Categories
ଆଞ୍ଚଳିକ

ଓଡ଼ିଆ ଭାଷା ହିଁ ଓଡ଼ିଆ ଜାତିର ଅସ୍ତିତ୍ବ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉଦଘାଟନୀ ଉପଲକ୍ଷେ ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଆଜି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ସର୍ଜନାତ୍ମକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପୂର୍ବାହ୍ଣ ଏଗାର ଘଟିକା ସମୟରେ ସମସ୍ତ ଅତିଥି, ଶିକ୍ଷାର୍ଥୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରଥମେ ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ସମୂହ ଭାବେ ଗାନ କରିଥିଲେ।

ଏହା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ୱାଧୀନା ମଞ୍ଜରୀ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଗାଳ୍ପିକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା, ସମ୍ମାନିତ ଅତିଥିଭାବେ କବି ଦିଗମ୍ବର ବିଶ୍ୱାଳ, ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ସଞ୍ଜୟ କୁମାର ପଣ୍ଡା ଓ ବରିଷ୍ଠ ଶିକ୍ଷକ ଗୋପୀନାଥ ପ୍ରଧାନ ଯୋଗଦେଇ ଓଡ଼ିଆ ଭାଷା ଓ ସାହିତ୍ୟର ଉତ୍କର୍ଷତା ଓ ପ୍ରସାରତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ମୁଖ୍ୟ ଅତିଥି କହିଥିଲେ ଯେ ଶାସ୍ତ୍ରୀୟ ଭାଷା ଭାବେ ମାନ୍ୟତା ଲାଭ କରିଥିବା ଓଡ଼ିଆ ଭାଷା ହେଉଛି ଆମର ଯଥାର୍ଥ ପରିଚୟ ଓ ଅସଲ ଅସ୍ତିତ୍ବ। ଓଡ଼ିଆ ଭାଷା ହିଁ ଆମର ବ୍ୟକ୍ତିତ୍ୱ, ସର୍ଜନଶୀଳତା ଓ ବୌଦ୍ଧିକ ବିକାଶକୁ ତ୍ବରାନିତ କରିଥାଏ। ଏଥି ସହ ଚିଲିକା ଓ ବାଣପୁର ମାଟିର ସାହିତ୍ୟିକ ମାନଙ୍କର ଓଡ଼ିଆ ଭାଷା ସାହିତ୍ୟକୁ ଅବଦାନ ସମ୍ପର୍କରେ ଉପସ୍ଥାପିତ କରିଥିଲେ।

ଅନ୍ୟ ଅତିଥିମାନେ ଛାତ୍ର ଛାତ୍ରୀମାନେ କିପରି ପାଠ୍ୟପୁସ୍ତକ ସହ ଓଡ଼ିଆ ଲେଖକ ମାନଙ୍କର ବହି ପ୍ରଚୁର ପରିମାଣରେ ପଢିବା ସହ ନିଜେ ନିଜର ସର୍ଜନଶୀଳତା ଦ୍ୱାରା ଓଡ଼ିଆ ଭାଷା ଓ ସାହିତ୍ୟକୁ ପରିପୁଷ୍ଟ କରିପାରିବେ ସେ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି ଅବସରରେ ଶିକ୍ଷକ ଓ ଛାତ୍ର ଛାତ୍ରୀମାନେ ନିଜର ସ୍ୱରଚିତ ଲେଖା ପାଠ କରିଥିଲେ।  ଶିକ୍ଷକ ସୁରେନ୍ଦ୍ର ନାଥ ନାୟକ ଓଡ଼ିଆ ଭାଷାର ଗାରିମା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସଭାପତୀୟ ଅଭିଭାଷଣରେ ପ୍ରଧାନ ଶିକ୍ଷକ ଶିକ୍ଷାର୍ଥୀମାନଙ୍କୁ ଓଡ଼ିଆ ଜାତିର ଇତିହାସ,ଗରିମାମୟ କାହାଣୀ ଜାଣିବା ସହ ଓଡ଼ିଆ ଭାଷାରେ ଗଳ୍ପ କବିତା ନାଟକ ଆଦି ଲେଖିବା ପାଇଁ ଉତ୍ସାହିତ କରିଥିଲେ।

ଏହାପରେ ବିଭିନ୍ନ ଭାଷା ଦକ୍ଷତା ପ୍ରତିଯୋଗିତାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ନିକଟରେ ଜିଲ୍ଲାର ଶ୍ରେଷ୍ଠ ଶିକ୍ଷକ ଭାବେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ହୋଇଥିବା ଶିକ୍ଷକ ଗୋପୀନାଥ ପ୍ରଧାନଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା। ଶେଷରେ ଧନ୍ୟବାଦ ଦେଇଥିଲେ ସହକାରୀ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ପାଇକରାୟ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଦୁଇ ଦିନିଆ ବିମର୍ଶ

ଭୁବନେଶ୍ୱର: ଆସନ୍ତା ଫେବୃଆରି ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ୟୁନିଭର୍ସିଟି ପକ୍ଷରୁ ରବିବାର ଏବଂ ସୋମବାର ଦୁଇ ଦିନ ଧରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ବିମର୍ଶ ଆୟୋଜିତ ହେବ।

ଫେବୃଆରି ୪ ଓ ୫ ଦୁଇ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କ ଓଡ଼ିଆଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୋଆର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବ ।

ଫେବୃଆରି ୪ ତାରିଖ ଦିନ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ କୃଷି, କୃଷକ ସଶକ୍ତିକରଣ, ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିଭାଗର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଓ ବିଶିଷ୍ଟ ସାହିତ୍ୟିକ ଶ୍ରୀ ରାସବିହାରୀ ବେହେରା ଉଦ୍‌ଘାଟକ ଭାବେ ଯୋଗ ଦେବେ। ଏହି ଅବସରରେ ପ୍ରଶାସକ, ବୁଦ୍ଧିଜୀବି ଓ ଦୈନିକ ସମ୍ବାଦପତ୍ର ‘ସକାଳ’ର ସମ୍ପାଦକ ଶ୍ରୀ ଉମାକାନ୍ତ ମିଶ୍ର ଏବଂ ମାନବ ଶିକ୍ଷାବିତ୍ ଓ ଗବେଷକ ଶ୍ରୀ ଜଗନ୍ନାଥ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ । ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବେ ।

ପ୍ରଥମ ଦିନର କାର୍ଯ୍ୟକ୍ରମରେ ଶ୍ରୀକ୍ଷେତ୍ରର ଅଭିନୟ କଳା ବିମର୍ଶ, ଶ୍ରୀଜଗନ୍ନାଥ ଚେତନା-ଦର୍ଶନ ଓ ବାସ୍ତବତା, ଓଡ଼ିଆ ସାହିତ୍ୟ ସର୍ଜନରେ ଶ୍ରୀଜଗନ୍ନାଥ ଚେତନା, ସାରୋଳଦାସ ସାହିତ୍ୟ ବିମର୍ଶ, ବଳରାମ ଦାସ ସାହିତ୍ୟ ବିମର୍ଶ, ଜଗନ୍ନାଥ ଦାସ ସାହିତ୍ୟ ବିମର୍ଶ, ମଧ୍ୟକାଳୀନ ସାହିତ୍ୟର ବିଷୟ ବୈଚିତ୍ର‌୍ୟ, ମଧ୍ୟକାଳୀନ ସାହିତ୍ୟରେ ବର୍ଣ୍ଣନା ବୈଚିତ୍ର‌୍ୟ, ଓଡ଼ିଆ ପୁରାଣ ଓ ସାହିତ୍ୟ ବିମର୍ଶ, ସନ୍ଥ ସାହିତ୍ୟ ବିମର୍ଶ ଓ ଭକ୍ତି – ପ୍ରୀତି ଚେତନା ବିମର୍ଶ ଅନ୍ତର୍ଭୁକ୍ତ ।

ସେହିପରି ଦ୍ୱିତୀୟ ଦିନ ଜନଜାତି ନାଚ ଓ ଗୀତ, ଜନଜାତି କଥା ଓ ଗାଥା, ଜନଜାତି ଭାଷା, ଓଡ଼ିଆ ବର୍ଣ୍ଣ ଓ ଲିପି ବିମର୍ଶ, ବ୍ୟାକରଣ ବିମର୍ଶ, ଓଡ଼ିଆ ଅଭିଧାନ ବିମର୍ଶ, ପରମ୍ପରା ଓ ଆଧୁନିକତା, ଓଡ଼ିଆ ପାରମ୍ପରିକ ସଂଗୀତ, ଓଡ଼ିଆ ପାରମ୍ପରିକ ଅଭିନୟ କଳା, ଓଡ଼ିଆ ପାରମ୍ପରିକ ଚିତ୍ରକଳା, ଓଡ଼ିଆ ଶ୍ରାବ୍ୟକାବ୍ୟରେ ଆଧୁନିକତା, ଓଡ଼ିଆ କଥାକାବ୍ୟରେ ଆଧୁନିକତା ଓ ଓଡ଼ିଆ ଦୃଶ୍ୟକାବ୍ୟରେ ଆଧୁନିକତା ଭଳି ବିଷୟବସ୍ତୁ ଉପରେ ଆଲୋଚନା ହେବ ।

ଫେବୃଆରି ୫ ତାରିଖ ଦିନ ଆୟୋଜିତ ହେବାକୁ ଥିବା ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ବିଶିଷ୍ଟ ଓଡ଼ିଆ ଔପନ୍ୟାସିକ, ଆଲୋଚକ, ସ୍ତମ୍ଭକାର ଓ ଶିକ୍ଷାବିତ୍ ଶ୍ରୀ ବିଭୁତି ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯିବ ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ଲଲିତ କଳା ଏକାଡ଼େମୀ ଦ୍ୱାରା ଖୋର୍ଦ୍ଧା ଜିଲ୍ଲାରେ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ

ଖୋର୍ଦ୍ଧା: ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓ ଜିଲ୍ଲା ପ୍ରଶାସନ, ଖୋର୍ଦ୍ଧା ସହଯୋଗରେ ରାଜ୍ୟରେ ଚିତ୍ରକଳାର ବହୁଳ ପ୍ରଚାର ଓ ପ୍ରସାର ନିମନ୍ତେ ଏକାଡେମୀ ଦ୍ଵାରା ସଂଗୃହିତ ଚିତ୍ରକଳାଗୁଡିକୁ ନେଇ ଏକ ଭ୍ରାମ୍ୟମାଣ ପ୍ରଦର୍ଶନୀର ଉଦଘାଟନୀ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ପ୍ରଦର୍ଶନୀକୁ ଉପ-ଜିଲ୍ଲାପାଳ, ଖୋର୍ଦ୍ଧା ଦୀପ୍ତି ରଞ୍ଜନ ସେଠୀ ଉଦଘାଟନ କରିଛନ୍ତି।

ଓଡ଼ିଶା ଲଳିତ କଳାର ବହୁଳ ପ୍ରଚାର ଓ ପ୍ରସାର ପାଇଁ ତଥା ଶିଳ୍ପୀମାନଙ୍କର କଳାକୃତି ଯେପରି ରାଜ୍ୟର ଜନସାଧାରଣ ଅନ୍ୟ ଶିଳ୍ପୀ ତଥା ଛାତ୍ର/ ଛାତ୍ରୀମାନେ ଦେଖିବାର ସୁଯୋଗ ପାଇ ପାରିବେ ଏବଂ ଓଡ଼ିଶାର ସବୁ ଜିଲ୍ଲାରେ ଚିତ୍ରକଳାର ପ୍ରଚାର ଓ ପ୍ରସାର କିପରି ଅଧିକ ହୋଇପାରିବ ସେଥିପାଇଁ ଏକାଡେମୀ ତରଫରୁ ଏହି ପ୍ରୟାସ କରାଯାଉଛି। ଉକ୍ତ ପ୍ରଦର୍ଶନୀରେ ଓଡ଼ିଶାର ଖ୍ୟାତନାମା ଦିବଙ୍ଗତ ଓ ବରିଷ୍ଠ ଚିତ୍ରଶିଳ୍ପୀ ବିମ୍ବାଧର ବର୍ମା, ବସନ୍ତ ପଣ୍ଡା, ଅନନ୍ତ ପଣ୍ଡା, ଯତୀନ ଦାସ, ଅଜିତ କେଶରୀ ରାୟ, ବିଭୁତି କାନୁନଗୋ ଓ ରବିନାରାୟଣ ନାୟକ ପ୍ରମୁଖଙ୍କ ସହ ବହୁ ଯୁବ ଚିତ୍ରଶିଳ୍ପୀଙ୍କ ମୋଟ ୪୦ ଟି ଚିତ୍ରକଳା ସ୍ଥାନ ପାଇଛି।

ଉକ୍ତ ପ୍ରଦର୍ଶନୀ ଡିସେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେହ ଦିନ ୧୧ ଘଟିକାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ। ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରଦର୍ଶନୀ ଅବସରରେ ଜିଲ୍ଲାର ବହୁ ଶିଳ୍ପୀ,କଳାପ୍ରେମୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।

ସଚିବ, ଓଡ଼ିଶା ଲଳିତ କଳା ଏକାଡେମୀ ପଞ୍ଚାନନ ସାମଲ/ପୁର୍ବତନ ସଚିବ, ଓଡ଼ିଶା ଲଳିତ କଳା ଏକାଡେମୀ, ଗଜେନ୍ଦ୍ର ସାହୁ/ଚିତ୍ର ଶିଳ୍ପୀ -ଲଲାଟ  କିଶୋର ପ୍ରଧାନ/ଚିତ୍ର ଶିଳ୍ପୀ ଜ୍ଞାନ ରଞ୍ଜନ ଦାଶ/ଚିତ୍ର ଶିଳ୍ପୀ, ବିରଞ୍ଚି ନାରାୟଣ ଚହଟରାୟ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଉଦ୍‌ଘାଟିତ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସାଂସ୍କୃତିକ ପରିଷଦର ଦୁଇଦିନିଆ ବାର୍ଷିକ ଉତ୍ସବ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଆରମ୍ଭ ହୋଇଛି। ଏହି ଉତ୍ସବକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ପ୍ରଦୀପ ପ୍ରଜ୍ୱଳନପୂର୍ବକ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ଦାଶ, ଓଡ଼ିଆ ସାହିତ୍ୟ ଏକାଡେମୀ ସଭାପତି ଡ. ହୃଷିକେଶ ମଲ୍ଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ଏଭଳି କାର୍ଯ୍ୟକ୍ରମ ବିଭାଗର କର୍ମଚାରୀମାନଙ୍କ ମଧ୍ୟରେ ଭ୍ରାତୃତ୍ୱ ଭାବ ସୃଷ୍ଟି ସହ ସେମାନଙ୍କୁ କର୍ମକ୍ଷେତ୍ରରେ ଅଧିକ ନିଷ୍ଠାର ସହ କାର୍ଯ୍ୟକରିବାକୁ ପ୍ରେରଣା ଦେବ। ଏପରି ଅବସର କର୍ମଚାରୀମାନଙ୍କ ମଧ୍ୟରେ ଥିବା ସୃଜନଶୀଳ କ୍ରିୟାଶୀଳତାର ଉନ୍ମେଷ ଓ ବିକାଶରେ ସହାୟକ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ପରିଷଦର ସ୍ମରଣିକା ‘ସଂସ୍କୃତି ଦର୍ପଣ’ ଉନ୍ମୋଚିତ ହୋଇଥିଲା।

ଏହି ଦୁଇଦିନିଆ ବାର୍ଷିକ ଉତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବା ସହ ଆସନ୍ତାକାଲି ପରିଷଦର ସଦସ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ତଥା ଶ୍ରୀ ହରେନ୍‌ ସାହୁଙ୍କ ଦ୍ୱାରା ନିର୍ଦ୍ଦେଶିତ ନାଟକ ‘ସମୟ କହିବ କିଏ କାହାର’ ମଞ୍ଚସ୍ଥ ହେବ। ଆଜିର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପରିଷଦର ସଭାପତି ଶ୍ରୀ ମାଥିଆସ୍‌ ତିର୍କୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଂପାଦକ ଶ୍ରୀ ମୃତୁ୍ୟଞ୍ଜୟ ଦଳବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରାଜ୍ୟ ସଂଗ୍ରହାଳୟରେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରୀ ଉଦ୍‌ଘାଟିତ

ଭୁବନେଶ୍ୱର: ପ୍ରାଚୀନ ତାଳପତ୍ର ପୋଥି ସଂରକ୍ଷଣ ନିମନ୍ତେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ଆରମ୍ଭ ହୋଇଥିବା ୧୫ ଦିନିଆ କର୍ମଶାଳା ଆଜି ଉଦ୍‌ଯାପିତ ହୋଇଛି। ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାଚୀନ ତାଳପତ୍ର ପୋଥିର ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ।

ଏଥିରୁ ଆମର ସୁସମୃଦ୍ଧ ସାହିତ୍ୟ, ଇତିହାସ, ପରମ୍ପରା, ପ୍ରାଚୀନ ଚିକିତ୍ସା ପଦ୍ଧତି ସଂପର୍କରେ ଅଧିକରୁ ଅଧିକ ଗବେଷଣାତ୍ମକ ତଥ୍ୟ ହାସଲ କରିହେବ ବୋଲି ସେ କହିଥିଲେ। ଉକ୍ତ କର୍ମଶାଳାରେ ଯୋଗଦେଇଥିବା ପ୍ରାୟ ୧୦୦ ଜଣ ସ୍ନାତକୋତ୍ତର, ଏମ୍‌.ଫିଲ୍‌ ଏବଂ ପି.ଏଚ୍‌ଡି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।

ଏହି ପାକ୍ଷିକ କର୍ମଶାଳାରେ ଡ. ରମେଶ ଚନ୍ଦ୍ର ମଲ୍ଲିକ, ଜ୍ୟୋତିରାଜ୍‌, ଡ. ପ୍ରଦୀପ୍ତ କୁମାର ପଣ୍ଡା, ଡ. ନଟବର ଶତପଥୀ, ଡ. ବାବାଜୀ ଚରଣ ପଟ୍ଟନାୟକ, ଡ. ଜ୍ଞାନୀ ଦେବାଶିଷ ମିଶ୍ର, ଡ. ଫଣୀନ୍ଦ୍ର ଭୂଷଣ ନନ୍ଦ, କୌଶିକ ନାଥ, ଡ. ସନ୍ତୋଷ କୁମାର ରଥ, ଡ. ସନ୍ତୋଷ କୁମାର ତି୍ରପାଠୀ, ଡ. ଭାଗ୍ୟଲିପି ମଲ୍ଲ, ଡ. ଭାରତୀ ପାଲ୍‌, ଶ୍ରୀ ଅରୁଣ କୁମାର ନାୟକ, ବିଭାସ କୁମାର, ଶ୍ରୀ ଅଜିତ କୁମାର ନାୟକ ପ୍ରମୁଖ ତାଲିମ ପ୍ରଦାନ କରିଥିଲେ।

ଏଥି ସହ ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ପାତ୍ର ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରୀ ଉଦ୍‌ଘାଟନ କରିବା ସହ ଓଡ଼ିଶାରେ ମହାତ୍ମା ଗାନ୍ଧୀଙ୍କ ପଦଚିହ୍ନ ଉଭୟ ଓଡ଼ିଆ ଓ ଇଂରାଜୀ କଫି ଟେବୁଲ୍‌ ବୁକ୍‌, ଆନନ୍ଦ ଭବନ ସଂଗ୍ରହାଳୟର ଭର୍ଚୁଆଲ୍‌ ୱାକ୍‌ ଥ୍ରୁ ଏବଂ ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମ ସ୍ୱତନ୍ତ୍ର ଓଡ଼ିଶା ହିଷ୍ଟୋରିକାଲ୍‌ ରିସର୍ଚ୍ଚ ଜର୍ଣ୍ଣାଲ୍‌ ବିଶେଷାଙ୍କ ଉନ୍ମୋଚନ କରିଛନ୍ତି।

ଏହି ସମସ୍ତ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ଦାଶ, ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ସଂଗୀତ ନାଟକ ଏକାଡେମୀ ପକ୍ଷରୁ ନୂଆଖାଇ ଭେଟ୍‌ଘାଟ୍‌, ପରିବେଷଣ ହେଲା ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଗତକାଲି ରବିନ୍ଦ୍ରମଣ୍ଡପଠାରେ ନୂଆଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି।

ପଶ୍ଚିମ ଓଡ଼ିଶାର ମୁଖ୍ୟ କୃଷିଭିତ୍ତିକ ପର୍ବ ନୂଆଖାଇ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏକ ଅନନ୍ୟ ବିଶେଷତ୍ୱ। ଏହି ପର୍ବ ସହ ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ, ଲୋକକଳା, ଲୋକବାଦ୍ୟ ଓ ଲୋକ ସଂସ୍କୃତିର ପ୍ରଚାର ପ୍ରସାର ସହ ଏହାକୁ ଓଡ଼ିଶାର ପୁର ପଲ୍ଲୀରେ ପହଞ୍ଚାଇବା ଉଦ୍ଦେଶ୍ୟରେ ବିଭାଗ ପକ୍ଷରୁ ପ୍ରତିବର୍ଷ ଏପରି ଆୟୋଜନ କରାଯାଉଛି।

ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର କଳାକାରମାନଙ୍କ ଦ୍ୱାରା ଡାଲ୍‌ଖାଇ, ଦୁଲ୍‌ଦୁଲି, ଘୁମର୍‌, ଦଣ୍ଡନାଚ, ବଜାଶାଲ୍‌, ମାନ୍ଦଲିଆ ଓ କରମାନଜ ନୃତ୍ୟ ପରିବେଷିତ ହୋଇଥିଲା । ଲୋକନୃତ୍ୟର ତାଳେ ତାଳେ ମଞ୍ଚ ଦୁଲିକି ଉଠିବା ସହ ଏହା ଦର୍ଶକମାନଙ୍କୁ ଅଭିଭୂତ କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଆ ଭାଷାର ସୁରକ୍ଷା ପାଇଁ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଭୂମିକା ଅବିସ୍ମରଣୀୟ

ଭୁବନେଶ୍ୱର: ଓଡ଼ିଶାର ସାମ୍ବାଦିକ ଜଗତର ଭୀଷ୍ମ ପିତାମହ, ସମ୍ବଲପୁର ହିତୈଷିଣୀର ସମ୍ପାଦକ, ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର ଅଗ୍ରଣୀ ସାରଥୀ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ୯୯ତମ ଶ୍ରାଦ୍ଧୋତ୍ସବ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆଜି ପାଳିତ ହୋଇଛି। ପ୍ରତ୍ୟୁଷରେ ଭୁବନେଶ୍ୱର ଜୟଦେବ ବିହାର ନିକଟସ୍ଥ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଦୀପଦାନ ଓ ପୁଷ୍ପମାଲ୍ୟ ପ୍ରଦାନ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଅଛି। ଏହି କାର‌୍ୟ୍ୟକ୍ରମ ପ୍ରାରମ୍ଭରେ ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ ବନ୍ଦନା ଗାନ କରିବା ପରେ ଶିକ୍ଷାବିତ କାମଦେବ ମହାପାତ୍ର ସ୍ୱରଚିତ କବିତା ଆବୃତ୍ତି କରିଥିଲେ।

ଉପସ୍ଥିତ ପୂଜ୍ୟପୂଜାପ୍ରେମୀ ନିଜ ବକ୍ତବ୍ୟରେ ବାଙ୍କୀ ବୈଦେଶ୍ୱର ମାଟିର ବରପୁତ୍ର ନୀଳମଣି ଶିକ୍ଷାଲାଭ ପରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ କାର‌୍ୟ୍ୟ ଆରମ୍ଭ କଲେ ଛବାମଣ୍ଡାର ଗୁଣଗ୍ରାହୀ ମହାରାଜା ସାର ବାସୁଦେବ ସୁଢ଼ଳ ଦେବଙ୍କ ଆମନ୍ତ୍ରଣ କ୍ରମେ ବାମଣ୍ଡାରେ ଅବସ୍ଥାନ କରି ସମ୍ବଲପୁରୀ ହିତୈଷିଣୀ ଖବରକାଗଜ ସମ୍ପାଦନା କରିଥିଲେ। ଓଡ଼ିଆ ଭାଷାକୁ ବିଲୋପ କରି ହିନ୍ଦୀ ଓ ବଙ୍ଗାଳି ଭାଷାର ପ୍ରଚଳନ ପାଇଁ ସେତେବେଳେ ଯେଉଁ ଉଦ୍ୟମ ଆରମ୍ଭ ହୋଇଥିଲା ପଣ୍ଡିତ ନୀଳମଣି ବିଦ୍ୟାରନି ତାହାର ଦୃଢ ବିରୋଧ କରିବା ସହ କୋର୍ଟ କଚେରୀ ଓ ସରକାରୀ କାର‌୍ୟ୍ୟାଳୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ସେ ମଧ୍ୟ ଉତ୍କଳ ସମ୍ମିଳନୀ ସହିତ ନିଜକୁ ଜଡିତ କରିବା ସଙ୍ଗେ ସଙ୍ଗେ ଓଡ଼ିଆରେ ବହୁ ପୁସ୍ତକ ରଚନା କରିଥିଲେ। ସେ ବିଭିନ୍ନ ଗଡ଼ଜାତ ପରିଦର୍ଶନ କରି ଓଡ଼ିଆ ଭାଷାର ସୁରକ୍ଷା ପାଇଁ ରାଜା ମହାରାଜାଙ୍କ ସହଯୋଗ କାମନା କରୁଥିଲେ ବୋଲି ଅତିଥିମାନେ ମତ ଦେଇଥିଲେ।

ଆଜିର କାର‌୍ୟ୍ୟକ୍ରମରେ ପ୍ରବୀର ମହାନ୍ତି, ଡ଼ଃ ମିହିର ପଟ୍ଟନାୟକ, ପ୍ରାଧ୍ୟାପକ ଡ଼ଃ ରଙ୍ଗାଧର ସାହୁ, ରମେଶ ଚନ୍ଦ୍ର ପାତାଳସିଂହ, ଗିରିଜା ଶଙ୍କର ମହାପାତ୍ର, ଉଇ ଫର ଭୁବନେଶ୍ୱର ପକ୍ଷରୁ ନରେନ ସାହୁ, ସଂଯୁକ୍ତା ମିଶ୍ର, ସରୋଜିନୀ ମିଶ୍ର, ଦୀପ୍ତିପ୍ରଭା ରାୟ, ଶାନ୍ତିଲତା ସାହୁ, ରୀତା ମହାନ୍ତି, ପ୍ରଗତି ରଥ, ଜୟ ଓଡ଼ିଶାର ସଭ୍ୟବୃନ୍ଦ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୫୩ଜଣଙ୍କୁ ବାଙ୍କିବାସୀଙ୍କ ପକ୍ଷରୁ ପଣ୍ଡିତ ନୀଳମଣି ବିଦ୍ୟାରନି ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ଉକ୍ତ କାର‌୍ୟ୍ୟକ୍ରମରେ ସ୍ୱତନ୍ତ୍ର କର୍ତବ୍ୟରତ ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନା କରିଥିବାବେଳେ ଉପଶାସନ ସଚିବ ମାଥିଆସ ତିର୍କୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଏଣିକି ଦୋକାନ ଏବଂ ବ୍ୟବସାୟ ପ୍ରତିଷ୍ଠାନ ନାମ ଫଳକ ଓଡିଆରେ ଲେଖିବାକୁ ବାଧ୍ୟ, ନଚେତ..

ଭୁବନେଶ୍ୱର: ପୂର୍ବରୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାର ନାମଫଳକ ଲେଖିବା ବାଧ୍ୟତାମୂଳକ କରାଯାଇଥିଲା। ଏଥିନିମିତ୍ତ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ଦ୍ଵାରା ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ ୧୯୫୬ରେ ଆବଶ୍ୟକୀୟ ସଂଶୋଧନ କରାଯାଇଅଛି।

ଏଯାବତ ରାଜ୍ୟର ପୌରାଞ୍ଚଳରେ ମୋଟ ୫୨,୦୦୦ ପଞ୍ଜୀକୃତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ମଧ୍ୟରୁ ପ୍ରାୟତଃ ୪୭,୦୦୦ ପ୍ରତିଷ୍ଠାନରେ ଓଡ଼ିଆର ନାମ ଫଳକ ଲେଖା ଯାଇଅଛି। କିଛି ଖିଲାପକାରୀ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନମାନଙ୍କ ବିରୁଦ୍ଧରେ ମକଦ୍ଦମା ସହିତ ଜୋରିମାନା ମଧ୍ୟ କରାଯାଇଅଛି।

ଗତକାଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗଙ୍କ ଅଧ୍ୟକ୍ଷତାରେ ଆୟୁକ୍ତ ତଥା ସଚିବ, ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ, ଶ୍ରମ ଆୟୁକ୍ତ ଏବଂ ଜିଲ୍ଲା ଶ୍ରମ ଅଧିକାରୀମାନକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପରିବର୍ତ୍ତିତ ଅଧିନିୟମର କଡାକଡ଼ି ଅନୁପାଳନ କରାଯିବା ପାଇଁ ନିଷ୍ପତ୍ତି କରାଗଲା।

ଶ୍ରମ ଆୟୁକ୍ତ ଓଡ଼ିଶାର ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡ଼ିକରେ ଓଡ଼ିଆରେ ନାମଫଳକ ଲଗାଇବା ନିମନ୍ତେ ଜିଲ୍ଲା ଶ୍ରମ ଅଧିକାରୀ ଓ ପୌରାଞ୍ଚଳ କାର‌୍ୟ୍ୟନିର୍ବାହୀ ଅଧିକାରୀମାନଙ୍କୁ ଏହାର କଡାକଡି ନିରୀକ୍ଷଣ କରି ଆବଶ୍ୟକୀୟ କାର‌୍ୟ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ଚଳିତ ମାସଠାରୁ ଖିଲାପକାରୀଙ୍କୁ ୭ଦିନିଆ ନୋଟିସ ଦିଆଯିବ। ଏହାପରେ ମଧ୍ୟ ଯଦି ଅଧିନିୟମର ଅନୁପାଳନ ନହୁଏ, ତେବେ ଦୃଢ କାର‌୍ୟ୍ୟାନୁଷ୍ଠାନ ସହିତ ଜୋରିମାନା/ ଲାଇସେନ୍ସ ରଦ୍ଦ କରାଯିବ। ପ୍ରଥମଥର ଖିଲାପକାରୀଙ୍କୁ ୫୦୦୦ ଟଙ୍କା ଜୋରିମାନା ଏବଂ ଦ୍ୱିତୀୟଥର ଖିଲାପକାରୀଙ୍କୁ ୨୫୦୦୦ ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ।

ଜିଲ୍ଲାସ୍ତରରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶ୍ରମ ଅଧିକାରୀ, ପୌରାଞ୍ଚଳ କାର‌୍ୟ୍ୟନିର୍ବାହୀ ଅଧିକାରୀ ଓ ବଜାର ଦୋକାନ ଓ ବାଣିଜ୍ୟ ସଂଘ ସହିତ ପ୍ରତି ମାସରେ ଏକ ବୈଠକ କରି ଏହାର ସମୀକ୍ଷା କରିବା ସହିତ ବିବରଣୀ ଶ୍ରମ ଆୟୁକ୍ତ ଏବଂ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗଙ୍କୁ ପ୍ରଦାନ କରିବା ନିମିତ୍ତ ନିର୍ଦ୍ଦେଶ ପ୍ରଦାନ କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ

ଭୁବନେଶ୍ୱର: ଓଡ଼ିଆ ଭାଷା ପ୍ରତିଷ୍ଠାନ, ଭୁବନେଶ୍ୱର ଏବଂ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ବିଦ୍ୟାଳୟ, ପାରଳାଖେମୁଣ୍ଡି ମିଳିତ ଆନୁକୂଲ୍ୟରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଆଜି  ପାରଳାଖେମୁଣ୍ଡି ସ୍ଥିତ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ପାଳିତ  ହୋଇଯାଇଛି। ଏହି ଅବସରରେ ସଭାକାର୍ଯ୍ୟ ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରାଯାଇଥିଲା। ଅଧ୍ୟାପକ ଡଃ ଚନ୍ଦ୍ରଶେଖର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ।

ମୁଖ୍ୟ ଅତିଥି ଭାବେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗ ଦାନ କରି ଓଡ଼ିଆ ଶାସ୍ତ୍ରୀୟତା ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ଡଃ ବୈରାଗୀ ଚରଣ ପଟ୍ଟନାୟକ ଓଡ଼ିଆ ଭାଷା ଓ ସାହିତ୍ୟକୁ ପାରଳାଖେମୁଣ୍ଡିର ଅବଦାନ ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ଏହି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରଫେସର ଫଣୀନ୍ଦ୍ର ଭୂଷଣ ନନ୍ଦ ପାରଳାଖେମୁଣ୍ଡିର ସାହିତ୍ୟିକ ପରମ୍ପରା ଉପରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମରେ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ.ଅଜୟ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ।

ଏହି ଦିବସ ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ଭାଷାରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଡଃ ବିଘ୍ନେଶ୍ୱର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ୪୦ ତମ ରାଜ୍ୟ ଚାରୁକଳା ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ଵର: ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଆୟୋଜିତ ୪୦ ତମ ରାଜ୍ୟ ଚାରୁକଳା ପ୍ରଦର୍ଶନୀ ରାଜ୍ୟ ସଂଗ୍ରହାଳୟ ପରିସରରେ ଥିବା କଳିଙ୍ଗ ଆର୍ଟ ଗ୍ୟାଲେରୀ ଠାରେ ଅନୁଷ୍ଠିତ ହେଉଛି। ଆଜି ଏହି ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସୂଚନା ଆୟୁକ୍ତ ଦିଲ୍ଲୀପ କୁମାର ବିଶୋଇ ଯୋଗଦେଇ ଉଦଘାଟନ ପୂର୍ବକ ଶିଳ୍ପୀମାନଙ୍କ ସୃଜନଶୀଳ ଚିତ୍ର ଓ ଭାସ୍କର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ।

ସମ୍ମାନିତ ଅତିଥି ରୂପେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି  ବିଭାଗର ନିର୍ଦ୍ଦେଶକ ତଥା ସ୍ଵତନ୍ତ୍ର ଶାସନ ସଚିବ ରଞ୍ଜନ କୁମାର ଦାସ ଓ ଧର୍ମପଦ ପୁରସ୍କାର ପ୍ରାପ୍ତ ବରିଷ୍ଠ ଚିତ୍ରଶିଳ୍ପୀ ଜଗଦୀଶ ଚନ୍ଦ୍ର କାନୁନଗୋ ପ୍ରମୁଖ ଶିଳ୍ପୀମାନଙ୍କ କଳାକୃତି ବୁଲି ଦେଖିବା ସହ ସାମ୍ପ୍ରତିକ କଳାକୃତିଗୁଡିକ ସମୟପୋଯୋଗୀ ହୋଇଥିବା ପ୍ରକାଶ କରିଥିଲେ।

ଏହି ଅବସରରେ କଳାକୃତିଗୁଡିକର ଏକ ରଙ୍ଗୀନ କ୍ୟାଟଲଗ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ପ୍ରଦର୍ଶନୀରେ ୪୦ ତମ ରାଜ୍ୟ ପୁରସ୍କାରରେ ପୁରସ୍କୃତ କଳାକୃତି ଗୁଡିକ ପ୍ରଦର୍ଶିତ ହେବା ସହ ଚିତ୍ରକଳାରେ ୧୦୧ ଟି, ଭାସ୍କର୍ଯ୍ୟ କଳାରେ ୩୦ ଟି, ମୁଦ୍ରଣ କଳାରେ ୧୮ ଟି ଓ ପାରମ୍ପରିକ କଳାରେ ୧୫ ଟି ଚିତ୍ର ପ୍ରଦର୍ଶିତ ହୋଇଛି।

ଉଦଘାଟନ ଉତ୍ସବ ଅବସରରେ ଏକାଡେମୀ କାର୍ଯ୍ୟକାରୀ ସମିତିର ସଦସ୍ୟ ତଥା ବରିଷ୍ଠ ଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁ, ବହୁ ବରିଷ୍ଠ ଶିଳ୍ପୀ, ଛାତ୍ର ଛାତ୍ରୀ ତଥା କଳାନୁରାଗୀ ପ୍ରଦର୍ଶନୀ ବୁଲି ଦେଖିଥିଲେ। ଏକାଡେମୀର ସଚିବ ପଞ୍ଚାନନ ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ପ୍ରଦର୍ଶନୀ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଚାଲିବ।

Categories
ଆଜିର ଖବର

କବି ଅନ୍ନପୂର୍ଣ୍ଣା: ଉନବିଂଶ ଶତାବ୍ଦୀର ଓଡିଶାରେ ଓଡିଆ ଭାଷାର ଅନନ୍ୟ ନାରୀ ସ୍ଵର

କୈଳାସ ଚନ୍ଦ୍ର ଦାଶ

ଊନବିଂଶ ଶତକର ଶେଷଭାଗରୁ ବିଂଶ ଶତକର ମଧ୍ୟଭାଗ ପର୍ଯ୍ୟନ୍ତ ଓଡିଶାରେ ସମାଜ ସଂସ୍କୃତି କ୍ଷେତ୍ରରେ ଅବିସ୍ମରଣୀୟ ଆଲୋଡନରେ ନାରୀମାନଙ୍କର ଭୂମିକା ଉପରେ ଆବଶ୍ୟକ ଗୁରୁତ୍ୱ ଦିଆଯିବା ଉଚିତ। ଏହି କାଳରେ ନାରୀଶିକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ପତ୍ରପତ୍ରିକାମାନଙ୍କରେ ନାରୀମାନଙ୍କର ଲେଖା ତଥା ନାରୀ ସମସ୍ୟା ସମ୍ପର୍କରେ ବିସ୍ତାରିତ ଆଲୋଚନା ହୋଇଥିଲା। ୧୮୯୦ ବେଳକୁ ଆଶା ମାସିକ ପତ୍ର ଏକ ମହିଳା ପତ୍ରିକାରେ ପରିଣତ ହୋଇଥିଲା। ଏହି କାଳର ଶିକ୍ଷିତା ମହିଳାମାନଙ୍କ ମଧ୍ୟରେ ସୁଲକ୍ଷଣା ଦେବୀ, ରେବା ରାୟ, ବସନ୍ତକୁମାରୀ ଦେବୀଙ୍କ ପରି ଅନ୍ନପୂର୍ଣ୍ଣା ନାରୀ ଜାଗରଣ ପାଇଁ ପ୍ରବଳ ଉଦ୍ୟମ କରିଥିଲେ। ଫକୀରମୋହନ ସେନାପତି ଉକ୍ରଳବାସୀରେ ୧୯୦୮ ଡିସେମ୍ବର ୮ରେ ତାଙ୍କର ମୂଲ୍ୟାୟନ କରିଥିଲେ। ଚନ୍ଦ୍ରମୋହନ ମହାରଣା ପ୍ରଜାବନ୍ଧୁରେ ୧୯୦୫ ଫେବୃଆରୀ ୧୫ରେ ତାଙ୍କ ସମ୍ପର୍କରେ ଲେଖିଥିଲେ-ବନର ମାଳତୀ ଫୁଟି ବିଜନ ବନରେ/ମର୍ତ୍ତ୍ୟଲୀଳା ସାଂଗକରେ ବିଧିବିଧାନରେ //ମାନବ ମଧ୍ୟରେ ଥାଏ ବନର ମାଳତୀ/ଉକ୍ରଳ ଅରଣ୍ୟେ ଅନ୍ନପୂର୍ଣ୍ଣା ସରସ୍ୱତୀ// ଏପରି ମୂଲ୍ୟାୟନରୁ ଜଣାପଡେ ଯେ ସେତେବେଳର ଓଡିଆ ମାନସକୁ ଅନ୍ନପୂର୍ଣ୍ଣା ବେଶ୍‍ ପ୍ରଭାବିତ କରିପାରିଥିଲେ।

ଗଞ୍ଜାମର ଚିକିଟି ତାଲୁକରେ ଗୋବିନ୍ଦ ପଟ୍ଟନାୟକ ଓ ସୁଭଦ୍ରା ଦେବୀଙ୍କ କନ୍ୟା ଅନ୍ନପୂର୍ଣ୍ଣା। ଜନ୍ମ ୧୮୮୩ ଏବଂ ମୃତ୍ୟୁ ୧୯୪୮। ତାଙ୍କର ଶୈଶବ ମାନସର ପରିଗଠନରେ ଶିକ୍ଷାର ଭୂମିକା ଯେତେନୁହେଁ ତାଠାରୁ ଅଧିକ ଥିଲା ପରିବେଶର ପ୍ରଭାବ। ସେ ଗ୍ରାମ୍ୟ ଚାଟଶାଳୀର ଏରୁଣ୍ଡି ଡେଇଁ ବାହାରକୁ ଯାଇନାହାନ୍ତି। ଗାଁର ଚୌପାଢୀ ଓ ଅବଧାନୀ ଶିକ୍ଷା ମଧ୍ୟରେ ତାଙ୍କର ଅଧ୍ୟୟନ ସୀମିତ। ସେ ଆପଣା ଉଦ୍ୟମରେ ପିତାମାତାଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଚୀନ ଓଡିଆ ଗ୍ରନ୍ଥ ପାଠରୁ ଅନେକ ଶିକ୍ଷା ପାଇଥିଲେ। ମାତ୍ର ୧୭ ବର୍ଷ ବୟସରେ ଗଞ୍ଜାମ ପୁରୁଷୋତ୍ତମ ପୁର ଗ୍ରାମର ତରୁଣ ଶ୍ରୀରାମ ପଟ୍ଟନାୟକଙ୍କ ସହିତ ୧୯୦୦ ମସିହା ମେ ମାସରେ ବିବାହ ସମ୍ପନ୍ନ ହେଲା। ଶ୍ରୀରାମ ପଟ୍ଟନାୟକ ଥିଲେ ବଡଖେମୁଣ୍ଡି ରାଜାଙ୍କର ଜଣେ କର୍ମଚାରୀ। ତେଣୁ ବଡଖେମୁଣ୍ଡି ଥିଲା ତାଙ୍କ ଦାମ୍ପତ୍ୟ ଜୀବନର ଆଦ୍ୟନିକେତନ। କ୍ରମେ ଅନ୍ନପୂର୍ଣ୍ଣା ଲେଖା ଆରମ୍ଭ କଲେ ଏବଂ ୧୯୦୭ ବେଳକୁ ସମ୍ବଲପୁର ହିତୈଷିଣୀ ରେ ତାଙ୍କର ମୂଲ୍ୟାୟନ ହୋଇଥିଲା। ମାର୍ଚ୍ଚ ୩ ୧୯୦୭ର ହିତୈଷିଣୀରେ ତାଙ୍କ ସମ୍ପର୍କରେ ଲେଖାଯାଇଥିଲା- “ଆପଣମାନେ ଶ୍ରୀମତୀ ଅନ୍ନପୂର୍ଣ୍ଣାଙ୍କଠାରେ ଅପରିଚିତ ନୁହଁନ୍ତି। ଅବଶ୍ୟ ଉକ୍ରଳୀୟ ପତ୍ରିକାମାନଙ୍କ ସାହାଯ୍ୟରେ ତାହାଙ୍କ ପରିଚୟ ପାଇଥିବେ। ତାହାଙ୍କର କବିତା ରଚନାପ୍ରଣାଳୀ ଦେଖି କେବଳ ଉକ୍ରଳବାସୀ କାହିଁକି ସମ୍ମୁନ୍ନତ ବଙ୍ଗ ପ୍ରଦେଶର ପ୍ରତିଭାଶାଳୀ ଲେଖକ ଏବଂ ସମ୍ବାଦପତ୍ରିକାମାନଙ୍କର ସମ୍ପାଦକମାନେ ଏପରିକି ଶ୍ୱେତଦ୍ୱୀପବାସୀମାନେ ମଧ୍ୟ ଏକ ମୁଖରେ ତାଙ୍କର ପ୍ରଶଂସାଗୀତି ଗାୟନ କରିଛନ୍ତି। ତାଙ୍କର ପ୍ରତିଭା ବିଷୟରେ ଇଂରାଜୀ ପତ୍ରିକାମାନଙ୍କ ମଧ୍ୟରୁ “ମାଡ୍ରାସ୍‍ ମେଲ୍‍”, “ଇଷ୍ଟ୍‍ କୋଷ୍ଟ୍‍ ନିଉଜ୍‍”, “ଟେଲିଗ୍ରାଫ୍‍” ଏବଂ “ବ୍ୟାନର୍‍” ପ୍ରଭୃତି ପତ୍ରିକାମାନଙ୍କରେ ପ୍ରକାଶିତ ହୋଇଅଛି । “ଦି ବ୍ୟାନର୍‍” ପତ୍ରିକାର ସେପ୍ଟେମ୍ବର ଏବଂ ଅକ୍ଟୋବର ୧୯୦୪ ସଂଖ୍ୟାରେ ତାଙ୍କ ବିଷୟରେ ଇଂରାଜୀରେ ଲେଖାଯାଇଥିଲା। ୧୯୦୪, ୨୩ ନଭେମ୍ବର “ଦି ଟେଲିଗ୍ରାଫ୍‍”ରେ ସେ ବଡଖେମୁଣ୍ଡିର ଗୌରବ ବୋଲି ବର୍ଣ୍ଣିତ।

ବଡଖେମୁଣ୍ଡି ରାଜାଙ୍କ ସହିତ ମନମାଳିନ୍ୟ ହେବା ଯୋଗୁଁ ଅନ୍ନପୂର୍ଣ୍ଣା ସପରିବାର ବ୍ରହ୍ମପୁରର ପର୍ଶୁରାମ ପାତ୍ରଙ୍କ ପରାର୍ମଶ କ୍ରମେ ତାଙ୍କରି ଘରେ ଆଶ୍ରୟ ନେଇଥିଲେ। ୧୯୦୬ରୁ ୧୯୧୫ ମଧ୍ୟରେ ତାଙ୍କର ବ୍ରହ୍ମପୁର ଅବସ୍ଥାନ ତାଙ୍କ ସାରସ୍ୱତ ଜୀବନର ନୂତନ ସମ୍ଭାବନାର ଦିଗନ୍ତ ଉନ୍ମୋଚନ କରିଥିଲା। ପର୍ଶୁରାମଙ୍କ ଉଦ୍ୟମରୁ ତାଙ୍କ ସ୍ୱାମୀ ଶ୍ରୀରାମ ପଟ୍ଟନାୟକଙ୍କୁ ବ୍ରହ୍ମପୁର ତହସିଲଦାରଙ୍କ ଅଫିସରେ ମାସିକ ପନ୍ଦର ଟଙ୍କା ବେତନରେ ଗୋଟିଏ କିରାଣୀ ଚାକିରୀ ମିଳିଥିଲା। କବିଙ୍କର ପରିବାର ଏଥିପାଇଁ ଓକିଲ ପାତ୍ରଙ୍କ ପ୍ରତି ଅତ୍ୟନ୍ତ ଅନୁଗତ ଥିଲେ। ବ୍ରହ୍ମପୁରରେ ଥିବା ବେଳେ ଅନ୍ନପୂର୍ଣ୍ଣା ବହୁ ସାହିତ୍ୟିକ ଓ ସମାଜସେବୀଙ୍କର ସଂସ୍ପର୍ଶରେ ଆସିଥିଲେ। କେତେ ଉତ୍ସାହ ଓ ଉଦାର ପ୍ରେରଣା ଲାଭର ସୁଯୋଗ ମଧ୍ୟ ତାଙ୍କୁ ମିଳିଥିଲା। ବ୍ୟାସକବି ଫକୀରମୋହନ, ଭକ୍ତକବି ମଧୁସୂଦନ, ନୀଳମଣୀ ବିଦ୍ୟାରତ୍ନ, ଚନ୍ଦ୍ର ମୋହନ ମହାରଣା, ଚିନ୍ତାମଣି ମହାନ୍ତି, ଶ୍ରୀବତ୍ସ ପଣ୍ଡା ଓ ଲକ୍ଷ୍ମୀନାରାୟଣ ସାହୁ ପ୍ରଭୃତିଙ୍କ ସାହଚର୍ଯ୍ୟ ତାଙ୍କୁ ଲେଖାଲେଖି କ୍ଷେତ୍ରରେ ଉତ୍ସାହିତ କରିଥିଲା। ୧୯୧୫ରେ ବ୍ରହ୍ମପୁରରୁ ପାରଳାଖେମୁଣ୍ଡି ଗଜପତିଙ୍କର ଆହ୍ୱାନକ୍ରମେ ଶ୍ରୀରାମ ପଟ୍ଟନାୟକ ଓ ଅନ୍ନପୂର୍ଣ୍ଣା ଯାତ୍ର କରିଥିଲେ। ପାରଳାରେ ଅନ୍ନପୂର୍ଣ୍ଣା ପାଟରାଣୀ ମହୋଦୟାଙ୍କର ସାହିତ୍ୟ ଶିକ୍ଷୟତ୍ରୀରୂପେ ମାସିକ ୨୫ ଟଙ୍କା ବେତନରେ ନିଯୁକ୍ତ ହୋଇଥିଲେ ଏବଂ ଶ୍ରୀରାମ ପଟ୍ଟନାୟକ ମାସିକ ୨୦ ଟଙ୍କା ବେତନରେ ମହାରାଜାଙ୍କର ଛାପାଖାନାରେ ଯୋଗଦେଲେ।

କିଛିକାଳ ସେମାନଙ୍କର ଚଳଣି ଓ ଆର୍ଥିକ ଅବସ୍ଥାରେ କୌଣସି ଅଭାବ ପ୍ରବେଶ କରିନଥିଲା। ମାତ୍ର ସମୟକ୍ରମେ ଲୋକମାନଙ୍କର ଚକ୍ରାନ୍ତ ଯୋଗୁଁ ଅନ୍ନପୂର୍ଣ୍ଣା ରାଜଦମ୍ପତ୍ତିଙ୍କର ଆସ୍ଥା ହରାଇଲେ। ପାରଳାଖେମୁଣ୍ଡି ଅବସ୍ଥାନ ବେଳେ ଅନ୍ନପୂର୍ଣ୍ଣାଙ୍କର ଦୁଇଟି ସନ୍ତାନ ନଷ୍ଟ ହୋଇଯିବାରୁ ତାଙ୍କୁ ଅଲକ୍ଷଣୀ ବୋଲି ଅନ୍ତଃପୁରର ପରିଚାରୀଗଣ ପ୍ରଚାର କରି ପାଟରାଣୀଙ୍କର ସଂସର୍ଗରୁ ଏହାଙ୍କୁ ବଞ୍ôଚତ କରାଇବା ଲାଗି ଖୁବ୍‍ ଉଦ୍ୟମ କରିଥିଲେ। ଦୈବଯୋଗକୁ ରାଣୀଙ୍କର ଏକ ଗର୍ଭ ନଷ୍ଟ ହେଲା। ଏହା ଅନ୍ନପୂର୍ଣ୍ଣାଙ୍କ ସହ ରାଣୀଙ୍କର ମିଳାମିଶାର ପରିଣାମ ବୋଲି ସାଧାରଣରେ କୁହାଗଲା। କୁସଂସ୍କାରପୀଡିତ ସେବକସେବିକାଗଣ ରାଜାରାଣୀଙ୍କୁ ମଧ୍ୟ ଏପରି ଧରଣା ଦେଲେ ଯେ ସେମାନେ ଏହାକୁ ସତ ମଣିବାକୁ କୁଣ୍ଠିତ ହେଉଥିଲେ ସୁଦ୍ଧା ପାରଂପାରିକ ବିଶ୍ୱାସର ଅନ୍ଧବଶ୍ୟତାରେ କ୍ରମେ ମୋହାଚ୍ଛନ୍ନ ହୋଇପଡିଲେ । ଏହି ଘଟଣା ଓ ଅପପ୍ରଚାର କବି ଦମ୍ପତ୍ତିଙ୍କର ବିପର୍ଯ୍ୟୟର କାରଣ ହେଲା । ପାରଳାରୁ ୧୯୧୯ ନଭେମ୍ବରରେ ବିଦାୟ ନେଇ ସେମାନେ ବିଶାଖାପାଟଣା ଆଡେ ଚାଲିଗଲେ । ବିକ୍ରମଦେବ ବର୍ମା ବିଶାଖାପାଟଣାରେ ଅବସ୍ଥାନ କରୁଥିବାରୁ ସେ ମଧ୍ୟ କବି ଦମ୍ପତ୍ତିଙ୍କୁ ସାହାଯ୍ୟ କଲେ । ଏହି ସମୟରେ ଅନ୍ନପୂର୍ଣ୍ଣା କଟକରୁ ପ୍ରକାଶିତ ସହକାର ପତ୍ରିକାର ସମ୍ପାଦନ ଭାର ଲକ୍ଷ୍ମୀନାରାୟଣ ସାହୁଙ୍କ ତାଡନାରେ ଗ୍ରହଣ କଲେ । ତାଫଳରେ ତାଙ୍କ ସାରସ୍ୱତ ଜୀବନ ପ୍ରଦୀପ୍ତ ହେଲା । ୧୯୨୫ରୁ ୧୯୨୯ ମଧ୍ୟରେ ସେ ସହକାରର ସମ୍ପାଦିକା ହିସାବରେ କାର୍ଯ୍ୟ କରିଥିଲେ । ସହକାରର ପଞ୍ଚମ ଭାଗ ଦ୍ୱିତୀୟ ସଂଖ୍ୟାରେ ତାଙ୍କ କବିତା ସହିତ ତାଙ୍କ ସମ୍ପର୍କରେ ଏକ ଅଭିମତ ଉପସ୍ଥାପିତ । ସେଥିରେ କୁହାଯାଇଥିଲା-“ଉକ୍ରଳ ଲଳନାକୂଳର ଗୌରବମଣି ଅନ୍ନପୂର୍ଣ୍ଣା ନିରକ୍ଷରା ଥିଲେ । କିନ୍ତୁ କବିତାର ଉତ୍ସ ତାଙ୍କ ଜୀବନରେ ଯେତେବେଳେ ଫୁଟିଉଠିଲା ସେ ସେତେବେଳେ ବିଦ୍ୟାଶିକ୍ଷା କଲେ ଓ ଦୁଷ୍ଟ ସମାଜର ଅନ୍ଧବିଶ୍ୱାସ ସହ ତାଙ୍କୁ ମାନସିକ ଯୁଦ୍ଧ କରିବାକୁ ପଡିଲା । ସବୁ ସହି ସେ ଆଜି ନିଜକୁ ଓଡିଆ ସ୍ତ୍ରୀମଣ୍ଡଳରେ କବି ବୋଲି ପ୍ରମାଣ କରିଛନ୍ତି । ତାଙ୍କର କବିତା ଅମଳତରଳ, ଯେପରି ନଦୀର ସ୍ରୋତ ଓ ନିର୍ଝରର ଅବିରାମ ପ୍ରବାହ ।” ସହକାର ଷଷ୍ଠ ଭାଗରୁ ସମ୍ପାଦନା ଭାର ଗ୍ରହଣ କରି ସେ ପତ୍ରିକାର ରୂପରେଖ ବଦଳାଇଦେବା ଲାଗି ବହୁ ଉଦ୍ୟମ କରିଥିଲେ । ସମ୍ପାଦନାର ଦାୟିତ୍ୱବୋଧ ସମ୍ପର୍କରେ ସେ ଉନ୍ନତ ମତ ପ୍ରକାଶ କରିଥିଲେ ।

ତାଙ୍କର କବିତାଗୁଡିକ ସମ୍ବଲପୁର ହିତୈଷିଣୀ, ଉକ୍ରଳ ସେବକ, ମନୋରମା, ଗଡଜାତବାସିନୀ, ଗୁଣଦର୍ପଣ, ପ୍ରଜାବନ୍ଧୁ, ସହକାର, ଉକ୍ରଳବାସିନୀ, ଉକ୍ରଳବାର୍ତ୍ତା, ସମ୍ବାଦବାହିକା, ନବୀନ ପ୍ରଭୃତି ସମ୍ବାଦପତ୍ର ତଥା ପତ୍ରିକାମାନଙ୍କରେ ପ୍ରକାଶିତ । ୧୯୩୫ରେ ପ୍ରକାଶିତ ଆଶାହାଟ ତାଙ୍କ ମନ୍ମୟ କଳ୍ପନାର ଆଧାରରେ ରଚିତ ଏକ ଖଣ୍ଡକାବ୍ୟ । ଜୀବିତାବସ୍ଥାରେ ତାଙ୍କର ପଦ୍ୟମାଳା-ପ୍ରଥମ(୧୯୦୪), ପଦ୍ୟମାଳା-ଦ୍ୱିତୀୟ(୧୯୦୫), ପକ୍ଷୀଘର(୧୯୦୬) ଏବଂ ବିଚ୍ଛେଦମିଳନ(୧୯୪୧)ରେ ସର୍ବମୋଟ ୩୭ଟି କବିତା ସଂକଳିତ ହୋଇ ପ୍ରକାଶିତ । ଅନ୍ନପୂର୍ଣ୍ଣାଙ୍କ ସମ୍ପର୍କରେ ରାଧାଚରଣ ପଣ୍ଡା ୧୯୩୬ରେ ଏକ ପୁସ୍ତକ ପ୍ରକାଶ କରିଥିଲେ । ବାସ୍ତବରେ ଅନ୍ନପୂର୍ଣ୍ଣାଙ୍କ ଜୀବନରେ ସାହିତ୍ୟ ଥିଲା ଏକ ପ୍ରାଣସ୍ପୃର୍ତ୍ତି, ନିତ୍ୟବିଳାସର ଏକ ଅବଲମ୍ବନ । ସାରସ୍ୱତ ବିଳାସକୁ ଜୀବନର ବ୍ରତରୂପେ ବରଣ କରି ତାଙ୍କର ଆତ୍ମାପୁରୁଷ ଆନନ୍ଦମୟ ଅବସ୍ଥାର ଯେଉଁ ଅତିନ୍ଦ୍ରିୟ ରାଜ୍ୟରେ ଉପନୀତ ହୋଇଥିଲା ତାହା ତୁଳନାରେ ପାର୍ଥିବ ଆକର୍ଷଣ କିଛି ନୁହେଁ । ସାହିତ୍ୟ ପ୍ରତି ତାଙ୍କର ପ୍ରାଣାଧିକ ସମ୍ପର୍କ । କବିତା ଲେଖିବାର ଲାଳସା ଘେନି ସେ କବିତା ଲେଖିନଥିଲେ । ଜୀବନକୁ ଚିହ୍ନି ଚିହ୍ନେଇବାର ଅତୁଟ ଆଗ୍ରହ ତାଙ୍କର ଥିଲା । ନିଜ ଜୀବନର ଭିତ୍ତି ଯାହା ହେଉନା କାହିଁକି ସାର୍ବଜନୀନ ଜଗତର ଗତିଧାରାରୁ ଆପଣା ପାଇଁ ସେ ଯାହା ସଂଗ୍ରହ କରିଥିଲେ ତାହାର ଭାବମୂର୍ତ୍ତିହିଁ ସେ କାବ୍ୟାକାରରେ ଅଙ୍କନ କରିଥିଲେ । ବାସ୍ତବରେ ସେ ଥିଲେ ଅନନ୍ୟା କବି ।

(ଡ. କୈଳାସ ଚନ୍ଦ୍ର ଦାଶ ଓଡିଶାର ଜଣେ ଖ୍ୟାତନାମା ଐତିହାସିକ ଓ ପୂର୍ବତନ ଇତିହାସ ଅଧ୍ୟାପକ। )

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ପ୍ରଦାନ କରାଗଲା ରାଜ୍ୟର ସଂଗୀତ, ନୃତ୍ୟ, ଅଭିନୟ କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ

ଭୁବନେଶ୍ବର: ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଓଡିଶା ସଂଗୀତ ଏକାଡେମୀ ତରଫରୁ ୨୦୨୧ ଓ ୨୦୨୨ ଦୁଇ ବର୍ଷ ପାଇଁ ନୃତ୍ୟ,ସଂଗୀତ, ନାଟକ ଓ ଲୋକ କଳା କ୍ଷେତ୍ରରେ ବିଶେଷ ଅବଦାନ ଥିବା କଳାକାର ସାଧକମାନଙ୍କର ଆଜୀବନ ସାଧନା ପାଇଁ ଏକାଡେମୀର ସର୍ବୋଚ୍ଚ ସମ୍ମାନ- କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ଏକାଡେମୀ ପୁରସ୍କାର ଓ କବିଚନ୍ଦ୍ର କାଳିଚରଣ ଯୁବପ୍ରତିଭା ସମ୍ମାନ ପ୍ରଦାନ ଉତ୍ସବ ଆଜି ସଂଧ୍ୟାରେ ସ୍ଥାନୀୟ ରବିନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି।

ଓଡିଶୀ ସଂଗୀତ କ୍ଷେତ୍ରରେ ଶ୍ରୀ ଗୋପାଳ ଚନ୍ଦ୍ର ପଣ୍ଡା ଏବଂ ପାଲା ପରିବେଷଣ ପାଇଁ ଗାୟକ ଶ୍ରୀ ଜଗନ୍ନାଥ ବେହାରାଙ୍କୁ ଯଥାକ୍ରମେ ୨୦୨୧ ଓ ୨୦୨୨ ବର୍ଷ ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପ୍ରଦାନ କରାଯାଇଛି। କବି ସମ୍ରାଟ ଉପନ୍ଦ୍ର ଭଞ୍ଜ ସମ୍ମାନ ପ୍ରାପ୍ତ ଏହି ସମ୍ମାନସ୍ପଦ ପ୍ରତିଭା ଦ୍ୱୟଙ୍କୁ ପ୍ରତ୍ୟେକଙ୍କୁ ୫ଲକ୍ଷ ଟଙ୍କାଲେଖାଏଁ ଅର୍ଥ ରାଶି ପ୍ରଦାନ କରାଯାଇଛି ।

ସେହିପରି ୨୦୨୧ ବର୍ଷ ପାଇଁ ଏକାଡେମୀ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି- ଅଭିନୟ ପାଇଁ (୨ ଜଣଙ୍କୁ )-ଶ୍ରୀ ବିନାୟକ ମିଶ୍ର ଓ ଶ୍ରୀମତୀ ମନୋରମା ମହାନ୍ତି, ନାଟ୍ୟ ରଚନା ପାଇଁ ଡଃ. ବିଜୟ କୁମାର ଶତପଥୀ, ନିର୍ଦ୍ଦେଶନା ପାଇଁ ଶ୍ରୀ ନବୀନ କୁମାର ପରିଡା, ମଞ୍ଚକଳା କ୍ଷେତ୍ରରେ ଶ୍ରୀ ଶରତ କୁମାର ମହାନ୍ତି , ଲୋକ ସଂଗୀତ କ୍ଷେତ୍ରରେ ଶ୍ରୀ ବିଭୂତି ଭୂଷଣ ପଟ୍ଟନାୟକ, ଲୋକବାଦ୍ୟ ପାଇଁ ଶ୍ରୀ ମୂରଲୀଧର ବେହେରା, ଲୋକନୃତ୍ୟ ପାଇଁ ବେଟିଖାଇ ବରିହା, ଗୋପୀନାଥ ସ୍ୱାଇଁ(ଲୋକନାଟ୍ୟ), ଯନ୍ତ୍ର ସଂଗୀତ (ଆନଦ୍ଧ ତାଳ) ପାଇଁ ଜନାର୍ଦ୍ଧନ ଦାଶ, ଯନ୍ତ୍ର ସଂଗୀତ(ତାରବାଦ୍ୟ ଏବଂ ସୁଶୀର ବାଦ୍ୟ) କ୍ଷେତ୍ରରେ ଶ୍ରୀମତୀ କେ.ଭୁବନେଶ୍ୱରୀ, ଓଡିଶୀ ନୃତ୍ୟ ପାଇଁ ଶ୍ରୀ ବିଚିତ୍ରାନନ୍ଦ ସ୍ୱାଇଁ, ଡଃ. ସଂଗୀତା ଗୋସାଇଁ(ଓଡିଶୀ କଣ୍ଠ ସଂଗୀତ ପାଇଁ), ସୁନନ୍ଦା ପଟ୍ଟନାୟକ ସମ୍ମାନ(ହିନ୍ଦୁସ୍ଥାନୀ କଣ୍ଠ ସଂଗୀତ) ପାଇଁ ଶ୍ରୀମତୀ ମିତାଲି ଚିନାରା, ଦେବାଶିଷ ମହାପାତ୍ର( ସୁଗମ ସଂଗୀତ କ୍ଷେତ୍ରରେ ) ଙ୍କୁ ପ୍ରଦାନ କରାଯାଇଛି।

ସେହିପରି ୨୦୨୨ ପାଇଁ ଏକାଡେମୀ ପୁରସ୍କାର ପ୍ରାପ୍ତ ହୋଇଛନ୍ତି –ଶ୍ରୀ ଶଙ୍କର ପ୍ରସାଦ ବସୁ ମଲ୍ଲିକ ଓ ଶ୍ରୀ ପ୍ରଦୀପ କୁମାର ପଣ୍ଡା ( ୨ ଜଣ), ନାଟ୍ୟ ରଚନା ପାଇଁ ଶ୍ରୀ ଅଶୋକ କୁମାର ବହିଦାର, ନିର୍ଦ୍ଦେଶନା ପାଇଁ ଶ୍ରୀ ରମେଶ ଚନ୍ଦ୍ର ମହାନ୍ତି, ଦେବେନ୍ଦ୍ର କୁମାର ଅମାତ( ମଞ୍ଚକଳା), ସୁବାସ ଚନ୍ଦ୍ର ରାମ(ଲୋକ ସଂଗୀତ), ପ୍ରଦୀପ କୁମାର ସିଂହ(ଲୋକବାଦ୍ୟ), ଜୟକୃଷ୍ଣ ନାୟକ( ଲୋକନୃତ୍ୟ), ରସିକ ସାହୁ(ଲୋକନୃତ୍ୟ), ଅଜୟ କୁମାର ଚୈାଧୁରୀ(ଯନ୍ତ୍ର ସଂଗୀତ,ଆନଦ୍ଧ ବାଦ୍ୟ), ଅଭିରାମ ନନ୍ଦ(ଯନ୍ତ୍ର ସଂଗୀତ-ତାରବାଦ୍ୟ ଓ ସୁଶୀର ବାଦ୍ୟ), ଡଃ. ମନୋରଞ୍ଜନ ପ୍ରଧାନ(ଓଡିଶୀ ନୃତ୍ୟ),ସୁକାନ୍ତ କୁମାର କୁଣ୍ଡୁଙ୍କୁ ଓଡିଶୀ କଣ୍ଠ ସଂଗୀତ, ଅନିନ୍ଦିତା ଦାସ( ସୁନନ୍ଦା ପଟ୍ଟନାୟକ ସମ୍ମାନ(ହିନ୍ଦୁସ୍ଥାନୀ କଣ୍ଠ ସଂଗୀତ) ଏବଂ ପ୍ରଶାନ୍ତ ପାଢୀଙ୍କୁ ସୁଗମ ସଂଗୀତ ପାଇଁ ପୁରସ୍କୃତ କରାଯ।ଇଛି। ଏକାଡେମୀ ପୁରସ୍କାର ପାପ୍ତ ସମସ୍ତ କକାକାରମାନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି।

ସେହିପରି ୨୦୨୧ ବର୍ଷ ପାଇଁ ସଂଗୀତ କ୍ଷେତ୍ରରେ କବିଚନ୍ଦ୍ର କାଳିଚରଣ ଯୁବ ପ୍ରତିଭା ସମ୍ମାନ ପାଇଛନ୍ତି ଶ୍ରୀ ରାମଚନ୍ଦ୍ର ବେହେରା ( ଯନ୍ତ୍ର ସଂଗୀତ ମର୍ଦ୍ଦଳ), ନୃତ୍ୟ କ୍ଷେତ୍ରରେ ରାହୁଳ ଆଚାର‌୍ୟ୍ୟ (ଓଡିଶୀ ନୃତ୍ୟ) ଓ ନାଟକ କ୍ଷେତ୍ରରେ ଶ୍ରୀ ନଳିନୀ ନୀହାର ନାୟକ(ନିର୍ଦ୍ଦେଶନା)। ଲୋକନୃତ୍ୟ ଓ ଲୋକନାଟ୍ୟ କ୍ଷେତ୍ରରେ ଶ୍ରୀ ଏସ୍ କ୍ଷୀରୋଦ ଦୋରା( ଲୋକନୃତ୍ୟ-ପଶୁମୁଖା), ଲୋକଗୀତ ଓ ଲୋକବାଦ୍ୟ ପାଇଁ ଶ୍ରୀ ଅଶ୍ୱିନୀ କୁମାର ପଟେଲ(ଲୋକବାଦ୍ୟ) । ସେହିପରି ୨୦୨୨ ବର୍ଷ ପାଇଁ ସଂଗୀତ କ୍ଷେତ୍ରରେ ଶ୍ରୀ ବ୍ରଜେଶ ପଦ ପଣ୍ଡା( ହିନ୍ଦୁସ୍ଥାନୀ କଣ୍ଠ ସଂଗୀତ), ବିଶ୍ୱଜିତ୍ ଦାସ( ଓଡିଶୀ ନୃତ୍ୟ) , ନାଟକ(ଅଭିନୟ) ପାଇଁ ଶ୍ରୀ ଆଦର୍ଶ କୁମାର ଦାସ ଏବଂ ଲୋକକଳା ଓ ଲୋକନାଟ୍ୟ କ୍ଷେତ୍ରରେ ଜୟନ୍ତୀ ଦୀପ(ଲୋକନୃତ୍ୟ), ଲୋକ ଗୀତ ଓ ଲୋକ ବାଦ୍ୟ ପାଇଁ ଶ୍ରୀ ନିଳାଚଳ ପାନ(ଲୋକଗୀତ)ଙ୍କୁ କବିଚନ୍ଦ୍ର କାଳି ଚରଣ ଯୁବ ପ୍ରତିଭା ସମ୍ମାନରେ ପୁରସ୍କୃତ କରାଯାଇଛି। ପ୍ରତି କଳାକାରଙ୍କୁ ଏ କ୍ଷେତ୍ରରେ ୫୦ ହଜାର ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି।

କାର୍ଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇସମସ୍ତ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ ତଥା ପୁରସ୍କୃତ କରି କହିଲେ ଯେ, ଓଡିଶାରେ ଓଡିଆ ଜାତି, ଶିଳ୍ପୀ,କଳାକାରମାନଙ୍କର ଅବଦାନ ବିଶ୍ୱରେ କିଛି କମ୍ ନୁହେଁ। ସେମାନେ ଆମପାଇଁ ସବୁବେଳେ ବନ୍ଦନୀୟ। ପୁରସ୍କୃତ ହେଉଥିବା ପ୍ରତିଭା ଆଜିର ପିଢି ଓ ଆଗାମୀ ପିଢି ପାଇଁ ସଂଗୀତ ଓ କଳା ଶିକ୍ଷା କ୍ଷେତ୍ରରେ ଆଦର୍ଶ ହୋଇ ରହିବେ। ବିଶ୍ୱ ଓଡିଆତ୍ୱ ଭାବନା ନେଇ ସମସ୍ତେ ଆଗକୁ ବଢିବାକୁ ମନ୍ତ୍ରୀ ଶ୍ରୀ ପାତ୍ର ଆହ୍ୱାନ ଦେଇଥିଲେ।

ରାଜ୍ୟ କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା କହିଲେ ଯେ, ଓଡିଶା କଳା, ସଂସ୍କୃତି ଭାସ୍କର‌୍ୟ୍ୟର ରାଜ୍ୟ। ଏ କ୍ଷେତ୍ରରେ ଓଡିଶାର ସ୍ଥିତି ଭାରତରେ ଅନନ୍ୟ। କଳାକାରଙ୍କ ପ୍ରତିଭା ପ୍ରତିଯୋଗିତାର ତୁଳନୀୟ ନୁହେଁ। ସମସ୍ତେ ନିଜ ନିଜ କ୍ଷେତ୍ରରେ ଅନନ୍ୟ। ନିଜର କଳା ସଂସ୍କୃତିକୁ ନେଇ ଗର୍ବ ଅନୁଭବ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ କହିଆସୁଥିବା ବେଳେ ଉତ୍ତରପିଢିକୁ କଳାକାରମାନଙ୍କ ଆଦର୍ଶକୁ ଅନୁକରଣ କହିବାକୁ କହିଥିଲେ । ଓଡିଶାର ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଆମେ ଗର୍ବ ଅନୁଭବ କରିବା ଉଚିତ୍ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ।

ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଯୋଗଦେଇ କହିଲେ ଯେ, ୧୯୫୪ମସିହାରୁ ଗଠିତ ଓଡିଶୀ ସଂଗୀତ ଏକାଡେମୀ ସଂଗୀତ ଓ ନୃତ୍ୟର ପ୍ରଚାର ପ୍ରସାର ପାଇଁ ପ୍ରୟାସ ଜାରି ରଖିଛି। ରାଜ୍ୟର ଗାଁ ଗହଳିରେ ଥିବା କଳା, କଳା ସଂସ୍କୃତି ଘରେ ଘରେ ପହଁଚୁ, ଲୋକ କଳାକାରମାନେ ସେମାନଙ୍କର ଅନ୍ତର୍ନିହିତ କଳାର ପରିପ୍ରକାଶ କରିବା ଏବଂ ପରପିଢିର କଳାକାର ସୃଷ୍ଟିହେବା ସମସ୍ତଙ୍କର ପ୍ରଚେଷ୍ଟା ରହିବା ଉଚିତ୍ ବୋଲି ଶ୍ରୀ ସାହୁ କହିଥିଲେ। ଉପାନ୍ତ ଅଂଚଳରେ କଳା, ସଂସ୍କୃତିର ବିକାଶ ପାଇଁ ସରକାର ପ୍ରୟାସ ଜାରି ରଖିଥିବା ପ୍ରକାଶ କରିବା ସହ ଆଗାମୀ ଦିନରେବିଭିନ୍ନ କଳା କ୍ଷେତ୍ରକୁ ବିଚାରକୁ ନିଆଯାଇ ସମ୍ମାନ ଓ ପୁରସ୍କାର ପ୍ରଦାନରଲ କ୍ଷେତ୍ରକୁ ବ୍ୟାପକ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ବୋଲି ଶ୍ରୀ ସାହୁ କହିଥିଲେ। ସମସ୍ତଙ୍କର ସହଯୋଗରେ ଓଡିଶାର କଳାକୁ ବିଶ୍ୱ ଦରବାରରେ ପହଁଚାଇବାକୁ ଆହୁରି ଅଧିକ ପ୍ରୟାସ କରିବାକୁ ଶ୍ରୀ ସାହୁ କହିଥିଲେ।

ବିଭାଗର ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ ଯୋଗଦେଇ କହିଲେ ଯେ, ଏହି ଉତ୍ସବ ଏକ ବିଶ୍ୱ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଠାରୁ କମ୍ ନୁହେଁ। ବିଭାଗ ତରଫରୁ ସମସ୍ତ କଳାକାରମାନଙ୍କୁ ସମ୍ମାନ ଦେବାର ପ୍ରଚେଷ୍ଟା ଜାରି ରହିଥିବା ରହିଥିବା ପ୍ରକାଶ କରିବା ସହିତ ଏହି ଏକ ସ୍ୱୀକୃତି ନୂଆ କଳାକାରଙ୍କୁ ସୃଷ୍ଟି କରବାରେ ପ୍ରେରଣା ଯୋଗାଇବ ବୋଲି କହିଥିଲେ । ଏକାଡେମୀର ସଭାପକି ତଥା ଓଡିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଅରୁଣା ମହାନ୍ତି ଯୋଗଦେଇ କହିଲେ ଯେ, କଳା ଓ କାରକାରମାନଙ୍କୁ ଏ ମାଟି ସମ୍ମାନ ଦେଇଛି । କଳାକାରମାନଙ୍କୁ ସମ୍ମାନ ଦେବା ଆମର ଲକ୍ଷ୍ୟ ରହିଛି ବୋଲି କହିଥିଲେ। ଓଡିଶୀ ସଂଗୀତ ନାଟକ ଏକାଡେମୀର ସଂପାଦକ ଶ୍ରୀ ପ୍ରବୋଧ ରଥ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ପୁର୍ବକ ପୁରସ୍କାର ଓ ସମ୍ମାନ ପ୍ରଦାନ ଉତ୍ସବ ଉପଲକ୍ଷେ ବକ୍ତବ୍ୟ ରଖିଥିଲେ। ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର‌୍ୟ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଏକାଡେମୀର ଉପ ସଭାପତି ଶ୍ରୀ ମନ୍ମଥ ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଶିଷ୍ଟ ଉପସ୍ଥାପକ ଡଃ. ମୃତ୍ୟୁଞ୍ଜୟ ରଥ କାର‌୍ୟ୍ୟକ୍ରମ ସଂଯୋଜନା କରିଥିଲେ।

ପ୍ରାରମ୍ଭରେ ୨୦୨୧ ପାଇଁ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ସମ୍ମାନ-ପାଇଥିବା ତ୍ରିଲୋଚନ ମହାନ୍ତ(ଛଉନୃତ୍ୟ ଗୁରୁ), ସୁସ୍ମିତା ଦାସ (ସୁଗମ ସଂଗୀତ ),ଡଃ ବିଜୟ କୁମାର ଜେନା- ସଂଗୀତ ନିର୍ଦ୍ଦେଶନା,ମନୋଜ କୁମାର ପଟ୍ଟନାୟକ(ନାଟ୍ୟ ନିର୍ଦ୍ଦେଶନା), ଅମ୍ରିତ ସମ୍ମାନ- ଶ୍ରୀ ଆନନ୍ଦ ବାଗ(ଲୋକ ସଂଗୀତ-ବ୍ରହ୍ମ ବୀଣା ବାଦନ) ପାଇଁ ଓଡିଶା ସଂଗୀତ ନାଟକ ଏକାଡେମୀ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ୨୦୨୨ ପାଇଁ ଗୋଟିପୁଅ ନୃତ୍ୟ କ୍ଷେତ୍ରରେ ଶ୍ରୀ ଗୋବିନ୍ଦ ଚନ୍ଦ୍ର ପାଲ, ଛଉ ନୃତ୍ୟ ଗୁରୁ ( ଅମ୍ରିତ ସମ୍ମାନ) ଶ୍ରୀ ଶିବ ପ୍ରସାଦ ଦାସ, ପ୍ରହଲ୍ଲାଦ ନାଟକ-ଶିଳ୍ପୀ ଶ୍ରୀ ସନ୍ତୋଷ କୁମାର ରଣାଙ୍କ ସହିତ ରୁପକ କୁମାର ପରିଡା ଓ ପ୍ରଭାତ କୁମାର ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ୨୦୧୪ ଅଭିନୟ- ସଂଗୀତ ନାଟକ ଏକାଡେମୀ ସମ୍ମାନ-ମନିଦ୍ୱୀପା ମଲ୍ଲିକ- ନାଟକ କଳା ପାଇଁ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସଂସ୍କୃତି ପ୍ରେମୀ ଜନସାଧାରଣ ଓ କଳାକାରମାନେ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରାଜ୍ୟ ସଂଗ୍ରହାଳୟ ପରିସରରେ ହେବ ‘ମୌଖିକ ଓ ଜନଜାତି ସାହିତ୍ୟ କେନ୍ଦ୍ର’

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିଷ୍ପତ୍ତି ଅନୁଯାୟୀ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପରିସରରେ କେନ୍ଦ୍ର ସାହିତ୍ୟ ଏକାଡେମୀର ଏକ “ମୌଖିକ ଓ ଜନଜାତି ସାହିତ୍ୟ କେନ୍ଦ୍ର” ( Centre for Oral & Tribal Literature ) ସର୍ବସାଧାରଣଙ୍କ ନିମନ୍ତେ ପ୍ରତିଷ୍ଠିତ ହେବାପାଇଁ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଏବଂ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ମଧ୍ୟରେ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଅଛି।

ଏହି କେନ୍ଦ୍ର ମାଧ୍ୟମରେ ବିଶେଷ କରି ପୂର୍ବାଞ୍ଚଳ ଓ ଉତ୍ତର ପୂର୍ବାଞ୍ଚଳରେ ଜନଜାତି ସାହିତ୍ୟର ପ୍ରଚାର, ପ୍ରସାର ତଥା ଗବେଷଣା ପାଇଁ ସୁଯୋଗ ସୃଷ୍ଟି ହେବ। ଆଗ୍ରହୀ ସାହିତ୍ୟିକ ଓ ଗବେଷକମାନେ ଏହି କେନ୍ଦ୍ରର ସଦୁପଯୋଗ କରିବାକୁ ଅନୁରୋଧ କରାଯାଇଛି।

ଏହି କାର‌୍ୟ୍ୟକ୍ରମରେ ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ ଓ ରାଜ୍ୟ ସଂଗ୍ରହାଳୟ ଅଧିକ୍ଷକ ଡଃ. ଭାଗ୍ୟଲିପି ମଲ୍ଲ ଏବଂ କେନ୍ଦ୍ର ସାହିତ୍ୟ ଏକାଡେମୀର ସଚିବ ଡଃ. କେ. ଶ୍ରୀନିବାସ ରାଓ ଏବଂ ଏକାଡେମୀର ଓଡ଼ିଆ ଭାଷା ପରାମର୍ଶଦାତା କମିଟିର ଆବାହକ ଡ଼ଃ ବିଜୟାନନ୍ଦ ସିଂହ ଉପସ୍ଥିତ ଥିଲେ ଓ କେନ୍ଦ୍ର ସାହିତ୍ୟ ଏକାଡେମୀର ସଚିବ ଏଥିପାଇଁ ଓଡ଼ିଶା ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅବସର ଗ୍ରହଣ କଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀ

ଭୁବନେଶ୍ୱର: ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢୀ ଆଜି ସରକାରୀ ଚାକିରିରୁ ଅବସରଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ଣରେ ଲୋକସେବା ଭବନସ୍ଥିତ ବିଭାଗର ସମ୍ମିଳନୀ କକ୍ଷରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।

ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ମନସ୍ୱିନୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ଅବସର ଗ୍ରହଣ କରୁଥିବା ବରିଷ୍ଠ ପ୍ରଶାସକ ଶ୍ରୀ ପାଢୀଙ୍କ କର୍ମମୟ ଜୀବନ ସଂପର୍କରେ ଆଲୋକପାତ କରିବା ସହ ତାଙ୍କର ଅବସର କାଳୀନ ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ।

ସମ୍ବର୍ଦ୍ଧନା ଗ୍ରହଣ ପରିପ୍ରେକ୍ଷୀରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ ତାଙ୍କର ଚାକିରୀ ଜୀବନର ଅନୁଭୂତି ଓ ଅଭିଜ୍ଞତା ସଂପର୍କରେ ପ୍ରକାଶ କରିଥିଲେ । ଭୁବନେଶ୍ୱର ସୈନିକସ୍କୁଲରୁ ଦ୍ୱାଦଶରେ ପାଶ୍ କରିବା ପରେ ଆର୍.ଇ.ସି., ରାଉରକେଲାରୁ ଇଂଜିନିୟରିଂରେ ସ୍ନାତକରେ ଉତ୍ତୀର୍ଣ୍ଣ ହେବା ଏବଂ ଭାରତୀୟ ପ୍ରଶାସନିକ ସେବାରେ କୃତକାର‌୍ୟ୍ୟ ହୋଇ ସରକାରୀ ଚାକିରିରେ ଯୋଗଦେବାଠାରୁ ଆରମ୍ଭ କରି ଅବସରଗ୍ରହଣ ପର‌୍ୟ୍ୟନ୍ତ ସେ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ, ଉତ୍ତରାଂଚଳ ରାଜସ୍ୱ ଆୟୁକ୍ତ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ଶାସନ ସଚିବ ଭାବେ ନିଷ୍ଠାର ସହ କାର‌୍ୟ୍ୟ ସମ୍ପାଦନ ସମ୍ପର୍କରେ ବର୍ଣ୍ଣନା କରିଥିଲେ ।

ପ୍ରକାଶ ଥାଉକି , ଶ୍ରୀ ପାଢ଼ୀ ମଧ୍ୟ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ, ସୂଚନା ଓ ଲୋକସମ୍ପର୍କ, ବାଣିଜ୍ୟ ଓ ପରିବହନ, ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ଆଦି ବିଭିନ୍ନବିଭାଗରେ ଶାସନ ସଚିବ ଭାବେ ସୁଚାରୁରୂପେ କାର‌୍ୟ୍ୟ ସମ୍ପାଦନ କରି ସବୁଠି ଉଲ୍ଲେଖନୀୟ ଛାପ ଛାଡ଼ିଛନ୍ତି କ୍ଷସଂପ୍ରତି ବୈଷୟିକ ଜ୍ଞାନର ଉପଯୋଗ କରି କିପରି ସହଜ ଓ ସରଳ ଭାବେ କାର‌୍ୟ୍ୟ କରାଯାଇପାରେ, ସେ ସଂପର୍କରେ ଶ୍ରୀ ପାଢୀ କହିଥିଲେ ।

ବିଭିନ୍ନ କାର‌୍ୟ୍ୟକ୍ରମ ଓ ଯୋଜନା ପ୍ରସ୍ତୁତି ବେଳେ କିପରି ବହୁଲୋକ ଉପକୃତ ହେବେ, ତାହାକୁ ଦୃଷ୍ଟିରେ ରଖି କାର‌୍ୟ୍ୟ କରିବା ଆବଶ୍ୟକ ବୋଲି ଶ୍ରୀ ପାଢୀ କହିଥିଲେ, ଯାହାକୁ ସେ କାର‌୍ୟ୍ୟରେ ପ୍ରତିଫଳିତକରୁଥିଲେ କ୍ଷଅବସରଗ୍ରହଣ କରିଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀଙ୍କର ସଂସ୍କୃତି ବିଭାଗରେ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା (ସି.ଟି.ଏମ୍.ଏସ୍), ବିଭାଗରେ ପ୍ରକଳ୍ପ ପରିଚାଳନା ବ୍ୟବସ୍ଥା(ପି.ଏମ୍.ୟୁ.) ଏବଂ ବିଭାଗର ୱେବ୍ ସାଇଟ୍ ସୁପରିଚାଳନାରେ ଆଦିରେ ପ୍ରମୁଖ ଭୂମିକା ରହିଥିଲା।

ଅବସରକାଳୀନ ସଂବର୍ଦ୍ଧନା ସଭାରେ ଅଧିକାରୀ ଓ କର୍ମଚାରୀମାନେ ଶ୍ରୀ ପାଢୀଙ୍କୁ ଜଣେ ସରଳମେଳାପୀ, ମାନବବାଦୀ ଚିନ୍ତାଧାରର ବ୍ୟକ୍ତି ଭାବେ ଅଭିହିତ କରିବା ସହିତ ଏକ ନୀତିନିଷ୍ଠ ପ୍ରଶାସକ ଭାବେ ତାଙ୍କର କର୍ତ୍ତବ୍ୟପରାୟଣତା ଓ କାର‌୍ୟ୍ୟକରିବାର ଶୈଳୀ ସବୁବେଳେ ସମସ୍ତଙ୍କୁ ଅନୁପ୍ରାଣିତ କରୁଥିବ ବୋଲି କହିଥିଲେ।

ବୈଠକରେ ବିଭାଗର ଯୁଗ୍ମ ଶାସନ ସଚିବ ଅତସୀ ଦାସ,ଉପ ଶାସନ ସଚିବ ଶ୍ରୀ ଅମୂଲ୍ୟ ନାୟକ, ଶ୍ରୀ ସଂଜୟ କୁମାର ମିଶ୍ର, ଅର୍ଥ ପରାମର୍ଶଦାତା ପଦ୍ମଜ୍ୟୋତି ସାହୁ, ଅନୁ ଶାସନ ସଚିବ ମାଥିୟାସ ତିର୍କୀ, ଶୁଭଶ୍ରୀ ପ୍ରଧାନ,ସ୍ୱତନ୍ତ୍ର ଅଧିକାରୀ ହଳଧର ନାୟକ, ଅନୁ ଶାସନ ସଚିବ ଶ୍ରୀ ଲଷ୍ମୀଧର ବେହେରା ପ୍ରମୁଖ ଯୋଗଦେଇ ବିଦାୟ ନେଉଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ।

ଶ୍ରୀ ପାଢୀଙ୍କର ସ୍ନେହ, ଶ୍ରଦ୍ଧାକୁ ପାଥେୟ କରି ସଂସ୍କୃତି ବିଭାଗ ଆଗକୁ ଭଲକାମ କରିବା ସହିତ ବିଭାଗୀୟ କାର‌୍ୟ୍ୟରେ ସେ ଯେଉଁ ରୂପାନ୍ତରଣ ଆଣିଥିଲେ , ତାହାକୁ ଜାରି ରଖିବା ଓ ତାଙ୍କର ସ୍ୱପ୍ନର ଅଧୁରା କାର‌୍ୟ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରଚେଷ୍ଠା ଜାରି ରଖିବାକୁ କହିଥିଲେ।ଏହି ଅବସରରେ ବିଭାଗର ସାଂସ୍କୃତିକ ପରିଷଦ ତରଫରୁ ପୂର୍ବରୁ ଅନୁଷ୍ଠିତ ସାଂସ୍କୃତିକ କାର‌୍ୟ୍ୟକ୍ରମର ଅଂଶଗ୍ରହଣକାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ

ଭୁବନେଶ୍ବର: ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଆଜି ସଂଧ୍ୟାରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର‌୍ୟ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଓଡିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢୀ ଯୋଗଦେଇ ପ୍ରଦୀପ ପ୍ରଜଜ୍ଜ୍ୱନ ପୂର୍ବକ ଉଦଘାଟନ କରିଥିଲେ। ଏହି ଉପଲକ୍ଷେ ପରିଷଦ ତରଫରୁ ଏକ ନାଟକ ‘ଏ ଦୁନିଆ ସ୍ୱାର୍ଥପର’ ଅନୁଷ୍ଠିତ ହୋଇଥିଲା। ଜୀବନ ଧର୍ମୀ କାହାଣୀ ସଂପର୍କିତ ଏହି ନାଟକକୁ ଗୋଲକ ମହାରଣା ରଚନା କରିଥିବା ବେଳେ ହରେନ୍ ସାହୁନିର୍ଦ୍ଦେଶନା ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ କହିଲେ ଯେ, ସଂସ୍କୃତି ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ବର୍ଷସାରା ସବୁବେଳେ ବିଭିନ୍ନ ସାଂସ୍କୃତିକ କାର‌୍ୟ୍ୟକ୍ରମ ନିମନ୍ତେ ସାଂସ୍କୃତିକ ଦଳ ପ୍ରେରଣ ଓ ଅନ୍ୟାନ୍ୟ ବିଭାଗୀୟ କାର‌୍ୟ୍ୟକ୍ରମରେ ବ୍ୟସ୍ତ ରହିଥାନ୍ତି। ତେବେ ଓଡିଆ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସେମାନେ ସମୟ ବାହାର କରି ସାଂସ୍କୃତିକ ପରିଷଦ ମାଧ୍ୟମରେ ନାଟକ ଆଦି ସାଂସ୍କୃତିକ କାର‌୍ୟ୍ୟକ୍ରମ ଆୟୋଜନ କରୁଥିବା ଅତ୍ୟନ୍ତ ଆନନ୍ଦର ବିଷୟ ।ବିଭିନ୍ନ ସାଂସ୍କୃତିକ କାର‌୍ୟ୍ୟକ୍ରମ ପାଇଁ ବିଭାଗର କାର‌୍ୟ୍ୟଧାରାକୁ ସହଜ କରିବା ପାଇଁ ସମସ୍ତ ସାସ୍କୃତିକ ଅନୁଷ୍ଠାନମାନଙ୍କୁ ସାଂସ୍କୃତିକ ଦଳ ପରିଚାଳନା ଅନ୍ ଲାଇନ୍ ବ୍ୟବସ୍ଥା ଆପଣେଇ ସ୍ୱତଃପ୍ରବୃତ ଭାବେ ପଂଜୀକରଣ କରିବାକୁ କହିଥିଲେ।

ସମ୍ମାନିତ ଅତିଥି ଭାବେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ରଂଜନ କୁମାର ଦାସ ଯୋଗଦେଇ ସାଂସ୍କତିକ ପରିଷଦର ସମସ୍ତ କର୍ମକର୍ତ୍ତାମାନଙ୍କୁ ଉତ୍ସାହିତ କରିବା ସହିତ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେଉଥିବା ପ୍ରତ୍ୟେକ ସାସ୍କୃତିକ କାର‌୍ୟ୍ୟକ୍ରମ ସଂସ୍କୃତିପ୍ରେମୀଙ୍କ ପାଇଁ ମନଛୁଆଁ ହେଉବୋଲି କହିଥିଲେ। କାର‌୍ୟ୍ୟକ୍ରମରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ମନସ୍ୱିନୀ ସାହୁ ଯୋଗଦେଇ ଆମର ଭାଷା ଓ ସାହିତ୍ୟ ଆମର ସଂସ୍କୃତି ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ ବୋଲି କହିଥିଲେ । ପରିଷଦର ସଭାପତି ଶ୍ରୀ ମାଥିୟାସ ତିର୍କୀ ୧୯୭୯ ମସିହାରୁ ସ୍ଥାପିତ ଏହି ସାଂସ୍କୃତିକ ପରିଷଦ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ପ୍ରୟାସ ଜାରି ରଖିଥିବା କହିଥିଲେ।

କାର‌୍ୟ୍ୟକ୍ରମର ପ୍ରାରମ୍ଭରେ ଚଳିତ ବର୍ଷ ବିଭାଗର କନିଷ୍ଠ ଯନ୍ତ୍ରୀ ଶ୍ରୀ ଶୁଭାଶିଷ ପୃଷ୍ଟିଙ୍କ ବିୟୋଗର ସ୍ମୃତିରେ ୧ ମିନିଟ୍ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା। ପରିଷଦ ତରଫରୁ ପ୍ରକାଶିତ ସ୍ମରଣିକା “ ସଂସ୍କୃତି ଦର୍ପଣ” ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।ସାସ୍କୃତିକ ପରିଷଦ ତରଫରୁ ବିଭାଗର ବିଭିନ୍ନଶାଖାର ମୁଖ୍ୟ ଓ ବରିଷ୍ଠ ପଦାଧିକାରୀ ଏବଂ ନାଟକରେ ଅଂଶଗ୍ରହଣ କରିଥିବା ସମସ୍ତ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଆୟୋଜିତ ପାରଂପରିକ ବେଶ ପ୍ରତିଯୋଗିତା, ମ୍ୟୁଜିକ୍ ଚେୟାର, ହୁଳହୁଳି ଓ ଶଙ୍ଖବାଦନ ଆଦି ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

ଗୁରୁ ପ୍ରଦୀପ କୁମାର ଓ ସାଥୀଙ୍କ ପରିଚାଳନାରେ “ବନ୍ଦେ ଉତ୍କଳ ଜନନୀ” ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା। ବିଶିଷ୍ଟ ଉପସ୍ଥାପକ ଡଃ.ମୃତ୍ୟୁଞ୍ଜୟ ରଥ କାର‌୍ୟ୍ୟକ୍ରମ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗର ସମସ୍ତ ବରିଷ୍ଠ ପଦାଧିକାରୀ ଏବଂପରିଷର ସଂପାଦକ ଶ୍ରୀ ମୃତ୍ୟୁଞ୍ଜୟ ଦଳବେହେରାଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଓଡିଶା ଲଳିତ କଳା ଏକାଡ଼େମୀ ତରଫରୁ ବାଙ୍ଗାଲୋର ଠାରେ ଆଦିବାସୀ ଚିତ୍ରକଳା ଶିବିର

ଭୁବନେଶ୍ବର: ଓଡ଼ିଶା ଲଳିତ କଳା ଏକାଡ଼େମୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ଦ୍ଵାରା କର୍ଣ୍ଣାଟକର ବାଙ୍ଗାଲୋରରେ ପ୍ରମୁଖ ଗ୍ୟାଲେରୀ ‘କର୍ଣ୍ଣାଟକ ଚିତ୍ରକଳା ପରିଷଦ’ ଠାରେ ଆୟୋଜିତ ୪ ଦିନିଆ ରାଜ୍ୟସ୍ତରୀୟ ଆଦିବାସୀ (ସଉରା) ଚିତ୍ରକଳା ଶିବିର ଗୁରୁବାରଠାରୁ ଆୟୋଜିତ ହୋଇଛି।

ଓଡ଼ିଶା ବାହାରେ ପ୍ରଥମଥର ପାଇଁ ଆୟୋଜିତ ଏହି ଶିବିରକୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, କର୍ଣ୍ଣାଟକ ଲଳିତ କଳା ଏକାଡ଼େମୀର ସଭାପତି ଡି. ମହେନ୍ଦ୍ର ଓ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ତଥା ଓଡ଼ିଶା ଲଳିତ କଳା ଏକାଡ଼େମୀର ସଭାପତି ସୁଦର୍ଶନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଉଦଘାଟନ ଅବସରରେ ଓଡ଼ିଶାର ‘ସଉରା’ ଜନଜାତି ଚିତ୍ରକଳା ଓଡ଼ିଶାର ଏକ ସ୍ଵତନ୍ତ୍ର ପରିଚୟ ବୋଲି ନିର୍ଦ୍ଦେଶକ ଶ୍ରୀ ଦାସ କହିଥିଲେ ଓ ଏହାର ପ୍ରଚାର ପ୍ରସାର ଏବଂ ଜନଜାତି ଶିଳ୍ପୀମାନଙ୍କୁ ଆଧୁନିକ ସୁବିଧା ସୁଯୋଗ ସହ ପରିଚିତ କରାଇବା ପାଇଁ ଏକାଡ଼େମୀର ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ।

ସମ୍ମାନିତ ଅତିଥି ଡି. ମହେନ୍ଦ୍ର କର୍ଣ୍ଣାଟକରେ ଓଡ଼ିଶାର ଆଦିବାସୀ ଶିଳ୍ପୀମାନଙ୍କୁ ଦେଖି ଖୁସି ବ୍ୟକ୍ତ କରିବା ସହ ଏହି ଶିବିର ଦ୍ଵାରା କର୍ଣ୍ଣାଟକର ଶିଳ୍ପୀମାନେ ମଧ୍ୟ ଅନୁପ୍ରାଣିତ ହେବେ ବୋଲି କହିଥିଲେ । ଏକାଡ଼େମୀର ସଭାପତି ଶ୍ରୀ ସୁଦର୍ଶନ ପଟ୍ଟନାୟକ ଓଡ଼ିଶା ଲଳିତ କଳା ଏକାଡ଼େମୀ ତରଫରୁ ପ୍ରଥମଥର ପାଇଁ ଓଡ଼ିଶାର ପୁରପଲ୍ଲୀରେ ରହୁଥିବା ଆଦିବାସୀ ଶିଳ୍ପୀମାନଙ୍କୁ ନେଇ ବାଙ୍ଗାଲୋର ଠାରେ ଏପରି ଶିବିର ଆୟୋଜନ କରାଯାଇ ସେମାନଙ୍କର କଳାକୁ ଶୀର୍ଷ ସୋପାନରେ ପହଞ୍ଚାଇବା ପାଇଁ ପ୍ରୟାସ କରାଯାଇଛି ବୋଲି କହିଥିଲେ।

ପ୍ରାରମ୍ଭରେ ଏକାଡ଼େମୀର ସଚିବ ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ ଅତିଥିମାନଙ୍କୁ ସ୍ଵାଗତ କରିବା ସହ ଶିବିର ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଏହି ଶିବିରରେ ଯୋଗୀ ସବର, ଜଳନ୍ଧର ସବର, ମୋହିନୀ ସବର, ଇନ୍ଦିରା ଗମାଙ୍ଗ, ମୁକ୍ତା ସବର, ରୋହିଣୀ ସବର, ବେଲାସ୍ମୀ ସବର, କୋଦଣ୍ଡ ସବର, ଶ୍ରାବଣୀ ସବର, ଲୋକେଶ୍ଵରୀ ସବର, ଜୁନେଶ ଗମାଙ୍ଗ, ସୌଭାଗ୍ୟ ମଞ୍ଜରୀ ମଲ୍ଲିକ>

ସେହିପରି ଅଶ୍ଵିନୀ କୁମାର ନାୟକ, ଅନିଲ କେରକେଟ୍ଟା, ବଲ୍ଲଭ କିଶୋର ହାଂସଦା, ରେଣୁବାଳା ନାୟକ, ସ୍ଵାତୀ ଜାନୀ, ଗୌରୀ ଭୁମିଆ, ହିମାଂଶୁ ସବର, ଚନ୍ଦନ ସବର, ଡୋଲି ଜାନୀ, ପ୍ରୀତି ଡୁଙ୍ଗଡୁଙ୍ଗ, ଲିପସା ସମାଦ, ତପସ୍ଵିନୀ ମାଝି ଓ ସୁଭଦ୍ରା କରୱା ପ୍ରମୁଖ ୧୬ ଜଣ ନାରୀ ଶିଳ୍ପୀ ସମେତ ମୋଟ ୨୫ ଜଣ ଶିଳ୍ପୀ ସଉରା ଜନଜୀବନର ବିଭିନ୍ନ ଘଟଣା ଓ ବିଷୟ ବସ୍ତୁକୁ ନେଇ କ୍ୟାନଭାସ ଉପରେ ସୌରା ଚିତ୍ରକଳା ଅଙ୍କନ କରିବେ।

ଏହି ଶିବିର ୩୧ ଜୁଲାଇ ସକାଳ ପର‌୍ୟ୍ୟନ୍ତ ଚାଲିବ ଏବଂ ସେହିଦିନ ଚିତ୍ରକଳାର ପ୍ରଦର୍ଶନୀକୁ ବିଶିଷ୍ଟ ଅତିଥି ମାନେ ଉଦଘାଟନ କରିବେ ଓ ଶିଳ୍ପୀମାନଙ୍କୁ ସମ୍ମାନିତ କରାଯିବ । ଉକ୍ତ ପ୍ରଦର୍ଶନୀ ଅଗଷ୍ଟ ୩ ତାରିଖ ପର‌୍ୟ୍ୟନ୍ତ ଚାଲିବ । ଏହି ଅବସରରେ କର୍ଣ୍ଣାଟକ ଚିତ୍ରକଳା ପରିଷଦର ସାଧାରଣ ସମ୍ପାଦକ ଏସ.ଏନ.ଶଶୀଧର ଓ ସହ-ସମ୍ପାଦକ ବି.ଏଲ. ଶ୍ରୀନିବାସ, ବାଙ୍ଗାଲୋରରେ ଥିବା ଅନେକ ଓଡିଆ ଶିଳ୍ପୀ ଓ କଳାନୁରାଗୀ ଏବଂ କର୍ଣ୍ଣାଟକର ବହୁ ବରିଷ୍ଠ ଓ ଯୁବ ଶିଳ୍ପୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ସ୍ୱନାମଧନ୍ୟ ସ୍ୱର ସାଧକ ଶେଖର ଘୋଷଙ୍କୁ ମିଳିଲା ସିକନ୍ଦର ଆଲାମ ସ୍ମୃତି ସମ୍ମାନ

ଭୁବନେଶ୍ବର: ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଏବଂ ସିକନ୍ଦର ଆଲାମ ଫାଉଣ୍ଡେସନର ମିଳିତ ସହଯୋଗରେ ଓଡିଆ ସଂଗୀତ ଜଗତର ସାଲବେଗ ଭାବେ କଥିତ ମହମ୍ମଦ ସିକନ୍ଦର ଆଲାମଙ୍କର ୮୩ତମ ଜୟନ୍ତୀ ଉତ୍ସବ ଆଜି ସଂଧ୍ୟାରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି ।

ଆୟୋଜିତ ଉତ୍ସବରେ ସ୍ୱନାମଧନ୍ୟ ସ୍ୱର ସାଧକ ଶ୍ରୀ ଶେଖର ଘୋଷଙ୍କୁ ତୃତୀୟ ସିକନ୍ଦର ଆଲାମ ସ୍ମୃତି ସମ୍ମାନ-୨୦୨୨ ରେ ସମ୍ମାନିତ କରାଯାଇଛି । ଏଥି ସହିତ ବିଶିଷ୍ଟ ବାଦକ ଶ୍ରୀ ଅବନୀକାନ୍ତ ଦାସଙ୍କୁ ମଧ୍ୟ ସିକନ୍ଦର ଆଲାମ ବାଦ୍ୟ ରତ୍ନ ସମ୍ମାନ-୨୦୨୨ରେ ସମ୍ମାନିତ କରାଯାଇଛି । ଏକ ସଂକ୍ଷିପ୍ତ ଆଭାସୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ସ୍ମାରକୀ ପ୍ରଦାନ ପୂର୍ବକ ସମ୍ମାନିତ କରିଛନ୍ତି ।

ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ଯୋଗଦେଇଥିଲେ । ମନ୍ତ୍ରୀ ତାଙ୍କ ଅଭିଭାଷଣରେ ସ୍ୱର୍ଗତ ସିକନ୍ଦର ଆଲାମଙ୍କର କାଳଜୟୀ ସଂଗୀତ ସାଧନାର ସ୍ମୃତି ଚାରଣ କରିଥିଲେ। ସ୍ୱର୍ଗତ୍ ଆଲାମଙ୍କର ରେଡିଓରେ ପରିବେଷିତ ସୁଲଳିତ ଭଜନ ଏବେବି ଲକ୍ଷ ଲକ୍ଷ ଓଡିଶାବାସୀ ଓ ଜଗନ୍ନାଥ ପ୍ରେମୀଙ୍କୁ ବାନ୍ଧି ରଖିଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିଥିଲେ।

ଏଥିରେ ଓଡିଶାର ବହୁ ପ୍ରତିଷ୍ଠିତ ଶିଳ୍ପୀମାନଙ୍କ ଦ୍ୱାରା ଆଲାମ ସଂଗୀତ ପରିବେଷଣ କରାଯାଇଥିଲା । ଏଥିରେ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ,ଶେଖର ଘୋଷ, ମହାପ୍ରସାଦ କର, ନାଜିଆ ଆଲାମ, ସୁଶାନ୍ତ ପଣ୍ଡା, ରଣଦୀପ ପାଲିତ, ବନ୍ଦିଶ ପାଲିତ, ଦେବାଶିଷ ମହାପାତ୍ର, ଆଦ୍ୟାଶା ଦାସ, ରଶ୍ମିତା, ୟସ୍ ମହାନ୍ତି ଓ ସୁକାନ୍ତ ରଥ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ । ଉପସ୍ଥିତ ବହୁ ସଂଗୀତ ଅନୁରାଗୀ ଉକ୍ତ କାର‌୍ୟ୍ୟକ୍ରମରେ ଭରପୁର ଆନନ୍ଦ ନେଇଥିଲେ ।କାର‌୍ୟ୍ୟକ୍ରମରେ ଉପସ୍ଥିତ ସୁନାମଧନ୍ୟ କଣ୍ଠଶିଳ୍ପୀ ଶ୍ରୀ ପ୍ରଣବ ପଟ୍ଟନାୟକଙ୍କ ସମେତ ସଂଗୀତ ଗାନ କରିଥିବା ସମସ୍ତ ଶିଳ୍ପୀମାନଙ୍କୁ ଏହି ଅବସରରେ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଶିଷ୍ଟ ଉପସ୍ଥାପକ ଡଃ. ମୃତ୍ୟୁଞ୍ଜୟ ରଥ କାର‌୍ୟ୍ୟକ୍ରମ ସଂଯୋଜନା କରିଥିଲେ ।

Categories
ବିଶେଷ ଖବର

‘ସାହିତ୍ୟ ଉତ୍ସବ’ ଆୟୋଜିତ: ଓଡ଼ିଆ ଭାଷାରେ ବିଶିଷ୍ଟ କବି ତଥା ସାହିତ୍ୟିକ ଡକ୍ଟର ହୃଷିକେଶ ମଲ୍ଲିକ ପାଇଲେ ପୁରସ୍କାର

ନୂଆଦିଲ୍ଲୀ: ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ‘ସାହିତ୍ୟୋତ୍ସବ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଗତକାଲି ଠାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ଏହି ଉତ୍ସବକୁ ଭାରତର ସବୁଠୁ ସମାବେଶୀ ସାହିତ୍ୟ ଉତ୍ସବ ବୋଲି ବିବେଚନା କରାଯାଉଛି।

ଏହି ଉତ୍ସବ ଉପଲକ୍ଷେ ରବିନ୍ଦ୍ର ଭବନ ଲନ୍‌ ଠାରେ ‘ଜନଜାତି ଲେଖକ ସମ୍ମିଳନୀ’ ଅନୁଷ୍ଠିତ ହୋଇଥିଲା, ଏଥିରେ ୨୪ଟି ଜନଜାତି ଭାଷାର ପ୍ରତିନିଧିତ୍ୱ ଦେଖିବାକୁ ମିଳିଥିଲା। ବିଶିଷ୍ଟ ବଲ୍‌ତି କବି ଅଖୋନେ ଅଜଗର ଅଲି ବଶରତ ଏହି ସମ୍ମିଳନୀକୁ ଉଦଘାଟନ କରିଥିଲେ।

ସାହିତ୍ୟ ଉତ୍ସବ ସନ୍ଧ୍ୟାରେ କପର୍ନିକସ୍‌ ମାର୍ଗସ୍ଥିତ କମନୀ ପ୍ରେକ୍ଷାଳୟ ଠାରେ ୨୪ ଜଣ ଲେଖକଙ୍କୁ ସମ୍ମାନଜନକ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର’ ପ୍ରଦାନ କରାଯାଇଥିଲା। ଓଡ଼ିଆ ଭାଷାରେ ବିଶିଷ୍ଟ କବି ତଥା ସାହିତ୍ୟିକ ଡକ୍ଟର ହୃଷିକେଶ ମଲ୍ଲିକ ପୁରସ୍କାର ଗ୍ରହଣ କରିଥିଲେ। ସାହିତ୍ୟ ଏକାଡେମୀର ସଭାପତି ଡକ୍ଟର ଚନ୍ଦ୍ରଶେଖର କମ୍ବାର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ବିତରଣ ସମାରୋହରେ ବିଶିଷ୍ଟ ମରାଠୀ ଲେଖକ ଡକ୍ଟର ଭାଲଚନ୍ଦ୍ର ନେମାଦେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ପୁରସ୍କାର ବିଜେତାମାନଙ୍କ ମଧ୍ୟରେ ଅନୁରାଧା ଶର୍ମା ପୂଜାରୀ (ଅହମିୟା), ବ୍ରତ୍ୟ ବସୁ (ବଙ୍ଗଳା), ମୋଦାୟ ଗାହାୟ (ବୋଡୋ), ରାଜ ରାହି (ଡୋଗ୍ରୀ), ନମିତା ଗୋଖଲେ (ଇଂରାଜୀ), ଯଜ୍ଞେଶ ଦଭେ (ଗୁଜରାଟୀ), ଦୟା ପ୍ରକାଶ ସିହ୍ନା (ହିନ୍ଦୀ), ୱାଲି ମହମ୍ମଦ ଅସୀର କିସ୍ତୱାରୀ (କଶ୍ମିରୀ), ସଞ୍ଜୀବ ଭେରେଙ୍କର (କୋଙ୍କଣୀ), ଜଗଦୀଶ ପ୍ରସାଦ ମଣ୍ଡଳ (ମୈଥିଳୀ), ଜର୍ଜ ଓଣକ୍କର (ମାଲାୟଲମ), ଥୋକୋଚୋମ୍‌ ଇବୋହାନବୀ ସିଂ (ମଣିପୁରୀ), କୀରଣ ଗୌରବ (ମରାଠୀ), ଛବିଲାଲ ଉପାଧ୍ୟାୟ (ନେପାଳୀ), ହୃଷିକେଶ ମଲ୍ଲିକ (ଓଡ଼ିଆ), ଖାଲିଦ୍‌ ହୁସୈନ (ପଞ୍ଜାବୀ), ମୀଠେଶ ନିର୍ମୋହୀ (ରାଜସ୍ଥାନୀ), ନିରଞ୍ଜନ ହାଁସଦା (ସାନ୍ତାଳୀ), ଅର୍ଜ୍ଜୁନ ଚାୱଲା (ସିନ୍ଧୀ), ଅମ୍ବାଇ (ତାମିଲ), ଗୋରେତି ଭେଙ୍କନ୍ନା (ତେଲୁଗୁ), ଚନ୍ଦର ଭାନ୍‌ ଖୟାଲ (ଉର୍ଦ୍ଦୁ), ବିନ୍ଧେଶ୍ୱରୀ ପ୍ରସାଦ ମିଶ୍ରା ‘ବିନୟ’ (ସଂସ୍କୃତ) ସମ୍ମାନିତ ହୋଇଥିଲେ।

ଆସନ୍ତାକାଲି ପୂର୍ବାହ୍ନ ୧୦ଟାରେ ଏହି ୨୪ ଜଣ ପୁରସ୍କାର ବିଜେତାମାନଙ୍କୁ ନେଇ ରବୀନ୍ଦ୍ର ଭବନ ଲନ ଠାରେ ଏକ ଲେଖକ ସମ୍ମିଳନୀ ଆୟୋଜନ କରାଯିବ। ଏହି ସମ୍ମିଳନୀରେ ପୁରସ୍କାର ବିଜେତାମାନେ ସେମାନଙ୍କ ପୁରସ୍କାରପ୍ରାପ୍ତ ସୃଜନଶୀଳ ସର୍ଜନା ପଛରେ ରହିଥିବା ଅନୁଭୂତି ବାଣ୍ଟିବେ। ସେହିପରି ଆସନ୍ତାକାଲି ମଧ୍ୟ ‘‘୧୯୪୭ ମସିହା ପରଠାରୁ ଭାରତରେ ନାଟକର କ୍ରମବିକାଶ’’ ଉପରେ ଏକ ସଂଗୋଷ୍ଠୀ ଆୟୋଜନ କରାଯିବ। ଏହାକୁ ବିଶିଷ୍ଟ ମଞ୍ଚ ବ୍ୟକ୍ତିତ୍ୱ ଶ୍ରୀ ଭାନୁ ଭାରତୀ ଉଦଘାଟନ କରିବେ ଏବଂ ସାହିତ୍ୟ ଏକାଡେମୀ ସଭାପତି ଡକ୍ଟର ଚନ୍ଦ୍ରଶେଖର କମ୍ବାର ଏଥିରେ ଅଧ୍ୟକ୍ଷତା କରିବେ।

ଏହାପରେ ମାର୍ଚ୍ଚ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ‘‘ଭାରତର ସ୍ୱାଧୀନତା ଆନ୍ଦୋଳନରେ ସାହିତ୍ୟର ପ୍ରଭାବ’’ ଉପରେ ଏକ ତିନି ଦିନିଆ ସେମିନାର ଆୟୋଜନ କରାଯିବ। ମାର୍ଚ୍ଚ ୧୩ ତାରିଖରେ ବିଶିଷ୍ଟ ହିନ୍ଦୀ ଲେଖକ ତଥା ସାହିତ୍ୟ ଏକାଡେମୀ ସଦସ୍ୟ ଡକ୍ଟର ବିଶ୍ୱନାଥ ପ୍ରସାଦ ତିୱାରୀ ଏହାକୁ ଉଦଘାଟନ କରିବେ। ବିଶିଷ୍ଟ ଗବେଷକ ଡକ୍ଟର ହରୀଶ ତ୍ରିବେଦୀ ଦୀକ୍ଷାନ୍ତ ଭାଷଣ ଦେବେ। ସାରା ଦେଶରୁ ୪୨ ଜଣ ବିଶିଷ୍ଟ ଗବେଷକ ଏଥିରେ ଅଂଶଗ୍ରହଣ କରିବେ ଏବଂ ଭାରତର ସ୍ୱାଧୀନତା ଆନ୍ଦୋଳନରେ ସାହିତ୍ୟର ପ୍ରଭାବ ଉପରେ ସନ୍ଦର୍ଭ ଉପସ୍ଥାପନା କରିବେ।

ବିଶିଷ୍ଟ ଲେଖକ ଦେବେନ୍ଦ୍ର ମେୱାରୀ ‘‘୧୯୪୭ ପରଠାରୁ ଭାରତୀୟ ଭାଷା ଉପରେ କଳ୍ପନା ଓ ବିଜ୍ଞାନର ପ୍ରଭାବ’ ଉପରେ ଏକ ସଂଗୋଷ୍ଠୀକୁ ସେହିଦିନ ଉଦଘାଟନ କରିବେ। ଏହି ଅବସରରେ ଜଗଦଗୁରୁ ରାମାନନ୍ଦାଚାର୍ଯ୍ୟ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ସାହିତ୍ୟ ଏକାଡେମୀ ସଭାପତି ସମ୍ମାନଜନକ ସାହିତ୍ୟ ଏକାଡେମୀ ଫେଲୋଶିପ୍‌ ସମ୍ମାନରେ ସମ୍ମାନିତ କରିବେ।

୧୪ ତାରିଖରେ ‘‘ଗଣମାଧ୍ୟମ ଓ ସାହିତ୍ୟ’’ ଉପରେ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆକାଶବାଣୀର ମହାନିର୍ଦ୍ଦେଶକ ଭେଣୁଧର ରେଡ୍ଡୀ ଏହାକୁ ଉଦଘାଟନ କରିବେ। ବିଶିଷ୍ଟ ମରାଠୀ ଲେଖକ ବିଶ୍ୱାସ ପାଟିଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦୈନିକ ଜାଗରଣର ସାହିତ୍ୟ ସମ୍ପାଦକ ଶ୍ରୀ ରାଜେନ୍ଦ୍ର ରାଓ ସମ୍ମାନିତ ଅତିଥି ଭାବେ ଯୋଗଦେବେ। ଏହି ଦିନ ‘‘ତୃତୀୟଲିଙ୍ଗ କବି ସମ୍ମିଳନୀ’’, ‘‘ପୂର୍ବୋତ୍ତରୀ : ଉତ୍ତର ପୂର୍ବ ଏବଂ ଉତ୍ତରାଞ୍ଚଳ ଲେଖକ ସମ୍ମିଳନୀ’’ ମଧ୍ୟ ଆୟୋଜିତ ହେବ। ଏଥିରେ ବିଶିଷ୍ଟ ଲେଖକ ଓ ସାହିତ୍ୟିକ ମାନେ ଅଂଶଗ୍ରହଣ କରିବେ।

ପ୍ରତ୍ୟେକ ଦିନ ଏକାଡେମୀ ପକ୍ଷରୁ ଏକ ପୁସ୍ତକ ମେଳା ସକାଳ ୧୦ଟା ଠାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଆୟୋଜନ କରାଯାଉଛି।

Categories
ବିଶେଷ ଖବର

୭୫ ଶ୍ରେଷ୍ଠ ଯୁବ ଲେଖକଙ୍କ ନାମ ଘୋଷଣା କଲା ଏନବିଟି: ଓଡ଼ିଆ ଭାଷାରେ ୩ ଜଣ ମନୋନୀତ

ନୂଆଦିଲ୍ଲୀ: ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ପିଏମ ଯୁବା ମେଣ୍ଟରଶିପ୍‌ ବା ପ୍ରଶିକ୍ଷଣ ଯୋଜନା ଅଧୀନରେ ସାରା ଦେଶରୁ ଚୟନ କରାଯାଇଥିବା ୭୫ ଜଣ ଶ୍ରେଷ୍ଠ ଯୁବ ଲେଖକଙ୍କ ନାମ ଘୋଷଣା କରାଯାଇଛି। ଏହି ଲେଖକମାନଙ୍କୁ ଚୟନ କରିବା ଲାଗି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ରାଷ୍ଟ୍ରୀୟ ପୁସ୍ତକ ନ୍ୟାସ (ଏନବିଟି) ପକ୍ଷରୁ ‘ଭାରତର ଜାତୀୟ ଆନ୍ଦୋଳନ’ ଶୀର୍ଷକ ଏକ ସର୍ବଭାରତୀୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତା ମାଧ୍ୟମରେ ଏକ ବୃତ୍ତି ତଥା ପ୍ରଶିକ୍ଷଣ (ସ୍କଲାରଶିପ କମ୍‌ ମେଣ୍ଟରଶିପ) ଯୋଜନା ପାଇଁ ଲେଖକମାନଙ୍କୁ ଚୟନ କରାଯାଇଛି।

ଉଲ୍ଲେଖନୀୟ ବିଷୟ ହେଉଛି, ଏହି ୭୫ ଜଣ ଶ୍ରେଷ୍ଠ ଯୁବ ଲେଖକଙ୍କ ମଧ୍ୟରେ ୩ ଜଣ ଓଡ଼ିଆ ଲେଖକ ଅଛନ୍ତି ସେମାନେ ହେଲେ– ଅନିନ୍ଦ୍ୟ ନାରାୟଣ ସିଂ, ଦିଲେଶ୍ବର ରଣା, ଓମ ପ୍ରିୟଦର୍ଶୀ ଛୋଟରାୟ

ମାଇଁ ଗଭ ଓ ରାଷ୍ଟ୍ରୀୟ ପୁସ୍ତକ ନ୍ୟାସ, ଭାରତ ପ୍ଲାଟଫର୍ମ ଜରିଆରେ ଜୁନ ପହିଲାରୁ ଜୁଲାଇ ୩୧ ତାରିଖ ମଧ୍ୟରେ ସର୍ବଭାରତୀୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ସାରା ଦେଶରୁ ତଥା ବିଦେଶରେ ଥିବା ଭାରତୀୟ ସମୁଦାୟଙ୍କ ପକ୍ଷରୁ ୨୨ଟି ସାମ୍ବିଧାନିକ ଭାଷା ଓ ଇଂରାଜୀରେ ପାଖାପାଖି ୧୬ ହଜାର ଆବେଦନ ପ୍ରାପ୍ତ ହୋଇଥିଲା। ବିଶେଷଜ୍ଞମାନଙ୍କ ଏକାଧିକ ପ୍ୟାନେଲ ସମସ୍ତ ପୁସ୍ତକ ପ୍ରସ୍ତାବକୁ ପଢ଼ିଥିଲେ ଏବଂ ଏସବୁର ତ୍ରିସ୍ତରୀୟ ଯାଞ୍ଚ କରାଯାଇଥିଲା।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ୩୧ ଜାନୁଆରୀ ୨୦୨୧ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ମନ କୀ ବାତରେ କହିଥିଲେ : ‘‘ଆମର ସ୍ବାଧୀନତା ସଂଗ୍ରାମୀ, ସେମାନଙ୍କ ସହ ଜଡ଼ିତ ଘଟଣାବଳୀ ଏବଂ ନିଜ ନିଜ କ୍ଷେତ୍ରରେ ସ୍ବାଧୀନତା ସଂଗ୍ରାମର ବୀରତ୍ବ ଗାଥା ସମ୍ପର୍କରେ ଲେଖିବା ଲାଗି ମୁଁ ମୋ ଯୁବ ବନ୍ଧୁମାନଙ୍କୁ ଆହ୍ବାନ କରୁଛି।’’ ଏହାପରେ କାର୍ଯ୍ୟକାରୀ ସଂସ୍ଥା ଭାବେ ଭାରତୀୟ ରାଷ୍ଟ୍ରୀୟ ପୁସ୍ତକ  ନ୍ୟାସକୁ  ସାଥୀରେ ନେଇ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଯୁବ ଲେଖକମାନଙ୍କ ପାଇଁ ପିଏମ-ଯୁବା ମେଣ୍ଟରଶିପ ଯୋଜନା ଆରମ୍ଭ କରାଯାଇଥିଲା।

ଚୟନ କରାଯାଇଥିବା ୭୫ ଜଣ ଲେଖକଙ୍କ ମଧ୍ୟରୁ ୩୮ ଜଣ ପୁରୁଷ ଏବଂ ୩୭ ଜଣ ମହିଳା ଲେଖକ ଥିଲେ। ଆହୁରି ଦୁଇ ଜଣ ଲେଖକଙ୍କ ବୟସ ୧୫ ବର୍ଷରୁ କମ ହୋଇଥିବା ବେଳେ ୧୬ ଜଣ ଲେଖକଙ୍କ ବୟସ ୧୫-୨୦ ବର୍ଷ ମଧ୍ୟରେ ଏବଂ ୩୨ ଜଣ ଲେଖକଙ୍କ ବୟସ ୨୧-୨୫ ବର୍ଷ ମଧ୍ୟରେ ହୋଇଥିବା ବେଳେ ୨୫ ଜଣ ଲେଖକଙ୍କ ବୟସ  ୨୬-୩୦ ବର୍ଷ ମଧ୍ୟରେ ରହିଛି।

ଚୟନ କରାଯାଇଥିବା ଲେଖକମାନଙ୍କୁ ଛଅ ମାସ ବ୍ୟାପୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ କରାଯିବ। ଏଥିରେ ସେମାନଙ୍କୁ ଆଜାଦୀ କା ଅମୃତ ମହାତ୍ସବ ଯୋଜନାର ଅଂଶବିଶେଷ ଭାବେ ନିଜର ପୁସ୍ତକ ପ୍ରସ୍ତାବଗୁଡ଼ିକୁ ସମ୍ପୂର୍ଣ୍ଣ ପୁସ୍ତକ ଆକାରରେ ପ୍ରକାଶ କରିବା ଲାଗି ରାଷ୍ଟ୍ରୀୟ ପୁସ୍ତକ ନ୍ୟାସ, ଭାରତ ପକ୍ଷରୁ ବିଶିଷ୍ଟ ଲେଖକ ଏବଂ ସମ୍ପାଦକୀୟ ଦଳ ଦ୍ବାରା ଗବେଷଣା ଓ ସମ୍ପାଦକୀୟ ସମର୍ଥନ ଯୋଗାଇ ଦିଆଯିବ। ସେମାନଙ୍କର ପ୍ରକାଶିତ ପୁସ୍ତକ ପରବର୍ତ୍ତୀ ଅବସ୍ଥାରେ ଅନ୍ୟ ଭାରତୀୟ ଭାଷାରେ ପ୍ରକାଶ କରାଯିବ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମୟରେ, ବଛା ହୋଇଥିବା ଲେଖକମାନଙ୍କୁ ଛଅ ମାସ ପାଇଁ ମାସିକ ୫୦,୦୦୦ ଟଙ୍କା ଲେଖାଏଁ ବୃତ୍ତି ଯୋଗାଇ ଦିଆଯିବ। ଆହୁରି, ଲେଖକମାନଙ୍କୁ ସେମାନଙ୍କର ପୁସ୍ତକ ପ୍ରକାଶିତ ହେବା ପରେ ୧୦ ପ୍ରତିଶତ ରୟାଲିଟୀ ପ୍ରଦାନ କରାଯିବ।

Categories
ଆଜିର ଖବର ସଂସ୍କୃତି

୧୩୯ତମ ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ଅବସରରେ ଆରମ୍ଭ ହେଲା ଗୀତିନାଟ୍ୟ ମହୋତ୍ସବ

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ରବିନ୍ଦ୍ର ମଣ୍ଡପରେ ୧୩୯ତମ ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ରାଜ୍ୟ କଳା ସଂସ୍କୃତି ପରିଷଦ ଓ ୟୁନିସେଫ୍‌ର ମିଳିତ ଆନୁକୂଲ୍ୟରେ ଗୀତିନାଟ୍ୟ ମହୋତ୍ସବର ଶୁଭାରମ୍ଭ କରାଯାଇଛି । ଆଜି ବିଶିଷ୍ଟ ଅତିଥି ଭାବେ ସିନେ କଳାକାର ତଥା ମଂଚ ଅଭିନେତା ଅଶ୍ରୁମୋଚନ ମହାନ୍ତି, ନାଟ୍ୟ ଗବେଷକ ଡ. ସୁବୋଧ ପଟ୍ଟନାୟକ, ଓଡ଼ିଶା ସଂଗୀତ ନାଟକ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ଜେନା, ରାଜ୍ୟ ସଂସ୍କୃତି ପ୍ରକଳ୍ପ ସଂଯୋଜକ ଶ୍ରୀ ବାସୁଦେବ ମାଳବିଶୋୟୀ ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ପ୍ରାରମ୍ଭିକ ସୂଚନା ପ୍ରଦାନ କରି ରାଜ୍ୟ ପ୍ରକଳ୍ପ ସଂଯୋଗ ଶ୍ରୀ ମାଳବିଶୋୟୀ ଲୋକକଳା ମଧ୍ୟରେ ଗୀତିନାଟ୍ୟକୁ ସାମିଲ କରାଯାଇ ଗଣକବିଙ୍କ ଜୟନ୍ତୀରେ ପ୍ରତିବର୍ଷ ତିନିଦିନ ଗୀତିନାଟ୍ୟ ପରିବେଷଣ କରାଯିବା ନିମନ୍ତେ ରାଜ୍ୟ ସରକାର ଅନୁମୋଦନ କରିଥିବା ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ଗଣକବିଙ୍କ ପ୍ରତି ଏକ ବିଶେଷ ଶ୍ରଦ୍ଧାଞ୍ଜଳି ହେବା ସହ ପାରମ୍ପାରିକ ଗୀତିନାଟ୍ୟଧାରାକୁ ବଞ୍ଚାଇ ରଖିବାରେ ସହାୟକ ହେବ ।

ଆଜିର ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍‌ର କୋଠପଦାସ୍ଥିତ ବିନାୟକ କ୍ଲବ୍‌ର କଳାକାରମାନଙ୍କ ଦ୍ୱାରା ସ୍ୱର୍ଗତ ବୈଷ୍ଣବ ପାଣିଙ୍କ ଲିଖିତ ଗୀତିନାଟ୍ୟ ‘କର୍ଣ୍ଣବଧ’ ମଞ୍ଚସ୍ଥ ହୋଇଥିଲା । ଏହି ଅବସରରେ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଆସନ୍ତାକାଲି ଏହି କ୍ରମରେ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍‌ର ନଳବଣ୍ଟାସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ନାଟ୍ୟକଳା ସଂସଦର କଳାକାରମାନଙ୍କ ଦ୍ୱାରା ପ୍ରହଲ୍ଲାଦ ନାଟକ ମଞ୍ଚସ୍ଥ ହେବାର କାର୍ଯ୍ୟକ୍ରମ ରହିଛି ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ବଦଳିଲେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ, ନୂଆଙ୍କୁ ଦିଆଗଲା ନିଯୁକ୍ତି

ଭୁବନେଶ୍ବର, ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କୁ ବଦଳି କରାଯାଇଛି। ଏ ନେଇ ଗତକାଲି ସାଧାରଣ ପ୍ରଶାସନ ବିଭାଗରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସେହି ବିଜ୍ଞପ୍ତି ଅନୁସାରେ ନୂଆ ଶାସନ ସଚିବ ଭାବେ ଗୃହ ଓ ନଗର ଉନ୍ନୟନ ସଚିବ ଡ. ସୁରେଶ ଚନ୍ଦ୍ର ଦଳାଇଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।

ଡ ଦଳାଇ ଯେଉଁଦିନ ଏହି ପଦବୀରେ ଯୋଗଦେବେ ସେହିଦିନ ବିଷ୍ଣୁପଦ କାର୍ଯ୍ୟରୁ ଆବ୍ୟାହତି ନେବେ। ବିଷ୍ଣୁପଦ ବର୍ତ୍ତମାନ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସହିତ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଅଛନ୍ତି।