Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ ରେ ଅନୁବାଦ ସାହିତ୍ୟ ଉପରେ ଆଲୋଚନା

ଭୁବନେଶ୍ୱର: ଓଡ଼ିଆ ସାହିତ୍ୟକୁ ବିଶ୍ୱ ଦୃଷ୍ଟିରେ ଆଣିବା ପାଇଁ ଅନୁବାଦର ଆବଶ୍ୟକତା ରହିଛି। ଓଡ଼ିଆ ସାହିତ୍ୟର ବ୍ୟାପ୍ତି ଓ ସମୃଦ୍ଧିରେ ଅନୁବାଦର ଗୁରୁତ୍ୱକୁ ସବୁମହଲରେ ହୃଦୟଙ୍ଗମ କଲେ ଆମ ଭାଷା ଓ ସାହିତ୍ୟର ବ୍ୟାପକ ଅଭିବୃଦ୍ଧି ହେବା ସହିିତ ଓଡ଼ଆ ଭାଷା ଓ ସାହିତ୍ୟ ବିଶ୍ୱପ୍ରସାରିତ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଆୟୋଜିତ ଅନୁବାଦ ସଂପର୍କିତ ଆଲୋଚନା ସଭାରେ ଅତିଥି ବକ୍ତାମାନେ ଉପରୋକ୍ତ ମର୍ମରେ ଅନୁବାଦର ଗୁରୁତ୍ୱ ନେଇ ମତ ରଖିଛନ୍ତି।

ପ୍ରସିଦ୍ଧ ଅନୁବାଦକ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଇଂରାଜୀ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ କହିଲେ ଯେ ସଂସ୍କୃତି ଓ ସଭ୍ୟତାର ସମୃଦ୍ଧି ନିମନ୍ତେ ଅନୁବାଦର ଆବଶ୍ୟକ ହୋଇଥାଏ। ସଭ୍ୟତାର ବିକାଶ ପର୍ଯ୍ୟଟନ, ଗମନାଗମନ ଦ୍ୱାରା ହୋଇଥାଏ । ସାହିତ୍ୟ, ଭାଷା, ସଂସ୍କୃତି ଯଦି ଗମନାଗମନ ନକରନ୍ତି ତେବେ ଆମ ସାହିତ୍ୟ ବିଲୋପ ହୋଇଯିବ।

ଓଡ଼ିଆ ଭାଗବତର ଇଂରାଜୀ ଓ ଅନ୍ୟ ଭାଷାରେ ଅନୂଦିତ ସଂସ୍କରଣ ପ୍ରକାଶ ପାଇବା ଆମ ପାଇଁ ନିଶ୍ଚିତ ଗର୍ବର ବିଷୟ । ସାହିତ୍ୟକୃତିର ଭ୍ରମଣରେ ସାହିତ୍ୟ ସମୃଦ୍ଧ ହୁଏ । ପାଶ୍ଚାତ୍ୟ ଆଙ୍ଗିକଗୁଡ଼ିକ ଓଡ଼ିଆ ସାହିତ୍ୟରେ ମିଶି ଏହାକୁ ଆହୁରି ଅଧିକ ସମୃଦ୍ଧ କରିଛନ୍ତି । ଫକୀର ମୋହନଙ୍କ ରଚିତ ବହୁ ସାହିତ୍ୟକୃତି ଓ ମାୟାଧର ମାନସିଂହଙ୍କ ଉଦ୍ଧୃତ ଅନୁବାଦ ଖୁବ୍‌ ପାଠକୀୟ ଆଦୃତି ଲାଭ କରିଛି।

ଖ୍ୟାତନାମା ସାହିତି୍ୟକ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଅନୁବାଦକ ପ୍ରଫେସର ଅଜୟ କୁମାର ପଟ୍ଟନାୟକ କହିଲେ ଯେ ଜଗତିକରଣ ପରେ ପୃଥିବୀରେ ଅନୁବାଦର ଗୁରୁତ୍ୱ ବଢ଼ିଯାଇଛି । ଓଡ଼ିଆ ସାହିତ୍ୟର ହିନ୍ଦୀ ଅନୁବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି ଏବଂ ଏହି କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟା ଓ ସମାଧାନ ବିଷୟରେ ଅଧିକ ଧ୍ୟାନଦେଲେ ଓଡ଼ିଆ ସାହିତ୍ୟର ଅଧିକ ପରିମାଣରେ ଅନୁବାଦ ହୋଇପାରିବ।

ଅନୁବାଦକ ଶ୍ରୀ ସୋମେଶ ମହାପାତ୍ର କହିଲେ ଯେ ଜାଣିବା ଓ ଜଣାଇବା, ଶୁଣିବା ଓ ଶୁଣାଇବାର ଜିଜ୍ଞାସାରୁ ହିଁ ଅନୁବାଦର ସୃଷ୍ଟି । ଅନୁବାଦ ହେଉଛି ଉଭୟ ପଟକୁ ଖୋଲି ପାରୁଥିବା ଏକ ଝରକା । ବିଶ୍ୱର ଚାରୋଟି ଭାଷା-ଜର୍ମାନୀ, ସ୍ପେନିସ୍‌, ଜାପାନୀ ଓ ଫ୍ରେଞ୍ଚରେ ୧୦୦ରୁ ଅଧିକ ଓଡ଼ିଆ କ୍ଷୁଦ୍ର ଗଳ୍ପ ଅନୁବାଦ ହୋଇଛି।

ତରୁଣ ଲେଖକ, ଅନୁବାଦକ ତଥା ପ୍ରକାଶକ ଡ. ଶୁଭ୍ରାଂଶୁ ପଣ୍ଡା ଓଡ଼ିଆ ଭାଷାର ବିଶ୍ୱଯାତ୍ରା ନେଇ ପ୍ରକାଶକୀୟ ଦୃଷ୍ଟିଭଙ୍ଗୀ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଅନୁବାଦକ ବୃତ୍ତି ଭାବରେ ଗ୍ରହଣ କରି ନୂଆପିଢ଼ି ଓଡ଼ିଆ ସାହିତ୍ୟର ଉନ୍ନତି କରିପାରିବ ଏବଂ ସେମାନେ ମଧ୍ୟ ଭାଷା-ସାହିତ୍ୟର ବିକାଶରେ ଅଂଶୀଦାର ହୋଇପାରିବେ।

ବ୍ୟାସକବି ଫକୀର ମୋହନ ସେନାପତିଙ୍କ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବିଶିଷ୍ଟ ଅନୁବାଦକ ପ୍ରଫେସର ବିକ୍ରମ କେଶରୀ ଦାସ କହିଲେ ଯେ ଓଡ଼ିଆ ସାହିତ୍ୟକୁ ବିଶ୍ୱ ଦୃଷ୍ଟିରେ ଆଣିବା ପାଇଁ ଅନୁବାଦର ଆବଶ୍ୟକତା ରହିଛି। ଭାଷାର ମିଶ୍ରଣ ସ୍ୱାଭାବିକ । ଆଜିର ଯୁବପିଢ଼ି ଭାଷାର ଅର୍ଥକୁ ବୁଝି ତା’ର ସଠିକ୍‌ ମର୍ମରେ ଅନୁବାଦ କରିବା ଉଚିତ। ଅନୁବାଦ ଦ୍ୱାରା ଭାଷା ଓ ଭାବର ପରିବର୍ତ୍ତନ ହୁଏ । କିନ୍ତୁ ତାହାର ମୌଳିକତା ଅକ୍ଷୁଣ୍ଣ ରହିବା ନିହାତି ଆବଶ୍ୟକ।

ଅନୁବାଦ ବହୁପ୍ରକାରର ହୋଇଥାଏ। ଯେପରିକି ଗ୍ରନ୍ଥ, ଲୋକକଳା, ସାହିତ୍ୟ ଓ ସଂସ୍କୃତିର ଅନୁବାଦକୁ ସାଂସ୍କୃତିକ ଅନୁବାଦ କୁହାଯାଏ ଏବଂ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ନିମନ୍ତେ ହେଉଥିବା ଅନୁବାଦକୁ ବୌଦ୍ଧିକ ଅନୁବାଦ କୁହାଯାଏ। ନୂଆ ଚିନ୍ତାଧାରାର ବିକାଶ ପାଇଁ ସାହିତ୍ୟର ଗୋଟିଏ ଭାଷାରୁ ଅନ୍ୟ ଭାଷାକୁ ଅନୁବାଦ ହେବା ଦରକାର ବୋଲି ପ୍ରଫେସର ଦାସ କହିଥିଲେ।

ରେଭେନ୍ସା ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ତଥା ତରୁଣ ସାହିତି୍ୟକ ଡ. ଜ୍ଞାନୀ ଦେବାଶିଷ ମିଶ୍ରଙ୍କ ଅର୍ଥପୂର୍ଣ୍ଣ ସଂଯୋଜନାରେ କାର୍ଯ୍ୟକ୍ରମ ଅତ୍ୟନ୍ତ ପ୍ରଭାବୀ ହୋଇଥିଲା। ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷ ଛାତ୍ର ଦେବେନ୍ଦ୍ର ଆଚାର୍ଯ୍ୟ ନିଜ ବକ୍ତବ୍ୟ ରଖିଥିବାବେଳେ ଶେଷରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ନିର୍ଦ୍ଦେର୍ଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଜେଏନୟୁରେ ହେବ ଓଡିଆ ପାଠ୍ୟକ୍ରମରେ ବିଜୁ ପଟ୍ଟନାୟକ ସ୍ୱତନ୍ତ୍ର କେନ୍ଦ୍ର, ସ୍ବାକ୍ଷରିତ ହେଲା ବୁଝାମଣା

ଭୁବନେଶ୍ବର: ନୂଆ ଦିଲ୍ଲୀ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଓଡିଆ ପାଠ୍ୟକ୍ରମରେ ବିଜୁ ପଟ୍ଟନାୟକ ସ୍ୱତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ଓଡିଶା ସରକାର ଓ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ,ନୂଆ ଦିଲ୍ଲୀ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି।

ଆଜି ଲୋକସେବା ଭବନ ଠାରେ ଆୟୋଜିତ ବୁଝାମଣା ପତ୍ର ସ୍ୱାକ୍ଷରିତ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଉପସ୍ଥିତିରେ ଏହା ସ୍ୱାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କ ତରଫରୁ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରଓ୍ୱାଲ ଏବଂ ଜେ.ଏନ୍‌.ୟୁର କୁଳପତି ଶାନ୍ତିଶ୍ରୀ ଧୁଲିପୁଡି ପଣ୍ଡିତ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି।

ଓଡିଆ ଭାଷାରେ ପ୍ରଗତିଶୀଳ ଗବେଷଣା ନିମନ୍ତେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହଭାଗିତା ଓ ସହଯୋଗିତା , ଆମର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ତଥା ପ୍ରୋତ୍ସାହନ ନିମନ୍ତେ ଉଲ୍ଲେଖନୀୟ ଭିତ୍ତି ନିର୍ମାଣ ଏହି ବୁଝାମଣା ପତ୍ରର ମୁଖ୍ୟ ଉଦ୍ଦ୍ୟେଶ୍ୟ।

ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ସମୟରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା , ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ , ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪, ଶାସ୍ତ୍ରୀୟ ଓଡ଼ିଆ ଭାଷା ସଂପର୍କରେ ବିସ୍ତୃତ ଆଲୋଚନା

ଭୁବେନେଶ୍ବର:  ପ୍ରାଚୀନ ଐତିହ୍ୟସମ୍ପନ୍ନ ଓ ସାହିତ୍ୟିକ ପରମ୍ପରାରେ ସମୃଦ୍ଧ ହୋଇଥିବା ଭାଷାକୁ ଶାସ୍ତ୍ରୀୟ ଭାଷା କୁହାଯାଏ । ଭାରତରେ ୧୬୩୫ଟି ମାତୃଭାଷା ରହିଥିବାବେଳେ କେବଳ ୨୨ ଟି ଭାଷା ସମ୍ବିଧାନ ଦ୍ୱାରା ସ୍ୱୀକୃତ ଓ ଅନ୍ତର୍ଭୁକ୍ତ। ୨୦୧୪ ମସିହା ମାର୍ଚ୍ଚ ୧୧ ତାରିଖରେ ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଅର୍ଜନ କରିଥିଲା।

ଓଡିଆ ଇଣ୍ଡୋ-ଆର୍ଯ୍ୟ ଭାଷା ପରିବାରର ପ୍ରଥମ ପୂର୍ବ ଓ ଉତ୍ତର ଭାରତର ପ୍ରଥମ ଭାଷା । ଜନତା ମଇଦାନରେ ଆୟୋଜିତ ବିଶ୍ୱ ଓଡିଆ ଭାଷା ସମ୍ମିଳନୀରେ ବ୍ୟାସକବି ଫକିରମୋହ[ ସେନାପତି କକ୍ଷରେ ଆୟୋଜିତ ହୋଇଥିବା ‘ଓଡିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଓ ଆମ ଦାୟିତ୍ୱ’ ସମ୍ପର୍କରେ ଆଲୋଚନା କରାଯାଇଛି।

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆଜି ପ୍ରଥମ ଦିବସରେ ଅନୁଷ୍ଠିତ ‘ଓଡ଼ିଆ: ଭାରତର ଶାସ୍ତ୍ରୀୟ ଭାଷା’ ଶୀର୍ଷକ ଆଲୋଚନା ସଭାରେ ବକ୍ତାମାନେ ଓଡ଼ିଆ ଭାଷାର ଶାସ୍ତ୍ରୀୟତା ନେଇ ମତାମତ ଉପସ୍ଥାପନା କରିଥିଲେ। ବ୍ୟାସକବି ଫକୀର ମୋହନ କକ୍ଷରେ ଆୟୋଜିତ ଏହି ଆଲୋଚନା ସଭା ଆୟୋଜିତ ହୋଇଥିଲା।

ଓଡ଼ିଆ ଶାସ୍ତ୍ରୀୟ ଭାଷା ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଡ. ବସନ୍ତ କୁମାର ପଣ୍ଡା କହିଛନ୍ତି ଯେ ରାଷ୍ଟ୍ର ଗଠନର ମୂଳରେ ଥାଏ ଭାଷା । ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରୁ ଲିଖିତ ବିଭିନ୍ନ ପ୍ରାଚୀନ ଗ୍ରନ୍ଥରେ କଳିଙ୍ଗ, ଉଡ୍ରଦେଶ ଓ ଉଡ୍ର ଭାଷାର ଉଲ୍ଲେଖ ରହିଥିବାବେଳେ ତାହା ସମକାଳରେ ଓଡ଼ିଆ ଭାଷା ଭାବରେ ପରିଚିତି ଅର୍ଜନ କରିଛି।

ପ୍ରସିଦ୍ଧ ସଂସ୍କୃତ ବୈୟାକରଣିକ ପାଣିନୀଙ୍କ ‘ଅଷ୍ଟାଧ୍ୟାୟୀ’ରେ ଉଡ୍ରମା[ଙ୍କୁ କଳିଙ୍ଗ ଜ[ପଦର ଅଧିବାସୀ ଭାବରେ ଅଭିହିତ କରାଯାଇଛି । ଓଡ଼ିଆ ଭାଷା ନାଁରେ ଓଡ଼ିଶାର ନାମକରଣ ହୋଇଛି ବୋଲି ପ୍ରଫେସର ପଣ୍ଡା ପ୍ରକାଶ କରିଛନ୍ତି ।

ବିଶିଷ୍ଟ ସମାଲୋଚକ ଡ. କୀର୍ତ୍ତୀନାରାୟଣ ପାଢ଼ୀ କହିଛନ୍ତି ଯେ ଓଡ଼ିଆ ଭାଷାର କ୍ରମବିକାଶ ସଂପର୍କରେ ଶିଳାଲେଖ, ବୌଦ୍ଧ ଚର୍ଯ୍ୟାପଦ, ସାରଳା ମହାଭାରତ, ମାଦଳା ପାଞ୍ଜି, ଶ୍ରୀଜଗନ୍ନାଥ ମନ୍ଦିର ଇତିହାସ ସମେତ ରୁଦ୍ର ସୁଧାନିଧି, ଜଗମୋହନ ରାମାୟଣ, ଶ୍ରୀମଦ୍‌ ଭାଗବତ, ଚତୁର ବିନୋଦ ଇତ୍ୟାଦି ଗ୍ରନ୍ଥରୁ ପ୍ରମାଣ ମିଳିଥାଏ। ଓଡ଼ଆ ସାହିତି୍ୟକ ଭାଷାର କ୍ରମବିକାଶ ଗଦ୍ୟ ଓ କବିତା ଦ୍ୱାରା ସମୃଦ୍ଧ ହୋଇଛି ବୋଲି ଡ. ପାଢ଼ୀ କହିଥିଲେ।

ପ୍ରଫେସର ବିବୁଧେନ୍ଦ୍ର ନାରାୟଣ ପଟ୍ଟନାୟକ ଏହି ଆଲୋଚନା ସଭାରେ ପୌରୋହିତ୍ୟ କରିଥିବାବେଳେ ଡ଼ ସନ୍ତୋଷ କୁମାର ରଥ ପ୍ରତ୍ନ ଓଡିଆ ଓ ଚର୍ଯ୍ୟାଗୀତି ସମ୍ପର୍କରେ ଆଲୋଚନା କରିଥିଲେ।

ଡ଼ କୈଳାସ ଚନ୍ଦ୍ର ଟିକାୟତରାୟ ଆଲୋଚନା ସଭାରେ ଅଂଶଗ୍ରହଣ କରିଥିବା ବେଳେ ରେଭେନ୍ସା କଲିଜିଏଟ୍‌ ସ୍କୁଲର ଛାତ୍ର ସିଦ୍ଧାର୍ଥ କୁମାର ସାହୁ ଓଡିଆ ଭାଷା ଓ ଏହାର ଉତ୍ସ ପ୍ରସଙ୍ଗରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଡ଼ ଗୋବିନ୍ଦ ଚନ୍ଦ୍ର ପେଣ୍ଠୋଇ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର ରାଜ୍ୟ ଖବର

ପାଖେଇଲା ପ୍ରଥମ ବିଶ୍ବ ଓଡିଆ ସମ୍ମିଳନୀ, ନିଆଗଲା ଏହି ୧୬ଟି ନିଷ୍ପତି

ଭୁବନେଶ୍ବର: ଦେଶରେ ଅନ୍ୟତମ ଶାସ୍ତ୍ରୀୟ ଭଷାର ମାନ୍ୟତା ଲାଭ କରିଥିବା ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ବିସ୍ତୃତ ଆଲୋଚନା ସହିତ ଏହାର ପ୍ରଚାର-ପ୍ରସାର ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ ନିମନ୍ତେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ କରାଯାଉଛି।

ଏହି ସମ୍ମିଳନୀ ଆସନ୍ତା ଫେବୃଆରୀ ୩ ରୁ ୫ ତାରିଖ ମଧ୍ୟରେ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା, ଗବେଷକ, ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଆଜି ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ବୈଠକ କରାଯାଇ ବିଭିନ୍ନ ନିଷ୍ପତି ଗ୍ରହଣ କରାଯାଇଛି। ସେ ସଂପର୍କରେ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର ସାମ୍ବାଦିକ ସମ୍ମିଳନୀରେ ବିସ୍ତୁତ ତଥ୍ୟ ପ୍ରଦାନ କରିଛନ୍ତି। ଏହି ସମ୍ମିଳନୀରେ ୧୬ଟି କାର୍ଯ୍ୟକ୍ରମ କରାଯିବ ବୋଲି ନିଷ୍ପତି ହୋଇଛି। ସେଗୁଡିକ ହେଲ.

• ଓଡିଆ ଭାଷା ଏବଂ ଭାଷା ବିଜ୍ଞାନରେ ଅନନ୍ୟ ଅବଦାନ ପାଇଁ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାରରେ ସମ୍ବର୍ଦ୍ଧିତ କରାଯିବ।

• ଏତଦ୍‌ବ୍ୟତୀତ ଜ୍ଞାନପୀଠ ପୁରସ୍କାର ବିଜେତା, ପଦ୍ମପୁରସ୍କାର ବିଜେତା, ସାହିତ୍ୟ ଅକାଦେମି ପୁରସ୍କାରପ୍ରାପ୍ତ ବ୍ୟକ୍ତି, କବୀର ସମ୍ମାନ ପୁରସ୍କାରପ୍ରାପ୍ତ, ରାଜ୍ୟ ଏକାଡ଼େମୀର ସର୍ବୋଚ୍ଚ ପୁରସ୍କାର ବିଜେତାମାନଙ୍କୁ ସମ୍ମାନିତ କରାଯାଉଛି।

• ଏହି ସମ୍ମିଳନୀରେ ଓଡ଼ିଶାର ଗୌରବମୟ ଅତୀତ ଓ ପରିବର୍ତ୍ତନଶୀଳ ବର୍ତ୍ତମାନ ଏବଂ ପ୍ରେରଣାଦାୟୀ ଭବିଷ୍ୟତର ଏକ ସୁସଜ୍ଜିତ ପ୍ରଦର୍ଶନୀ ପ୍ରଦର୍ଶିତ ହେବ। ଏହି ପ୍ରଦର୍ଶନୀ ତିନୋଟି ବିସ୍ତୃତ ବିଷୟ ଏବଂ ସମୟସୀମା ଉପରେ ଆୟୋଜିତ ହୋଇଛି ଯଥା- ପ୍ରାଚୀନ, ମଧ୍ୟ ଏବଂ ଆଧୁନିକ।

• ଏହି ପ୍ରଦର୍ଶନୀରେ ଓଡ଼ିଆ ଭାଷା ଏବଂ ଲିପିର ଉତ୍ପତ୍ତି ଓ ବିବର୍ତ୍ତନ, ପ୍ରାଚୀନ ପ୍ରସ୍ତର ଅଭିଲେଖ, ତାମ୍ରଫଳକ, ତାଳପତ୍ର ପୋଥି, କଳିଙ୍ଗାଶୈଳୀର ମନ୍ଦିର ସ୍ଥାପତ୍ୟ, ଓଡ଼ିଶାର ନୌବାଣିଜ୍ୟ ସମ୍ପର୍କିତ କଳାକୃତିଗୁଡ଼ିକ ସୁଦୃଶ୍ୟ ଚିତ୍ରପଟ୍ଟ ମାଧ୍ୟମରେ ପ୍ରଦର୍ଶିତ ହେବ।

• ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ନବଜାଗରଣ ପ୍ରଦର୍ଶିତ ହେବ । ଓଡ଼ିଶାର କଳା ଏବଂ ଭାସ୍କର୍ଯ୍ୟ, ନୃତ୍ୟ ଏବଂ ସଙ୍ଗୀତ ପରମ୍ପରାଗୁଡ଼ିକ ପ୍ରଦର୍ଶିତ ହେବ ।

• ପ୍ରିଣ୍ଟିଂ ପ୍ରେସର ଆଗମନ ଏବଂ ଓଡିଆ ଭାଷାର ପ୍ରସାରରେ ଏହାର ପ୍ରଭାବ ଉପଯୁକ୍ତ କଳାକୃତି ଏବଂ ଫଟୋ ସହିତ ପ୍ରଦର୍ଶିତ ହେବ। ସମସାମୟିକ ସମ୍ବାଦପତ୍ର, ପତ୍ରପତ୍ରିକା ଏବଂ ଆଧୁନିକ ଚିନ୍ତାନାୟକମାନଙ୍କର ଭାବଧାରା ପ୍ରଦର୍ଶିତ ହେବ।

• ବର୍ତ୍ତମାନର ଯୁଗ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ।

• ଏହା ଓଡିଆ ଭର୍ଚୁଆଲ୍ ଏକାଡେମୀ ପ୍ରଦର୍ଶନ, ଉଇକିପିଡ଼ିଆ ଏବଂ ଓଡ଼ିଆ ଫଣ୍ଟ ସମ୍ପର୍କରେ ଆଲୋକପାତ କରିବ।

• ୪ ଫେବୃଆରୀ ୨୦୨୪ ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଏକ ବିଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ।

• ସ୍କୁଲ ପିଲା ଏବଂ ଯୁବକମାନଙ୍କ ମଧ୍ୟରେ ପଠନ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଏକ ମୋବାଇଲ୍ ଲାଇବ୍ରେରୀ, ବସ୍ ଏବଂ ମୋବାଇଲ୍ ବୁକ୍‌ଆର୍ଟ ମାଧ୍ୟମରେ “ଆସ ପଢ଼ିବା” ର ଏକ ଧାରଣା ପ୍ରଦର୍ଶିତ ହେବ।

• ଅତୀତର କୃତବିଦ୍ୟ ସାଧକମାନଙ୍କର ଅବଦାନକୁ ସ୍ମରଣକରି ତାଙ୍କର ଆବକ୍ଷ ପ୍ରତିମୂର୍ତ୍ତି ଓ ତୈଳଚିତ୍ର ପ୍ରଦର୍ଶିତ ହେବ। ବିଶିଷ୍ଟ ବ୍ୟକ୍ତିବିଶେଷଙ୍କର ଓଡ଼ିଆ ଦସ୍ତଖତ ପ୍ରଦର୍ଶିତ ହେବ।

• ପ୍ରଦର୍ଶନୀକୁ ପିଲାମାନଙ୍କ ପାଇଁ ଅଧିକ ଚଳଚଞ୍ଚଳ କରିବାକୁ ଡାକ ପ୍ରକୋଷ୍ଠ ଏବଂ ସୂଚନା ଫଳକ ପ୍ରଦର୍ଶିତ ହେବ।

• ଏକ ପୂର୍ଣ୍ଣାଙ୍ଗ ‘କୋଣାର୍କ ଅଶ୍ୱ’ ପ୍ରତିମୂର୍ତ୍ତିକୁ ପ୍ରତୀକ ଭାବରେ କେନ୍ଦ୍ରୀୟ ସ୍ଥଳରେ ସ୍ଥାନିତ କରାଯିବ।

• ବୌଦ୍ଧିକ ଅଧିବେଶନ ଏବଂ ସମ୍ମିଳନୀ କାର୍ଯ୍ୟକ୍ରମଗୁଡିକ ଜୀବନ୍ତଭାବରେ ପ୍ରସାରିତ ହେବ।

• ଭୁବନେଶ୍ୱରର କିଟ୍‌ଠାରେ ଏକ ଆନ୍ତର୍ଜାତିକ କବିତା ମହୋତ୍ସବ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଦ୍ୱାରା ଅନ୍ତର୍ଜାତୀୟ ସାହିତ୍ୟ ମହୋତ୍ସବ ଅନୁଷ୍ଠିତ ହେବ।

• ରେଭେନ୍ସା ବିଶ୍ୱବିଦ୍ୟାଳୟ ଦ୍ୱାରା ଓଡିଆ ଚଳଚ୍ଚିତ୍ର ଏବଂ ଥିଏଟର ମହୋତ୍ସବ ସହିତ ଓଡ଼ିଆ ସିନେମା ଓ ମଞ୍ଚର ଭୂମିକା ଉପରେ ଏକ ଆଲୋଚନାଚକ୍ର ଆୟୋଜିତ ହେବ।

ଏହି ସାମ୍ବାଦିକ ସମ୍ମିଳନୀରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ, ନିର୍ଦ୍ଦେଶକ, ସୂଚନା ଓ ଲୋକ ସଂପର୍କ ବିଭାଗର ସଚିବ ଓ ନିର୍ଦ୍ଦେଶକ ଉପସ୍ଥିତ ଥିଲେ।