ଘୋଷଣା ହେଲା ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନାଙ୍କ ନାମ

Published: Feb 5, 2023, 7:25 am IST
Dharmpada Award

ଭୁବନେଶ୍ୱର: ଓଡିଶା ଲଳିତ କଳା ଏକାଡେମୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶାଙ୍କ ଦ୍ୱାରା ୨୦୨୨ ମସିହା ପାଇଁ ଚିତ୍ରକଳା ଓ ସ୍ଥାପତ୍ୟ କଳା କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନା ପାଇଁ ନାମ ଘୋଷଣା କରାଯାଇଛି । ଓଡିଶା ଲଳିତ କଳା ଏକାଡେମୀ ଦ୍ଵାରା ଚିତ୍ରଶିଳ୍ପୀ ଓ ଭାସ୍କର୍ଯ୍ୟ ଶିଳ୍ପୀଙ୍କ ସମଗ୍ର ଜୀବନର ନିରବଚ୍ଛିନ୍ନ ସାଧନା ନିମନ୍ତେ ଏହି ପୁରସ୍କାର ଓ ସମ୍ବର୍ଦ୍ଧନା ୧୯୮୭ ମସିହାରୁ ପ୍ରଦାନ କରାଯାଇଆସୁଛି ।

୯୪ ବର୍ଷୀୟ ବିଶିଷ୍ଟ ଚିତ୍ରଶିଳ୍ପୀ ବଂଶୀଧର ପ୍ରତିହାରୀ ଧର୍ମପଦ ପୁରସ୍କାର ପାଇବା ପାଇଁ ବିବେଚିତ ହୋଇଥିବା ବେଳେ ବିଶିଷ୍ଟ ଭାସ୍କର୍ଯ୍ୟ ଓ ଚିତ୍ରଶିଳ୍ପୀ ଶ୍ରୀ ବ୍ରଜବନ୍ଧୁ ମିଶ୍ର, ବିଶିଷ୍ଟ ତାଳପତ୍ର ଚିତ୍ରଶିଳ୍ପୀ ଶ୍ରୀ ଲକ୍ଷ୍ମୀଧର ସୁବୁଦ୍ଧି,ବିଶିଷ୍ଟ ପାରମ୍ପରିକ ପଟ୍ଟଚିତ୍ର ଶିଳ୍ପୀ ଶ୍ରୀ ଭ୍ରମରବର ନାୟକ, ଚିତ୍ରଶିଳ୍ପୀ ଶ୍ରୀ ରମେଶ କୁମାର ବେହେରା ଓ ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ଶ୍ରୀ କେଶବ ଚନ୍ଦ୍ର ମହାରଣା ପ୍ରମୁଖଙ୍କୁ ଶିଳ୍ପୀ ସମ୍ବର୍ଦ୍ଧନା ପାଇଁ ଚୟନ କରାଯାଇଛି ।

ଧର୍ମପଦ ପୁରସ୍କୃତ ଶିଳ୍ପୀଙ୍କୁ ୫ ଲକ୍ଷ ଟଙ୍କାର ମାନଦେୟ ରାଶି ଏବଂ ସମ୍ବର୍ଦ୍ଧିତ ଶିଳ୍ପୀମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ମାନଦେୟ ରାଶି ସହ ତାମ୍ରଫଳକ ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯିବ ବୋଲି ଏକାଡେମୀ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ପୁରସ୍କାର ଓ ସମ୍ବର୍ଦ୍ଧନା ଆଗାମୀ ଫେବୃୟାରୀ ୬ ତାରିଖ ସୋମବାର ପୂର୍ବାହ୍ନ ୧୧ ଘଟିକା ସମୟରେ ଭୁବନେଶ୍ୱରସ୍ଥିତ ସଂସ୍କୃତି ଭବନ ସମ୍ମିଳନୀ କକ୍ଷ ଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଦାନ କରାଯିବ ।

Related posts