କରୋନାରେ ଚାଲିଗଲେ ରାଜ୍ୟ ସଂଗ୍ରହାଳୟର ପୂର୍ବତନ ଅଧିକ୍ଷକ ଡ. ଚନ୍ଦ୍ରଭାନୁ ପଟେଲ

Published: Oct 8, 2020, 12:12 pm IST

ଭୁବନେଶ୍ବର, କରୋନାରେ ଜୀବନ ହାରିଛନ୍ତି ରାଜ୍ୟ ସଂଗ୍ରହାଳୟର ପୂର୍ବତନ ଅଧିକ୍ଷକ ଡ. ଚନ୍ଦ୍ରଭାନୁ ପଟେଲ। ସେ କିଛିଦନ ତଳେ କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ତାଙ୍କର ଅବସ୍ଥା ଗୁରୁତର ହୋଇପଡିଥିଲା। ଫଳରେ ଗତକାଲି ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ 69 ବର୍ଷ ବୟସ ହୋଇଥିଲା।

ସମ୍ବଲପୁରରେ ଜନ୍ମିତ ଡ. ଚନ୍ଦ୍ରଭାନୁ ଦୀର୍ଘ ବର୍ଷ ଧରି ରାଜ୍ୟ ସଂଗ୍ରହାଳୟର ଅଧିକ୍ଷକ ଭାବେ କାର୍ଯ୍ୟ କରିଥିଲେ। ତାଙ୍କରି ସମୟରେ ଓଡିଶାରେ ଏକ ସଂଗ୍ରହାଳୟ ଆନ୍ଦୋଳନ ସୃଷ୍ଟି ହୋଇ ପାରିଥିଲା। ସେ ପ୍ରାଚୀନ ବସ୍ତୁକୁ କିପରି ଲୋକପ୍ରିୟ କରାଯାଇପାରିବ ସେଥିରେ ସେ କାର୍ଯ୍ୟ କରିଥିଲେ। ଏଥିସହିତ ମ୍ୟୁଜିୟମରେ ଥିବା ପ୍ରାଚୀନ ପୋଥୀଙ୍କୁ ଡିଜିଟାଇଜେସନ କରିବାରେ ତାଙ୍କର ଭୂମିକା ବେଶ୍ ଥିଲା।

ଡ.ପଟେଲଙ୍କ ସମୟରେ ରାଜ୍ୟ ସଂଗ୍ରହାଳୟରେ କେତେକ ନୂଆ ଗ୍ୟାଲେରୀ ଖୋଲା ଯାଇଥିଲା। ଏଥି ସହିତ ସେ ସଂଗ୍ରହାଳୟ ବାହାରକୁ ସୌନ୍ଦର୍ଯ୍ୟକରଣ କରି ସ୍ଥାପତ୍ୟ ପାର୍କ ମଧ୍ୟ ପ୍ରତିଷ୍ଠା କରିଥିଲେ। ସଂଗ୍ରହାଳୟ ସହିତ ସେ ରାଜ୍ୟ ପ୍ରତ୍ନତତ୍ବ ବିଭାଗର ଅଧିକ୍ଷକ ଭାବେ ଅତିରିକ୍ତ ଦାୟିତ୍ବରେ ମଧ୍ୟ ଥିଲେ। ତାଙ୍କରି ସମୟରେ ଜୟଦେବ ଏବଂ ବୁଦ୍ଧଙ୍କ ଜନ୍ମକୁ ନେଇ ବିଭିନ୍ନ ସ୍ଥାନରେ ଖନନ କାର୍ଯ୍ୟ କରାଯାଇଥିଲା।

Related posts