Categories
ଆଜିର ଖବର ରାଜ୍ୟ ଖବର

ଆତ୍ମଚିନ୍ତନ ଓ ଆତ୍ମବନ୍ଧନର ସେତୁ ହେଉଛି ସାହିତ୍ୟ

ରେଢାଖୋଲ: ସୃଜନଶୀଳତାର ବିକଳ୍ପ ନାହିଁ। ଯନ୍ତ୍ରଣାରୁ ସୃଷ୍ଟି ହୋଇଥିବା ସାହିତ୍ୟ କାଳଜୟୀ ହୋଇଥାଏ। ଏହା ସମସ୍ତ କଷ୍ଟ ପ୍ରକଟିତ କରିବାକୁ ସାମର୍ଥ୍ୟ ହୋଇଥାଏ। ସାହିତ୍ୟ ହେଉଛି ଆତ୍ମଚିନ୍ତନ ଓ ଆତ୍ମବନ୍ଧନକୁ ସଂଯୋଗ କରୁଥିବା ଏକ ସେତୁ। ସାହିତ୍ୟକୁ ଗତିଶୀଳତା କରିବା ଦିଗରେ ସାହିତ୍ୟ ଉତ୍ସବ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ ବୋଲି ସୁଚିତ୍ରା ପତ୍ରିକାର ପଞ୍ଚମ ସ୍ବନକ୍ଷତ୍ର ଉତ୍ସବ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ନାକଟିଦେଉଳ ବ୍ଲକ୍ ସଭା ଗ୍ରୁହରେ ଅନୁଷ୍ଠିତ ସୁଚିତ୍ରା ର ପଞ୍ଚମ ସ୍ବନକ୍ଷତ୍ର ଉତ୍ସବର ପ୍ରଥମ ପର୍ଯ୍ୟାୟରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ସଭାପତି ରଘୁନାଥ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ସମ୍ମାନୀତ ଅତିଥି ଭାବରେ କବି ମାନିନୀ ମିଶ୍ର, କବି ଅଧ୍ୟାପକ ବିପିନ୍ ମହାନନ୍ଦ ପିନାକୀ ମିଶ୍ର , ରାହାସ ନାଏକ ଯୋଗଦେଇଥିବା ବେଳେ ସଂଯୋଜକ ଭାବରେ ,ଅଧ୍ୟାପକ ଶେଷଦେବ ବିଶ୍ବାଳ , ଆକାଶ ସାହୁ , ଗୀତାରାଣୀ ସାହୁ, ଆକାଶ ଦାସ୍ ପ୍ରମୁଖ ଯୋଗଦେଇଥିଲେ। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୯୫ କବି କବୟତ୍ରୀ କବିତା ପାଠ କରିଥିଲେ।

ଦ୍ବିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ଆଲୋଚନାଚକ୍ରରେ ସଭାପତିତ୍ବ କରିଥିଲେ ଦିପେନ୍ କୁମାର ପଟ୍ଟନାୟକ ,ମୁଖ୍ୟଅତିଥି ଭାବରେ ଡଃ ତପସ୍ବିନୀ ଗୁରୁ , ମୁଖ୍ୟବକ୍ତା ଡଃ ମନୋଜ କୁମାର ପଣ୍ଡା , ବିଶେଷ ଅତିଥି ଭାବରେ ସମ୍ବାଦ ସମ୍ବଲପୁର ସଂସ୍କରଣର ସମ୍ପାଦନା ବିଭାଗର ମୁଖ୍ୟ କବି ଲକ୍ଷ୍ମୀନାରାୟଣ ହୋତା , ଚଳଚ୍ଚିତ୍ର କଳା ନିର୍ଦ୍ଦେଶକ କଳିଙ୍ଗ କେଶରୀ ନାୟକ ପ୍ରମୁଖ ଯୋଗଦେଇ ସାହିତ୍ୟ ବଂଚିଲେ ଦେଶ ବଂଚିବ , ସାହିତ୍ୟ ବିନା ମଣିଷ ବଂଚି ପାରିବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ। ସୁଚିତ୍ରାର ବିଭିନ୍ନ ବିଭାଗ ପାଇଁ ଲେଖକମାନଙ୍କୁ ସମ୍ମାନୀତ କରାଯାଇଥିଲା। ସୁଚିତ୍ରା ସ୍ମ୍ୁତି ସମ୍ମାନ କବି ମମତା ପଟ୍ଟନାୟକ (ଭୁବନେଶ୍ବର), ଶିଶୁ ସାହିତ୍ୟ ପାଇଁ ପ୍ରଶାନ୍ତ କୁମାର ମଙ୍ଗରାଜ, (ପୁରୀ), କବିତା ପାଇଁ ପିନାକୀ ମିଶ୍ର ,କବି ପୀତାମ୍ବର ବିଶ୍ବାଳ ସ୍ର୍ମୁତି ସମ୍ମାନ ପାଇଁ ହରିହର ସାହୁ , ଯୁବ ପ୍ରତିଭା ସମ୍ମାନ କୁଳମଣି ମେହେର , ପ୍ରଚ୍ଚ୍ଛଦପଟ୍ଟ ପାଇଁ ପ୍ରଗତି ବଳଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା।

ସରସ୍ବତୀ ଶିଶୁ ମନ୍ଦିର, ଜଗନ୍ନାଥପ୍ରସାଦର ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ଗାନ କରିବା ସହ ବିଜାଗଜ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ନ୍ରୁତ ପରିବେଶଣ କରିଥିଲେ। ସଂଗ୍ରାମ କେଶରୀ ପୃଷ୍ଟି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଂପାଦକ କନ୍ଦର୍ପ ବେହେରା ସଂପାଦକୀୟ ବକ୍ତବ୍ୟ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଦୀପ କୁମାର ବିଶ୍ବାଳ, ସୁଶାନ୍ତ ସାହୁ, ଶିକ୍ଷକ ପରମେଶ୍ବର ପ୍ରଧାନ, ଅଚ୍ୟୁତାନନ୍ଦ ବିଶ୍ବାଳ ପ୍ରମୁଖ ସହଯୋଗ କରିଥିଲେ। ଅଧ୍ୟାପିକା ପୁଷ୍ପାଞଳୀ ରାବଣା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଦୁଇ ଦିନିଆ ବିମର୍ଶ

ଭୁବନେଶ୍ୱର: ଆସନ୍ତା ଫେବୃଆରି ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ୟୁନିଭର୍ସିଟି ପକ୍ଷରୁ ରବିବାର ଏବଂ ସୋମବାର ଦୁଇ ଦିନ ଧରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ବିମର୍ଶ ଆୟୋଜିତ ହେବ।

ଫେବୃଆରି ୪ ଓ ୫ ଦୁଇ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କ ଓଡ଼ିଆଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୋଆର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବ ।

ଫେବୃଆରି ୪ ତାରିଖ ଦିନ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ କୃଷି, କୃଷକ ସଶକ୍ତିକରଣ, ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିଭାଗର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଓ ବିଶିଷ୍ଟ ସାହିତ୍ୟିକ ଶ୍ରୀ ରାସବିହାରୀ ବେହେରା ଉଦ୍‌ଘାଟକ ଭାବେ ଯୋଗ ଦେବେ। ଏହି ଅବସରରେ ପ୍ରଶାସକ, ବୁଦ୍ଧିଜୀବି ଓ ଦୈନିକ ସମ୍ବାଦପତ୍ର ‘ସକାଳ’ର ସମ୍ପାଦକ ଶ୍ରୀ ଉମାକାନ୍ତ ମିଶ୍ର ଏବଂ ମାନବ ଶିକ୍ଷାବିତ୍ ଓ ଗବେଷକ ଶ୍ରୀ ଜଗନ୍ନାଥ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ । ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବେ ।

ପ୍ରଥମ ଦିନର କାର୍ଯ୍ୟକ୍ରମରେ ଶ୍ରୀକ୍ଷେତ୍ରର ଅଭିନୟ କଳା ବିମର୍ଶ, ଶ୍ରୀଜଗନ୍ନାଥ ଚେତନା-ଦର୍ଶନ ଓ ବାସ୍ତବତା, ଓଡ଼ିଆ ସାହିତ୍ୟ ସର୍ଜନରେ ଶ୍ରୀଜଗନ୍ନାଥ ଚେତନା, ସାରୋଳଦାସ ସାହିତ୍ୟ ବିମର୍ଶ, ବଳରାମ ଦାସ ସାହିତ୍ୟ ବିମର୍ଶ, ଜଗନ୍ନାଥ ଦାସ ସାହିତ୍ୟ ବିମର୍ଶ, ମଧ୍ୟକାଳୀନ ସାହିତ୍ୟର ବିଷୟ ବୈଚିତ୍ର‌୍ୟ, ମଧ୍ୟକାଳୀନ ସାହିତ୍ୟରେ ବର୍ଣ୍ଣନା ବୈଚିତ୍ର‌୍ୟ, ଓଡ଼ିଆ ପୁରାଣ ଓ ସାହିତ୍ୟ ବିମର୍ଶ, ସନ୍ଥ ସାହିତ୍ୟ ବିମର୍ଶ ଓ ଭକ୍ତି – ପ୍ରୀତି ଚେତନା ବିମର୍ଶ ଅନ୍ତର୍ଭୁକ୍ତ ।

ସେହିପରି ଦ୍ୱିତୀୟ ଦିନ ଜନଜାତି ନାଚ ଓ ଗୀତ, ଜନଜାତି କଥା ଓ ଗାଥା, ଜନଜାତି ଭାଷା, ଓଡ଼ିଆ ବର୍ଣ୍ଣ ଓ ଲିପି ବିମର୍ଶ, ବ୍ୟାକରଣ ବିମର୍ଶ, ଓଡ଼ିଆ ଅଭିଧାନ ବିମର୍ଶ, ପରମ୍ପରା ଓ ଆଧୁନିକତା, ଓଡ଼ିଆ ପାରମ୍ପରିକ ସଂଗୀତ, ଓଡ଼ିଆ ପାରମ୍ପରିକ ଅଭିନୟ କଳା, ଓଡ଼ିଆ ପାରମ୍ପରିକ ଚିତ୍ରକଳା, ଓଡ଼ିଆ ଶ୍ରାବ୍ୟକାବ୍ୟରେ ଆଧୁନିକତା, ଓଡ଼ିଆ କଥାକାବ୍ୟରେ ଆଧୁନିକତା ଓ ଓଡ଼ିଆ ଦୃଶ୍ୟକାବ୍ୟରେ ଆଧୁନିକତା ଭଳି ବିଷୟବସ୍ତୁ ଉପରେ ଆଲୋଚନା ହେବ ।

ଫେବୃଆରି ୫ ତାରିଖ ଦିନ ଆୟୋଜିତ ହେବାକୁ ଥିବା ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ବିଶିଷ୍ଟ ଓଡ଼ିଆ ଔପନ୍ୟାସିକ, ଆଲୋଚକ, ସ୍ତମ୍ଭକାର ଓ ଶିକ୍ଷାବିତ୍ ଶ୍ରୀ ବିଭୁତି ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯିବ ।

Categories
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟର ଓଡ଼ିଆ କଳା, ସାହିତ୍ୟ, ଇତିହାସ ଓ ସଂସ୍କୃତି ସମ୍ପର୍କରେ ଆଲୋଚନା ଚକ୍ର

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତାଙ୍କ ସଭାପତିତ୍ବରେ ଓଡ଼ିଶା ସରକାରଙ୍କ ବିଶ୍ଵ ଭାଷା ସମ୍ମିଳନୀ ନୂଆ-ଓ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ କଳା, ସାହିତ୍ୟ, ଇତିହାସ ଓ ସଂସ୍କୃତି ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଡଃ ନିଳୀମା ପ୍ରିୟଦର୍ଶିନୀ ଓଡ଼ିଆ କଳା ସାହିତ୍ୟ ସଂସ୍କୃତି ଓ ଇତିହାସ ବିଷୟରେ ସାର ଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ଓଡ଼ିଆ ବିଭାଗର ଅଧ୍ୟାପକ ତଥା ସଂଯୋଜକ ପାର୍ଥ ସାରଥୀ ସାମନ୍ତରାୟ, ନୋଡାଲ ଅଫିସର ଅଧ୍ୟାପିକା ତୃପ୍ତି ରାଣୀ ସ୍ୱାଇଁ, ଅଧ୍ୟାପକ ଚିତ୍ତ ରଞ୍ଜନ ବେହେରା, ଅଧ୍ୟାପକ ଯଯାତି କେଶରୀ ବଡ଼ଜେନା, ଅଧ୍ୟାପକ ସୁଶିଲ କୁମାର ମିଶ୍ର ଓ ଛାତ୍ର ଛାତ୍ରୀ ମାନେ ଆଲୋଚନା ଚକ୍ରରେ ଭାଗ ନେଇ ଓଡ଼ିଆ କଳା, ସଂସ୍କୃତି ,ସାହିତ୍ୟ ଓ ଇତିହାସ ଉପରେ ବକ୍ତବ୍ୟ ପ୍ରଦାନ ଓ ପ୍ରବନ୍ଧ ପାଠ କରିଥିଲେ। ମହାବିଦ୍ୟାଳୟର ପ୍ରଶାସନିକ ଅଫିସର ଡଃ ସୁର ପ୍ରତାପ ନରେନ୍ଦ୍ର ସିଂହ ବର୍ମା ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲେ।

ସଭା ଆରମ୍ଭ ପୂର୍ବରୁ ଅତିଥି ମାନଙ୍କୁ ସ୍ଵାଗତ ଜଣାଇବା ପାଇଁ ରେବତୀ, ମାଗୁଣି ର ଶଗଡ଼, ଶିକାର ଗଳ୍ପ ଉପରେ ପଥ ପ୍ରାନ୍ତ ନାଟକ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ପରିବେଷିତ ହୋଇ ଥିଲା। ଏହାର ନାଟ୍ୟ ରୂପାନ୍ତର ଓ ନିର୍ଦ୍ଦେଶନା ଓଡ଼ିଆ ବିଭାଗ ର ଅଧ୍ୟାପକ ପାର୍ଥ ସାରଥୀ ସାମନ୍ତରାୟ ପ୍ରଦାନ କରିଥିଲେ।

ଆଲୋଚନା ଚକ୍ର ରେ ମାୟାଧର ମାନସିଂହ ଙ୍କ ‘ଧୂପ ‘ ର ନାଟ୍ୟ ରୂପାନ୍ତର ଓ ନିର୍ଦ୍ଦେଶନା ଅଧ୍ୟାପକ ପାର୍ଥ ସାରଥୀ ସାମନ୍ତରାୟଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ଏହା ଅତିଥି, ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ମାନ ଙ୍କ ଦ୍ଵାରା ବେଶ୍ ପ୍ରଶଂସିତ ହୋଇଥିଲା। ନାଟ୍ୟ ରୂପ ଗୁଡ଼ିକୁ ସଫଳ ରୂପ ଦେବାପାଇଁ ଅଧ୍ୟାପକ ପ୍ରଶାନ୍ତ କୁମାର ହୋତା, ଅଧ୍ୟାପକ ପୁଲିନ ବିହାରୀ ଜେନା, ଅଧ୍ୟାପକ ଗୋଲଖ କୁମାର ବେହେରା, ଅଧ୍ୟାପକ ଅଶ୍ଵିନୀ କୁମାର ବାରିକ, ଅଧ୍ୟାପକ ଅଜୟ କୁମାର ବେହେରା, ଅଧ୍ୟାପକ ସପିନ କୁମାର ପୃଷ୍ଟି, ଅଧ୍ୟାପକ ଗୁରୁ କିଶୋର ନାୟକ , ଅଧ୍ୟାପକ ଦିବାକର ସାହୁ, ହର ପ୍ରସାଦ ରଥ ଓ ଦାଶରଥି ରାଉଳ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ଲଲିତ କଳା ଏକାଡ଼େମୀ ଦ୍ୱାରା ଖୋର୍ଦ୍ଧା ଜିଲ୍ଲାରେ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ

ଖୋର୍ଦ୍ଧା: ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓ ଜିଲ୍ଲା ପ୍ରଶାସନ, ଖୋର୍ଦ୍ଧା ସହଯୋଗରେ ରାଜ୍ୟରେ ଚିତ୍ରକଳାର ବହୁଳ ପ୍ରଚାର ଓ ପ୍ରସାର ନିମନ୍ତେ ଏକାଡେମୀ ଦ୍ଵାରା ସଂଗୃହିତ ଚିତ୍ରକଳାଗୁଡିକୁ ନେଇ ଏକ ଭ୍ରାମ୍ୟମାଣ ପ୍ରଦର୍ଶନୀର ଉଦଘାଟନୀ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ପ୍ରଦର୍ଶନୀକୁ ଉପ-ଜିଲ୍ଲାପାଳ, ଖୋର୍ଦ୍ଧା ଦୀପ୍ତି ରଞ୍ଜନ ସେଠୀ ଉଦଘାଟନ କରିଛନ୍ତି।

ଓଡ଼ିଶା ଲଳିତ କଳାର ବହୁଳ ପ୍ରଚାର ଓ ପ୍ରସାର ପାଇଁ ତଥା ଶିଳ୍ପୀମାନଙ୍କର କଳାକୃତି ଯେପରି ରାଜ୍ୟର ଜନସାଧାରଣ ଅନ୍ୟ ଶିଳ୍ପୀ ତଥା ଛାତ୍ର/ ଛାତ୍ରୀମାନେ ଦେଖିବାର ସୁଯୋଗ ପାଇ ପାରିବେ ଏବଂ ଓଡ଼ିଶାର ସବୁ ଜିଲ୍ଲାରେ ଚିତ୍ରକଳାର ପ୍ରଚାର ଓ ପ୍ରସାର କିପରି ଅଧିକ ହୋଇପାରିବ ସେଥିପାଇଁ ଏକାଡେମୀ ତରଫରୁ ଏହି ପ୍ରୟାସ କରାଯାଉଛି। ଉକ୍ତ ପ୍ରଦର୍ଶନୀରେ ଓଡ଼ିଶାର ଖ୍ୟାତନାମା ଦିବଙ୍ଗତ ଓ ବରିଷ୍ଠ ଚିତ୍ରଶିଳ୍ପୀ ବିମ୍ବାଧର ବର୍ମା, ବସନ୍ତ ପଣ୍ଡା, ଅନନ୍ତ ପଣ୍ଡା, ଯତୀନ ଦାସ, ଅଜିତ କେଶରୀ ରାୟ, ବିଭୁତି କାନୁନଗୋ ଓ ରବିନାରାୟଣ ନାୟକ ପ୍ରମୁଖଙ୍କ ସହ ବହୁ ଯୁବ ଚିତ୍ରଶିଳ୍ପୀଙ୍କ ମୋଟ ୪୦ ଟି ଚିତ୍ରକଳା ସ୍ଥାନ ପାଇଛି।

ଉକ୍ତ ପ୍ରଦର୍ଶନୀ ଡିସେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେହ ଦିନ ୧୧ ଘଟିକାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ। ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରଦର୍ଶନୀ ଅବସରରେ ଜିଲ୍ଲାର ବହୁ ଶିଳ୍ପୀ,କଳାପ୍ରେମୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।

ସଚିବ, ଓଡ଼ିଶା ଲଳିତ କଳା ଏକାଡେମୀ ପଞ୍ଚାନନ ସାମଲ/ପୁର୍ବତନ ସଚିବ, ଓଡ଼ିଶା ଲଳିତ କଳା ଏକାଡେମୀ, ଗଜେନ୍ଦ୍ର ସାହୁ/ଚିତ୍ର ଶିଳ୍ପୀ -ଲଲାଟ  କିଶୋର ପ୍ରଧାନ/ଚିତ୍ର ଶିଳ୍ପୀ ଜ୍ଞାନ ରଞ୍ଜନ ଦାଶ/ଚିତ୍ର ଶିଳ୍ପୀ, ବିରଞ୍ଚି ନାରାୟଣ ଚହଟରାୟ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ୪୦ ତମ ରାଜ୍ୟ ଚାରୁକଳା ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ଵର: ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଆୟୋଜିତ ୪୦ ତମ ରାଜ୍ୟ ଚାରୁକଳା ପ୍ରଦର୍ଶନୀ ରାଜ୍ୟ ସଂଗ୍ରହାଳୟ ପରିସରରେ ଥିବା କଳିଙ୍ଗ ଆର୍ଟ ଗ୍ୟାଲେରୀ ଠାରେ ଅନୁଷ୍ଠିତ ହେଉଛି। ଆଜି ଏହି ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସୂଚନା ଆୟୁକ୍ତ ଦିଲ୍ଲୀପ କୁମାର ବିଶୋଇ ଯୋଗଦେଇ ଉଦଘାଟନ ପୂର୍ବକ ଶିଳ୍ପୀମାନଙ୍କ ସୃଜନଶୀଳ ଚିତ୍ର ଓ ଭାସ୍କର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ।

ସମ୍ମାନିତ ଅତିଥି ରୂପେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି  ବିଭାଗର ନିର୍ଦ୍ଦେଶକ ତଥା ସ୍ଵତନ୍ତ୍ର ଶାସନ ସଚିବ ରଞ୍ଜନ କୁମାର ଦାସ ଓ ଧର୍ମପଦ ପୁରସ୍କାର ପ୍ରାପ୍ତ ବରିଷ୍ଠ ଚିତ୍ରଶିଳ୍ପୀ ଜଗଦୀଶ ଚନ୍ଦ୍ର କାନୁନଗୋ ପ୍ରମୁଖ ଶିଳ୍ପୀମାନଙ୍କ କଳାକୃତି ବୁଲି ଦେଖିବା ସହ ସାମ୍ପ୍ରତିକ କଳାକୃତିଗୁଡିକ ସମୟପୋଯୋଗୀ ହୋଇଥିବା ପ୍ରକାଶ କରିଥିଲେ।

ଏହି ଅବସରରେ କଳାକୃତିଗୁଡିକର ଏକ ରଙ୍ଗୀନ କ୍ୟାଟଲଗ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ପ୍ରଦର୍ଶନୀରେ ୪୦ ତମ ରାଜ୍ୟ ପୁରସ୍କାରରେ ପୁରସ୍କୃତ କଳାକୃତି ଗୁଡିକ ପ୍ରଦର୍ଶିତ ହେବା ସହ ଚିତ୍ରକଳାରେ ୧୦୧ ଟି, ଭାସ୍କର୍ଯ୍ୟ କଳାରେ ୩୦ ଟି, ମୁଦ୍ରଣ କଳାରେ ୧୮ ଟି ଓ ପାରମ୍ପରିକ କଳାରେ ୧୫ ଟି ଚିତ୍ର ପ୍ରଦର୍ଶିତ ହୋଇଛି।

ଉଦଘାଟନ ଉତ୍ସବ ଅବସରରେ ଏକାଡେମୀ କାର୍ଯ୍ୟକାରୀ ସମିତିର ସଦସ୍ୟ ତଥା ବରିଷ୍ଠ ଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁ, ବହୁ ବରିଷ୍ଠ ଶିଳ୍ପୀ, ଛାତ୍ର ଛାତ୍ରୀ ତଥା କଳାନୁରାଗୀ ପ୍ରଦର୍ଶନୀ ବୁଲି ଦେଖିଥିଲେ। ଏକାଡେମୀର ସଚିବ ପଞ୍ଚାନନ ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ପ୍ରଦର୍ଶନୀ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଚାଲିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ଓଡିଶା ଓ ମହାରାଷ୍ଟ୍ର ମଧ୍ୟରେ ସାଂସ୍କୃତିକ ଭାବବିନିମୟ ଆଲୋଚନାଚକ୍ର

ଭୁବନେଶ୍ୱର: ଓଡିଶା ଓ ମହାରାଷ୍ଟ୍ର ମଧ୍ୟରେ ସାଂସ୍କୃତିକ, କଳା, ସାହିତ୍ୟ, ରାଜନୈତିକ ଆଦି ସମ୍ପର୍କ ଦୀର୍ଘକାଳରୁ ରହିଆସିଛି ବୋଲି ମହାତ୍ମାଗାନ୍ଧୀ ମିଶନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁଧୀର ଗଭାନେ କହିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା ପତ୍ରସୂଚନା କାର୍ଯ୍ୟାଳୟ ଓ ଆଂଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ସାଂସ୍କୃତିକ ଭବବିନିମୟ କାର୍ଯ୍ୟକ୍ରମ ଅଧୀନରେ ଆଜି ଆୟୋଜିତ ଏକ ୱେବିନାର ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ପ୍ରଫେସର ଗଭାନେ କହିଛନ୍ତି ଯେ ସଙ୍ଗୀତ, ନୃତ୍ୟ,କଳା ଆଦି ଦୁଇଟି ରାଜ୍ୟର ସମ୍ପର୍କକୁ ସୁଦୃଢ କରିବାରେ ସାହାଯ୍ୟ କରିଥାଏ।

ଓଡିଶା ଓ ମହାରାଷ୍ଟ୍ର ମଧ୍ୟରେ ସାମାଜିକ ତଥା ରାଜନୈତିକ କ୍ଷେତ୍ରରେ ଅନେକ ସମାନତା ଓ ସମ୍ପର୍କ ରହିଆସିଛି। ସ୍ୱାଧୀନତା ସଂଗ୍ରାମ ସମୟରେ ଉଭୟ ରାଜ୍ୟର ହଜାର ହଜାର ସଂଗ୍ରାମୀ ଆତ୍ମବଳିଦାନ ଦେଇଛନ୍ତି। ଓଡିଆ ପ୍ରାଚୀନ ସାହିତ୍ୟ ଓ ମହାରାଷ୍ଟ୍ରର ପ୍ରାଚୀନ ସାହିତ୍ୟ ମଧ୍ୟରେ ଚତୁର୍ଦ୍ଦଶ ଶତାବ୍ଦୀରୁ ସାମାଞ୍ଜସ୍ୟ ରହିଥିବା ଭାରତର ବୈଶିଷ୍ଟ୍ୟ ବୋଲି କହିଥିଲେ। ମରାଠା ଶାସନ କାଳରେ ଦେଶର ବିଭିନ୍ନ ସ୍ଥାନକୁ ସଂଯୋଗ ନିମନ୍ତେ ନିର୍ମିତ ହୋଇଥିବା ସଡକ ଏବେ ଗୁରୁତ୍ୱପୂର୍ଣ୍ଣ ରାଜପଥରେ ପରିଣତ ହୋଇଥିବା ଦର୍ଶାଇ ଉଭୟ ରାଜ୍ୟର ବାସିନ୍ଦା ପରସ୍ପର ପ୍ରତି ଅତ୍ୟନ୍ତ ସହନଶୀଳ ବୋଲି ମତ ଦେଇଥିଲେ। ବିଶ୍ୱ ଓଡିଶା ସମାଜର ଭାରତୀୟ ଖଣ୍ଡ ସଭାପତି ଡକ୍ଟର ବିପିନ ବିହାରୀ ମିଶ୍ର ଓଡିଶା ଏବଂ ମହାରାଷ୍ଟ୍ର ମଧ୍ୟରେ ଥିବା ସାମାଜିକ ଓ ସାଂସ୍କୃତିକ ସମ୍ପର୍କର ଇତିହାସ ଆଲୋଚନା କରିଥିଲେ। ଓଡିଶା ଲୋକମାନଙ୍କ ଯୋଗୁଁ ହିଁ ସମାଜରେ ଶାନ୍ତି ବିରାଜମାନ କରେ ବୋଲି ମହାରାଷ୍ଟ୍ରର ପୂର୍ବତନ ରାଜନେତା ବାଲ୍ ଠାକ୍‌ରେଙ୍କ ମନ୍ତବ୍ୟକୁ ଉଦ୍ଧାର କରି ମହାରାଷ୍ଟ୍ରର ସବୁ ଧର୍ମପୀଠରେ ଓଡିଶାର ଲୋକଙ୍କ ଉପସ୍ଥିତି ଅଧିକା ବୋଲି କହିଥିଲେ।

ମୁମ୍ବାଇ ପତ୍ରସୂଚନା କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ଡକ୍ଟର ରାହୁଳ ଟିିଡ୍‌କେ ‘ଏକ ଭାରତ,ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବର୍ଣ୍ଣନା କରିବା ସହ ଉଭୟ ରାଜ୍ୟର ଲୋକେ ପରସ୍ପରର ସମୃଦ୍ଧିରେ ସହାୟକ ହୋଇଥିବା କହିଥିଲେ। ଦୀର୍ଘ ଦଶନ୍ଧି ଧରି ଓଡିଶାର ଲୋକେ ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ବାସ କରି ଏହାକୁ ନିଜର ଦ୍ୱିତୀୟ ଘର ବୋଲି ଭାବିବା ଏକ ଗର୍ବର ବିଷୟ ବୋଲି ମତ ଦେଇଥିଲେ। ପତ୍ରସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ରାଜିନ୍ଦର ଚୌଧୁରୀ ବିବିଧତା ମଧ୍ୟରେ ଏକତାର ଉଦାହରଣ ଭାବେ ଓଡିଶା ଓ ମହାରାଷ୍ଟ୍ରର ସମ୍ପର୍କକୁ ବର୍ଣ୍ଣନା କରିଥିଲେ। ଦେଶରେ ପୂର୍ବ ଉପକୂଳବର୍ତ୍ତୀ ରାଜ୍ୟ ଓଡିଶା ଏବଂ ପଶ୍ଚିମ ଉ ପକୂଳବର୍ତ୍ତୀ ରାଜ୍ୟ ମହାରାଷ୍ଟ୍ର ମଧ୍ୟରେ ଭୌଗୋଳିକ, ସାଂସ୍କୃତିକ, କଳାଗତ, ଭାଷାଗତ ଆଦି ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ଦୀର୍ଘକାଳରୁ ରହିଥିବା କହିଥିଲେ।

ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟର ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଆଲୋଚନା ଆରମ୍ଭରେ ଅତିଥି ଏବଂ ସଦସ୍ୟମାନଙ୍କୁ ସ୍ୱାଗତ କରିବା ସହ ୧୯୩୪ମସିହାରୁ ଓଡିଶାର ପ୍ରଥମ ଚଳଚ୍ଚିତ୍ର ନିର୍ମାଣଠାରୁ ଏପର୍ଯ୍ୟନ୍ତ କଳାର ସବୁ କ୍ଷେତ୍ରରେ ମହାରାଷ୍ଟ୍ର ସହ ଓଡିଶାର ସମ୍ପର୍କ ନିବିଡ ବୋଲି କହିଥିଲେ। ପତ୍ରସୂଚନା କାର୍ଯ୍ୟାଳୟର ଗଣଯୋଗାଯୋଗ ଅଧିକାରୀ ଡକ୍ଟର ପ୍ରଦୀପ କୁମାର ଚୌଧୁରୀଙ୍କ ସଂଯୋଜନାରେ ଆୟୋଜିତ ଏହି ଆଲୋଚନାରେ ପୂର୍ବତଟ ରେଳବାଇର ପୂର୍ବତନ ଜନସମ୍ପର୍କ ଅଧିକାରୀ ରବିନାରାୟଣ ମହାପାତ୍ରଙ୍କ ସମେତ ମନ୍ତ୍ରଣାଳୟର ବହୁ ବରିଷ୍ଠ ଅଧିକାରୀ ଏବଂ ଉଭୟ ରାଜ୍ୟର ବାସିନ୍ଦା ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। (ପି.ଆଇ.ବି.)