Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ମହାତ୍ମା ଗାନ୍ଧୀ ଗ୍ୟାଲେରୀ ଉନ୍ମୋଚିତ

ଭୁବନେଶ୍ୱର: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ମହାତ୍ମା ଗାନ୍ଧୀ ଗ୍ୟାଲେରୀ ଉନ୍ମୋଚିତ ହୋଇଛି। ଏହି ଗ୍ୟାଲେରୀରେ ଗାନ୍ଧିଜୀଙ୍କ ଓଡ଼ିଶା ଗସ୍ତର ଆଠଟି ମ୍ୟìରାଲ୍‌ ପେଣ୍ଟିଂ ରହିଛି। ମହାତ୍ମା ଗାନ୍ଧୀ କେତେ ଥର ଓଡ଼ିଶା ଆସିଥିଲେ, କେଉଁଠିକୁ ଆସିଥିଲେ, କ’ଣ କହିଥିଲେ ସେ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି।

ଗ୍ୟାଲେରୀର ମୁଖ୍ୟ ଦ୍ୱାରରେ ସାବରମତୀ ଆଶ୍ରମ ଏବଂ ଅରଟ ରଖାଯାଇଛି। କାଦୁଆ ଆଶ୍ରମର ଅବିକଳ ନକଲ କରାଯାଇ ଅରଟ ଓ ଗାନ୍ଧିଜୀଙ୍କର ପ୍ରତିମୂର୍ତ୍ତି ରଖାଯାଇଅଛି। ଗାନ୍ଧିଜୀଙ୍କର ବିଭିନ୍ନ ହିତବାଣୀ ଏବଂ ବିଭିନ୍ନ ସ୍ଥାନରେ ସେ ଦେଇଥିବା ଅଭିଭାଷଣ ଓ ଜନତାଙ୍କ ସହ ବାର୍ତ୍ତାଳାପ ସଂପର୍କିତ ପେପର କଟିଂ ମଧ୍ୟ ଏହି ଗ୍ୟାଲେରୀରେ ସ୍ଥାନ ପାଇଅଛି। ଏହି ଅବସରରେ ସଂଗ୍ରହାଳୟ ଉଦ୍ୟାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା।

ଆଜିର କାର୍ଯ୍ୟକ୍ରମରେ ସଂଗ୍ରହାଳୟର ନିର୍ଦ୍ଦେଶକ ଶ୍ରୀ ଅନୁଜ ଦାସ ପଟ୍ଟନାୟକ ଅତିଥି ଭାବେ ଯୋଗଦାନ କରିଥିଲେ। ଏହି ଗ୍ୟାଲେରୀର ସର୍ବାଙ୍ଗ ସୌନ୍ଦର୍ଯ୍ୟକରଣ, ପ୍ରତ୍ୟେକ ମ୍ୟìରାଲ୍‌, ତୈଳଚିତ୍ର ତଥା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିକୁ ଅନୁଧ୍ୟାନ କରିବା ପାଇଁ ଏକ କମିଟି ଗଠନ କରାଯାଇଥିଲା। ସେମାନେ ହେଲେ ବିଶିଷ୍ଟ ଗାନ୍ଧିବାଦୀ ପ୍ରହ୍ଲାଦ କୁମାର ସିଂହ, ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ, ଡ. ରାମହରି ଜେନା, ଡ. ସଂଗ୍ରାମ ଜେନା।

ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କର ସହଯୋଗ ଓ ପଥପ୍ରଦର୍ଶନରେ ମହାତ୍ମା ଗାନ୍ଧୀ ଗ୍ୟାଲେରୀ ଆଜି ଲୋକାର୍ପିତ ହେବାକୁ ସକ୍ଷମ ହୋଇପାରିଛି। ଏହି ଗ୍ୟାଲେରୀକୁ ଆଜି ବିଦ୍ୟାଳୟ ପିଲାମାନେ ବୁଲି ଦେଖିବା ସହ ଗାନ୍ଧିଜୀଙ୍କ ବିଷୟରେ ଜାଣି ଖୁସିବ୍ୟକ୍ତ କରିଥିଲେ।

ସଂଗ୍ରହାଳୟର ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ କ୍ୟୁରେଟର ଡ. ଭାରତୀ ପାଲ୍‌ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରାଜ୍ୟ ସଂଗ୍ରହାଳୟରେ ‘ମଲ୍‌ ରୁ ମ୍ୟୁଜିୟମ୍‌’, ପରିବେଷିତ ହେଲା ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପରିସରରେ ସାଂସ୍କୃତିକ ସନ୍ଧ୍ୟା ‘ମଲ୍‌ ରୁ ମ୍ୟୁଜିୟମ୍‌’ ଆୟୋଜିତ ହୋଇଯାଇଛି। ଯୁବଗୋଷ୍ଠୀଙ୍କୁ ରାଜ୍ୟର କଳା, ସଂସ୍କୃତି ଓ ଐତିହ୍ୟ ପ୍ରତି ଆକୃଷ୍ଟ କରିବା ନିମନ୍ତେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ରାଜ୍ୟ ସଂଗ୍ରହାଳୟ ଓଡ଼ିଶାର ପ୍ରାଚୀନ କଳାକୃତି ଓ ଇତିହାସର ପ୍ରତୀକ ଭାବେ ପରିଚିତ। ଏହାର ମହାନତା ସଂପର୍କରେ ଜାଣିବାର ଆବଶ୍ୟକତା ଥିବାରୁ ଯୁବଗୋଷ୍ଠୀଙ୍କୁ ରାଜ୍ୟ ସଂଗ୍ରହାଳୟ ପ୍ରତି ଆକୃଷ୍ଟ କରିବା ନିମନ୍ତେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ଦ୍ୱାରା ନିଜର ସଂସ୍କୃତି ଓ ଇତିହାସ ଜାଣିବା ସହ ଭବିଷ୍ୟତ ପିଢ଼ି ସୁରକ୍ଷିତ ହୋଇପାରିବେ।

ଆଜିର ସନ୍ଧ୍ୟାରେ ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ଓଟିଡିସି ଅଧ୍ୟକ୍ଷ ଡ. ଲେନିନ୍‌ ମହାନ୍ତି, ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ, ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ସଂଜୀବ ଚନ୍ଦ୍ର ହୋତା, ରାଜେନ୍ଦ୍ର କିଶୋର ପଂଡ଼ା, ବରିଷ୍ଠ ଐତିହାସିକ ଡ. ନିହାର ରଞ୍ଜନ ପଟ୍ଟନାୟକ, ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରତି ଶନିବାର ଓ ରବିବାର ସନ୍ଧ୍ୟା ୫ରୁ ୬ ଘଟିକା ପର୍ଯ୍ୟନ୍ତ ସଂଗ୍ରହାଳୟ ଉଦ୍ୟାନ ପରିସରରେ ଥିବା ବର୍ଣ୍ଣାଳି ମଞ୍ଚରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଆଜି ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ଓ ସାଥି ଓଡ଼ିଶୀ ସମବେତ ନୃତ୍ୟ ଏବଂ ସମ୍ବଲପୁର ‘ରଙ୍ଗବତୀ’ ଲୋକନୃତ୍ୟ ପରିବେଷଣ କରିଛନ୍ତି। ଆସନ୍ତାକାଲି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଓଡ଼ିଶୀ, ଡାଲଖାଇ ଓ ରସରକେଲି ପରିବେଷଣ କରାଯିବ । ଆଜିର କାର୍ଯ୍ୟକ୍ରମରେ ସଂଗ୍ରହାଳୟର କୁ୍ୟରେଟର ଡ. ଭାରତୀ ପାଲ୍‌, ଧନ୍ୟବାଦ ଅର୍ପଣ କରିଥିବାବେଳେ ଜାଗୃତି ମିଶ୍ର ମଂଚ ସଂଚାଳନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରାଜ୍ୟ ସଂଗ୍ରହାଳୟରେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରୀ ଉଦ୍‌ଘାଟିତ

ଭୁବନେଶ୍ୱର: ପ୍ରାଚୀନ ତାଳପତ୍ର ପୋଥି ସଂରକ୍ଷଣ ନିମନ୍ତେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ଆରମ୍ଭ ହୋଇଥିବା ୧୫ ଦିନିଆ କର୍ମଶାଳା ଆଜି ଉଦ୍‌ଯାପିତ ହୋଇଛି। ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାଚୀନ ତାଳପତ୍ର ପୋଥିର ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ।

ଏଥିରୁ ଆମର ସୁସମୃଦ୍ଧ ସାହିତ୍ୟ, ଇତିହାସ, ପରମ୍ପରା, ପ୍ରାଚୀନ ଚିକିତ୍ସା ପଦ୍ଧତି ସଂପର୍କରେ ଅଧିକରୁ ଅଧିକ ଗବେଷଣାତ୍ମକ ତଥ୍ୟ ହାସଲ କରିହେବ ବୋଲି ସେ କହିଥିଲେ। ଉକ୍ତ କର୍ମଶାଳାରେ ଯୋଗଦେଇଥିବା ପ୍ରାୟ ୧୦୦ ଜଣ ସ୍ନାତକୋତ୍ତର, ଏମ୍‌.ଫିଲ୍‌ ଏବଂ ପି.ଏଚ୍‌ଡି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।

ଏହି ପାକ୍ଷିକ କର୍ମଶାଳାରେ ଡ. ରମେଶ ଚନ୍ଦ୍ର ମଲ୍ଲିକ, ଜ୍ୟୋତିରାଜ୍‌, ଡ. ପ୍ରଦୀପ୍ତ କୁମାର ପଣ୍ଡା, ଡ. ନଟବର ଶତପଥୀ, ଡ. ବାବାଜୀ ଚରଣ ପଟ୍ଟନାୟକ, ଡ. ଜ୍ଞାନୀ ଦେବାଶିଷ ମିଶ୍ର, ଡ. ଫଣୀନ୍ଦ୍ର ଭୂଷଣ ନନ୍ଦ, କୌଶିକ ନାଥ, ଡ. ସନ୍ତୋଷ କୁମାର ରଥ, ଡ. ସନ୍ତୋଷ କୁମାର ତି୍ରପାଠୀ, ଡ. ଭାଗ୍ୟଲିପି ମଲ୍ଲ, ଡ. ଭାରତୀ ପାଲ୍‌, ଶ୍ରୀ ଅରୁଣ କୁମାର ନାୟକ, ବିଭାସ କୁମାର, ଶ୍ରୀ ଅଜିତ କୁମାର ନାୟକ ପ୍ରମୁଖ ତାଲିମ ପ୍ରଦାନ କରିଥିଲେ।

ଏଥି ସହ ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ପାତ୍ର ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରୀ ଉଦ୍‌ଘାଟନ କରିବା ସହ ଓଡ଼ିଶାରେ ମହାତ୍ମା ଗାନ୍ଧୀଙ୍କ ପଦଚିହ୍ନ ଉଭୟ ଓଡ଼ିଆ ଓ ଇଂରାଜୀ କଫି ଟେବୁଲ୍‌ ବୁକ୍‌, ଆନନ୍ଦ ଭବନ ସଂଗ୍ରହାଳୟର ଭର୍ଚୁଆଲ୍‌ ୱାକ୍‌ ଥ୍ରୁ ଏବଂ ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମ ସ୍ୱତନ୍ତ୍ର ଓଡ଼ିଶା ହିଷ୍ଟୋରିକାଲ୍‌ ରିସର୍ଚ୍ଚ ଜର୍ଣ୍ଣାଲ୍‌ ବିଶେଷାଙ୍କ ଉନ୍ମୋଚନ କରିଛନ୍ତି।

ଏହି ସମସ୍ତ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ଦାଶ, ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଆଜାଦ୍‌ ହିନ୍ଦ ଫୌଜ ପ୍ରତିଷ୍ଠା ଦିବସରେ ପ୍ରଥମ ଥର ପାଇଁ ପ୍ରଦର୍ଶିତ ହେଲା ନେତାଜୀଙ୍କ ପୋଷ୍ଟର, ପ୍ରଚାର ପତ୍ର

ଭୁବନେଶ୍ୱର: ଆଜି ଓଡ଼ିଶା ରାଜ୍ୟ ସଂଗ୍ରହାଳୟଠାରେ ଆଜାଦ୍‌ ହିନ୍ଦ୍‌ ଫୌଜ ପ୍ରତିଷ୍ଠା ଦିବସ ଅବସରରେ ଭାରତୀୟ ଜାତୀୟ ସେନାର ପ୍ରଚାର ପତ୍ର ଓ ପୋଷ୍ଟର ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ଏହାକୁ ଆନୁଷ୍ଠାନିକ ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ଡ. ସୁରେଶ ଚନ୍ଦ୍ର ଦଳାଇ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଛନ୍ତି ।

ବ୍ରିଟିସ ସେନାରେ ଥିବା ଭାରତୀୟ ଜବାନ୍‌ମାନଙ୍କୁ ବ୍ରିଟିସ ସେନା ଛାଡ଼ି ଆଜାଦ୍‌ ହିନ୍ଦ୍‌ ଫୌଜରେ ଯୋଗଦେଇ ଭାରତ-ଜାପାନ୍‌କୁ ସହାୟତା କରିବା ଉପରେ ପ୍ରବର୍ତ୍ତାଇବା ନିମନ୍ତେ ଉଦ୍ଦିଷ୍ଟ ପୋଷ୍ଟର, ପାମ୍ପ୍ଲେଟ୍‌ମାନ ଉଡ଼ାଜାହାଜ ଜରିଆରେ ବ୍ରିଟିସ କ୍ୟାମ୍ପଗୁଡ଼ିକ ଉପରେ ପକାଯାଉଥିଲା । ଏହା ଥିଲା ନେତାଜୀଙ୍କ ମନସ୍ତାତ୍ତ୍ୱିକ ଲଢ଼େଇର ଅଂଶବିଶେଷ ବୋଲି ଗବେଷକମାନେ ଆଖ୍ୟା ଦେଇଛନ୍ତି । ଏ ଧରଣର ପୋଷ୍ଟର ପ୍ରଦର୍ଶନୀ ଦେଶରେ ପ୍ରଥମ ହୋଇଥିବାବେଳେ ଏହା ଛାତ୍ର, ଶିକ୍ଷକ, ଗବେଷକଙ୍କ ନିମନ୍ତେ ଅନେକ ତଥ୍ୟ ଯୋଗାଇପାରିବ ।

ଏହି ଅବସରରେ ଆୟୋଜିତ ଏକ ସଂକ୍ଷିପ୍ତ ବୈଠକରେ ଶାସନ ସଚିବ ଡ. ଦଳାଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଏକ ବିରଳତମ ବ୍ୟକ୍ତିତ୍ୱ ଭାବେ ବର୍ଣ୍ଣନା କରି ତାଙ୍କର ‘ରକ୍ତ ଦିଅ ମୁଁ ସ୍ୱାଧୀନତା ଦେବି’ ଉକ୍ତିକୁ ଯଦି ଆମେ ସମସ୍ତେ ଉପଲବ୍ଧି କରିଥାନ୍ତେ ତେବେ ଭାରତର ଇତିହାସ ଅନ୍ୟ ପ୍ରକାର ରୂପ ନେଇଥାନ୍ତା ବୋଲି କହିଥିଲେ ।

ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱ, ଦେଶଭକ୍ତି, ସାହସ ଓ ପରାକ୍ରମ ବିଷୟରେ ସୂଚନା ପ୍ରଦାନ କରି ସ୍ୱାଧୀନତା ଆନ୍ଦୋଳନରେ ତାଙ୍କର ବ୍ୟକ୍ତିତ୍ୱ ଥିଲା ନିଆରା ବୋଲି ଅବତାରଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରୁ ବିଶିଷ୍ଟ ସଂଗ୍ରାହକ ତଥା ଇତିହାସ ଗବେଷକ ଶ୍ରୀ ଅନୀଲ ଧୀର ମଣିପୁରରେ ନେତାଜୀଙ୍କ ଅନେକ ସ୍ମୃତି ଓ ସ୍ମାରକ ଭାରତୀୟ ଜାତୀୟ ସେନାର ଜଣେ ସେନାନୀ ପାଖରେ ବ୍ୟକ୍ତିଗତ ଜିମାରେ ରହିଥିବା ଦର୍ଶାଇ କିଛି ସ୍ମାରକକୁ ଓଡ଼ିଶା ଅଣାଯିବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ହେବାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏପରିକି ଆଜାଦ୍‌ ହିନ୍ଦ୍‌ ଫୌଜର ଜାତୀୟ ପତାକା ସେଠାରେ ଥିବା ଜଣାପଡ଼ିଛି । ତାକୁ କଟକସ୍ଥିତ ନେତାଜୀ ସଂଗ୍ରହାଳୟକୁ ଅଣାଯିବା ଏକ ସମ୍ମାନଜନକ ପଦକ୍ଷେପ ହେବ ବୋଲି କହିଥିଲେ ।

ଆଜିର ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲ ପରିଚାଳନା କରି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ପ୍ରଦର୍ଶନୀରେ ୫୦ରୁ ଅଧିକ ବିରଳ ପୋଷ୍ଟର ରହିଛି ଏବଂ ଏହା ସାତଦିନ ଯାଏଁ ଦର୍ଶକଙ୍କ ନିମନ୍ତେ ପ୍ରଦର୍ଶିତ ହେବ ବୋଲି ଜଣାପଡ଼ିଛି । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହରେକୃଷ୍ଣ ମହତାବ୍‌ ରାଜ୍ୟ ପାଠାଗାରର ଉପନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମୀଧର ବେହେରା, ଶୁଚୀସ୍ମିତା ମନ୍ତ୍ରୀ ପ୍ରମୁଖ ଯୋଗଦେଇଥିଲେ ।

ପ୍ରାରମ୍ଭରେ ଓଡ଼ିଶା ସଂଗୀତ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ନେତାଜୀଙ୍କ ରାଷ୍ଟ୍ରୀୟ ଗାନ ‘କଦମ୍‌ କଦମ୍‌ ବଢ଼ାୟେ ଚାଲ’ ପରିବେଷଣ ସହ ଆଜାଦ୍‌ ହିନ୍ଦ୍‌ ଫୌଜର ଜାତୀୟ ସଂଗୀତ ଗାନ କରାଯାଇଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ପାଳନ ହେଲା ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟଠାରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଏକ ଶହ ବର୍ଷ ପୂର୍ତ୍ତି ଉତ୍ସବ ସମାରୋହପୂର୍ବକ ପାଳିତ ହୋଇଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ଡ. ସୁରେଶ ଚନ୍ଦ୍ର ଦଳାଇ ଏହି ସମାରୋହକୁ ଆନୁଷ୍ଠାନିକ ଭାବେ ଗାନ୍ଧିଜୀଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ କରି ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ଆୟୋଜିତ ଏକ ସଂକ୍ଷିପ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ରଂଜନ କୁମାର ଦାସ ଗାନ୍ଧିଜୀଙ୍କ ବିଚାରଧାରାକୁ ଆମକୁ ଗଭୀରତାର ସହ ହୃଦୟଙ୍ଗମ କରି ତାକୁ କାର୍ଯ୍ୟରେ ଲଗାଇଲେ ତାହା ତାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ ।

ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦକ ଡ. ଲେନିନ୍‌ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗାନ୍ଧିଜୀଙ୍କ ସଂପର୍କରେ ଉଲ୍ଲେଖ କରି କହିଲେ ଯେ ସେ ଭାରତବର୍ଷର ଏପରି ମହାପୁରୁଷ ଯାହାଙ୍କ ପି୍ରୟଭଜନ ଶ୍ରବଣ ମାତ୍ରେ ଦେହରେ ଦେଶପ୍ରୀତିର ଶିହରଣ ଜାଗୃତ ହୁଏ । ସଭା ପରେ ଡ. ଗୌରାଙ୍ଗ ଚରଣ ଦାସଙ୍କ ନେତୃତ୍ୱରେ ପାଲଲହଡ଼ାର ପ୍ରସିଦ୍ଧ ରାବଣଛାୟା ଲୋକକଳା ମାଧ୍ୟମରେ ‘ଅନୁଗୋଳରେ ଗାନ୍ଧିଜୀ’ ଶୀର୍ଷକ ଏକ ଛାୟା ନାଟକ ପ୍ରଦର୍ଶନ କରାଯାଇଥିଲା । ପ୍ରାଧ୍ୟାପକ ଡ. ଗୌରାଙ୍ଗ ଚରଣ ଦାସଙ୍କୁ ସଚିବ ଅରଟ ପ୍ରତିକୃତି ସ୍ମୃତିଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

ଗାଳ୍ପିକା ପ୍ରାଚୀତାରାଙ୍କ ଦ୍ୱାରା ପ୍ରସ୍ତୁତ ଏବଂ ଦାଶ ବେନ୍‌ହୁରଙ୍କ ଦ୍ୱାରା ଲିଖିତ ‘ତୁମେ କହିଥିଲ ବାପୁ’ ଗଳ୍ପର ସିଡ଼ିକୁ ଅତିଥିମାନଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଅନାବରଣ କରି ୮ଟି ଗଳ୍ପରୁ ଗୋଟିଏ ଗଳ୍ପର ଭିଡ଼ିଓ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଉପସ୍ଥିତ ସମସ୍ତେ ରାମ୍‌ଧୁନ୍‌ ଗାନ କରିଥିଲେ । ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲ ସ୍ୱାଗତ ଭାଷଣ ଦେଇଥିବାବେଳେ ଶ୍ରୀମତୀ ଶୁୁଚିସ୍ମିତା ମନ୍ତ୍ରୀ ଓ ଡ. ଭାରତୀ ପାଲ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର ବ୍ୟକ୍ତିତ୍ୱ ସଂସ୍କୃତି

କରୋନାରେ ଚାଲିଗଲେ ରାଜ୍ୟ ସଂଗ୍ରହାଳୟର ପୂର୍ବତନ ଅଧିକ୍ଷକ ଡ. ଚନ୍ଦ୍ରଭାନୁ ପଟେଲ

ଭୁବନେଶ୍ବର, କରୋନାରେ ଜୀବନ ହାରିଛନ୍ତି ରାଜ୍ୟ ସଂଗ୍ରହାଳୟର ପୂର୍ବତନ ଅଧିକ୍ଷକ ଡ. ଚନ୍ଦ୍ରଭାନୁ ପଟେଲ। ସେ କିଛିଦନ ତଳେ କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ତାଙ୍କର ଅବସ୍ଥା ଗୁରୁତର ହୋଇପଡିଥିଲା। ଫଳରେ ଗତକାଲି ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ 69 ବର୍ଷ ବୟସ ହୋଇଥିଲା।

ସମ୍ବଲପୁରରେ ଜନ୍ମିତ ଡ. ଚନ୍ଦ୍ରଭାନୁ ଦୀର୍ଘ ବର୍ଷ ଧରି ରାଜ୍ୟ ସଂଗ୍ରହାଳୟର ଅଧିକ୍ଷକ ଭାବେ କାର୍ଯ୍ୟ କରିଥିଲେ। ତାଙ୍କରି ସମୟରେ ଓଡିଶାରେ ଏକ ସଂଗ୍ରହାଳୟ ଆନ୍ଦୋଳନ ସୃଷ୍ଟି ହୋଇ ପାରିଥିଲା। ସେ ପ୍ରାଚୀନ ବସ୍ତୁକୁ କିପରି ଲୋକପ୍ରିୟ କରାଯାଇପାରିବ ସେଥିରେ ସେ କାର୍ଯ୍ୟ କରିଥିଲେ। ଏଥିସହିତ ମ୍ୟୁଜିୟମରେ ଥିବା ପ୍ରାଚୀନ ପୋଥୀଙ୍କୁ ଡିଜିଟାଇଜେସନ କରିବାରେ ତାଙ୍କର ଭୂମିକା ବେଶ୍ ଥିଲା।

ଡ.ପଟେଲଙ୍କ ସମୟରେ ରାଜ୍ୟ ସଂଗ୍ରହାଳୟରେ କେତେକ ନୂଆ ଗ୍ୟାଲେରୀ ଖୋଲା ଯାଇଥିଲା। ଏଥି ସହିତ ସେ ସଂଗ୍ରହାଳୟ ବାହାରକୁ ସୌନ୍ଦର୍ଯ୍ୟକରଣ କରି ସ୍ଥାପତ୍ୟ ପାର୍କ ମଧ୍ୟ ପ୍ରତିଷ୍ଠା କରିଥିଲେ। ସଂଗ୍ରହାଳୟ ସହିତ ସେ ରାଜ୍ୟ ପ୍ରତ୍ନତତ୍ବ ବିଭାଗର ଅଧିକ୍ଷକ ଭାବେ ଅତିରିକ୍ତ ଦାୟିତ୍ବରେ ମଧ୍ୟ ଥିଲେ। ତାଙ୍କରି ସମୟରେ ଜୟଦେବ ଏବଂ ବୁଦ୍ଧଙ୍କ ଜନ୍ମକୁ ନେଇ ବିଭିନ୍ନ ସ୍ଥାନରେ ଖନନ କାର୍ଯ୍ୟ କରାଯାଇଥିଲା।