ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ

Published: Sep 21, 2022, 11:45 pm IST

ଭୁବନେଶ୍ବର: ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଆଜି ସଂଧ୍ୟାରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର‌୍ୟ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଓଡିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢୀ ଯୋଗଦେଇ ପ୍ରଦୀପ ପ୍ରଜଜ୍ଜ୍ୱନ ପୂର୍ବକ ଉଦଘାଟନ କରିଥିଲେ। ଏହି ଉପଲକ୍ଷେ ପରିଷଦ ତରଫରୁ ଏକ ନାଟକ ‘ଏ ଦୁନିଆ ସ୍ୱାର୍ଥପର’ ଅନୁଷ୍ଠିତ ହୋଇଥିଲା। ଜୀବନ ଧର୍ମୀ କାହାଣୀ ସଂପର୍କିତ ଏହି ନାଟକକୁ ଗୋଲକ ମହାରଣା ରଚନା କରିଥିବା ବେଳେ ହରେନ୍ ସାହୁନିର୍ଦ୍ଦେଶନା ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ କହିଲେ ଯେ, ସଂସ୍କୃତି ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ବର୍ଷସାରା ସବୁବେଳେ ବିଭିନ୍ନ ସାଂସ୍କୃତିକ କାର‌୍ୟ୍ୟକ୍ରମ ନିମନ୍ତେ ସାଂସ୍କୃତିକ ଦଳ ପ୍ରେରଣ ଓ ଅନ୍ୟାନ୍ୟ ବିଭାଗୀୟ କାର‌୍ୟ୍ୟକ୍ରମରେ ବ୍ୟସ୍ତ ରହିଥାନ୍ତି। ତେବେ ଓଡିଆ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସେମାନେ ସମୟ ବାହାର କରି ସାଂସ୍କୃତିକ ପରିଷଦ ମାଧ୍ୟମରେ ନାଟକ ଆଦି ସାଂସ୍କୃତିକ କାର‌୍ୟ୍ୟକ୍ରମ ଆୟୋଜନ କରୁଥିବା ଅତ୍ୟନ୍ତ ଆନନ୍ଦର ବିଷୟ ।ବିଭିନ୍ନ ସାଂସ୍କୃତିକ କାର‌୍ୟ୍ୟକ୍ରମ ପାଇଁ ବିଭାଗର କାର‌୍ୟ୍ୟଧାରାକୁ ସହଜ କରିବା ପାଇଁ ସମସ୍ତ ସାସ୍କୃତିକ ଅନୁଷ୍ଠାନମାନଙ୍କୁ ସାଂସ୍କୃତିକ ଦଳ ପରିଚାଳନା ଅନ୍ ଲାଇନ୍ ବ୍ୟବସ୍ଥା ଆପଣେଇ ସ୍ୱତଃପ୍ରବୃତ ଭାବେ ପଂଜୀକରଣ କରିବାକୁ କହିଥିଲେ।

ସମ୍ମାନିତ ଅତିଥି ଭାବେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ରଂଜନ କୁମାର ଦାସ ଯୋଗଦେଇ ସାଂସ୍କତିକ ପରିଷଦର ସମସ୍ତ କର୍ମକର୍ତ୍ତାମାନଙ୍କୁ ଉତ୍ସାହିତ କରିବା ସହିତ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେଉଥିବା ପ୍ରତ୍ୟେକ ସାସ୍କୃତିକ କାର‌୍ୟ୍ୟକ୍ରମ ସଂସ୍କୃତିପ୍ରେମୀଙ୍କ ପାଇଁ ମନଛୁଆଁ ହେଉବୋଲି କହିଥିଲେ। କାର‌୍ୟ୍ୟକ୍ରମରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ମନସ୍ୱିନୀ ସାହୁ ଯୋଗଦେଇ ଆମର ଭାଷା ଓ ସାହିତ୍ୟ ଆମର ସଂସ୍କୃତି ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ ବୋଲି କହିଥିଲେ । ପରିଷଦର ସଭାପତି ଶ୍ରୀ ମାଥିୟାସ ତିର୍କୀ ୧୯୭୯ ମସିହାରୁ ସ୍ଥାପିତ ଏହି ସାଂସ୍କୃତିକ ପରିଷଦ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ପ୍ରୟାସ ଜାରି ରଖିଥିବା କହିଥିଲେ।

କାର‌୍ୟ୍ୟକ୍ରମର ପ୍ରାରମ୍ଭରେ ଚଳିତ ବର୍ଷ ବିଭାଗର କନିଷ୍ଠ ଯନ୍ତ୍ରୀ ଶ୍ରୀ ଶୁଭାଶିଷ ପୃଷ୍ଟିଙ୍କ ବିୟୋଗର ସ୍ମୃତିରେ ୧ ମିନିଟ୍ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା। ପରିଷଦ ତରଫରୁ ପ୍ରକାଶିତ ସ୍ମରଣିକା “ ସଂସ୍କୃତି ଦର୍ପଣ” ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।ସାସ୍କୃତିକ ପରିଷଦ ତରଫରୁ ବିଭାଗର ବିଭିନ୍ନଶାଖାର ମୁଖ୍ୟ ଓ ବରିଷ୍ଠ ପଦାଧିକାରୀ ଏବଂ ନାଟକରେ ଅଂଶଗ୍ରହଣ କରିଥିବା ସମସ୍ତ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଆୟୋଜିତ ପାରଂପରିକ ବେଶ ପ୍ରତିଯୋଗିତା, ମ୍ୟୁଜିକ୍ ଚେୟାର, ହୁଳହୁଳି ଓ ଶଙ୍ଖବାଦନ ଆଦି ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

ଗୁରୁ ପ୍ରଦୀପ କୁମାର ଓ ସାଥୀଙ୍କ ପରିଚାଳନାରେ “ବନ୍ଦେ ଉତ୍କଳ ଜନନୀ” ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା। ବିଶିଷ୍ଟ ଉପସ୍ଥାପକ ଡଃ.ମୃତ୍ୟୁଞ୍ଜୟ ରଥ କାର‌୍ୟ୍ୟକ୍ରମ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗର ସମସ୍ତ ବରିଷ୍ଠ ପଦାଧିକାରୀ ଏବଂପରିଷର ସଂପାଦକ ଶ୍ରୀ ମୃତ୍ୟୁଞ୍ଜୟ ଦଳବେହେରାଉପସ୍ଥିତ ଥିଲେ।

Related posts