Categories
ଆଜିର ଖବର

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅନ୍ୟ ସମସ୍ତ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଚଳିତ ମାସରେ ଅନୁଷ୍ଠିତ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀରେ ପ୍ରମୁଖ ସହଯୋଗ କରିଥିବା ବିଭିନ୍ନ ବିଭାଗର ସଚିବ ଓ ସଂପୃକ୍ତ କାର୍ଯ୍ୟାଳୟର କର୍ତ୍ତୃପକ୍ଷମାନଙ୍କୁ ପ୍ରଶଂସା କରାଯାଇଥିଲା। ଦଳଗତ ପ୍ରୟାସରେ ସମସ୍ତଙ୍କ ସହଯୋଗରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇ ଅନେକ ସଫଳତା ଆଣି ଦେଇଥିବାରୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଗତ ବର୍ଷ ଜାନୁଆରୀ ମାସ ତୁଳନାରେ ଚଳିତ ବର୍ଷ ଜାନୁଆରୀ ମାସ ଶେଷ ସୁଦ୍ଧା ରାଜ୍ୟର ତଥା ବିଭିନ୍ନ ବିଭାଗର ଆର୍ଥିକ ପ୍ରଦର୍ଶନ ଭଲ ରହିଥିବା ବୈଠକରୁ ଜଣାଯାଇଛି।

ଗତ ମାସରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସ ଜାତୀୟ ସ୍ତରୀୟ ପରେଡରେ ଓଡିଶାର ପ୍ରଜ୍ଞାପନ ମେଢ ପ୍ରଥମ ହେବା, ବଲାଙ୍ଗୀର ଜିଲ୍ଲାରେ ଲୋୟର ସୁକତେଲ ପ୍ରକଳ୍ପ, ପୁରୀଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ସମ୍ବଲପୁରରେ ମା ସମଲେଇ ପ୍ରକଳ୍ପ ଆଦି ଲୋକାର୍ପଣ ହେବା, ନୃସିଂହନାଥ ଓ ହରିଶଂକର ପାରିପାର୍ଶ୍ୱିକ ଭିତ୍ତିଭୂମିର ଉନ୍ନତିକରଣ କାର୍ଯ୍ୟ କରାଯାଇଥିବା ସହ ଅନ୍ୟ ବିଭିନ୍ନ ବିଭାଗର ଉଲ୍ଲେଖନୀୟ କାର୍ଯ୍ୟ ସଂପର୍କରେ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ଉପସ୍ଥାପନ କରିଥିଲେ। ବୈଠକରେ ରାଜ୍ୟ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ ନୂତନ ଏମଏସଏମଇ ନୀତି-୨୦୨୩ର କାର୍ଯ୍ୟକାରିତା ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡିକ ସମ୍ପର୍କରେ ଉପସ୍ଥାପନ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବସିଲା ସଚିବସ୍ତରୀୟ ବୈଠକ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉପରେ ଆଲୋଚନା

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଖାରବେଳ ଭବନଠାରେ ଶୁକ୍ରବାର ଅନୂଷ୍ଠିତ ହୋଇଯାଇଛି। ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ସମେତ ଅନ୍ୟ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ।

ସଚିବସ୍ତରୀୟ ବୈଠକରେ ଡିସେମ୍ବର ୨୦୨୩ ସୁଦ୍ଧା ରାଜ୍ୟ ତଥା ବିଭିନ୍ନ ବିଭାଗର ବିତ୍ତୀୟ ପ୍ରଦର୍ଶନ ସଂପର୍କରେ ଆଲୋକପାତ କରାଯାଇଥିଲା । ବିଭିନ୍ନ ବିଭାଗର ପ୍ରଦର୍ଶନ ଆଧାରରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଆଗାମୀ ମାସଗୁଡିକରେ ଯେପରି କାର‌୍ୟ୍ୟ ଓ ତଦନୁସାରେ ଖର୍ଚ୍ଚ ପ୍ରଦର୍ଶନ ଅଧିକ ଭଲ ରହିବ ସେ ସଂପର୍କରେ ତ୍ୱରିତ ପଦକ୍ଷେପ ନେବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି।

ବୈଠକର ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବି ଚଳିତ ଜାନୁଆରୀ ୧୭ ତାରିଖରେ ଲୋକାର୍ପଣ ହେବାକୁ ଥିବା ପୁରୀ ଶ୍ରୀମନ୍ଦିର ପରକ୍ରମା ପ୍ରକଳ୍ପ ସଂପର୍କରେ ଗୁରୁତ୍ୱାରୋପ କରି ଏଥିରେ ସଂପୃକ୍ତ ସମସ୍ତ ବିଭାଗୀୟ କାର‌୍ୟ୍ୟକୁ ସୁଚାରୁରୂପେ ଅଗ୍ରାଧିକାର ଭିତ୍ତିରେ କରିବା ନେଇ ସହଯୋଗ କରିବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ।

ବୈଠକର ପ୍ରାରମ୍ଭରେ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ଗତ ଡ଼ିସେମ୍ବର ମାସରେ ବିଭିନ୍ନ ବିଭାଗର ଉଲ୍ଲେଖନୀୟ କାର‌୍ୟ୍ୟ ସଫଳତା ସଂପର୍କରେ ଆଲୋକପାତ କରିଥିଲେ। ଡିସେମ୍ବର ମାସରେ ଓଡ଼ିଶା ମିଲେଟ୍ ମିଶନ, ମିଲେଟ୍ ପ୍ରୋତ୍ସାହନ ପାଇଁ ବିଶ୍ୱସ୍ତରୀୟ ମଡେଲଭାବେ ପୁରସ୍କୃତ ହେବା , ଲକ୍ଷ୍ମୀ ବସ୍ ସେବା କୋରାପୁଟରେ ଆରମ୍ଭ ହେବା, ତାଳଚେରରେ ପବିତ୍ରମୋହନ ମେଡିକାଲ କଲେଜ ଓ ହସ୍ପିଟାଲ ଲୋକାର୍ପଣ ହେବା ସଂପର୍କରେ ତଥ୍ୟ ଉପସ୍ଥାପନା କରିଥିଲେ।

ସେହିପରି ସେ ବିଏସକେଓ୍ୱାଇ ନବୀନ କାର୍ଡ ପ୍ରଣୟନ ହେବା, ପୁରୀ ଜିଲ୍ଲା ରଘୁରାଜପୁର ଶିଳ୍ପୀଗ୍ରାମ ମଡେଲ-ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଆଗାମୀ ସାଧାରଣତନ୍ତ୍ର ଦିବସରେ ନୂଆ ଦିଲ୍ଲୀ ଜାତୀୟ ସ୍ତରୀୟ ପରେଡରେ ଅଂଶଗ୍ରହଣ ପାଇଁ ଚୟନ ହେବା, ଜଳ ସଂପଦ ବିଭାଗ ତରଫରୁ କାର୍ଯ୍ୟକାରୀ ହୋଇଥିବା ବଲାଙ୍ଗୀର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଓ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ହଳଦିଆ ଡ୍ୟାମ ଲୋକାର୍ପଣ ହେବା, ସିଙ୍ଗିଲ ଓ୍ୱିଣ୍ଡୋ ବ୍ୟବସ୍ଥାରେ ଶିଳ୍ପ ବିଭାଗର ୧୯ ଟି ପ୍ରକଳ୍ପ ମଂଜୁର କରାଯାଇ ୭୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ସଂପର୍କରେ ସେ ଆଲୋକପାତ କରିଥିଲେ।

ଏଥି ସହିତ ସେ ଅନ୍ୟ ସମସ୍ତ ବିଭାଗର କାର୍ଯ୍ୟ ସଫଳତା ସଂପର୍କରେ ମଧ୍ୟ ସବିଶେଷ ସୂଚନା ପ୍ରଦାନ କରିବା ସହିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ସଂପର୍କିତ ପ୍ରାକ୍ ପ୍ରସ୍ତୁତି ସଂପର୍କରେ ଆଲୋକପାତ କରିଥିଲେ।

ଆଗାମୀ ଫେବୃଆରୀ ୩ ରୁ ୫ ତାରିଖ ପର‌୍ୟ୍ୟନ୍ତ ୩ ଦିନ ଧରି ରାଜ୍ୟରେ ହେବାକୁ ଥିବା ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ ସଂପର୍କରେ ମିଶନ ଶକ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ଆର୍ କାର୍ତ୍ତିକେୟନ ପ୍ରସ୍ତୁତି ସମ୍ପର୍କରେ ଉପସ୍ଥାପନ କରିଥିଲେ। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ କାର‌୍ୟ୍ୟକ୍ରମର ସଫଳ ଆୟୋଜନ ସଂପର୍କରେ ସଂପୃକ୍ତ ସମସ୍ତ ବିଭାଗର ସହଯୋଗ କାମନା କରି ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ।

ସଚିବ ତଥା ଅଧିକାରୀମାନେ ନିଜ ନିଜ କାର‌୍ୟ୍ୟରେ ପତ୍ର ପ୍ରେରଣ ପାଇଁ ଲେଟର ହେଡ୍ ଇଂରାଜୀ ଭାଷାରେ ବ୍ୟବହାର କରୁଥିଲେ ଓଡ଼ିଆ ଭାଷାରେ ମଧ୍ୟ ଏହାର ବହୁଳ ବ୍ୟବହାର କରିବାକୁ ଶ୍ରୀ ଜେନା ପରାମର୍ଶ ଦେଇଥିଲେ।

ସଚିବସ୍ତରୀୟ ବୈଠକରେ ଡିସେମ୍ବର ୨୦୨୩ ସୁଦ୍ଧା ରାଜ୍ୟ ତଥା ବିଭିନ୍ନ ବିଭାଗ ତଥା ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ସଂପର୍କରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ ବିଶଦ୍ ଭାବେ ତଥ୍ୟ ଉପସ୍ଥାପନ କରିଥିଲେ। ବୈଠକରୁ ଜଣା ପଡିଛି ଯେ, ବଜେଟ ବ୍ୟବସ୍ଥା ଅନୁସାରେ ବିଭିନ୍ନ ବିଭାଗର ସାମଗ୍ରିକ ଖର୍ଚ୍ଚ ହାର ଗତ ଡିସେମ୍ବର ୨୦୨୨ ଶେଷ ସୁଦ୍ଧା ୪୮.୩୦ ପ୍ରତିଶତ ହୋଇଥିବା ବେଳେ ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ୫୩.୩୫ ପ୍ରତିଶତ ହୋଇଛି।

ଫଳରେ ଅର୍ଥ ବିନିଯୋଗ ହାର ବୃଦ୍ଧି ପାଇଛି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଗତ ବର୍ଷ ୫୩.୯୨ % ତୁଳନାରେ ଏ ବର୍ଷ ଖର୍ଚ୍ଚ ୫୫.୨୭ % କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ, ସାମାଜି ସୁରକ୍ଷା, ଶିକ୍ଷା, ମିଶନ ଶକ୍ତି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି କଲ୍ୟାଣ ଆଦି ସାମାଜିକ କ୍ଷେତ୍ରରେ ଗତ ବର୍ଷ ୫୩.୬୧ ପ୍ରତିଶତ ତୁଳନାରେ ଏ ବର୍ଷ ଖର୍ଚ୍ଚ ୫୮.୩୫ ପ୍ରତିଶତ ରହିଛି।

ବଜେଟ୍ ଅର୍ଥ ଆବଣ୍ଟନ ଅନୁସାରେ ଗତ ବର୍ଷ ଖର୍ଚ୍ଚ ଏହି ସମୟ ସୁଦ୍ଧା ୧୫ ପ୍ରତିଶତରୁ ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ୨୭ % କୁ ବୃଦ୍ଧି ଘଟିଛି। ବିଭିନ୍ନ କାର‌୍ୟ୍ୟକ୍ରମ ବାବଦରେ ଡିସେମ୍ବର -୨୦୨୨ ସୁଦ୍ଧା ଖର୍ଚ୍ଚ ହାର ୪୬.୩୦ ପ୍ରତିଶତ ଥିବା ବେଳେ ଡିସେମ୍ବର ୨୦୨୩ ସୁଦ୍ଧା ୫୦.୪୯ ପ୍ରତିଶତ ରହିଛି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ର, ଜଳ ସମ୍ପଦ, ମତ୍ସ୍ୟ ଓ ପ୍ରାଣୀ ସଂପଦ, ସମବାୟ ଆଦି କ୍ଷେତ୍ରରେ ବିଭିନ୍ନ କାର‌୍ୟ୍ୟକ୍ରମ ବାବଦକୁ ଖର୍ଚ୍ଚ ବିନିଯୋଗ ପ୍ରତିଶତ ଗତ ବର୍ଷ ତୁଳନାରେ ଅଧିକ ରହିଛି।

ସେହିପରି ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପୂର୍ତ୍ତ, ଗୃହ ଓ ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ, ଶକ୍ତି କ୍ଷେତ୍ରରେ କାର‌୍ୟ୍ୟକ୍ରମ ବାବଦରେ ଖର୍ଚ୍ଚ ବିନିଯୋଗ ହାର ବଢିଛି। ଚଳିତ ଆର୍ଥିକ ବର୍ଷରେ ଆଗାମୀ ମାସ ଗୁଡିକରେ ବଜେଟ୍ ଅନୁସାରେ କାର‌୍ୟ୍ୟ ଓ ଖର୍ଚ୍ଚ ବିନିଯୋଗକୁ ତ୍ୱରାନ୍ୱିତ କରିବା ସହ ବିଶେଷ କରି ଶିକ୍ଷା, ସଡକ ନିର୍ମାଣ ଭଳି ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ କାର‌୍ୟ୍ୟକୁ ତ୍ୱରାନ୍ୱିତ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ।

ବୈଠକରୁ ଜଣାଯାଇଛି ଯେ, ଭୂରାଜସ୍ୱ, ଅବକାରୀ, ଜିଏସଟି ସଂଗ୍ରହ ଓ ଅନ୍ୟ ବ୍ୟବସ୍ଥା ମାଧ୍ୟମରେ ବାବଦରେ ରାଜସ୍ୱ ସଂଗ୍ରହରୁ ମିଶାଇ ମୋଟ ରାଜସ୍ୱ ଆଦାୟ ଗତ ବର୍ଷ ଡିସେମ୍ବର ତୁଳନାରେ ୧୯.୯ ପ୍ରତିଶତ ବୃଦ୍ଧି ପାଇଛି । ବିକ୍ରୟ କର (ଭାଟ) ବାବଦରେ ଡିସେମ୍ବର ସୁଦ୍ଧା ୨୫,୭୬୮.୬୩ କୋଟି ସଂଗ୍ରହ ହୋଇ ଗତ ଡିସେମ୍ବର -୨୦୨୨ ତୁଳନାରେ ୨୧.୩୬ % ବୃଦ୍ଧି ପାଇଛି, ଯାହାକି ରାଜସ୍ୱ ଆଦାୟ କ୍ଷେତ୍ରରେ ପ୍ରମୁଖ ସହଯୋଗ ଦେଇଛି।

ଅଣ ରାଜସ୍ୱ କର ବାବଦରେ ୨୦.୨୨ % ବୃଦ୍ଧି ଘଟିଛି। ବିଭିନ୍ନ ସରକାରୀ କାର‌୍ୟ୍ୟାଳୟରେ ବକେୟା ପଡିଥିବା ବିଦ୍ୟୁତ୍ ବିଲ୍ ପୈଠ ଦେୟ ସମ୍ପର୍କରେ ବିଦ୍ୟୁତ ବିତରକ ସଂସ୍ଥାମାନଙ୍କୁ ପ୍ରଦାନ କରାଯାଇ ନଥିବାରୁ ତାହାକୁ ଠିକ୍ ସମୟରେ ପୈଠକରି ଆଦର୍ଶ ଉପଭୋକ୍ତା ହୋଇ ଉଦାହରଣ ସୃଷ୍ଟି କରିବାକୁ ବୈଠକରେ ପରାମର୍ଶ ଦିଆଯାଇଛି। ସେହିପରି ରାଜ୍ୟକୁ ସ୍ୱତନ୍ତ୍ର ଅନୁଦାନ ସହାୟତାର ଅର୍ଥ ପ୍ରଦାନ ବାବଦରେ ହୋଇଥିବା କାର‌୍ୟ୍ୟ ସଂପର୍କିତ ବିନିଯୋଗ ପତ୍ର ପ୍ରଦାନ ସଂପର୍କରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।

ବିଭିନ୍ନ ଜିଲ୍ଲାରେ କି କି ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି, ସେ ସଂପର୍କରେ ଜିଲ୍ଲାରେ ଦକ୍ଷତା ବିକାଶ ସଂପର୍କିତ ଏକ “ସ୍କିଲ କ୍ୟାଲେଣ୍ଡର ରହିବ”, ଫଳରେ ଯୁବକଯୁବତୀମାନେ ଏହାର ଲାଭ ନେଇ ପାରିବେ ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଉପସ୍ଥାପନ କରିଥିଲେ । ବିଭିନ୍ନ ବିଭାଗ ଜରିଆରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ କରାଯାଉଥିବାରୁ ଏହାର ପ୍ରସ୍ତୁତି ପାଇଁ ସେ ସମସ୍ତ ବିଭାଗର ସହଯୋଗ କାମନା କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆର୍ଥିକ ପ୍ରଦର୍ଶନକୁ ଅଧିକ ତ୍ୱରାନ୍ୱିତ କର, ସଚିବସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ , କମିଶନର ତଥା ଶାସନ ସଚିବମାନେ ଯୋଗ ଦେଇଥିଲେ।

ଏହି ବୈଠକରେ ପ୍ରଥମେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଗତ ନଭେମ୍ୱର ମାସ ଶେଷ ସୁଦ୍ଧା ବିଭିନ୍ନ ବିଭାଗର ପ୍ରମୁଖ କାର‌୍ୟ୍ ୟସଫଳତା ସଂପର୍କରେ ଉପସ୍ଥାପନ କରିଥିଲେ।

ନଭେମ୍ବର ମାସରେ ଉଲ୍ଲେଖନୀୟ କାର୍ଯ୍ୟ ମଧ୍ୟରେ ରାଜ୍ୟରେ ବ୍ୟାଙ୍କି ସୁବିଧା ନଥିବା ବିଭିନ୍ନ ପଂଚାୟତରେ ବ୍ୟାଙ୍କି ସୁବିଧାର ଶୁଭାରମ୍ଭ, ଗମନା ଗମନ ସୁବିଧା ନଥିବା ଅଂଚଳକୁ ପରିବହନ ସୁବିଧା ପାଇଁ ଆରମ୍ଭ କରାଯାଇଥିବା ଲକ୍ଷ୍ମୀ ବସ ସେବା ଯୋଜନା କ୍ରମଶଃ ଚାଲୁ ରହିବା, ମାଣ୍ଡିଆକୁ ସର୍ବଜନାଦୃତ କରିବା ଉଦ୍ଦେଶ୍ୟରେ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ ହେବା, ଉଚ୍ଚ ଶିକ୍ଷା ବିଭାଗ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ, ଜଳ ସଂପଦ ବିଭାଗ ଆଦିରେ ବିଭିନ୍ନ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ସମ୍ପର୍କରେ ସୂଚନା ଦିଆଯାଇଥିଲା।

ବୈଠକରୁ ଜଣାଯାଇଛି ଯେ, ଗତ ନଭେମ୍ବର ମାସରେଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସେତୁ ନିର୍ମାଣ ଶେଷ ହୋଇଛି। ଓଡିଶା ଫୁଟବଲ ଏକାଡେମୀ ସ୍ଥାପନ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ସହିତ ଓଡିଶା ଟେନିସ୍ ଏକାଡେମୀ ଉଦ୍ଘାଟନ ହୋଇଛି। ଜଳ ସଂପଦ ବିଭାଗରେ ଜଳ ବିଜ୍ଞାନ ଓ ତଥ୍ୟ କେନ୍ଦ୍ର ଉଦ୍ଘାଟିତ ହୋଇଛି। ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡିଶା ସ୍ୱର୍ଣ୍ଣ ପଦକ ଲାଭ କରିଥିବା ସହ ଅନ୍ୟବିଭିନ୍ନ ବିଭାଗର ଉଲ୍ଲେଖନୀୟ କାର‌୍ୟ୍ୟ ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା।

ପରେ ପରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ ଗତ ନଭେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ସଂପର୍କରେ ଆଲୋକପାତ କରିଥିଲେ। ବୈଠକରୁ ଜଣାଯାଇଛି ଯେ, ବଜେଟ ଅନୁମୋଦନ ଅନୁସାରେ ଗତ ବର୍ଷ ତୁଳନାରେ ଚଳିତ ବର୍ଷର ଆର୍ଥିକ ଅବିବୃଦ୍ଧି ସହିତ ବିନିଯୋଗ ପ୍ରତିଶତ ଅଧିକ ରହିଛି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ର, ଭିତ୍ତିଭୂମି ନିର୍ମାଣ କ୍ଷେତ୍ର, ସାମାଜିକ ସୁରକ୍ଷା କ୍ଷେତ୍ରରେ ଗତ ବର୍ଷ ଏହି ମାସ ତୁଳନାରେ ଏ ବର୍ଷ ଅଭିବୃଦ୍ଧି ପ୍ରତିଶତ ଅଧିକ ରହିଛି।

ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗରେ ଗତ ବର୍ଷ ନଭେମ୍ବର ମାସ ତୁଳନାରେ ଏ ବର୍ଷ ୧୧୭ ପ୍ରତିଶତ ଅଭିବୃଦ୍ଧି ଘଟିଛି । ପଂଚାୟତି ରାଜ ବିଭାଗରେ ୨୩୦ ପ୍ରତିଶତ ଅଭିବୃଦ୍ଧି ଘଟିଥିବା ବେଳେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ୧୮୮ ପ୍ରତିଶତ ଅଭିବୃଦ୍ଧି ଘଟିଛି। ଜିଏସଟି ସଂଗ୍ରହ, ଭୂରାଜସ୍ୱ ଆଦାୟ ଏବଂ ଯାନବାହନରୁ କର ଆଦାୟ ଆଦିରେ ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁଁ ନିଜସ୍ୱ ରାଜସ୍ୱ ଆଦାୟ ଗତ ବର୍ଷ ତୁଳନାରେ ୧୮.୪ ପ୍ରତିଶତ ବୃଦ୍ଧି ଘଟିଛି। ଅଣ ରାଜସ୍ୱ କର କ୍ଷେତ୍ରରେ ୧୭.୫୭ ପ୍ରତିଶତ ବୃଦ୍ଧି ଘଟିଛି। ରାଜ୍ୟକୁ ପ୍ରଦାନ କରାଯାଇଥିବା ସ୍ୱତନ୍ତ୍ର ଅନୁଦାନ ପାଣ୍ଠି ବିନିଯୋଗ ପ୍ରମାଣ ପତ୍ର ପ୍ରଦାନ, ୨୦୨୪-୨୫ ରାଜ୍ୟ ବାର୍ଷିକ ବଜେଟ୍ ପ୍ରସ୍ତୁତି ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା।

ସବୁ ବିଭାଗର ଆର୍ଥିକ ଓ କାର‌୍ୟ୍ୟ ପ୍ରଦର୍ଶନ ଅନୁଧ୍ୟାନ କରି ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ସମସ୍ତ ବିଭାଗକୁ ଏହି ସଫଳତା ଜାରି ରଖିବାକୁ ପରାମର୍ଶ ଦେବା ସହିତ ବଜେଟ୍ ଅନୁମୋଦନ ଅନୁସାରେ କାର‌୍ୟ୍ୟକୁ ଅଧିକ ତ୍ୱରାନ୍ୱିତ କରି ଆର୍ଥିକ ବିନିଯୋଗ ବୃଦ୍ଧି କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

ଆଗମୀ ଡିସେମ୍ବର ୧୦ ତାରିଖରେ ବିହାରର ପାଟଣା ଠାରେ ହେବାକୁ ଥିବା ୨୬ ତମ ପୂର୍ବାଂଚଳ ପରିଷଦ ବୈଠକରେ ଆଲୋଚନା ହେବାକୁ ଥିବା ବିଭିନ୍ନ ପ୍ରସ୍ତାବ ସଂପର୍କରେ ରାଜ୍ୟର ପ୍ରସ୍ତୁତି ପରିପ୍ରେକ୍ଷୀରେ ଆଲୋଚନା କରାଯାଇଥିଲା। ମୁଖ୍ୟ ବାଣିଜ୍ୟ କର ତଥା ଜିଏସଟି କମିଶନର ଶ୍ରୀ ସଂଜୟ କୁମାର ସିଂ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି) ଏବଂ ଜିଏସ୍ ଟି ଅଧୀନରେ ଏହାର ପ୍ରତ୍ୟାବର୍ତ୍ତନ ସଂପର୍କରେ ବିଶଦ ତଥ୍ୟ ପ୍ରଦାନ କରିଥିଲେ।

Categories
ବିଶେଷ ଖବର

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବିଭିନ୍ନ ବିଭାଗର କାର‌୍ୟ୍ୟ ଅଗ୍ରଗତି  ସଂପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବମାନେ ଯୋଗ ଦେଇଥିଲେ।  ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ପ୍ରଥମେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଯୋଗଦେଇ ଗତ ଅଗଷ୍ଟ  ମାସ  ଶେଷ ସୁଦ୍ଧା ବିଭିନ୍ନ ବିଭାଗର ସଚିବମାନେ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରିଥିବା ବିଭାଗର ପ୍ରମୁଖ କାର‌୍ୟ୍ୟ ସଫଳତା ସଂପର୍କରେ ଉପସ୍ଥାପନ କରିଥିଲେ।

ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ କହିଥିଲେ ଯେ, ଅଗଷ୍ଟ ମାସରେ  ରାଜ୍ୟର ସମସ୍ତ ୪୩୭୩ଟି ଅଣବ୍ୟାଙ୍କିଂ ଗ୍ରାମ ପଞ୍ଚାୟତରେ ସିଏସପି ପ୍ଲସ୍ ବ୍ୟାଙ୍କିଂ ଆଉଟଲେଟ୍ ଜରିଆରେ ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହ ସମନ୍ୱୟ ରକ୍ଷା କରି ବ୍ୟାଙ୍କିଙ୍ଗ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଘରୋଇ କ୍ଷେତ୍ରର ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଏବଂ ପ୍ରକଳ୍ପଗୁଡ଼ିକୁ ତ୍ୱରିତ ମଞ୍ଜୁରୀ ଦେବା ପାଇଁ ଓଡ଼ିଶା ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନରସିପ୍ ପଲିସି -୨୦୨୩ ପ୍ରଣୟନ କରାଯାଇଛି। ମିଶନ ଶକ୍ତି ସ୍କୁଟର ଯୋଜନା ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନୁମୋଦନ ଲାଭ କରିଛି। କ୍ୟୁଆର୍ କୋଡ୍ ସହ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ-କଳାଭୂମିର ନବୀକରଣ ଓ୍ୱେବ୍  ସାଇଟ୍ ଉନ୍ମୋଚନ କରାଯାଇଛି ଆଧାରିତ ଅଡିଓ ଗାଇଡେଡ୍ ଟୁର୍ ସୁବିଧା କରାଯାଇଛି। ଶକ୍ତି ଓ ଶିକ୍ଷା ଆଦି ବିଭିନ୍ନ ବିଭାଗରେ ନିଯୁକ୍ତି ଦିଆଯାଇଛି।

ସେହିପରି ଶିଳ୍ପ କ୍ଷେତ୍ରରେ ପ୍ରମୁଖ ଶିଳ୍ପକୁ ସିଙ୍ଗଲ ଓ୍ୱିଣ୍ଟୋ କ୍ଲିୟରାନ୍ସ କମିଟି ତରଫରୁ ଅନୁମୋଦନ ଦିଆଯାଇଛି। ଦକ୍ଷତା ବିକାଶ ଓ ବିଭିନ୍ନ କ୍ଷେତ୍ରରେ ରାଜିନାମା ସ୍ୱାକ୍ଷରିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ କେନାଲ ଲାଇନିଂ ଯୋଜନା -୨.୦ କ୍ୟାବିନେଟ୍ ଅନୁମୋଦନ ଲାଭ କରିଛି। ସେହିପରି  ଅନ୍ୟ ବିଭିନ୍ନ ବିଭାଗ ଦ୍ୱାରା ପ୍ରଦତ୍ତ ସଫଳତା ସଂପର୍କରେ ସେ ଉପସ୍ଥାପନ କରିଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଏହି ସଫଳତାର ଧାରାକୁ ଆହୁରି ଅଧିକ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ। ବୈଠକରେ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗର କାର‌୍ୟ୍ୟ ସଂପର୍କରେ ସମୀକ୍ଷା ସହ  ଡିଏମ୍ଏଫ ଏବଂ ଓମ୍ବାଡିସି ପାଣ୍ଠି ଉପଯୋଗରେ ସମ୍ପୃକ୍ତ ଅଂଚଳରେ ଭିତ୍ତିଭୂମିର ବିକାଶ, ଉନ୍ନତ ରାସ୍ତା ନିର୍ମାଣ ସାଙ୍ଗକୁ ଅଧିକରୁ ଅଧିକ ଜୀବିକା ନିର୍ବାହ ପ୍ରକଳ୍ପ କାର‌୍ୟ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେଇଥିଲେ।

ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷରେ ଅଗଷ୍ଟ  ମାସ ଶେଷ ସୁଦ୍ଧା ରାଜସ୍ୱ ଆୟ ଖର୍ଚ୍ଚ ଓ ସଂପର୍କରେ ସମୀକ୍ଷା କରାଯାଇଥିଲା। ବୈଠକରୁ ଜଣାଯାଇଛି ଯେ, ଗତବର୍ଷ ୨୦୨୨-୨୩ ଆର୍ଥିକ ବର୍ଷରେ  ଅଗଷ୍ଟ ମାସ ଶେଷ ସୁଦ୍ଧା ଖର୍ଚ୍ଚ ତୁଳନାରେ ଚଳିତ ୨୦୨୩ -୨୪  ବର୍ଷ ଏହି ମାସ ସୁଦ୍ଧା ବଜେଟ ଅନୁମୋଦନ ହିସାବରେ କାର‌୍ୟ୍ୟ ଅଗ୍ରଗତି ଅଧିକ ରହିଛି। ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ଭଲ ରହିଥିବା ବେଳେ ବିବରଣୀ ପ୍ରାପ୍ତ ଅନୁସାରେ ଭିତ୍ତିଭୂମି ଉନ୍ନୟନ କ୍ଷେତ୍ର, ଶକ୍ତି, ମିଶନ ଶକ୍ତି, ବିଜ୍ଞାନ ଓ ବୈଷୟିକ ବିଦ୍ୟା, ଶିଳ୍ପ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଆଦି ଉନ୍ନତି ପ୍ରଦର୍ଶନ କରିଛନ୍ତି।

ଅବସରଗ୍ରହଣ କରୁଥିବା କର୍ମଚାରୀମାନଙ୍କର  ପେନସନ ପ୍ରଦାନ ପ୍ରକ୍ରିୟା ଅଧିକ ବ୍ୟବସ୍ଥିତ ଓ ତ୍ୱରାନ୍ୱିତ ହେବା ଫଳରେ ମାମଲା ସଂଖ୍ୟା ମାତ୍ରା ପୂର୍ବାପେକ୍ଷା ହ୍ରାସ ପାଉଥିବା ସଂପର୍କରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଶ୍ରୀ ସୁରେନ୍ଦ୍ର କୁମାର ପ୍ରକାଶ କରିଥିଲେ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢୀ ବିଭାଗ ତରଫରୁ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବଗତ କରିଥିଲେ। ୫ ବର୍ଷରେ ୧୫  ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷ କରିବା ବିଭାଗର ଲକ୍ଷ୍ୟ ରହିଥିବା ବେଳେ ଅନ୍ୟ  ବିଭିନ୍ନ ବିଭାଗ ତରଫରୁ ଆଗାମୀ ୪ ବର୍ଷରେ ୪୫ ଲକ୍ଷରୁ ଊର୍ଦ୍ଧ୍ୱ  ଯୁବକଯୁବତୀଙ୍କୁ ଦକ୍ଷ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଥିବା କହିଥିଲେ। ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ, ଆଗାମୀ ଦିନରେ ବିଭିନ୍ନ ବିଭାଗ ତରଫରୁ କାର‌୍ୟ୍ୟକାରୀ ହେବାକୁ ଥିବା ପ୍ରକଳ୍ପର ଉଦ୍ଘାଟନ, ଚଳିତ ଆର୍ଥିକ ବର୍ଷରେ ଆଗାମୀ ୬ ମାସ ପାଇଁ ସମସ୍ତ ବିଭାଗର କାର‌୍ୟ୍ୟ ଯୋଜନା କିପରି ରହିବ, ସେ ସଂପର୍କରେ ଆଲୋଚନା କରାଯାଇଥିଲା।

Categories
ବିଶେଷ ଖବର

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ସଚିବମାନେ ଯୋଗ ଦେଇଥିଲେ। ଖାରବେଳ ଭବନ ସମ୍ମିଳନୀ କକ୍ଷରେ  ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରଥମେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଅନୁ ଗର୍ଗ ଯୋଗଦେଇ ଗତ ଜୁଲାଇ ମାସ ଶେଷ ସୁଦ୍ଧା ବିଭିନ୍ନ ବିଭାଗର ସଚିବମାନେ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରିଥିବା ବିଭାଗର ପ୍ରମୁଖ କାର‌୍ୟ୍ୟ ସଫଳତା ସଂପର୍କରେ ଉପସ୍ଥାପନ କରିଥିଲେ।

ଏହି ପରିପ୍ରେକ୍ଷୀରେ ସୂଚନା ଦେଇ ଉନ୍ନୟନ କମିଶନର କହିଥିଲେ ଯେ, ଜୁଲାଇ ମାସ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପାଇଁ ବହୁ ସଫଳତା ଆଣି ଦେଇଛି। ଚଳିତ ମାସରେ ‘ଜାତୀୟ ବହୁମୁଖୀ ଦାରିଦ୍ର‌୍ୟ ସୂଚକାଙ୍କ’ ସମୀକ୍ଷା ଅନୁସାରେ ଓଡିଶାରେ ଦାରିଦ୍ର‌୍ୟ ଦୂରୀକରଣ ହାର ଦେଶର ଅନ୍ୟ ପ୍ରମୁଖ ରାଜ୍ୟ ଭଳି ଦୃତତମ ରହିଥିବା ରିପୋର୍ଟ ପ୍ରକାଶ ପାଇଛି। ଗ୍ରାମୀଣ ବିକାଶ ଲକ୍ଷ୍ୟରେ ପୂର୍ବରୁ ଥିବା ‘ଆମ ଗାଁ  ଆମ ବିକାଶ’ ନିର୍ଦ୍ଦେଶମାନାରେ ସଂଶୋଧନ କରାଯାଇ ‘ଆମ ଓଡିଶା ନବୀନ ଓଡିଶା’ କାର‌୍ୟ୍ୟକ୍ରମରେ ପରିବର୍ତ୍ତିତ ହୋଇ ତଦନୁସାରେ ଗ୍ରାମୀଣ ବିକାଶ ପାଇଁ ପଦକ୍ଷେପ ନିଆଯାଉଛି। ରାଜ୍ୟର  ବିକାଶ ଓ ଶିଳ୍ପାୟନ  ପାଇଁ ଆବଶ୍ୟକ ଥିବା  ଓଡିଶା ସେମିକଣ୍ଡକ୍ଟର ମାନ୍ୟୁଫ୍ୟାକ୍ଚରିଂ ଏବଂ ଫାବଲେସ୍ ପଲିସି ଅନୁମୋଦନ କରାଯାଇଛି।  ଡିଜିଟାଲ୍ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକୀକରଣ କାର‌୍ୟ୍ୟକ୍ରମର ଲକ୍ଷ୍ୟଗୁଡ଼ିକୁ ପୂରଣ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାକୁ  ‘ଭୂମି ସମ୍ମାନ’ ପୁରସ୍କାର , ଓଡିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡକୁ ସ୍କଚ ପୁରସ୍କାର-୨୦୨୩ ପ୍ରାପ୍ତ ହେବା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀମାନଙ୍କ ହିତ ଦୃଷ୍ଟିରୁ ରାଜ୍ୟ ସରକାର କୃଷକମାନଙ୍କ ପ୍ରିମିୟମ ଅଂଶ ପ୍ରଦାନ ପାଇଁ ନିଷ୍ପତ୍ତି, ଜଳ ସଂପଦ ବିଭାଗ ପକ୍ଷରୁ ନୂତନ ଭାବେ ଲୋୟର ସୁକତେଲ ପ୍ରକଳ୍ପରେ ଜଳ ସଂରକ୍ଷଣ କରାଯିବା ସହିତ ଅନ୍ୟାନ୍ୟ ବିଭିନ୍ନ କ୍ଷେତ୍ରରେ ଜୁଲାଇ ମାସରେ ରାଜ୍ୟର ଉଲ୍ଲେଖନୀୟ ସଫଳତା ସଂପର୍କରେ ସେ  ଆଲୋକପାତ କରିଥିଲେ।

ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷରେ ଜୁଲାଇ ମାସ ଶେଷ ସୁଦ୍ଧା ଖର୍ଚ୍ଚ ଓ ରାଜସ୍ୱ ଆୟ ସଂପର୍କରେ ସମୀକ୍ଷା କରାଯାଇଥିଲା। ବୈଠକରୁ ଜଣାଯାଇଛି ଯେ, ଗତବର୍ଷ ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟର ବଜେଟ୍ ଅନୁମୋଦନ ହିସାବରେ ଜୁଲାଇ ମାସ ଶେଷ ସୁଦ୍ଧା ଖର୍ଚ୍ଚ ୧୬.୪୩ ପ୍ରତିଶତ ଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ମାସ ଶେଷ ସୁଦ୍ଧା ଏହା ୨୦.୯୭  ପ୍ରତିଶତ ରହିଛି। ସେହିପରି ରାଜସ୍ୱ ଆଦାୟ ଗତବର୍ଷ ଜୁଲାଇ ମାସ ସୁଦ୍ଧା ୧୨ .୨୮  ଥିବା  ବେଳେ ଚଳିତ ବର୍ଷ ଏହା ୨୦ .୬୮  ରହିଛି, ଯାହାକି ତୁଳନାତ୍ମକ ଭାବେ ବୃଦ୍ଧି ପାଇଛି। ଭିତ୍ତିଭୂମି କ୍ଷେତ୍ର, ଶକ୍ତି ଓ ମିଶନ ଶକ୍ତି କ୍ଷେତ୍ରରେ ଖର୍ଚ୍ଚରେ ଉନ୍ନତି ପ୍ରଦର୍ଶନ ହୋଇଛି। ଅନ୍ୟ ବିଭାଗମାନେ ମଧ୍ୟ କାର‌୍ୟ୍ୟରେ ଉନ୍ନତି କରିଛନ୍ତି। ଧାର‌୍ୟ୍ୟ ଲକ୍ଷ୍ୟ ଅନୁସାରେ କାର‌୍ୟ୍ୟକରି  ଓ ଖର୍ଚ୍ଚ ବିନିଯୋଗ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ସେହିପରି ପୁଞ୍ଜି ସହାୟତା ପାଇଁ ରାଜ୍ୟକୁ ମିଳୁଥିବା ସ୍ୱତନ୍ତ୍ର ସହାୟତା ଅର୍ଥ ଖର୍ଚ୍ଚ କରାଯିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ସେହିପରି ଅବସରଗ୍ରହଣ କରୁଥିବା କର୍ମଚାରୀମାନଙ୍କର ଫାଇନାଲ ପେନସନ ଶୀଘ୍ର ମଂଜୁର ପାଇଁ ଡିଡିଓ ମାନେ ଗୁରୁତ୍ୱ ଦେବା ସହ  ବିଭାଗଓ୍ୱାରୀ ଜନ ଅଭିଯୋଗ ଶୁଣାଣିର ସ୍ଥିତି ସମୀକ୍ଷା କରାଯାଇଥିଲା।

ବୈଠକରେ କର୍ମଚାରୀମାନଙ୍କ ଅପେକ୍ଷା ସାଧାରଣ ଲୋକଙ୍କର ଅଭିଯୋଗଗୁଡିକୁ ଗୁଗୁତ୍ୱ ଦିଆଯାଇ ତ୍ୱରିତ ଫଇସଲା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ଅକ୍ଟୋବର ମାସରେ ହେବାକୁ ଥିବା ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ନେଇ ଜାତୀୟସ୍ତରୀୟ ସମ୍ମିଳନୀ ଆୟୋଜନ  ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଆଲୋଚନାରେ ସଂପୃକ୍ତ  ବିଭାଗର ଅତିରିକ୍ତ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ କମିଶନର ତଥା ଶାସନ ସଚିବମାନେ ଅଂଶଗ୍ରହଣ କରିଥିଲେ।

ବୈଠକରେ ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ, ଲଣ୍ଡନ ତରଫରୁ ଓଡିଶାରେ ଅର୍ଥନୈତିକ ବିକାଶ ପାଇଁ ଯେଉଁସବୁ କାର‌୍ୟ୍ୟକ୍ରମ ରହିଛି, ସେସବୁର ସଫଳ ରୂପାୟନରେ ବୈଷୟିକ  ଓ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ କରିବା ସଂପର୍କରେ ବିଶଦ୍ ଉପସ୍ଥାପନ କରାଯାଇଥିଲା। ଶେଷରେ ଅବସରପ୍ରାପ୍ତ ଆଇଏଏସ୍ ପ୍ରବୀଣ ଦେଶାଇ ଶିମିଳିପାଳ, ଭିତରକନିକା, ସତକୋଶିଆ ପରି ଓଡ଼ିଶାର ବନ୍ୟପ୍ରାଣୀ ଅଭୟାରଣ୍ୟକୁ କିପରି ବିଶ୍ୱସ୍ତରୀୟ କରାଯାଇପାରିବ ସେ ସଂପର୍କରେ  ବିସ୍ତୃତ ଉପସ୍ଥାପନା କରିଥିଲେ।