Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ଭୁବନେଶ୍ବରରେ ଉଦଘାଟିତ ହେଲା ଜନଜାତି ଚିତ୍ରକଳା କର୍ମଶାଳା

ଭୁବନେଶ୍ବର: ଓଡିଶା ସରକାରଙ୍କ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଦ୍ବାରା ପାଳନ ହେଉଥିବା ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସ ସମାରୋହର ଦ୍ବିତୀୟ ଦିବସରେ ପ୍ରତିଷ୍ଠାନ ପରିସରରେ ତିନି ଦିବସୀୟ ଜନଜାତି ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ ଆଜିଠାରୁ ଆରମ୍ଭ ହୋଇଛି।

ମୁଖ୍ୟ ଅତିଥି ଭାବେ ଏହି କର୍ମଶାଳା ତଥା ପ୍ରଦର୍ଶନୀର ଉଦଘାଟନ କରିଛନ୍ତି ବିଭାଗୀୟ ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ। ଜନଜାତି ସଂସ୍କୃତି ଓ ଐତିହ୍ୟକୁ ଚିତ୍ରକଳା ମାଧ୍ୟମରେ ପ୍ରଦର୍ଶନ କରାଯିବ। ଏ ଅବସରରେ ଚିତ୍ରକଳାର ସଂରକ୍ଷଣ ଓ ପ୍ରସାର ନିମନ୍ତେ ଏହାକୁ ସ୍ବତନ୍ତ୍ର ବିଷୟବସ୍ତୁ ଭାବେ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବା ତଥା ଗବେଷଣା ପାଇଁ ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି ବିଭାଗୀୟ ଶାସନ ସଚିବ।

କାର୍ଯ୍ୟକ୍ରମରେ ବି.କେ କଲେଜ୍ ଅଫ୍ ଆର୍ଟ୍ସର ଅଧ୍ୟକ୍ଷ ଗଜେନ୍ଦ୍ର କୁମାର ପାଢୀ ଆଧୁନିକ ଯୁଗରେ ଚିତ୍ରକଳା ସମ୍ପର୍କରେ ଗୁରୁତ୍ବ ଦେଇଥିଲେ। ଅନ୍ୟତମ ବକ୍ତା ଭାବେ ଶ୍ରୀଯୁକ୍ତ ମାନସ କୁମାର ଜେନା, ଜନଜାତିଙ୍କ ଚିତ୍ରକଳାର ସୃଜନତା ଉପରେ ବକ୍ତବ୍ୟ ରଖିଥିଲେ। ଅନୁଷ୍ଠାନର ସ୍ବତନ୍ତ୍ର ଅଧିକାରୀ ଶ୍ରୀ ସମରେନ୍ଦ୍ର ଭୂତିଆ ଅତିଥି ମାନଙ୍କୁ ସ୍ବାଗତ ଜଣାଇବା ସହ କାର୍ଯ୍ୟକ୍ରମର ସଞ୍ଚାଳନ କରିଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରତିଷ୍ଠାନର ଉପନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ରଥ।

ଏହି ପ୍ରଦର୍ଶନୀ ୧୮ ତାରିଖ ଯାଏଁ ଚାଲିବ। ଏଥିସହିତ ଜନଜାତୀୟ ଗୌରବ ଦିବସ ଅବସରରେ ଓଡିଶା ରାଜ୍ୟ ଜନଜାତି ସଂଗ୍ରହାଳୟରେ ଛାତ୍ର ଯୋଗଦାନ କାର‌୍ୟ୍ୟକ୍ରମ ଓ ଜନଜାତି କବି ସମ୍ମିଳନୀର ମଧ୍ୟ ଆୟୋଜନ କରାଯିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ଦିଲ୍ଲୀରେ ଉଦଘାଟିତ ହେଲା ଓଡ଼ିଶା ଆଦିବାସୀ ଚିତ୍ରକଳା ପ୍ରଦର୍ଶନୀ

ନୂଆଦିଲ୍ଲୀ: ଓଡ଼ିଶା ଲଳିତ କଳା ଏକାଡ଼େମୀ ଓ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ନୂଆଦିଲ୍ଲୀର ହେବିଟେଟ୍ ସେଣ୍ଟରଠାରେ ଅବସ୍ଥିତ ଭିଜୁଆଲ୍ ଆର୍ଟ ଗ୍ୟାଲେରୀରେ ଉଦଘାଟିତ ହୋଇଯାଇଛି ଓଡ଼ିଶାର ଆଦିବାସୀ ଚିତ୍ରକଳା ପ୍ରଦର୍ଶନୀ।

ପ୍ରଦର୍ଶନୀକୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ମଧୁସୂଦନ ପାଢୀ ମୁଖ୍ୟ ଅତିଥି ରୂପେ ଉଦଘାଟନ କରି ଆଦିବାସୀ ଚିତ୍ରକଳାର ବିକାଶ ସହିତ ଶିଳ୍ପୀମାନଙ୍କୁ ଆଧୁନିକ କଳା ସ୍ରୋତରେ ସାମିଲ କରେଇବା ପାଇଁ ଲଳିତ କଳା ଏକାଡ଼େମୀର ପ୍ରୟାସକୁ ପ୍ରଶଂସା କରିଥିଲେ।

ଏହି ଅବସରରେ ଏକାଡ଼େମୀର ସଭାପତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରଥମ ଥର ଓଡ଼ିଶା ଲଳିତ କଳା ଏକାଡ଼େମୀ ତରଫରୁ ଗତ ଜୁଲାଇ ମାସରେ ବାଙ୍ଗାଲୋର ଠାରେ ଆଦିବାସୀ ଶିଳ୍ପୀମାନଙ୍କ ଶିବିର ସହିତ ପ୍ରଦର୍ଶନୀ ଓ ଏବେ ଦିଲ୍ଲୀରେ ସେଗୁଡ଼ିକର ପ୍ରଦର୍ଶନୀ କରି ଆଦିବାସୀ ଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ସୃଜନଶୀଳ କଳାକୁ ଉତ୍ତମ ସମ୍ମାନ ଦେବାପାଇଁ ଏକାଡ଼େମୀ ପ୍ରୟାସ କରିଥିବା ପ୍ରକାଶ କରିଥିଲେ।

ଏକାଡ଼େମୀର କାର‌୍ୟ୍ୟକାରୀ ସଦସ୍ୟ ତଥା ବରିଷ୍ଠ ଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁଙ୍କ ତତ୍ୱାବଧନରେ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ପ୍ରାରମ୍ଭରେ ଏକାଡ଼େମୀର ସଚିବ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ ଅତିଥି ପରିଚୟ ପ୍ରଦାନ କରିବା ସହିତ ଅତିଥି ତଥା ଉପସ୍ଥିତ ଶିଳ୍ପୀମାନଙ୍କୁ ସ୍ଵାଗତ କରିଥିଲେ। ଉକ୍ତ ପ୍ରଦର୍ଶନୀରେ ଓଡ଼ିଶାର ପ୍ରମୁଖ ଆଦିବାସୀ ଚିତ୍ର ସୌରା ଚିତ୍ରକଳା ସହିତ ରାଜ୍ୟର ଅନ୍ୟ ଜନଜାତୀମାନଙ୍କ ଚିତ୍ରକଳା ସ୍ଥାନ ପାଇଥିଲା। ମୋଟ ୪୦ଟି ଚିତ୍ରକଳା ମଧ୍ୟରୁ କିଛି ମୌଳିକ ଆଦିବାସୀ ଚିତ୍ରକଳା ଥିବା ବେଳେ ଅନ୍ୟ କିଛି ଚିତ୍ର ଆଧୁନିକତାର ସ୍ପର୍ଶରେ ବେଶ ବଳିଷ୍ଠ ହୋଇଥିଲା।

ଚିତ୍ରଗୁଡିକରେ ଆଦିବାସୀ ମାନଙ୍କର ଜୀବନ ଜାପନ ଶୈଳୀ, ଫସଲ ଅମଳ, ବିଲ ବେଉଷଣ, ଜଙ୍ଗଲରୁ ଖାଦ୍ୟ ସଂଗ୍ରହ, ନାଚରେ ମସଗୁଲ ଆଦିବାସୀ, ପ୍ରକୃତିର ଚିତ୍ରଣ ସହ ଜୀବଜନ୍ତୁଙ୍କ ଚିତ୍ର ବେଶ ଆକର୍ଷଣୀୟ ହୋଇଥିଲା। କିଛି ଚିତ୍ରରେ ଆଦିବାସୀ ମାନଙ୍କର ପୂଜା ପାର୍ବଣକୁ ନେଇ ସୃଜନଶୀଳ ଚିତ୍ରମାନ ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ଦିଲ୍ଲୀରେ ରହୁଥିବା ବହୁ ଓଡିଆ ଚିତ୍ରଶିଳ୍ପୀ ଓ କଳାନୁରାଗୀ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ। ପ୍ରଦର୍ଶନୀ ଆସନ୍ତା ଅଗଷ୍ଟ ୨୬ ପର‌୍ୟ୍ୟନ୍ତ ଶିଳ୍ପୀ ଓ ସର୍ବ ସାଧାରଣଙ୍କ ପାଇଁ ଖୋଲା ରହିବ।