Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ଲଲିତ କଳା ଏକାଡ଼େମୀ ଦ୍ୱାରା ଖୋର୍ଦ୍ଧା ଜିଲ୍ଲାରେ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ

ଖୋର୍ଦ୍ଧା: ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓ ଜିଲ୍ଲା ପ୍ରଶାସନ, ଖୋର୍ଦ୍ଧା ସହଯୋଗରେ ରାଜ୍ୟରେ ଚିତ୍ରକଳାର ବହୁଳ ପ୍ରଚାର ଓ ପ୍ରସାର ନିମନ୍ତେ ଏକାଡେମୀ ଦ୍ଵାରା ସଂଗୃହିତ ଚିତ୍ରକଳାଗୁଡିକୁ ନେଇ ଏକ ଭ୍ରାମ୍ୟମାଣ ପ୍ରଦର୍ଶନୀର ଉଦଘାଟନୀ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ପ୍ରଦର୍ଶନୀକୁ ଉପ-ଜିଲ୍ଲାପାଳ, ଖୋର୍ଦ୍ଧା ଦୀପ୍ତି ରଞ୍ଜନ ସେଠୀ ଉଦଘାଟନ କରିଛନ୍ତି।

ଓଡ଼ିଶା ଲଳିତ କଳାର ବହୁଳ ପ୍ରଚାର ଓ ପ୍ରସାର ପାଇଁ ତଥା ଶିଳ୍ପୀମାନଙ୍କର କଳାକୃତି ଯେପରି ରାଜ୍ୟର ଜନସାଧାରଣ ଅନ୍ୟ ଶିଳ୍ପୀ ତଥା ଛାତ୍ର/ ଛାତ୍ରୀମାନେ ଦେଖିବାର ସୁଯୋଗ ପାଇ ପାରିବେ ଏବଂ ଓଡ଼ିଶାର ସବୁ ଜିଲ୍ଲାରେ ଚିତ୍ରକଳାର ପ୍ରଚାର ଓ ପ୍ରସାର କିପରି ଅଧିକ ହୋଇପାରିବ ସେଥିପାଇଁ ଏକାଡେମୀ ତରଫରୁ ଏହି ପ୍ରୟାସ କରାଯାଉଛି। ଉକ୍ତ ପ୍ରଦର୍ଶନୀରେ ଓଡ଼ିଶାର ଖ୍ୟାତନାମା ଦିବଙ୍ଗତ ଓ ବରିଷ୍ଠ ଚିତ୍ରଶିଳ୍ପୀ ବିମ୍ବାଧର ବର୍ମା, ବସନ୍ତ ପଣ୍ଡା, ଅନନ୍ତ ପଣ୍ଡା, ଯତୀନ ଦାସ, ଅଜିତ କେଶରୀ ରାୟ, ବିଭୁତି କାନୁନଗୋ ଓ ରବିନାରାୟଣ ନାୟକ ପ୍ରମୁଖଙ୍କ ସହ ବହୁ ଯୁବ ଚିତ୍ରଶିଳ୍ପୀଙ୍କ ମୋଟ ୪୦ ଟି ଚିତ୍ରକଳା ସ୍ଥାନ ପାଇଛି।

ଉକ୍ତ ପ୍ରଦର୍ଶନୀ ଡିସେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେହ ଦିନ ୧୧ ଘଟିକାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ। ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରଦର୍ଶନୀ ଅବସରରେ ଜିଲ୍ଲାର ବହୁ ଶିଳ୍ପୀ,କଳାପ୍ରେମୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।

ସଚିବ, ଓଡ଼ିଶା ଲଳିତ କଳା ଏକାଡେମୀ ପଞ୍ଚାନନ ସାମଲ/ପୁର୍ବତନ ସଚିବ, ଓଡ଼ିଶା ଲଳିତ କଳା ଏକାଡେମୀ, ଗଜେନ୍ଦ୍ର ସାହୁ/ଚିତ୍ର ଶିଳ୍ପୀ -ଲଲାଟ  କିଶୋର ପ୍ରଧାନ/ଚିତ୍ର ଶିଳ୍ପୀ ଜ୍ଞାନ ରଞ୍ଜନ ଦାଶ/ଚିତ୍ର ଶିଳ୍ପୀ, ବିରଞ୍ଚି ନାରାୟଣ ଚହଟରାୟ ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର ସଂସ୍କୃତି

ସଉରା ଚିତ୍ରରେ ଝଲସିଲା ରେଜିଂତାଲ, ନିଜ ଘରକାନ୍ଥରେ ଚିତ୍ର ଆଙ୍କିଲେ ଗାଁ ଲୋକେ

ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀ ଅବସରରେ ରାୟଗଡ଼ା ଜିଲ୍ଲାର ଗୁଣପୁର ସବ ଡିଭିଜନ, ରେଜିଂତାଲ ଆଦିବାସୀ ଗାଁରେ ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଏବଂ ରାୟଗଡ଼ା ଜିଲ୍ଲା ପ୍ରଶାସନ ସହଯୋଗରେ ସେପ୍ଟେମ୍ବର୨୮ ଠାରୁ ଉଦ୍ଘାଟିତ ହୋଇଯାଇଛି ୫ ଦିନିଆ ଆଦିବାସୀ କଳା ସଂସ୍କୃତି ଆଧାରିତ ଭିତ୍ତିଚିତ୍ର ଶିଳ୍ପୀ ଶିବିର।

ଏହି ଗାଁର ୫୦ଟି ଘରର ଆଦିବାସୀ ଶିଳ୍ପୀମାନେ ନିଜ ଘର ସମ୍ମୁଖରେ ଅଙ୍କନ କରିଛନ୍ତି ସଉରା ଆଦିବାସୀ ଚିତ୍ରକଳା। ଓଡ଼ିଶାର ଆଦିବାସୀ ଗ୍ରାମ ରେଜିଂତାଲରେ ଲାଞ୍ଜିଆ ସଉରା ଜନଜାତିର ଆଦିବାସୀ ମାନେ ଘରର ପୂଜାପାଠ ଓ ଗାଁର ମଙ୍ଗଳ କାମନା ପାଇଁ ପୂର୍ବ ପୁରୁଷରୁ ନିଜ ଘର କାନ୍ଥରେ ଅଙ୍କନ କରିଥାନ୍ତି ଏହି ଚିତ୍ର।

ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ଏହି ଗାଁର ଶିଳ୍ପୀ ମାନେ ନିଜ ଘର କାନ୍ଥରେ ଗାଁର ଚାଷକାମ,ଶିକାରର ଦୃଶ୍ୟ, ଫସଲ ଅମଳ, ପାହାଡ଼ପର୍ବତ, ଆଦିବାସୀ ଜନଜୀବନ, ନୃତ୍ୟ, ବାହାଘର, ମାଟି ଦେବତାଙ୍କ ପୂଜା, ହାତୀ, ବାଘ, ଘୋଡ଼ା, ଝିଟିପିଟି, ମୟୂର ଇତ୍ୟାଦି ବିଷୟବସ୍ତୁ କୁ ଆଧାର କରି ଚିତ୍ର ଗୁଡ଼ିକ ଅଙ୍କନ କରିଛନ୍ତି।

ଅକ୍ଟୋବର୨ ଉଦଯାପନୀ ଉତ୍ସବରେ ରାୟଗଡାର ଉପଜିଲ୍ଲାପାଳ ଲଳିତ କୁମାର କୁଁଅର,ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଭ୍ରାଂଜଳି ପ୍ରଧାନ,ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ ଓ ସଚିବ ପଞ୍ଚାନନ ସାମଲ ଉତ୍ସବରେ ଯୋଗ ଦେଇ ୫୦ଜଣ ଶିଳ୍ପୀଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ରାୟଗଡା ଜିଲ୍ଲାପାଳ ସ୍ୱେଧାଦେବ ସିଂ ଶିଳ୍ପୀ ଶିବିର ସମୟରେ ମଧ୍ୟ ପରିଦର୍ଶନ କରିରେଜିଂତାଲ୍ ଗ୍ରାମର ଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ।ଶିଳ୍ପୀ ଶିବିର ସମାପ୍ତପରେ ରେଜିଂତାଲ୍ ଗାଁ ଏକମୁକ୍ତାକାଶ ଆର୍ଟ ଗେଲେରୀରେ ପରିଣତ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

୪ ଦିନିଆ ମହିଳା ଶିଳ୍ପୀ ଶିବିର ଉଦ୍‌ଯାପିତ: ଶିଳ୍ପୀ ଗଢିଲେ ୬ ଫୁଟର ବୃହତ୍ କାଗଜ ମୁଖା

ଭୁବନେଶ୍ୱର: ଓଡ଼ିଶା ଲଳିତ କଳା ଏକାଡ଼େମୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ନୀଳାଦ୍ରୀ ବିହାର ସ୍ଥିତ ବୁଦ୍ଧ ଆର୍ଟ ଗ୍ୟାଲେରୀ ପରିସରରେ ଚାଲିଥିବା ୪ ଦିନିଆ ପାରମ୍ପରିକ କାଗଜ ମୁଖା ଓ କଣ୍ଢେଇ ପ୍ରସ୍ତୁତ ଶିବିର ଉଦ୍‌ଯାପିତ ହୋଇଯାଇଛି।

ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଯୋଗଦେଇ ସମସ୍ତ କଳାକୃତି ଗୁଡିକ ବୁଲି ଦେଖିବା ସହ ଶିଳ୍ପୀମାନେ ପାରମ୍ପରିକତା ଏବଂ ମୌଳିକତା ରକ୍ଷା କରି ସୁବୃହତ ମୁଖା ଗୁଡିକ ତିଆରି କରିଥିବାରୁ ତାଙ୍କର ଭୂୟସୀ ପ୍ରଶଂସା କରିଥିଲେ। ବିଭିନ୍ନ ବର୍ଜ୍ୟଵସ୍ତୁରୁ ପ୍ରସ୍ତୁତ କଳାକୃତି ଉଚ୍ଚକୋଟୀର ହୋଇଥିବାରୁ ସେମାନଙ୍କର କଳାନୈପୁଣ୍ୟ କୁ ଭୂପ୍ରଶଂସା କରିଥିଲେ।

ଏହି ପରିପ୍ରେକ୍ଷୀରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ କହିଲେ ଯେ,ଓଡିଶା ହେଉଛି କଳାର ରାଜ୍ୟ। ଆମର ପୂର୍ବଜ ମାନେ କଳା କୃତିରେ ନିପୁଣ ଥିଲେ। ଶିଳ୍ପୀମାନଙ୍କର ଶିଳ୍ପକଳାକୁ ଉଜ୍ଜୀବିତ ରଖିବାରେ ସେମାନଙ୍କୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି। ପାରମ୍ପରିକ ଶିଳ୍ପକଳାର ଆଦୃତି କାମନା କରିବା ସହିତ ଆଗାମୀ ଦିନରେ ଏହି ଭଳି ପ୍ରଦର୍ଶନୀ ଆୟୋଜନକୁ ଆହୁରି ବ୍ୟାପକ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଥିଲେ।  ପ୍ରଦର୍ଶନୀରେ ରଘୁରାଜପୁର, ଗଞ୍ଜାମ, ଆଦି ବିଭିନ୍ନ ଜିଲ୍ଲାରୁ ରାଜ୍ୟର ୩୧ ଜଣ ମହିଳା ଶିଳ୍ପୀ ଅଂଶ ଗ୍ରହଣ କରିଥିଲେ। ସମସ୍ତ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ପ୍ରତ୍ୟେକଙ୍କୁ ମାନପତ୍ର, ଅଙ୍ଗବସ୍ତ୍ର ଓ ୧୦ ହଜାର ଟଙ୍କାର ମାନଦେୟ ପ୍ରଦାନ କରାଯାଇଥିଲା।

ଏହି ଉଦଯାପନୀ ସଂଧ୍ୟାରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଚିତ୍ରଶିଳ୍ପୀ ବିନୋଦ ମହାରଣା, ମହେନ୍ଦ୍ର ପ୍ରସାଦ ମହାପାତ୍ର ଓ ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସୁବୋଧ କୁମାର ଆଚାର୍ଯ୍ୟ ପ୍ରମୁଖ ଏକାଡେମୀର ଏଭଳି ପ୍ରୟାସକୁ ପ୍ରଶଂସା କରିବା ସହ ଶିଳ୍ପୀମାନଙ୍କ ନିଖୁଣ କଳାକୃତି ଗୁଡିକ ଆଗାମୀ ଦିନରେ ଯୁବ ଶିଳ୍ପୀମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ।

ପ୍ରାରମ୍ଭରେ ଏକାଡେମୀର ସଚିବ ପଞ୍ଚାନନ ସାମଲ ଅତିଥି ମାନଙ୍କ ପରିଚୟ ପ୍ରଦାନ ପୂର୍ବକ ସ୍ୱାଗତ ଭାଷଣ ଦେଇଥିଲେ। ଉକ୍ତ ୪ ଦିନିଆ ଶିବିର ଅବସରରେ ଶିଳ୍ପୀମାନେ ସୁବୃହତ ପାରମ୍ପରିକ କାଗଜ ମୁଖା, ଗୋବର କଣ୍ଢେଇ ତଥା କାଠ କଣ୍ଢେଇମାନ ଗଢିଥିଲେ। କାଗଜ ମୁଖାରେ ୬ ଫୁଟର ଗଣେଶ, ୪ ଫୁଟର ଜଗନ୍ନାଥ, ୫ଫୁଟର ବାଘମୁଖା ସହ ଜଟାୟୁ ପକ୍ଷୀ, ନୃସିଂହ, ହାତୀ, ହରିଣ, ଦେବୀ ମୁଖା ଆଦି ବେଶ ମନମୁଗ୍ଧକର ହୋଇଥିଲା। ପାରମ୍ପରିକ ଗୋବର କଣ୍ଢେଇରେ ଶିଳ୍ପୀମାନେ କୃଷ୍ଣ, ମନ୍ଦିର, ଗ୍ରାମୀଣ ଦୃଶ୍ୟ ଓ ଗାନ୍ଧୀଜୀଙ୍କ ତିନି ମାଙ୍କଡ ଓ ଅନ୍ୟାନ ପଶୁ ପକ୍ଷୀ ନିର୍ମାଣ କରିଥିଲେ। ସେହିପରି ପାରମ୍ପରିକ କାଠ କଣ୍ଢେଇର ସୁନ୍ଦର କାମ ଦେଖିବାକୁ ମିଳିଥିଲା, ଯାହା ଶିବିରର ତାତ୍ପର୍ଯ୍ୟକୁ ବହୁଗୁଣିତ କରିଥିଲା।

କାର୍ଯ୍ୟକ୍ରମ ଅବସରରେ ବରିଷ୍ଠ ଚିତ୍ରଶିଳ୍ପୀ ଏକାଡ଼େମୀ କାର୍ଯ୍ୟକାରୀ କମିଟିର ସଦସ୍ୟ ଶ୍ୟାମସୁନ୍ଦର ମେହେର, ସଦସ୍ୟ ବିଜୟ କୁମାର ପରିଡ଼ା ଓ ସଦସ୍ୟା ସ୍ମିତା ମୂଳିଆ ଏବଂ ଅନ୍ୟ ଶିଳ୍ପୀ ତଥା କଳାନୁରାଗୀ କଳାକୃତି ଗୁଡିକ ବୁଲି ଦେଖିବା ସହ ସେସବୁର ଉଚ୍ଚ ପ୍ରଶଂସା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଘୋଷଣା ହେଲା ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନାଙ୍କ ନାମ

ଭୁବନେଶ୍ୱର: ଓଡିଶା ଲଳିତ କଳା ଏକାଡେମୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶାଙ୍କ ଦ୍ୱାରା ୨୦୨୨ ମସିହା ପାଇଁ ଚିତ୍ରକଳା ଓ ସ୍ଥାପତ୍ୟ କଳା କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନା ପାଇଁ ନାମ ଘୋଷଣା କରାଯାଇଛି । ଓଡିଶା ଲଳିତ କଳା ଏକାଡେମୀ ଦ୍ଵାରା ଚିତ୍ରଶିଳ୍ପୀ ଓ ଭାସ୍କର୍ଯ୍ୟ ଶିଳ୍ପୀଙ୍କ ସମଗ୍ର ଜୀବନର ନିରବଚ୍ଛିନ୍ନ ସାଧନା ନିମନ୍ତେ ଏହି ପୁରସ୍କାର ଓ ସମ୍ବର୍ଦ୍ଧନା ୧୯୮୭ ମସିହାରୁ ପ୍ରଦାନ କରାଯାଇଆସୁଛି ।

୯୪ ବର୍ଷୀୟ ବିଶିଷ୍ଟ ଚିତ୍ରଶିଳ୍ପୀ ବଂଶୀଧର ପ୍ରତିହାରୀ ଧର୍ମପଦ ପୁରସ୍କାର ପାଇବା ପାଇଁ ବିବେଚିତ ହୋଇଥିବା ବେଳେ ବିଶିଷ୍ଟ ଭାସ୍କର୍ଯ୍ୟ ଓ ଚିତ୍ରଶିଳ୍ପୀ ଶ୍ରୀ ବ୍ରଜବନ୍ଧୁ ମିଶ୍ର, ବିଶିଷ୍ଟ ତାଳପତ୍ର ଚିତ୍ରଶିଳ୍ପୀ ଶ୍ରୀ ଲକ୍ଷ୍ମୀଧର ସୁବୁଦ୍ଧି,ବିଶିଷ୍ଟ ପାରମ୍ପରିକ ପଟ୍ଟଚିତ୍ର ଶିଳ୍ପୀ ଶ୍ରୀ ଭ୍ରମରବର ନାୟକ, ଚିତ୍ରଶିଳ୍ପୀ ଶ୍ରୀ ରମେଶ କୁମାର ବେହେରା ଓ ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ଶ୍ରୀ କେଶବ ଚନ୍ଦ୍ର ମହାରଣା ପ୍ରମୁଖଙ୍କୁ ଶିଳ୍ପୀ ସମ୍ବର୍ଦ୍ଧନା ପାଇଁ ଚୟନ କରାଯାଇଛି ।

ଧର୍ମପଦ ପୁରସ୍କୃତ ଶିଳ୍ପୀଙ୍କୁ ୫ ଲକ୍ଷ ଟଙ୍କାର ମାନଦେୟ ରାଶି ଏବଂ ସମ୍ବର୍ଦ୍ଧିତ ଶିଳ୍ପୀମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ମାନଦେୟ ରାଶି ସହ ତାମ୍ରଫଳକ ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯିବ ବୋଲି ଏକାଡେମୀ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ପୁରସ୍କାର ଓ ସମ୍ବର୍ଦ୍ଧନା ଆଗାମୀ ଫେବୃୟାରୀ ୬ ତାରିଖ ସୋମବାର ପୂର୍ବାହ୍ନ ୧୧ ଘଟିକା ସମୟରେ ଭୁବନେଶ୍ୱରସ୍ଥିତ ସଂସ୍କୃତି ଭବନ ସମ୍ମିଳନୀ କକ୍ଷ ଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଦାନ କରାଯିବ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଓଡିଶା ଲଳିତ କଳା ଏକାଡ଼େମୀ ତରଫରୁ ବାଙ୍ଗାଲୋର ଠାରେ ଆଦିବାସୀ ଚିତ୍ରକଳା ଶିବିର

ଭୁବନେଶ୍ବର: ଓଡ଼ିଶା ଲଳିତ କଳା ଏକାଡ଼େମୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ଦ୍ଵାରା କର୍ଣ୍ଣାଟକର ବାଙ୍ଗାଲୋରରେ ପ୍ରମୁଖ ଗ୍ୟାଲେରୀ ‘କର୍ଣ୍ଣାଟକ ଚିତ୍ରକଳା ପରିଷଦ’ ଠାରେ ଆୟୋଜିତ ୪ ଦିନିଆ ରାଜ୍ୟସ୍ତରୀୟ ଆଦିବାସୀ (ସଉରା) ଚିତ୍ରକଳା ଶିବିର ଗୁରୁବାରଠାରୁ ଆୟୋଜିତ ହୋଇଛି।

ଓଡ଼ିଶା ବାହାରେ ପ୍ରଥମଥର ପାଇଁ ଆୟୋଜିତ ଏହି ଶିବିରକୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, କର୍ଣ୍ଣାଟକ ଲଳିତ କଳା ଏକାଡ଼େମୀର ସଭାପତି ଡି. ମହେନ୍ଦ୍ର ଓ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ତଥା ଓଡ଼ିଶା ଲଳିତ କଳା ଏକାଡ଼େମୀର ସଭାପତି ସୁଦର୍ଶନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଉଦଘାଟନ ଅବସରରେ ଓଡ଼ିଶାର ‘ସଉରା’ ଜନଜାତି ଚିତ୍ରକଳା ଓଡ଼ିଶାର ଏକ ସ୍ଵତନ୍ତ୍ର ପରିଚୟ ବୋଲି ନିର୍ଦ୍ଦେଶକ ଶ୍ରୀ ଦାସ କହିଥିଲେ ଓ ଏହାର ପ୍ରଚାର ପ୍ରସାର ଏବଂ ଜନଜାତି ଶିଳ୍ପୀମାନଙ୍କୁ ଆଧୁନିକ ସୁବିଧା ସୁଯୋଗ ସହ ପରିଚିତ କରାଇବା ପାଇଁ ଏକାଡ଼େମୀର ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ।

ସମ୍ମାନିତ ଅତିଥି ଡି. ମହେନ୍ଦ୍ର କର୍ଣ୍ଣାଟକରେ ଓଡ଼ିଶାର ଆଦିବାସୀ ଶିଳ୍ପୀମାନଙ୍କୁ ଦେଖି ଖୁସି ବ୍ୟକ୍ତ କରିବା ସହ ଏହି ଶିବିର ଦ୍ଵାରା କର୍ଣ୍ଣାଟକର ଶିଳ୍ପୀମାନେ ମଧ୍ୟ ଅନୁପ୍ରାଣିତ ହେବେ ବୋଲି କହିଥିଲେ । ଏକାଡ଼େମୀର ସଭାପତି ଶ୍ରୀ ସୁଦର୍ଶନ ପଟ୍ଟନାୟକ ଓଡ଼ିଶା ଲଳିତ କଳା ଏକାଡ଼େମୀ ତରଫରୁ ପ୍ରଥମଥର ପାଇଁ ଓଡ଼ିଶାର ପୁରପଲ୍ଲୀରେ ରହୁଥିବା ଆଦିବାସୀ ଶିଳ୍ପୀମାନଙ୍କୁ ନେଇ ବାଙ୍ଗାଲୋର ଠାରେ ଏପରି ଶିବିର ଆୟୋଜନ କରାଯାଇ ସେମାନଙ୍କର କଳାକୁ ଶୀର୍ଷ ସୋପାନରେ ପହଞ୍ଚାଇବା ପାଇଁ ପ୍ରୟାସ କରାଯାଇଛି ବୋଲି କହିଥିଲେ।

ପ୍ରାରମ୍ଭରେ ଏକାଡ଼େମୀର ସଚିବ ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ ଅତିଥିମାନଙ୍କୁ ସ୍ଵାଗତ କରିବା ସହ ଶିବିର ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଏହି ଶିବିରରେ ଯୋଗୀ ସବର, ଜଳନ୍ଧର ସବର, ମୋହିନୀ ସବର, ଇନ୍ଦିରା ଗମାଙ୍ଗ, ମୁକ୍ତା ସବର, ରୋହିଣୀ ସବର, ବେଲାସ୍ମୀ ସବର, କୋଦଣ୍ଡ ସବର, ଶ୍ରାବଣୀ ସବର, ଲୋକେଶ୍ଵରୀ ସବର, ଜୁନେଶ ଗମାଙ୍ଗ, ସୌଭାଗ୍ୟ ମଞ୍ଜରୀ ମଲ୍ଲିକ>

ସେହିପରି ଅଶ୍ଵିନୀ କୁମାର ନାୟକ, ଅନିଲ କେରକେଟ୍ଟା, ବଲ୍ଲଭ କିଶୋର ହାଂସଦା, ରେଣୁବାଳା ନାୟକ, ସ୍ଵାତୀ ଜାନୀ, ଗୌରୀ ଭୁମିଆ, ହିମାଂଶୁ ସବର, ଚନ୍ଦନ ସବର, ଡୋଲି ଜାନୀ, ପ୍ରୀତି ଡୁଙ୍ଗଡୁଙ୍ଗ, ଲିପସା ସମାଦ, ତପସ୍ଵିନୀ ମାଝି ଓ ସୁଭଦ୍ରା କରୱା ପ୍ରମୁଖ ୧୬ ଜଣ ନାରୀ ଶିଳ୍ପୀ ସମେତ ମୋଟ ୨୫ ଜଣ ଶିଳ୍ପୀ ସଉରା ଜନଜୀବନର ବିଭିନ୍ନ ଘଟଣା ଓ ବିଷୟ ବସ୍ତୁକୁ ନେଇ କ୍ୟାନଭାସ ଉପରେ ସୌରା ଚିତ୍ରକଳା ଅଙ୍କନ କରିବେ।

ଏହି ଶିବିର ୩୧ ଜୁଲାଇ ସକାଳ ପର‌୍ୟ୍ୟନ୍ତ ଚାଲିବ ଏବଂ ସେହିଦିନ ଚିତ୍ରକଳାର ପ୍ରଦର୍ଶନୀକୁ ବିଶିଷ୍ଟ ଅତିଥି ମାନେ ଉଦଘାଟନ କରିବେ ଓ ଶିଳ୍ପୀମାନଙ୍କୁ ସମ୍ମାନିତ କରାଯିବ । ଉକ୍ତ ପ୍ରଦର୍ଶନୀ ଅଗଷ୍ଟ ୩ ତାରିଖ ପର‌୍ୟ୍ୟନ୍ତ ଚାଲିବ । ଏହି ଅବସରରେ କର୍ଣ୍ଣାଟକ ଚିତ୍ରକଳା ପରିଷଦର ସାଧାରଣ ସମ୍ପାଦକ ଏସ.ଏନ.ଶଶୀଧର ଓ ସହ-ସମ୍ପାଦକ ବି.ଏଲ. ଶ୍ରୀନିବାସ, ବାଙ୍ଗାଲୋରରେ ଥିବା ଅନେକ ଓଡିଆ ଶିଳ୍ପୀ ଓ କଳାନୁରାଗୀ ଏବଂ କର୍ଣ୍ଣାଟକର ବହୁ ବରିଷ୍ଠ ଓ ଯୁବ ଶିଳ୍ପୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଓଡିଶା ଲଳିତ କଳା ଏକାଡେମୀ ତରଫରୁ କୋରାପୁଟରେ ଝୋଟି ପ୍ରତିଯୋଗିତା

ଭୁବନେଶ୍ୱର: ଏକଦା ଓଡ଼ିଆ ଘରେ ଝୋଟିର ପ୍ରଚଳନ ଅଧିକ ଲୋକପ୍ରିୟ ଥିଲା । ପର୍ବପର୍ବାଣିରେ ଝୋଟି ଆଙ୍କିବା ପବିତ୍ର ବୋଲି ମନେ କରାଯାଉଥିଲା । କ୍ରମେ ଆଧୁନିକତାର ଦୌଡ଼ରେ ଏହି ଅନନ୍ୟ ପରମ୍ପରା ତା’ର ସତ୍ତା ହରାଇ ବସିଥିବାବେଳେ ପୁଣିଥରେ ଏହି କଳାକୁ ଉଜ୍ଜୀବିତ କରିବା ପାଇଁ ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ଉପାନ୍ତ କୋରାପୁଟ ଜିଲ୍ଲାରେ ପ୍ରୟାସ ଆରମ୍ଭ କରାଯାଇ ମହିଳାମାନଙ୍କ ମଧ୍ୟରେ ପ୍ରତିଯୋଗିତାର ଆୟୋଜନ କରାଯାଇଛି ।

ଏହି କ୍ରମରେ ସ୍ଥାନୀୟ ପ୍ରଶାସନର ସହଯୋଗରେ ପଦ୍ମପୁର ଗ୍ରାମରେ ଏକ ଝୋଟି ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏଥିରେ ଗ୍ରାମର ୧୦୮ ଜଣ ମହିଳା ନିଜ ନିଜ ଗୃହ ସମ୍ମୁଖରେ ସୁଦୃଶ ଝୋଟି ଆଙ୍କିବା ସହିତ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏକ ବିଚାରକ ମଣ୍ଡଳୀ ଦ୍ୱାରା ଏସବୁ ଝୋଟିର ମନୋନୟନ କରାଯାଇ ଶ୍ରେଷ୍ଠ ବିବେଚିତ ତିନି ଜଣଙ୍କୁ ପୁରସ୍କୃତ କରାଯାଇଥିଲା ।

ଏଥିରେ ପ୍ରଥମ ମନସ୍ୱିନୀ ବିଶ୍ୱାଳ, ଦ୍ୱିତୀୟ ଶାନ୍ତିଲତା ଖେମୁଣ୍ଡୁ ଓ ତୃତୀୟ ଅନ୍ନପୂର୍ଣ୍ଣା ଖେମୁଣ୍ଡୁ ହୋଇଥିବାବେଳେ ଆରତୀ ମହାନ୍ତି, ଶିବାନୀ ମହାନ୍ତି ଓ ରୀନା ଉପାପାଡ଼ିିଆ ଏପରି ତିନିଜଣଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଥିବାବେଳେ ଜନସାଧାରଣଙ୍କ ଦ୍ୱାରା ବେଶ୍‌ ଆଦୃତ ହୋଇଥିବା ଦେଖାଯାଇଥିଲା ।

ଏହି ପୁରସ୍କାର ବିତରଣ ଉତ୍ସବରେ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବେଦଭୂଷଣ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ମାଧମ ପାଙ୍ଗୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ନରେନ୍ଦ୍ର ନାୟକ, ଏକାଡେମୀ ସଚିବ ଶ୍ରୀ ପଞ୍ଚାନନ ସାମଲ ଏବଂ ପଦ୍ମପୁର ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ହଞ୍ଜାରିଆ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ରୂପେ ପୁନଃମନୋନୀତ

ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବିଶ୍ୱବିଖ୍ୟାତ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ରୂପେ ପୁନଃମନୋନୀତ କରାଯାଇଛି ।

ବାଲୁକା ଶିଳ୍ପୀ ଶ୍ରୀ ପଟ୍ଟନାୟକ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ରୂପେ ୨୦୧୮ ମସିହାରୁ କାର୍ଯ୍ୟ କରିଆସୁଥିଲେ । ତାଙ୍କର କାର୍ଯ୍ୟକାଳ ସରୁଥିବାରୁ ଆଗାମୀ ୩ ବର୍ଷ ପାଇଁ ତାଙ୍କୁ ଲଳିତ କଳା ଏକାଡେମୀର ସଭାପତି ରୂପେ କାର୍ଯ୍ୟ କରିବା ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଓଡିଶା ଲଳିତ କଳା ଏକାଡେମୀର କର୍ମଶାଳାରେ ସାମିଲ ହେଲେ ଚିତ୍ରଶିଳ୍ପୀ ସୁଧୀର ସ୍ୱାଇଁ

କନ୍ଦର୍ପ ବେହେରା
ରେଢାଖୋଲ: କରୋନା ମହାମାରୀ ସମୟରେ ସାରା ଦେଶର ଲୋକମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଥିବା ବେଳେ ଓଡିଶାର ଚିତ୍ରଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ପାଇଁ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ଓଡିଶା ଲଳିତ କଳା ଏକାଡେମୀ, ଭୁବନେଶ୍ୱର ଆନୁକୁଲ୍ୟରେ ଆୟୋଜିତ ହୋଇଯାଇଛି ଅନ୍ ଲାଇନ୍ ଚିତ୍ରକଳା କର୍ମଶାଳା।

ଏହି ଚିତ୍ରକଳା କର୍ମଶାଳାରେ ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ୍ ସରାପାଲି ଗ୍ରାମର ଯୁବ ଚିତ୍ରଶିଳ୍ପୀ ସୁଧୀର କୁମାର ସ୍ୱାଇଁ ମନୋନୀତ ହୋଇଛନ୍ତି। ଏହି କର୍ମଶାଳାକୁ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଭର୍ଚୁଆଲ୍ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ। ଏଥିରେ ଲଳୀତ କଳା ଏକାଡେମୀର ସଚିବ ପଂଚାନନ ସାମଲ ଜୁମ୍ ମିଟ୍ କୁ ପରିଚାଳନା କରିଥିବା ବେଳେ ସଂସ୍କୃତି ବିଭାଗର ସଚିବ ବିଷ୍ନୁପଦ ସେଠୀ, ଉପସଭାପତି ଶ୍ରୀନିବାସ ପଢିଆରୀ, ସଭାପତି ବାଲୁକାକଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। ଏହି କର୍ମଶାଳା ଜୁନ୍ ୩୦ ତାରିଖରୁ ଆରମ୍ଭ ହୋଇ ୪ ଜୁଲାଇ ପର୍ଯ୍ୟନ୍ତ ଚାଲିଥିବା ବେଳେ ମନୋନୀତ ଚିତ୍ରଶିଳ୍ପୀମାନେ ନିଜ ବାସଭବନରେ ରହି ଚିତ୍ର ଆଙ୍କିଥିଲେ। ଏହି ଚିତ୍ରକଳାରେ ଶିଳ୍ପୀ ସୁଧିର କୁମାର ସ୍ୱାଇଁ ଭାଗ ନେଇ “ଶ୍ରୀଜଗନ୍ନାଥ ଓ ରଥଯାତ୍ରା” ଉପରେ ଆଧାରିତ ଚିତ୍ରକୁ ଆଙ୍କି ପ୍ରଶଂସିତ ହେବା ସହ ପୁରସ୍କୃତ ହୋଇଛନ୍ତି।

ସେହି ପରି ଗ୍ରାଫିକସ୍ କଳାରେ ୧୩ ଜଣଙ୍କ ମଧ୍ୟରୁ ସୁଧୀର ମଧ୍ୟ ମନୋନୀତ ହୋଇଛନ୍ତି। ତାଙ୍କର ଚିତ୍ରକଳାକୁ ଆର୍ଟ ଗ୍ୟାଲେରୀରେ ସ୍ଥାନ ଦିଆଯିବ। ଆଗାମୀ ରଥଯାତ୍ରା ସମୟରେ ସୁଧୀରଙ୍କ ଚିତ୍ରକଳାକୁୁ ଲୋକାର୍ପିତ କରାଯିବ।

ସୂଚନା ଥାଉକି ପୂର୍ବରୁ ଲଳିତ କଳା ଏକାଡେମୀ ଦ୍ୱାରା ଆୟୋଜିତ ମହାମାରୀ କରୋନାକୁ ଆଧାର କରି ଚିତ୍ରକଳା ପ୍ରତିଯୋଗୀତାରେ ସୁଧୀର ମନୋନୀତ ହୋଇ ପୁରସ୍କୃତ ହୋଇଥିଲେ। ସେ ବର୍ତ୍ତମାନ କେନ୍ଦୁଝର ଜିଲ୍ଲା ଯୋଡାରେ ଚିତ୍ରକଳା ବିଭାଗରେ ଅଧ୍ୟାପନା କରୁଛନ୍ତି। ସେ ଭିନ୍ନ ଭିନ୍ନ ସମୟରେ ସାଂପ୍ରତିକ ଘଟଣା ବଳିକୁ ଆଧାର କରି ବିଭିନ୍ନ ଯାଗାରେ ଚିତ୍ରକଳା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ସେ ବହୁ ଅନୁଷ୍ଠାନରୁ ମଧ୍ୟ ଚିତ୍ରପାଇଁ ପୁରସ୍କୃତ ହୋଇଛନ୍ତି।