Categories
ଆଜିର ଖବର ରାଜ୍ୟ ଖବର

ଧର୍ମପଦ ପୁରସ୍କାରପ୍ରାପ୍ତ ଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକଙ୍କ ବିୟୋଗ: ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଶୋକ

ଭୁବନେଶ୍ୱର: ଧର୍ମପଦ ପୁରସ୍କାରପ୍ରାପ୍ତ ପ୍ରବୀଣ ଡିଜାଇନର ତଥା ଚିତ୍ରକର ଲଲାଟ ମୋହନ ପଟ୍ଟନାୟକଙ୍କ ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ହସପିଟାଲରେ ଦେହାନ୍ତ ହୋଇଯାଇଅଛି। ତାଙ୍କ ବିୟୋଗରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଗଭୀର ଶୋକବ୍ୟକ୍ତ କରିଛନ୍ତି। ଶୋକବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ଓଡ଼ିଶାର ଚିତ୍ରକଳା କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ। କଳାକ୍ଷେତ୍ରରେ ତାଙ୍କର ଯଶକୀର୍ତ୍ତି ସର୍ବଭାରତୀୟ ସ୍ତରରେ ପ୍ରଶଂସିତ ହେବା ସହ ସେ ସର୍ବଦା ଶିଳ୍ପୀକୂଳର ପ୍ରେରଣାର ପ୍ରତୀକ ଓ ଉତ୍ସହର ଉତ୍ସ ହୋଇ ରହିବେ। ଦିବଂଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ମନ୍ତ୍ରୀ ଶ୍ରୀ ପାତ୍ର ଏହି ଦୁଃଖଦ ସମୟରେ ତାଙ୍କ ପରିବାରବର୍ଗଙ୍କୁ ଭଗବାନ ଅସୀମ ଧୈର୍ଯ୍ୟ ଦିଅନ୍ତୁ ବୋଲି ଉଲ୍ଲେଖ କରିଛନ୍ତି।

ଲଲାଟ ମୋହନ ପଟ୍ଟନାୟକଙ୍କୁ ମୃତ୍ୟୁ ବେଳକୁ ୭୫ ବର୍ଷ ବୟସ ହୋଇଥିଲା। ସେ ଅତ୍ୟନ୍ତ ମିଷ୍ଟଭାଷୀ, କର୍ମନିଷ୍ଠ ଓ ଉଚ୍ଚକୋଟୀର ଡିଜାଇନର ଓ ଚିତ୍ରଶିଳ୍ପୀ ଭାବେ ଖ୍ୟାତ ଥିଲେ। ବନାରସ, ବମ୍ବେ, କୋଲକାତା ଆଦି ବିଭିନ୍ନ ସ୍ଥାନରେ କାର୍ଯ୍ୟକରି ନିଜର କଳା ନୈପୁଣ୍ୟର ପରାକାଷ୍ଠା ପ୍ରଦର୍ଶନ କରିଥିଲେ। ବୁଣାକାରମାନଙ୍କୁ ନୂତନ ପଦ୍ଧତି, ନୂଆ ରଙ୍ଗ, ନୂଆ ନକ୍ସାର ପ୍ରୟୋଗ ମାଧ୍ୟମରେ ହସ୍ତଶିଳ୍ପର ଉନ୍ନତିକରଣ ଏବଂ ସେମାନଙ୍କୁ ଆଧୁନିକ କୌଶଳ ପ୍ରୟୋଗରେ ମାର୍ଗଦର୍ଶକ ଥିଲେ।

୧୯୪୮ ମସିହା ଅପ୍ରେଲ ୩ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍‌ ଅନ୍ତର୍ଗତ ହରିପୁର ଶାସନର ପ୍ରଖ୍ୟାତ ଜମିଦାର ଲକ୍ଷ୍ମୀଧର ପଟ୍ଟନାୟକ ଏବଂ ନକ୍ଷତ୍ରମଣି ପଟ୍ଟନାୟକଙ୍କ କୋଳ ମଣ୍ଡନ କରିଥିବା ଲଲାଟ ମୋହନ ପଟ୍ଟନାୟକ ନିଜର ସୃଜନଶୀଳ କଳାର ସାଧନା ପାଇଁ ଓଡ଼ିଶା ଲଳିତ କଳା ଏକାଡେମୀ, ରାଜ୍ୟ ପୁରସ୍କାର ବିପ୍ର ଚରଣ ମହାନ୍ତି ଫାଉଣ୍ଡେସନ୍‌ ଟ୍ରଷ୍ଟ ପୁରସ୍କାର, ରଘୁରାଜପୁର ଗୁରୁକୁଳ ଆଶ୍ରମ ପୁରସ୍କାର, ଶିଳ୍ପୀ ସମ୍ରାଟ ପୁରସ୍କାର, କଳା ଜ୍ୟୋତି ସମ୍ମାନ, ବୟନ ବିଭବ ସମ୍ମାନ (୨୦୧୮), ଶାରଳା ସମ୍ମାନ (୨୦୧୯), ଧର୍ମପଦ ପୁରସ୍କାର (୨୦୨୧) ସମେତ ଅନେକ ସମ୍ମାନର ଅଧିକାରୀ ହୋଇଥିଲେ।

ସନ୍ଧ୍ୟାରେ ତାଙ୍କ ଶବାଧାର ଓଡ଼ିଶା ଲଳିତ କଳା ଏକଡମୀ ପରିସରକୁ ଆସିବା ପରେ ସେଠାରେ ଓଡ଼ିଶା ଲଳିତ କଳା ଏକାମେୀର ସଚିବ ପଞ୍ଚାନନ ସାମଲ, ଡାଃ ଅଲେଖ ଚନ୍ଦ୍ର ସାହୁ, ଜୟନ୍ତ କୁମାର ଦାସ, ଚିନ୍ତାମଣି ବିଶ୍ୱାଳ, ମିନକେତନ ପଟ୍ଟନାୟକ, ଜନପ୍ରିୟ ଦେବତା, ସମୀର କୁମାର ରାଉତ ଓ ବହୁ ଶିଳ୍ପୀ, ବୁଦ୍ଧିଜୀବୀ ଶେଷଦର୍ଶନ ପୂର୍ବକ ଶବାଧାରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଘୋଷଣା ହେଲା ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନାଙ୍କ ନାମ

ଭୁବନେଶ୍ୱର: ଓଡିଶା ଲଳିତ କଳା ଏକାଡେମୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶାଙ୍କ ଦ୍ୱାରା ୨୦୨୨ ମସିହା ପାଇଁ ଚିତ୍ରକଳା ଓ ସ୍ଥାପତ୍ୟ କଳା କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନା ପାଇଁ ନାମ ଘୋଷଣା କରାଯାଇଛି । ଓଡିଶା ଲଳିତ କଳା ଏକାଡେମୀ ଦ୍ଵାରା ଚିତ୍ରଶିଳ୍ପୀ ଓ ଭାସ୍କର୍ଯ୍ୟ ଶିଳ୍ପୀଙ୍କ ସମଗ୍ର ଜୀବନର ନିରବଚ୍ଛିନ୍ନ ସାଧନା ନିମନ୍ତେ ଏହି ପୁରସ୍କାର ଓ ସମ୍ବର୍ଦ୍ଧନା ୧୯୮୭ ମସିହାରୁ ପ୍ରଦାନ କରାଯାଇଆସୁଛି ।

୯୪ ବର୍ଷୀୟ ବିଶିଷ୍ଟ ଚିତ୍ରଶିଳ୍ପୀ ବଂଶୀଧର ପ୍ରତିହାରୀ ଧର୍ମପଦ ପୁରସ୍କାର ପାଇବା ପାଇଁ ବିବେଚିତ ହୋଇଥିବା ବେଳେ ବିଶିଷ୍ଟ ଭାସ୍କର୍ଯ୍ୟ ଓ ଚିତ୍ରଶିଳ୍ପୀ ଶ୍ରୀ ବ୍ରଜବନ୍ଧୁ ମିଶ୍ର, ବିଶିଷ୍ଟ ତାଳପତ୍ର ଚିତ୍ରଶିଳ୍ପୀ ଶ୍ରୀ ଲକ୍ଷ୍ମୀଧର ସୁବୁଦ୍ଧି,ବିଶିଷ୍ଟ ପାରମ୍ପରିକ ପଟ୍ଟଚିତ୍ର ଶିଳ୍ପୀ ଶ୍ରୀ ଭ୍ରମରବର ନାୟକ, ଚିତ୍ରଶିଳ୍ପୀ ଶ୍ରୀ ରମେଶ କୁମାର ବେହେରା ଓ ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ଶ୍ରୀ କେଶବ ଚନ୍ଦ୍ର ମହାରଣା ପ୍ରମୁଖଙ୍କୁ ଶିଳ୍ପୀ ସମ୍ବର୍ଦ୍ଧନା ପାଇଁ ଚୟନ କରାଯାଇଛି ।

ଧର୍ମପଦ ପୁରସ୍କୃତ ଶିଳ୍ପୀଙ୍କୁ ୫ ଲକ୍ଷ ଟଙ୍କାର ମାନଦେୟ ରାଶି ଏବଂ ସମ୍ବର୍ଦ୍ଧିତ ଶିଳ୍ପୀମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ମାନଦେୟ ରାଶି ସହ ତାମ୍ରଫଳକ ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯିବ ବୋଲି ଏକାଡେମୀ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ପୁରସ୍କାର ଓ ସମ୍ବର୍ଦ୍ଧନା ଆଗାମୀ ଫେବୃୟାରୀ ୬ ତାରିଖ ସୋମବାର ପୂର୍ବାହ୍ନ ୧୧ ଘଟିକା ସମୟରେ ଭୁବନେଶ୍ୱରସ୍ଥିତ ସଂସ୍କୃତି ଭବନ ସମ୍ମିଳନୀ କକ୍ଷ ଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଦାନ କରାଯିବ ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ବହୁ ବାଦବିବାଦ ପରେ ଶେଷରେ ଏକା ଥରେ ପ୍ରଦାନ କରାଗଲା ସାତ ବର୍ଷର ଧର୍ମପଦ ପୁରସ୍କାର

ଭୁବନେଶ୍ବର, ବହୁ ବାଦବିବାଦ ଏବଂ କୋର୍ଟ କଚେରୀ ମାମଲା ପରେ ଶେଷରେ  ପ୍ରଦାନ କରାଗଲା ଓଡିଶାର କଳା କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ଧର୍ମପଦ ପୁରସ୍କାର। ଆଜି ଓଡିଶା ଲଳିତ କଳା ଏକାଡେମୀ ଏବଂ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସାତ ଜଣଙ୍କୁ ଦେଇଛି ଏହି ସମ୍ମାନ।

ପ୍ରତି ବର୍ଷ ଏହି ପୁରସ୍କାର ଜଣେ ଶ୍ରେଷ୍ଠ ଶିଳ୍ପୀଙ୍କୁ ଓଡିଶା ଲଳିତକଳା ଏକାଡେମୀ ତରଫରୁ ପ୍ରଦାନ କରାଯାଇ ଥାଏ। ହେଲେ ପୁରସ୍କାରକୁ ନେଇ କୋର୍ଟରେ ମାମାଲ ଦାୟର ହେବା ଯୋଗୁଁ ୨୦୦୯ ମସିହାରୁ ଏହି ପୁରସ୍କାର ପ୍ରଦାନ କରାଯାଇ ପାରି ନ ଥିଲା। ଦୁଃଖର କଥା ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବ୍ୟକ୍ତିଙ୍କ ନାମ ଘୋଷଣା ହୋଇଥିଲେ ମଧ୍ୟ ମାମଲା ଯୋଗୁଁ ପୁରସ୍କାର ପ୍ରଦାନ କରାଯାଇପାରୁ ନ ଥିଲା। ଏପରି ବିଳମ୍ବ ଯୋଗୁଁ କେତେକ ଶିଳ୍ପୀ ସେମାନଙ୍କ ଜୀବନ କାଳରେ ପୁରସ୍କାର ପାଇପାରିଲେ ନାହିଁ।

ତେବେ ସେ ସବୁ ବାଦବିବାଦ ଶେଷ ହେବା ପରେ ଏବେ ଲଳିତକଳା ଏକାଡେମୀ ଏହି ପୁରସ୍କାର ପ୍ରଦାନ କରିଛି। କୋଭିଡ-୧୯ କଟକଣା ପାଇଁ ଏହି ସାତ ଜଣଙ୍କ ବାସଭବନକୁ ଏକାଡେମୀ ଅଧିକାରୀମାନେ ଯାଇ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏମାନଙ୍କୁ ଏକ ଲକ୍ଷ ଟଙ୍କା, ତାମ୍ରଫଳକ ଏବଂ ଉପଢ଼ୌକନ ପ୍ରଦାନ କରାଯାଇଛି। ତେବେ ୨୦୧୩ ମସିହା ପାଇଁ ମନୋନିତ ହୋଇଥିବା ପଦ୍ମବିଭୂଷଣ ଯତୀନ ଦାସ ନୂଆଦିଲ୍ଲୀରେ ଅବସ୍ଥାନ କରୁଥିବାରୁ ତାଙ୍କୁ ଦିଆଯାଇ ନାହିଁ। ଏହି ସାତ ବର୍ଷ ପାଇଁ ଯେଉଁ ସାତ ଜଣ ପୁରସ୍କାର ହାସଲ କରିଛନ୍ତି ସେମାନେ ହେଲେ

୨୦୦୯ ମସିହା- ସ୍ବର୍ଗତ ଗୋକୁଳି ବିହାରୀ ପଟ୍ଟନାୟକ, ମରଣୋତ୍ତର ପୁରସ୍କାର ଗ୍ରହଣ କଲେ ପତ୍ନୀ ଅନୂସାୟା ପଟ୍ଟନାୟକ

୨୦୧୦ ମସିହା-ସ୍ବର୍ଗତ ଅସୀମ ବସୁ , ମରଣୋତ୍ତର ପୁରସ୍କାର ଗ୍ରହଣ କଲେ ପତ୍ନୀ ଗୀତା ବସୁ

୨୦୧୧ ମସିହା-ଦୁର୍ଗା ପ୍ରସାଦ ଦାସ

୨୦୧୨ ମସିହା- ପଦ୍ମଶ୍ରୀ ସୁଦର୍ଶନ ସାହୁ

୨୦୧୩ ମସିହା- ପଦ୍ମବିଭୂଷଣ ଯତୀନ ଦାସ ( ନୂଆ ଦିଲ୍ଲୀରେ ଥିବାରୁ ପରେ ଦିଆଯିବ)

୨୦୧୪ ମସିହା- ସ୍ବର୍ଗତ ଦୀନାନାଥ ପାଠୀ , ମରଣୋତ୍ତର ପୁରସ୍କାର ନେଲେ ପୁତ୍ର ସୋଭାଗ୍ୟ ପାଠୀ

୨୦୧୫ ମସିହା- ପଦ୍ମବିଭୂଷଣ ରଘୁନାଥ ମହାପାତ୍ର

ଏହି ପୁରସ୍କାର ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ସଚିବ ବିଷ୍ଣୁପଦ ସେଠୀ, ଏକାଡେମୀ ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏବଂ ଏକାଡେମୀ ସଚିବ ଗଜେନ୍ଦ୍ର ସାହୁ ପ୍ରଦାନ କରିଥିଲେ।