Categories
ଆଜିର ଖବର ରାଜ୍ୟ ଖବର

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ଡ଼. ଗାୟତ୍ରୀବାଳା ପଣ୍ଡାଙ୍କୁ ସମ୍ବର୍ଦ୍ଧିତ ତଥା ସମ୍ମାନିତ କରାଯାଇଛି। ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ବିଶେଷ ଅବଦାନ ଓ ସମ୍ମାନ ଲାଭ ନିମନ୍ତେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଅନୁରୂପ ଭାବରେ ଆହୁରି ଅନେକ ବିଶିଷ୍ଟ ତଥା ଖ୍ୟାତନାମା ସାହିତ୍ୟସାଧକମାନଙ୍କୁ ସରକାରଙ୍କ ପକ୍ଷରୁ ସମ୍ମାନିତ କରାଯାଇଛି।

କଳିଙ୍ଗ ଯୁଦ୍ଧର କାହାଣୀ ଉପରେ ଆଧାରିତ ଗାୟତ୍ରୀବାଳାଙ୍କ କବିତା ସଂକଳନ ‘ଦୟାନଦୀ’ ୨୦୧୭ମସିହାରେ ପକ୍ଷୀଘର ପ୍ରକାଶନ ସଂସ୍ଥା ଦ୍ୱାରା ଓ ଏହାର ହିନ୍ଦୀ ଅନୁବାଦ ରାଜକମଲ ପ୍ରକାଶନୀ ଦ୍ୱାରା ପ୍ରକାଶ ପାଇବା ପରେ ଏହା ଜାତୀୟସ୍ତରର ସାହତ୍ୟିକଙ୍କ ମଧ୍ୟରେ ବେଶ୍‌‌ ଆଦୃତି ଲାଭ କରିଛି। ୨୦୨୨ ମସିହାରେ ‘ଦୟାନଦୀ’କୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ମିଳିଛି। ୨୦୧୧ରେ କବିତା ସଂକଳନ ‘ଗାଁ’ ପାଇଁ ପ୍ରଥମେ ଗାୟତ୍ରୀବାଳା କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ପାଇଥିଲେ। ଦୀର୍ଘ ତିନି ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ କାଳ କବିତା, ଗପ, ଉପନ୍ୟାସ, ପ୍ରବନ୍ଧ ଓ ଖବରକାଗଜରେ ସ୍ତମ୍ଭ ରଚନା କରି ଯଥେଷ୍ଟ ପାଠକୀୟ ସ୍ୱୀକୃତି ହାସଲ କରିଥିବା କବି ଗାୟତ୍ରୀବାଳା ପଣ୍ଡାଙ୍କର ଅଦ୍ୟାବଧି ତିରିଶ ଖଣ୍ଡ ପୁସ୍ତକ ପ୍ରକାଶ ପାଇଛି। ଆହତ ପ୍ରତିଶ୍ରୁତି, ଅସ୍ପଷ୍ଟ ଈଶ୍ୱର, ଅଣାୟତ୍ତ, ଗାଁ, ଯେତିକି ଦିଶୁଚି ଆକାଶ, ଆଖି ନାଇଁ କାନ ନାଇଁ, ଏ ରାତିର ଯେତେ ତାରା, ବାଘ, ଦୟାନଦୀ, ମହେଞ୍ଜୋଦାରୋ, ପ୍ରାର୍ଥନାର ଶବ୍ଦପରି, ସ୍ତ୍ରୀଲୋକ ଗୋଟିଏ ଗୋଟିଏ ସଫଳ କବିତା ପୁସ୍ତକ। ସେହିପରି ବିସର୍ଜନ, ନିଜକୁ ନେଇ ସତ ଗପ ଆଦି ଗଳ୍ପ ସଂକଳନ, ମମ୍ମି ଯାହା ଜାଣେ ନାହିଁ, ରାସ୍ତା, ରିପୋର୍ଟର ଓ ମାୟାଜାଲ ପରି ଉପନ୍ୟାସର ସେ ହେଉଛନ୍ତି ସ୍ରଷ୍ଟା। ତାଙ୍କର ପାଞ୍ଚଟି କବିତା ସଂକଳନ ଓ ଗୋଟିଏ ଗଳ୍ପ ସଙ୍କଳନ ଏବଂ ଦୁଇଟି କବିତା ସଂକଳନ ଇଂରାଜୀରେ ପ୍ରକାଶିତ ହୋଇଛି।

ଏହାବ୍ୟତୀତ ସେ ରାଜ୍ୟ ଯୁବ ପୁରସ୍କାର, ରାଜୀବ ଗାନ୍ଧୀ ସଦ୍ଭାବନା ପୁରସ୍କାର, ଉକ୍ରଳ ସାହିତ୍ୟ ସମାଜ ଯୁବ ସାହିତ୍ୟିକ ସମ୍ମାନ, ଶାରଳା କାବ୍ୟ ସମ୍ମାନ, କାଦମ୍ୱିନୀ କବିତା ସମ୍ମାନ, ଫକୀର ମୋହନ ସାହିତ୍ୟ ସମ୍ମାନ, ବସନ୍ତ ମୁଦୁଲି କବିତା ସମ୍ମାନ, ଟାଇମ୍‌‌ ପାସ୍‌‌ ସ୍ୱୟଂଶ୍ରୀ ସମ୍ମାନ, ତାଳପଦେଶ୍ୱରୀ ସାରସ୍ୱତ ସମ୍ମାନ, ଦୀପକ ମିଶ୍ର କବିତା ସମ୍ମାନ, ‘ରାଇଟର୍ସ-ଇନ୍‌‌-ରେସିଡେନ୍ସ’ ଆଟ୍‌‌ ରାଷ୍ଟ୍ରପତି ଭବନ-୨୦୧୫, ସତ୍ୟବାଦୀ ସାହିତ୍ୟ ସମ୍ମାନ ସହ ଦୁଇଦୁଇଥର ଟାଇମ୍ସ ପାୱାର ୱିମେନ୍‌‌ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

ଏହି ଉତ୍ସବରେ ଜୟଦେବ ପୁରସ୍କାରରେ ସମ୍ମାନିତ ପ୍ରଣବ ପଟ୍ଟନାୟକ, ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଅପୂର୍ବ ବୀର, ଡ. ରାଜେନ୍ଦ୍ର କିଶୋର ପଣ୍ଡା, ସୌଭାଗ୍ୟ କୁମାର ମିଶ୍ର, ଡ. ପ୍ରଫୁଲ ମହାନ୍ତି, ଡ. ରାମଚନ୍ଦ୍ର ବେହେରା, ଡ. ବଂଶୀଧର ଷଡ଼ଙ୍ଗୀ, ଗୌରହରି ଦାସ, କବୟତ୍ରୀ ଯଶୋଧରା ମିଶ୍ର, ଗାୟତ୍ରୀ ସରାଫ, ତରୁଣକାନ୍ତି ମିଶ୍ର, ଡ. ହୃଶିକେଷ ମଲ୍ଲିକ ଏବଂ ଡ. ଆଶୁତୋଷ ପରିଡ଼ା, ଘନଶ୍ୟାମ ମହାପାତ୍ର ପ୍ରମୁଖଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସୋଆ ପକ୍ଷରୁ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାର ବିଜୟନୀ ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ନିକଟରେ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ୨୦୨୨ ପୁରସ୍କାର ନିମନ୍ତେ ମନୋନୀତ ହୋଇଥିବା କବିତା ସଂକଳନ “ଦୟାନଦୀ” ପୁସ୍ତକର ରଚୟିତା ତଥା ବିଶିଷ୍ଟ ଓଡ଼ିଆ କବି ଓ ଲେଖିକା ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କୁ ସାହିତ୍ୟ କ୍ଷେତ୍ରରେ ଉତ୍କର୍ଷ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ମଙ୍ଗଳବାର ସମ୍ବର୍ଦ୍ଧିତ କରାଯାଇଛି।

ସୋଆ ସେଣ୍ଟର ଫର ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲ୍‌ଚର୍ ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ୍‌) କେନ୍ଦ୍ରର ମୁଖ୍ୟ ଡକ୍ଟର ପଣ୍ଡାଙ୍କୁ ଏକ ବିଶେଷ କାର୍ଯ୍ୟକ୍ରମରେ ଉତରୀୟ ଏବଂ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ସୋଆର ଚାନ୍‌ସେଲର ପ୍ରଫେସର ଦେବୀ ପ୍ରସାଦ ରାୟ ତାଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ତାଙ୍କ ସଫଳତା ବିଶ୍ୱବିଦ୍ୟାଳୟ ପାଇଁ ଗର୍ବର ବିଷୟ ବୋଲି କହିଥିଲେ।

ଏହି ଅବସରରେ ଡକ୍ଟର ପଣ୍ଡା ବିଶ୍ୱବିଦ୍ୟାଳୟର ବରିଷ୍ଠ ନେତୃତ୍ୱଙ୍କର ଆଶୀର୍ବାଦ କାମନା କରିବା ସହ ସୋଆ ସହ ଜଡ଼ିତ ଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ବୋଲି କହିଥିଲେ।

ଡକ୍ଟର ପଣ୍ଡା କହିଥିଲେ ଯେ, ସେ ଖୁବ୍ କମ୍ ବୟସରୁ ତାଙ୍କର ଲେଖନୀ ଚାଳନା ଆରମ୍ଭ କରିଥିଲେ ଏବଂ ମାତ୍ର ୧୨ ବର୍ଷ ବୟସରେ ସେ ପ୍ରଥମ ସାହିତ୍ୟ ପୁରସ୍କାର ପାଇଥିଲେ। ୨୦୧୧ ମସିହାରେ ନିଜର କବିତା ସଂକଳନ “ଗାଁ” ନିମନ୍ତେ ସେ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ଲାଭ କରିଥିଲେ।

“ଦୟାନଦୀ” କବିତା ସଂକଳନରେ ଇତିହାସର କଳିଙ୍ଗ ଯୁଦ୍ଧକୁ ଚିତ୍ରିତ କରାଯାଇଛି। ଭୁବନେଶ୍ୱର ଉପକଣ୍ଠ ଦୟାନଦୀ କୂଳରେ ଏହି ଯୁଦ୍ଧ ତାଣ୍ଡବ ରଚିଥିଲା। ଏହି ଯୁଦ୍ଧ ବିଭୀଷିକା ରଚିବା ସହ ସମ୍ରାଟ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲା ବୋଲି ସେ କହିଥିଲେ।

ଡକ୍ଟର ପଣ୍ଡାଙ୍କୁ ତାଙ୍କ ପୁରସ୍କାର ନିମନ୍ତେ ଶୁଭେଚ୍ଛା ଜଣାଇ ସୋଆ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଏହା ଏକ ବଡ଼ ସଫଳତା ବୋଲି କହିଥିଲେ। ଆମେ ଖୁବ୍ ଆନନ୍ଦିତ ଏବଂ ସେ ପୁରସ୍କାର ନିମନ୍ତେ ମନୋନୀତ ହୋଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଉଛୁ ବୋଲି ସେ କହିଥିଲେ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଆଇଏଏସ୍ ଡିନ୍ ପ୍ରଫେସର ବିଜୟ କୁମାର ସାହୁ, ଆଇବିସିଏସ୍ ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ, ଆଇଡିଏସ୍ ଡିନ୍ ପ୍ରଫେସର ନୀତା ମହାନ୍ତି, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଓ ନିର୍ଦ୍ଦେଶକ କର୍ପୋରେଟ ରିଲେସନ୍ସ ଦେବପ୍ରସାଦ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ପ୍ରଥମ ଓ ଏକମାତ୍ର ଓଡ଼ିଆ ଭାବେ କବି ଡ. ଗାୟତ୍ରୀବାଳା ପଣ୍ଡା ପାଇବେ ୨୦୨୧ ମହୁରି ସମ୍ମାନ

ଭୁବନେଶ୍ୱର: କବି ଡ. ଗାୟତ୍ରୀବାଳା ପଣ୍ଡା ପାଇବେ ଚଳିତ ବର୍ଷର ସମ୍ମାନଜନକ “ମହୁରି ସମ୍ମାନ”। ଓଡ଼ିଆ ସାହିତ୍ୟ ପତ୍ରିକା ମହୁରି ପକ୍ଷରୁ ଡ. ପଣ୍ଡାଙ୍କୁ ଚଳିତ ବର୍ଷର ଏହି ସମ୍ମାନ ପ୍ରଦାନ ନେଇ ଘୋଷଣା କରାଯାଇଛି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲ୍‌ଚର ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ)ର ମୁଖ୍ୟ ଡ. ପଣ୍ଡାଙ୍କ ନାମକୁ ଚୟନ କମିଟି ଏହି ସମ୍ମାନ ପ୍ରଦାନ ନିମନ୍ତେ ସୁପାରିଶ କରିବା ସହିତ ଆସନ୍ତା ଜାନୁଆରୀ-୨୦୨୨ରେ ମହୁରୀ ମହୋତ୍ସବ-୨୦୨୧ରେ ତାଙ୍କୁ ସମ୍ମାନିତ କରାଯିବ ବୋଲି ପତ୍ରିକାର ମୁଖ୍ୟ ସଂପାଦକ ଡ. ଭବାନୀଶଙ୍କର ନିଆଲ୍ ଘୋଷଣା କରିଛନ୍ତି।

ପ୍ରତିବର୍ଷ ସାହିତ୍ୟ କ୍ଷେତ୍ରରେ ପ୍ରତିଭାବାନ ସାହିତ୍ୟିକ ଓ କବିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଥିବା ବେଳେ ଚଳିତ ବର୍ଷ ଡ. ପଣ୍ଡାଙ୍କୁ ଏହି ସମ୍ମାନ ନିମନ୍ତେ ମନୋନୀତ କରାଯାଇଛି। ତାଙ୍କ କବିତାରେ ଥିବା ପ୍ରଖର ଓ ପ୍ରାସଙ୍ଗିକ ବାମାବାଦୀ ସ୍ୱର ନିମନ୍ତେ ଚଳିତ ବର୍ଷ ତାଙ୍କୁ ସମ୍ମାନଜନକ “ମହୁରି ସମ୍ମାନ” ପ୍ରଦାନ କରାଯାଉଛି।

ଜଗତସିଂହପୁର ଜିଲ୍ଲାର ସାଦେଇପୁର ଠାରେ ୧୯୭୭ରେ ଜନ୍ମ ହୋଇଥିବା କବି ଡ. ଗାୟତ୍ରୀବାଳା ପଣ୍ଡା ଛାତ୍ରୀ ଜୀବନରୁ ସାହିତ୍ୟ ସାଧନାରେ ରତ ଅଛନ୍ତି। କବିତା, ଗଳ୍ପ, ପ୍ରବନ୍ଧ, ଉପନ୍ୟାସ ରଚନା କରିବା ସହିତ ସାଂପ୍ରତିକ ପ୍ରସଙ୍ଗ ଭିତିକ ଫିଚର ରଚନା କରନ୍ତି। ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନରେ ପିଏଚ୍‌ଡି ହାସଲ କରିଥିବା ଡ. ପଣ୍ଡା ସାମ୍ବାଦିକତାକୁ ନିଜର ବୃତିଭାବରେ ଗ୍ରହଣ କରିଛନ୍ତି।

ଏଯାବତ ତାଙ୍କର ୧୧ଟି କବିତା ସଂକଳନ, ୨ଟି ଗଳ୍ପ ସଂକଳନ, ଖଣ୍ଡିଏ ପ୍ରବନ୍ଧ ପୁସ୍ତକ, ୨ଟି ଉପନ୍ୟାସ ପ୍ରକାଶ ହୋଇସାରିଥିବା ବେଳେ ୨ଟି ଯନ୍ତ୍ରସ୍ଥ ରହିଛି। ଡ. ପଣ୍ଡାଙ୍କର ହିନ୍ଦୀରେ ଅନୁବାଦ ହୋଇଥିବା ୪ଟି ଓ ଇଂରାଜୀରେ ଅନୁବାଦ ହୋଇଥିବା ଖଣ୍ଡିଏ କବିତା ସଂକଳନ ମଧ୍ୟ ପ୍ରକାଶ ପାଇଛି।

୨୦୧୧ରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ପାଇବା ସହିତ ଡ. ପଣ୍ଡା ଅନେକ ଜାତୀୟ ଓ ରାଜ୍ୟସ୍ତରୀୟ ପୁରସ୍କାର ପାଇଛନ୍ତି। ଏହା ବ୍ୟତୀତ ସେ ଅନେକ ଜାତୀୟ ଓ ଆନ୍ତର୍ଜାତୀକ ସାହିତ୍ୟ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଛନ୍ତି। ୨୦୧୫ରେ ସେ ଅତିଥି ଲେଖକ ଭାବରେ ରାଷ୍ଟ୍ରପତି ଭବନରେ ସତର ଦିନ ଅବସ୍ଥାନ କରିଥିଲେ। ଏଯାବତ ଏହି ସମ୍ମାନ ପାଇବାରେ ସେ ପ୍ରଥମ ଓ ଏକମାତ୍ର ଓଡ଼ିଆ। କେବଳ ସାହିତ୍ୟ ରଚନା ନୁହେଁ ସାମ୍ବାଦିକତା ପାଇଁ ମଧ୍ୟ ସେ ସ୍ୱର୍ଣ୍ଣପଦକ ପାଇଛନ୍ତି। ଡ. ପଣ୍ଡା ସଂପ୍ରତି ସାହିତ୍ୟ ପତ୍ରିକା “ଅନ୍ୟା”ର ସଂପାଦକ ଅଟନ୍ତି।

ପୁରାତନ ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ, ପ୍ରଚାର ଓ ପୁନଃରୁଦ୍ଧାର କରିବା ଉଦ୍ଦେଶ୍ୟରେ ସୋଆରେ ଆରମ୍ଭ ହୋଇଥିବା ପ୍ରାଚୀନ କେନ୍ଦ୍ରର ମୁଖ୍ୟ ଡ. ପଣ୍ଡା ଅନେକ ସୃଜନଶୀଳ କାର୍ଯ୍ୟ ହାତକୁ ନେଇଛନ୍ତି।