ଓଡ଼ିଶା ଲଲିତ କଳା ଏକାଡ଼େମୀ ଦ୍ୱାରା ଖୋର୍ଦ୍ଧା ଜିଲ୍ଲାରେ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ

Published: Dec 25, 2023, 6:04 pm IST

ଖୋର୍ଦ୍ଧା: ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓ ଜିଲ୍ଲା ପ୍ରଶାସନ, ଖୋର୍ଦ୍ଧା ସହଯୋଗରେ ରାଜ୍ୟରେ ଚିତ୍ରକଳାର ବହୁଳ ପ୍ରଚାର ଓ ପ୍ରସାର ନିମନ୍ତେ ଏକାଡେମୀ ଦ୍ଵାରା ସଂଗୃହିତ ଚିତ୍ରକଳାଗୁଡିକୁ ନେଇ ଏକ ଭ୍ରାମ୍ୟମାଣ ପ୍ରଦର୍ଶନୀର ଉଦଘାଟନୀ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ପ୍ରଦର୍ଶନୀକୁ ଉପ-ଜିଲ୍ଲାପାଳ, ଖୋର୍ଦ୍ଧା ଦୀପ୍ତି ରଞ୍ଜନ ସେଠୀ ଉଦଘାଟନ କରିଛନ୍ତି।

ଓଡ଼ିଶା ଲଳିତ କଳାର ବହୁଳ ପ୍ରଚାର ଓ ପ୍ରସାର ପାଇଁ ତଥା ଶିଳ୍ପୀମାନଙ୍କର କଳାକୃତି ଯେପରି ରାଜ୍ୟର ଜନସାଧାରଣ ଅନ୍ୟ ଶିଳ୍ପୀ ତଥା ଛାତ୍ର/ ଛାତ୍ରୀମାନେ ଦେଖିବାର ସୁଯୋଗ ପାଇ ପାରିବେ ଏବଂ ଓଡ଼ିଶାର ସବୁ ଜିଲ୍ଲାରେ ଚିତ୍ରକଳାର ପ୍ରଚାର ଓ ପ୍ରସାର କିପରି ଅଧିକ ହୋଇପାରିବ ସେଥିପାଇଁ ଏକାଡେମୀ ତରଫରୁ ଏହି ପ୍ରୟାସ କରାଯାଉଛି। ଉକ୍ତ ପ୍ରଦର୍ଶନୀରେ ଓଡ଼ିଶାର ଖ୍ୟାତନାମା ଦିବଙ୍ଗତ ଓ ବରିଷ୍ଠ ଚିତ୍ରଶିଳ୍ପୀ ବିମ୍ବାଧର ବର୍ମା, ବସନ୍ତ ପଣ୍ଡା, ଅନନ୍ତ ପଣ୍ଡା, ଯତୀନ ଦାସ, ଅଜିତ କେଶରୀ ରାୟ, ବିଭୁତି କାନୁନଗୋ ଓ ରବିନାରାୟଣ ନାୟକ ପ୍ରମୁଖଙ୍କ ସହ ବହୁ ଯୁବ ଚିତ୍ରଶିଳ୍ପୀଙ୍କ ମୋଟ ୪୦ ଟି ଚିତ୍ରକଳା ସ୍ଥାନ ପାଇଛି।

ଉକ୍ତ ପ୍ରଦର୍ଶନୀ ଡିସେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେହ ଦିନ ୧୧ ଘଟିକାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ। ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରଦର୍ଶନୀ ଅବସରରେ ଜିଲ୍ଲାର ବହୁ ଶିଳ୍ପୀ,କଳାପ୍ରେମୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।

ସଚିବ, ଓଡ଼ିଶା ଲଳିତ କଳା ଏକାଡେମୀ ପଞ୍ଚାନନ ସାମଲ/ପୁର୍ବତନ ସଚିବ, ଓଡ଼ିଶା ଲଳିତ କଳା ଏକାଡେମୀ, ଗଜେନ୍ଦ୍ର ସାହୁ/ଚିତ୍ର ଶିଳ୍ପୀ -ଲଲାଟ  କିଶୋର ପ୍ରଧାନ/ଚିତ୍ର ଶିଳ୍ପୀ ଜ୍ଞାନ ରଞ୍ଜନ ଦାଶ/ଚିତ୍ର ଶିଳ୍ପୀ, ବିରଞ୍ଚି ନାରାୟଣ ଚହଟରାୟ ପ୍ରମୁଖ ଉପସ୍ଥିତ ଥିଲେ।

Related posts