Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅବସର ଗ୍ରହଣ କଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀ

ଭୁବନେଶ୍ୱର: ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢୀ ଆଜି ସରକାରୀ ଚାକିରିରୁ ଅବସରଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ଣରେ ଲୋକସେବା ଭବନସ୍ଥିତ ବିଭାଗର ସମ୍ମିଳନୀ କକ୍ଷରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।

ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ମନସ୍ୱିନୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ଅବସର ଗ୍ରହଣ କରୁଥିବା ବରିଷ୍ଠ ପ୍ରଶାସକ ଶ୍ରୀ ପାଢୀଙ୍କ କର୍ମମୟ ଜୀବନ ସଂପର୍କରେ ଆଲୋକପାତ କରିବା ସହ ତାଙ୍କର ଅବସର କାଳୀନ ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ।

ସମ୍ବର୍ଦ୍ଧନା ଗ୍ରହଣ ପରିପ୍ରେକ୍ଷୀରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ ତାଙ୍କର ଚାକିରୀ ଜୀବନର ଅନୁଭୂତି ଓ ଅଭିଜ୍ଞତା ସଂପର୍କରେ ପ୍ରକାଶ କରିଥିଲେ । ଭୁବନେଶ୍ୱର ସୈନିକସ୍କୁଲରୁ ଦ୍ୱାଦଶରେ ପାଶ୍ କରିବା ପରେ ଆର୍.ଇ.ସି., ରାଉରକେଲାରୁ ଇଂଜିନିୟରିଂରେ ସ୍ନାତକରେ ଉତ୍ତୀର୍ଣ୍ଣ ହେବା ଏବଂ ଭାରତୀୟ ପ୍ରଶାସନିକ ସେବାରେ କୃତକାର‌୍ୟ୍ୟ ହୋଇ ସରକାରୀ ଚାକିରିରେ ଯୋଗଦେବାଠାରୁ ଆରମ୍ଭ କରି ଅବସରଗ୍ରହଣ ପର‌୍ୟ୍ୟନ୍ତ ସେ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ, ଉତ୍ତରାଂଚଳ ରାଜସ୍ୱ ଆୟୁକ୍ତ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ଶାସନ ସଚିବ ଭାବେ ନିଷ୍ଠାର ସହ କାର‌୍ୟ୍ୟ ସମ୍ପାଦନ ସମ୍ପର୍କରେ ବର୍ଣ୍ଣନା କରିଥିଲେ ।

ପ୍ରକାଶ ଥାଉକି , ଶ୍ରୀ ପାଢ଼ୀ ମଧ୍ୟ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ, ସୂଚନା ଓ ଲୋକସମ୍ପର୍କ, ବାଣିଜ୍ୟ ଓ ପରିବହନ, ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ଆଦି ବିଭିନ୍ନବିଭାଗରେ ଶାସନ ସଚିବ ଭାବେ ସୁଚାରୁରୂପେ କାର‌୍ୟ୍ୟ ସମ୍ପାଦନ କରି ସବୁଠି ଉଲ୍ଲେଖନୀୟ ଛାପ ଛାଡ଼ିଛନ୍ତି କ୍ଷସଂପ୍ରତି ବୈଷୟିକ ଜ୍ଞାନର ଉପଯୋଗ କରି କିପରି ସହଜ ଓ ସରଳ ଭାବେ କାର‌୍ୟ୍ୟ କରାଯାଇପାରେ, ସେ ସଂପର୍କରେ ଶ୍ରୀ ପାଢୀ କହିଥିଲେ ।

ବିଭିନ୍ନ କାର‌୍ୟ୍ୟକ୍ରମ ଓ ଯୋଜନା ପ୍ରସ୍ତୁତି ବେଳେ କିପରି ବହୁଲୋକ ଉପକୃତ ହେବେ, ତାହାକୁ ଦୃଷ୍ଟିରେ ରଖି କାର‌୍ୟ୍ୟ କରିବା ଆବଶ୍ୟକ ବୋଲି ଶ୍ରୀ ପାଢୀ କହିଥିଲେ, ଯାହାକୁ ସେ କାର‌୍ୟ୍ୟରେ ପ୍ରତିଫଳିତକରୁଥିଲେ କ୍ଷଅବସରଗ୍ରହଣ କରିଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀଙ୍କର ସଂସ୍କୃତି ବିଭାଗରେ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା (ସି.ଟି.ଏମ୍.ଏସ୍), ବିଭାଗରେ ପ୍ରକଳ୍ପ ପରିଚାଳନା ବ୍ୟବସ୍ଥା(ପି.ଏମ୍.ୟୁ.) ଏବଂ ବିଭାଗର ୱେବ୍ ସାଇଟ୍ ସୁପରିଚାଳନାରେ ଆଦିରେ ପ୍ରମୁଖ ଭୂମିକା ରହିଥିଲା।

ଅବସରକାଳୀନ ସଂବର୍ଦ୍ଧନା ସଭାରେ ଅଧିକାରୀ ଓ କର୍ମଚାରୀମାନେ ଶ୍ରୀ ପାଢୀଙ୍କୁ ଜଣେ ସରଳମେଳାପୀ, ମାନବବାଦୀ ଚିନ୍ତାଧାରର ବ୍ୟକ୍ତି ଭାବେ ଅଭିହିତ କରିବା ସହିତ ଏକ ନୀତିନିଷ୍ଠ ପ୍ରଶାସକ ଭାବେ ତାଙ୍କର କର୍ତ୍ତବ୍ୟପରାୟଣତା ଓ କାର‌୍ୟ୍ୟକରିବାର ଶୈଳୀ ସବୁବେଳେ ସମସ୍ତଙ୍କୁ ଅନୁପ୍ରାଣିତ କରୁଥିବ ବୋଲି କହିଥିଲେ।

ବୈଠକରେ ବିଭାଗର ଯୁଗ୍ମ ଶାସନ ସଚିବ ଅତସୀ ଦାସ,ଉପ ଶାସନ ସଚିବ ଶ୍ରୀ ଅମୂଲ୍ୟ ନାୟକ, ଶ୍ରୀ ସଂଜୟ କୁମାର ମିଶ୍ର, ଅର୍ଥ ପରାମର୍ଶଦାତା ପଦ୍ମଜ୍ୟୋତି ସାହୁ, ଅନୁ ଶାସନ ସଚିବ ମାଥିୟାସ ତିର୍କୀ, ଶୁଭଶ୍ରୀ ପ୍ରଧାନ,ସ୍ୱତନ୍ତ୍ର ଅଧିକାରୀ ହଳଧର ନାୟକ, ଅନୁ ଶାସନ ସଚିବ ଶ୍ରୀ ଲଷ୍ମୀଧର ବେହେରା ପ୍ରମୁଖ ଯୋଗଦେଇ ବିଦାୟ ନେଉଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ।

ଶ୍ରୀ ପାଢୀଙ୍କର ସ୍ନେହ, ଶ୍ରଦ୍ଧାକୁ ପାଥେୟ କରି ସଂସ୍କୃତି ବିଭାଗ ଆଗକୁ ଭଲକାମ କରିବା ସହିତ ବିଭାଗୀୟ କାର‌୍ୟ୍ୟରେ ସେ ଯେଉଁ ରୂପାନ୍ତରଣ ଆଣିଥିଲେ , ତାହାକୁ ଜାରି ରଖିବା ଓ ତାଙ୍କର ସ୍ୱପ୍ନର ଅଧୁରା କାର‌୍ୟ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରଚେଷ୍ଠା ଜାରି ରଖିବାକୁ କହିଥିଲେ।ଏହି ଅବସରରେ ବିଭାଗର ସାଂସ୍କୃତିକ ପରିଷଦ ତରଫରୁ ପୂର୍ବରୁ ଅନୁଷ୍ଠିତ ସାଂସ୍କୃତିକ କାର‌୍ୟ୍ୟକ୍ରମର ଅଂଶଗ୍ରହଣକାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ

ଭୁବନେଶ୍ବର: ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଆଜି ସଂଧ୍ୟାରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର‌୍ୟ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଓଡିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢୀ ଯୋଗଦେଇ ପ୍ରଦୀପ ପ୍ରଜଜ୍ଜ୍ୱନ ପୂର୍ବକ ଉଦଘାଟନ କରିଥିଲେ। ଏହି ଉପଲକ୍ଷେ ପରିଷଦ ତରଫରୁ ଏକ ନାଟକ ‘ଏ ଦୁନିଆ ସ୍ୱାର୍ଥପର’ ଅନୁଷ୍ଠିତ ହୋଇଥିଲା। ଜୀବନ ଧର୍ମୀ କାହାଣୀ ସଂପର୍କିତ ଏହି ନାଟକକୁ ଗୋଲକ ମହାରଣା ରଚନା କରିଥିବା ବେଳେ ହରେନ୍ ସାହୁନିର୍ଦ୍ଦେଶନା ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ କହିଲେ ଯେ, ସଂସ୍କୃତି ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ବର୍ଷସାରା ସବୁବେଳେ ବିଭିନ୍ନ ସାଂସ୍କୃତିକ କାର‌୍ୟ୍ୟକ୍ରମ ନିମନ୍ତେ ସାଂସ୍କୃତିକ ଦଳ ପ୍ରେରଣ ଓ ଅନ୍ୟାନ୍ୟ ବିଭାଗୀୟ କାର‌୍ୟ୍ୟକ୍ରମରେ ବ୍ୟସ୍ତ ରହିଥାନ୍ତି। ତେବେ ଓଡିଆ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସେମାନେ ସମୟ ବାହାର କରି ସାଂସ୍କୃତିକ ପରିଷଦ ମାଧ୍ୟମରେ ନାଟକ ଆଦି ସାଂସ୍କୃତିକ କାର‌୍ୟ୍ୟକ୍ରମ ଆୟୋଜନ କରୁଥିବା ଅତ୍ୟନ୍ତ ଆନନ୍ଦର ବିଷୟ ।ବିଭିନ୍ନ ସାଂସ୍କୃତିକ କାର‌୍ୟ୍ୟକ୍ରମ ପାଇଁ ବିଭାଗର କାର‌୍ୟ୍ୟଧାରାକୁ ସହଜ କରିବା ପାଇଁ ସମସ୍ତ ସାସ୍କୃତିକ ଅନୁଷ୍ଠାନମାନଙ୍କୁ ସାଂସ୍କୃତିକ ଦଳ ପରିଚାଳନା ଅନ୍ ଲାଇନ୍ ବ୍ୟବସ୍ଥା ଆପଣେଇ ସ୍ୱତଃପ୍ରବୃତ ଭାବେ ପଂଜୀକରଣ କରିବାକୁ କହିଥିଲେ।

ସମ୍ମାନିତ ଅତିଥି ଭାବେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ରଂଜନ କୁମାର ଦାସ ଯୋଗଦେଇ ସାଂସ୍କତିକ ପରିଷଦର ସମସ୍ତ କର୍ମକର୍ତ୍ତାମାନଙ୍କୁ ଉତ୍ସାହିତ କରିବା ସହିତ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେଉଥିବା ପ୍ରତ୍ୟେକ ସାସ୍କୃତିକ କାର‌୍ୟ୍ୟକ୍ରମ ସଂସ୍କୃତିପ୍ରେମୀଙ୍କ ପାଇଁ ମନଛୁଆଁ ହେଉବୋଲି କହିଥିଲେ। କାର‌୍ୟ୍ୟକ୍ରମରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ମନସ୍ୱିନୀ ସାହୁ ଯୋଗଦେଇ ଆମର ଭାଷା ଓ ସାହିତ୍ୟ ଆମର ସଂସ୍କୃତି ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ ବୋଲି କହିଥିଲେ । ପରିଷଦର ସଭାପତି ଶ୍ରୀ ମାଥିୟାସ ତିର୍କୀ ୧୯୭୯ ମସିହାରୁ ସ୍ଥାପିତ ଏହି ସାଂସ୍କୃତିକ ପରିଷଦ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ପ୍ରୟାସ ଜାରି ରଖିଥିବା କହିଥିଲେ।

କାର‌୍ୟ୍ୟକ୍ରମର ପ୍ରାରମ୍ଭରେ ଚଳିତ ବର୍ଷ ବିଭାଗର କନିଷ୍ଠ ଯନ୍ତ୍ରୀ ଶ୍ରୀ ଶୁଭାଶିଷ ପୃଷ୍ଟିଙ୍କ ବିୟୋଗର ସ୍ମୃତିରେ ୧ ମିନିଟ୍ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା। ପରିଷଦ ତରଫରୁ ପ୍ରକାଶିତ ସ୍ମରଣିକା “ ସଂସ୍କୃତି ଦର୍ପଣ” ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।ସାସ୍କୃତିକ ପରିଷଦ ତରଫରୁ ବିଭାଗର ବିଭିନ୍ନଶାଖାର ମୁଖ୍ୟ ଓ ବରିଷ୍ଠ ପଦାଧିକାରୀ ଏବଂ ନାଟକରେ ଅଂଶଗ୍ରହଣ କରିଥିବା ସମସ୍ତ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଆୟୋଜିତ ପାରଂପରିକ ବେଶ ପ୍ରତିଯୋଗିତା, ମ୍ୟୁଜିକ୍ ଚେୟାର, ହୁଳହୁଳି ଓ ଶଙ୍ଖବାଦନ ଆଦି ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

ଗୁରୁ ପ୍ରଦୀପ କୁମାର ଓ ସାଥୀଙ୍କ ପରିଚାଳନାରେ “ବନ୍ଦେ ଉତ୍କଳ ଜନନୀ” ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା। ବିଶିଷ୍ଟ ଉପସ୍ଥାପକ ଡଃ.ମୃତ୍ୟୁଞ୍ଜୟ ରଥ କାର‌୍ୟ୍ୟକ୍ରମ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗର ସମସ୍ତ ବରିଷ୍ଠ ପଦାଧିକାରୀ ଏବଂପରିଷର ସଂପାଦକ ଶ୍ରୀ ମୃତ୍ୟୁଞ୍ଜୟ ଦଳବେହେରାଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ରାଜ୍ୟ ସଂଗ୍ରହାଳୟରେ ଆରମ୍ଭ ହେଲା କଣ୍ଢେଇ ପ୍ରଦର୍ଶନୀ, ଦର୍ଶକଙ୍କୁ କରୁଛି ଆକର୍ଷିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଆନୁକୂଲ୍ୟରେ ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ଆରମ୍ଭ ହୋଇଛି କଣ୍ଢେଇ ପ୍ରଦର୍ଶନୀ। ଏହାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢ଼ୀ ପରିଦର୍ଶନ କରି କହିଛନ୍ତି ଯେ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଆୟୋଜିତ ଏହି ପ୍ରଦର୍ଶନୀ ଓ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କୁ ପ୍ରଭାବିତ କରିବ ।

ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଆଜି ରାଜ୍ୟ ସଂଗ୍ରହାଳୟରେ ‘ଗାନ୍ଧିଜୀ ଓ ତିନି ମାଙ୍କଡ଼’ ଶୀର୍ଷକ ନେଇ କଣ୍ଢେଇ ପ୍ରଦର୍ଶନୀ ଆରମ୍ଭ ହୋଇଛି । ଏହି ପ୍ରଦର୍ଶନୀ ୧୫ ଦିନ ଧରି ଚାଲିବ । ପ୍ରଦର୍ଶନୀରେ ହଜାର ହଜାର ବିଭିନ୍ନ ପ୍ରକାରର କଣ୍ଢେଇ ରଖାଯାଇଛି । ପରବର୍ତ୍ତୀ ସମୟରେ ସଂଗ୍ରହାଳୟରେ ଆରମ୍ଭ ହେବାକୁ ଥିବା କଣ୍ଢେଇ ଗ୍ୟାଲେରୀରେ ଏଗୁଡ଼ିକୁ ସ୍ଥାନିତ କରାଯିବ ବୋଲି ସଂଗ୍ରହାଳୟର ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲ ପ୍ରକାଶ କରିଛନ୍ତି । ଏପରି ପ୍ରଦର୍ଶନୀ ଛାତ୍ରଛାତ୍ରୀମାନଙ୍କୁ ସଂଗ୍ରହାଳୟ ସହିତ ଅଧିକ ନିକଟତର କରିବ ଓ ସେମାନେ ଆମ ସାଂସ୍କୃତିକ ସଂପଦଗୁଡ଼ିକ ଉପରେ ଅଧିକ ମାତ୍ରାରେ ଅବଗତ ହେବେ ବୋଲି ସେ କହିଛନ୍ତି ।

ରାଜ୍ୟ ସଂଗ୍ରହାଳୟକୁ ଭୁବନେଶ୍ୱରର ସୁରେଶ ବଳବନ୍ତରାୟ ଫାଉଣ୍ଡେସନ୍‌ ପକ୍ଷରୁ ପ୍ରାୟ ୪ ହଜାର କଣ୍ଢେଇ ପ୍ରଦାନ କରାଯାଇଛି। ପ୍ରଦର୍ଶନୀ ଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର, ସାହିତି୍ୟକ ଡ. ଫଣୀନ୍ଦ୍ର ଭୂଷଣ ନନ୍ଦ, ଫାଉଣ୍ଡେସନ୍‌ର ସଭାପତି ଡ. ହରେକୃଷ୍ଣ ପାତ୍ର, ଟ୍ରଷ୍ଟି ପ୍ରଫୁଲ୍ଲ ଚନ୍ଦ୍ର ଧୀର, ଜାଭିୟର ଇନ୍‌ଷ୍ଟିଚୁ୍ୟଟ୍‌ର ନିର୍ଦ୍ଦେଶକ ଅଜିତ କୁମାର ଦାସ, ଫାଉଣ୍ଡେସନ୍‌ର ସଦସ୍ୟ ସୂର୍ଯ୍ୟ ମିଶ୍ର, ଡ. ଦେବାଶିଷ ମହାପାତ୍ର, ପବିତ୍ର ପ୍ରଧାନ, ସୁଧୀର ମଉଡ଼ମଣି ଓ ସଂପାଦିକା ଅଧ୍ୟାପିକା ଡ. ଅନ୍ୟା ଅନୁରୂପା ପ୍ରମୁଖ ଉପସ୍ଥିତ ଥିଲେ। ଅନିନ୍ଦିତା ଦାସ ଗାନ୍ଧିଜୀଙ୍କ ପ୍ରିୟ ଭଜନ ‘ବୈଷ୍ଣବ ଜନ ତୋ’ ଗାନ କରିଥିଲେ । ସଂଗ୍ରହାଳୟ ପକ୍ଷରୁ ଭାରତୀ ପାଲ ଧନ୍ୟବାଦ ଅର୍ପଣ କରିଥିଲେ।

କଣ୍ଢେଇ ପ୍ରଦର୍ଶନୀ ବୁଲିବା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଆଜି ସଂଗ୍ରହାଳୟରେ ପହଞ୍ଚିଥିଲେ । ସେମାନେ ଧାଡ଼ିବାନ୍ଧି ପ୍ରଦର୍ଶନୀ ବୁଲି ଦେଖିଥିଲେ । ଆଜି ପ୍ରାୟ ହଜାରେ ଛାତ୍ରଛାତ୍ରୀ ପ୍ରଦର୍ଶନୀ ବୁଲିଥିବାବେଳେ ଆସନ୍ତା ଦିନଗୁଡ଼ିକରେ ସେମାନଙ୍କ ସଂଖ୍ୟା ଢେର ବୃଦ୍ଧି ପାଇବ ବୋଲି ସଂଗ୍ରହାଳୟ ପକ୍ଷରୁ କୁହାଯାଇଛି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଧଉଳି ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ, ଅକ୍ଟୋବର ୨୮ ରେ ମୁଖ୍ୟ ଉତ୍ସବ

ଭୁବନେଶ୍ୱର: ୧୯୭୨ ମସିହାରେ ଧଉଳି ପାହାଡରେ ପ୍ରତିଷ୍ଠିତ ବିଶ୍ୱବିଦିତ ଶାନ୍ତିସ୍ତୁପ ଏବଂ ବୌଦ୍ଧ ପୁଣ୍ୟପୀଠ ଚଳିତ ବର୍ଷ ୫୦ ବର୍ଷ ପୁରଣ କରୁଛି । ଏହାକୁ ସ୍ମରଣୀୟ କରିବା ନିମନ୍ତେ ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି।

ଏହି ଉପଲକ୍ଷେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢ଼ୀ ଉତ୍ସବ ପାଳନ ସମ୍ବନ୍ଧିତ କାର୍ଯ୍ୟକ୍ରମ ଏବଂ ପରିଚାଳନା ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ।

ଚଳିତ ବର୍ଷ ଅକ୍ଟୋବର ୨୮ ତାରିଖ ଦିନ ମୁଖ୍ୟ ଉତ୍ସବ ପାଳନ ନିମନ୍ତେ ସ୍ଥିର ହୋଇଥିଲା। ଏଥିରେ ପୃଥିବୀର ବିଭିନ୍ନ ଦେଶରୁ ପ୍ରାୟ ୧୫୦ ବୌଦ୍ଧ ସନ୍ୟାସୀ ଯୋଗ ଦେବାର ସମ୍ଭାବନା ଅଛି । ମୁଖ୍ୟ ଉତ୍ସବ ଦିନ ଭୁବନେଶ୍ୱରରୁ ଧଉଳି ପର୍ଯ୍ୟନ୍ତ ଏକ ଶାନ୍ତି ଶୋଭାଯାତ୍ରା ଆୟୋଜିତ ହେବ।

ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ପ୍ରସ୍ତୁତିର ଅଗ୍ରଗତି ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ଶାନ୍ତି ସ୍ତୁପ ଓଡ଼ିଶାର ଅନ୍ୟଏକ ପରିଚୟ । ଓଡ଼ିଶା ସରକାର ଏବଂ କଳିଙ୍ଗ ନିପ୍ପୋନ୍ ବୁଦ୍ଧ ସଂଘ ସହଭାଗିତାରେ ପ୍ରତିଷ୍ଠିତ ଏହି କିର୍ତ୍ତୀସ୍ତମ୍ଭ ବହୁସଂଙ୍ଖ୍ୟକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ। ତେଣୁ ଏହାର ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ଆର୍ଥିକ ଏବଂ ପ୍ରଶାସନିକ ସହଯୋଗ ଯୋଗାଇ ଦିଆଯିବ।

ବର୍ତ୍ତମାନ ଓଡ଼ଶା ସରକାରଙ୍କ ତରଫରୁ ପ୍ରାୟ ୧.୮୭ କୋଟି ଟଙ୍କା ବ୍ୟୟବରାଦରେ କରାଯାଉଥିବା ଶାନ୍ତିସ୍ତୁପ ସଂରକ୍ଷଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚଳିତ ମାସ ଶେଷସୁଦ୍ଧା ସାରିବା ପାଇଁ ଶ୍ରୀ ମହାପାତ୍ର ପୁର୍ତ୍ତ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶାନ୍ତିସ୍ତୁପକୁ ସଂଯୋଗ କରୁଥିବା ରାସ୍ତାର ନବୀକରଣ ଓ ଆଲୋକିକରଣ କାର୍ଯ୍ୟ ଉତ୍ସବର ବହୁ ଆଗରୁ ସାରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ଉପସ୍ଥିତ ପଦ୍ମବିଭୁଷଣ ଶ୍ରୀ ସୁଦର୍ଶନ ସାହୁ କହିଥିଲେ ଯେ ସଂରକ୍ଷଣ କାର୍ଯ୍ୟ ଦେଖିବା ପାଇଁ ଜାପାନରୁ ଆସିଥିବା ବୈଷୟିକ ଯନ୍ତ୍ରୀମାନେ ଓଡ଼ିଶା ସରକାରଙ୍କ ଦ୍ୱାରା କରାଯାଉଥିବା ଗୁଣାତ୍ମକମାନ କାର୍ଯ୍ୟର ପ୍ରଶଂସା କରିଥିଲେ। ଧଉଳିର ମୁଖ୍ୟ ସନ୍ୟାସୀ ମଧ୍ୟ ଏହି କାର୍ଯ୍ୟର ମାନ ଏବଂ ଅଗ୍ରଗତି ବିଷୟରେ ସନ୍ତୋଷ ପ୍ରକାଶ କରିଥିଲେ।

ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ମଞ୍ଚ ପ୍ରସ୍ତୁତି, ସାଜସଜ୍ଜା, ବିଭିନ୍ନ ଦେଶରୁ ଆସୁଥିବା ସନ୍ୟାସୀ ଓ ପ୍ରତିନିଧି ମାନଙ୍କର ଆଗମନ, ରହଣୀ, ଉତ୍ସବରେ ଯୋଗଦାନ, ଆତିଥ୍ୟ ଆଦି ବିଷୟରେ ସବିଶେଷ ଯୋଜନା ଏବଂ ଖର୍ଚ୍ଚ ଆକଳନ କରି ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଦାଖଲ କରିବା ପାଇଁ ଶ୍ରୀ ମହାପାତ୍ର ସ୍ଥାନୀୟ ଧଉଳି ଉନ୍ନୟନ କମିଟିଙ୍କୁ ପରାମର୍ଶ ଦେଇଥିଲେ। ଏହି କମିଟି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ କରିବ।

ଧଉଳିରେ ସ୍ଥାପନ କରାଯାଇଥିବା ବିଭିନ୍ନ ପ୍ରକାର ପର୍ଯ୍ୟଟକ ସୁବିଧା କେନ୍ଦ୍ର, ରାସ୍ତା ଆଲୋକ ଆଦିର ରକ୍ଷଣା ବେକ୍ଷଣ ଓ ପରିସରର ପରିଚ୍ଛନ୍ନତା ଆଦି କାର୍ଯ୍ୟ ନିୟମିତ ଭାବେକରିବା ପାଇଁ ଏହି ସ୍ଥାନୀୟ କମିଟିଙ୍କୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ କମିଟି ପ୍ରବେଶ ଟିକେଟ ଓ ପାର୍କିଂ ଟିକେଟ ଆଦିରୁ ସଂଗୃହିତ ରାଶି ବିନିଯୋଗ କରିବେ।

ଶାନ୍ତିସ୍ତୁପ ପାଦଦଶ ପ୍ଲାଟଫର୍ମର ନବୀକରଣ, ଆଲୋକ ଏବଂ ଶବ୍ଦ ପ୍ରଦର୍ଶନୀର ନବୀକରଣ ଏବଂ ପୁନଃଆରମ୍ଭ ଦୁରରୁ ସ୍ତୁପର ଦୃଶ୍ୟକୁ ଅବରୋଧ କରୁଥିବା ବୃକ୍ଷଡାଳ ଆଦିର ସଜ୍ଜୀକରଣ, ରାସ୍ତା ଆଲୋକିକରଣ, ହସ୍ତଶିଳ୍ପ ବଜାର ଏବଂ ସପିଂକମ୍ପେଲକ୍ସକୁ ବ୍ୟବସାୟ ଅନୁକୁଳ ଉପଯୁକ୍ତ ଯାଗାକୁ ସ୍ଥାନାନ୍ତରଣ ଆଦି ବିଷୟରେ ଆଲୋଚନା ହୋଇ ସେସବୁର ସମାଧାନ ପନ୍ଥା ନିର୍ଦ୍ଧାରଣ କରାଯାଇଥିଲା।

ପଦ୍ମ ବିଭୁଷଣ ସୁଦର୍ଶନ ସାହୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢ଼ୀ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ସଚ୍ଚିନ୍ ରାମଚନ୍ଦ୍ର ଯାଦବ, ସୂଚନା ଓ ଲୋକ ସଂପର୍କ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ରଂଜନ କୁମାର ଦାସଙ୍କ ସମେତ ଧଉଳିର ମୁଖ୍ୟ ସନ୍ୟାସୀ ଓ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ଦିଲ୍ଲୀରେ ଉଦଘାଟିତ ହେଲା ଓଡ଼ିଶା ଆଦିବାସୀ ଚିତ୍ରକଳା ପ୍ରଦର୍ଶନୀ

ନୂଆଦିଲ୍ଲୀ: ଓଡ଼ିଶା ଲଳିତ କଳା ଏକାଡ଼େମୀ ଓ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ନୂଆଦିଲ୍ଲୀର ହେବିଟେଟ୍ ସେଣ୍ଟରଠାରେ ଅବସ୍ଥିତ ଭିଜୁଆଲ୍ ଆର୍ଟ ଗ୍ୟାଲେରୀରେ ଉଦଘାଟିତ ହୋଇଯାଇଛି ଓଡ଼ିଶାର ଆଦିବାସୀ ଚିତ୍ରକଳା ପ୍ରଦର୍ଶନୀ।

ପ୍ରଦର୍ଶନୀକୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ମଧୁସୂଦନ ପାଢୀ ମୁଖ୍ୟ ଅତିଥି ରୂପେ ଉଦଘାଟନ କରି ଆଦିବାସୀ ଚିତ୍ରକଳାର ବିକାଶ ସହିତ ଶିଳ୍ପୀମାନଙ୍କୁ ଆଧୁନିକ କଳା ସ୍ରୋତରେ ସାମିଲ କରେଇବା ପାଇଁ ଲଳିତ କଳା ଏକାଡ଼େମୀର ପ୍ରୟାସକୁ ପ୍ରଶଂସା କରିଥିଲେ।

ଏହି ଅବସରରେ ଏକାଡ଼େମୀର ସଭାପତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରଥମ ଥର ଓଡ଼ିଶା ଲଳିତ କଳା ଏକାଡ଼େମୀ ତରଫରୁ ଗତ ଜୁଲାଇ ମାସରେ ବାଙ୍ଗାଲୋର ଠାରେ ଆଦିବାସୀ ଶିଳ୍ପୀମାନଙ୍କ ଶିବିର ସହିତ ପ୍ରଦର୍ଶନୀ ଓ ଏବେ ଦିଲ୍ଲୀରେ ସେଗୁଡ଼ିକର ପ୍ରଦର୍ଶନୀ କରି ଆଦିବାସୀ ଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ସୃଜନଶୀଳ କଳାକୁ ଉତ୍ତମ ସମ୍ମାନ ଦେବାପାଇଁ ଏକାଡ଼େମୀ ପ୍ରୟାସ କରିଥିବା ପ୍ରକାଶ କରିଥିଲେ।

ଏକାଡ଼େମୀର କାର‌୍ୟ୍ୟକାରୀ ସଦସ୍ୟ ତଥା ବରିଷ୍ଠ ଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁଙ୍କ ତତ୍ୱାବଧନରେ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ପ୍ରାରମ୍ଭରେ ଏକାଡ଼େମୀର ସଚିବ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ ଅତିଥି ପରିଚୟ ପ୍ରଦାନ କରିବା ସହିତ ଅତିଥି ତଥା ଉପସ୍ଥିତ ଶିଳ୍ପୀମାନଙ୍କୁ ସ୍ଵାଗତ କରିଥିଲେ। ଉକ୍ତ ପ୍ରଦର୍ଶନୀରେ ଓଡ଼ିଶାର ପ୍ରମୁଖ ଆଦିବାସୀ ଚିତ୍ର ସୌରା ଚିତ୍ରକଳା ସହିତ ରାଜ୍ୟର ଅନ୍ୟ ଜନଜାତୀମାନଙ୍କ ଚିତ୍ରକଳା ସ୍ଥାନ ପାଇଥିଲା। ମୋଟ ୪୦ଟି ଚିତ୍ରକଳା ମଧ୍ୟରୁ କିଛି ମୌଳିକ ଆଦିବାସୀ ଚିତ୍ରକଳା ଥିବା ବେଳେ ଅନ୍ୟ କିଛି ଚିତ୍ର ଆଧୁନିକତାର ସ୍ପର୍ଶରେ ବେଶ ବଳିଷ୍ଠ ହୋଇଥିଲା।

ଚିତ୍ରଗୁଡିକରେ ଆଦିବାସୀ ମାନଙ୍କର ଜୀବନ ଜାପନ ଶୈଳୀ, ଫସଲ ଅମଳ, ବିଲ ବେଉଷଣ, ଜଙ୍ଗଲରୁ ଖାଦ୍ୟ ସଂଗ୍ରହ, ନାଚରେ ମସଗୁଲ ଆଦିବାସୀ, ପ୍ରକୃତିର ଚିତ୍ରଣ ସହ ଜୀବଜନ୍ତୁଙ୍କ ଚିତ୍ର ବେଶ ଆକର୍ଷଣୀୟ ହୋଇଥିଲା। କିଛି ଚିତ୍ରରେ ଆଦିବାସୀ ମାନଙ୍କର ପୂଜା ପାର୍ବଣକୁ ନେଇ ସୃଜନଶୀଳ ଚିତ୍ରମାନ ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ଦିଲ୍ଲୀରେ ରହୁଥିବା ବହୁ ଓଡିଆ ଚିତ୍ରଶିଳ୍ପୀ ଓ କଳାନୁରାଗୀ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ। ପ୍ରଦର୍ଶନୀ ଆସନ୍ତା ଅଗଷ୍ଟ ୨୬ ପର‌୍ୟ୍ୟନ୍ତ ଶିଳ୍ପୀ ଓ ସର୍ବ ସାଧାରଣଙ୍କ ପାଇଁ ଖୋଲା ରହିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ ୱେବସାଇଟର ହେଲା ଲୋକାର୍ପଣ

ଭୁବନେଶ୍ୱର: ଆଜି ଲୋକସେବା ଭବନ ପରିସରରେ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ,ଖଲିକୋଟ ପାଇଁ ପ୍ରସ୍ତୁତ ୱେବ୍ ସାଇଟ୍ http://gcacodisha.nic.in ର ଶୁଭ ଲୋକାର୍ପଣ ଅନୁଷ୍ଠିତ ହୋଇଯାଇଛି। ଏହାକୁ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ଲୋକାର୍ପଣ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ,ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶ୍ରୀ ମଧୁସୂଦନ ପାଢୀ, ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଓ୍ୱେବ୍ ସାଇଟ୍ କୁ ଉନ୍ମୋଚନ ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ପାତ୍ର ଏହାର ଉପଯୋଗିତା ସଂପର୍କରେ ଆଲୋଚନା କରିଥିଲେ।

ଏହି ଓ୍ୱେବ୍ ସାଇଟ୍ ଲୋକାର୍ପିତ ହେବା ଦ୍ୱାରା ଓଡିଶା ତଥା ଦେଶର ଜନସାଧାରଣ ଉପକୃତ ହେବା ସହିତ ଓଡିଆ କଳାକାରିତା ତଥା ସାମ୍ପ୍ରତିକ କଳାଚର୍ଚ୍ଚାର ପରିସର ସୁଦୂର ପ୍ରସାରି ହେବା ସଙ୍ଗେ ସଙ୍ଗେ କଳାର ଅଭିବୃଦ୍ଧିରେ ସହାୟକ ହେବ।

ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ସୁବ୍ରତ କୁମାର ମଲ୍ଲିକ ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ଏହି ଓ୍ୱେବ୍ ସାଇଟ୍ ପ୍ରସ୍ତୁତି ଓ ଲୋକାର୍ପଣ ପାଇଁ ଉପସ୍ଥିତ ଅତିଥି ତଥା ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀ ଜୟନ୍ତ ଦାସ ଏବଂ ଅଧ୍ୟାପକମାନେ ଉପସ୍ଥିତ ଥିଲେ।