ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଉନ୍ମୋଚିତ ହେଲା ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ସ୍ୱତନ୍ତ୍ର ସଂଖ୍ୟା

Published: Feb 6, 2024, 10:03 am IST

ଭୁବନେଶ୍ୱର: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଆଜି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରକାଶିତ ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭୁ୍ୟ’ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ ହୋଇଯାଇଛି ।

ଏହାକୁ ଉନ୍ମୋଚନ କରିବା ଅବସରରେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ କହିଲେ ଯେ ୧୯୪୪ ମସିହାରୁ ଏହି ଦୁଇଟି ପତି୍ରକା ନିରବଚ୍ଛିନ୍ନ ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର କରିଆସୁଛି। ଏହି ସ୍ୱତନ୍ତ୍ର ସଂଖ୍ୟା ଆଗାମୀ ପିଢ଼ିଙ୍କୁ ମାତୃଭାଷା ପ୍ରତି ସଚେତନ କରିବା ସହ ଉପାଦେୟ ଓ ସଂଗ୍ରହଣୀୟ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ କହିଲେ ଯେ ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ପୁରାତନ ସଂସ୍କରଣର ଡିଜିଟାଇଜେସନ୍‌ କରାଯାଇଛି। ଏହା ବିଭାଗୀୟ ୱେବ୍‌ସାଇଟ୍‌ରେ ପାଠକମାନଙ୍କ ନିମନ୍ତେ ଉପଲବ୍ଧ ହେଉଛି। ଦେଶବିଦେଶରେ ରହୁଥିବା ଓଡ଼ିଆ ଭାଷାଭାଷୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏଭଳି ବ୍ୟବସ୍ଥା କରିଛନ୍ତି ବୋଲି ସେ ପ୍ରକାଶ କରିଥିଲେ।

ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଡ. ଲେନିନ୍‌ ମହାନ୍ତି ଏହି ପତି୍ରକା ଦୁଇଟିରେ ଓଡ଼ିଶାର ଭାଷା, ସାହିତ୍ୟ ନେଇ ବହୁ ଦୁଷ୍ପ୍ରାପ୍ୟ ଏବଂ ଉପାଦେୟ ତଥା ପୁରାତନ ଆଲେଖ୍ୟ ସ୍ଥାନ ପାଇଛି ବୋଲି ଉଲ୍ଲେଖ କରିଥିଲେ। ଏହା ଦ୍ୱାରା ଛାତ୍ରଛାତ୍ରୀ ଓ ଗବେଷକମାନେ ଆଧୁନିକ ଓଡ଼ିଆ ଭାଷା-ସାହିତ୍ୟର କ୍ରମବିକାଶ ସଂପର୍କରେ ଅବଗତ ହୋଇପାରିବେ ବୋଲି ସେ ମତବ୍ୟକ୍ତ କରିଥିଲେ।

‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭୁ୍ୟ’ର ସଂପାଦିକା କସ୍ତୁରୀ ମହାପାତ୍ର ଉଭୟ ପତ୍ରିକା ଓଡ଼ିଶା ସରକାରଙ୍କ ମୁଖପତ୍ର ଭାବେ ସ୍ୱାଧୀନତା ପୂର୍ବରୁ ପ୍ରକାଶ ପାଇଆସୁଛି ବୋଲି କହିଥିଲେ। ଏହି ପତି୍ରକା ବେଶ୍‌ ପାଠକୀୟ ଆଦୃତି ଲାଭ କରିବା ସହିତ ଓଡ଼ିଶାବାସୀଙ୍କ ନିକଟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଉତ୍କଳ ପ୍ରସଙ୍ଗର ସ୍ୱତନ୍ତ୍ର ସଂଖ୍ୟାରେ ୧୯ଟି ନିବନ୍ଧ ଏବଂ ଓଡ଼ିଶା ରିଭୁ୍ୟରେ ୨୭ଟି ନିବନ୍ଧ ସ୍ଥାନ ପାଇଛି ବୋଲି ସେ ପ୍ରକାଶ କରିଥିଲେ।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ଧନ୍ୟବାଦ ଦେବା ଅବସରରେ ଓଡ଼ିଆ ୨୦୦୦ ବର୍ଷରୁ ଊଦ୍ଧ୍ୱର୍ ପୁରାତନ ଭାଷା ବୋଲି ପ୍ରକାଶ କରିଥିଲେ। ଏହାର ସମୃଦ୍ଧି ପାଇଁ ଅନେକ ସାରସ୍ୱତ ସାଧକଙ୍କ ଅବଦାନ ସ୍ୱୀକୃତ। ଆଜିର ଏହି ଭାଷା ସମ୍ମିଳନୀ ସେମାନଙ୍କୁ ସମ୍ମାନ ଜଣାଇବା ପାଇଁ ପ୍ରକୃଷ୍ଟ ଅବସର ବୋଲି ସେ ପ୍ରକାଶ କରିଥିଲେ।

Related posts