ଭୁବନେଶ୍ବରରେ ଆଦିବାସୀ ମେଳା: ପ୍ରବଳ ଖରା ସତ୍ବେ ବଢୁଛି ଲୋକଙ୍କ ଆଗ୍ରହ

Published: Apr 26, 2022, 6:21 pm IST

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଅପ୍ରେଲ ୨୩ ତାରିଖଠାରୁ ସ୍ଥାନୀୟ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଆଦିବାସୀ ମେଳା ଓ ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଆରମ୍ଭ ହୋଇଛି। ଚଳିତ ବର୍ଷ ଏହି ମେଳାରେ ସମୁଦାୟ ୧୮୭ଟି ଷ୍ଟଲ ନିର୍ମାଣ କରାଯାଇଛି।

ଆଦିବାସୀ ହାଟରେ ୧୦୪ଟି ଷ୍ଟଲ ରହିଛି। ଜାତୀୟ ଜନଜାତି ଚିତ୍ରକଳା ଓ କଳାସାମଗ୍ରୀ, ହସ୍ତଶିଳ୍ପ ସାମଗ୍ରୀ ବିକ୍ରୟ ପାଇଁ ସ୍ୱତନ୍ତ୍ର ୮୪ଟି ଷ୍ଟଲ କରାଯାଇଛି । ଏଥିରେ ଓଡ଼ିଶା ସମେତ ୧୮ଟି ରାଜ୍ୟର ଜନଜାତି କାରିଗରମାନେ ତାଙ୍କ କଳାସାମଗ୍ରୀ ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି। ଅନ୍ୟାନ୍ୟ ଷ୍ଟଲ ମଧ୍ୟରେ ମିଶନ ଶକ୍ତିର ୨୧ଟି, ଓର୍‌ମାସ୍‌ର ୧୫ଟି, ଟିଡିସିସିର ଦୁଇଟି ଷ୍ଟଲରେ ଜନଜାତି ସାମଗ୍ରୀ ବିକ୍ରୟ ହେଉଛି।

ଆଜି ଆଦିବାସୀ ମେଳାରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍‌ଚୀ ଏବଂ ‘ମୋ ସ୍କୁଲ ଅଭିଯାନ’ର ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗ୍‌ଚୀ ମେଳା ବୁଲିବା ସହିତ ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଓ ଆଦିବାସୀ ମେଳାକୁ ଭୂୟସୀ ପ୍ରଶଂସା କରିଥିଲେ।
ଜନଜାତି କଳାସାମଗ୍ରୀ ପ୍ରଦର୍ଶନୀର ଏକ କୋଣରେ ୬ଟି ଷ୍ଟଲ ମାଧ୍ୟମରେ ଓଡ଼ିଶା ଖଣିଜ ପ୍ରଧାନ ଅଞ୍ଚଳ ବିକାଶ କର୍ପୋରେସନ୍‌ ଦ୍ୱାରା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଅଞ୍ଚଳର ବିସ୍ଥାପିତ ଭୂମିହୀନ ଜନଜାତିଙ୍କ ପାରମ୍ପରିକ ଜ୍ଞାନକୌଶଳକୁ ପ୍ରଦର୍ଶିତ କରାଯାଇଛି।

ସେମାନଙ୍କର ଜ୍ଞାନକୌଶଳକୁ ଆଧାର କରି କିପରି ଜୀବିକା ନିର୍ବାହ କରିପାରିବେ ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହି ଉପକ୍ରମ ମାଧ୍ୟମରେ ସବାଇ ଘାସ, ଢୋକରା, ପଥର କାମ, ଟେରାକୋଟା, ଧାନ କାରୁକଳା, ଖଜୁରୀପତ୍ରର ଆସବାବପତ୍ର, ବାଉଁଶ କାରିଗରୀ, ଲାଖଶିଳ୍ପ ଚିତ୍ରକଳା, ଆଭୂଷଣ ଇତ୍ୟାଦି ୧୬ଟି ପ୍ରଭାଗରେ ତରୁଣ ଶିଳ୍ପୀମାନଙ୍କୁ ଦକ୍ଷତା ବିକାଶ ପାଇଁ ପଦକ୍ଷେପ ନିଆଯାଇଛି । ମେଳାରେ ପ୍ରଦର୍ଶିତ ୬ଟି ଷ୍ଟଲରେ ସେମାନଙ୍କର କଳାକୃତି ସ୍ଥାନୀତ ହୋଇଛି। ତରୁଣ କାରିଗରମାନେ ଏହା ଦ୍ୱାରା ସ୍ୱାବଲମ୍ବୀ ହୋଇପାରିଛନ୍ତି।

ତୃତୀୟ ଦିନ ସନ୍ଧ୍ୟାରେ ଆଦିବାସୀ ମେଳାର ମୁଖ୍ୟ ମଞ୍ଚରେ ସୁଦୂର ମାଲକାନଗିରିର କୋୟାମାନଙ୍କର ‘ତେନ୍ଦୁଲୁପାଟା’ ନୃତ୍ୟ, ଚୈତ୍ରମାସର ‘ବିହନବୁଣା’ ନୃତ୍ୟ ପରିବେଷିତ ହୋଇଥିଲା । ସେହିପରି କୋରାପୁଟର ଗଦବାମାନଙ୍କର ଢେମ୍‌ସା ନୃତ୍ୟ, ଲାଞ୍ଜିଆ ସଉରାମାନଙ୍କର ‘ବେଣ୍ଟ ପରବ’ ନୃତ୍ୟ ପରିବେଷିତ ହୋଇଥିଲା । ପ୍ରଥମ ଥର ପାଇଁ ମାଲକାନଗିରିରୁ ଆସିଥିବା ଭୂମିଆମାନଙ୍କର ‘ଢେମ୍‌ସା’ ନୃତ୍ୟ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।

Related posts