Categories
ଆଜିର ଖବର

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅନ୍ୟ ସମସ୍ତ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଚଳିତ ମାସରେ ଅନୁଷ୍ଠିତ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀରେ ପ୍ରମୁଖ ସହଯୋଗ କରିଥିବା ବିଭିନ୍ନ ବିଭାଗର ସଚିବ ଓ ସଂପୃକ୍ତ କାର୍ଯ୍ୟାଳୟର କର୍ତ୍ତୃପକ୍ଷମାନଙ୍କୁ ପ୍ରଶଂସା କରାଯାଇଥିଲା। ଦଳଗତ ପ୍ରୟାସରେ ସମସ୍ତଙ୍କ ସହଯୋଗରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇ ଅନେକ ସଫଳତା ଆଣି ଦେଇଥିବାରୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଗତ ବର୍ଷ ଜାନୁଆରୀ ମାସ ତୁଳନାରେ ଚଳିତ ବର୍ଷ ଜାନୁଆରୀ ମାସ ଶେଷ ସୁଦ୍ଧା ରାଜ୍ୟର ତଥା ବିଭିନ୍ନ ବିଭାଗର ଆର୍ଥିକ ପ୍ରଦର୍ଶନ ଭଲ ରହିଥିବା ବୈଠକରୁ ଜଣାଯାଇଛି।

ଗତ ମାସରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସ ଜାତୀୟ ସ୍ତରୀୟ ପରେଡରେ ଓଡିଶାର ପ୍ରଜ୍ଞାପନ ମେଢ ପ୍ରଥମ ହେବା, ବଲାଙ୍ଗୀର ଜିଲ୍ଲାରେ ଲୋୟର ସୁକତେଲ ପ୍ରକଳ୍ପ, ପୁରୀଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ସମ୍ବଲପୁରରେ ମା ସମଲେଇ ପ୍ରକଳ୍ପ ଆଦି ଲୋକାର୍ପଣ ହେବା, ନୃସିଂହନାଥ ଓ ହରିଶଂକର ପାରିପାର୍ଶ୍ୱିକ ଭିତ୍ତିଭୂମିର ଉନ୍ନତିକରଣ କାର୍ଯ୍ୟ କରାଯାଇଥିବା ସହ ଅନ୍ୟ ବିଭିନ୍ନ ବିଭାଗର ଉଲ୍ଲେଖନୀୟ କାର୍ଯ୍ୟ ସଂପର୍କରେ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ଉପସ୍ଥାପନ କରିଥିଲେ। ବୈଠକରେ ରାଜ୍ୟ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ ନୂତନ ଏମଏସଏମଇ ନୀତି-୨୦୨୩ର କାର୍ଯ୍ୟକାରିତା ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡିକ ସମ୍ପର୍କରେ ଉପସ୍ଥାପନ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଉନ୍ମୋଚିତ ହେଲା ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ସ୍ୱତନ୍ତ୍ର ସଂଖ୍ୟା

ଭୁବନେଶ୍ୱର: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଆଜି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରକାଶିତ ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭୁ୍ୟ’ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ ହୋଇଯାଇଛି ।

ଏହାକୁ ଉନ୍ମୋଚନ କରିବା ଅବସରରେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ କହିଲେ ଯେ ୧୯୪୪ ମସିହାରୁ ଏହି ଦୁଇଟି ପତି୍ରକା ନିରବଚ୍ଛିନ୍ନ ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର କରିଆସୁଛି। ଏହି ସ୍ୱତନ୍ତ୍ର ସଂଖ୍ୟା ଆଗାମୀ ପିଢ଼ିଙ୍କୁ ମାତୃଭାଷା ପ୍ରତି ସଚେତନ କରିବା ସହ ଉପାଦେୟ ଓ ସଂଗ୍ରହଣୀୟ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ କହିଲେ ଯେ ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ପୁରାତନ ସଂସ୍କରଣର ଡିଜିଟାଇଜେସନ୍‌ କରାଯାଇଛି। ଏହା ବିଭାଗୀୟ ୱେବ୍‌ସାଇଟ୍‌ରେ ପାଠକମାନଙ୍କ ନିମନ୍ତେ ଉପଲବ୍ଧ ହେଉଛି। ଦେଶବିଦେଶରେ ରହୁଥିବା ଓଡ଼ିଆ ଭାଷାଭାଷୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏଭଳି ବ୍ୟବସ୍ଥା କରିଛନ୍ତି ବୋଲି ସେ ପ୍ରକାଶ କରିଥିଲେ।

ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଡ. ଲେନିନ୍‌ ମହାନ୍ତି ଏହି ପତି୍ରକା ଦୁଇଟିରେ ଓଡ଼ିଶାର ଭାଷା, ସାହିତ୍ୟ ନେଇ ବହୁ ଦୁଷ୍ପ୍ରାପ୍ୟ ଏବଂ ଉପାଦେୟ ତଥା ପୁରାତନ ଆଲେଖ୍ୟ ସ୍ଥାନ ପାଇଛି ବୋଲି ଉଲ୍ଲେଖ କରିଥିଲେ। ଏହା ଦ୍ୱାରା ଛାତ୍ରଛାତ୍ରୀ ଓ ଗବେଷକମାନେ ଆଧୁନିକ ଓଡ଼ିଆ ଭାଷା-ସାହିତ୍ୟର କ୍ରମବିକାଶ ସଂପର୍କରେ ଅବଗତ ହୋଇପାରିବେ ବୋଲି ସେ ମତବ୍ୟକ୍ତ କରିଥିଲେ।

‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭୁ୍ୟ’ର ସଂପାଦିକା କସ୍ତୁରୀ ମହାପାତ୍ର ଉଭୟ ପତ୍ରିକା ଓଡ଼ିଶା ସରକାରଙ୍କ ମୁଖପତ୍ର ଭାବେ ସ୍ୱାଧୀନତା ପୂର୍ବରୁ ପ୍ରକାଶ ପାଇଆସୁଛି ବୋଲି କହିଥିଲେ। ଏହି ପତି୍ରକା ବେଶ୍‌ ପାଠକୀୟ ଆଦୃତି ଲାଭ କରିବା ସହିତ ଓଡ଼ିଶାବାସୀଙ୍କ ନିକଟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଉତ୍କଳ ପ୍ରସଙ୍ଗର ସ୍ୱତନ୍ତ୍ର ସଂଖ୍ୟାରେ ୧୯ଟି ନିବନ୍ଧ ଏବଂ ଓଡ଼ିଶା ରିଭୁ୍ୟରେ ୨୭ଟି ନିବନ୍ଧ ସ୍ଥାନ ପାଇଛି ବୋଲି ସେ ପ୍ରକାଶ କରିଥିଲେ।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ଧନ୍ୟବାଦ ଦେବା ଅବସରରେ ଓଡ଼ିଆ ୨୦୦୦ ବର୍ଷରୁ ଊଦ୍ଧ୍ୱର୍ ପୁରାତନ ଭାଷା ବୋଲି ପ୍ରକାଶ କରିଥିଲେ। ଏହାର ସମୃଦ୍ଧି ପାଇଁ ଅନେକ ସାରସ୍ୱତ ସାଧକଙ୍କ ଅବଦାନ ସ୍ୱୀକୃତ। ଆଜିର ଏହି ଭାଷା ସମ୍ମିଳନୀ ସେମାନଙ୍କୁ ସମ୍ମାନ ଜଣାଇବା ପାଇଁ ପ୍ରକୃଷ୍ଟ ଅବସର ବୋଲି ସେ ପ୍ରକାଶ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ, ଜାଣନ୍ତୁ ପୁରା ତାଲିକା

ଭୁବନେଶ୍ବର: ଓଡିଶାର ଭାଷା, ସାହିତ୍ଯ, କଳା, ସଂସ୍କୃତି, ହସ୍ତତନ୍ତ, ଐତିହ୍ୟ, ଭାସ୍କର୍ଯ୍ୟ ଯେତିକି ପ୍ରାଚୀନ ଓ ସମୃଦ୍ଧ ସେତିକି ଅନନ୍ୟ ଆମର ପୂଜ୍ୟପୂଜାର ପରମ୍ପରା। ପ୍ରଥମଥର ପାଇଁ ଓଡିଶାର ମନ୍ଦିରମାଳିନୀ ସହର ଭୁବନେଶ୍ବରରେ ଆୟୋଜିତ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅବସରରେ ଓଡିଶାପାଇଁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଅଜସ୍ର ଯଶ ଓ ଖ୍ଯାତି ଆଣିଥିବା ବିଶିଷ୍ଟ ବ୍ୟକ୍ତିବିଶେଷମାନଙ୍କୁ ଆଜି ସମ୍ମିଳନୀର ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଓଡିଶା ସରକାର ସମ୍ବର୍ଦ୍ଧିତ କରିଛନ୍ତି।

ସମ୍ମିଳନୀର ଦ୍ଵିତୀୟ ଦିବସରେ ସମ୍ବର୍ଦ୍ଧନା ଉତ୍ସବର ପ୍ରାରମ୍ଭରେ ବହୁଭାଷୀ ଚଳଚିତ୍ର ଅଭିନେତା ପରଲୋକଗତ ପଦ୍ମଶ୍ରୀ ସାଧୁ ମେହେରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରଯାଇଥିଲା।

ପ୍ରଥମ ଅଧିବେଶନରେ ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ଯ ଓ ସଂସ୍କୃତି, ଅବକାରୀ, ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶ୍ଵିନୀ କୁମାର ପାତ୍ର ଓ ଜଳସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଓଡିଶାର ସ୍ୱନାମଧନ୍ୟ ବ୍ୟକ୍ତିବିଶେଷ – ସ୍ଥପତି ପଦ୍ମବିଭୂଷଣ ଶ୍ରୀ ସୁଦର୍ଶନ ସାହୁ,ଓଡିଶୀ ତଥା ଭାରତନାଟ୍ୟମ ନୃତ୍ୟଶିଳ୍ପୀ ଓ ଗୁରୁ ପଦ୍ମବିଭୂଷଣ ସୋନାଲ ମାନସିଂହ, କବି ପଦ୍ମଭୂଷଣ ଶ୍ରୀ ରମାକାନ୍ତ ରଥ, ହୃଦରୋଗ ବିଶେଷଜ୍ଞ ପଦ୍ମଭୂଷଣ ଡା. ରମାକାନ୍ତ ପଣ୍ଡା, ଚିତ୍ରଶିଳ୍ପୀ ପଦ୍ମଭୂଷଣ ଶ୍ରୀ ଯତୀନ ଦାସ, ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ଡ. ଯୋଗେଶ ପତି, ବୈଜ୍ଞାନିକ ଓ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଶ୍ରୀମତୀ ପ୍ରିୟମ୍ବଦା ମହାନ୍ତି ହେଜମାଦି, ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ଅନ୍ତର୍ଜାତୀୟ ହକି ତାରକା ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ଟେକ୍ନୋକ୍ରାଟ ପଦ୍ମଶ୍ରୀ ନଳିନୀ ରଞ୍ଜନ ମହାନ୍ତି, ବୁଣାକାର ପଦ୍ମଶ୍ରୀ ଚତୁର୍ଭୁଜ ମେହେର, ଓଡିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ କୁମକୁମ ମହାନ୍ତି, ଭୂ-ବିଜ୍ଞାନୀ ପଦ୍ମଶ୍ରୀ ରବିନାରାୟଣ ବସ୍ତିଆ, କବି, ସାହିତ୍ୟିକ ଓ ଅନୁବାଦକ ପଦ୍ମଶ୍ରୀ ଶ୍ରୀନିବାସ ଉଦଗାତା, ଅନ୍ତର୍ଜାତୀୟ ହକି ତାରକା ପଦ୍ମଶ୍ରୀ ଇଗନେସ ତିର୍କୀ, ଓଡିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ମାୟାଧର ରାଉତ, ପଟ୍ଟଚିତ୍ର ଶିଳ୍ପୀ ପଦ୍ମଶ୍ରୀ କୈଳାଶ ଚନ୍ଦ୍ର ମେହେର, ଚକ୍ଷୁ ବିଶେଷଜ୍ଞ ପଦ୍ମଶ୍ରୀ ଡା. ତାରାପ୍ରସାଦ ଦାସ, ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଯକୃତରୋଗୀ ବିଶେଷଜ୍ଞ ପଦ୍ମଶ୍ରୀ ଡା. ସୁବ୍ରତ ଆଚାର୍ଯ୍ୟ, କବି ପଦ୍ମଶ୍ରୀ ହଳଧର ନାଗ, ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ପଦ୍ମଶ୍ରୀ ନୀଳମାଧବ ପଣ୍ଡା, ବୃକକରୋଗ ବିଶେଷଜ୍ଞ ପଦ୍ମଶ୍ରୀ ପ୍ରଫେସର ଡା. ମୁକୁଟ ମିଞ୍ଜ, ଗାୟକ ପଦ୍ମଶ୍ରୀ ଡ. ଜିତେନ୍ଦ୍ର ହରିପାଲଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଦ୍ଵିତୀୟ ଅଧିବେଶନରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ପାତ୍ର ଏବଂ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ, ବିଜ୍ଞାନ ଓ କାରିଗରୀ କୌଶଳ, ସାଧାରଣ ଉଦ୍ଯୋଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବିଶିଷ୍ଟ ବ୍ୟକ୍ତିବିଶେଷ – ଓଡିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଅରୁଣା ମହାନ୍ତି, ବୁଣାକାର ପଦ୍ମଶ୍ରୀ ଗୋବର୍ଦ୍ଧନ ପାଣିକ, ମୂର୍ତ୍ତିକାର ପଦ୍ମଶ୍ରୀ ପ୍ରଭାକର ମହାରଣା, ଓଡିଆ ଓ ହିନ୍ଦୀ କଥାଚିତ୍ର ନିର୍ଦ୍ଦେଶକ ପଦ୍ମଶ୍ରୀ ଶିଶିର ପୁରୁଷୋତ୍ତମ ମିଶ୍ର, ଜୈବିକ କୃଷିବିତ୍ ପଦ୍ମଶ୍ରୀ କମଳା ପୂଜାରୀ, କୃଷିବିତ୍ ପଦ୍ମଶ୍ରୀ ଦୈତାରୀ ନାଏକ, ସାନ୍ତାଳୀ ଭାଷାବିତ୍ ପଦ୍ମଶ୍ରୀ ଡ. ଦମୟନ୍ତୀ ବେସ୍ରା, ଜୈବିକ କୃଷିବିତ୍ ପଦ୍ମଶ୍ରୀ ସାବରମତୀ, ପ୍ରାଣୀ ବିଶେଷଜ୍ଞ ପଦ୍ମଶ୍ରୀ ବଟକୃଷ୍ଣ ସାହୁ, ଘୋଡ଼ାନାଚ ଗୀତିକାର ଓ ନାଟ୍ଯକାର ପଦ୍ମଶ୍ରୀ ଉତ୍ସବ ଚରଣ ଦାସ, ଲୋକସଙ୍ଗୀତ ବିଶେଷଜ୍ଞ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ, କୁଇ ଭାଷା ବିଷାରଦ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ, ଅସ୍ଥିଶଲ୍ୟ ବିଶେଷଜ୍ଞ ପଦ୍ମଶ୍ରୀ ପ୍ରଫେସର କୃଷ୍ଣମୋହନ ପାଠୀ, ସମାଜସେବୀ ପଦ୍ମଶ୍ରୀ ଶ୍ରୀମଦ୍ ବାବା ବଳିଆ, ବ୍ୟାଡ଼ମିଣ୍ଟନ ତାରକା ପଦ୍ମଶ୍ରୀ ପ୍ରମୋଦ ଭଗତ, ବୈଜ୍ଞାନିକ ପଦ୍ମଶ୍ରୀ ପ୍ରଫେସର ଆଦିତ୍ୟ ପ୍ରସାଦ ଦାସ, ଶାସ୍ତ୍ରୀୟ ସଙ୍ଗୀତ ବିଷାରଦ ପଦ୍ମଶ୍ରୀ ଡ. ଶ୍ୟାମାମଣୀ ଦେବୀ, ସାହିତ୍ୟିକ ତଥା ଭାଷାବିତ୍ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ, କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣୀ ଚରଣ କଅଁର, କୃଷି ବିଷାରଦ ପଦ୍ମଶ୍ରୀ ପଟ୍ଟାୟତ ସାହୁ, ସାହିତ୍ୟିକ ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର, ଲୋକସଙ୍ଗୀତ ଗାୟିକା ପଦ୍ମଶ୍ରୀ ଡ. କୃଷ୍ଣା ପଟେଲ, ଓଡ଼ିଶୀ ନୃତ୍ୟ ଶିଳ୍ପୀ ପଦ୍ମଶ୍ରୀ ମାଧବୀ ମୁଦଗଲ୍, ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ କିରଣ ସାଇଗଲ, ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ରଞ୍ଜନା ଗୌହର, ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ, କବି ତଥା ଲେଖକ ଡ. ଫନୀ ମହାନ୍ତି, କବି ପାରମିତା ଶତପଥୀ ଏବଂ ବ୍ୟାସକବି ଫକୀରମୋହନ ଭାଷା ସମ୍ମାନରେ ସମ୍ମାନିତ ଅନୁଷ୍ଠାନ- ସାରଳା ସାହିତ୍ଯ ସଂସଦ,କଟକର ସଭାପତି ଡ ପ୍ରଭାକର ସ୍ଵାଇଁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ତୃତୀୟ ଅଧିବେଶନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟଜଳ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ଏବଂ ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ ବିଶିଷ୍ଟ ବ୍ୟକ୍ତିବିଶେଷ – ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଗୀତା ମହାଲିକ୍, ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଡ଼. ଇଲିଆନା ସୀତାରିଷ୍ଟ, ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ରାମଲି ଇବ୍ରାହିମ୍, ସରସ୍ବତୀ ସମ୍ମାନରେ ସମ୍ମାନିତ ସାହିତ୍ୟିକ ଡ଼. ଜଗନ୍ନାଥ ପ୍ରସାଦ ଦାସ, ମୂର୍ତ୍ତିଦେବୀ ସମ୍ମାନରେ ସମ୍ମାନିତ କବି ତଥା ଲେଖକ ହରପ୍ରସାଦ ଦାସ, କବିର ସମ୍ମାନରେ ସମ୍ମାନିତ ସାହିତ୍ୟିକା ଶ୍ରୀମତୀ ପ୍ରତିଭା ଶତପଥୀ, ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତ ଗାଳ୍ପିକ ଶ୍ରୀ ଅଚ୍ୟୁତାନନ୍ଦ ପତି, ସାହିତ୍ୟିକ ପ୍ରଫେସର ମଧୁସୂଦନ ପତି, କବି ସମ୍ରାଟ୍ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ସମ୍ମାନିତ ନିର୍ଦ୍ଦେଶକ ଶ୍ରୀ ସଚ୍ଚି ଦାସ, ଦାଶକାଠିଆ ଗାୟକ ଶ୍ରୀ ଉପେନ୍ଦ୍ର ପାଣିଗ୍ରାହୀ, ନାଟ୍ଯକାର ଶ୍ରୀ ଅନନ୍ତ ମହାପାତ୍ର, କବି ଓ ଲେଖକ ଶ୍ରୀ ଗୋପାଳ ପଣ୍ଡା, ପାଲାଗାୟକ ଶ୍ରୀ ଜଗନ୍ନାଥ ବେହେରା, ଧର୍ମପଦ ସମ୍ମାନରେ ସମ୍ମାନିତ ସ୍ଥପତି ଶ୍ରୀ ଶ୍ୟାମସୁନ୍ଦର ପଟ୍ଟନାୟକ, ଚିତ୍ରଶିଳ୍ପୀ ଶ୍ରୀ ଜଗଦୀଶ ଚନ୍ଦ୍ର କାନୁନଗୋ, ପଟ୍ଟଚିତ୍ର ଶିଳ୍ପୀ ଶ୍ରୀ ବିନୋଦ ମହାରଣା, ଚିତ୍ରଶିଳ୍ପୀ ଶ୍ରୀ ମହେନ୍ଦ୍ର ପ୍ରସାଦ ମହାପାତ୍ର, ଚିତ୍ରଶିଳ୍ପୀ ଶ୍ରୀ ବଂଶୀଧର ପ୍ରତିହାରୀ, ଜୟଦେବ ସମ୍ମାନରେ ସମ୍ମାନିତ ଅଭିନେତା ତଥା ନିର୍ଦ୍ଦେଶକ ଶ୍ରୀ ପ୍ରଶାନ୍ତ ନନ୍ଦ, ଅଭିନେତା ଶ୍ରୀ ଉତ୍ତମ ମହାନ୍ତି, ଚିତ୍ରଉତ୍ତୋଳକ ତଥା ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର କୁମାର ସାହୁ, ଓ ଅଭିନେତ୍ରୀ ଶ୍ରୀମତୀ ମହେଶ୍ୱତା ରାୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଚତୁର୍ଥ ଅଧିବେଶନରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ଉଚ୍ଚ ଶିକ୍ଷା, ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ଏବଂ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରୀତି ରଞ୍ଜନ ଘଡେଇ ବିଶିଷ୍ଟ ବ୍ୟକ୍ତିବିଶେଷ – ଗାଳ୍ପିକା ଶ୍ରୀମତୀ ଯଶୋଧାରା ମିଶ୍ର, ଚଳଚିତ୍ର ଉତ୍ତୋଳକ ତଥା ନିର୍ଦ୍ଦେଶକ ଶ୍ରୀ ଅପୂର୍ବ କିଶୋର ବୀର, ଅଭିନେତା ଶ୍ରୀ ଶ୍ରୀରାମ ପଣ୍ଡା, କଣ୍ଠଶିଳ୍ପୀ ଶ୍ରୀ ପ୍ରଣବ କିଶୋର ପଟ୍ଟନାୟକ, ପ୍ରଯୋଜକ ତଥା ନିର୍ଦ୍ଦେଶକ ଶ୍ରୀ ଘନଶ୍ୟାମ ମହାପାତ୍ର, ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନିତ କବି ଡ. ରାଜେନ୍ଦ୍ର କିଶୋର ପଣ୍ଡା, କବି ଶ୍ରୀ ସୌଭାଗ୍ୟ କୁମାର ମିଶ୍ର, ସାହିତ୍ଯ ସମୀକ୍ଷକ ଡ. ପ୍ରଫୁଲ୍ଲ କୁମାର ମହାନ୍ତି, ଔପନ୍ଯାସିକ ଡ. ରାମଚନ୍ଦ୍ର ବେହେରା, କବି ଡ. ବଂଶୀଧର ଷଡ଼ଙ୍ଗୀ, ଗାଳ୍ପିକ ତଥା ସ୍ତମ୍ଭକାର ଡ. ଗୌରହରି ଦାସ, ଗାଳ୍ପିକ ତଥା ଔପନ୍ଯାସିକ ଡ. ବିଭୂତି ପଟ୍ଟନାୟକ, ଗାଳ୍ପିକା ଗାୟତ୍ରୀ ସରାଫ୍, ଶିକ୍ଷାବିତ ତଥା ସମୀକ୍ଷକ ଡ. ଦାଶରଥୀ ପ୍ରସାଦ ଦାଶ, ଗାଳ୍ପିକ ତଥା ଔପନ୍ଯାସିକ ଶ୍ରୀ ତରୁଣକାନ୍ତି ମିଶ୍ର, କବି ଡ. ହୃଷିକେଶ ମଲ୍ଲିକ, କବି ଡ. ଗାୟତ୍ରୀବାଳା ପଣ୍ଡା, ସାହିତ୍ୟିକ ଡ. ଆଶୁତୋଷ ପରିଡା, ବ୍ୟାସକବି ଫକୀରମୋହନ ଭାଷା ସମ୍ମାନରେ ସମ୍ମାନିତ ଅନୁଷ୍ଠାନ- ଫକୀରମୋହନ ସାହିତ୍ୟ ପରିଷଦ, ବାଲେଶ୍ୱରର ସଭାପତି ଶ୍ରୀ ଲକ୍ଷ୍ମୀକାନ୍ତ ତ୍ରିପାଠୀ ଓ ସମ୍ପାଦକ ଶ୍ରୀ ଦୀପକ ବୋଷ ଏବଂ ଉତ୍କଳ ସାହିତ୍ୟ ସମାଜ, କଟକର ସଭାପତି ଡ ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଓ ସାଧାରଣ ସମ୍ପାଦକ ଶ୍ରୀ ଆଦିତ୍ଯ ପ୍ରତାପ ଧଳ ପ୍ରମୁଖଙ୍କୁ ମାନପତ୍ର, ଉତ୍ତରୀୟ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ।

ଆଜିର ସମ୍ବର୍ଦ୍ଧନା ଉତ୍ସବରେ ଯେଉଁ ବ୍ୟକ୍ତିବିଶେଷ ଉପସ୍ଥିତ ରହିପାରିନଥିଲେ ତାଙ୍କ ମାନପତ୍ର, ଉତ୍ତରୀୟ ଓ ଉପଢୌକନକୁ ପରିବାରସ୍ଵଜନ କିମ୍ବା ପ୍ରତିନିଧିମାନେ ଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ଡ଼. ଗାୟତ୍ରୀବାଳା ପଣ୍ଡାଙ୍କୁ ସମ୍ବର୍ଦ୍ଧିତ ତଥା ସମ୍ମାନିତ କରାଯାଇଛି। ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ବିଶେଷ ଅବଦାନ ଓ ସମ୍ମାନ ଲାଭ ନିମନ୍ତେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଅନୁରୂପ ଭାବରେ ଆହୁରି ଅନେକ ବିଶିଷ୍ଟ ତଥା ଖ୍ୟାତନାମା ସାହିତ୍ୟସାଧକମାନଙ୍କୁ ସରକାରଙ୍କ ପକ୍ଷରୁ ସମ୍ମାନିତ କରାଯାଇଛି।

କଳିଙ୍ଗ ଯୁଦ୍ଧର କାହାଣୀ ଉପରେ ଆଧାରିତ ଗାୟତ୍ରୀବାଳାଙ୍କ କବିତା ସଂକଳନ ‘ଦୟାନଦୀ’ ୨୦୧୭ମସିହାରେ ପକ୍ଷୀଘର ପ୍ରକାଶନ ସଂସ୍ଥା ଦ୍ୱାରା ଓ ଏହାର ହିନ୍ଦୀ ଅନୁବାଦ ରାଜକମଲ ପ୍ରକାଶନୀ ଦ୍ୱାରା ପ୍ରକାଶ ପାଇବା ପରେ ଏହା ଜାତୀୟସ୍ତରର ସାହତ୍ୟିକଙ୍କ ମଧ୍ୟରେ ବେଶ୍‌‌ ଆଦୃତି ଲାଭ କରିଛି। ୨୦୨୨ ମସିହାରେ ‘ଦୟାନଦୀ’କୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ମିଳିଛି। ୨୦୧୧ରେ କବିତା ସଂକଳନ ‘ଗାଁ’ ପାଇଁ ପ୍ରଥମେ ଗାୟତ୍ରୀବାଳା କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ପାଇଥିଲେ। ଦୀର୍ଘ ତିନି ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ କାଳ କବିତା, ଗପ, ଉପନ୍ୟାସ, ପ୍ରବନ୍ଧ ଓ ଖବରକାଗଜରେ ସ୍ତମ୍ଭ ରଚନା କରି ଯଥେଷ୍ଟ ପାଠକୀୟ ସ୍ୱୀକୃତି ହାସଲ କରିଥିବା କବି ଗାୟତ୍ରୀବାଳା ପଣ୍ଡାଙ୍କର ଅଦ୍ୟାବଧି ତିରିଶ ଖଣ୍ଡ ପୁସ୍ତକ ପ୍ରକାଶ ପାଇଛି। ଆହତ ପ୍ରତିଶ୍ରୁତି, ଅସ୍ପଷ୍ଟ ଈଶ୍ୱର, ଅଣାୟତ୍ତ, ଗାଁ, ଯେତିକି ଦିଶୁଚି ଆକାଶ, ଆଖି ନାଇଁ କାନ ନାଇଁ, ଏ ରାତିର ଯେତେ ତାରା, ବାଘ, ଦୟାନଦୀ, ମହେଞ୍ଜୋଦାରୋ, ପ୍ରାର୍ଥନାର ଶବ୍ଦପରି, ସ୍ତ୍ରୀଲୋକ ଗୋଟିଏ ଗୋଟିଏ ସଫଳ କବିତା ପୁସ୍ତକ। ସେହିପରି ବିସର୍ଜନ, ନିଜକୁ ନେଇ ସତ ଗପ ଆଦି ଗଳ୍ପ ସଂକଳନ, ମମ୍ମି ଯାହା ଜାଣେ ନାହିଁ, ରାସ୍ତା, ରିପୋର୍ଟର ଓ ମାୟାଜାଲ ପରି ଉପନ୍ୟାସର ସେ ହେଉଛନ୍ତି ସ୍ରଷ୍ଟା। ତାଙ୍କର ପାଞ୍ଚଟି କବିତା ସଂକଳନ ଓ ଗୋଟିଏ ଗଳ୍ପ ସଙ୍କଳନ ଏବଂ ଦୁଇଟି କବିତା ସଂକଳନ ଇଂରାଜୀରେ ପ୍ରକାଶିତ ହୋଇଛି।

ଏହାବ୍ୟତୀତ ସେ ରାଜ୍ୟ ଯୁବ ପୁରସ୍କାର, ରାଜୀବ ଗାନ୍ଧୀ ସଦ୍ଭାବନା ପୁରସ୍କାର, ଉକ୍ରଳ ସାହିତ୍ୟ ସମାଜ ଯୁବ ସାହିତ୍ୟିକ ସମ୍ମାନ, ଶାରଳା କାବ୍ୟ ସମ୍ମାନ, କାଦମ୍ୱିନୀ କବିତା ସମ୍ମାନ, ଫକୀର ମୋହନ ସାହିତ୍ୟ ସମ୍ମାନ, ବସନ୍ତ ମୁଦୁଲି କବିତା ସମ୍ମାନ, ଟାଇମ୍‌‌ ପାସ୍‌‌ ସ୍ୱୟଂଶ୍ରୀ ସମ୍ମାନ, ତାଳପଦେଶ୍ୱରୀ ସାରସ୍ୱତ ସମ୍ମାନ, ଦୀପକ ମିଶ୍ର କବିତା ସମ୍ମାନ, ‘ରାଇଟର୍ସ-ଇନ୍‌‌-ରେସିଡେନ୍ସ’ ଆଟ୍‌‌ ରାଷ୍ଟ୍ରପତି ଭବନ-୨୦୧୫, ସତ୍ୟବାଦୀ ସାହିତ୍ୟ ସମ୍ମାନ ସହ ଦୁଇଦୁଇଥର ଟାଇମ୍ସ ପାୱାର ୱିମେନ୍‌‌ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

ଏହି ଉତ୍ସବରେ ଜୟଦେବ ପୁରସ୍କାରରେ ସମ୍ମାନିତ ପ୍ରଣବ ପଟ୍ଟନାୟକ, ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଅପୂର୍ବ ବୀର, ଡ. ରାଜେନ୍ଦ୍ର କିଶୋର ପଣ୍ଡା, ସୌଭାଗ୍ୟ କୁମାର ମିଶ୍ର, ଡ. ପ୍ରଫୁଲ ମହାନ୍ତି, ଡ. ରାମଚନ୍ଦ୍ର ବେହେରା, ଡ. ବଂଶୀଧର ଷଡ଼ଙ୍ଗୀ, ଗୌରହରି ଦାସ, କବୟତ୍ରୀ ଯଶୋଧରା ମିଶ୍ର, ଗାୟତ୍ରୀ ସରାଫ, ତରୁଣକାନ୍ତି ମିଶ୍ର, ଡ. ହୃଶିକେଷ ମଲ୍ଲିକ ଏବଂ ଡ. ଆଶୁତୋଷ ପରିଡ଼ା, ଘନଶ୍ୟାମ ମହାପାତ୍ର ପ୍ରମୁଖଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଆଦିବାସୀ ମେଳାରେ ‘ବହୁଭାଷୀ ନାଟକ ମହୋତ୍ସବ’

ଭୁବନେଶ୍ବର: ରାଜଧାନୀରେ ଚାଲିଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। ଏହି ଅବସରରେ ଭୁବନେଶ୍ୱର ୟୁନିଟ୍-୧ସ୍ଥିତ ଆଦିବାସୀ ପଡ଼ିଆରେ ଆୟୋଜିତ ‘ଆଦିବାସୀ ମେଳା’ରେ ବହୁଭାଷୀ ନାଟକ ମହୋତ୍ସବ ଆୟୋଜନ କରାଯାଇଛି। ଫେବୃଆରୀ ୩ରୁ ଆରମ୍ଭ ହୋଇଥିବା ଏହି କାର‌୍ୟ୍ୟକ୍ରମରେ ସାନ୍ତାଳୀ, ମୁଣ୍ଡାରୀ, ଦେଶିଆ ଏବଂ ହୋ ଆଦି ଭାଷାରେ ନାଟକ ମଞ୍ଚସ୍ଥ କରାଯାଉଛି। ଏହାକୁ ଦର୍ଶକମାନେ ବେଶ୍ ଆଗ୍ରହର ସହିତ ଉପଭୋଗ କରୁଛନ୍ତି।

ରବିବାର ଦିନ ଆଦିବାସୀ ମେଳାରେ ଦେଶିଆ ଭାଷାରେ ପ୍ରସ୍ତୁତ ନାଟକ ‘ଦେଖ୍ ମେଟା ତୋର୍ ଟୋକିର୍ କଟା’ ପରିବେଷଣ ହୋଇଥିଲା। ଏଥିରେ କୋରାପୁଟ ଜିଲ୍ଲା କୁନ୍ଦୁରାର ମା’ ମାଉଲି କଳା ପରିଷଦର କଳାକାରମାନେ ଏଥିରେ ନିଛକ ଅଭିନୟ କରିଥିଲେ। ସୁନ୍ଦରମାଲ୍ ବାରିକ ଏହି ନାଟକର ନିର୍ଦ୍ଦେଶନା ଦେଇଛନ୍ତି।

ସେହିପରି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ୍ ଅଷ୍ଟଝରଣର ମା’ ଚିନ୍ତାମଣି ମୁଣ୍ଡାରୀ ଅପେରାର କଳାକାରମାନଙ୍କ ପକ୍ଷରୁ ମୁଣ୍ଡାରୀ ଭାଷାରେ ‘ହେମଲ ଉମ୍ବୁଲ’ ନାଟକ ପରିବେଷଣ କରାଯାଇଥିଲା। ଏଥିରେ କାହାଣୀ ରଚନା ଓ ନିର୍ଦ୍ଦେଶନା ସହ ନିଜେ ଅଭିନୟ କରିଛନ୍ତି ଦଶରଥ ସିଂ।

‘ଦେଖ୍ ମେଟା ତୋର୍ ଟୋକିର୍ କଟା’ – ବାଲ୍ୟ ବିବାହ ସଚେତନତା ଉପରେ ଏହି ନାଟକ ଆଧାରିତ। ଏଥିରେ ଗ୍ରାମର ଶିକ୍ଷିତ ଲୋକଙ୍କ ହସ୍ତକ୍ଷେପ ଦ୍ୱାରା କିପରି ବାଲ୍ୟ ବିବାହକୁ ବନ୍ଦ କରାଗଲା ଏବଂ ପରବର୍ତ୍ତୀ ସମୟରେ ଉଭୟ ଝିଅ ଓ ପୁଅ ଉଚ୍ଚ ଶିକ୍ଷିତ ହୋଇ ସୁନ୍ଦର ଜୀବନ ଯାପନ କଲେ ତାହା ଏହି ନାଟକର ମୁଖ୍ୟ କାହାଣୀ ରହିଥିଲା। ଡାହାଣୀମାନଙ୍କୁ ନେଇ ସମାଜରେ ଥିବା ଅନ୍ଧବିଶ୍ୱାସ ଉପରେ ଆଧାରିତ ‘ହେମଲ ଉମ୍ବୁଲ’ ନାଟକ ପ୍ରସ୍ତୁତ କରାଯାଇଛି। ଏଭଳି ଅନ୍ଧବିଶ୍ୱାସଠାରୁ ଦୂରେଇ ରହିବା ପାଇଁ ନାଟକ ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା।

‘‘ଆଦିବାସୀ ମେଳାରେ ପ୍ରଥମ ଥର ପାଇଁ ବହୁଭାଷୀ ନାଟକ ମହୋତ୍ସବ ନିଶ୍ଚିତ ଭାବେ ଏକ ଭଲ ପଦକ୍ଷେପ। ଏହା ଆଦିବାସୀ ସମ୍ପ୍ରଦାୟର କଳାକାରମାନଙ୍କୁ ସୃଜନଶୀଳ ଚିନ୍ତାଧାରା ଗ୍ରହଣ କରିବାକୁ ଏବଂ ସେମାନଙ୍କ ମାଧ୍ୟମରେ ସାମାଜିକ ପରିବର୍ତ୍ତନ ଆଣିବାକୁ ପ୍ରେରଣା ଦେବ’’, କହିଛନ୍ତି ଦଶରଥ ସିଂ।ଶନିବାର, ବହୁଭାଷୀ ନାଟକ ମହୋତ୍ସବର ପ୍ରଥମ ଦିନ ରହିଥିଲା। ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଖଡିଆବାସାରୁ ଆସିଥିବା ମା’ ବିରାଟପାଟ ତାୟାନ୍ ବୁର୍ ବଂଗା ମାଡ଼ିଲ ଡ୍ରାମାଟିକ୍ କ୍ଲବର ସଦସ୍ୟମାନେ ମୁଣ୍ଡାରୀ ଭାଷାରେ”ରିଲିଙ୍ଗ କେଡାମନ୍ମି ଜୀବନ ରେୟା ସେନହୋରା’ ନାଟକ ମଞ୍ଚସ୍ଥ କରିଥିଲେ।

ଏଥିରେ ମୋବାଇଲ ଫୋନର ବହୁଳ ବ୍ୟବହାର କରି ଜଣେ ଆଦିବାସୀ ଯୁବକ କିଭଳି ନିଜର ପ୍ରେମ, ପରିବାର ଏବଂ ବୃଦ୍ଧ ପିତାମାତାଙ୍କୁ ହରାଇଛନ୍ତି ତାହା ଦେଖିବାକୁ ମିଳିଥିଲା। ଶତ୍ରୁଘ୍ନ ସିଂହ ଏହି ନାଟକର ନିର୍ଦ୍ଦେଶନା ଦେଇଛନ୍ତି। ସେହିପରି ସାନ୍ତାଳୀ ଭାଷାରେ “ଦିନ ଗେ ଡୁବୁଙ୍ଗ ଡୁବୁଙ୍ଗ’ ନାଟକ ପରିବେଷଣ କରାଯାଇଥିଲା। ଆଦିବାସୀ ସମ୍ପ୍ରଦାୟରେ ଆଧୁନିକ ନୃତ୍ୟ ଏବଂ ସଙ୍ଗୀତ ଆଦି ବ୍ୟବହାର ଯୋଗୁଁ ସେମାନଙ୍କର ଜୀବନଶୈଳୀ କିପରି ପ୍ରଭାବିତ ହେଉଛି ତାହା ଏଥିରେ ପ୍ରଦର୍ଶନ କରାଯାଇଥିଲା। ଗଙ୍ଗାଧର ହେମ୍ବ୍ରମ ଏହି ନାଟକର ନିର୍ଦ୍ଦେଶନା ଦେଇଛନ୍ତି।

ସାନ୍ତାଳୀ ଭାଷାରେ ନାଟକ ପରିବେଷଣ ପାଇଁ ଏତେ ଚମତ୍କାର ମଞ୍ଚ ଯୋଗାଇ ଦେଇଥିବାରୁ ଶ୍ରୀ ହେମ୍ବ୍ରମ୍ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗକୁ ଧନ୍ୟବାଦ ଦେଇଛନ୍ତି। ନାଟକ ମହୋତ୍ସବର ପ୍ରଥମ ଦିନରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ସଚିବ ରୂପା ରୋଶନ ସାହୁ ଏବଂ ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଯୋଗଦେଇ ଜନଜାତି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ।

‘‘ଆଦିବାସୀ ଭାଷାର ବିବିଧତା ଆମ ରାଜ୍ୟ ପାଇଁ ଏକ ବଡ଼ ସମ୍ପତ୍ତି। ଆଦିବାସୀ ମେଳା ପଡ଼ିଆରେ ଆୟୋଜିତ ବହୁଭାଷୀ ନାଟକ ମହୋତ୍ସବ ମଧ୍ୟ ଆମ ପ୍ରତିଭାବାନ କଳାକାରମାନଙ୍କ ପାଇଁ ଭଲ ସୃଜନଶୀଳ ପ୍ଲାଟଫର୍ମ ପାଲଟିଛି’’, କହିଛନ୍ତି ସଚିବ ରୂପା ରୋଶନ ସାହୁ।

ଫେବୃଆରୀ ୫, ସୋମବାର ଆଦିବାସୀ ମେଳାର ଉଦଯାପନୀ ଉତ୍ସବ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର ପଣ୍ଡିତ ଲାକୋବୋଦ୍ରା ଡ୍ରାମାଟିକ୍ କ୍ଲବ ପକ୍ଷରୁ ‘ହୋ’ ଭାଷାରେ ନାଟକ ‘ଆଦିବାସୀ’ ପରିବେଷଣ କରାଯିବ। ଏହାର ରଚନା ଓ ନିର୍ଦ୍ଦେଶନା ଦେଇଛନ୍ତି ରାଜ ଗାଇପାଇ। ଏଥିରେ ବିସ୍ଥାପିତ ଆଦିବାସୀ ସମ୍ପ୍ରଦାୟର ବିଭିନ୍ନ ଦୁର୍ଦ୍ଦଶାକୁ ନେଇ ପ୍ରସ୍ତୁତ ହୋଇଛି ବୋଲି ମ୍ୟାନେଜର ସମୟ ପୂର୍ତ୍ତି କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସମ୍ପର୍କିତ ବିମର୍ଶ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଶନିବାର ଠାରୁ ଓଡ଼ିଶା ସରକାରଙ୍କର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ୩ ଦିନିଆ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ଦୁଇ ଦିନ ଧରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସମ୍ପର୍କିତ ବିମର୍ଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ଓଡ଼ିଆ ୬ଷ୍ଠ ତମ ଭାରତୀୟ ଭାଷା ଭାବେ ଶାସ୍ତ୍ରୀୟ ମାନ୍ୟତା ଲାଭ କରିସାରିଛି। ଏହି ଭାଷାକୁ ବିକଶିତ କରିବା ନିମନ୍ତେ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ରବିବାର ଏଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଆୟୋଜିତ ବିମର୍ଶରେ ବକ୍ତାମାନେ ମତ ରଖିଛନ୍ତି।

ଓଡ଼ିଶା ସରକାରଙ୍କର ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୁଜାରୀ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ଅବସରରେ ଓଡ଼ିଆ ଭାଷାର ବଳିଷ୍ଠ ଐତିହ୍ୟ ଓ ପରମ୍ପରା ରହିଛି ବୋଲି କହିବା ସହ ୧୯୩୬ ମସିହାରେ ଭାଷା ଭିତିକ ରାଜ୍ୟ ଭାବେ ଓଡ଼ିଶାକୁ ମାନ୍ୟତା ଦିଆଯାଇଥିଲା ବୋଲି କହିଥିଲେ।

ଯୁବ ଓଡ଼ିଆ ଏବଂ ବିଶେଷ କରି ଯେଉଁମାନେ ରାଜ୍ୟ ଅଥବା ଦେଶ ବାହାରେ ରହୁଛନ୍ତି ସେମାନଙ୍କ ମନରେ ଓଡ଼ିଆ ଭାଷା ପ୍ରତି ଆଗ୍ରହ ଜନ୍ମାଇବା ଏବଂ ସେମାନଙ୍କୁ ମାତୃଭାଷା ବିଷୟରେ ସଚେତନ କରାଇବା ସହ ସେମାନେ ଯେପରି ଏଥିପାଇଁ ଗର୍ବ ଅନୁଭବ କରିବେ ସେହି ଲକ୍ଷ୍ୟ ନେଇ ରାଜ୍ୟ ସରକାର ଏହି ୩ ଦିନିଆ ବିଶ୍ୱ ଓଡ଼ିଆ ଭାଷା
ସ୧ିଳନୀର ଆୟୋଜନ କରିଛନ୍ତି ବୋଲି ମବୀ କହିଥିଲେ।

ଏହା ମୁଖ୍ୟମବୀ ନବୀନ ପଟ୍ଟନାୟକଙ୍କର ଦୁରଦର୍ଶୀତାକୁ ସୁଚାଏ ବୋଲି ଶ୍ରୀ ପୂଜାରୀ କହିଥିଲେ।

ଏହି ଅବସରରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ମବୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ତଥା ପୂର୍ବତନ ମବୀ ଶ୍ରୀ ରାସ ବିହାରୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମାନବ ଶିକ୍ଷାବିତ୍ ତଥା
ସଂସ୍କୃତି ବିଶେଷଜ୍ଞ ପ୍ରଫେସର ଜଗନ୍ନାଥ ଦାସ ଏବଂ ଦୈନିକ ଓଡ଼ିଆ ସମ୍ବାଦପତ୍ର ‘ସକାଳ’ର ସମ୍ପାଦକ ତଥା ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ଉମାକାନ୍ତ ମିଶ୍ର ସମ୍ମାନିତ ଅତିଥି ଭାବେ
ଯୋଗ ଦେଇ ବକ୍ତବ୍ୟ ରଖିଥିଲେ।

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ସେଂଟର ଫର ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲ୍‌ଚର୍ ଆଣ୍ଡ ହେରିଟେଜ ଅଫ୍ ଇଣ୍ଡିଆ (ପ୍ରାଚୀନ)ର ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିବା ବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ମଧ୍ୟ ବକ୍ତବ୍ୟ ରଖିଥିଲେ।

ଓଡ଼ିଶାର ଦୁଇ ମହାନ କବି ଗଙ୍ଗାଧର ମେହେର ଓ ଭୀମ ଭୋଇଙ୍କ କାର୍ଯ୍ୟକୁ ଗଭୀର ଭାବେ ବ୍ୟାଖ୍ୟା କରି ଶ୍ରୀ ପୂଜାରୀ କହିଥିଲେ ଯେ ସେମାନଙ୍କ କବିତାରେ ଗଭୀର ଦାର୍ଶନିକ ତତ୍ୱ ରହିଛି ଏବଂ ସେହି ମହାନ କୃତିକୁ ଅଧ୍ୟୟନ ଏବଂ ଗବେଷଣା କରିବାର ଆବଶ୍ୟକତା ରହିଛି।

ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହଯୋଗର ହାତ ବଢ଼ାଇଥିବାରୁ ସୋଆକୁ ଧନ୍ୟବାଦ ଦେବା ସହ ମବୀ କହିଥିଲେ ଯେ ଓଡ଼ିଆ ଭାଷାକୁ ଅଧିକ ବିକଶିତ କରିବା ପାଇଁ ସରକାର ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ କରିଛନ୍ତି।

ଓଡ଼ିଆ ଭାଷାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟ ନେଇ ଆୟୋଜିତ ଏହି ସମ୍ମିଳନୀ ନିମନ୍ତେ ମୁଖ୍ୟ ଅତିଥି ଶ୍ରୀ ବେହେରା ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ। ଏଭଳି କାର୍ଯ୍ୟର ଧାରାକୁ ଜାରି ରଖିବା ସହ ସ୍କୁଲ ଓ କଲେଜରେ ପାଠ ପଢ଼ୁଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଓଡ଼ିଆ ଭାଷାର ପ୍ରଚାର ପ୍ରସାର କରିବା ଦିଗରେ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକୁ ଡକ୍ଟର ମିଶ୍ର ମଧ୍ୟ ପ୍ରଶଂସା କରିଥିଲେ। ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଯାଜପୁର ଜିଲ୍ଲା ଜାରକା ନିକଟବର୍ତୀ ତାରାପୁର ବୌଦ୍ଧ ଭଗ୍ନାବଶେଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଓଡ଼ିଆ ହେଉଛି ଅନ୍ୟତମ ସର୍ବ ପୁରାତନ ଲିପି।

ତେବେ ବିଶ୍ୱବିଦ୍ୟାଳୟମାନେ ଓଡ଼ିଆ ଭାଷାକୁ ପ୍ରୋତ୍ସାହନ ଦେବା ନିମନ୍ତେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହାକୁ ଅଧିକ ଲୋକପ୍ରିୟ କରିବା ନେଇ ପ୍ରଚେଷ୍ଟା କରିବା ଆବଶ୍ୟକ ବୋଲି ସେ କହିଥିଲେ।

ପ୍ରଫେସର ଦାସ କହିଥିଲେ ଯେ ଜଗନ୍ନାଥ ସଂସ୍କୃତିରୁ ହିଁ ଓଡ଼ିଆ ଭାଷାର ଉତ୍ପତ୍ତି। ଏକତା ବଜାୟ ରଖିବା ନିମନ୍ତେ ଭାଷା ହିଁ ହେଉଛି ଏକମାତ୍ର ମାଧ୍ୟମ। ଓଡ଼ିଆ ସାହିତ୍ୟକୁ ନେଇ ସୋଆ ଏକ ସଂଗ୍ରହାଳୟ ସ୍ଥାପନ କରିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ।

କାର୍ଯ୍ୟକ୍ରମର ପ୍ରଥମ ଦିନର ଅଧିବେଶନ ଗୁଡ଼ିକରେ ଶ୍ରୀକ୍ଷେତ୍ରର ଅଭିନୟ କଳା ବିମର୍ଶ, ଶ୍ରୀଜଗନ୍ନାଥ ଚେତନା-ଦର୍ଶନ ଓ ବାସ୍ତବତା, ଓଡ଼ିଆ ସାହିତ୍ୟ ସର୍ଜନରେ ଶ୍ରୀଜଗନ୍ନାଥ ଚେତନା, ସାରୋଳଦାସ ସାହିତ୍ୟ ବିମର୍ଶ, ବଳରାମ ଦାସ ସାହିତ୍ୟ ବିମର୍ଶ, ଜଗନ୍ନାଥ ଦାସ ସାହିତ୍ୟ ବିମର୍ଶ, ମଧ୍ୟକାଳୀନ ସାହିତ୍ୟର ବିଷୟ ବୈଚିତ୍ର‌୍ୟ, ମଧ୍ୟକାଳୀନ ସାହିତ୍ୟରେ ବର୍ଣ୍ଣନା ବୈଚିତ୍ର‌୍ୟ, ଓଡ଼ିଆ ପୁରାଣ ଓ ସାହିତ୍ୟ ବିମର୍ଶ, ସନ୍ଥ ସାହିତ୍ୟ ବିମର୍ଶ ଓ ଭକ୍ତି – ପ୍ରୀତି ଚେତନା ବିମର୍ଶ ଭଳି ବିଷୟ ବସ୍ତୁ ରହିଥିଲା।

ସେହିପରି ସୋମବାର ଆୟୋଜିତ ହେବାକୁ ଥିବା ବିମର୍ଶରେ ଜନଜାତି ନାଚ ଓ ଗୀତ, ଜନଜାତି କଥା ଓ ଗାଥା, ଜନଜାତି ଭାଷା, ଓଡ଼ିଆ ବର୍ଣ୍ଣ ଓ ଲିପି ବିମର୍ଶ, ବ୍ୟାକରଣ ବିମର୍ଶ, ଓଡ଼ିଆ ଅଭିଧାନ ବିମର୍ଶ, ପରମ୍ପରା ଓ ଆଧୁନିକତା, ଓଡ଼ିଆ ପାରମ୍ପରିକ ସଂଗୀତ, ଓଡ଼ିଆ ପାରମ୍ପରିକ ଅଭିନୟ କଳା, ଓଡ଼ିଆ ପାରମ୍ପରିକ ଚିତ୍ରକଳା, ଓଡ଼ିଆ ଶ୍ରାବ୍ୟକାବ୍ୟରେ ଆଧୁନିକତା, ଓଡ଼ିଆ କଥାକାବ୍ୟରେ ଆଧୁନିକତା ଓ ଓଡ଼ିଆ ଦୃଶ୍ୟକାବ୍ୟରେ ଆଧୁନିକତା ଭଳି ବିଷୟବସ୍ତୁ ଉପରେ ଆଲୋଚନା ହେବ।

କାର୍ଯ୍ୟକ୍ରମର ଉଦ୍‌ଯାପନୀ ଅଧିବେଶନରେ ସୋମବାର ବିଶିଷ୍ଟ ଓଡ଼ିଆ ଔପନ୍ୟାସିକ, ଆଲୋଚକ, ସ୍ତମ୍ଭକାର ଓ ଶିକ୍ଷାବିତ୍ ଶ୍ରୀ ବିଭୁତି ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅବସରରେ ସୋଆରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ

ଭୁବନେଶ୍ୱର: ଫେବୃଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଏଠାରେ ଆୟୋଜିତ ହେବାକୁ ଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ଓ ରାଜ୍ୟ ସରକାରଙ୍କ ଆହ୍ୱାନ କ୍ରମେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ଶନିବାର ସମୂହ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା ।

ସୋଆ ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ ପ୍ରଧାନ, ଜଂଏଟ୍ ରେଜିଷ୍ଟ୍ରାର ଶ୍ରୀ ଭୀଷ୍ମ ଚରଣ ଦାସ, , ପ୍ରାଚୀନ ର ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା ଓ ବିଶ୍ୱବିଦ୍ୟାଳୟ ମୁଖ୍ୟ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥାଇ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ ।

ଏଥି ସହିତ ସୋଆ ର କ୍ୟାମ୍ପସ୍ -୫ ସ୍ଥିତ ଷ୍ଟାଡିୟମ୍ ରେ ମଧ୍ୟ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଏହି ସମୂହ ସଂଗୀତ ଗାନ କରିଥିଲେ ।

ଏଥିରେ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ , ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ ( ଆଇବିସିଏସ୍‌) ର ଡିନ୍ ପ୍ରଫେସର ଅନୁପ ସାମନ୍ତରାୟ, ସ୍କୁଲ୍ ଅଫ୍ ଫାର୍ମସ୍ୟିଟୁକାଲ୍ ସାଇନସେସ୍ (ଏସ୍‌ପିଏସ୍‌) ର ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହାୟର ସେକେଣ୍ଡାରି ଏଜୁକେସନ୍‌ର ପ୍ରିନସିପାଲ୍ ଡ.ପି.ସି. ଦାସ ଓ ସ୍ପୋର୍ଟ ଅଫିସର ସୁନିତା ବର୍ମା ପ୍ରମୁଖ ଉପସ୍ଥିତ ରହି ଏହି ସଂଗୀତ ଗାନ କରିଥିଲେ ।

ସୋଆର ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ତଥା ହସ୍ପିଟାଲ୍ ମାନଙ୍କରେ ମଧ୍ୟ କର୍ମଚାରୀ ମାନଙ୍କ ଦ୍ୱାରା ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଛି ।

Categories
ଆଞ୍ଚଳିକ

ଓଡ଼ିଆ ଭାଷା ହିଁ ଓଡ଼ିଆ ଜାତିର ଅସ୍ତିତ୍ବ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉଦଘାଟନୀ ଉପଲକ୍ଷେ ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଆଜି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ସର୍ଜନାତ୍ମକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପୂର୍ବାହ୍ଣ ଏଗାର ଘଟିକା ସମୟରେ ସମସ୍ତ ଅତିଥି, ଶିକ୍ଷାର୍ଥୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରଥମେ ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ସମୂହ ଭାବେ ଗାନ କରିଥିଲେ।

ଏହା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ୱାଧୀନା ମଞ୍ଜରୀ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଗାଳ୍ପିକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା, ସମ୍ମାନିତ ଅତିଥିଭାବେ କବି ଦିଗମ୍ବର ବିଶ୍ୱାଳ, ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ସଞ୍ଜୟ କୁମାର ପଣ୍ଡା ଓ ବରିଷ୍ଠ ଶିକ୍ଷକ ଗୋପୀନାଥ ପ୍ରଧାନ ଯୋଗଦେଇ ଓଡ଼ିଆ ଭାଷା ଓ ସାହିତ୍ୟର ଉତ୍କର୍ଷତା ଓ ପ୍ରସାରତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ମୁଖ୍ୟ ଅତିଥି କହିଥିଲେ ଯେ ଶାସ୍ତ୍ରୀୟ ଭାଷା ଭାବେ ମାନ୍ୟତା ଲାଭ କରିଥିବା ଓଡ଼ିଆ ଭାଷା ହେଉଛି ଆମର ଯଥାର୍ଥ ପରିଚୟ ଓ ଅସଲ ଅସ୍ତିତ୍ବ। ଓଡ଼ିଆ ଭାଷା ହିଁ ଆମର ବ୍ୟକ୍ତିତ୍ୱ, ସର୍ଜନଶୀଳତା ଓ ବୌଦ୍ଧିକ ବିକାଶକୁ ତ୍ବରାନିତ କରିଥାଏ। ଏଥି ସହ ଚିଲିକା ଓ ବାଣପୁର ମାଟିର ସାହିତ୍ୟିକ ମାନଙ୍କର ଓଡ଼ିଆ ଭାଷା ସାହିତ୍ୟକୁ ଅବଦାନ ସମ୍ପର୍କରେ ଉପସ୍ଥାପିତ କରିଥିଲେ।

ଅନ୍ୟ ଅତିଥିମାନେ ଛାତ୍ର ଛାତ୍ରୀମାନେ କିପରି ପାଠ୍ୟପୁସ୍ତକ ସହ ଓଡ଼ିଆ ଲେଖକ ମାନଙ୍କର ବହି ପ୍ରଚୁର ପରିମାଣରେ ପଢିବା ସହ ନିଜେ ନିଜର ସର୍ଜନଶୀଳତା ଦ୍ୱାରା ଓଡ଼ିଆ ଭାଷା ଓ ସାହିତ୍ୟକୁ ପରିପୁଷ୍ଟ କରିପାରିବେ ସେ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି ଅବସରରେ ଶିକ୍ଷକ ଓ ଛାତ୍ର ଛାତ୍ରୀମାନେ ନିଜର ସ୍ୱରଚିତ ଲେଖା ପାଠ କରିଥିଲେ।  ଶିକ୍ଷକ ସୁରେନ୍ଦ୍ର ନାଥ ନାୟକ ଓଡ଼ିଆ ଭାଷାର ଗାରିମା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସଭାପତୀୟ ଅଭିଭାଷଣରେ ପ୍ରଧାନ ଶିକ୍ଷକ ଶିକ୍ଷାର୍ଥୀମାନଙ୍କୁ ଓଡ଼ିଆ ଜାତିର ଇତିହାସ,ଗରିମାମୟ କାହାଣୀ ଜାଣିବା ସହ ଓଡ଼ିଆ ଭାଷାରେ ଗଳ୍ପ କବିତା ନାଟକ ଆଦି ଲେଖିବା ପାଇଁ ଉତ୍ସାହିତ କରିଥିଲେ।

ଏହାପରେ ବିଭିନ୍ନ ଭାଷା ଦକ୍ଷତା ପ୍ରତିଯୋଗିତାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ନିକଟରେ ଜିଲ୍ଲାର ଶ୍ରେଷ୍ଠ ଶିକ୍ଷକ ଭାବେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ହୋଇଥିବା ଶିକ୍ଷକ ଗୋପୀନାଥ ପ୍ରଧାନଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା। ଶେଷରେ ଧନ୍ୟବାଦ ଦେଇଥିଲେ ସହକାରୀ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ପାଇକରାୟ।

Categories
ଆଞ୍ଚଳିକ

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ଉଦଘାଟିତ: ସମ୍ବର୍ଦ୍ଧିତ ହେଲେ ବାଣପୁର ମଣ୍ଡଳର ସମସ୍ତ କବି ଓ ଲେଖକ

ବାଣପୁର (ସୀତାରାମ ଅଗ୍ରୱାଲ): ଭାରତବର୍ଷର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଆମ ଓଡ଼ିଶା ର ଶାସ୍ତ୍ରୀୟ ମାନ୍ୟତା ଲାଭ କରିଥିବା ପ୍ରାଚୀନ ଭାଷା ମଧ୍ୟରୁ ଅନ୍ୟତମ। ଆମ ପ୍ରିୟ ମାତୃଭାଷା ଓଡ଼ିଆ ଭାଷାର “ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ” ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଅକ୍ଷର ଧାମଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଆନନ୍ଦ ଉଲ୍ଲାସର ସହିତ ଉଦ୍‌ଘାଟିତ ହୋଇଥିବାବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ତଥା ବାଣପୁର ମଣ୍ଡଳର ଓଡ଼ିଆ ଭାଷା ସାହିତ୍ୟର ସମସ୍ଥ କବି, ଗାଳ୍ପିକ, ଗୀତିକାର, ନାଟ୍ୟକାର, ସ୍ତମ୍ବକାର, ପ୍ରାବନ୍ଧିକ, ଗବେଷକଙ୍କୁ ବାଣପୁର ମଣ୍ଡଳ ସଭାଗୃହରେ ସମ୍ବର୍ଦ୍ଧିତ କରାଯାଇଛି।

ବାଣପୁର ମଣ୍ଡଳ ଉନ୍ନୟନ ଅଧିକାରିଣୀ ଶୀତଲ ଅଗ୍ରୱାଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସମାରୋହର ପ୍ରାରମ୍ଭରେ ପ୍ରଥମେ ଉତ୍କଳର ଜାତୀୟ ସଂଗୀତ “ବନ୍ଦେ ଉତ୍କଳଜନନୀ “ସାମୁହିକ ଭାବେ ଗାନକରାଯାଇଥିଲା। ପରେ ଶ୍ରୀମତୀ ଅଗ୍ରୱାଲ ସମାରୋହର ଉଦ୍ଦେଶ୍ୟ ସଂପର୍କରେ ଆଲୋପାତ କରି ଆଜିର ଦିବସକୁ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିବସ ଭାବରେ ବର୍ଣ୍ଣନା କରି ଓଡ଼ିଆସାହିତ୍ୟ ଭଣ୍ଡାର କୁ ରୁଦ୍ଧିମନ୍ତ କରିଥିବା ବାଣପୁର ମାଟିର ସେହି ସାରସ୍ଵତ ପ୍ରତିଭାଧରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ବାଣପୁର ମାଟିରେ ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି ନିମନ୍ତେ ବ୍ୟକ୍ତିଗତ ଭାବେ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ଘୋଷଣା କରି ସମସ୍ଥ ସାହିତ୍ୟକ ବନ୍ଧୁ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।

ଚିଲିକା ସାହିତ୍ୟ ସମାଜର ସଭାପତି କବି ବାଳମୁକୁନ୍ଦ ଦାସଙ୍କ ପରିଚାଳନାରେ ଆୟୋଜିତ ଏହି ସମ୍ମିଳନୀରେ “ଭାଷା ହିଁ ଭବିଷ୍ୟତ” ଉପରେ ଆଲୋଚନା କରାଯାଇ ଏ ମାଟିରେ ଜନ୍ମ ଗ୍ରହଣ କରିଥିବା ପ୍ରାଚୀନକାବ୍ୟ “ସର୍ବାଙ୍ଗ ସୁନ୍ଦରୀ'”ର ପ୍ରଖ୍ୟାତ କବି ପାତ୍ରଲୋକନାଥ ବିଦ୍ୟାଧର, କବି ରଘୁନାଥ ହରିଚନ୍ଦନ,କବିଗୌରଚନ୍ଦ୍ର ମାନସିଂହ, ଦାଶରଥି କବିଚ଼ନ୍ଦ୍ରଠାରୁ ଆରମ୍ଭ କରି ଆଧୁନିକ ଓଡ଼ିଶାର କବି ଗୋଦାବରୀଶ ମିଶ୍ର, ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ର, ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ, ନାଟ୍ୟକାର ପର୍ଶୁରାମହରିଚନ୍ଦନଙ୍କ ସମେତ ଅନେକ ସାରସ୍ଵତ ପ୍ରତିଭାଧରଙ୍କ କାଳଜୟୀ ସୃଷ୍ଟି ଓଡ଼ିଆ ଭାଷା ସାହିତ୍ୟକୁ ଚ଼ିର ଉଜ୍ବଳ କରୁଥିବ ବୋଲି ବର୍ଣ୍ଣନା କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏଭଳି ସାଧୁ ପ୍ରୟାସ ପ୍ରତି କୃତଜ୍ଞତା ଜ୍ଞାପନ କରାଯାଇଥିଲା।

ଏହି ଅବସରରେ କବି ଶିବମିଶ୍ର, ସଂଗ୍ରାମ କେଶରୀ ସାହୁ, ଆନନ୍ଦ ଚନ୍ଦ୍ର ସେନାପତି, ରଂକନାଥ ସେଠୀ ରମେଶ ମହାପାତ୍ର ଓ ମପ୍ରକାଶ ଅଗ୍ରୱାଲ, ଡ଼ା ସୁରେନ୍ଦ୍ର ଦାସ, ଶେଷ ଦେବ ମହାରଣା, ଲକ୍ଷ୍ମୀପ୍ରସାଦ ମିଶ୍ର, ସର୍ବେଶ୍ଵର ଷଡ଼ଙ୍ଗୀ, ଦେବାଶିଷ ପଟ୍ଟନାୟକ, କବୟତ୍ରୀ ଶ୍ରୀମତୀ କୃଷ୍ଣା ମିଶ୍ର, ସ୍ତମ୍ବକାର ନୃସିଂହ ପ୍ରସାଦ ମିଶ୍ର, ପ୍ରଦୋଷ କୁମାର ଦାସ, ନାଟ୍ୟକାର ଭିକାରୀଚରଣ ପ୍ରଧାନ, ମହେଶ୍ୱର ଜେନା, ଗାଳ୍ପିକ ରାମଚ଼ନ୍ଦ୍ର ସେଠୀ, ରାଜେନ୍ଦ୍ର ପ୍ରସାଦ ରଥ ଓ ଗୀତିକାର ସୁରେଶ ଚନ୍ଦ୍ର ବିଗ୍ରହଙ୍କୁ ଉପଢ଼ୌକନ ଓ ପ୍ରଶଂସାପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଆଗାମୀ ଦିନରେ ଚ଼ିଲିକା ସାହିତ୍ୟ ସମାଜ ତରଫରୁ ଯୁବଲେଖକମାନଙ୍କୁ ଉତ୍ସାହିତ କରିବାକୁବାଣପୁରରେ ଏକ ପୁସ୍ତକମେଳାର ଆୟୋଜନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪, ଶାସ୍ତ୍ରୀୟ ଓଡ଼ିଆ ଭାଷା ସଂପର୍କରେ ବିସ୍ତୃତ ଆଲୋଚନା

ଭୁବେନେଶ୍ବର:  ପ୍ରାଚୀନ ଐତିହ୍ୟସମ୍ପନ୍ନ ଓ ସାହିତ୍ୟିକ ପରମ୍ପରାରେ ସମୃଦ୍ଧ ହୋଇଥିବା ଭାଷାକୁ ଶାସ୍ତ୍ରୀୟ ଭାଷା କୁହାଯାଏ । ଭାରତରେ ୧୬୩୫ଟି ମାତୃଭାଷା ରହିଥିବାବେଳେ କେବଳ ୨୨ ଟି ଭାଷା ସମ୍ବିଧାନ ଦ୍ୱାରା ସ୍ୱୀକୃତ ଓ ଅନ୍ତର୍ଭୁକ୍ତ। ୨୦୧୪ ମସିହା ମାର୍ଚ୍ଚ ୧୧ ତାରିଖରେ ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଅର୍ଜନ କରିଥିଲା।

ଓଡିଆ ଇଣ୍ଡୋ-ଆର୍ଯ୍ୟ ଭାଷା ପରିବାରର ପ୍ରଥମ ପୂର୍ବ ଓ ଉତ୍ତର ଭାରତର ପ୍ରଥମ ଭାଷା । ଜନତା ମଇଦାନରେ ଆୟୋଜିତ ବିଶ୍ୱ ଓଡିଆ ଭାଷା ସମ୍ମିଳନୀରେ ବ୍ୟାସକବି ଫକିରମୋହ[ ସେନାପତି କକ୍ଷରେ ଆୟୋଜିତ ହୋଇଥିବା ‘ଓଡିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଓ ଆମ ଦାୟିତ୍ୱ’ ସମ୍ପର୍କରେ ଆଲୋଚନା କରାଯାଇଛି।

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆଜି ପ୍ରଥମ ଦିବସରେ ଅନୁଷ୍ଠିତ ‘ଓଡ଼ିଆ: ଭାରତର ଶାସ୍ତ୍ରୀୟ ଭାଷା’ ଶୀର୍ଷକ ଆଲୋଚନା ସଭାରେ ବକ୍ତାମାନେ ଓଡ଼ିଆ ଭାଷାର ଶାସ୍ତ୍ରୀୟତା ନେଇ ମତାମତ ଉପସ୍ଥାପନା କରିଥିଲେ। ବ୍ୟାସକବି ଫକୀର ମୋହନ କକ୍ଷରେ ଆୟୋଜିତ ଏହି ଆଲୋଚନା ସଭା ଆୟୋଜିତ ହୋଇଥିଲା।

ଓଡ଼ିଆ ଶାସ୍ତ୍ରୀୟ ଭାଷା ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଡ. ବସନ୍ତ କୁମାର ପଣ୍ଡା କହିଛନ୍ତି ଯେ ରାଷ୍ଟ୍ର ଗଠନର ମୂଳରେ ଥାଏ ଭାଷା । ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରୁ ଲିଖିତ ବିଭିନ୍ନ ପ୍ରାଚୀନ ଗ୍ରନ୍ଥରେ କଳିଙ୍ଗ, ଉଡ୍ରଦେଶ ଓ ଉଡ୍ର ଭାଷାର ଉଲ୍ଲେଖ ରହିଥିବାବେଳେ ତାହା ସମକାଳରେ ଓଡ଼ିଆ ଭାଷା ଭାବରେ ପରିଚିତି ଅର୍ଜନ କରିଛି।

ପ୍ରସିଦ୍ଧ ସଂସ୍କୃତ ବୈୟାକରଣିକ ପାଣିନୀଙ୍କ ‘ଅଷ୍ଟାଧ୍ୟାୟୀ’ରେ ଉଡ୍ରମା[ଙ୍କୁ କଳିଙ୍ଗ ଜ[ପଦର ଅଧିବାସୀ ଭାବରେ ଅଭିହିତ କରାଯାଇଛି । ଓଡ଼ିଆ ଭାଷା ନାଁରେ ଓଡ଼ିଶାର ନାମକରଣ ହୋଇଛି ବୋଲି ପ୍ରଫେସର ପଣ୍ଡା ପ୍ରକାଶ କରିଛନ୍ତି ।

ବିଶିଷ୍ଟ ସମାଲୋଚକ ଡ. କୀର୍ତ୍ତୀନାରାୟଣ ପାଢ଼ୀ କହିଛନ୍ତି ଯେ ଓଡ଼ିଆ ଭାଷାର କ୍ରମବିକାଶ ସଂପର୍କରେ ଶିଳାଲେଖ, ବୌଦ୍ଧ ଚର୍ଯ୍ୟାପଦ, ସାରଳା ମହାଭାରତ, ମାଦଳା ପାଞ୍ଜି, ଶ୍ରୀଜଗନ୍ନାଥ ମନ୍ଦିର ଇତିହାସ ସମେତ ରୁଦ୍ର ସୁଧାନିଧି, ଜଗମୋହନ ରାମାୟଣ, ଶ୍ରୀମଦ୍‌ ଭାଗବତ, ଚତୁର ବିନୋଦ ଇତ୍ୟାଦି ଗ୍ରନ୍ଥରୁ ପ୍ରମାଣ ମିଳିଥାଏ। ଓଡ଼ଆ ସାହିତି୍ୟକ ଭାଷାର କ୍ରମବିକାଶ ଗଦ୍ୟ ଓ କବିତା ଦ୍ୱାରା ସମୃଦ୍ଧ ହୋଇଛି ବୋଲି ଡ. ପାଢ଼ୀ କହିଥିଲେ।

ପ୍ରଫେସର ବିବୁଧେନ୍ଦ୍ର ନାରାୟଣ ପଟ୍ଟନାୟକ ଏହି ଆଲୋଚନା ସଭାରେ ପୌରୋହିତ୍ୟ କରିଥିବାବେଳେ ଡ଼ ସନ୍ତୋଷ କୁମାର ରଥ ପ୍ରତ୍ନ ଓଡିଆ ଓ ଚର୍ଯ୍ୟାଗୀତି ସମ୍ପର୍କରେ ଆଲୋଚନା କରିଥିଲେ।

ଡ଼ କୈଳାସ ଚନ୍ଦ୍ର ଟିକାୟତରାୟ ଆଲୋଚନା ସଭାରେ ଅଂଶଗ୍ରହଣ କରିଥିବା ବେଳେ ରେଭେନ୍ସା କଲିଜିଏଟ୍‌ ସ୍କୁଲର ଛାତ୍ର ସିଦ୍ଧାର୍ଥ କୁମାର ସାହୁ ଓଡିଆ ଭାଷା ଓ ଏହାର ଉତ୍ସ ପ୍ରସଙ୍ଗରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଡ଼ ଗୋବିନ୍ଦ ଚନ୍ଦ୍ର ପେଣ୍ଠୋଇ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଦୁଇ ଦିନିଆ ବିମର୍ଶ

ଭୁବନେଶ୍ୱର: ଆସନ୍ତା ଫେବୃଆରି ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ୟୁନିଭର୍ସିଟି ପକ୍ଷରୁ ରବିବାର ଏବଂ ସୋମବାର ଦୁଇ ଦିନ ଧରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ବିମର୍ଶ ଆୟୋଜିତ ହେବ।

ଫେବୃଆରି ୪ ଓ ୫ ଦୁଇ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କ ଓଡ଼ିଆଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୋଆର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବ ।

ଫେବୃଆରି ୪ ତାରିଖ ଦିନ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ କୃଷି, କୃଷକ ସଶକ୍ତିକରଣ, ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିଭାଗର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଓ ବିଶିଷ୍ଟ ସାହିତ୍ୟିକ ଶ୍ରୀ ରାସବିହାରୀ ବେହେରା ଉଦ୍‌ଘାଟକ ଭାବେ ଯୋଗ ଦେବେ। ଏହି ଅବସରରେ ପ୍ରଶାସକ, ବୁଦ୍ଧିଜୀବି ଓ ଦୈନିକ ସମ୍ବାଦପତ୍ର ‘ସକାଳ’ର ସମ୍ପାଦକ ଶ୍ରୀ ଉମାକାନ୍ତ ମିଶ୍ର ଏବଂ ମାନବ ଶିକ୍ଷାବିତ୍ ଓ ଗବେଷକ ଶ୍ରୀ ଜଗନ୍ନାଥ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ । ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବେ ।

ପ୍ରଥମ ଦିନର କାର୍ଯ୍ୟକ୍ରମରେ ଶ୍ରୀକ୍ଷେତ୍ରର ଅଭିନୟ କଳା ବିମର୍ଶ, ଶ୍ରୀଜଗନ୍ନାଥ ଚେତନା-ଦର୍ଶନ ଓ ବାସ୍ତବତା, ଓଡ଼ିଆ ସାହିତ୍ୟ ସର୍ଜନରେ ଶ୍ରୀଜଗନ୍ନାଥ ଚେତନା, ସାରୋଳଦାସ ସାହିତ୍ୟ ବିମର୍ଶ, ବଳରାମ ଦାସ ସାହିତ୍ୟ ବିମର୍ଶ, ଜଗନ୍ନାଥ ଦାସ ସାହିତ୍ୟ ବିମର୍ଶ, ମଧ୍ୟକାଳୀନ ସାହିତ୍ୟର ବିଷୟ ବୈଚିତ୍ର‌୍ୟ, ମଧ୍ୟକାଳୀନ ସାହିତ୍ୟରେ ବର୍ଣ୍ଣନା ବୈଚିତ୍ର‌୍ୟ, ଓଡ଼ିଆ ପୁରାଣ ଓ ସାହିତ୍ୟ ବିମର୍ଶ, ସନ୍ଥ ସାହିତ୍ୟ ବିମର୍ଶ ଓ ଭକ୍ତି – ପ୍ରୀତି ଚେତନା ବିମର୍ଶ ଅନ୍ତର୍ଭୁକ୍ତ ।

ସେହିପରି ଦ୍ୱିତୀୟ ଦିନ ଜନଜାତି ନାଚ ଓ ଗୀତ, ଜନଜାତି କଥା ଓ ଗାଥା, ଜନଜାତି ଭାଷା, ଓଡ଼ିଆ ବର୍ଣ୍ଣ ଓ ଲିପି ବିମର୍ଶ, ବ୍ୟାକରଣ ବିମର୍ଶ, ଓଡ଼ିଆ ଅଭିଧାନ ବିମର୍ଶ, ପରମ୍ପରା ଓ ଆଧୁନିକତା, ଓଡ଼ିଆ ପାରମ୍ପରିକ ସଂଗୀତ, ଓଡ଼ିଆ ପାରମ୍ପରିକ ଅଭିନୟ କଳା, ଓଡ଼ିଆ ପାରମ୍ପରିକ ଚିତ୍ରକଳା, ଓଡ଼ିଆ ଶ୍ରାବ୍ୟକାବ୍ୟରେ ଆଧୁନିକତା, ଓଡ଼ିଆ କଥାକାବ୍ୟରେ ଆଧୁନିକତା ଓ ଓଡ଼ିଆ ଦୃଶ୍ୟକାବ୍ୟରେ ଆଧୁନିକତା ଭଳି ବିଷୟବସ୍ତୁ ଉପରେ ଆଲୋଚନା ହେବ ।

ଫେବୃଆରି ୫ ତାରିଖ ଦିନ ଆୟୋଜିତ ହେବାକୁ ଥିବା ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ବିଶିଷ୍ଟ ଓଡ଼ିଆ ଔପନ୍ୟାସିକ, ଆଲୋଚକ, ସ୍ତମ୍ଭକାର ଓ ଶିକ୍ଷାବିତ୍ ଶ୍ରୀ ବିଭୁତି ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯିବ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

5T ଅଧ୍ୟକ୍ଷଙ୍କ ଅକ୍ଷର ଭୂମି ପରିଦର୍ଶନ, ବିଶ୍ୱ ଓଡିଆ ଭାଷା ସମ୍ମିଳନୀର ପ୍ରସ୍ତୁତି କଲେ ସମୀକ୍ଷା 

ଭୁବନେଶ୍ବର: 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ସନ୍ଧ୍ୟାରେ ଜନତା ମୈଦାନ ଓ ଅକ୍ଷର ଭୂମି ପରିଦର୍ଶନ କରି ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ପାଇଁ ଚାଲିଥିବା ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି।

ସୂଚନାଯୋଗ୍ୟ ଯେ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀରେ ରାଜ୍ୟର ସମସ୍ତ ବ୍ଲକ ଓ ଗ୍ରାମ ପଞ୍ଚାୟତକୁ ଯୋଡିବା ସହିତ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଗୁଡିକର ଲାଇଭ ଷ୍ଟ୍ରିମିଙ୍ଗ, ଭାଷା ଓ ଏହାର ଭବିଷ୍ୟତ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ।

ଏହି ସମ୍ମିଳନୀରେ ଭାଷା ସମ୍ପର୍କରେ ଯେଉଁ ପ୍ରସ୍ତାବ ଗୃହୀତ ହେବ, ତାକୁ ଭିତ୍ତି କରି ଗୁରୁତ୍ୱପୂର୍ଣ୍ଣ ନୀତି ନିର୍ଦ୍ଧାରଣ କରି ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ ଐତିହ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ସମ୍ମିଳନୀ ଆୟୋଜନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ ହେଉଛି ‘ଭାଷା ହିଁ ଭବିଷ୍ୟତ’। ସମ୍ମିଳନୀରେ ବିଭିନ୍ନ ବିଷୟ ଉପରେ ୧୬ଟି ଆକାଡେମିକ୍‌ ଅଧିବେଶନ ରହିଛି। ଏଥିରେ ବହୁ ମାନ୍ୟଗଣ୍ୟ ଭାଷାବିତ୍‌, ବୁଦ୍ଧିଜୀବୀ ଙ୍କ ସମେତ ସ୍କୁଲ, କଲେଜର ଛାତ୍ରଛାତ୍ରୀମାନେ ଯୋଗଦେବେ।

ଏହି ସମ୍ମିଳନୀ ଓଡିଶାର ଅତୀତ ଓ ବର୍ତ୍ତମାନର ରୂପାନ୍ତରଣ ପ୍ରକ୍ରିୟା ଉପସ୍ଥାପିତ କରିବ। ଅକ୍ଷର ଭୂମିରେ ପ୍ରଥମ ଥର ପାଇଁ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ପାଳନ କରାଯିବ। ଐତିହ୍ୟ ନଗରୀ ଭୁବନେଶ୍ୱର କେନ୍ଦ୍ର ସ୍ଥଳରେ ଏହି ସମ୍ମିଳନୀ ଓଡିଆ ଭାଷାର ଜୟଗାନ କରିବ।

ଆମ ଭାଷାର ସୌନ୍ଦର୍ଯ୍ୟ ଓ ଖାଣ୍ଡେଲାଇଟ ପଥରରେ ଲିପିବଦ୍ଧ ହୋଇଥିବା କଳିଙ୍ଗ ସ୍ଥାପତ୍ୟର ଅନନ୍ୟ ନିଦର୍ଶନ ଏହା ମାଧ୍ୟମରେ ପ୍ରତିଫଳିତ ହେବ। ଭାଷାପ୍ରେମୀ ବିଶେଷ କରି ଯୁବ ପିଢିଙ୍କ ପାଇଁ ଏହା ହେବ ପ୍ରମୁଖ ଆକର୍ଷଣ ସ୍ଥଳୀ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଆରମ୍ଭ ହେବ ‘ଆସ ପଢିବା’ ଅଭିଯାନ

ଭୁବନେଶ୍ବର: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଓଡ଼ିଆ ଭାଷା ପ୍ରତି ସ୍ୱତନ୍ତ୍ର ରୁଚି ନିମନ୍ତେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ପଠନ ଆନ୍ଦୋଳନ ସୃଷ୍ଟି କରାଯିବ। ସମ୍ମିଳନୀ ସ୍ଥଳର ବିଭିନ୍ନ ସ୍ଥାନରେ ଭ୍ରାମ୍ୟମାଣ ପାଠାଗାର ବ୍ୟବସ୍ଥା କରାଯିବ। ଏଥିସହ ଏକ ବସ ମଧ୍ୟରେ ଉପାଦେୟ ପୁସ୍ତକ ମାନ ରଖାଯାଇ ଏକ ଭ୍ରାମ୍ୟମାଣ ଲାଇବ୍ରେରୀ ପ୍ରତିଷ୍ଠା କରାଯିବ।

ସେହିଭଳି ସମ୍ମିଳନୀ ସ୍ଥାନରେ ୫ଟି ପାଠାଗାର ଗାଡି ପ୍ରତିଷ୍ଠା କରାଯିବ। ଏଥି ନିମନ୍ତେ ଭୁବନେଶ୍ୱରସ୍ଥିତ ବକୁଳ ଫାଉଣ୍ଡେସନ ପକ୍ଷରୁ ବୈଷୟିକ ସହଯୋଗ ପ୍ରଦାନ କରାଯିବ। ସେହିଭଳି ମହାପୁରୁଷଙ୍କ ପଠନ ସମ୍ପର୍କିତ କାଳଜୟୀ ବାର୍ତ୍ତା ଥାଇ ବୁକମାର୍କ ପ୍ରତ୍ୟେକ ପୁସ୍ତକରେ ରହିବ। ତିନିଦିନ ଧରି ଆଗନ୍ତୁକ ମାନେ ଏହା ପାଖରୁ ଦେଖୁବା ସହ ପଢ଼ିବାର ସୁଯୋଗ ପାଇବେ।

ସେହିଭଳି ପଠନ ଅଭ୍ୟାସ ବୃଦ୍ଧି, ରାଜ୍ୟର ଭାଷା, କଳା, ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ପାଇଁ ଏକ ପକେଟ ପୁସ୍ତିକା ମଧ୍ୟ ପ୍ରସ୍ତୁତ କରାଯିବ।ଏଥିରେ ମହାପୁରୁଷମାନଙ୍କ ଉପାଦେୟ ବାର୍ତ୍ତା ରହିବ।

ପଠନ ଅଭ୍ୟାସକୁ ଆହୁରି ମଜାଦାର କରିବାକୁ ଏକ ଡାଏରୀ ମଧ୍ୟ ରହିବ। ଏକ ପୁସ୍ତକ ପଠନ ବେଳେ କଣ ଶିଖିବାକୁ ମିଳିଲା, କେଉଁ ପାରାଚ୍ଛେଦ ମନକୁ ଛୁଇଁଲା, ପୁସ୍ତକର କେଉଁ ପୃଷ୍ଠା ପର୍ଯ୍ୟନ୍ତ ପଢିବା ଶେଷ ହୋଇଛି ଏ ସମ୍ପର୍କରେ ଉଲ୍ଲେଖ କରିବାର ସ୍ଥାନ ରହିବ।

ସେହିଭଳି ଏକ କ୍ୟାଲେଣ୍ଡର ମଧ୍ୟ ଏହି ଅବସରରେ ଦେଖିବାକୁ ମିଳିବ। ବିଭିନ୍ନ ପ୍ରସିଦ୍ଧ ବ୍ୟକ୍ତି ବିଶେଷ ଏବଂ ମହାପୁରୁଷଙ୍କ ଜନ୍ମ ମାସକୁ ଭିତ୍ତିକରି ଏହା ପ୍ରସ୍ତୁତ କରାଯିବ। ଏଥିରେ ତାରିଖ ସହ ଉପାଦେୟ ବାର୍ତ୍ତା ମଧ୍ୟ ଉଲ୍ଲେଖ ରହିବ।

ଏହି ସମ୍ମିଳନୀ ଆସନ୍ତା ଫେବୃଆରୀ ୩ରୁ ୫ ତାରିଖ ମଧ୍ୟରେ ସ୍ଥାନୀୟ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଅନୁଷ୍ଠିତ ହେବ। ଏଥିରେ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା, ଗବେଷକ,ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଓଡ଼ିଆ ଭାଷା ପ୍ରତି ଆଗ୍ରହ ସୃଷ୍ଟି ସହ ଭାଷାକୁ ପ୍ରୋତ୍ସାହିତ କରିବାକୁ ସମ୍ମିଳନୀରେ ବ୍ୟାପକ ଆୟୋଜନ କରାଯାଉଛି। ପ୍ରତ୍ୟେକ ବ୍ୟକ୍ତି ଏଠାକୁ ଆସି ଓଡ଼ିଆ ଭାବେ ନିଜକୁ ଗର୍ବ ଅନୁଭବ କରିବା ସହ ଅଭୁଲା ସ୍ମୃତି ନେଇ ଯିବେ।

Categories
ଆଜିର ଖବର

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କଲେ ୫-‘ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ବର: ଗତ ଡିସେମ୍ବର ୧୯ ତାରିଖରେ ଅନୁଷ୍ଠିତ ତୃତୀୟ ଐତିହ୍ୟ କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ୨୦୨୪ ଫେବ୍ରୁଆରି ୩ ତାରିଖ ରୁ ୫ ତା ରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଭୁବନେଶ୍ବରର ଜନତା ମଇଦାନରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ହେବ।

ଏହି ପରିପ୍ରେକ୍ଷୀରେ ଆଜି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି.କାର୍ତ୍ତିକ ପାଣ୍ଡିଆନ୍ ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ।

ସମ୍ମିଳନୀ ଉପଲକ୍ଷେ ପ୍ରସ୍ତୁତ କରାଯାଉଥିବା ଅକ୍ଷର ଭୂମିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ଦ୍ଵାରା ସମ୍ମିଳନୀର ପ୍ରଥମ ଦିନରେ ଲୋକାର୍ପଣ କରାଯିବ। ଉକ୍ତ ସମ୍ମିଳନୀ ଅବସରରେ ସମସ୍ତ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଓଡ଼ିଆ ଭାଷା ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ ବୋଲି ନିଷ୍ପତି କରାଯାଇଛି।

ଏହି ସମ୍ମିଳନୀରେ ଭାଷା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବିଷୟ ବସ୍ତୁ ଗୁଡ଼ିକୁ ନେଇ ୧୬ ଗୋଟି ସମ୍ପାନ ଆୟୋଜନ କରାଯିବ। ଏତଦବ୍ୟତୀତ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏକ ସ୍ଵତନ୍ତ ସମ୍ପାନର ଆୟୋଜନ ମଧ୍ୟ କରାଯିବ।

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ଲୋକାର୍ପିତ ଲୋଗୋକୁ ଚୟନିତ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କର ପ୍ରମୁଖ ସ୍ଥାନ ଓ କାନ୍ଥରେ ଚିତ୍ରଣ କରାଯିବ।
ଏହି ଲୋଗୋକୁ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯିବା ସହିତ ସମସ୍ତ ସରକାରୀ ଗାଡ଼ିରେ ଷ୍ଟିକରିଂ କରାଯାଇ ସମ୍ମିଳନୀର ପ୍ରଚାର ପ୍ରସାର କରାଯିବ।

ଏହି ସମ୍ମିଳନୀର ପ୍ରଚାର ପ୍ରସାର ନିମନ୍ତେ ବିଷୟ ଭିତ୍ତିକ ସଙ୍ଗୀତ ପ୍ରସ୍ତୁତ କରାଯିବ। ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ଏହି ସମ୍ମିଳନୀର ପ୍ରଚାର ପ୍ରସାର ନିମନ୍ତେ ଆୟୋଜିତ କାର‌୍ୟ୍ୟକ୍ରମ ଗୁଡ଼ିକର ସୂଚନା, ଶିକ୍ଷା ଓ ଯୋଗାଯୋଗ ମାଧ୍ୟମରେ ଉଭୟ ମୁଦ୍ରଣ ଓ ବୈଦ୍ୟୁତିକ ଗଣମାଧ୍ୟମର ବ୍ୟବହାର କରାଯିବ ବୋଲି ନିଷ୍ପତି ହୋଇଛି।

ଓଡ଼ିଶା ପରିବାର ତରଫରୁ ରାଜ୍ୟ ବାହାରେ ଓ ବିଦେଶରେ ରହୁଥିବା ଓଡ଼ିଆ ସଂଗଠନଗୁଡିକୁ ଲାଇଭ ୱେବକାଷ୍ଟ ଦ୍ଵାରା ଯୋଡ଼ାଯାଇ ସମ୍ମିଳନୀର ଉଦଘାଟନ ଓ ଉଦଯାପନ ଉତ୍ସବରେ ବାସ୍ତବ ଓ ଆଭାସୀ ଉପସ୍ଥିତି ନିମନ୍ତେ ଉତ୍ସାହିତ କରାଯିବ। ଏଥିସହିତ ସେମାନଙ୍କର ମତାମତକୁ ବୈଦ୍ୟୁତିକ ଗଣମାଧ୍ୟମ ଓ ମୁଦ୍ରଣ ଗଣମାଧ୍ୟମରେ ପ୍ରକାଶ କରାଯିବା ସହିତ ମତାମତର କ୍ୟାଟଲଗ ମଧ୍ୟ ପ୍ରସ୍ତୁତ କରାଯିବ।

ଏହି ସମ୍ମିଳନୀ ଉପଲକ୍ଷେ ସମ୍ମିଳନୀ ସମ୍ବନ୍ଧୀୟ ଆଲୋଚନା ଚକ୍ର ଓ ଅନ୍ୟାନ୍ୟ କାର‌୍ୟ୍ୟକ୍ରମ ଗୁଡ଼ିକୁ ତଥ୍ୟପୁସ୍ତିକା ମାଧ୍ୟମରେ ପ୍ରକାଶ କରାଯିବ। ପ୍ରତିବର୍ଷ ରାଜ୍ୟସ୍ତରୀୟ ଓଡ଼ିଆ ଭାଷା ସପ୍ତାହ ପାଳନ କରାଯିବା ସହିତ ରାଜ୍ୟ ମାତୃଭାଷା ଦିବସ ପାଳନ କରାଯିବକୁ ବୈଠକରେ ସମ୍ମତି ପ୍ରକାଶ ପାଇଛି।

ମାତୃଭାଷାର ବହୁଳ ବ୍ୟବହାର ନିମନ୍ତେ ବିଭିନ୍ନ ନିଗମ କାର‌୍ୟ୍ୟାଳୟ, ସରକାରୀ କାର‌୍ୟ୍ୟାଳୟ, ବେସରକାରୀ କାର‌୍ୟ୍ୟାଳୟ ଓ ଅନୁଷ୍ଠାନମାନଙ୍କରେ ଓଡ଼ିଆ ଭାଷାର ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ ଏବଂ ସମ୍ବର୍ଦ୍ଧିତ କରାଯିବ।

ସେହିପରି ରାଜ୍ୟ ବାହାରେ ବିଭିନ୍ନ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ରାଜ୍ୟ ବାହାରେ ଓ ବିଦେଶରେ ରହୁଥିବା ଓଡ଼ିଆମାନଙ୍କୁ ଓଡ଼ିଆ ଶିଖିବା ନିମିତ୍ତ ଉଭୟ ଡିଜିଟାଲ ଓ କଠିନ ପୁସ୍ତକ ଯୋଗାଇ ଦିଆଯିବ। ସେମାନଙ୍କୁ ସପ୍ତମ ଶ୍ରେଣୀ ସ୍ତରର ଓଡ଼ିଆ ଉତ୍ତୀର୍ଣ୍ଣ ପ୍ରମାଣପତ୍ର ପ୍ରଦାନ ନିମିତ୍ତ ଏକ ପରୀକ୍ଷା ପ୍ଲାଟଫର୍ମ ମଧ୍ୟ ଉପଲବ୍ଧ କରାଯିବ।

ରାଜ୍ୟରେ ଶହେ ବର୍ଷରୁ ପୁରୁଣା ୧୦୯ଟି ପ୍ରାଥମିକ ବିଦ୍ୟାଳୟ ଏବଂ ୪୫ଟି ଉଚ୍ଚ ବିଦ୍ୟାଳୟକୁ ଐତିହ୍ୟ ଭାବେ ଘୋଷଣା କରାଯିବା ସହ ଉକ୍ତ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ବରପୁତ୍ରମାନଙ୍କୁ ସମ୍ବର୍ଦ୍ଧନା କରାଯିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ଅବସରରେ ସମ୍ମିଳନୀ ସ୍ଥଳ ଏବଂ ଭୁବନେଶ୍ୱର ମହାନଗରକୁ ଆଲୋକମାଳାରେ ସୁସଜ୍ଜିତ କରାଯିବ।

ଉକ୍ତ ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ, ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟ ଓ ବିଭିନ୍ନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବା ସଂପର୍କରେ ଐତିହ୍ୟ କ୍ୟାବିନେଟରେ ନିଷ୍ପତ୍ତି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ରାଜ୍ୟ ଐତିହ୍ୟ କ୍ୟାବିନେଟର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ତା୨୬.୧୨.୨୦୧୭ରିଖରେ ଆୟୋଜିତ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି କ୍ରମେ ୨୦୨୪ ମସିହା ଫେବୃଆରୀ ମାସରେ ତିନି ଦିନ ବ୍ୟାପି ରାଜ୍ୟ ରାଜଧାନୀ ଭୁବନେଶ୍ୱର ଠାରେ ପ୍ରଥମ “ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ” ଆୟୋଜନ କରାଯିବା ନିମନ୍ତେ ଐତିହ୍ୟ କ୍ୟାବିନେଟ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ନିଷ୍ପତ୍ତି ଅନୁସାରେ “ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ” ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଆୟୋଜନ କରାଯିବ । ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତିସମ୍ପନ୍ନ ଭାଷା ବିଜ୍ଞାନୀ ଓ ଭାଷା ବିଶେଷଜ୍ଞ ମାନଙ୍କୁ ସମ୍ମିଳନୀର ବିଷୟଭିଭିକ ଅଧିବେଶନରେ ବକ୍ତବ୍ୟ ରଖିବା ପାଇଁ ନିମନ୍ତ୍ରଣ କରାଯିବ। ସମଗ୍ର ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ଏଥ‌ିରେ ବ୍ୟାପକ ଭାବେ ସାମିଲ କରାଯିବ। ଯୁବପିଢିଙ୍କ ମଧ୍ୟରେ ଓଡ଼ିଆ ଭାଷାର ଆଦୃତ ନିମନ୍ତେ ସେମାନଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ। ଏହି ସମ୍ମିଳନୀ ସମୟରେ ଶିକ୍ଷାନୁଷ୍ଠାନ/ ବିଶ୍ୱବିଦ୍ୟାଳୟମାନେ ନିଜ ନିଜର କାର୍ଯ୍ୟକ୍ରମ ଆୟୋଜନ କରିବେ।

ଏହି “ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ” ଆୟୋଜନ ଦ୍ୱାରା ରାଜ୍ୟ, ରାଜ୍ୟ ବାହାରେ ଓ ବିଦେଶରେ ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ତଥା ଗବେଷଣା କାର୍ଯ୍ୟ ତ୍ୱରାନ୍ୱିତ ହେବ। ଏତଦ୍ ବ୍ୟତୀତ ମାତୃଭାଷାକୁ ସମ୍ମାନ ଦେବା ଓ ଏହାର ଉନ୍ନତି ସାଧନ କରିବା ତଥା ଆଗାମୀ ପିଢିଙ୍କ ପାଇଁ ଓଡ଼ିଆ ଭାଷାର ଅସ୍ମିତାକୁ ବଜାୟ ରଖିବା କାର୍ଯ୍ୟ ସମ୍ପାଦନରେ ଉକ୍ତ ସମ୍ମିଳନୀର ପ୍ରଭାବ ସୁଦୂର ପ୍ରସାରୀ ହୋଇପାରିବ।

ଅନୁଷ୍ଠିତ ଐତିହ୍ୟ କ୍ୟାବିନେଟ ବୈଠକର ଏହି ନିଷ୍ପତ୍ତି ପରେ ପରେ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା ଆର୍.କାର୍ତ୍ତିକେୟନ ଏ ସଂପର୍କରେ ଗଣମାଧ୍ୟମକୁ ବିଶଦ୍ ସୂଚନା ପ୍ରଦାନ କରିଥିଲେ।