Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଆଦିବାସୀ ମେଳାରେ ‘ବହୁଭାଷୀ ନାଟକ ମହୋତ୍ସବ’

ଭୁବନେଶ୍ବର: ରାଜଧାନୀରେ ଚାଲିଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। ଏହି ଅବସରରେ ଭୁବନେଶ୍ୱର ୟୁନିଟ୍-୧ସ୍ଥିତ ଆଦିବାସୀ ପଡ଼ିଆରେ ଆୟୋଜିତ ‘ଆଦିବାସୀ ମେଳା’ରେ ବହୁଭାଷୀ ନାଟକ ମହୋତ୍ସବ ଆୟୋଜନ କରାଯାଇଛି। ଫେବୃଆରୀ ୩ରୁ ଆରମ୍ଭ ହୋଇଥିବା ଏହି କାର‌୍ୟ୍ୟକ୍ରମରେ ସାନ୍ତାଳୀ, ମୁଣ୍ଡାରୀ, ଦେଶିଆ ଏବଂ ହୋ ଆଦି ଭାଷାରେ ନାଟକ ମଞ୍ଚସ୍ଥ କରାଯାଉଛି। ଏହାକୁ ଦର୍ଶକମାନେ ବେଶ୍ ଆଗ୍ରହର ସହିତ ଉପଭୋଗ କରୁଛନ୍ତି।

ରବିବାର ଦିନ ଆଦିବାସୀ ମେଳାରେ ଦେଶିଆ ଭାଷାରେ ପ୍ରସ୍ତୁତ ନାଟକ ‘ଦେଖ୍ ମେଟା ତୋର୍ ଟୋକିର୍ କଟା’ ପରିବେଷଣ ହୋଇଥିଲା। ଏଥିରେ କୋରାପୁଟ ଜିଲ୍ଲା କୁନ୍ଦୁରାର ମା’ ମାଉଲି କଳା ପରିଷଦର କଳାକାରମାନେ ଏଥିରେ ନିଛକ ଅଭିନୟ କରିଥିଲେ। ସୁନ୍ଦରମାଲ୍ ବାରିକ ଏହି ନାଟକର ନିର୍ଦ୍ଦେଶନା ଦେଇଛନ୍ତି।

ସେହିପରି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ୍ ଅଷ୍ଟଝରଣର ମା’ ଚିନ୍ତାମଣି ମୁଣ୍ଡାରୀ ଅପେରାର କଳାକାରମାନଙ୍କ ପକ୍ଷରୁ ମୁଣ୍ଡାରୀ ଭାଷାରେ ‘ହେମଲ ଉମ୍ବୁଲ’ ନାଟକ ପରିବେଷଣ କରାଯାଇଥିଲା। ଏଥିରେ କାହାଣୀ ରଚନା ଓ ନିର୍ଦ୍ଦେଶନା ସହ ନିଜେ ଅଭିନୟ କରିଛନ୍ତି ଦଶରଥ ସିଂ।

‘ଦେଖ୍ ମେଟା ତୋର୍ ଟୋକିର୍ କଟା’ – ବାଲ୍ୟ ବିବାହ ସଚେତନତା ଉପରେ ଏହି ନାଟକ ଆଧାରିତ। ଏଥିରେ ଗ୍ରାମର ଶିକ୍ଷିତ ଲୋକଙ୍କ ହସ୍ତକ୍ଷେପ ଦ୍ୱାରା କିପରି ବାଲ୍ୟ ବିବାହକୁ ବନ୍ଦ କରାଗଲା ଏବଂ ପରବର୍ତ୍ତୀ ସମୟରେ ଉଭୟ ଝିଅ ଓ ପୁଅ ଉଚ୍ଚ ଶିକ୍ଷିତ ହୋଇ ସୁନ୍ଦର ଜୀବନ ଯାପନ କଲେ ତାହା ଏହି ନାଟକର ମୁଖ୍ୟ କାହାଣୀ ରହିଥିଲା। ଡାହାଣୀମାନଙ୍କୁ ନେଇ ସମାଜରେ ଥିବା ଅନ୍ଧବିଶ୍ୱାସ ଉପରେ ଆଧାରିତ ‘ହେମଲ ଉମ୍ବୁଲ’ ନାଟକ ପ୍ରସ୍ତୁତ କରାଯାଇଛି। ଏଭଳି ଅନ୍ଧବିଶ୍ୱାସଠାରୁ ଦୂରେଇ ରହିବା ପାଇଁ ନାଟକ ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା।

‘‘ଆଦିବାସୀ ମେଳାରେ ପ୍ରଥମ ଥର ପାଇଁ ବହୁଭାଷୀ ନାଟକ ମହୋତ୍ସବ ନିଶ୍ଚିତ ଭାବେ ଏକ ଭଲ ପଦକ୍ଷେପ। ଏହା ଆଦିବାସୀ ସମ୍ପ୍ରଦାୟର କଳାକାରମାନଙ୍କୁ ସୃଜନଶୀଳ ଚିନ୍ତାଧାରା ଗ୍ରହଣ କରିବାକୁ ଏବଂ ସେମାନଙ୍କ ମାଧ୍ୟମରେ ସାମାଜିକ ପରିବର୍ତ୍ତନ ଆଣିବାକୁ ପ୍ରେରଣା ଦେବ’’, କହିଛନ୍ତି ଦଶରଥ ସିଂ।ଶନିବାର, ବହୁଭାଷୀ ନାଟକ ମହୋତ୍ସବର ପ୍ରଥମ ଦିନ ରହିଥିଲା। ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଖଡିଆବାସାରୁ ଆସିଥିବା ମା’ ବିରାଟପାଟ ତାୟାନ୍ ବୁର୍ ବଂଗା ମାଡ଼ିଲ ଡ୍ରାମାଟିକ୍ କ୍ଲବର ସଦସ୍ୟମାନେ ମୁଣ୍ଡାରୀ ଭାଷାରେ”ରିଲିଙ୍ଗ କେଡାମନ୍ମି ଜୀବନ ରେୟା ସେନହୋରା’ ନାଟକ ମଞ୍ଚସ୍ଥ କରିଥିଲେ।

ଏଥିରେ ମୋବାଇଲ ଫୋନର ବହୁଳ ବ୍ୟବହାର କରି ଜଣେ ଆଦିବାସୀ ଯୁବକ କିଭଳି ନିଜର ପ୍ରେମ, ପରିବାର ଏବଂ ବୃଦ୍ଧ ପିତାମାତାଙ୍କୁ ହରାଇଛନ୍ତି ତାହା ଦେଖିବାକୁ ମିଳିଥିଲା। ଶତ୍ରୁଘ୍ନ ସିଂହ ଏହି ନାଟକର ନିର୍ଦ୍ଦେଶନା ଦେଇଛନ୍ତି। ସେହିପରି ସାନ୍ତାଳୀ ଭାଷାରେ “ଦିନ ଗେ ଡୁବୁଙ୍ଗ ଡୁବୁଙ୍ଗ’ ନାଟକ ପରିବେଷଣ କରାଯାଇଥିଲା। ଆଦିବାସୀ ସମ୍ପ୍ରଦାୟରେ ଆଧୁନିକ ନୃତ୍ୟ ଏବଂ ସଙ୍ଗୀତ ଆଦି ବ୍ୟବହାର ଯୋଗୁଁ ସେମାନଙ୍କର ଜୀବନଶୈଳୀ କିପରି ପ୍ରଭାବିତ ହେଉଛି ତାହା ଏଥିରେ ପ୍ରଦର୍ଶନ କରାଯାଇଥିଲା। ଗଙ୍ଗାଧର ହେମ୍ବ୍ରମ ଏହି ନାଟକର ନିର୍ଦ୍ଦେଶନା ଦେଇଛନ୍ତି।

ସାନ୍ତାଳୀ ଭାଷାରେ ନାଟକ ପରିବେଷଣ ପାଇଁ ଏତେ ଚମତ୍କାର ମଞ୍ଚ ଯୋଗାଇ ଦେଇଥିବାରୁ ଶ୍ରୀ ହେମ୍ବ୍ରମ୍ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗକୁ ଧନ୍ୟବାଦ ଦେଇଛନ୍ତି। ନାଟକ ମହୋତ୍ସବର ପ୍ରଥମ ଦିନରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ସଚିବ ରୂପା ରୋଶନ ସାହୁ ଏବଂ ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଯୋଗଦେଇ ଜନଜାତି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ।

‘‘ଆଦିବାସୀ ଭାଷାର ବିବିଧତା ଆମ ରାଜ୍ୟ ପାଇଁ ଏକ ବଡ଼ ସମ୍ପତ୍ତି। ଆଦିବାସୀ ମେଳା ପଡ଼ିଆରେ ଆୟୋଜିତ ବହୁଭାଷୀ ନାଟକ ମହୋତ୍ସବ ମଧ୍ୟ ଆମ ପ୍ରତିଭାବାନ କଳାକାରମାନଙ୍କ ପାଇଁ ଭଲ ସୃଜନଶୀଳ ପ୍ଲାଟଫର୍ମ ପାଲଟିଛି’’, କହିଛନ୍ତି ସଚିବ ରୂପା ରୋଶନ ସାହୁ।

ଫେବୃଆରୀ ୫, ସୋମବାର ଆଦିବାସୀ ମେଳାର ଉଦଯାପନୀ ଉତ୍ସବ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର ପଣ୍ଡିତ ଲାକୋବୋଦ୍ରା ଡ୍ରାମାଟିକ୍ କ୍ଲବ ପକ୍ଷରୁ ‘ହୋ’ ଭାଷାରେ ନାଟକ ‘ଆଦିବାସୀ’ ପରିବେଷଣ କରାଯିବ। ଏହାର ରଚନା ଓ ନିର୍ଦ୍ଦେଶନା ଦେଇଛନ୍ତି ରାଜ ଗାଇପାଇ। ଏଥିରେ ବିସ୍ଥାପିତ ଆଦିବାସୀ ସମ୍ପ୍ରଦାୟର ବିଭିନ୍ନ ଦୁର୍ଦ୍ଦଶାକୁ ନେଇ ପ୍ରସ୍ତୁତ ହୋଇଛି ବୋଲି ମ୍ୟାନେଜର ସମୟ ପୂର୍ତ୍ତି କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଭୁବନେଶ୍ବରରେ ଆରମ୍ଭ ହେଲା ଆଦିବାସୀ ମେଳା-୨୦୨୪,  ମୁଖ୍ୟ ଆକର୍ଷଣ ଆଦିବାସୀ ଗାଁ ଓ ହାଟ

ଭୁବନେଶ୍ବର: ଓଡିଶାର ଜନଜାତିଙ୍କ ଜୀବନଜୀବିକା, କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ଆୟୋଜିତ ହୋଇଛି ଆଦିବାସୀ ମେଳା-୨୦୨୪। ଚଳିତ ବର୍ଷ ୟୁନିଟ-୧ ସ୍ଥିତ ଆଦିବାସୀ ପଡିଆରେ ଏହି ମେଳାର ଆୟୋଜନ କରାଯାଇଛି। ଜାନୁଆରୀ ୨୬ ରୁ ଆରମ୍ଭ ହୋଇ ଏହି ମେଳା ଫେବୃଆରୀ ୫ ଯାଏଁ ଚାଲିବ। ପ୍ରତ୍ୟହ ଅପରାହ୍ନ ୨ଟା ୩୦ ରୁ ରାତି ୯ ଟା ଯାଏଁ ଏହି ମେଳା ସର୍ବସାଧାରଣଙ୍କ ନିମନ୍ତେ ଖୋଲାରହିବ।

ଏହି ମେଳାର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାମ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଯୋଗଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଯୋଗ ଦେଇ ଆଦିବାସୀ ମେଳାର ଶୁଭେଚ୍ଛା ବାର୍ତ୍ତା ଜଣାଇଥିଲେ। ସମାରୋହରେ ସମ୍ମାନନୀୟ ଅତିଥି ଭାବେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ରୂପାରୋଶନ ସାହୁ ଯୋଗ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇ କହିଛନ୍ତି, ଜନଜାତିମାନେ ଆମର ଗର୍ବ ଓ ଗୌରବ। ଜନଜାତିମାନଙ୍କ ଉନ୍ନତି ଓ କଲ୍ୟାଣ ତଥା ସେମାନଙ୍କ ସଂସ୍କୃତିର ସୁରକ୍ଷା ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଗଠନ କରାଯାଇଛି। ଜନଜାତି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଆଦିବାସୀ ସଂସ୍କୃତି ସହ ପରିଚିତ କରିବା ପାଇଁ ଭାଷା ଲ୍ୟାବ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଇଛି। ଜାତୀୟସ୍ତରରେ ଜନଜାତିଙ୍କ କଳାକୁ ସ୍ବତନ୍ତ୍ର ପରିଚୟ ମିଳିପାରିଛି।

ଆମ ରାଜ୍ୟରେ ଆଦିବାସୀ ମେଳା ଖୁବ୍ ଲୋକପ୍ରିୟ କାର‌୍ୟ୍ୟକ୍ରମ। ଏହାଦ୍ବାରା ଜନଜାତିଙ୍କ ସାମଗ୍ରୀ ପାଇଁ ବଜାର ସୃଷ୍ଟିର ପ୍ରୟାସ କରାଯିବା ସହ ସେମାନଙ୍କ ସଂସ୍କୃତି ସହ ରାଜ୍ୟବାସୀ ପରିଚିତ ହୋଇ ପାରିଥାନ୍ତି।

ଅନ୍ୟପକ୍ଷେ ବିଭାଗୀୟ ମନ୍ତ୍ରୀ ଶ୍ରୀ ସାରକା କହିଛନ୍ତି, ଜନଜାତିଙ୍କ ଜୀବନଶୈଳୀ, ପରମ୍ପରାକୁ ଲୋକଲୋଚନକୁ ଆଣିବା ପାଇଁ  ପ୍ରତିବର୍ଷ ଆଦିବାସୀ ମେଳାର ଆୟୋଜନ କରୁଛି ବିଭାଗ। ସେମାନଙ୍କୁ ସାମାଜିକ, ଅର୍ଥନୈତିକ ଭାବଧାରାରେ ସାମିଲ କରିବା ଲକ୍ଷ୍ୟ ନେଇ ଆଦିବାସୀ ମେଳାର ଆୟୋଜନ କରାଯାଉଛି।

ଏହାଦ୍ବାରା ଜନଜାତିଙ୍କ ହସ୍ତକଳା ସାମଗ୍ରୀ ଏବଂ ଆଦିବାସୀ ଅଞ୍ଚଳର ଉତ୍ପାଦନର ବିକ୍ରୟ କରିବାର ଅବସର ସୃଷ୍ଟି ହୋଇଛି। ରାଜ୍ୟ ସରକାରଙ୍କ ଉଦ୍ୟମରେ ବିକଶିତ ହୋଇଥିବା ଜନଜାତିଙ୍କ ଜୀବନଶୈଳୀ ଏହିମେଳାରେ ପ୍ରଦର୍ଶିତ ହେବ।

ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଭାଗୀୟ ଶାସନ ସଚିବ କହିଛନ୍ତି, ୧୯୫୧ ମସିହାରୁ କଟକରେ ପ୍ରଥମେ ଆରମ୍ଭ ହୋଇଥିବା ଏହି ମେଳା ୧୯୫୪ ମସିହା ଠାରୁ ଭୁବନେଶ୍ବରରେ ଅନୁଷ୍ଠିତ ହୋଇ ଆସୁଛି। ପ୍ରତିବର୍ଷ ବିଭାଗ ଏଥିରେ ନୂଆ ନୂଆ ଉପାଦାନକୁ ଯୋଡିବାରେ ପ୍ରୟାସ ଜାରି ରଖିଛି। ଏହି ମେଳାରେ ଆଦିବାସୀ ହାଟକୁ ଲୋକେ ଦେଖିବାକୁ ପାଇବେ।

ଏହାସହ ଭାଷାକୁ ଗୁରୁତ୍ବ ଦେଇ ମେଳାରେ ପ୍ରତିସନ୍ଧ୍ୟାରେ ବହୁଭାଷୀ ଥିଏଟର୍ ଫେଷ୍ଟିଭାଲ୍ ପରିବେଷଣ କରାଯିବ। ଜନଜାତି ସମ୍ପ୍ରଦାୟଙ୍କ ଦାବିକୁ ଦୃଷ୍ଟିରେ ରଖି ଆଗକୁ ସାମଗ୍ରୀ ବିକ୍ରୟ ପାଇଁ ସେମାନଙ୍କୁ ସ୍ଥାୟୀ ଦୋକାନ ଯୋଗାଇଦିଆଯିବା ନେଇ ବିଭାଗୀୟ ଶାସନ ସଚିବ ମତ ପ୍ରକାଶ କରିଛନ୍ତି।

ଚଳିତ ବର୍ଷ ୧୦୯ ଟି ଷ୍ଟଲକୁ ନେଇ ଆଦିବାସୀ ମେଳାର ଆୟୋଜନ କରାଯାଇଥିବା ବେଳେ ଉଦଘାଟନୀ ସନ୍ଧ୍ୟାରେ ସ୍ବତନ୍ତ୍ର ଜର୍ଣ୍ଣାଲ୍ “ଆଦିବାସୀ”ର ୬୩ତମ ସଂସ୍କରଣ ଉନ୍ମୋଚନ କରାଯାଇଛି। ଏହାସହ ୧୦ ଜଣ ବିଭିନ୍ନ ସମ୍ପ୍ରଦାୟର ଜନଜାତିଙ୍କୁ ଆଦିବାସୀ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି।

ସମାରୋହରେ ଏସସିଏସଟିଆରଟିଆଇର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣୀ ତ୍ରିପାଠୀ ସ୍ବାଗତ ଅଭିଭାଷଣ ରଖିଥିବା ବେଳେ ସ୍ବତନ୍ତ୍ର ଅଧିକାରୀ ଶ୍ରୀ ସମରେନ୍ଦ୍ର ଭୂତିଆ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟାନ୍ୟ ଅତିଥି ମଧ୍ୟରେ ଉପନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ରଥ ଓ ଅନ୍ୟାନ୍ୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଜମୁଛି ଭୁବନେଶ୍ବରର ଆଦିବାସୀ ମେଳା, ଲୋକଙ୍କର ନାହିଁ ନ ଥିବା ଭିଡ ପରିଲକ୍ଷିତ

ଭୁବନେଶ୍ବର: ଭୁବନେଶ୍ବରର ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଫେବୃଆରୀ ୨୦ ତାରିଖଠାରୁ ଆୟୋଜିତ ଆଦିବାସୀ ମେଳା-୨୦୨୩ରେ ଚାଲିଛି ଆଦିବାସୀ ମେଳା। ସାମଗ୍ରିକ ଭାବରେ ଆଦିବାସୀମାନଙ୍କର ସାମାଜିକ, ଅର୍ଥନୈତିକ ଓ ବାଣିଜ୍ୟିକ କ୍ଷେତ୍ରରେ ଘଟିଥିବା ପ୍ରଗତି ଓ ପରିବର୍ତ୍ତନର ନିଖୁଣ ଚିତ୍ର ମେଳା ପରିସରରେ ଖୋଲା ଯାଇଥିବା ପ୍ରାଚୀନ ଜନଜାତିଙ୍କ ଦୁନିଆରେ ଦେଖିବାକୁ ମିଳୁଛି।

ବିଭିନ୍ନ ଜନଜାତି ବର୍ଗଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀଗୁଡ଼ିକର ବଜାର ଚାହିଦା ଏବେ ଆଶାତୀତ ଭାବରେ ବୃଦ୍ଧି ପାଇଛି। ସହରାଞ୍ଚଳରେ ଏହିସବୁ ସାମଗ୍ରୀ ଉପଲବ୍ଧ ହେବା କଷ୍ଟକର ହୋଇଥିବାରୁ ବର୍ଷକରେ ଥରେ ଅନୁଷ୍ଠିତ ହେଉଥିବା ମେଳାରୁ ତାହା କିଣିବାକୁ ଗୃହିଣୀମାନଙ୍କର ବିଶେଷ ଆଗ୍ରହ ପରିଲକ୍ଷିିତ ହେଉଛି। ଏହାଛଡ଼ା ଆଦିବାସୀ ସମାଜ ଦ୍ୱାରା ପ୍ରସ୍ତୁତ ସାମଗ୍ରୀଗୁଡ଼ିକର ଜୈବିକ ଗୁଣ ଏଯାବତ୍‌ ଅକ୍ଷୁଣ୍ଣ ରହିଛି ବୋଲି ଲୋକଙ୍କ ମନରେ ଯେଉଁ ଦୃଢ଼ ଧାରଣା ରହିଛି, ଗୃହିଣୀଙ୍କ ଆଗ୍ରହରୁ ତାହା ବେଶ୍‌ ଅନୁମାନ କରିହେଉଛି।

ଗତାକାଲି ଶନିବାର ଛୁଟିଥିବାରୁ ଅପରାହ୍ନରେ ମେଳା ପରିସରକୁ ବହୁ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ନିଜ ପରିବାର ସାଙ୍ଗରେ ଆସି ଆଗ୍ରହ ଓ ଉତ୍ସାହର ସହ ଆଦିବାସୀମାନଙ୍କ ଦ୍ୱାରା ଉତ୍ପାଦିତ ଖାଦ୍ୟଶସ୍ୟ ଯଥା- ବାସମତି ଚାଉଳ, ମୁଗ, ବିରି, ମାଣ୍ଡିଆ, ପାଳୁଅ, ରାଶି ଆଦି କିଣିବାକୁ ଭିଡ଼ ଦେଖିବାକୁ ମିଳିଥିଲା। ସେହିପରି ମହୁ, ଲାଖ, ଝୁଣା, ହରିଡ଼ା, ବାହାଡ଼ା ଓ ଅଁଳା ଭଳି ଲଘୁ ବନଜାତ ଦ୍ରବ୍ୟ ବିକି୍ର ହେଉଥିବା ଷ୍ଟଲଗୁଡ଼ିକ ବୁଲିବାକୁ ଅନେକ ପରିବାର ଆଗ୍ରହ ଦେଖାଇଥିଲେ। ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ପ୍ରସ୍ତୁତ ବଡ଼ି, ପାମ୍ପଡ଼, ହଳଦୀଗୁଣ୍ଡ, ଆଚାର ଆଦି କିଣିବାକୁ ସହରୀ ଗରାଖଙ୍କ ବ୍ୟଗ୍ରତା କିଛି କମ୍‌ ନଥିଲା।

ଆଦିବାସୀ ମେଳାର ସ୍ୱତନ୍ତ୍ର ଆକର୍ଷଣ ହେଉଛି ଜନଜାତିଙ୍କ ସଂସ୍କୃତିର ସଂପଦର ସଂରକ୍ଷଣ ଓ ବିକାଶ ପାଇଁ ପ୍ରତିଷ୍ଠିତ ଓଡ଼ିଶାର ୯ ଗୋଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ପ୍ରତିଷ୍ଠିତ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଦ୍ୱାରା ପ୍ରଦର୍ଶିତ ୯ ଗୋଟି ଷ୍ଟଲର ସ୍ୱାତନ୍ତ୍ର୍ୟ। ପ୍ରତ୍ୟେକ ଜିଲ୍ଲାର କାରିଗରମାନେ ସେମାନଙ୍କ ସ୍ୱତନ୍ତ୍ର ତଥା ମୂଲ୍ୟଯୁକ୍ତ କଳା ସାମଗ୍ରୀର ପ୍ରଦର୍ଶନ ସହ ଦର୍ଶକମାନଙ୍କୁ ଆକର୍ଷିତ କରୁଛନ୍ତି।

ମୟୂରଭଞ୍ଜର ସବାଇ ଘାସର କଳା ସାମଗ୍ରୀ, ଗଜପତିର ଫୁଲଝାଡ଼ୁ, ନବରଙ୍ଗପୁରର ଗଣ୍ଡ ଚିତ୍ରକଳା, କନ୍ଧମାଳର କାଷ୍ଠଶିଳ୍ପ, କେନ୍ଦୁଝରର କାଗଜରୁ ପ୍ରସ୍ତୁତ ବିଭିନ୍ନ କଳାବସ୍ତୁ ଇତ୍ୟାଦି ଏକ ଅନନ୍ୟ ଆକର୍ଷଣ ଗ୍ରାହକମାନଙ୍କୁ ଆକୃଷ୍ଟ କରୁଛି।

ଗତକାଲି ସନ୍ଧ୍ୟାରେ ବିଶିଷ୍ଟ ଅତିଥିଙ୍କ ମଧ୍ୟରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଏବଂ ‘ମୋ ସ୍କୁଲ’ ଅଭିଯାନର ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗ୍‌ଚୀ ମେଳା ପରିଦର୍ଶନ କରିଥିଲେ। ସାଂସ୍କୃତିକ ସନ୍ଧ୍ୟାରେ କନ୍ଧ, କୁଟିଆ କନ୍ଧ, ସଉରା, ପାଉଡ଼ି ଭୂୟାଁ, ହୋ ଆଦି ଜନଜାତିଙ୍କ ବିଭିନ୍ନ ପାରମ୍ପରିକ ନୃତ୍ୟ ଖୁବ୍‌ ମନୋରଞ୍ଜକ ହୋଇଥିଲା ଏବଂ ପାରମ୍ପରିକ ନୃତ୍ୟଶୈଳୀରେ ଦର୍ଶକ ବିଭୋର ହୋଇଥିଲେ।

ଆଦିବାସୀ ମେଳା ପ୍ରତ୍ୟହ ୨.୩୦ଠାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହୁଛି। ଏହି ମେଳା ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଚାଲିବ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସଂସ୍କୃତି

ଆଦିବାସୀ ମେଳା ଓ ସାଂସ୍କୃତିକ ଉତ୍ସବ-୨୦୨୩: ମେଳାରେ କଳାବସ୍ତୁ ପ୍ରଭାଗ

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଫେବୃଆରୀ ୨୦ ତାରିଖଠାରୁ ଆଦିବାସୀ ମେଳା-୨୦୨୩ ଆରମ୍ଭ ହୋଇଛି।

ଆଦିବାସୀ ମେଳାରେ କଳାବସ୍ତୁ ପ୍ରଭାଗରେ ସମୁଦାୟ ୧୩ଟି ଷ୍ଟଲ ରହିଛି। ଧରଣୀପେନୁ ଢୋକରା କାରିଗରୀ ସମିତି, ବାଲିଗୁଡ଼ା, କନ୍ଧମାଳ ପକ୍ଷରୁ ଢୋକରା ସାମଗ୍ରୀ ଯଥା: କଇଁଛ, ମାଣ, ଘଣ୍ଟି, ଫରୁଆ, ପିତ୍ତଳ କବାଟ ହ୍ୟାଣ୍ଡେଲ, ମୂର୍ତ୍ତି ଇତ୍ୟାଦି ପ୍ରଦର୍ଶନ ଓ ବିକ୍ରୟ ନିମନ୍ତେ ରଖାଯାଇଛି। ୧୫୦ ଟଙ୍କାରୁ ଆରମ୍ଭ ହୋଇ ୫ ହଜାର ଟଙ୍କା ମୂଲ୍ୟର ସାମଗ୍ରୀ ଏହି ଢୋକରା ଷ୍ଟଲରେ ମିଳୁଛି।

ଢୋକରା ସାମଗ୍ରୀ ପ୍ରସ୍ତୁତି ନିମନ୍ତେ ପ୍ରଥମେ ସାମଗ୍ରୀର ଏକ ମାଟିର ଛାଞ୍ଚ କରାଯାଏ। ଛାଞ୍ଚ ଶୁଖିବା ପରେ ପଲିସ କରାଯାଇ ତା’ଉପରେ ପତଳା ଧଳାମାଟି ପଲିସ୍‌ କରାଯାଇଥାଏ। ତା’ଉପରେ ଶିମ୍ବପତ୍ର ଘସାଯାଏ। ପୁଣି ତା’ଉପରେ ମାଟି ପଲିସ କରାଯାଇଥାଏ। ମହୁମାଛିର ଅଠାକୁ ମହମ ଭଳି କରି ଏହାକୁ ତାର ତିଆରି କରାଯାଇ ତା’ଉପରେ ଗୁଡ଼ାଯାଏ। ତାର ବାହାର କରି ଡିଜାଇନ୍‌ ପ୍ରସ୍ତୁତ କରାଯାଏ। ଉପରେ ସରୁ ମାଟି ଦିଆଯାଏ। ମୋଟା ମାଟି ଦିଆଯାଇ ଶୁଖାଯାଏ। ଚ୍ୟାନେଲ କରାଯାଇ ତା’ଉପରେ ଭଙ୍ଗା ପିତ୍ତଳ ଦିଆଯାଇ ମାଟିରେ ବନ୍ଦ କରାଯାଏ। ତାକୁ କୋଇଲାଚୁଲିରେ ପୋଡାଯାଏ। ପରେ ତାକୁ ବାହାର କରାଯାଇ ଥଣ୍ଡା କରାଯାଏ। ପୋଡାମାଟିକୁ ଭାଙ୍ଗି ତା’ଭିତରୁ ଢୋକରା ସାମଗ୍ରୀକୁ ବାହାର କରାଯାଇ ବ୍ରସ ଦ୍ୱାରା ସଫା କରାଯାଏ। ଏହି ପ୍ରକ୍ରିୟାକୁ ଲଷ୍ଟୱାକ୍ସ ପ୍ରୋସେସ୍‌ କୁହାଯାଏ ବୋଲି ସମିତିର ସଦସ୍ୟା ପ୍ରକାଶ କରିଛନ୍ତି। ଜନଜାତି ଅଳଙ୍କାର ଷ୍ଟଲରେ ଦର୍ଶକମାନେ ଭିଡ଼ ଜମାଇଛନ୍ତି।

ସେହିଭଳି ଅନ୍ୟ ଏକ ଷ୍ଟଲରେ ସବାଇ ଘାସର ସପ, ଫୁଲଝୁଡ଼ି, ଟେବୁଲ ମ୍ୟାଟ୍‌, ବ୍ୟାଗ୍‌, ଡାଇନିଙ୍ଗ୍‌ ମ୍ୟାଟ୍‌, ଆଦି ପ୍ରଦର୍ଶନ ଓ ବିକ୍ରୟ କରାଯାଉଛି। ଏହାକୁ ପ୍ରସ୍ତୁତ କରୁଥିବା ବ୍ୟକ୍ତିବିଶେଷ ସେମାନଙ୍କ ଜମିରେ ସବାଇଘାସ ଚାଷ କରିଥାନ୍ତି। ଘାସ ପାକଳ ହେଲାପରେ ବିଲରୁ କାଢ଼ି ଖରାରେ ଶୁଖାଇ ପଲିସ୍‌ କରି ସବାଇଘାସ ଜିନିଷ ପ୍ରସ୍ତୁତ କରିଥାନ୍ତି । ବିଭିନ୍ନ ରଙ୍ଗୀନ ସୂତା ଦ୍ୱାରା ଏହାକୁ ଆକର୍ଷଣୀୟ କରାଯାଇଥାଏ।

ଆଇଟିଡିଏ କରଞ୍ଜିଆର ଷ୍ଟଲରେ ପଥର ନିର୍ମିତ ଆକର୍ଷଣୀୟ କଳା ମୁଗୁନି ପଥରକୁ କାଟି ପଲିସ୍‌ କରି ବିଭିନ୍ନ ପ୍ରକାରର ସାମଗ୍ରୀ ଯଥା ଗଣେଶ, କୁଟୁଣୀ, ଦୀପ, ବାଟି, ଶିଳ ଆଦି ଘରୋଇ ବ୍ୟବହୃତ ସାମଗ୍ରୀ ବିକ୍ରୟ ଓ ପ୍ରଦର୍ଶନ ନିମନ୍ତେ ରଖାଯାଇଛି। ଏହି କଳାବସ୍ତୁ ସେକଫରରେ ଗୋଣ୍ଡ ଓ ସଉରା ଚିତ୍ରକଳା ସହିତ ଜୁଆଙ୍ଗ ଓ କନ୍ଧ ଚିତ୍ରକଳା ଦର୍ଶକମାନଙ୍କ ପ୍ରଦର୍ଶନ ଓ ବିକ୍ରୟ ନିମନ୍ତେ ରହିଛି। ଏକ ଷ୍ଟଲରେ ସମ୍ବଲପୁରୀ ପୋଷାକ ଇତ୍ୟାଦି, ଟେରାକୋଟା ସାମଗ୍ରୀ ସହିତ ଲାଖ ତିଆରି ଚୁଡ଼ି, କେ„ଇ, ହାର ଆଦି ମିଳୁଛି। ସେହିଭଳି କାଠଶିଳ୍ପର ଗଣେଶ, ବଳଦଗାଡ଼ି, ହାତୀ ଆଦି ଶାଗୁଆନ୍‌ କାଠକୁ ପଲିସ୍‌ କରି ଅତ୍ୟନ୍ତ ନିଖୁଣ ଭାବେ ତିଆରି କରାଯାଇଛି। ଶିଆଳି ଲତାରୁ ବିଭିନ୍ନ ପ୍ରକାର ବ୍ୟାଗ, ଘରୋଇ ଶିକା, ସୂତା ଆଦି ମଧ୍ୟ ବିକ୍ରୟ ହେଉଛି।

ଆଦିବାସୀ ମେଳା ୨୦୨୩ରେ ଧାନ୍ୟଶିଳ୍ପର ବିଭିନ୍ନ ସାମଗ୍ରୀ ପ୍ରସ୍ତୁତିର ପ୍ରତ୍ୟକ୍ଷ ପ୍ରଦର୍ଶନ କରାଯାଉଛି। ଧାନ୍ୟରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର ପ୍ରଣାଳୀ ସଂପର୍କରେ ଦେଖଣାହାରୀମାନେ ଜାଣି ପାରୁଛନ୍ତି।

ଆଜି ସନ୍ଧ୍ୟାରେ ଓଡ଼ିଶାର ସାନ୍ତାଳ ଜନଜାତିଙ୍କର ଡଙ୍ଗନୃତ୍ୟ, ସଉରା ଜନଜାତିଙ୍କ ‘ମିରିଆ’, ସାନ୍ତାଳ ଜନଜାତିଙ୍କ ଦଂଠା, ଦିଦାୟୀ ଜନଜାତିଙ୍କ ଚଇତି ନୃତ୍ୟ, ସାନ୍ତାଳ ଜନଜାତିଙ୍କ ଛଉ ନୃତ୍ୟ, ଲୋଧା ଜନଜାତିଙ୍କର ଝୁମର ନୃତ୍ୟ ଓ ଶେଷରେ ପରଜା ଜନଜାତିଙ୍କର ରିନ୍‌ଯୋଡ଼ି ନୃତ୍ୟ ପ୍ରଦର୍ଶିତ ହୋଇଥିଲା।

ଆଦିାବସୀ ମେଳା ପ୍ରତ୍ୟହ ଦିବା ୨.୩୦ ଘଟିକାଠାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଦର୍ଶକମାନଙ୍କ ନିମନ୍ତେ ଖୋଲା ରହୁଛି। ଆଦିବାସୀ ମେଳା ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଚାଲିବ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର ସଂସ୍କୃତି

ଭୁବନେଶ୍ବରରେ ଆଦିବାସୀ ମେଳାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଆଦିବାସୀ ପଡ଼ିଆଠାରେ ଆଦିବାସୀ ମେଳା ଓ ସାଂସ୍କୃତିକ ଉତ୍ସବ-୨୦୨୩କୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଆଦିବାସୀ ସଂପ୍ରଦାୟର ବାଦ୍ୟ ସହିତ ସଦସ୍ୟାମାନେ ଖୁବ୍‌ ଆନନ୍ଦର ସହିତ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ମୁଖ୍ୟମନ୍ତ୍ରୀ ଆଦିବାସୀ କଳାବସ୍ତୁ ପ୍ରଭାଗକୁ ବୁଲି ଦେଖିଥିଲେ।

ଆଦିବାସୀମାନଙ୍କର କଳା, ସଂସ୍କୃତି ଓ ସ୍ଥାପତ୍ୟକୁ ପ୍ରଦର୍ଶନ କରିବା ସହିତ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ଓ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ବିପଣନ ହେଉଛି ଆଦିବାସୀ ମେଳାର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ଏହି ମେଳା ଫେବୃଆରୀ ୨୦ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଦଶଦିନ ଧରି ଅନୁଷ୍ଠିତ ହେଉଛି।

ଚଳିତ ବର୍ଷ ଆଦିବାସୀ ମେଳାରେ ମୋଟ ୧୨୧ଟି ଷ୍ଟଲରେ ବିଭିନ୍ନ ସାମଗ୍ରୀର ପ୍ରଦର୍ଶନ ଓ ବିକ୍ରୟ ହେଉଛି। ପ୍ରାଚୀନ ଜନଜାତିଙ୍କ ଦୁନିଆରେ ୧୦ଟି ପ୍ରାଚୀନ ଜନଜାତି ଗୋଷ୍ଠୀଙ୍କ ଘରର ମଡେଲ ପ୍ରଦର୍ଶିତ ହେଉଛି। ଏଥିରେ ପରମ୍ପରା ସହ ପ୍ରଗତିର ଝଲକ ପ୍ରଦର୍ଶିତ ହେଉଛି। ଆଦିବାସୀ ହାଟରେ ବିଭିନ୍ନ ଆଦିବାସୀ ଓ ଜଙ୍ଗଲଜାତ ସାମଗ୍ରୀର ବିିକି୍ରବଟାର ବ୍ୟବସ୍ଥା ହୋଇଛି। ଆଇଟିଡିଏ ଓ ମାଇକ୍ରୋ ପ୍ରୋଜେକଫ ଅଞ୍ଚଳର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଓ ଉତ୍ପାଦିତ ସାମଗ୍ରୀ ବିକ୍ରୟ କରୁଛନ୍ତି।

ଆଇଟିଡିଏ ଦ୍ୱାରା ୬୨ଟି ଷ୍ଟଲରେ ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନେ ସେମାନଙ୍କ ଉତ୍ପାଦିତ ଓ ସଂଗୃହୀତ ଦ୍ରବ୍ୟ ବିକ୍ରୟ କରୁଛନ୍ତି। ୧୭ଟି ଷ୍ଟଲ ଅଣୁପ୍ରକଳ୍ପ ଅଧିନସ୍ଥ ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କୁ ଆବଣ୍ଟିତ ହୋଇଛି। ଏହାଛଡ଼ା ଟିଡିସିସି, ଓଏଫ୍‌ ଏସ୍‌ଡିଏସ୍‌, ମିଶନ ଶକ୍ତି, ଓର୍‌ମାସ୍‌, ମିଲେଟ୍‌ ମିଶନ, ହସ୍ତତନ୍ତ ଓ ବୟନ, ହସ୍ତଶିଳ୍ପ ତଥା ଯୋଜନା ଓ ସଂଯୋଜନ ବିଭାଗ ୨୩ଟି ଷ୍ଟଲରେ ତାଙ୍କ ଉତ୍ପାଦିତ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରୟ ତଥା ସୂଚନା ପ୍ରଦାନ କରୁଛନ୍ତି।

ମେଳାରେ ପ୍ରତ୍ୟେକ ସନ୍ଧ୍ୟା ୬.୩୦ରୁ ୮.୩୦ ପର୍ଯ୍ୟନ୍ତ ବିଭିନ୍ନ ଜନଜାତି ନୃତ୍ୟ ପ୍ରଦର୍ଶନର ବ୍ୟବସ୍ଥା କରାଯାଇଛି। ଆଜି ଉଦ୍‌ଘାଟନୀ ସନ୍ଧ୍ୟାରେ ୪ଟି ନୃତ୍ୟ ଦଳ ପକ୍ଷରୁ ଧୁରୁଆ ଜନଜାତିଙ୍କ ବିର୍‌ଲି ନୃତ୍ୟ, କନ୍ଧ ଜନଜାତିର ଢାପ ନୃତ୍ୟ, କନ୍ଧ ଜନଜାତିଙ୍କ ଘୁମୁରା, ପରଜା ଜନଜାତିଙ୍କ ଢେମ୍‌ସା ନୃତ୍ୟ ପରିବେଷିତ ହୋଇଥିଲା। ପ୍ରତିବର୍ଷ ଏହି ଆଦିବାସୀ ମେଳାକୁ ରାଜ୍ୟ ତଥା ବାହାରୁ ପ୍ରାୟ ୮ରୁ ୧୦ ଲକ୍ଷ ଦର୍ଶକ ଆସିଥାନ୍ତି।

ଏହି ମେଳାରେ ୫ରୁ ୬ କୋଟି ଟଙ୍କାର ବ୍ୟବସାୟ ହୋଇଥାଏ। ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳର ଅଧିବାସୀମାନେ ତଥା ଭାରତର ବିଭିନ୍ନ ଅଞ୍ଚଳରୁ ଲୋକମାନେ ବହୁସଂଖ୍ୟାରେ ମେଳାକୁ ଆସିଥାନ୍ତି ଏବଂ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ବର୍ଷକ ପାଇଁ ହଳଦୀ, ମାଣ୍ଡିଆ, ମୁଗ, ବିରି, ମକା, ବାସନା ଚାଉଳ, ମହୁ, ଝୁଣା, ଝାଡ଼ୁ, ପାଳୁଅ ଆଦି ଆଦିବାସୀ ତଥା ଜଙ୍ଗଲଜାତ ଦ୍ରବ୍ୟ ଏହି ମେଳାରୁ କ୍ରୟ କରିଥାନ୍ତି।

ଆଜିର ଉଦ୍‌ଘାଟନୀ ଉତ୍ସବରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଶ୍ରୀ ପ୍ରଦୀପ ମାଝୀ, ବିଏମ୍‌ସି ମେୟର ସୁଲୋଚନା ଦାସ, ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ଆର୍‌. ବାଲକ୍ରିଷ୍ଣନ୍‌, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (୫-‘ଟି’) ଶ୍ରୀ ଭି.କେ. ପାଣ୍ଡିଆନ୍‌, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର କମିଶନର ତଥା ଶାସନ ସଚିବ ରୂପାରୋଶନ ସାହୁ, ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ବିଶ୍ୱରଞ୍ଜନ ସାସମଲ, ଓପିଇଏଲ୍‌ଆଇପିର ପ୍ରୋଗ୍ରାମ ଡାଇରେକଫର ପି. ଅର୍ଥନାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠାରୁ ଭୁବନେଶ୍ବରରେ ଆରମ୍ଭ ହେବ ଆଦିବାସୀ ମେଳା

ଭୁବନେଶ୍ବର: ଆଜିଠାରୁ ଭୁବନେଶ୍ବରରେ ଆରମ୍ଭ ହେଉଛି ଆଦିବାସୀ ମେଳା।  ରାଜଧାନୀର ୟୁନିଟ-1 ରେ ଥିବା ଆଦିବାସୀ ପଡିଆରେ ଏହି ମେଳା କରାଯିବ। ସେଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି। ବିଭିନ୍ନ ଆଦିବାସୀ ଜିଲ୍ଲାରୁ ଆସିଥିବା ଆଦିବାସୀମାନେ ସେମାନଙ୍କର ଝାଟିମାଟି ଘର ଏହି ପଡିଆରେ ନିର୍ମାଣ କରିଛନ୍ତି।

ପ୍ରତିବର୍ଷ ଏହି ମେଳାର ଆୟୋଜନ ହୋଇଥାଏ। ହେଲେ ଗତ ଦୁଇ ବର୍ଷ ଧରି କୋରନା ପାଇଁ ଏହି ମେଳା ହୋଇପାରି ନ ଥିଲା। ତେବେ ଏଥର ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ଆଦିବାସୀ କଲ୍ୟାଣ ବିଭାଗ ତରଫରୁ ସବୁ ପ୍ରଚେଷ୍ଠା କରାଯାଇଛି।

ଏଥିରେ ଆଦିବାସୀଙ୍କ ଚାଲିଚଳନି, ବସବାସ ଏବଂ ଖାଦ୍ୟପେୟ ସବୁ କିଛି ପ୍ରଦର୍ଶିତ ହେବ। ଏପରିକି ଆଦିବାସୀଙ୍କ ଉତ୍ପାଦିତ ପଦାର୍ଥ ମଧ୍ୟ ଏଠାରେ ବିକ୍ରି କରାଯିବ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଆରମ୍ଭ ହେବ ଆଦିବାସୀ ମେଳା, ରାଜଧାନୀରେ ଲୋକେ ଦେଖିବେ ବଣଜଙ୍ଗଲର ଗାଁ

ଭୁବନେଶ୍ବର: ଆସନ୍ତାକାଲିଠାରୁ ଭୁବନେଶ୍ବରରେ ଆରମ୍ଭ ହେବ ଆଦିବାସୀ ମେଳା।  ରାଜଧାନୀର ୟୁନିଟ-1 ରେ ଥିବା ଆଦିବାସୀ ପଡିଆରେ ଏହି ମେଳା କରାଯିବ। ସେଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି। ବିଭିନ୍ନ ଆଦିବାସୀ ଜିଲ୍ଲାରୁ ଆସିଥିବା ଆଦିବାସୀମାନେ ସେମାନଙ୍କର ଝାଟିମାଟି ଘର ଏହି ପଡିଆରେ ନିର୍ମାଣ କରିଛନ୍ତି।

ପ୍ରତିବର୍ଷ ଏହି ମେଳାର ଆୟୋଜନ ହୋଇଥାଏ। ହେଲେ ଗତ ଦୁଇ ବର୍ଷ ଧରି କୋରନା ପାଇଁ ଏହି ମେଳା ହୋଇପାରି ନ ଥିଲା। ତେବେ ଏଥର ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ଆଦିବାସୀ କଲ୍ୟାଣ ବିଭାଗ ତରଫରୁ ସବୁ ପ୍ରଚେଷ୍ଠା କରାଯାଇଛି।

ଏଥିରେ ଆଦିବାସୀଙ୍କ ଚାଲିଚଳନି, ବସବାସ ଏବଂ ଖାଦ୍ୟପେୟ ସବୁ କିଛି ପ୍ରଦର୍ଶିତ ହେବ। ଏପରିକି ଆଦିବାସୀଙ୍କ ଉତ୍ପାଦିତ ପଦାର୍ଥ ମଧ୍ୟ ଏଠାରେ ବିକ୍ରି କରାଯିବ।

Categories
ବିଶେଷ ଖବର ରାଜ୍ୟ ଖବର

ଆଦିବାସୀ ମେଳା ଓ ଜାତୀୟ ଜନଜାତି କଳା ପ୍ରଦର୍ଶନୀରେ ଭିଡ ଜମିବାରେ ଲାଗିଛି

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଅପ୍ରେଲ ୨୩ ତାରିଖଠାରୁ ସ୍ଥାନୀୟ ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳା ଜାତୀୟ ଜନଜାତି କଳାସାମଗ୍ରୀ ପ୍ରଦର୍ଶନୀ ଆରମ୍ଭ ହୋଇଛି।
ମେଳା ଖବର ଯେତେ ପ୍ରସାରିତ ହେଉଛି ଲୋକଙ୍କ ମେଳାକୁ ଆସିବା ପାଇଁ ସେତେ ଆଗ୍ରହ ପରିଲକ୍ଷିତ ହୋଇଛି।

ସୁସଜ୍ଜିତ ସାଜସଜ୍ଜା ମଧ୍ୟରେ ମେଳାରେ ଦର୍ଶକମାନଙ୍କ ଉତ୍ସାହ ବହୁଗୁଣିତ ହୋଇଯାଉଛି। ବିଶେଷ କରି ଛୋଟ ଛୋଟ ପିଲାମାନଙ୍କ ଜିଜ୍ଞାସାର ପୂର୍ତ୍ତି ପାଇଁ ଅନେକ ବାପାମା ରୀତିମତ ମେଳା ଅନୁଭୂତି ବଖାଣୁଛନ୍ତି ତାଙ୍କ ପିଲାଙ୍କ ପାଖରେ ମେଳା ପଡ଼ିଆ ସତେ ଯେପରି ଏକ ପାଠଶାଳା।

ଶୃଙ୍ଖଳିତ ମେଳାର ଜନଜାତି ହାଟରେ ଲୋକଙ୍କ ବେଶ୍‌ ଗହଳି ପରିଲକ୍ଷିତ ହୋଇଥିଲା। ଏ ବର୍ଷ ଖାଦ୍ୟ ପସରା ଖୋଲି ନଥିବାରୁ ଲୋକଙ୍କ ନିରାଶା ଭାବ ଥିଲେ ମଧ୍ୟ ରାଶିଲଡ଼ୁ, ବାଦାମ ଲଡ଼ୁ, ମୁଆ ଲଡ଼ୁ, ଖସ୍‌କା, ଖଜୁରୀ ପିଠା, ସାରୁ ଚିପ୍‌ସ, କନ୍ଦମୂଳ ଚିପ୍‌ସ, ବାଉଁଶ କରଡ଼ି ଆଚାର ଇତ୍ୟାଦି ଖାଦ୍ୟ କିଣିବାରେ ଖୁବ୍‌ ଆଗ୍ରହୀ ଥିଲେ ଲୋକମାନେ। ଗତକାଲି ସୁଦ୍ଧା ମେଳାରେ ପ୍ରାୟ ଦୁଇକୋଟି ଟଙ୍କାର ବ୍ୟବସାୟ ହୋଇଥିବାର ମେଳା କର୍ତ୍ତୃପକ୍ଷଙ୍କ ପାଖରୁ ପ୍ରକାଶ।

ଆଜିର ଜନଜାତି ନୃତ୍ୟରେ ବଣାଇଁ ଅଞ୍ଚଳରୁ ଆସିଥିବା ମୁଣ୍ଡାରୀ ଏବଂ କିସାନ୍‌ମାନଙ୍କ ନୃତ୍ୟରେ ମୌଳିକତା ପ୍ରଦର୍ଶିତ ହୋଇଥିଲା। ଓଡ଼ିଶା ଓ ଝାଡ଼ଖଣ୍ଡ ଶୈଳୀର ମିଳିତ ରୂପ ଦର୍ଶକଙ୍କୁ ବେଶ୍‌ ପ୍ରଭାବିତ କରିଥିଲା। ସେହିପରି କେନ୍ଦୁଝରର ସାନ୍ତାଳ ଓ ହୋ ଜନଜାତିଙ୍କ ନୃତ୍ୟଶୈଳୀ ପାରମ୍ପରିକ ହୋଇ ବି ଦର୍ଶକଙ୍କୁ ଭରପୂର ଉତ୍ସାହ ଦେଇଥିଲା। ସବୁଠୁ ବେଶ୍‌ ଆକର୍ଷଣୀୟ ଥିଲା କଳାହାଣ୍ଡିରୁ ଆସିଥିବା ଘୁମୁରା ଓ ଢାପ ନୃତ୍ୟ ପ୍ରଦର୍ଶନ। ଘୁମୁରାରେ ପାରମ୍ପରିକ ଛଟା ଥିଲେ ମଧ୍ୟ ଦର୍ଶକମାନେ ଢାପ ନୃତ୍ୟରେ ଝୁମିଥିଲେ।

କଳାହାଣ୍ଡିର ଏକ ଲୋକନୃତ୍ୟ ଭାବରେ ଢାପ ଦେଶବିଦେଶରେ ଖୁବ୍‌ ପରିଚିତ। ଆଦିବାସୀ ପରମ୍ପରାରୁ ବାହାରି ଲୋକପରମ୍ପରାରେ ଏହାର ବିଶେଷ ପ୍ରସିଦ୍ଧି ରହିଛି । ସମଗ୍ର ମେଳା ଅଞ୍ଚଳକୁ ଆଜିର ଢାପ ନୃତ୍ୟ ପ୍ରକମ୍ପିତ କରି ଦର୍ଶକମାନଙ୍କୁ ନୂତନ ସ୍ୱାଦ ପରଶିଥିଲା।
ଏ ଅବସରରେ ଏସସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା ଜାତୀୟ ଜନଜାତି କଳାସାମଗ୍ରୀ ପ୍ରଦର୍ଶନୀରେ ସ୍ୱକୀୟ ଜ୍ଞାନ ଆଧାରିତ କଳାସାମଗ୍ରୀ ପ୍ରସ୍ତୁତ କରୁଥିବା କାରିଗରଙ୍କୁ ପୁରସ୍କୃତ କରିଥିଲେ।

ବୟନକଳାରେ ତାମିଲନାଡୁର ଟୋଡା ବୟନକଳା ପ୍ରଥମ ହୋଇଥିବାବେଳେ ଓଡ଼ିଶାର କୁଲିସ୍‌ ବୟନକଳା ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ସେହିପରି ଚିତ୍ରକଳାରେ ଆନ୍ଧ୍ରପ୍ରଦେଶର ସବର ଚିତ୍ରକଳା ପ୍ରଥମ ଓ ରାଜସ୍ଥାନ ଭିଲ ଚିତ୍ରକଳା ଦ୍ୱିତୀୟ, ବାଉଁଶ କାରିଗରୀରେ କେରଳର କୁରୁମା ବାଉଁଶ କାରିଗରୀ ପ୍ରଥମ ଓ ଓଡ଼ିଶାର ମାଙ୍କିଡିଆ ଜନଜାତିଙ୍କ ଶିଆଳିକତାର କଳାସାମଗ୍ରୀ ଦ୍ୱିତୀୟ, ଲାଖ କଳାରେ ଓଡ଼ିଶାର ବାଥୁଡ଼ି ଓ ସାନ୍ତାଳ ଲାଖକଳା ପ୍ରଥମ ଓ ଅଳଙ୍କାରରେ ଝାରଖଣ୍ଡ ଓରାଓଙ୍କ ଅଳଙ୍କାର ଦ୍ୱିତୀୟ ପୁରସ୍କାର ପାଇଥିଲେ । ଏହି ମେଳା ପ୍ରତ୍ୟହ ଅପରାହ୍ନ ୩.୩୦ରୁ ରାତି ୯.୩୦ ପର୍ଯ୍ୟନ୍ତ ଦର୍ଶକମାନଙ୍କ ନିମନ୍ତେ ଖୋଲା ରହୁଛି ।

Categories
ବିଶେଷ ଖବର ରାଜ୍ୟ ଖବର

ଏଥର ଆଦିବାସୀ ମେଳାରେ ରହିଛି ଭୂମିଜ ଜନଜାତିଙ୍କ ଖଜୁରୀପତ୍ର କଳାକୃତିର ଚାହିଦା

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଅପ୍ରେଲ ୨୩ ତାରିଖଠାରୁ ଆରମ୍ଭ ହୋଇଥିବା ଆଦିବାସୀ ମେଳା ଓ ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ପଞ୍ଚମ ଦିବସରେ ପହଞ୍ଚିଛି। ଖରାର କୋପ ସତ୍ତେ୍ୱ ଆଦିବାସୀ ମେଳାରେ ଲୋକଭିଡ଼ ଅପରାହ୍ନରୁ ଆରମ୍ଭ ହୋଇଯାଇଥିଲା।

କିଣାବିକାର ମାହୋଲ ସହ ଜନଜାତି କଳାସାମଗ୍ରୀ ମେଳାରେ ଜନଜାତି କାରିଗରମାନେ ପ୍ରସ୍ତୁତ କରୁଥିବା ବିଭିନ୍ନ ସୌଖୀନ ସାମଗ୍ରୀ ପ୍ରସ୍ତୁତି ପ୍ରଣାଳୀକୁ ଦର୍ଶକମାନେ ଖୁବ୍‌ ଉତ୍ସୁକତାର ସହ ପରଖୁଥିଲେ। କାରିଗରମାନଙ୍କ ସହ କଳାସାମଗ୍ରୀ ପ୍ରସ୍ତୁତି କୌଶଳ ଉପରେ ଆଲୋଚନା କରୁଥିଲେ।

ସବୁଠାରୁ ଆକର୍ଷଣୀୟ ଥିଲା ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍‌ ଅନ୍ତର୍ଗତ ଶାଳବଣୀରୁ ଆସିଥିବା ଭୂମିଜ ଜନଜାତିର କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କଅଁଳ ଖଜୁରୀ ପତ୍ର ଓ ଶିଆଳି ପତ୍ରର ବିଭିନ୍ନ ସୌଖୀନ ସାମଗ୍ରୀ। ବିଭିନ୍ନ ସୌଖୀନ ସାମଗ୍ରୀ ପ୍ରସ୍ତୁତ ଉପରେ ଦର୍ଶକଙ୍କ ନଜର ଲାଗି ରହିଥିଲା। କଅଁଳ ଖଜୁରୀ ପତ୍ରକୁ ସୁନ୍ଦର ଭାବେ ସଜାଇ ଫୁଲଦାନୀ ପାଇଁ ଫୁଲ, ଫାସିଆ, ଝାଲର, କାନ୍ଥରେ ଝୁଲାଇବାର ଭିନ୍ନ ଭିନ୍ନ ଆକୃତିର ସୌଖୀନ ସାମଗ୍ରୀ ବେଶ ମନଲୋଭା ହୋଇଛି।

ଶିଆଳି ପତ୍ରର ଟୋପି, ଖରାରୁ ରକ୍ଷା ପାଇବା ପାଇଁ ଏକ ପରିବେଶ ଉପଯୋଗୀ ଓ ସୌଖୀନ ହୋଇଥିବାରୁ ଏହା ପ୍ରତି ସମସ୍ତଙ୍କର ଆଗ୍ରହ ରହୁଥିଲା। ଏହି ସାମଗ୍ରୀଗୁଡ଼ିକ ବର୍ଷ ବର୍ଷ ଧରି ଅତୁଟ ରହୁଥିବାରୁ ଏବଂ ପରିବେଶ ଅନୁକୂଳ ହୋଇଥିବାରୁ ଏହାର ଚାହିଦା ବେଶ୍‌ ଭଲ ଥିବାର ଭୂମିଜ କାରିଗରମାନେ କହନ୍ତି।

ଆଜି ଅପରାହ୍ନରେ ମୁଖ୍ୟ ମଂଚରେ ବାଲିଗୁଡ଼ା ଅଞ୍ଚଳରୁ ଆସିଥିବା କନ୍ଧମାନଙ୍କ ପାରମ୍ପରିକ ନୃତ୍ୟ, କପ୍ତିପଦା ଅଞ୍ଚଳର ହୋ ଜନଜାତିମାନଙ୍କ ବା ପରବ ନୃତ୍ୟ, ପାନପୋଷ ସବ୍‌ଡିଭିଜନ୍‌ରୁ ଆସିଥିବା ଓରାଓଁମାନଙ୍କ କରମା, ମୁଣ୍ଡା ଜନଜାତି ମାନଙ୍କ ବଡ଼କାରାମ, କପ୍ତିପଦା ଅଞ୍ଚଳର ସାନ୍ତାଳ ନୃତ୍ୟ ଏବଂ ପାନପୋଷ ଅଞ୍ଚଳର କିସାନମାନଙ୍କ ନୃତ୍ୟ ବିଚିତ୍ରା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ମେଳାକୁ ଆସିଥିବା ଦର୍ଶକମାନେ କିଣାକିଣିର ଭରପୂର ଆନନ୍ଦ ନେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ପାରଂପାରିକ ନୃତ୍ୟରେ ଦୁଲୁକୁଛି ଭୁବନେଶ୍ବରର ଆଦିବାସୀ ମେଳା

ଭୁବନେଶ୍ୱର:  ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ଚାଲିଥିବା ଆଦିବାସୀ ମେଳା ଓ ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଚତୁର୍ଥ ଦିବସରେ ପହଞ୍ଚିଛି। ଏଥିରେ ଆଦିବାସୀଙ୍କ ପାରଂପାରିକ ଜିନିଷ ବିକ୍ରୀ ହେଉଥିବା ବେଳେ ସଂଧ୍ୟାରେ ନୃତ୍ୟଗୀତ ଆସର ବେଶ ଜମିଯାଉଛି।

ଚତୁର୍ଥ ସନ୍ଧ୍ୟାରେ କୁଚିଣ୍ଡା ଅଞ୍ଚଳରୁ ଆସିଥିବା କିସାନ୍‌ଙ୍କର ନୃତ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ ଥିଲା। ପଶ୍ଚିମ ଓଡ଼ିଶାର ଲୋକଧାରା ସହ ଏମାନଙ୍କ ନୃତ୍ୟର ସାମଞ୍ଜସ୍ୟ ଖୁବ୍‌ ଆମୋଦପ୍ରଦ ଥିଲା। ସେହିପରି ଫୁଲବାଣୀ ଅଞ୍ଚଳର କନ୍ଧମାନଙ୍କର ଧାଙ୍ଗିଡ଼ୀ ନାଚରେ ଦର୍ଶକ ଖୁବ୍‌ ଆମୋଦିତ ହୋଇଥିଲେ। ସୁନ୍ଦରଗଡ଼ର ଓରାମ୍‌ ଜନଜାତିମାନଙ୍କର କରମା ନାଚରେ ମାଦଳର ମାଦକତା ନୃତ୍ୟ ପରିସରକୁ ଜଙ୍ଗଲର ଭ୍ରମ ସୃଷ୍ଟି କରିଥିଲା।

ସେହିପରି ମୁଣ୍ଡା ଜନଜାତି ଝିଅମାନଙ୍କର ନୃତ୍ୟରେ ଦର୍ଶକ ଯେପରି ଝୁମି ଉଠିଥିଲେ, କନ୍ଧମାନଙ୍କର ଶିଙ୍ଗ ନୃତ୍ୟରେ ଆଦିମତାକୁ ପରଖିଥିଲେ। କିସାନମାନଙ୍କ କରମା ନାଚ ସେହିପରି ପ୍ରାଚୀନ ଓ ନୂତନତାର ଏକ ସଂଗମ ହିସାବରେ ଦର୍ଶକମାନଙ୍କୁ ଭିନ୍ନସ୍ୱାଦ ଆଣି ଦେଇଥିଲା।

ନୃତ୍ୟ ପରିକ୍ରମା ସହ ଉତ୍‌ଫୁଲ୍ଲିତ ଦର୍ଶକ ମେଳାରୁ କିଣାକିଣିର ମଜା ନେଇଥିଲେ ଏବଂ ମେଳା ବୁଲିବାର ଅବସରରେ ବିଭିିନ୍ନ ଜନଜାତିଙ୍କ ସଂସ୍କୃତି ସହିତ ପରିଚିତ ହେବାର ସୁଯୋଗ ପାଇଥିଲେ। ମେଳାରେ ଗତକାଲି ସୁଦ୍ଧା ପ୍ରାୟ ଏକ କୋଟିରୁ ଊଦ୍ଧ୍ୱର୍ ଟଙ୍କାର କାରବାର ହୋଇଥିବାର ମେଳା କର୍ତ୍ତୃପକ୍ଷଙ୍କ ସୌଜନ୍ୟରୁ ପ୍ରକାଶ।

ପ୍ରଦର୍ଶନୀ ଅଞ୍ଚଳକୁ ଗ୍ରୀନ୍‌ କାର୍ପେଟ୍‌ରେ ଆଚ୍ଛାଦିତ କରିବା ସହିତ ପରିଷ୍କାର ପରିଚ୍ଛନ୍ନ ରଖାଯାଇଛି। ପ୍ରତ୍ୟହ ସନ୍ଧ୍ୟାରେ ସୁଦୃଶ୍ୟ ରଙ୍ଗମଞ୍ଚରେ ଜନଜାତିଙ୍କର ନୃତ୍ୟ ପ୍ରଦର୍ଶନ ଦର୍ଶକମାନଙ୍କୁ ବିମୋହିତ କରୁଛି ।

Categories
ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଆଦିବାସୀ ମେଳା: ପ୍ରବଳ ଖରା ସତ୍ବେ ବଢୁଛି ଲୋକଙ୍କ ଆଗ୍ରହ

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଅପ୍ରେଲ ୨୩ ତାରିଖଠାରୁ ସ୍ଥାନୀୟ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଆଦିବାସୀ ମେଳା ଓ ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଆରମ୍ଭ ହୋଇଛି। ଚଳିତ ବର୍ଷ ଏହି ମେଳାରେ ସମୁଦାୟ ୧୮୭ଟି ଷ୍ଟଲ ନିର୍ମାଣ କରାଯାଇଛି।

ଆଦିବାସୀ ହାଟରେ ୧୦୪ଟି ଷ୍ଟଲ ରହିଛି। ଜାତୀୟ ଜନଜାତି ଚିତ୍ରକଳା ଓ କଳାସାମଗ୍ରୀ, ହସ୍ତଶିଳ୍ପ ସାମଗ୍ରୀ ବିକ୍ରୟ ପାଇଁ ସ୍ୱତନ୍ତ୍ର ୮୪ଟି ଷ୍ଟଲ କରାଯାଇଛି । ଏଥିରେ ଓଡ଼ିଶା ସମେତ ୧୮ଟି ରାଜ୍ୟର ଜନଜାତି କାରିଗରମାନେ ତାଙ୍କ କଳାସାମଗ୍ରୀ ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି। ଅନ୍ୟାନ୍ୟ ଷ୍ଟଲ ମଧ୍ୟରେ ମିଶନ ଶକ୍ତିର ୨୧ଟି, ଓର୍‌ମାସ୍‌ର ୧୫ଟି, ଟିଡିସିସିର ଦୁଇଟି ଷ୍ଟଲରେ ଜନଜାତି ସାମଗ୍ରୀ ବିକ୍ରୟ ହେଉଛି।

ଆଜି ଆଦିବାସୀ ମେଳାରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍‌ଚୀ ଏବଂ ‘ମୋ ସ୍କୁଲ ଅଭିଯାନ’ର ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗ୍‌ଚୀ ମେଳା ବୁଲିବା ସହିତ ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଓ ଆଦିବାସୀ ମେଳାକୁ ଭୂୟସୀ ପ୍ରଶଂସା କରିଥିଲେ।
ଜନଜାତି କଳାସାମଗ୍ରୀ ପ୍ରଦର୍ଶନୀର ଏକ କୋଣରେ ୬ଟି ଷ୍ଟଲ ମାଧ୍ୟମରେ ଓଡ଼ିଶା ଖଣିଜ ପ୍ରଧାନ ଅଞ୍ଚଳ ବିକାଶ କର୍ପୋରେସନ୍‌ ଦ୍ୱାରା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଅଞ୍ଚଳର ବିସ୍ଥାପିତ ଭୂମିହୀନ ଜନଜାତିଙ୍କ ପାରମ୍ପରିକ ଜ୍ଞାନକୌଶଳକୁ ପ୍ରଦର୍ଶିତ କରାଯାଇଛି।

ସେମାନଙ୍କର ଜ୍ଞାନକୌଶଳକୁ ଆଧାର କରି କିପରି ଜୀବିକା ନିର୍ବାହ କରିପାରିବେ ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହି ଉପକ୍ରମ ମାଧ୍ୟମରେ ସବାଇ ଘାସ, ଢୋକରା, ପଥର କାମ, ଟେରାକୋଟା, ଧାନ କାରୁକଳା, ଖଜୁରୀପତ୍ରର ଆସବାବପତ୍ର, ବାଉଁଶ କାରିଗରୀ, ଲାଖଶିଳ୍ପ ଚିତ୍ରକଳା, ଆଭୂଷଣ ଇତ୍ୟାଦି ୧୬ଟି ପ୍ରଭାଗରେ ତରୁଣ ଶିଳ୍ପୀମାନଙ୍କୁ ଦକ୍ଷତା ବିକାଶ ପାଇଁ ପଦକ୍ଷେପ ନିଆଯାଇଛି । ମେଳାରେ ପ୍ରଦର୍ଶିତ ୬ଟି ଷ୍ଟଲରେ ସେମାନଙ୍କର କଳାକୃତି ସ୍ଥାନୀତ ହୋଇଛି। ତରୁଣ କାରିଗରମାନେ ଏହା ଦ୍ୱାରା ସ୍ୱାବଲମ୍ବୀ ହୋଇପାରିଛନ୍ତି।

ତୃତୀୟ ଦିନ ସନ୍ଧ୍ୟାରେ ଆଦିବାସୀ ମେଳାର ମୁଖ୍ୟ ମଞ୍ଚରେ ସୁଦୂର ମାଲକାନଗିରିର କୋୟାମାନଙ୍କର ‘ତେନ୍ଦୁଲୁପାଟା’ ନୃତ୍ୟ, ଚୈତ୍ରମାସର ‘ବିହନବୁଣା’ ନୃତ୍ୟ ପରିବେଷିତ ହୋଇଥିଲା । ସେହିପରି କୋରାପୁଟର ଗଦବାମାନଙ୍କର ଢେମ୍‌ସା ନୃତ୍ୟ, ଲାଞ୍ଜିଆ ସଉରାମାନଙ୍କର ‘ବେଣ୍ଟ ପରବ’ ନୃତ୍ୟ ପରିବେଷିତ ହୋଇଥିଲା । ପ୍ରଥମ ଥର ପାଇଁ ମାଲକାନଗିରିରୁ ଆସିଥିବା ଭୂମିଆମାନଙ୍କର ‘ଢେମ୍‌ସା’ ନୃତ୍ୟ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହେଲା ଆଦିବାସୀ ମେଳା, ଜନଜାତି ହାଟ, ଜନଜାତି କଳା ପ୍ରଦର୍ଶନୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟ ସ୍ତରୀୟ ଆଦିବାସୀ ମେଳା ଉଦ୍‌ଘାଟନ କରିଛନ୍ତି। ଏହା ସହିତ ଜନଜାତି ହାଟ ଓ ଜନଜାତି କଳା ପ୍ରଦର୍ଶନୀକୁ ମଧ୍ୟ ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଦିବାସୀ ମେଳା ଏବେ କେବଳ ଗୋଟିଏ ମେଳା ହୋଇ ରହି ନାହିଁ, ଏହା ଏକ ପରମ୍ପରା ହୋଇଯାଇଛି। ଆମ ଆଦିବାସୀ ସଂସ୍କୃତିକୁ ଭଲ ପାଇବାର ଓ ଅନୁଭବ କରିବାର ଏହା ଏକ ମହାନ ପରମ୍ପରା ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥଲେ ଯେ, ଆମର ଆଦିବାସୀ ଭାଇଭଉଣୀମାନେ ଯେଉଁ ଜିନିଷ ଉତ୍ପାଦନ କରନ୍ତି, ତା ପାଇଁ ଏହି ମେଳାରେ ଏକ ଭଲ ମାର୍କେଟ ମଧ୍ୟ ସୃଷ୍ଟି ହୋଇଥାଏ। ଜନଜାତିମାନଙ୍କର ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଏହା ଏକ ଭଲ ପ୍ଲାଟଫର୍ମ ବୋଲି ମତ ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ‘ମୋର ଦୃଢ ବିଶ୍ୱାସ, ଏ ବର୍ଷ ଆମର ଜନଜାତିମାନଙ୍କ ଉତ୍ପାଦିତ ଜିନିଷଗୁଡିକ ବହୁତ ଭଲ ବ୍ୟବସାୟ କରିବ ।’ ଜନଜାତି ଭାଇଭଉଣୀମାନଙ୍କ କଲ୍ୟାଣ ଓ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିବ ବୋଲି ସେ କହିଥିଲେ ।

କରୋନା ପାଇଁ ଦୁଇ ବର୍ଷ ପରେ ଆଜି ଆଦିବାସୀ ମେଳା ଆରମ୍ଭ ହୋଇ ଥିବାରୁ ଖୁସି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ଧରି ଏହି ମେଳା ହୋଇପାରି ନ ଥିଲା । ଖୁସିର କଥା, ଆପଣମାନଙ୍କ ସମସ୍ତଙ୍କ ସହଯୋଗରେ ମହାମାରୀର ପ୍ରଭାବ କମିଛି । ସାଧାରଣ ଜୀବନଯାତ୍ରା ଆରମ୍ଭ ହୋଇଛି । ତେବେ ଆମ ସମସ୍ତଙ୍କୁ ସାବଧାନ ରହିବାକୁ ହେବ ବୋଲି ସେ ସତର୍କ କରାଇ ଦେଇଥିଲେ ।

ଆଜିର ଉଦ୍‌ଘାଟନୀ ସମାରୋହରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଯୋଗଦେଇ କହିଲେ ଯେ ଜନଜାତି ଭାଇଭଉଣୀଙ୍କୁ ସାଂସ୍କୃତିକ ତଥା ସାମାଜିକ ଭାବଧାରାରେ ସଂପୃକ୍ତ କରିବାର ଆଭିମୁଖ୍ୟ ନେଇ ଏପରି ମେଳା ଆୟୋଜିତ ହୋଇଛି । ଜନଜାତିଙ୍କ କଳା ଓ କାରିଗରୀ ତଥା ସୃଜନଶୀଳ ରୁଚିର ପ୍ରସାର ଏବଂ ସଂରକ୍ଷଣରେ ଏହି ମେଳା ଯଥେଷ୍ଟ ସହାୟକ ହେବ ।

ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଂଜନା ଚୋପ୍ରା, ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା, ବିଭାଗୀୟ ନିର୍ଦ୍ଦେଶକ ଗୁହା ପୁନମ ତାପସ କୁମାର ଉପସ୍ଥିତ ରହି ଆଦିବାସୀ ମେଳା ଓ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ସଂପର୍କରେ ବକ୍ତବ୍ୟ ରଖିଥିଲେ ।
ଅତିଥିମାନଙ୍କ କରକମଳରେ ଆଦିବାସୀ ଜର୍ଣ୍ଣାଲ, ବାଇଗା ଓ କୋଲି ଟ୍ରାଇବ ଉପରେ ଆଧାରିତ ଫୋଟୋ ହ୍ୟାଣ୍ଡବୁକସ୍‌, ଏସ୍‌ଟି ପପୁଲେସନ୍‌ ଆନାଲିସିସ୍‌ ଏବଂ ଏସ୍‌ସି ପପୁଲେସନ୍‌ ଆନାଲିସିସ୍‌ ଉନ୍ମୋଚିତ ହୋଇଥିଲା ।

ଚଳିତ ବର୍ଷ ଆଦିବାସୀ ମେଳା ଓ ଜାତୀୟ କଳା ଓ କଳାସାମଗ୍ରୀ ପ୍ରଦର୍ଶନୀ ନିମନ୍ତେ ମୋଟ ୧୮୭ଟି ଷ୍ଟଲ ନିର୍ମାଣ କରାଯାଇଛି । ଆଦିବାସୀ ହାଟରେ ବିିଭିନ୍ନ ଆଦିବାସୀ ଓ ଜଙ୍ଗଲଜାତ ସାମଗ୍ରୀର ବିକି୍ରବଟାର ବ୍ୟବସ୍ଥା ହୋଇଛି । ଏଠାରେ ୧୦୪ଟି ଷ୍ଟଲ ରହିଛି । ଏଠାରେ ଆଇଟିଡ଼ିଏ ଓ ମାଇକ୍ରୋ ପ୍ରୋଜେକଫ ଅଞ୍ଚଳର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଓ ଉତ୍ପାଦିତ ସାମଗ୍ରୀ ବିକ୍ରୟ କରୁଛନ୍ତି । ଆଇଟିଡିଏ ଦ୍ୱାରା ୪୪ଟି ଷ୍ଟଲରେ ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନେ ସେମାନଙ୍କର ଉତ୍ପାଦିତ ଓ ସଂଗୃହୀତ ଦ୍ରବ୍ୟ ବିକ୍ରୟ କରିବେ । ୧୭ଟି ଷ୍ଟଲ ଅଣୁପ୍ରକଳ୍ପ ଅଧୀନସ୍ଥ ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କୁ ଆବଣ୍ଟନ କରାଯାଇଛି ।

ଜାତୀୟ ଜନଜାତି ଆଦିବାସୀ ଚିତ୍ରକଳା ଓ କଳାସାମଗ୍ରୀ, ହସ୍ତଶିଳ୍ପ ସାମଗ୍ରୀର ବିକ୍ରୟ ପାଇଁ ସ୍ୱତନ୍ତ୍ର ୮୪ଟି ଷ୍ଟଲ କରାଯାଇଛି । ଏଥିରେ ଓଡ଼ିଶା ସମେତ ୧୮ଟି ରାଜ୍ୟର ଆଦିବାସୀ କାରିଗରମାନେ ତାଙ୍କ କଳାସାମଗ୍ରୀ ପ୍ରଦର୍ଶନ କରୁଛନ୍ତି । ଅନ୍ୟାନ୍ୟ ଷ୍ଟଲ ମଧ୍ୟରେ ମିଶନ ଶକ୍ତିର ୨୧ଟି, ଓର୍‌ମାସ୍‌ର ୧୫ଟି ଏବଂ ଟିଡିସିସିର ୨ଟି ଷ୍ଟଲରେ ଜନଜାତି ସାମଗ୍ରୀର ଭରପୂର ସମ୍ଭାର ବିକ୍ରୟ ପାଇଁ ଗଚ୍ଛିତ ରହିଛି । ସୂଚନା ଓ ଲୋକସଂପର୍କ ବିଭାଗର ଗୋଟିଏ ଷ୍ଟଲ୍‌ରେ ଓଡ଼ିଶା ସରକାରଙ୍କ ଜନଜାତି ବିକାଶ କାର୍ଯ୍ୟକ୍ରମ ସହିତ ଜନଜାତିଙ୍କ ଜୀବନଶୈଳୀ ଓ ସଂସ୍କୃତିର ଫଟୋଚିତ୍ର ସୁନ୍ଦର ଓ ଚିତ୍ତାକର୍ଷକ ଭାବେ ସ୍ଥାନୀତ ହୋଇଛି ।

ପ୍ରତିବର୍ଷ ଆଦିବାସୀ ମେଳାକୁ ରାଜ୍ୟ ତଥା ବାହାରୁ ୮ରୁ ୧୦ ଲକ୍ଷ ଦର୍ଶକ ଆସିଥାନ୍ତି । ଏହି ମେଳାରେ ୫ରୁ ୬ କୋଟି ଟଙ୍କାର ବ୍ୟବସାୟ ହୋଇଥାଏ । ଲୋକମାନେ ଏହି ମେଳାରୁ ବର୍ଷକ ପାଇଁ ହଳଦୀ, ମାଣ୍ଡିଆ, ମୁଗ, ବିରି, ମକା, ବାସନାଚାଉଳ, ମହୁ, ଝୁଣା, ଝାଡ଼ୁ, ପାଳୁଅ ଆଦି ଆଦିବାସୀ ତଥା ଜଙ୍ଗଲଜାତ ଦ୍ରବ୍ୟ କ୍ରୟ କରିଥାନ୍ତି ।

ମେଳାରେ ସନ୍ଧ୍ୟା ୬.୩୦ରୁ ରାତି ୮.୩୦ ପର୍ଯ୍ୟନ୍ତ ବିଭିନ୍ନ ଜନଜାତି ନୃତ୍ୟ ପ୍ରଦର୍ଶନର ବ୍ୟବସ୍ଥା କରାଯାଇଛି । ମେଳାରେ ସୁରକ୍ଷା ଦୃଷ୍ଟିକୋଣରୁ ବ୍ୟାପକ ପୋଲିସ ମୁତୟନ କରାଯିବା ସହିତ ବେସରକାରୀ ସୁରକ୍ଷା ସଂସ୍ଥାକୁ ମଧ୍ୟ ନିୟୋଜନ  କରାଯାଇଛି । ମେଳା ପରିସରର ବିଭିନ୍ନ କୋଣରେ ଏକାଧିକ କ୍ଲୋଜ ସର୍କିଟ୍‌ କ୍ୟାମେରା ଲଗାଯାଇଛି ଏବଂ ଏହାର ମନିଟର୍‌ ପୋଲିସ କଣ୍ଟ୍ରୋଲ ରୁମ୍‌ ଓ ମୁଖ୍ୟ କଣ୍ଟ୍ରୋଲ ରୁମ୍‌ରେ ରହିଛି । କରୋନା ସତର୍କତା ପାଇଁ ବିଭିନ୍ନ ସ୍ଥାନରେ ସଚେତନତା ବାର୍ତ୍ତା ଲଗାଯାଇଛି । ନିରାପତ୍ତା ଦୃଷ୍ଟିକୋଣରୁ ମୁଖ୍ୟ କଣ୍ଟ୍ରୋଲ ରୁମ୍‌, ଆଶୁଚିକିତ୍ସା କେନ୍ଦ୍ର, ଅସ୍ଥାୟୀ ଦମକଳ କେନ୍ଦ୍ର, ଅସ୍ଥାୟୀ ଜନସ୍ୱାସ୍ଥ୍ୟ ଓ ବିଦୁ୍ୟତ ନିୟନ୍ତ୍ରଣ କେନ୍ଦ୍ର ମଧ୍ୟ ଖୋଲାଯାଇଛି । ଆବଶ୍ୟକ ପରିମାଣରେ ଅଗ୍ନିନିର୍ବପକ ଯନ୍ତ୍ର ପ୍ରତ୍ୟେକ ପ୍ରଭାଗରେ ମହଜୁଦ ଅଛି ।

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଆଦିବାସୀ ମେଳା ଅପ୍ରେଲ ୨୩ରୁ ମଇ ୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୦ ଦିନ ଧରି ଚାଲିବ । ପ୍ରତ୍ୟହ ଅପରାହ୍ନ ୩.୩୦ରୁ ରାତି ୯.୩୦ ପର୍ଯ୍ୟନ୍ତ ଆଦିବାସୀ ମେଳା ଖୋଲା ରହିବ ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ସଂଧ୍ୟାରୁ ଭୁବନେଶ୍ବରରେ ଆରମ୍ଭ ହେବ ଆଦିବାସୀ ମେଳା, ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ରାଜ୍ ୟସ୍ତରୀୟ ଆଦିବାସୀ ମେଳା । ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଳାକୁ ଉଦଘାଟନ କରିବେ । ୟୁନିଟ-3  ଇଡକୋ ପ୍ରଦର୍ଶନୀ ପଡ଼ିଆରେ ୧୦ ଦିନ ଧରି ଚାଲିବ। ତେବେ ଏହି ମେଳା ପ୍ରତିବର୍ଷ ଗଣତନ୍ତ୍ର ଦିବସ ବା ଜାନୁୟାରୀ୨୬ ତାରିଖରେ ଉଦଘାଟିତ ହୋଇଥାଏ। ହେଲେ କୋରନା ପାଇଁ ଏହି ମେଳା ହୋଇପାରି ନ ଥିବାରୁ ବର୍ତ୍ତମାନ କରାଯାଉଛି।

ଏହି ମେଳାରେ ଚଳିତ ବର୍ଷ ମୋଟ୍‍ ୧୦୦ଟି ଷ୍ଟଲ କରାଯାଇଛି। ଆଇଟିଡିଏ, ମାଇକ୍ରୋ ପ୍ରୋଜେକ୍ଟ, ମିଶନ ଶକ୍ତି, ଓରମାସ, ଟିଡିସିସି ଆଦି ସଂସ୍ଥା ଏହି ମେଳାରେ ଯୋଗ ଦେଇଛନ୍ତି। ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟର ଆଦିବାସୀ କଳାକାରମାନେ ପାରମ୍ପରିକ କଳା ପ୍ରଦର୍ଶନ କରିବେ । ଆଦିବାସୀ ମେଳାରେ ଜାତୀୟ କ୍ରାଫ୍ଟ ମେଳା ପାଇଁ ସ୍ବତନ୍ତ୍ର ଭାବେ ୮୦ଟି ଷ୍ଟଲ ରହିଛି । ଦେଶର ୧୮ଟି ରାଜ୍ୟରୁ ଆସିବାକୁ ଥିବା କଳାକାରମାନେ କଳାନୈପୂଣ୍ୟ ପ୍ରଦର୍ଶନ ସହ ସାମଗ୍ରୀ ବିକ୍ରି କରିବାର ସୁଯୋଗ ପାଇବେ ।

Categories
ଜାତୀୟ ଖବର ବିଶେଷ ଖବର ସଂସ୍କୃତି

ସରିଲା ଆଦିବାସୀ ମେଳା,15 ଦିନ ଧରି ଚାଲିଥିବା ଏହି ମେଳାରୁ କେତେ ଆୟ ହେଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ବର, ଜାନୁଆରୀ ୨୬ ତାରିଖଠାରୁ ଭୁବନେଶ୍ୱର ୟୁନିଟ୍‌-୧ ସ୍ଥିତ ଆଦିବାସୀ  ପଡ଼ିଆରେ ଅନୁଷ୍ଠିତ ହେଉଥିବା ଆଦିବାସୀ ମେଳା ଉଦ୍‌ଯାପିତ ହୋଇଯାଇଛି କୋଭିଡ୍‌ ମହାମାରୀଜନିତ ଆଚରଣବିଧି ଲାଗୁ ହେବା କାରଣରୁ ଚଳିତ ବର୍ଷ ଆଦିବାସୀ ମେଳା-୨୦୨୧ ନିୟନ୍ତ୍ରିତ ଭାବେ ଅନୁଷ୍ଠିତ ହୋଇଛି, ଯେଉଁଠି ଉଭୟ ଭର୍ଚୁଆଲ୍‌ ମୋଡ ସହ ପ୍ରତ୍ୟକ୍ଷ ରୂପରେ ମେଳା କରାଯାଇଥିଲା ।

ଏହି ଆଦିବାସୀ ମେଳା, ଆଦିବାସୀ ପ୍ରଦର୍ଶନୀ ପଡ଼ିଆ, ୟୁନିଟ୍‌-୧ରେ ଜାନୁଆରୀ ୨୬, ୨୦୨୧ରୁ ଫେବୃଆରୀ ୯,୨୦୨୧ ପର୍ଯ୍ୟନ୍ତ ଦିନ ୧୧ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କେବଳ ଜନଜାତିଙ୍କ ଉତ୍ପାଦିତ ଓ ପ୍ରସ୍ତୁତ ସାମଗ୍ରୀ ତଥା ସଂଗୃହୀତ ଲଘୁ ବନଜାତ ସାମଗ୍ରୀକୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ବିକ୍ରୟର ବ୍ୟବସ୍ଥା କରାଯାଇଥିଲା। ସ୍ୱୟଂ ସହାୟକ ଗୋଷ୍ଠୀମାନେ ୨୨ଟି ଆଇଟିଡିଏ ଓ ୧୭ଟି ଅଣୁ  ପ୍ରକଳ୍ପର ଅଧିକାରୀଙ୍କ ଦ୍ୱାରା ମନୋନୀତ ହୋଇ ଆଦିବାସୀ ମେଳାକୁ ଆସିଥିଲେ ।

ଦୀର୍ଘ ୧୫ ଦିନ ମେଳାରେ କେବଳ ୯୦ଟି ଷ୍ଟଲ ମାଧ୍ୟମରେ କାରବାର କରାଯାଇ ଦୁଇ କୋଟି ଟଙ୍କାରୁ ଊଦ୍ଧ୍ୱର୍ ବ୍ୟବସାୟ ହୋଇଥିଲା । ଜନଜାତିଙ୍କ ସୁବିଧା ପାଇଁ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଏବଂ ସେଗୁଡ଼ିକର ଉଦ୍ଦେଶ୍ୟ ତଥା ସଂପାଦିତ କାର୍ଯ୍ୟଧାରାକୁ ମେଳା ସମୟରେ  ପ୍ରଦର୍ଶିତ କରାଯାଇଥିଲା ।

ସେହିପରି ଭର୍ଚୁଆଲ୍‌ ମୋଡ୍‌ରେ ଦର୍ଶକମାନେ ଜନଜାତିଙ୍କ ସହ ସାଂସ୍କୃତିକ ଆଳାପ, ଜ୍ଞାନ ଆଦାନପ୍ରଦାନ, ଜନଜାତି କଳା, ସ୍ଥାପତ୍ୟ ଇତ୍ୟାଦି ସହ ଉତ୍ପାଦିତ ସାମଗ୍ରୀର ବିପଣନ ସୁବିଧା ନେଇଥିଲେ । ଚଳିତ ଆଦିବାସୀ ମେଳାକୁ ପ୍ରାୟ ୨.୫ ଲକ୍ଷରୁ ଅଧିକ ଦର୍ଶକ ପରିଦର୍ଶନରେ ଆସିଥିଲେ

ମଧ୍ୟସ୍ଥିମୁକ୍ତ ବ୍ୟବସାୟ ଆଧାରରେ ମା ସରସ୍ୱତୀ ଏସ୍‌ଏଚ୍‌ଜି, ଏଚ୍‌କେ. ଆଣ୍ଡ ଏମ୍‌ଡିଏ, ଯଶି ପୁର, ମା ଭୈରବୀ ଏସ୍‌ଏଚ୍‌ଜି, ଖମ୍ବେସୀ, ଡିକେଡିଏ, ଚାଟିକୋଣା,  ପିତାକି ଏସ୍‌ଏଚ୍‌ଜି, ଦେଓଗଡ଼, କେକେଡିଏ, ବେଲଘର, ମା ସନ୍ତୋଷୀ ଏସ୍‌ଏଚ୍‌ଜି, ସର୍ଗୀଡିହି, କୁଚିଣ୍ଡା, ଆଇଟିଡିଏ, କୁଚିଣ୍ଡା, ମୀରାବାଈ ମହିଳା ସମିତି, ଲାଇମୁରା, ଆଟିଡିଏ ତିଲେଇବଣୀ, ଜୟ ମା  ପାଥରାଜ ଏସ୍‌ଏଚ୍‌ଜି, ବୈରି ପଡ଼ା, ଆଟିଡିଏ, କୋରାପୁଟ ଗୋଷ୍ଠୀଙ୍କୁ ବିଭାଗ ତରଫରୁ ପୁରସ୍କୃତ କରାଯାଇଥିଲା ।

ଉଦ୍‌ଯାପନୀ ଉତ୍ସବ ଅବସରରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍‌ଠାନର ଉ ପଦେଷ୍ଟା ତଥା ନିର୍ଦ୍ଦେଶକ  ପ୍ରଫେସର ଡ. ଅଖିଳ ବିହାରୀ ଓତାଙ୍କ ଦ୍ୱାରା ସଂପାଦିତ  ପୁସ୍ତକ ADISAKTI; Tribal Women Achievers of Odisha’ ଏବଂ  ‘An Overview of particularly Vulnerable Tribal Groups (PVTG) of Odisha’

ଉଦ୍‌ଯାପନ ଉତ୍ସବର ମୁଖ୍ୟ ଅତିଥି ଭାବେ ଶ୍ରୀ ସୁବ୍ରତ ବାଗ୍‌ଚୀ, ସମ୍ମାନିତ ଅତିଥି ମୋ ସ୍କୁଲର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ, ବିଭାଗୀୟ ପ୍ରମୁଖ ଶାସନ ସଚିବ ରଂଜନା ଚୋପ୍ରା, ବିଭାଗୀୟ ନିର୍ଦ୍ଦେଶିକା ଗୁହା ପୁନମ ତା ପସ କୁମାର, ପ୍ରଫେସର ଡ. ଅଖିଳ ବିହାରୀ ଓତା ତଥା ଅନ୍ୟାନ୍ୟ ବିଶିଷ୍ଟ ଅତିଥିଗଣ ଯୋଗଦାନ କରି ମେଳାର ମହତ୍ତ୍ୱ ଉ ପରେ ଆଲୋକ ପାତ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଆରମ୍ଭ ହେଲା ଆଦିବାସୀ ମେଳା, ଅନ ଲାଇନରେ ମଧ୍ୟ କିଣିପାରିବେ ସାମଗ୍ରୀ

ଭୁବନେଶ୍ୱର: ଆରମ୍ଭ ହେଲା ରାଜ୍ୟସ୍ତରୀୟ ଆଦିବାସୀ ମେଳା । ଭିଡିଓ କନଫ୍ରେସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଥିଲେ । ଆଦିବାସୀଙ୍କ ଉତ୍ପାଦିତ ପଦାର୍ଥକୁ ବିକ୍ରି କରିବା ପାଇଁ ଏହି ମେଳାର ପରିକଳ୍ପନା। ଏଥିସହିତ ଏହି ମେଳାରେ ଆଦିବାସୀଙ୍କ ଜୀବନ ଶୈଳୀ ମଧ୍ୟ ପ୍ରଦର୍ଶୀତ କରାଯାଇଥାଏ। ଏହା ଫେବ୍ରୁଆରୀ ୯ ତାରିଖ ଯାଏଁ ଚାଲିବ । ଦିନ ୧୧ଟାରୁ ସନ୍ଧ୍ୟା ୭ଟା ଯାଏଁ ମେଳା ଚାଲିବ ।

କରୋନାକୁ ଦୃଷ୍ଟରେ ରଖି ଚଳିତ ବର୍ଷ ପ୍ରଥମ ଥର ପାଇଁ ଇ ମାର୍କେଟିଂର ବ୍ୟବସ୍ଥା କରାଯାଇଛି । ଆଗ୍ରହୀ ଗ୍ରାହକମାନେ ଘରେ ବସି  ବିଭିନ୍ନ ସାମଗ୍ରୀ କିଣିପାରିବେ ।  ଆପଣମାନେ ୱେବସାଇଟ www.adivasi2021.com କୁ କ୍ଲିକ କରି ସାମଗ୍ରୀ କିଣିପାରିବେ।