Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଏଣିକି ପ୍ରତି ୫ ବର୍ଷରେ ଥରେ ହେବ ବିଶ୍ବ ଓଡିଆ ଭାଷା ସମ୍ମିଳନୀ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ବର:  ଉଦ୍‌ଯାପିତ ହୋଇଛି ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଯେ ଏହି ସମ୍ମିଳନୀ ପ୍ରତି ୫ ବର୍ଷରେ ଥରେ ଅନୁଷ୍ଠିତ ହେବ ।

ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଆମର ଭାଷା ଇତିହାସରେ ସବୁଦିନ ପାଇଁ ଏକ ମାଇଲ ଖୁଣ୍ଟ ହୋଇ ରହିବ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୫ ବର୍ଷ ପରେ ଆମେ ସମସ୍ତେ ପୁଣି ଥରେ ଏକାଠି ହେବା । ଓଡିଆ ଭାଷାକୁ ଆହୁରି ଆଗକୁ ନେବା ପାଇଁ ମତ ବିନିମୟ କରିବା।

ସମ୍ମିଳନୀରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ, ଯୁବ ସମାଜ, ଲେଖକ, ଗବେଷକ, ସାହିତ୍ୟିକ, କବି ପ୍ରତ୍ୟେକ ଓଡିଆଙ୍କୁ ସେ ହୃଦୟରୁ ଧନ୍ୟବାଦ ଅର୍ପଣ କରି କହିଥିଲେ ଯେ ଏହି ତିନି ଦିନ ମଧ୍ୟରେ ଆମ ଭାଷାର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି। ଖୁବ ଭଲ ଭଲ ପ୍ରସ୍ତାବ ମଧ୍ୟ ଆସିଛି।

ତେବେ ଯେହେତୁ ବର୍ତ୍ତମାନ ବିଧାନ ସଭା ଚାଲିଛି, ତେଣୁ, ଭାଷା ସଂପର୍କରେ ନିଆଯାଇଥିବା ସମସ୍ତ ନିଷ୍ପତ୍ତିକୁ ସେ ବିଧାନ ସଭାରେ ଘୋଷଣା କରିବେ ବୋଲି କହିଥିଲେ।

ଯୁଗ ଯୁଗ ଧରି ଓଡିଆ ଭାଷା, ଆମ ଓଡିଆ ଜାତିର ପରିଚୟକୁ ଆଗକୁ ନେଇଛି ବୋଲି ମତଦେଇ ସେ ସମସ୍ତଙ୍କୁ ଆଜିର ମହାର୍ଘ ଅବସରରେ ସମସ୍ତେ ସଂକଳ୍ପ ନେବାକୁ ଆହ୍ବାନ ଦେଇ କହିଥିଲେ ଯେ ଆସନ୍ତୁ, ଓଡିଆରେ ନୂଆ ନୂଆ ଶବ୍ଦ ସୃଷ୍ଟି କରି ଆମ ଶବ୍ଦ ଭଣ୍ଡାରକୁ ସମୃଦ୍ଧ କରିବା ।

ଭାଷା ଉପରେ ବୈଷୟିକ ଜ୍ଞାନର ପ୍ରଭାବ ସଂପର୍କରେ ଆଲୋକପାତ କରି ସେ କହିଥିଲେ ଯେ ବୈଜ୍ଞାନିକ ଉନ୍ମେଷ, ବୈଷୟିକ ଜ୍ଞାନର ଅଗ୍ରଗତି ଓ କମ୍ପୁଟର ଭାଷା ହେଉଛି ବର୍ତ୍ତମାନ ଯୁଗରେ ଭାଷା ପାଇଁ ଏକ ବଡ ଆହ୍ବାନ । ତେଣୁ, ଓଡିଆ ଭାଷାକୁ ଏହା ସହିତ ସମନ୍ବିତ କରିବାକୁ ହେବ ବୋଲି ସେ ମତ ଦେଇଥିଲେ ।

ଯୁବ ସମାଜକୁ ଆହ୍ବାନ ଦେଇ ସେ କହିଥିଲେ ଯେ ‘ମୁଁ ଆଶା କରୁଛି ଓଡିଆ ଭାଷା ଆମ ଯୁବପିଢିର ଭାଷା ହେବ । ଆମେ ଆମ ଭାଷାର ଗୌରବକୁ ଅନୁଭବ କଲେ, ଏହା ନିଶ୍ଚୟ ଆଗକୁ ଯିବ।’

ସମ୍ମିଳନୀ ଅବସରରେ ଆୟୋଜିତ ମ୍ୟୁଜିଅମ ସମସ୍ତଙ୍କ ମନକୁ ଛୁଇଁଛି। ତେଣୁ ସମସ୍ତଙ୍କ ଅନୁରୋଧରେ ଏହାର ସମୟ ସୀମାକୁ ଆଉ ୩ ଦିନ ବୃଦ୍ଧି କରାଗଲା ବୋଲି ସେ ଘୋଷଣା କରିଥିଲେ।

ପୁରସ୍କାର ପାଇଥିବା ସବୁ ପ୍ରତିଭା ମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୩ଟି ପୁସ୍ତକର ଉନ୍ମୋଚନ କରିଥିଲେ। ପ୍ରଥମଟି ହେଉଛି ହିନ୍ଦୁ ଗ୍ରୁପ ଦ୍ବାରା ପ୍ରକାଶିତ – Shree Jagannatha: Lord of The Universe.

ଦ୍ବିତୀୟ ପୁସ୍ତକଟି ହେଉଛି – Odia: Journey of A Language. ଏହି ପୁସ୍ତକଟି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା (ସ୍ପେଶିଆଲ ଇନିସିଏଟିଭ୍‌ସ) ଶ୍ରୀ ଆର୍‌ ବାଲକ୍ରିଷ୍ଣନଙ୍କ ପରିକଳ୍ପନା ଏବଂ ଶ୍ରୀ ଶୁଭ୍ରାଂଶୁ ପଣ୍ଡା ଓ ପ୍ରତୀକ ପଟ୍ଟନାୟକଙ୍କ ଦ୍ବାରା ରଚିତ ହୋଇଛି ।

ତୃତୀୟରେ Magical Tales From Odisha ପୁସ୍ତକର ଦୁଇଟି ଅନୁବାଦ ପୁସ୍ତକ । ଏହି ପୁସ୍ତକଟି ଜର୍ମାନୀ ଓ ଜାପାନୀ ଭାଷାରେ ଅନୁବାଦିତ ହୋଇଛି।

କାର୍ଯ୍ୟକ୍ରମରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମରେ ରେଭେନ୍‌ସା କଲେଜିଏଟ ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର ଶ୍ରୀ ସିଦ୍ଧାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଅକ୍ଷର ଭୂମିର ଉଚ୍ଚ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ, ରୁଚିପୂର୍ଣ୍ଣ କଳାକୃତି ପାଇଁ ପୂର୍ତ୍ତ ବିଭାଗକୁ ଦେଲେ ଧନ୍ୟବାଦ

ଭୁବନେଶ୍ବର: ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅବସରରେ ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କଳା ମଣ୍ଡଳ ପ୍ରାଙ୍ଗଣରେ ଉଦ୍‌ଘାଟିତ ହୋଇଯାଇଛି ଅକ୍ଷର ଭୂମି।

ବିଶ୍ୱ ଓଡିଆ ଭାଷା ସମ୍ମିଳନୀର ସ୍ମୃତିକୁ ଚିରସ୍ମରଣୀୟ କରିବା ସହିତ ଏହି ସମ୍ମିଳନୀର ସ୍ମାରକୀ ଭାବେ ଅକ୍ଷର ଭୂମି, ଓଡିଆ ଭାଷା, କଳା ଓ ସଂସ୍କୃତିର ଜୟଗାନ କରିବ। ଓଡିଆ ଭାଷାର ଗୌରବ ବିଷୟରେ ଏହା ଆଗାମୀ ପିଢିକୁ ପ୍ରେରଣା ଦେବ।

କଳିଙ୍ଗ ଶୈଳୀରେ ନିର୍ମିତ ଏହି ସୁଦୃଶ୍ୟ କଳାକୃତି ଅକ୍ଷର ଭୂମିର ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ଓଡିଆ ବର୍ଣ୍ଣମାଳାର ପ୍ରତ୍ୟେକ ଅକ୍ଷରକୁ ଯେପରି କଳାତ୍ମକ ଭାବେ ସେଠାରେ ସଜ୍ଜିତ କରି ରଖାଯାଇଛି ତାହା ଓଡିଆ ଭାଷାର ସୌନ୍ଦର୍ଯ୍ୟକୁ ସଫଳ ଭାବେ ଉପସ୍ଥାପିତ କରିପାରିଛି ବୋଲି ମୁଖ୍ୟମନ୍ତ୍ରୀ ମତ ଦେବା ସହ ତା’ର ଉଚ୍ଚ ପ୍ରଶଂସା କରିଛନ୍ତି।

ଅକ୍ଷର ଭୂମିର ନିର୍ମାଣ ଦାୟିତ୍ୱ ନେଇଥିବା ଏବଂ ତାକୁ ସଫଳ ଭାବେ ସମ୍ପନ୍ନ କରିଥିବା ପୂର୍ତ୍ତ ବିଭାଗକୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର ରାଜ୍ୟ ଖବର

ପାଖେଇଲା ପ୍ରଥମ ବିଶ୍ବ ଓଡିଆ ସମ୍ମିଳନୀ, ନିଆଗଲା ଏହି ୧୬ଟି ନିଷ୍ପତି

ଭୁବନେଶ୍ବର: ଦେଶରେ ଅନ୍ୟତମ ଶାସ୍ତ୍ରୀୟ ଭଷାର ମାନ୍ୟତା ଲାଭ କରିଥିବା ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ବିସ୍ତୃତ ଆଲୋଚନା ସହିତ ଏହାର ପ୍ରଚାର-ପ୍ରସାର ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ ନିମନ୍ତେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ କରାଯାଉଛି।

ଏହି ସମ୍ମିଳନୀ ଆସନ୍ତା ଫେବୃଆରୀ ୩ ରୁ ୫ ତାରିଖ ମଧ୍ୟରେ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା, ଗବେଷକ, ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଆଜି ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ବୈଠକ କରାଯାଇ ବିଭିନ୍ନ ନିଷ୍ପତି ଗ୍ରହଣ କରାଯାଇଛି। ସେ ସଂପର୍କରେ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର ସାମ୍ବାଦିକ ସମ୍ମିଳନୀରେ ବିସ୍ତୁତ ତଥ୍ୟ ପ୍ରଦାନ କରିଛନ୍ତି। ଏହି ସମ୍ମିଳନୀରେ ୧୬ଟି କାର୍ଯ୍ୟକ୍ରମ କରାଯିବ ବୋଲି ନିଷ୍ପତି ହୋଇଛି। ସେଗୁଡିକ ହେଲ.

• ଓଡିଆ ଭାଷା ଏବଂ ଭାଷା ବିଜ୍ଞାନରେ ଅନନ୍ୟ ଅବଦାନ ପାଇଁ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାରରେ ସମ୍ବର୍ଦ୍ଧିତ କରାଯିବ।

• ଏତଦ୍‌ବ୍ୟତୀତ ଜ୍ଞାନପୀଠ ପୁରସ୍କାର ବିଜେତା, ପଦ୍ମପୁରସ୍କାର ବିଜେତା, ସାହିତ୍ୟ ଅକାଦେମି ପୁରସ୍କାରପ୍ରାପ୍ତ ବ୍ୟକ୍ତି, କବୀର ସମ୍ମାନ ପୁରସ୍କାରପ୍ରାପ୍ତ, ରାଜ୍ୟ ଏକାଡ଼େମୀର ସର୍ବୋଚ୍ଚ ପୁରସ୍କାର ବିଜେତାମାନଙ୍କୁ ସମ୍ମାନିତ କରାଯାଉଛି।

• ଏହି ସମ୍ମିଳନୀରେ ଓଡ଼ିଶାର ଗୌରବମୟ ଅତୀତ ଓ ପରିବର୍ତ୍ତନଶୀଳ ବର୍ତ୍ତମାନ ଏବଂ ପ୍ରେରଣାଦାୟୀ ଭବିଷ୍ୟତର ଏକ ସୁସଜ୍ଜିତ ପ୍ରଦର୍ଶନୀ ପ୍ରଦର୍ଶିତ ହେବ। ଏହି ପ୍ରଦର୍ଶନୀ ତିନୋଟି ବିସ୍ତୃତ ବିଷୟ ଏବଂ ସମୟସୀମା ଉପରେ ଆୟୋଜିତ ହୋଇଛି ଯଥା- ପ୍ରାଚୀନ, ମଧ୍ୟ ଏବଂ ଆଧୁନିକ।

• ଏହି ପ୍ରଦର୍ଶନୀରେ ଓଡ଼ିଆ ଭାଷା ଏବଂ ଲିପିର ଉତ୍ପତ୍ତି ଓ ବିବର୍ତ୍ତନ, ପ୍ରାଚୀନ ପ୍ରସ୍ତର ଅଭିଲେଖ, ତାମ୍ରଫଳକ, ତାଳପତ୍ର ପୋଥି, କଳିଙ୍ଗାଶୈଳୀର ମନ୍ଦିର ସ୍ଥାପତ୍ୟ, ଓଡ଼ିଶାର ନୌବାଣିଜ୍ୟ ସମ୍ପର୍କିତ କଳାକୃତିଗୁଡ଼ିକ ସୁଦୃଶ୍ୟ ଚିତ୍ରପଟ୍ଟ ମାଧ୍ୟମରେ ପ୍ରଦର୍ଶିତ ହେବ।

• ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ନବଜାଗରଣ ପ୍ରଦର୍ଶିତ ହେବ । ଓଡ଼ିଶାର କଳା ଏବଂ ଭାସ୍କର୍ଯ୍ୟ, ନୃତ୍ୟ ଏବଂ ସଙ୍ଗୀତ ପରମ୍ପରାଗୁଡ଼ିକ ପ୍ରଦର୍ଶିତ ହେବ ।

• ପ୍ରିଣ୍ଟିଂ ପ୍ରେସର ଆଗମନ ଏବଂ ଓଡିଆ ଭାଷାର ପ୍ରସାରରେ ଏହାର ପ୍ରଭାବ ଉପଯୁକ୍ତ କଳାକୃତି ଏବଂ ଫଟୋ ସହିତ ପ୍ରଦର୍ଶିତ ହେବ। ସମସାମୟିକ ସମ୍ବାଦପତ୍ର, ପତ୍ରପତ୍ରିକା ଏବଂ ଆଧୁନିକ ଚିନ୍ତାନାୟକମାନଙ୍କର ଭାବଧାରା ପ୍ରଦର୍ଶିତ ହେବ।

• ବର୍ତ୍ତମାନର ଯୁଗ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ।

• ଏହା ଓଡିଆ ଭର୍ଚୁଆଲ୍ ଏକାଡେମୀ ପ୍ରଦର୍ଶନ, ଉଇକିପିଡ଼ିଆ ଏବଂ ଓଡ଼ିଆ ଫଣ୍ଟ ସମ୍ପର୍କରେ ଆଲୋକପାତ କରିବ।

• ୪ ଫେବୃଆରୀ ୨୦୨୪ ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଏକ ବିଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ।

• ସ୍କୁଲ ପିଲା ଏବଂ ଯୁବକମାନଙ୍କ ମଧ୍ୟରେ ପଠନ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଏକ ମୋବାଇଲ୍ ଲାଇବ୍ରେରୀ, ବସ୍ ଏବଂ ମୋବାଇଲ୍ ବୁକ୍‌ଆର୍ଟ ମାଧ୍ୟମରେ “ଆସ ପଢ଼ିବା” ର ଏକ ଧାରଣା ପ୍ରଦର୍ଶିତ ହେବ।

• ଅତୀତର କୃତବିଦ୍ୟ ସାଧକମାନଙ୍କର ଅବଦାନକୁ ସ୍ମରଣକରି ତାଙ୍କର ଆବକ୍ଷ ପ୍ରତିମୂର୍ତ୍ତି ଓ ତୈଳଚିତ୍ର ପ୍ରଦର୍ଶିତ ହେବ। ବିଶିଷ୍ଟ ବ୍ୟକ୍ତିବିଶେଷଙ୍କର ଓଡ଼ିଆ ଦସ୍ତଖତ ପ୍ରଦର୍ଶିତ ହେବ।

• ପ୍ରଦର୍ଶନୀକୁ ପିଲାମାନଙ୍କ ପାଇଁ ଅଧିକ ଚଳଚଞ୍ଚଳ କରିବାକୁ ଡାକ ପ୍ରକୋଷ୍ଠ ଏବଂ ସୂଚନା ଫଳକ ପ୍ରଦର୍ଶିତ ହେବ।

• ଏକ ପୂର୍ଣ୍ଣାଙ୍ଗ ‘କୋଣାର୍କ ଅଶ୍ୱ’ ପ୍ରତିମୂର୍ତ୍ତିକୁ ପ୍ରତୀକ ଭାବରେ କେନ୍ଦ୍ରୀୟ ସ୍ଥଳରେ ସ୍ଥାନିତ କରାଯିବ।

• ବୌଦ୍ଧିକ ଅଧିବେଶନ ଏବଂ ସମ୍ମିଳନୀ କାର୍ଯ୍ୟକ୍ରମଗୁଡିକ ଜୀବନ୍ତଭାବରେ ପ୍ରସାରିତ ହେବ।

• ଭୁବନେଶ୍ୱରର କିଟ୍‌ଠାରେ ଏକ ଆନ୍ତର୍ଜାତିକ କବିତା ମହୋତ୍ସବ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଦ୍ୱାରା ଅନ୍ତର୍ଜାତୀୟ ସାହିତ୍ୟ ମହୋତ୍ସବ ଅନୁଷ୍ଠିତ ହେବ।

• ରେଭେନ୍ସା ବିଶ୍ୱବିଦ୍ୟାଳୟ ଦ୍ୱାରା ଓଡିଆ ଚଳଚ୍ଚିତ୍ର ଏବଂ ଥିଏଟର ମହୋତ୍ସବ ସହିତ ଓଡ଼ିଆ ସିନେମା ଓ ମଞ୍ଚର ଭୂମିକା ଉପରେ ଏକ ଆଲୋଚନାଚକ୍ର ଆୟୋଜିତ ହେବ।

ଏହି ସାମ୍ବାଦିକ ସମ୍ମିଳନୀରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ, ନିର୍ଦ୍ଦେଶକ, ସୂଚନା ଓ ଲୋକ ସଂପର୍କ ବିଭାଗର ସଚିବ ଓ ନିର୍ଦ୍ଦେଶକ ଉପସ୍ଥିତ ଥିଲେ।