Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଉଦ୍‌ଘାଟିତ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସାଂସ୍କୃତିକ ପରିଷଦର ଦୁଇଦିନିଆ ବାର୍ଷିକ ଉତ୍ସବ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଆରମ୍ଭ ହୋଇଛି। ଏହି ଉତ୍ସବକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ପ୍ରଦୀପ ପ୍ରଜ୍ୱଳନପୂର୍ବକ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ଦାଶ, ଓଡ଼ିଆ ସାହିତ୍ୟ ଏକାଡେମୀ ସଭାପତି ଡ. ହୃଷିକେଶ ମଲ୍ଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ଏଭଳି କାର୍ଯ୍ୟକ୍ରମ ବିଭାଗର କର୍ମଚାରୀମାନଙ୍କ ମଧ୍ୟରେ ଭ୍ରାତୃତ୍ୱ ଭାବ ସୃଷ୍ଟି ସହ ସେମାନଙ୍କୁ କର୍ମକ୍ଷେତ୍ରରେ ଅଧିକ ନିଷ୍ଠାର ସହ କାର୍ଯ୍ୟକରିବାକୁ ପ୍ରେରଣା ଦେବ। ଏପରି ଅବସର କର୍ମଚାରୀମାନଙ୍କ ମଧ୍ୟରେ ଥିବା ସୃଜନଶୀଳ କ୍ରିୟାଶୀଳତାର ଉନ୍ମେଷ ଓ ବିକାଶରେ ସହାୟକ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ପରିଷଦର ସ୍ମରଣିକା ‘ସଂସ୍କୃତି ଦର୍ପଣ’ ଉନ୍ମୋଚିତ ହୋଇଥିଲା।

ଏହି ଦୁଇଦିନିଆ ବାର୍ଷିକ ଉତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବା ସହ ଆସନ୍ତାକାଲି ପରିଷଦର ସଦସ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ତଥା ଶ୍ରୀ ହରେନ୍‌ ସାହୁଙ୍କ ଦ୍ୱାରା ନିର୍ଦ୍ଦେଶିତ ନାଟକ ‘ସମୟ କହିବ କିଏ କାହାର’ ମଞ୍ଚସ୍ଥ ହେବ। ଆଜିର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପରିଷଦର ସଭାପତି ଶ୍ରୀ ମାଥିଆସ୍‌ ତିର୍କୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଂପାଦକ ଶ୍ରୀ ମୃତୁ୍ୟଞ୍ଜୟ ଦଳବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ସଂଗୀତ ନାଟକ ଏକାଡେମୀ ପକ୍ଷରୁ ନୂଆଖାଇ ଭେଟ୍‌ଘାଟ୍‌, ପରିବେଷଣ ହେଲା ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଗତକାଲି ରବିନ୍ଦ୍ରମଣ୍ଡପଠାରେ ନୂଆଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି।

ପଶ୍ଚିମ ଓଡ଼ିଶାର ମୁଖ୍ୟ କୃଷିଭିତ୍ତିକ ପର୍ବ ନୂଆଖାଇ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏକ ଅନନ୍ୟ ବିଶେଷତ୍ୱ। ଏହି ପର୍ବ ସହ ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ, ଲୋକକଳା, ଲୋକବାଦ୍ୟ ଓ ଲୋକ ସଂସ୍କୃତିର ପ୍ରଚାର ପ୍ରସାର ସହ ଏହାକୁ ଓଡ଼ିଶାର ପୁର ପଲ୍ଲୀରେ ପହଞ୍ଚାଇବା ଉଦ୍ଦେଶ୍ୟରେ ବିଭାଗ ପକ୍ଷରୁ ପ୍ରତିବର୍ଷ ଏପରି ଆୟୋଜନ କରାଯାଉଛି।

ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର କଳାକାରମାନଙ୍କ ଦ୍ୱାରା ଡାଲ୍‌ଖାଇ, ଦୁଲ୍‌ଦୁଲି, ଘୁମର୍‌, ଦଣ୍ଡନାଚ, ବଜାଶାଲ୍‌, ମାନ୍ଦଲିଆ ଓ କରମାନଜ ନୃତ୍ୟ ପରିବେଷିତ ହୋଇଥିଲା । ଲୋକନୃତ୍ୟର ତାଳେ ତାଳେ ମଞ୍ଚ ଦୁଲିକି ଉଠିବା ସହ ଏହା ଦର୍ଶକମାନଙ୍କୁ ଅଭିଭୂତ କରିଥିଲା।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ପ୍ରଦାନ କରାଗଲା ରାଜ୍ୟର ସଂଗୀତ, ନୃତ୍ୟ, ଅଭିନୟ କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ

ଭୁବନେଶ୍ବର: ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଓଡିଶା ସଂଗୀତ ଏକାଡେମୀ ତରଫରୁ ୨୦୨୧ ଓ ୨୦୨୨ ଦୁଇ ବର୍ଷ ପାଇଁ ନୃତ୍ୟ,ସଂଗୀତ, ନାଟକ ଓ ଲୋକ କଳା କ୍ଷେତ୍ରରେ ବିଶେଷ ଅବଦାନ ଥିବା କଳାକାର ସାଧକମାନଙ୍କର ଆଜୀବନ ସାଧନା ପାଇଁ ଏକାଡେମୀର ସର୍ବୋଚ୍ଚ ସମ୍ମାନ- କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ଏକାଡେମୀ ପୁରସ୍କାର ଓ କବିଚନ୍ଦ୍ର କାଳିଚରଣ ଯୁବପ୍ରତିଭା ସମ୍ମାନ ପ୍ରଦାନ ଉତ୍ସବ ଆଜି ସଂଧ୍ୟାରେ ସ୍ଥାନୀୟ ରବିନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି।

ଓଡିଶୀ ସଂଗୀତ କ୍ଷେତ୍ରରେ ଶ୍ରୀ ଗୋପାଳ ଚନ୍ଦ୍ର ପଣ୍ଡା ଏବଂ ପାଲା ପରିବେଷଣ ପାଇଁ ଗାୟକ ଶ୍ରୀ ଜଗନ୍ନାଥ ବେହାରାଙ୍କୁ ଯଥାକ୍ରମେ ୨୦୨୧ ଓ ୨୦୨୨ ବର୍ଷ ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପ୍ରଦାନ କରାଯାଇଛି। କବି ସମ୍ରାଟ ଉପନ୍ଦ୍ର ଭଞ୍ଜ ସମ୍ମାନ ପ୍ରାପ୍ତ ଏହି ସମ୍ମାନସ୍ପଦ ପ୍ରତିଭା ଦ୍ୱୟଙ୍କୁ ପ୍ରତ୍ୟେକଙ୍କୁ ୫ଲକ୍ଷ ଟଙ୍କାଲେଖାଏଁ ଅର୍ଥ ରାଶି ପ୍ରଦାନ କରାଯାଇଛି ।

ସେହିପରି ୨୦୨୧ ବର୍ଷ ପାଇଁ ଏକାଡେମୀ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି- ଅଭିନୟ ପାଇଁ (୨ ଜଣଙ୍କୁ )-ଶ୍ରୀ ବିନାୟକ ମିଶ୍ର ଓ ଶ୍ରୀମତୀ ମନୋରମା ମହାନ୍ତି, ନାଟ୍ୟ ରଚନା ପାଇଁ ଡଃ. ବିଜୟ କୁମାର ଶତପଥୀ, ନିର୍ଦ୍ଦେଶନା ପାଇଁ ଶ୍ରୀ ନବୀନ କୁମାର ପରିଡା, ମଞ୍ଚକଳା କ୍ଷେତ୍ରରେ ଶ୍ରୀ ଶରତ କୁମାର ମହାନ୍ତି , ଲୋକ ସଂଗୀତ କ୍ଷେତ୍ରରେ ଶ୍ରୀ ବିଭୂତି ଭୂଷଣ ପଟ୍ଟନାୟକ, ଲୋକବାଦ୍ୟ ପାଇଁ ଶ୍ରୀ ମୂରଲୀଧର ବେହେରା, ଲୋକନୃତ୍ୟ ପାଇଁ ବେଟିଖାଇ ବରିହା, ଗୋପୀନାଥ ସ୍ୱାଇଁ(ଲୋକନାଟ୍ୟ), ଯନ୍ତ୍ର ସଂଗୀତ (ଆନଦ୍ଧ ତାଳ) ପାଇଁ ଜନାର୍ଦ୍ଧନ ଦାଶ, ଯନ୍ତ୍ର ସଂଗୀତ(ତାରବାଦ୍ୟ ଏବଂ ସୁଶୀର ବାଦ୍ୟ) କ୍ଷେତ୍ରରେ ଶ୍ରୀମତୀ କେ.ଭୁବନେଶ୍ୱରୀ, ଓଡିଶୀ ନୃତ୍ୟ ପାଇଁ ଶ୍ରୀ ବିଚିତ୍ରାନନ୍ଦ ସ୍ୱାଇଁ, ଡଃ. ସଂଗୀତା ଗୋସାଇଁ(ଓଡିଶୀ କଣ୍ଠ ସଂଗୀତ ପାଇଁ), ସୁନନ୍ଦା ପଟ୍ଟନାୟକ ସମ୍ମାନ(ହିନ୍ଦୁସ୍ଥାନୀ କଣ୍ଠ ସଂଗୀତ) ପାଇଁ ଶ୍ରୀମତୀ ମିତାଲି ଚିନାରା, ଦେବାଶିଷ ମହାପାତ୍ର( ସୁଗମ ସଂଗୀତ କ୍ଷେତ୍ରରେ ) ଙ୍କୁ ପ୍ରଦାନ କରାଯାଇଛି।

ସେହିପରି ୨୦୨୨ ପାଇଁ ଏକାଡେମୀ ପୁରସ୍କାର ପ୍ରାପ୍ତ ହୋଇଛନ୍ତି –ଶ୍ରୀ ଶଙ୍କର ପ୍ରସାଦ ବସୁ ମଲ୍ଲିକ ଓ ଶ୍ରୀ ପ୍ରଦୀପ କୁମାର ପଣ୍ଡା ( ୨ ଜଣ), ନାଟ୍ୟ ରଚନା ପାଇଁ ଶ୍ରୀ ଅଶୋକ କୁମାର ବହିଦାର, ନିର୍ଦ୍ଦେଶନା ପାଇଁ ଶ୍ରୀ ରମେଶ ଚନ୍ଦ୍ର ମହାନ୍ତି, ଦେବେନ୍ଦ୍ର କୁମାର ଅମାତ( ମଞ୍ଚକଳା), ସୁବାସ ଚନ୍ଦ୍ର ରାମ(ଲୋକ ସଂଗୀତ), ପ୍ରଦୀପ କୁମାର ସିଂହ(ଲୋକବାଦ୍ୟ), ଜୟକୃଷ୍ଣ ନାୟକ( ଲୋକନୃତ୍ୟ), ରସିକ ସାହୁ(ଲୋକନୃତ୍ୟ), ଅଜୟ କୁମାର ଚୈାଧୁରୀ(ଯନ୍ତ୍ର ସଂଗୀତ,ଆନଦ୍ଧ ବାଦ୍ୟ), ଅଭିରାମ ନନ୍ଦ(ଯନ୍ତ୍ର ସଂଗୀତ-ତାରବାଦ୍ୟ ଓ ସୁଶୀର ବାଦ୍ୟ), ଡଃ. ମନୋରଞ୍ଜନ ପ୍ରଧାନ(ଓଡିଶୀ ନୃତ୍ୟ),ସୁକାନ୍ତ କୁମାର କୁଣ୍ଡୁଙ୍କୁ ଓଡିଶୀ କଣ୍ଠ ସଂଗୀତ, ଅନିନ୍ଦିତା ଦାସ( ସୁନନ୍ଦା ପଟ୍ଟନାୟକ ସମ୍ମାନ(ହିନ୍ଦୁସ୍ଥାନୀ କଣ୍ଠ ସଂଗୀତ) ଏବଂ ପ୍ରଶାନ୍ତ ପାଢୀଙ୍କୁ ସୁଗମ ସଂଗୀତ ପାଇଁ ପୁରସ୍କୃତ କରାଯ।ଇଛି। ଏକାଡେମୀ ପୁରସ୍କାର ପାପ୍ତ ସମସ୍ତ କକାକାରମାନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି।

ସେହିପରି ୨୦୨୧ ବର୍ଷ ପାଇଁ ସଂଗୀତ କ୍ଷେତ୍ରରେ କବିଚନ୍ଦ୍ର କାଳିଚରଣ ଯୁବ ପ୍ରତିଭା ସମ୍ମାନ ପାଇଛନ୍ତି ଶ୍ରୀ ରାମଚନ୍ଦ୍ର ବେହେରା ( ଯନ୍ତ୍ର ସଂଗୀତ ମର୍ଦ୍ଦଳ), ନୃତ୍ୟ କ୍ଷେତ୍ରରେ ରାହୁଳ ଆଚାର‌୍ୟ୍ୟ (ଓଡିଶୀ ନୃତ୍ୟ) ଓ ନାଟକ କ୍ଷେତ୍ରରେ ଶ୍ରୀ ନଳିନୀ ନୀହାର ନାୟକ(ନିର୍ଦ୍ଦେଶନା)। ଲୋକନୃତ୍ୟ ଓ ଲୋକନାଟ୍ୟ କ୍ଷେତ୍ରରେ ଶ୍ରୀ ଏସ୍ କ୍ଷୀରୋଦ ଦୋରା( ଲୋକନୃତ୍ୟ-ପଶୁମୁଖା), ଲୋକଗୀତ ଓ ଲୋକବାଦ୍ୟ ପାଇଁ ଶ୍ରୀ ଅଶ୍ୱିନୀ କୁମାର ପଟେଲ(ଲୋକବାଦ୍ୟ) । ସେହିପରି ୨୦୨୨ ବର୍ଷ ପାଇଁ ସଂଗୀତ କ୍ଷେତ୍ରରେ ଶ୍ରୀ ବ୍ରଜେଶ ପଦ ପଣ୍ଡା( ହିନ୍ଦୁସ୍ଥାନୀ କଣ୍ଠ ସଂଗୀତ), ବିଶ୍ୱଜିତ୍ ଦାସ( ଓଡିଶୀ ନୃତ୍ୟ) , ନାଟକ(ଅଭିନୟ) ପାଇଁ ଶ୍ରୀ ଆଦର୍ଶ କୁମାର ଦାସ ଏବଂ ଲୋକକଳା ଓ ଲୋକନାଟ୍ୟ କ୍ଷେତ୍ରରେ ଜୟନ୍ତୀ ଦୀପ(ଲୋକନୃତ୍ୟ), ଲୋକ ଗୀତ ଓ ଲୋକ ବାଦ୍ୟ ପାଇଁ ଶ୍ରୀ ନିଳାଚଳ ପାନ(ଲୋକଗୀତ)ଙ୍କୁ କବିଚନ୍ଦ୍ର କାଳି ଚରଣ ଯୁବ ପ୍ରତିଭା ସମ୍ମାନରେ ପୁରସ୍କୃତ କରାଯାଇଛି। ପ୍ରତି କଳାକାରଙ୍କୁ ଏ କ୍ଷେତ୍ରରେ ୫୦ ହଜାର ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି।

କାର୍ଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇସମସ୍ତ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ ତଥା ପୁରସ୍କୃତ କରି କହିଲେ ଯେ, ଓଡିଶାରେ ଓଡିଆ ଜାତି, ଶିଳ୍ପୀ,କଳାକାରମାନଙ୍କର ଅବଦାନ ବିଶ୍ୱରେ କିଛି କମ୍ ନୁହେଁ। ସେମାନେ ଆମପାଇଁ ସବୁବେଳେ ବନ୍ଦନୀୟ। ପୁରସ୍କୃତ ହେଉଥିବା ପ୍ରତିଭା ଆଜିର ପିଢି ଓ ଆଗାମୀ ପିଢି ପାଇଁ ସଂଗୀତ ଓ କଳା ଶିକ୍ଷା କ୍ଷେତ୍ରରେ ଆଦର୍ଶ ହୋଇ ରହିବେ। ବିଶ୍ୱ ଓଡିଆତ୍ୱ ଭାବନା ନେଇ ସମସ୍ତେ ଆଗକୁ ବଢିବାକୁ ମନ୍ତ୍ରୀ ଶ୍ରୀ ପାତ୍ର ଆହ୍ୱାନ ଦେଇଥିଲେ।

ରାଜ୍ୟ କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା କହିଲେ ଯେ, ଓଡିଶା କଳା, ସଂସ୍କୃତି ଭାସ୍କର‌୍ୟ୍ୟର ରାଜ୍ୟ। ଏ କ୍ଷେତ୍ରରେ ଓଡିଶାର ସ୍ଥିତି ଭାରତରେ ଅନନ୍ୟ। କଳାକାରଙ୍କ ପ୍ରତିଭା ପ୍ରତିଯୋଗିତାର ତୁଳନୀୟ ନୁହେଁ। ସମସ୍ତେ ନିଜ ନିଜ କ୍ଷେତ୍ରରେ ଅନନ୍ୟ। ନିଜର କଳା ସଂସ୍କୃତିକୁ ନେଇ ଗର୍ବ ଅନୁଭବ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ କହିଆସୁଥିବା ବେଳେ ଉତ୍ତରପିଢିକୁ କଳାକାରମାନଙ୍କ ଆଦର୍ଶକୁ ଅନୁକରଣ କହିବାକୁ କହିଥିଲେ । ଓଡିଶାର ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଆମେ ଗର୍ବ ଅନୁଭବ କରିବା ଉଚିତ୍ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ।

ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଯୋଗଦେଇ କହିଲେ ଯେ, ୧୯୫୪ମସିହାରୁ ଗଠିତ ଓଡିଶୀ ସଂଗୀତ ଏକାଡେମୀ ସଂଗୀତ ଓ ନୃତ୍ୟର ପ୍ରଚାର ପ୍ରସାର ପାଇଁ ପ୍ରୟାସ ଜାରି ରଖିଛି। ରାଜ୍ୟର ଗାଁ ଗହଳିରେ ଥିବା କଳା, କଳା ସଂସ୍କୃତି ଘରେ ଘରେ ପହଁଚୁ, ଲୋକ କଳାକାରମାନେ ସେମାନଙ୍କର ଅନ୍ତର୍ନିହିତ କଳାର ପରିପ୍ରକାଶ କରିବା ଏବଂ ପରପିଢିର କଳାକାର ସୃଷ୍ଟିହେବା ସମସ୍ତଙ୍କର ପ୍ରଚେଷ୍ଟା ରହିବା ଉଚିତ୍ ବୋଲି ଶ୍ରୀ ସାହୁ କହିଥିଲେ। ଉପାନ୍ତ ଅଂଚଳରେ କଳା, ସଂସ୍କୃତିର ବିକାଶ ପାଇଁ ସରକାର ପ୍ରୟାସ ଜାରି ରଖିଥିବା ପ୍ରକାଶ କରିବା ସହ ଆଗାମୀ ଦିନରେବିଭିନ୍ନ କଳା କ୍ଷେତ୍ରକୁ ବିଚାରକୁ ନିଆଯାଇ ସମ୍ମାନ ଓ ପୁରସ୍କାର ପ୍ରଦାନରଲ କ୍ଷେତ୍ରକୁ ବ୍ୟାପକ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ବୋଲି ଶ୍ରୀ ସାହୁ କହିଥିଲେ। ସମସ୍ତଙ୍କର ସହଯୋଗରେ ଓଡିଶାର କଳାକୁ ବିଶ୍ୱ ଦରବାରରେ ପହଁଚାଇବାକୁ ଆହୁରି ଅଧିକ ପ୍ରୟାସ କରିବାକୁ ଶ୍ରୀ ସାହୁ କହିଥିଲେ।

ବିଭାଗର ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ ଯୋଗଦେଇ କହିଲେ ଯେ, ଏହି ଉତ୍ସବ ଏକ ବିଶ୍ୱ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଠାରୁ କମ୍ ନୁହେଁ। ବିଭାଗ ତରଫରୁ ସମସ୍ତ କଳାକାରମାନଙ୍କୁ ସମ୍ମାନ ଦେବାର ପ୍ରଚେଷ୍ଟା ଜାରି ରହିଥିବା ରହିଥିବା ପ୍ରକାଶ କରିବା ସହିତ ଏହି ଏକ ସ୍ୱୀକୃତି ନୂଆ କଳାକାରଙ୍କୁ ସୃଷ୍ଟି କରବାରେ ପ୍ରେରଣା ଯୋଗାଇବ ବୋଲି କହିଥିଲେ । ଏକାଡେମୀର ସଭାପକି ତଥା ଓଡିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଅରୁଣା ମହାନ୍ତି ଯୋଗଦେଇ କହିଲେ ଯେ, କଳା ଓ କାରକାରମାନଙ୍କୁ ଏ ମାଟି ସମ୍ମାନ ଦେଇଛି । କଳାକାରମାନଙ୍କୁ ସମ୍ମାନ ଦେବା ଆମର ଲକ୍ଷ୍ୟ ରହିଛି ବୋଲି କହିଥିଲେ। ଓଡିଶୀ ସଂଗୀତ ନାଟକ ଏକାଡେମୀର ସଂପାଦକ ଶ୍ରୀ ପ୍ରବୋଧ ରଥ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ପୁର୍ବକ ପୁରସ୍କାର ଓ ସମ୍ମାନ ପ୍ରଦାନ ଉତ୍ସବ ଉପଲକ୍ଷେ ବକ୍ତବ୍ୟ ରଖିଥିଲେ। ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର‌୍ୟ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଏକାଡେମୀର ଉପ ସଭାପତି ଶ୍ରୀ ମନ୍ମଥ ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଶିଷ୍ଟ ଉପସ୍ଥାପକ ଡଃ. ମୃତ୍ୟୁଞ୍ଜୟ ରଥ କାର‌୍ୟ୍ୟକ୍ରମ ସଂଯୋଜନା କରିଥିଲେ।

ପ୍ରାରମ୍ଭରେ ୨୦୨୧ ପାଇଁ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ସମ୍ମାନ-ପାଇଥିବା ତ୍ରିଲୋଚନ ମହାନ୍ତ(ଛଉନୃତ୍ୟ ଗୁରୁ), ସୁସ୍ମିତା ଦାସ (ସୁଗମ ସଂଗୀତ ),ଡଃ ବିଜୟ କୁମାର ଜେନା- ସଂଗୀତ ନିର୍ଦ୍ଦେଶନା,ମନୋଜ କୁମାର ପଟ୍ଟନାୟକ(ନାଟ୍ୟ ନିର୍ଦ୍ଦେଶନା), ଅମ୍ରିତ ସମ୍ମାନ- ଶ୍ରୀ ଆନନ୍ଦ ବାଗ(ଲୋକ ସଂଗୀତ-ବ୍ରହ୍ମ ବୀଣା ବାଦନ) ପାଇଁ ଓଡିଶା ସଂଗୀତ ନାଟକ ଏକାଡେମୀ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ୨୦୨୨ ପାଇଁ ଗୋଟିପୁଅ ନୃତ୍ୟ କ୍ଷେତ୍ରରେ ଶ୍ରୀ ଗୋବିନ୍ଦ ଚନ୍ଦ୍ର ପାଲ, ଛଉ ନୃତ୍ୟ ଗୁରୁ ( ଅମ୍ରିତ ସମ୍ମାନ) ଶ୍ରୀ ଶିବ ପ୍ରସାଦ ଦାସ, ପ୍ରହଲ୍ଲାଦ ନାଟକ-ଶିଳ୍ପୀ ଶ୍ରୀ ସନ୍ତୋଷ କୁମାର ରଣାଙ୍କ ସହିତ ରୁପକ କୁମାର ପରିଡା ଓ ପ୍ରଭାତ କୁମାର ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ୨୦୧୪ ଅଭିନୟ- ସଂଗୀତ ନାଟକ ଏକାଡେମୀ ସମ୍ମାନ-ମନିଦ୍ୱୀପା ମଲ୍ଲିକ- ନାଟକ କଳା ପାଇଁ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସଂସ୍କୃତି ପ୍ରେମୀ ଜନସାଧାରଣ ଓ କଳାକାରମାନେ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରାଜ୍ୟ ସଂଗ୍ରହାଳୟ ପରିସରରେ ହେବ ‘ମୌଖିକ ଓ ଜନଜାତି ସାହିତ୍ୟ କେନ୍ଦ୍ର’

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିଷ୍ପତ୍ତି ଅନୁଯାୟୀ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପରିସରରେ କେନ୍ଦ୍ର ସାହିତ୍ୟ ଏକାଡେମୀର ଏକ “ମୌଖିକ ଓ ଜନଜାତି ସାହିତ୍ୟ କେନ୍ଦ୍ର” ( Centre for Oral & Tribal Literature ) ସର୍ବସାଧାରଣଙ୍କ ନିମନ୍ତେ ପ୍ରତିଷ୍ଠିତ ହେବାପାଇଁ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଏବଂ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ମଧ୍ୟରେ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଅଛି।

ଏହି କେନ୍ଦ୍ର ମାଧ୍ୟମରେ ବିଶେଷ କରି ପୂର୍ବାଞ୍ଚଳ ଓ ଉତ୍ତର ପୂର୍ବାଞ୍ଚଳରେ ଜନଜାତି ସାହିତ୍ୟର ପ୍ରଚାର, ପ୍ରସାର ତଥା ଗବେଷଣା ପାଇଁ ସୁଯୋଗ ସୃଷ୍ଟି ହେବ। ଆଗ୍ରହୀ ସାହିତ୍ୟିକ ଓ ଗବେଷକମାନେ ଏହି କେନ୍ଦ୍ରର ସଦୁପଯୋଗ କରିବାକୁ ଅନୁରୋଧ କରାଯାଇଛି।

ଏହି କାର‌୍ୟ୍ୟକ୍ରମରେ ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ ଓ ରାଜ୍ୟ ସଂଗ୍ରହାଳୟ ଅଧିକ୍ଷକ ଡଃ. ଭାଗ୍ୟଲିପି ମଲ୍ଲ ଏବଂ କେନ୍ଦ୍ର ସାହିତ୍ୟ ଏକାଡେମୀର ସଚିବ ଡଃ. କେ. ଶ୍ରୀନିବାସ ରାଓ ଏବଂ ଏକାଡେମୀର ଓଡ଼ିଆ ଭାଷା ପରାମର୍ଶଦାତା କମିଟିର ଆବାହକ ଡ଼ଃ ବିଜୟାନନ୍ଦ ସିଂହ ଉପସ୍ଥିତ ଥିଲେ ଓ କେନ୍ଦ୍ର ସାହିତ୍ୟ ଏକାଡେମୀର ସଚିବ ଏଥିପାଇଁ ଓଡ଼ିଶା ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅବସର ଗ୍ରହଣ କଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀ

ଭୁବନେଶ୍ୱର: ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢୀ ଆଜି ସରକାରୀ ଚାକିରିରୁ ଅବସରଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ଣରେ ଲୋକସେବା ଭବନସ୍ଥିତ ବିଭାଗର ସମ୍ମିଳନୀ କକ୍ଷରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।

ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ମନସ୍ୱିନୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ଅବସର ଗ୍ରହଣ କରୁଥିବା ବରିଷ୍ଠ ପ୍ରଶାସକ ଶ୍ରୀ ପାଢୀଙ୍କ କର୍ମମୟ ଜୀବନ ସଂପର୍କରେ ଆଲୋକପାତ କରିବା ସହ ତାଙ୍କର ଅବସର କାଳୀନ ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ।

ସମ୍ବର୍ଦ୍ଧନା ଗ୍ରହଣ ପରିପ୍ରେକ୍ଷୀରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ ତାଙ୍କର ଚାକିରୀ ଜୀବନର ଅନୁଭୂତି ଓ ଅଭିଜ୍ଞତା ସଂପର୍କରେ ପ୍ରକାଶ କରିଥିଲେ । ଭୁବନେଶ୍ୱର ସୈନିକସ୍କୁଲରୁ ଦ୍ୱାଦଶରେ ପାଶ୍ କରିବା ପରେ ଆର୍.ଇ.ସି., ରାଉରକେଲାରୁ ଇଂଜିନିୟରିଂରେ ସ୍ନାତକରେ ଉତ୍ତୀର୍ଣ୍ଣ ହେବା ଏବଂ ଭାରତୀୟ ପ୍ରଶାସନିକ ସେବାରେ କୃତକାର‌୍ୟ୍ୟ ହୋଇ ସରକାରୀ ଚାକିରିରେ ଯୋଗଦେବାଠାରୁ ଆରମ୍ଭ କରି ଅବସରଗ୍ରହଣ ପର‌୍ୟ୍ୟନ୍ତ ସେ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ, ଉତ୍ତରାଂଚଳ ରାଜସ୍ୱ ଆୟୁକ୍ତ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ଶାସନ ସଚିବ ଭାବେ ନିଷ୍ଠାର ସହ କାର‌୍ୟ୍ୟ ସମ୍ପାଦନ ସମ୍ପର୍କରେ ବର୍ଣ୍ଣନା କରିଥିଲେ ।

ପ୍ରକାଶ ଥାଉକି , ଶ୍ରୀ ପାଢ଼ୀ ମଧ୍ୟ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ, ସୂଚନା ଓ ଲୋକସମ୍ପର୍କ, ବାଣିଜ୍ୟ ଓ ପରିବହନ, ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ଆଦି ବିଭିନ୍ନବିଭାଗରେ ଶାସନ ସଚିବ ଭାବେ ସୁଚାରୁରୂପେ କାର‌୍ୟ୍ୟ ସମ୍ପାଦନ କରି ସବୁଠି ଉଲ୍ଲେଖନୀୟ ଛାପ ଛାଡ଼ିଛନ୍ତି କ୍ଷସଂପ୍ରତି ବୈଷୟିକ ଜ୍ଞାନର ଉପଯୋଗ କରି କିପରି ସହଜ ଓ ସରଳ ଭାବେ କାର‌୍ୟ୍ୟ କରାଯାଇପାରେ, ସେ ସଂପର୍କରେ ଶ୍ରୀ ପାଢୀ କହିଥିଲେ ।

ବିଭିନ୍ନ କାର‌୍ୟ୍ୟକ୍ରମ ଓ ଯୋଜନା ପ୍ରସ୍ତୁତି ବେଳେ କିପରି ବହୁଲୋକ ଉପକୃତ ହେବେ, ତାହାକୁ ଦୃଷ୍ଟିରେ ରଖି କାର‌୍ୟ୍ୟ କରିବା ଆବଶ୍ୟକ ବୋଲି ଶ୍ରୀ ପାଢୀ କହିଥିଲେ, ଯାହାକୁ ସେ କାର‌୍ୟ୍ୟରେ ପ୍ରତିଫଳିତକରୁଥିଲେ କ୍ଷଅବସରଗ୍ରହଣ କରିଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀଙ୍କର ସଂସ୍କୃତି ବିଭାଗରେ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା (ସି.ଟି.ଏମ୍.ଏସ୍), ବିଭାଗରେ ପ୍ରକଳ୍ପ ପରିଚାଳନା ବ୍ୟବସ୍ଥା(ପି.ଏମ୍.ୟୁ.) ଏବଂ ବିଭାଗର ୱେବ୍ ସାଇଟ୍ ସୁପରିଚାଳନାରେ ଆଦିରେ ପ୍ରମୁଖ ଭୂମିକା ରହିଥିଲା।

ଅବସରକାଳୀନ ସଂବର୍ଦ୍ଧନା ସଭାରେ ଅଧିକାରୀ ଓ କର୍ମଚାରୀମାନେ ଶ୍ରୀ ପାଢୀଙ୍କୁ ଜଣେ ସରଳମେଳାପୀ, ମାନବବାଦୀ ଚିନ୍ତାଧାରର ବ୍ୟକ୍ତି ଭାବେ ଅଭିହିତ କରିବା ସହିତ ଏକ ନୀତିନିଷ୍ଠ ପ୍ରଶାସକ ଭାବେ ତାଙ୍କର କର୍ତ୍ତବ୍ୟପରାୟଣତା ଓ କାର‌୍ୟ୍ୟକରିବାର ଶୈଳୀ ସବୁବେଳେ ସମସ୍ତଙ୍କୁ ଅନୁପ୍ରାଣିତ କରୁଥିବ ବୋଲି କହିଥିଲେ।

ବୈଠକରେ ବିଭାଗର ଯୁଗ୍ମ ଶାସନ ସଚିବ ଅତସୀ ଦାସ,ଉପ ଶାସନ ସଚିବ ଶ୍ରୀ ଅମୂଲ୍ୟ ନାୟକ, ଶ୍ରୀ ସଂଜୟ କୁମାର ମିଶ୍ର, ଅର୍ଥ ପରାମର୍ଶଦାତା ପଦ୍ମଜ୍ୟୋତି ସାହୁ, ଅନୁ ଶାସନ ସଚିବ ମାଥିୟାସ ତିର୍କୀ, ଶୁଭଶ୍ରୀ ପ୍ରଧାନ,ସ୍ୱତନ୍ତ୍ର ଅଧିକାରୀ ହଳଧର ନାୟକ, ଅନୁ ଶାସନ ସଚିବ ଶ୍ରୀ ଲଷ୍ମୀଧର ବେହେରା ପ୍ରମୁଖ ଯୋଗଦେଇ ବିଦାୟ ନେଉଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ।

ଶ୍ରୀ ପାଢୀଙ୍କର ସ୍ନେହ, ଶ୍ରଦ୍ଧାକୁ ପାଥେୟ କରି ସଂସ୍କୃତି ବିଭାଗ ଆଗକୁ ଭଲକାମ କରିବା ସହିତ ବିଭାଗୀୟ କାର‌୍ୟ୍ୟରେ ସେ ଯେଉଁ ରୂପାନ୍ତରଣ ଆଣିଥିଲେ , ତାହାକୁ ଜାରି ରଖିବା ଓ ତାଙ୍କର ସ୍ୱପ୍ନର ଅଧୁରା କାର‌୍ୟ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରଚେଷ୍ଠା ଜାରି ରଖିବାକୁ କହିଥିଲେ।ଏହି ଅବସରରେ ବିଭାଗର ସାଂସ୍କୃତିକ ପରିଷଦ ତରଫରୁ ପୂର୍ବରୁ ଅନୁଷ୍ଠିତ ସାଂସ୍କୃତିକ କାର‌୍ୟ୍ୟକ୍ରମର ଅଂଶଗ୍ରହଣକାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ

ଭୁବନେଶ୍ବର: ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଆଜି ସଂଧ୍ୟାରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର‌୍ୟ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଓଡିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢୀ ଯୋଗଦେଇ ପ୍ରଦୀପ ପ୍ରଜଜ୍ଜ୍ୱନ ପୂର୍ବକ ଉଦଘାଟନ କରିଥିଲେ। ଏହି ଉପଲକ୍ଷେ ପରିଷଦ ତରଫରୁ ଏକ ନାଟକ ‘ଏ ଦୁନିଆ ସ୍ୱାର୍ଥପର’ ଅନୁଷ୍ଠିତ ହୋଇଥିଲା। ଜୀବନ ଧର୍ମୀ କାହାଣୀ ସଂପର୍କିତ ଏହି ନାଟକକୁ ଗୋଲକ ମହାରଣା ରଚନା କରିଥିବା ବେଳେ ହରେନ୍ ସାହୁନିର୍ଦ୍ଦେଶନା ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ କହିଲେ ଯେ, ସଂସ୍କୃତି ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ବର୍ଷସାରା ସବୁବେଳେ ବିଭିନ୍ନ ସାଂସ୍କୃତିକ କାର‌୍ୟ୍ୟକ୍ରମ ନିମନ୍ତେ ସାଂସ୍କୃତିକ ଦଳ ପ୍ରେରଣ ଓ ଅନ୍ୟାନ୍ୟ ବିଭାଗୀୟ କାର‌୍ୟ୍ୟକ୍ରମରେ ବ୍ୟସ୍ତ ରହିଥାନ୍ତି। ତେବେ ଓଡିଆ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସେମାନେ ସମୟ ବାହାର କରି ସାଂସ୍କୃତିକ ପରିଷଦ ମାଧ୍ୟମରେ ନାଟକ ଆଦି ସାଂସ୍କୃତିକ କାର‌୍ୟ୍ୟକ୍ରମ ଆୟୋଜନ କରୁଥିବା ଅତ୍ୟନ୍ତ ଆନନ୍ଦର ବିଷୟ ।ବିଭିନ୍ନ ସାଂସ୍କୃତିକ କାର‌୍ୟ୍ୟକ୍ରମ ପାଇଁ ବିଭାଗର କାର‌୍ୟ୍ୟଧାରାକୁ ସହଜ କରିବା ପାଇଁ ସମସ୍ତ ସାସ୍କୃତିକ ଅନୁଷ୍ଠାନମାନଙ୍କୁ ସାଂସ୍କୃତିକ ଦଳ ପରିଚାଳନା ଅନ୍ ଲାଇନ୍ ବ୍ୟବସ୍ଥା ଆପଣେଇ ସ୍ୱତଃପ୍ରବୃତ ଭାବେ ପଂଜୀକରଣ କରିବାକୁ କହିଥିଲେ।

ସମ୍ମାନିତ ଅତିଥି ଭାବେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ରଂଜନ କୁମାର ଦାସ ଯୋଗଦେଇ ସାଂସ୍କତିକ ପରିଷଦର ସମସ୍ତ କର୍ମକର୍ତ୍ତାମାନଙ୍କୁ ଉତ୍ସାହିତ କରିବା ସହିତ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେଉଥିବା ପ୍ରତ୍ୟେକ ସାସ୍କୃତିକ କାର‌୍ୟ୍ୟକ୍ରମ ସଂସ୍କୃତିପ୍ରେମୀଙ୍କ ପାଇଁ ମନଛୁଆଁ ହେଉବୋଲି କହିଥିଲେ। କାର‌୍ୟ୍ୟକ୍ରମରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ମନସ୍ୱିନୀ ସାହୁ ଯୋଗଦେଇ ଆମର ଭାଷା ଓ ସାହିତ୍ୟ ଆମର ସଂସ୍କୃତି ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ ବୋଲି କହିଥିଲେ । ପରିଷଦର ସଭାପତି ଶ୍ରୀ ମାଥିୟାସ ତିର୍କୀ ୧୯୭୯ ମସିହାରୁ ସ୍ଥାପିତ ଏହି ସାଂସ୍କୃତିକ ପରିଷଦ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ପ୍ରୟାସ ଜାରି ରଖିଥିବା କହିଥିଲେ।

କାର‌୍ୟ୍ୟକ୍ରମର ପ୍ରାରମ୍ଭରେ ଚଳିତ ବର୍ଷ ବିଭାଗର କନିଷ୍ଠ ଯନ୍ତ୍ରୀ ଶ୍ରୀ ଶୁଭାଶିଷ ପୃଷ୍ଟିଙ୍କ ବିୟୋଗର ସ୍ମୃତିରେ ୧ ମିନିଟ୍ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା। ପରିଷଦ ତରଫରୁ ପ୍ରକାଶିତ ସ୍ମରଣିକା “ ସଂସ୍କୃତି ଦର୍ପଣ” ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।ସାସ୍କୃତିକ ପରିଷଦ ତରଫରୁ ବିଭାଗର ବିଭିନ୍ନଶାଖାର ମୁଖ୍ୟ ଓ ବରିଷ୍ଠ ପଦାଧିକାରୀ ଏବଂ ନାଟକରେ ଅଂଶଗ୍ରହଣ କରିଥିବା ସମସ୍ତ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଆୟୋଜିତ ପାରଂପରିକ ବେଶ ପ୍ରତିଯୋଗିତା, ମ୍ୟୁଜିକ୍ ଚେୟାର, ହୁଳହୁଳି ଓ ଶଙ୍ଖବାଦନ ଆଦି ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

ଗୁରୁ ପ୍ରଦୀପ କୁମାର ଓ ସାଥୀଙ୍କ ପରିଚାଳନାରେ “ବନ୍ଦେ ଉତ୍କଳ ଜନନୀ” ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା। ବିଶିଷ୍ଟ ଉପସ୍ଥାପକ ଡଃ.ମୃତ୍ୟୁଞ୍ଜୟ ରଥ କାର‌୍ୟ୍ୟକ୍ରମ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗର ସମସ୍ତ ବରିଷ୍ଠ ପଦାଧିକାରୀ ଏବଂପରିଷର ସଂପାଦକ ଶ୍ରୀ ମୃତ୍ୟୁଞ୍ଜୟ ଦଳବେହେରାଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଓଡିଶା ଲଳିତ କଳା ଏକାଡ଼େମୀ ତରଫରୁ ବାଙ୍ଗାଲୋର ଠାରେ ଆଦିବାସୀ ଚିତ୍ରକଳା ଶିବିର

ଭୁବନେଶ୍ବର: ଓଡ଼ିଶା ଲଳିତ କଳା ଏକାଡ଼େମୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ଦ୍ଵାରା କର୍ଣ୍ଣାଟକର ବାଙ୍ଗାଲୋରରେ ପ୍ରମୁଖ ଗ୍ୟାଲେରୀ ‘କର୍ଣ୍ଣାଟକ ଚିତ୍ରକଳା ପରିଷଦ’ ଠାରେ ଆୟୋଜିତ ୪ ଦିନିଆ ରାଜ୍ୟସ୍ତରୀୟ ଆଦିବାସୀ (ସଉରା) ଚିତ୍ରକଳା ଶିବିର ଗୁରୁବାରଠାରୁ ଆୟୋଜିତ ହୋଇଛି।

ଓଡ଼ିଶା ବାହାରେ ପ୍ରଥମଥର ପାଇଁ ଆୟୋଜିତ ଏହି ଶିବିରକୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, କର୍ଣ୍ଣାଟକ ଲଳିତ କଳା ଏକାଡ଼େମୀର ସଭାପତି ଡି. ମହେନ୍ଦ୍ର ଓ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ତଥା ଓଡ଼ିଶା ଲଳିତ କଳା ଏକାଡ଼େମୀର ସଭାପତି ସୁଦର୍ଶନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଉଦଘାଟନ ଅବସରରେ ଓଡ଼ିଶାର ‘ସଉରା’ ଜନଜାତି ଚିତ୍ରକଳା ଓଡ଼ିଶାର ଏକ ସ୍ଵତନ୍ତ୍ର ପରିଚୟ ବୋଲି ନିର୍ଦ୍ଦେଶକ ଶ୍ରୀ ଦାସ କହିଥିଲେ ଓ ଏହାର ପ୍ରଚାର ପ୍ରସାର ଏବଂ ଜନଜାତି ଶିଳ୍ପୀମାନଙ୍କୁ ଆଧୁନିକ ସୁବିଧା ସୁଯୋଗ ସହ ପରିଚିତ କରାଇବା ପାଇଁ ଏକାଡ଼େମୀର ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ।

ସମ୍ମାନିତ ଅତିଥି ଡି. ମହେନ୍ଦ୍ର କର୍ଣ୍ଣାଟକରେ ଓଡ଼ିଶାର ଆଦିବାସୀ ଶିଳ୍ପୀମାନଙ୍କୁ ଦେଖି ଖୁସି ବ୍ୟକ୍ତ କରିବା ସହ ଏହି ଶିବିର ଦ୍ଵାରା କର୍ଣ୍ଣାଟକର ଶିଳ୍ପୀମାନେ ମଧ୍ୟ ଅନୁପ୍ରାଣିତ ହେବେ ବୋଲି କହିଥିଲେ । ଏକାଡ଼େମୀର ସଭାପତି ଶ୍ରୀ ସୁଦର୍ଶନ ପଟ୍ଟନାୟକ ଓଡ଼ିଶା ଲଳିତ କଳା ଏକାଡ଼େମୀ ତରଫରୁ ପ୍ରଥମଥର ପାଇଁ ଓଡ଼ିଶାର ପୁରପଲ୍ଲୀରେ ରହୁଥିବା ଆଦିବାସୀ ଶିଳ୍ପୀମାନଙ୍କୁ ନେଇ ବାଙ୍ଗାଲୋର ଠାରେ ଏପରି ଶିବିର ଆୟୋଜନ କରାଯାଇ ସେମାନଙ୍କର କଳାକୁ ଶୀର୍ଷ ସୋପାନରେ ପହଞ୍ଚାଇବା ପାଇଁ ପ୍ରୟାସ କରାଯାଇଛି ବୋଲି କହିଥିଲେ।

ପ୍ରାରମ୍ଭରେ ଏକାଡ଼େମୀର ସଚିବ ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ ଅତିଥିମାନଙ୍କୁ ସ୍ଵାଗତ କରିବା ସହ ଶିବିର ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଏହି ଶିବିରରେ ଯୋଗୀ ସବର, ଜଳନ୍ଧର ସବର, ମୋହିନୀ ସବର, ଇନ୍ଦିରା ଗମାଙ୍ଗ, ମୁକ୍ତା ସବର, ରୋହିଣୀ ସବର, ବେଲାସ୍ମୀ ସବର, କୋଦଣ୍ଡ ସବର, ଶ୍ରାବଣୀ ସବର, ଲୋକେଶ୍ଵରୀ ସବର, ଜୁନେଶ ଗମାଙ୍ଗ, ସୌଭାଗ୍ୟ ମଞ୍ଜରୀ ମଲ୍ଲିକ>

ସେହିପରି ଅଶ୍ଵିନୀ କୁମାର ନାୟକ, ଅନିଲ କେରକେଟ୍ଟା, ବଲ୍ଲଭ କିଶୋର ହାଂସଦା, ରେଣୁବାଳା ନାୟକ, ସ୍ଵାତୀ ଜାନୀ, ଗୌରୀ ଭୁମିଆ, ହିମାଂଶୁ ସବର, ଚନ୍ଦନ ସବର, ଡୋଲି ଜାନୀ, ପ୍ରୀତି ଡୁଙ୍ଗଡୁଙ୍ଗ, ଲିପସା ସମାଦ, ତପସ୍ଵିନୀ ମାଝି ଓ ସୁଭଦ୍ରା କରୱା ପ୍ରମୁଖ ୧୬ ଜଣ ନାରୀ ଶିଳ୍ପୀ ସମେତ ମୋଟ ୨୫ ଜଣ ଶିଳ୍ପୀ ସଉରା ଜନଜୀବନର ବିଭିନ୍ନ ଘଟଣା ଓ ବିଷୟ ବସ୍ତୁକୁ ନେଇ କ୍ୟାନଭାସ ଉପରେ ସୌରା ଚିତ୍ରକଳା ଅଙ୍କନ କରିବେ।

ଏହି ଶିବିର ୩୧ ଜୁଲାଇ ସକାଳ ପର‌୍ୟ୍ୟନ୍ତ ଚାଲିବ ଏବଂ ସେହିଦିନ ଚିତ୍ରକଳାର ପ୍ରଦର୍ଶନୀକୁ ବିଶିଷ୍ଟ ଅତିଥି ମାନେ ଉଦଘାଟନ କରିବେ ଓ ଶିଳ୍ପୀମାନଙ୍କୁ ସମ୍ମାନିତ କରାଯିବ । ଉକ୍ତ ପ୍ରଦର୍ଶନୀ ଅଗଷ୍ଟ ୩ ତାରିଖ ପର‌୍ୟ୍ୟନ୍ତ ଚାଲିବ । ଏହି ଅବସରରେ କର୍ଣ୍ଣାଟକ ଚିତ୍ରକଳା ପରିଷଦର ସାଧାରଣ ସମ୍ପାଦକ ଏସ.ଏନ.ଶଶୀଧର ଓ ସହ-ସମ୍ପାଦକ ବି.ଏଲ. ଶ୍ରୀନିବାସ, ବାଙ୍ଗାଲୋରରେ ଥିବା ଅନେକ ଓଡିଆ ଶିଳ୍ପୀ ଓ କଳାନୁରାଗୀ ଏବଂ କର୍ଣ୍ଣାଟକର ବହୁ ବରିଷ୍ଠ ଓ ଯୁବ ଶିଳ୍ପୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ସ୍ୱନାମଧନ୍ୟ ସ୍ୱର ସାଧକ ଶେଖର ଘୋଷଙ୍କୁ ମିଳିଲା ସିକନ୍ଦର ଆଲାମ ସ୍ମୃତି ସମ୍ମାନ

ଭୁବନେଶ୍ବର: ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଏବଂ ସିକନ୍ଦର ଆଲାମ ଫାଉଣ୍ଡେସନର ମିଳିତ ସହଯୋଗରେ ଓଡିଆ ସଂଗୀତ ଜଗତର ସାଲବେଗ ଭାବେ କଥିତ ମହମ୍ମଦ ସିକନ୍ଦର ଆଲାମଙ୍କର ୮୩ତମ ଜୟନ୍ତୀ ଉତ୍ସବ ଆଜି ସଂଧ୍ୟାରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି ।

ଆୟୋଜିତ ଉତ୍ସବରେ ସ୍ୱନାମଧନ୍ୟ ସ୍ୱର ସାଧକ ଶ୍ରୀ ଶେଖର ଘୋଷଙ୍କୁ ତୃତୀୟ ସିକନ୍ଦର ଆଲାମ ସ୍ମୃତି ସମ୍ମାନ-୨୦୨୨ ରେ ସମ୍ମାନିତ କରାଯାଇଛି । ଏଥି ସହିତ ବିଶିଷ୍ଟ ବାଦକ ଶ୍ରୀ ଅବନୀକାନ୍ତ ଦାସଙ୍କୁ ମଧ୍ୟ ସିକନ୍ଦର ଆଲାମ ବାଦ୍ୟ ରତ୍ନ ସମ୍ମାନ-୨୦୨୨ରେ ସମ୍ମାନିତ କରାଯାଇଛି । ଏକ ସଂକ୍ଷିପ୍ତ ଆଭାସୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ସ୍ମାରକୀ ପ୍ରଦାନ ପୂର୍ବକ ସମ୍ମାନିତ କରିଛନ୍ତି ।

ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ଯୋଗଦେଇଥିଲେ । ମନ୍ତ୍ରୀ ତାଙ୍କ ଅଭିଭାଷଣରେ ସ୍ୱର୍ଗତ ସିକନ୍ଦର ଆଲାମଙ୍କର କାଳଜୟୀ ସଂଗୀତ ସାଧନାର ସ୍ମୃତି ଚାରଣ କରିଥିଲେ। ସ୍ୱର୍ଗତ୍ ଆଲାମଙ୍କର ରେଡିଓରେ ପରିବେଷିତ ସୁଲଳିତ ଭଜନ ଏବେବି ଲକ୍ଷ ଲକ୍ଷ ଓଡିଶାବାସୀ ଓ ଜଗନ୍ନାଥ ପ୍ରେମୀଙ୍କୁ ବାନ୍ଧି ରଖିଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିଥିଲେ।

ଏଥିରେ ଓଡିଶାର ବହୁ ପ୍ରତିଷ୍ଠିତ ଶିଳ୍ପୀମାନଙ୍କ ଦ୍ୱାରା ଆଲାମ ସଂଗୀତ ପରିବେଷଣ କରାଯାଇଥିଲା । ଏଥିରେ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ,ଶେଖର ଘୋଷ, ମହାପ୍ରସାଦ କର, ନାଜିଆ ଆଲାମ, ସୁଶାନ୍ତ ପଣ୍ଡା, ରଣଦୀପ ପାଲିତ, ବନ୍ଦିଶ ପାଲିତ, ଦେବାଶିଷ ମହାପାତ୍ର, ଆଦ୍ୟାଶା ଦାସ, ରଶ୍ମିତା, ୟସ୍ ମହାନ୍ତି ଓ ସୁକାନ୍ତ ରଥ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ । ଉପସ୍ଥିତ ବହୁ ସଂଗୀତ ଅନୁରାଗୀ ଉକ୍ତ କାର‌୍ୟ୍ୟକ୍ରମରେ ଭରପୁର ଆନନ୍ଦ ନେଇଥିଲେ ।କାର‌୍ୟ୍ୟକ୍ରମରେ ଉପସ୍ଥିତ ସୁନାମଧନ୍ୟ କଣ୍ଠଶିଳ୍ପୀ ଶ୍ରୀ ପ୍ରଣବ ପଟ୍ଟନାୟକଙ୍କ ସମେତ ସଂଗୀତ ଗାନ କରିଥିବା ସମସ୍ତ ଶିଳ୍ପୀମାନଙ୍କୁ ଏହି ଅବସରରେ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଶିଷ୍ଟ ଉପସ୍ଥାପକ ଡଃ. ମୃତ୍ୟୁଞ୍ଜୟ ରଥ କାର‌୍ୟ୍ୟକ୍ରମ ସଂଯୋଜନା କରିଥିଲେ ।

Categories
ଆଜିର ଖବର ସଂସ୍କୃତି

୧୩୯ତମ ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ଅବସରରେ ଆରମ୍ଭ ହେଲା ଗୀତିନାଟ୍ୟ ମହୋତ୍ସବ

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ରବିନ୍ଦ୍ର ମଣ୍ଡପରେ ୧୩୯ତମ ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ରାଜ୍ୟ କଳା ସଂସ୍କୃତି ପରିଷଦ ଓ ୟୁନିସେଫ୍‌ର ମିଳିତ ଆନୁକୂଲ୍ୟରେ ଗୀତିନାଟ୍ୟ ମହୋତ୍ସବର ଶୁଭାରମ୍ଭ କରାଯାଇଛି । ଆଜି ବିଶିଷ୍ଟ ଅତିଥି ଭାବେ ସିନେ କଳାକାର ତଥା ମଂଚ ଅଭିନେତା ଅଶ୍ରୁମୋଚନ ମହାନ୍ତି, ନାଟ୍ୟ ଗବେଷକ ଡ. ସୁବୋଧ ପଟ୍ଟନାୟକ, ଓଡ଼ିଶା ସଂଗୀତ ନାଟକ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ଜେନା, ରାଜ୍ୟ ସଂସ୍କୃତି ପ୍ରକଳ୍ପ ସଂଯୋଜକ ଶ୍ରୀ ବାସୁଦେବ ମାଳବିଶୋୟୀ ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ପ୍ରାରମ୍ଭିକ ସୂଚନା ପ୍ରଦାନ କରି ରାଜ୍ୟ ପ୍ରକଳ୍ପ ସଂଯୋଗ ଶ୍ରୀ ମାଳବିଶୋୟୀ ଲୋକକଳା ମଧ୍ୟରେ ଗୀତିନାଟ୍ୟକୁ ସାମିଲ କରାଯାଇ ଗଣକବିଙ୍କ ଜୟନ୍ତୀରେ ପ୍ରତିବର୍ଷ ତିନିଦିନ ଗୀତିନାଟ୍ୟ ପରିବେଷଣ କରାଯିବା ନିମନ୍ତେ ରାଜ୍ୟ ସରକାର ଅନୁମୋଦନ କରିଥିବା ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ଗଣକବିଙ୍କ ପ୍ରତି ଏକ ବିଶେଷ ଶ୍ରଦ୍ଧାଞ୍ଜଳି ହେବା ସହ ପାରମ୍ପାରିକ ଗୀତିନାଟ୍ୟଧାରାକୁ ବଞ୍ଚାଇ ରଖିବାରେ ସହାୟକ ହେବ ।

ଆଜିର ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍‌ର କୋଠପଦାସ୍ଥିତ ବିନାୟକ କ୍ଲବ୍‌ର କଳାକାରମାନଙ୍କ ଦ୍ୱାରା ସ୍ୱର୍ଗତ ବୈଷ୍ଣବ ପାଣିଙ୍କ ଲିଖିତ ଗୀତିନାଟ୍ୟ ‘କର୍ଣ୍ଣବଧ’ ମଞ୍ଚସ୍ଥ ହୋଇଥିଲା । ଏହି ଅବସରରେ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଆସନ୍ତାକାଲି ଏହି କ୍ରମରେ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍‌ର ନଳବଣ୍ଟାସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ନାଟ୍ୟକଳା ସଂସଦର କଳାକାରମାନଙ୍କ ଦ୍ୱାରା ପ୍ରହଲ୍ଲାଦ ନାଟକ ମଞ୍ଚସ୍ଥ ହେବାର କାର୍ଯ୍ୟକ୍ରମ ରହିଛି ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ବଦଳିଲେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ, ନୂଆଙ୍କୁ ଦିଆଗଲା ନିଯୁକ୍ତି

ଭୁବନେଶ୍ବର, ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କୁ ବଦଳି କରାଯାଇଛି। ଏ ନେଇ ଗତକାଲି ସାଧାରଣ ପ୍ରଶାସନ ବିଭାଗରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସେହି ବିଜ୍ଞପ୍ତି ଅନୁସାରେ ନୂଆ ଶାସନ ସଚିବ ଭାବେ ଗୃହ ଓ ନଗର ଉନ୍ନୟନ ସଚିବ ଡ. ସୁରେଶ ଚନ୍ଦ୍ର ଦଳାଇଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।

ଡ ଦଳାଇ ଯେଉଁଦିନ ଏହି ପଦବୀରେ ଯୋଗଦେବେ ସେହିଦିନ ବିଷ୍ଣୁପଦ କାର୍ଯ୍ୟରୁ ଆବ୍ୟାହତି ନେବେ। ବିଷ୍ଣୁପଦ ବର୍ତ୍ତମାନ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସହିତ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି ସିନେମା

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ୟୁ-ଟୁ୍ୟବ୍‌ ଚ୍ୟାନେଲ୍‌ ଶୁଭାରମ୍ଭ

ଭୁବନେଶ୍ୱର, ଓଡ଼ଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସରକାରୀ ୟୁ-ଟୁ୍ୟବ୍‌ ଚ୍ୟାନେଲ୍‌ ଆଜି ଶୁଭାରମ୍ଭ ହୋଇଛି । ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ସୁଦୂରପ୍ରସାରି କରିବା ପାଇଁ ଏବଂ ବିଭାଗର ବିଭିନ୍ନ କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ଭିଜୁଆଲ୍‌ ମାଧ୍ୟମରେ ଦେଶବିଦେଶରେ ଲୋକଲୋଚନକୁ ଆଣିବା ପାଇଁ ଏହି ପ୍ରଚେଷ୍ଟା ଆରମ୍ଭ ହୋଇଛି ।

ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଏବଂ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଏହି ୟୁ-ଟୁ୍ୟବ୍‌କୁ ଆଜି ଲୋକାର୍ପଣ କରିଛନ୍ତି । ବାସୁଦେବ ମାଳବିଶୋଇଙ୍କର ନିଜ ରଚନା, ସଂଗୀତ ଓ କଣ୍ଠରେ ପ୍ରସ୍ତୁତ ହୋଇଥିବା କରୋନା ସଚେତନ ଗୀତରୁ ଏହି ୟୁ-ଟୁ୍ୟବ୍‌ ଶୁଭାରମ୍ଭ କରାଯାଇଥିଲା । ୟୁ-ଟୁ୍ୟବ୍‌ ପ୍ରସ୍ତୁତ କରିବା ପାଇଁ ସରକାରଙ୍କର ଅନୁମୋଦନ କ୍ରମେ ଏବଂ ଓଡ଼ିଶା ଡଟ୍‌ କମ୍‌ର ସହାୟତାରେ ଏହା ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି