Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ ରେ ଅନୁବାଦ ସାହିତ୍ୟ ଉପରେ ଆଲୋଚନା

ଭୁବନେଶ୍ୱର: ଓଡ଼ିଆ ସାହିତ୍ୟକୁ ବିଶ୍ୱ ଦୃଷ୍ଟିରେ ଆଣିବା ପାଇଁ ଅନୁବାଦର ଆବଶ୍ୟକତା ରହିଛି। ଓଡ଼ିଆ ସାହିତ୍ୟର ବ୍ୟାପ୍ତି ଓ ସମୃଦ୍ଧିରେ ଅନୁବାଦର ଗୁରୁତ୍ୱକୁ ସବୁମହଲରେ ହୃଦୟଙ୍ଗମ କଲେ ଆମ ଭାଷା ଓ ସାହିତ୍ୟର ବ୍ୟାପକ ଅଭିବୃଦ୍ଧି ହେବା ସହିିତ ଓଡ଼ଆ ଭାଷା ଓ ସାହିତ୍ୟ ବିଶ୍ୱପ୍ରସାରିତ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଆୟୋଜିତ ଅନୁବାଦ ସଂପର୍କିତ ଆଲୋଚନା ସଭାରେ ଅତିଥି ବକ୍ତାମାନେ ଉପରୋକ୍ତ ମର୍ମରେ ଅନୁବାଦର ଗୁରୁତ୍ୱ ନେଇ ମତ ରଖିଛନ୍ତି।

ପ୍ରସିଦ୍ଧ ଅନୁବାଦକ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଇଂରାଜୀ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ କହିଲେ ଯେ ସଂସ୍କୃତି ଓ ସଭ୍ୟତାର ସମୃଦ୍ଧି ନିମନ୍ତେ ଅନୁବାଦର ଆବଶ୍ୟକ ହୋଇଥାଏ। ସଭ୍ୟତାର ବିକାଶ ପର୍ଯ୍ୟଟନ, ଗମନାଗମନ ଦ୍ୱାରା ହୋଇଥାଏ । ସାହିତ୍ୟ, ଭାଷା, ସଂସ୍କୃତି ଯଦି ଗମନାଗମନ ନକରନ୍ତି ତେବେ ଆମ ସାହିତ୍ୟ ବିଲୋପ ହୋଇଯିବ।

ଓଡ଼ିଆ ଭାଗବତର ଇଂରାଜୀ ଓ ଅନ୍ୟ ଭାଷାରେ ଅନୂଦିତ ସଂସ୍କରଣ ପ୍ରକାଶ ପାଇବା ଆମ ପାଇଁ ନିଶ୍ଚିତ ଗର୍ବର ବିଷୟ । ସାହିତ୍ୟକୃତିର ଭ୍ରମଣରେ ସାହିତ୍ୟ ସମୃଦ୍ଧ ହୁଏ । ପାଶ୍ଚାତ୍ୟ ଆଙ୍ଗିକଗୁଡ଼ିକ ଓଡ଼ିଆ ସାହିତ୍ୟରେ ମିଶି ଏହାକୁ ଆହୁରି ଅଧିକ ସମୃଦ୍ଧ କରିଛନ୍ତି । ଫକୀର ମୋହନଙ୍କ ରଚିତ ବହୁ ସାହିତ୍ୟକୃତି ଓ ମାୟାଧର ମାନସିଂହଙ୍କ ଉଦ୍ଧୃତ ଅନୁବାଦ ଖୁବ୍‌ ପାଠକୀୟ ଆଦୃତି ଲାଭ କରିଛି।

ଖ୍ୟାତନାମା ସାହିତି୍ୟକ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଅନୁବାଦକ ପ୍ରଫେସର ଅଜୟ କୁମାର ପଟ୍ଟନାୟକ କହିଲେ ଯେ ଜଗତିକରଣ ପରେ ପୃଥିବୀରେ ଅନୁବାଦର ଗୁରୁତ୍ୱ ବଢ଼ିଯାଇଛି । ଓଡ଼ିଆ ସାହିତ୍ୟର ହିନ୍ଦୀ ଅନୁବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି ଏବଂ ଏହି କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟା ଓ ସମାଧାନ ବିଷୟରେ ଅଧିକ ଧ୍ୟାନଦେଲେ ଓଡ଼ିଆ ସାହିତ୍ୟର ଅଧିକ ପରିମାଣରେ ଅନୁବାଦ ହୋଇପାରିବ।

ଅନୁବାଦକ ଶ୍ରୀ ସୋମେଶ ମହାପାତ୍ର କହିଲେ ଯେ ଜାଣିବା ଓ ଜଣାଇବା, ଶୁଣିବା ଓ ଶୁଣାଇବାର ଜିଜ୍ଞାସାରୁ ହିଁ ଅନୁବାଦର ସୃଷ୍ଟି । ଅନୁବାଦ ହେଉଛି ଉଭୟ ପଟକୁ ଖୋଲି ପାରୁଥିବା ଏକ ଝରକା । ବିଶ୍ୱର ଚାରୋଟି ଭାଷା-ଜର୍ମାନୀ, ସ୍ପେନିସ୍‌, ଜାପାନୀ ଓ ଫ୍ରେଞ୍ଚରେ ୧୦୦ରୁ ଅଧିକ ଓଡ଼ିଆ କ୍ଷୁଦ୍ର ଗଳ୍ପ ଅନୁବାଦ ହୋଇଛି।

ତରୁଣ ଲେଖକ, ଅନୁବାଦକ ତଥା ପ୍ରକାଶକ ଡ. ଶୁଭ୍ରାଂଶୁ ପଣ୍ଡା ଓଡ଼ିଆ ଭାଷାର ବିଶ୍ୱଯାତ୍ରା ନେଇ ପ୍ରକାଶକୀୟ ଦୃଷ୍ଟିଭଙ୍ଗୀ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଅନୁବାଦକ ବୃତ୍ତି ଭାବରେ ଗ୍ରହଣ କରି ନୂଆପିଢ଼ି ଓଡ଼ିଆ ସାହିତ୍ୟର ଉନ୍ନତି କରିପାରିବ ଏବଂ ସେମାନେ ମଧ୍ୟ ଭାଷା-ସାହିତ୍ୟର ବିକାଶରେ ଅଂଶୀଦାର ହୋଇପାରିବେ।

ବ୍ୟାସକବି ଫକୀର ମୋହନ ସେନାପତିଙ୍କ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବିଶିଷ୍ଟ ଅନୁବାଦକ ପ୍ରଫେସର ବିକ୍ରମ କେଶରୀ ଦାସ କହିଲେ ଯେ ଓଡ଼ିଆ ସାହିତ୍ୟକୁ ବିଶ୍ୱ ଦୃଷ୍ଟିରେ ଆଣିବା ପାଇଁ ଅନୁବାଦର ଆବଶ୍ୟକତା ରହିଛି। ଭାଷାର ମିଶ୍ରଣ ସ୍ୱାଭାବିକ । ଆଜିର ଯୁବପିଢ଼ି ଭାଷାର ଅର୍ଥକୁ ବୁଝି ତା’ର ସଠିକ୍‌ ମର୍ମରେ ଅନୁବାଦ କରିବା ଉଚିତ। ଅନୁବାଦ ଦ୍ୱାରା ଭାଷା ଓ ଭାବର ପରିବର୍ତ୍ତନ ହୁଏ । କିନ୍ତୁ ତାହାର ମୌଳିକତା ଅକ୍ଷୁଣ୍ଣ ରହିବା ନିହାତି ଆବଶ୍ୟକ।

ଅନୁବାଦ ବହୁପ୍ରକାରର ହୋଇଥାଏ। ଯେପରିକି ଗ୍ରନ୍ଥ, ଲୋକକଳା, ସାହିତ୍ୟ ଓ ସଂସ୍କୃତିର ଅନୁବାଦକୁ ସାଂସ୍କୃତିକ ଅନୁବାଦ କୁହାଯାଏ ଏବଂ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ନିମନ୍ତେ ହେଉଥିବା ଅନୁବାଦକୁ ବୌଦ୍ଧିକ ଅନୁବାଦ କୁହାଯାଏ। ନୂଆ ଚିନ୍ତାଧାରାର ବିକାଶ ପାଇଁ ସାହିତ୍ୟର ଗୋଟିଏ ଭାଷାରୁ ଅନ୍ୟ ଭାଷାକୁ ଅନୁବାଦ ହେବା ଦରକାର ବୋଲି ପ୍ରଫେସର ଦାସ କହିଥିଲେ।

ରେଭେନ୍ସା ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ତଥା ତରୁଣ ସାହିତି୍ୟକ ଡ. ଜ୍ଞାନୀ ଦେବାଶିଷ ମିଶ୍ରଙ୍କ ଅର୍ଥପୂର୍ଣ୍ଣ ସଂଯୋଜନାରେ କାର୍ଯ୍ୟକ୍ରମ ଅତ୍ୟନ୍ତ ପ୍ରଭାବୀ ହୋଇଥିଲା। ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷ ଛାତ୍ର ଦେବେନ୍ଦ୍ର ଆଚାର୍ଯ୍ୟ ନିଜ ବକ୍ତବ୍ୟ ରଖିଥିବାବେଳେ ଶେଷରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ନିର୍ଦ୍ଦେର୍ଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪, ଶାସ୍ତ୍ରୀୟ ଓଡ଼ିଆ ଭାଷା ସଂପର୍କରେ ବିସ୍ତୃତ ଆଲୋଚନା

ଭୁବେନେଶ୍ବର:  ପ୍ରାଚୀନ ଐତିହ୍ୟସମ୍ପନ୍ନ ଓ ସାହିତ୍ୟିକ ପରମ୍ପରାରେ ସମୃଦ୍ଧ ହୋଇଥିବା ଭାଷାକୁ ଶାସ୍ତ୍ରୀୟ ଭାଷା କୁହାଯାଏ । ଭାରତରେ ୧୬୩୫ଟି ମାତୃଭାଷା ରହିଥିବାବେଳେ କେବଳ ୨୨ ଟି ଭାଷା ସମ୍ବିଧାନ ଦ୍ୱାରା ସ୍ୱୀକୃତ ଓ ଅନ୍ତର୍ଭୁକ୍ତ। ୨୦୧୪ ମସିହା ମାର୍ଚ୍ଚ ୧୧ ତାରିଖରେ ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଅର୍ଜନ କରିଥିଲା।

ଓଡିଆ ଇଣ୍ଡୋ-ଆର୍ଯ୍ୟ ଭାଷା ପରିବାରର ପ୍ରଥମ ପୂର୍ବ ଓ ଉତ୍ତର ଭାରତର ପ୍ରଥମ ଭାଷା । ଜନତା ମଇଦାନରେ ଆୟୋଜିତ ବିଶ୍ୱ ଓଡିଆ ଭାଷା ସମ୍ମିଳନୀରେ ବ୍ୟାସକବି ଫକିରମୋହ[ ସେନାପତି କକ୍ଷରେ ଆୟୋଜିତ ହୋଇଥିବା ‘ଓଡିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଓ ଆମ ଦାୟିତ୍ୱ’ ସମ୍ପର୍କରେ ଆଲୋଚନା କରାଯାଇଛି।

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆଜି ପ୍ରଥମ ଦିବସରେ ଅନୁଷ୍ଠିତ ‘ଓଡ଼ିଆ: ଭାରତର ଶାସ୍ତ୍ରୀୟ ଭାଷା’ ଶୀର୍ଷକ ଆଲୋଚନା ସଭାରେ ବକ୍ତାମାନେ ଓଡ଼ିଆ ଭାଷାର ଶାସ୍ତ୍ରୀୟତା ନେଇ ମତାମତ ଉପସ୍ଥାପନା କରିଥିଲେ। ବ୍ୟାସକବି ଫକୀର ମୋହନ କକ୍ଷରେ ଆୟୋଜିତ ଏହି ଆଲୋଚନା ସଭା ଆୟୋଜିତ ହୋଇଥିଲା।

ଓଡ଼ିଆ ଶାସ୍ତ୍ରୀୟ ଭାଷା ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଡ. ବସନ୍ତ କୁମାର ପଣ୍ଡା କହିଛନ୍ତି ଯେ ରାଷ୍ଟ୍ର ଗଠନର ମୂଳରେ ଥାଏ ଭାଷା । ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରୁ ଲିଖିତ ବିଭିନ୍ନ ପ୍ରାଚୀନ ଗ୍ରନ୍ଥରେ କଳିଙ୍ଗ, ଉଡ୍ରଦେଶ ଓ ଉଡ୍ର ଭାଷାର ଉଲ୍ଲେଖ ରହିଥିବାବେଳେ ତାହା ସମକାଳରେ ଓଡ଼ିଆ ଭାଷା ଭାବରେ ପରିଚିତି ଅର୍ଜନ କରିଛି।

ପ୍ରସିଦ୍ଧ ସଂସ୍କୃତ ବୈୟାକରଣିକ ପାଣିନୀଙ୍କ ‘ଅଷ୍ଟାଧ୍ୟାୟୀ’ରେ ଉଡ୍ରମା[ଙ୍କୁ କଳିଙ୍ଗ ଜ[ପଦର ଅଧିବାସୀ ଭାବରେ ଅଭିହିତ କରାଯାଇଛି । ଓଡ଼ିଆ ଭାଷା ନାଁରେ ଓଡ଼ିଶାର ନାମକରଣ ହୋଇଛି ବୋଲି ପ୍ରଫେସର ପଣ୍ଡା ପ୍ରକାଶ କରିଛନ୍ତି ।

ବିଶିଷ୍ଟ ସମାଲୋଚକ ଡ. କୀର୍ତ୍ତୀନାରାୟଣ ପାଢ଼ୀ କହିଛନ୍ତି ଯେ ଓଡ଼ିଆ ଭାଷାର କ୍ରମବିକାଶ ସଂପର୍କରେ ଶିଳାଲେଖ, ବୌଦ୍ଧ ଚର୍ଯ୍ୟାପଦ, ସାରଳା ମହାଭାରତ, ମାଦଳା ପାଞ୍ଜି, ଶ୍ରୀଜଗନ୍ନାଥ ମନ୍ଦିର ଇତିହାସ ସମେତ ରୁଦ୍ର ସୁଧାନିଧି, ଜଗମୋହନ ରାମାୟଣ, ଶ୍ରୀମଦ୍‌ ଭାଗବତ, ଚତୁର ବିନୋଦ ଇତ୍ୟାଦି ଗ୍ରନ୍ଥରୁ ପ୍ରମାଣ ମିଳିଥାଏ। ଓଡ଼ଆ ସାହିତି୍ୟକ ଭାଷାର କ୍ରମବିକାଶ ଗଦ୍ୟ ଓ କବିତା ଦ୍ୱାରା ସମୃଦ୍ଧ ହୋଇଛି ବୋଲି ଡ. ପାଢ଼ୀ କହିଥିଲେ।

ପ୍ରଫେସର ବିବୁଧେନ୍ଦ୍ର ନାରାୟଣ ପଟ୍ଟନାୟକ ଏହି ଆଲୋଚନା ସଭାରେ ପୌରୋହିତ୍ୟ କରିଥିବାବେଳେ ଡ଼ ସନ୍ତୋଷ କୁମାର ରଥ ପ୍ରତ୍ନ ଓଡିଆ ଓ ଚର୍ଯ୍ୟାଗୀତି ସମ୍ପର୍କରେ ଆଲୋଚନା କରିଥିଲେ।

ଡ଼ କୈଳାସ ଚନ୍ଦ୍ର ଟିକାୟତରାୟ ଆଲୋଚନା ସଭାରେ ଅଂଶଗ୍ରହଣ କରିଥିବା ବେଳେ ରେଭେନ୍ସା କଲିଜିଏଟ୍‌ ସ୍କୁଲର ଛାତ୍ର ସିଦ୍ଧାର୍ଥ କୁମାର ସାହୁ ଓଡିଆ ଭାଷା ଓ ଏହାର ଉତ୍ସ ପ୍ରସଙ୍ଗରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଡ଼ ଗୋବିନ୍ଦ ଚନ୍ଦ୍ର ପେଣ୍ଠୋଇ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଆରମ୍ଭ ହେବ ‘ଆସ ପଢିବା’ ଅଭିଯାନ

ଭୁବନେଶ୍ବର: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଓଡ଼ିଆ ଭାଷା ପ୍ରତି ସ୍ୱତନ୍ତ୍ର ରୁଚି ନିମନ୍ତେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ପଠନ ଆନ୍ଦୋଳନ ସୃଷ୍ଟି କରାଯିବ। ସମ୍ମିଳନୀ ସ୍ଥଳର ବିଭିନ୍ନ ସ୍ଥାନରେ ଭ୍ରାମ୍ୟମାଣ ପାଠାଗାର ବ୍ୟବସ୍ଥା କରାଯିବ। ଏଥିସହ ଏକ ବସ ମଧ୍ୟରେ ଉପାଦେୟ ପୁସ୍ତକ ମାନ ରଖାଯାଇ ଏକ ଭ୍ରାମ୍ୟମାଣ ଲାଇବ୍ରେରୀ ପ୍ରତିଷ୍ଠା କରାଯିବ।

ସେହିଭଳି ସମ୍ମିଳନୀ ସ୍ଥାନରେ ୫ଟି ପାଠାଗାର ଗାଡି ପ୍ରତିଷ୍ଠା କରାଯିବ। ଏଥି ନିମନ୍ତେ ଭୁବନେଶ୍ୱରସ୍ଥିତ ବକୁଳ ଫାଉଣ୍ଡେସନ ପକ୍ଷରୁ ବୈଷୟିକ ସହଯୋଗ ପ୍ରଦାନ କରାଯିବ। ସେହିଭଳି ମହାପୁରୁଷଙ୍କ ପଠନ ସମ୍ପର୍କିତ କାଳଜୟୀ ବାର୍ତ୍ତା ଥାଇ ବୁକମାର୍କ ପ୍ରତ୍ୟେକ ପୁସ୍ତକରେ ରହିବ। ତିନିଦିନ ଧରି ଆଗନ୍ତୁକ ମାନେ ଏହା ପାଖରୁ ଦେଖୁବା ସହ ପଢ଼ିବାର ସୁଯୋଗ ପାଇବେ।

ସେହିଭଳି ପଠନ ଅଭ୍ୟାସ ବୃଦ୍ଧି, ରାଜ୍ୟର ଭାଷା, କଳା, ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ପାଇଁ ଏକ ପକେଟ ପୁସ୍ତିକା ମଧ୍ୟ ପ୍ରସ୍ତୁତ କରାଯିବ।ଏଥିରେ ମହାପୁରୁଷମାନଙ୍କ ଉପାଦେୟ ବାର୍ତ୍ତା ରହିବ।

ପଠନ ଅଭ୍ୟାସକୁ ଆହୁରି ମଜାଦାର କରିବାକୁ ଏକ ଡାଏରୀ ମଧ୍ୟ ରହିବ। ଏକ ପୁସ୍ତକ ପଠନ ବେଳେ କଣ ଶିଖିବାକୁ ମିଳିଲା, କେଉଁ ପାରାଚ୍ଛେଦ ମନକୁ ଛୁଇଁଲା, ପୁସ୍ତକର କେଉଁ ପୃଷ୍ଠା ପର୍ଯ୍ୟନ୍ତ ପଢିବା ଶେଷ ହୋଇଛି ଏ ସମ୍ପର୍କରେ ଉଲ୍ଲେଖ କରିବାର ସ୍ଥାନ ରହିବ।

ସେହିଭଳି ଏକ କ୍ୟାଲେଣ୍ଡର ମଧ୍ୟ ଏହି ଅବସରରେ ଦେଖିବାକୁ ମିଳିବ। ବିଭିନ୍ନ ପ୍ରସିଦ୍ଧ ବ୍ୟକ୍ତି ବିଶେଷ ଏବଂ ମହାପୁରୁଷଙ୍କ ଜନ୍ମ ମାସକୁ ଭିତ୍ତିକରି ଏହା ପ୍ରସ୍ତୁତ କରାଯିବ। ଏଥିରେ ତାରିଖ ସହ ଉପାଦେୟ ବାର୍ତ୍ତା ମଧ୍ୟ ଉଲ୍ଲେଖ ରହିବ।

ଏହି ସମ୍ମିଳନୀ ଆସନ୍ତା ଫେବୃଆରୀ ୩ରୁ ୫ ତାରିଖ ମଧ୍ୟରେ ସ୍ଥାନୀୟ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଅନୁଷ୍ଠିତ ହେବ। ଏଥିରେ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା, ଗବେଷକ,ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଓଡ଼ିଆ ଭାଷା ପ୍ରତି ଆଗ୍ରହ ସୃଷ୍ଟି ସହ ଭାଷାକୁ ପ୍ରୋତ୍ସାହିତ କରିବାକୁ ସମ୍ମିଳନୀରେ ବ୍ୟାପକ ଆୟୋଜନ କରାଯାଉଛି। ପ୍ରତ୍ୟେକ ବ୍ୟକ୍ତି ଏଠାକୁ ଆସି ଓଡ଼ିଆ ଭାବେ ନିଜକୁ ଗର୍ବ ଅନୁଭବ କରିବା ସହ ଅଭୁଲା ସ୍ମୃତି ନେଇ ଯିବେ।