ ନିଜ ଚିତ୍ରର ପ୍ରଦର୍ଶନୀ କରିବାର ସୁଯୋଗ ପାଉଥିବାରୁ ଚିତ୍ରଶିଳ୍ପୀମାନେ ଅତ୍ୟନ୍ତ ଖୁସି ପ୍ରକଟ କରିଛନ୍ତି। ଏକାଡ଼େମୀର ସଚିବ ପଞ୍ଚାନନ ସାମଲ ଶିବିରକୁ ପରିଚାଳନା କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଆସନ୍ତା ୨୧ ଯାଏଁ ଚାଲିବ ଜନଜାତି ଚିତ୍ରକଳା ପ୍ରଦର୍ଶନୀ, ଉଦଜାପିତ ହେଲା କର୍ମଶାଳା

ଭୁବନେଶ୍ୱର: ‘ଜନଜାତୀୟ ଗୌରବ ଦିବସ’ ପାଳନ ଅବସରରେ ଭୁବନେଶ୍ୱରସ୍ଥିତ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ବା ଏସସିଏସଟିଆରଟିଆଇ ପକ୍ଷରୁ ଜନଜାତି ଚିତ୍ରକଳା ପ୍ରଦର୍ଶନୀ ନଭେମ୍ବର ୨୧ ଯାଏଁ ଜନସାଧାରଣଙ୍କ ପାଇଁ ପ୍ରଦର୍ଶିତ ହେବ। ଆସନ୍ତା ୨୨ ଓ ୨୩ ତାରିଖରେ ଜନଜାତି କବି ସମ୍ମିଳନୀ ଆୟୋଜନ କରାଯିବ। ଏଥିରେ ୪୦ ଜଣ ଆଦିବାସୀ କବି ଭାଗନେଇ ନିଜ ନିଜ ଭାଷାରେ କବିତା ପାଠ କରିବେ।

ନଭେମ୍ବର ୧୫ ତାରିଖରୁ ଆରମ୍ଭ ହୋଇଥିବା ବିଶେଷ କର୍ମଶାଳା ଉଦଯାପିତ ହୋଇଛି। ନଭେମ୍ବର ୧୫ରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀଙ୍କ ପ୍ରେରଣା ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ସାରା ଦେଶରେ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି, ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଆଦିବାସୀ ଜୀବନ, କଳା ଓ ସଂସ୍କୃତିର ପ୍ରସାର ପାଇଁ ବ୍ୟାପକ କାର‌୍ୟ୍ୟକ୍ରମ କରାଯାଉଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ପ୍ରମୁଖ ଉପଦେଷ୍ଟା (ସ୍ୱତନ୍ତ୍ର କାର‌୍ୟ୍ୟକ୍ରମ) ଆର୍. ବାଲାକ୍ରିଷ୍ଣନ ଜନଜାତି ଚିତ୍ରକଳା କର୍ମଶାଳାକୁ ଉଦଯାପନ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୨୫ ଜଣ ଯୁବ ଆଦିବାସୀ ଶିଳ୍ପୀ ଏକ ତିନିଦିନିଆ କର୍ମଶାଳା ଅବସରରେ କରିଥିବା ବିଭିନ୍ନ ଚିତ୍ରାକୃତିକୁ ଦେଖି ସେ ପ୍ରଶଂସା କରିଥିଲେ। ଏହି ଅବସରରେ ପ୍ରତ୍ୟେକ ଯୁବ ଶିଳ୍ପୀଙ୍କୁ ସ୍ବତନ୍ତ୍ର ବିକାଶ ପରିଷଦ ପକ୍ଷରୁ ୨୦ ହଜାର ଲେଖାଏଁ ପୁରସ୍କାର ରାଶି ଦେବାକୁ ଘୋଷଣା କରାଯାଇଛି।

ଏହି ଅବସରରେ ସେ କହିଛନ୍ତି, ଆଦିବାସୀ ସଂସ୍କୃତି ଓ କଳା ସମ୍ପର୍କରେ ଅଧିକ ଜାଣିବା ପାଇଁ ମୁଁ ସର୍ବଦା ଆଗ୍ରହୀ। ରାଜ୍ୟ ଜନଜାତି ସଂଗ୍ରହାଳୟରେ ପ୍ରଦର୍ଶିତ ଏହି ଚିତ୍ରାଙ୍କନ ଗୁଡ଼ିକ ଭିତରେ ଆଦିବାସୀଙ୍କ ଜୀବନଯାପନ, ସଙ୍ଗୀତ, ନୃତ୍ୟ ଏବଂ ବିଭିନ୍ନ ସାମାଜିକ ତଥା ସାଂସ୍କୃତି ବିଭବ ବେଶ୍ ସୁନ୍ଦର ଭାବେ ଫୁଟି ଉଠିଛି। ଓଡ଼ିଶାର ଅନନ୍ୟ ଆଦିବାସୀ ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ଦିଗରେ ଏଭଳି ପଦକ୍ଷେପ ନିଶ୍ଚିତ ସ୍ବାଗତଯୋଗ୍ୟ।

ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ ଯୋଗଦେଇ ଜନଜାତି ଚିତ୍ରଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ। ଜନଜାତୀୟ ଗୌରବ ଦିବସ ପାଳନ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା ବିଭିନ୍ନ କାର‌୍ୟ୍ୟକ୍ରମ ଆଦିବାସୀଙ୍କ ଜୀବନ ଓ ସଂସ୍କୃତି ସହ ନୂଆ ପିଢ଼ିକୁ ଯୋଡ଼ିବାରେ ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି।

କାର୍ଯ୍ୟକ୍ରମରେ ଏସସିଏସଟିଆରଟିଆଇ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣୀ ତ୍ରିପାଠୀ, ବି.କେ କଲେଜ ଅଫ୍ ଆର୍ଟ୍ସ ଆଣ୍ଡ କ୍ରାଫ୍ଟର ଅଧ୍ୟକ୍ଷ ଗଜେନ୍ଦ୍ର କୁମାର ପାଢ଼ୀ ଏବଂ ଅଧ୍ୟାପକ ମାନସ ରଞ୍ଜନ ଜେନା ଅତିଥି ଭାବେ ଯୋଗ ଦେଇଥିଲେ। ଏସସିଏସଟିଆରଟିଆଇର ସ୍ବତନ୍ତ୍ର ଅଧିକାରୀଶ୍ରୀ ସମରେନ୍ଦ୍ର ଭୁତିଆ କାର‌୍ୟ୍ୟକ୍ରମର ପରିଚାଳନା କରିଥିଲେ। କାର‌୍ୟ୍ୟକ୍ରମରେ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ରଥଙ୍କ ସହିତ ବିଭିନ୍ନ ଅଧିକାରୀ ତଥା ଭୁବନେଶ୍ୱର ତପୋବନ ହାଇସ୍କୁଲର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

‘ଜନଜାତୀୟ ଗୌରବ ଦିବସ’ କାର୍ଯ୍ୟକ୍ରମ ଅବସରରେ ଏସସିଏସଟିଆରଟିଆଇ ପକ୍ଷରୁ ଜନଜାତି ଚିତ୍ରକଳା ଓ ପ୍ରଦର୍ଶନୀ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱରସ୍ଥିତ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ) ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ କରାଯାଉଛି। ଏହି ଅବସରରେ ଏସସିଏସଟିଆରଟିଆଇ ପରିସରରେ ଗୁରୁବାରଠାରୁ ଜନଜାତି ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ ଆରମ୍ଭ ହୋଇଛି। ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୨୫ ଜଣ ଯୁବ ଚିତ୍ରଶିଳ୍ପୀ ଭାଗନେଇ ସେମାନଙ୍କ ସର୍ଜନାତ୍ମକ ପ୍ରତିଭା ଦେଖାଉଛନ୍ତି।

ଏହି କର୍ମଶାଳା ଓ ପ୍ରଦର୍ଶନୀକୁ ଅନୁସୂଚିତ ଜନଜାତି, ଜାତି, ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ତଥା ପଛୁଆବର୍ଗ କଲ୍ୟାଣ ବିଭାଗର ସଚିବ ରୂପା ରୋଶନ ସାହୁ ଉଦଘାଟନ କରିଥିଲେ। ସେ କହିଥିଲେ, ‘‘ଜନଜାତି ଚିତ୍ରକଳାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ବର୍ତ୍ତମାନ ପିଢ଼ିର ଶିଳ୍ପୀମାନେ ଏହାକୁ ଅନ୍ତର୍ଜାତୀୟ ସ୍ତରରେ ବ୍ୟାପକ ଭାବେ ପ୍ରସାର କରୁଛନ୍ତି। ଜନଜାତି ଚିତ୍ରକଳାର ସଂରକ୍ଷଣ ଓ ଅଧିକ ପ୍ରସାର ନିମନ୍ତେ ଏହାକୁ ସ୍ୱତନ୍ତ୍ର ବିଷୟ ଭାବେ ପାଠ୍ୟକ୍ରମରେ ସାମିଲ କରିବା ପାଇଁ ଉଦ୍ୟମ କରାଯିବା ଦରକାର ଫଳରେ ଜନଜାତିଙ୍କ ଉପରେ ଗବେଷଣା ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହୋଇପାରିବ।’’ ଏହିଭଳି ପ୍ରଦର୍ଶନୀ ଓଡ଼ିଶାର ଜନଜାତୀୟ ଚିତ୍ରକଳାକୁ ବିଶ୍ୱ ସ୍ତରରେ ପହଞ୍ଚାଇ ପାରିବ ବୋଲି ସେ କହିଥିଲେ।

ଭୁବନେଶ୍ୱରସ୍ଥିତ ବି କେ କଲେଜ ଅଫ୍ ଆର୍ଟସ୍ ଆଣ୍ଡ କ୍ରାଫ୍ଟସ୍ ସହଭାଗିତାରେ ଏହି ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୨୫ ଜଣ ଶିଳ୍ପୀ ଭାଗନେଇ ଆକର୍ଷଣୀୟ ଚିତ୍ର ଆଙ୍କୁଛନ୍ତିା ଏଥିରେ ଜନଜାତିଙ୍କ ଜୀବନୀ, କଳା ଓ ସଂସ୍କୃତି ଆଦି ଉପରେ ନିଖୁଣ ଚିତ୍ର ଦେଖିବାକୁ ମିଳୁଛି।

ଏସସିଏସଟିଆରଟିଆଇ ତଥା ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ‘‘ଜନଜାତି ଚିତ୍ରକଳାକୁ ଅଧିକ ପ୍ରୋତ୍ସାହନ ଦେବା ଲାଗି ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ ତରଫରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଛି। ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ ମାଧ୍ୟମରେ ଓଡ଼ିଶାର ବିଭିନ୍ନ ଜନଜାତି ସଂପ୍ରଦାୟର ଜୀବନୀ, ସଂସ୍କୃତି ଓ ଐତିହ୍ୟର ପ୍ରତିଛବି ଦେଖିବାକୁ ମିଳୁଛି।’’

ଏହି କାର୍ଯ୍ୟକ୍ରମରେ ବି କେ କଲେଜ ଅଫ୍ ଆର୍ଟସ୍ ଆଣ୍ଡ କ୍ରାଫ୍ଟସ୍ ଅଧ୍ୟକ୍ଷ ଗଜେନ୍ଦ୍ର କୁମାର ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ତାଙ୍କ ସହ ଅଧ୍ୟାପକ ମାନସ କୁମାର ଜେନା ଅନ୍ୟତମ ଅତିଥି ଭାବେ ଯୋଗଦେଇ ଚିତ୍ରଶିଳ୍ପୀମାନଙ୍କ ସହ କଥା ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଯୁବ ଚିତ୍ରଶିଳ୍ପୀମାନଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ରକଳା ପରବର୍ତ୍ତି ସମୟରେ ରାଜ୍ୟ ଜନଜାତି ସଂଗ୍ରହଳୟରେ ସଂରକ୍ଷିତ ହୋଇ ରହିବ।

କାର୍ଯ୍ୟକ୍ରମରେ ଏସସିଏସଟିଆରଟିଆଇର ଓଏସଡି ସମରେନ୍ଦ୍ର ଭୂତିଆ ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ରଥ ଧନ୍ୟବାଦ ପ୍ରଦାନ କରିଥିଲେ।

ଜନଜାତୀୟ ଗୋରବ ଦିବସ କାର୍ଯ୍ୟକ୍ରମ ନଭେମ୍ବର ୨୬ ତାରିଖ ଯାଏଁ ଚାଲିବ। ଏଥିରେ ଓଡ଼ିଶାର ଆଦିବାସୀ କଳା ଓ କଳାକୃତିର ଲାଇଭ୍ ଡେମୋ ସହିତ ଚିତ୍ରକଳା ପ୍ରତିଯୋଗିତା ଓ ପ୍ରଦର୍ଶନୀ ଏବଂ ଜନଜାତି କବି ସମ୍ମିଳନୀ ଆଦି ଆୟୋଜନ କରାଯାଉଛି।

ଭୁବନେଶ୍ୱର ସିଆରପିଏଫ୍ ଛକ ନିକଟରେ ଥିବା ରାଜ୍ୟ ଜନଜାତି ସଂଗ୍ରହଳୟରେ ଆଦିବାସୀଙ୍କ ଜୀବନ, ଜୀବିକା, ପୋଷାକ, ଅଳଙ୍କାର, ପାରମ୍ପରିକ ଅସ୍ତ୍ରଶସ୍ତ୍ର ଆଦି ସଂରକ୍ଷିତ ହୋଇ ରହିଛି। ତେଣୁ ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ, ଗବେଷକ ଏବଂ ସାଧାରଣ ଲୋକମାନେ ଏହି ସଂଗ୍ରହାଳୟ ପରିଦର୍ଶନ କରିବାକୁ ଏସସିଏସଟିଆରଟିଆଇର ନିର୍ଦ୍ଦେଶକ ଅନୁରୋଧ କରିଛନ୍ତି। ଏହି ସଂଗ୍ରହାଳୟ ମଙ୍ଗଳବାରଠାରୁ ରବିବାର ପର୍ଯ୍ୟନ୍ତ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଖୋଲା ରହୁଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ଭୁବନେଶ୍ବରରେ ଉଦଘାଟିତ ହେଲା ଜନଜାତି ଚିତ୍ରକଳା କର୍ମଶାଳା

ଭୁବନେଶ୍ବର: ଓଡିଶା ସରକାରଙ୍କ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଦ୍ବାରା ପାଳନ ହେଉଥିବା ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସ ସମାରୋହର ଦ୍ବିତୀୟ ଦିବସରେ ପ୍ରତିଷ୍ଠାନ ପରିସରରେ ତିନି ଦିବସୀୟ ଜନଜାତି ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ ଆଜିଠାରୁ ଆରମ୍ଭ ହୋଇଛି।

ମୁଖ୍ୟ ଅତିଥି ଭାବେ ଏହି କର୍ମଶାଳା ତଥା ପ୍ରଦର୍ଶନୀର ଉଦଘାଟନ କରିଛନ୍ତି ବିଭାଗୀୟ ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ। ଜନଜାତି ସଂସ୍କୃତି ଓ ଐତିହ୍ୟକୁ ଚିତ୍ରକଳା ମାଧ୍ୟମରେ ପ୍ରଦର୍ଶନ କରାଯିବ। ଏ ଅବସରରେ ଚିତ୍ରକଳାର ସଂରକ୍ଷଣ ଓ ପ୍ରସାର ନିମନ୍ତେ ଏହାକୁ ସ୍ବତନ୍ତ୍ର ବିଷୟବସ୍ତୁ ଭାବେ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବା ତଥା ଗବେଷଣା ପାଇଁ ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି ବିଭାଗୀୟ ଶାସନ ସଚିବ।

କାର୍ଯ୍ୟକ୍ରମରେ ବି.କେ କଲେଜ୍ ଅଫ୍ ଆର୍ଟ୍ସର ଅଧ୍ୟକ୍ଷ ଗଜେନ୍ଦ୍ର କୁମାର ପାଢୀ ଆଧୁନିକ ଯୁଗରେ ଚିତ୍ରକଳା ସମ୍ପର୍କରେ ଗୁରୁତ୍ବ ଦେଇଥିଲେ। ଅନ୍ୟତମ ବକ୍ତା ଭାବେ ଶ୍ରୀଯୁକ୍ତ ମାନସ କୁମାର ଜେନା, ଜନଜାତିଙ୍କ ଚିତ୍ରକଳାର ସୃଜନତା ଉପରେ ବକ୍ତବ୍ୟ ରଖିଥିଲେ। ଅନୁଷ୍ଠାନର ସ୍ବତନ୍ତ୍ର ଅଧିକାରୀ ଶ୍ରୀ ସମରେନ୍ଦ୍ର ଭୂତିଆ ଅତିଥି ମାନଙ୍କୁ ସ୍ବାଗତ ଜଣାଇବା ସହ କାର୍ଯ୍ୟକ୍ରମର ସଞ୍ଚାଳନ କରିଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରତିଷ୍ଠାନର ଉପନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ରଥ।

ଏହି ପ୍ରଦର୍ଶନୀ ୧୮ ତାରିଖ ଯାଏଁ ଚାଲିବ। ଏଥିସହିତ ଜନଜାତୀୟ ଗୌରବ ଦିବସ ଅବସରରେ ଓଡିଶା ରାଜ୍ୟ ଜନଜାତି ସଂଗ୍ରହାଳୟରେ ଛାତ୍ର ଯୋଗଦାନ କାର‌୍ୟ୍ୟକ୍ରମ ଓ ଜନଜାତି କବି ସମ୍ମିଳନୀର ମଧ୍ୟ ଆୟୋଜନ କରାଯିବ।