Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ମହାତ୍ମା ଗାନ୍ଧୀ ଗ୍ୟାଲେରୀ ଉନ୍ମୋଚିତ

ଭୁବନେଶ୍ୱର: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ମହାତ୍ମା ଗାନ୍ଧୀ ଗ୍ୟାଲେରୀ ଉନ୍ମୋଚିତ ହୋଇଛି। ଏହି ଗ୍ୟାଲେରୀରେ ଗାନ୍ଧିଜୀଙ୍କ ଓଡ଼ିଶା ଗସ୍ତର ଆଠଟି ମ୍ୟìରାଲ୍‌ ପେଣ୍ଟିଂ ରହିଛି। ମହାତ୍ମା ଗାନ୍ଧୀ କେତେ ଥର ଓଡ଼ିଶା ଆସିଥିଲେ, କେଉଁଠିକୁ ଆସିଥିଲେ, କ’ଣ କହିଥିଲେ ସେ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି।

ଗ୍ୟାଲେରୀର ମୁଖ୍ୟ ଦ୍ୱାରରେ ସାବରମତୀ ଆଶ୍ରମ ଏବଂ ଅରଟ ରଖାଯାଇଛି। କାଦୁଆ ଆଶ୍ରମର ଅବିକଳ ନକଲ କରାଯାଇ ଅରଟ ଓ ଗାନ୍ଧିଜୀଙ୍କର ପ୍ରତିମୂର୍ତ୍ତି ରଖାଯାଇଅଛି। ଗାନ୍ଧିଜୀଙ୍କର ବିଭିନ୍ନ ହିତବାଣୀ ଏବଂ ବିଭିନ୍ନ ସ୍ଥାନରେ ସେ ଦେଇଥିବା ଅଭିଭାଷଣ ଓ ଜନତାଙ୍କ ସହ ବାର୍ତ୍ତାଳାପ ସଂପର୍କିତ ପେପର କଟିଂ ମଧ୍ୟ ଏହି ଗ୍ୟାଲେରୀରେ ସ୍ଥାନ ପାଇଅଛି। ଏହି ଅବସରରେ ସଂଗ୍ରହାଳୟ ଉଦ୍ୟାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା।

ଆଜିର କାର୍ଯ୍ୟକ୍ରମରେ ସଂଗ୍ରହାଳୟର ନିର୍ଦ୍ଦେଶକ ଶ୍ରୀ ଅନୁଜ ଦାସ ପଟ୍ଟନାୟକ ଅତିଥି ଭାବେ ଯୋଗଦାନ କରିଥିଲେ। ଏହି ଗ୍ୟାଲେରୀର ସର୍ବାଙ୍ଗ ସୌନ୍ଦର୍ଯ୍ୟକରଣ, ପ୍ରତ୍ୟେକ ମ୍ୟìରାଲ୍‌, ତୈଳଚିତ୍ର ତଥା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିକୁ ଅନୁଧ୍ୟାନ କରିବା ପାଇଁ ଏକ କମିଟି ଗଠନ କରାଯାଇଥିଲା। ସେମାନେ ହେଲେ ବିଶିଷ୍ଟ ଗାନ୍ଧିବାଦୀ ପ୍ରହ୍ଲାଦ କୁମାର ସିଂହ, ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ, ଡ. ରାମହରି ଜେନା, ଡ. ସଂଗ୍ରାମ ଜେନା।

ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କର ସହଯୋଗ ଓ ପଥପ୍ରଦର୍ଶନରେ ମହାତ୍ମା ଗାନ୍ଧୀ ଗ୍ୟାଲେରୀ ଆଜି ଲୋକାର୍ପିତ ହେବାକୁ ସକ୍ଷମ ହୋଇପାରିଛି। ଏହି ଗ୍ୟାଲେରୀକୁ ଆଜି ବିଦ୍ୟାଳୟ ପିଲାମାନେ ବୁଲି ଦେଖିବା ସହ ଗାନ୍ଧିଜୀଙ୍କ ବିଷୟରେ ଜାଣି ଖୁସିବ୍ୟକ୍ତ କରିଥିଲେ।

ସଂଗ୍ରହାଳୟର ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ କ୍ୟୁରେଟର ଡ. ଭାରତୀ ପାଲ୍‌ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଓଡ଼ିଶା ରାଜ୍ୟ ସଂଗ୍ରହାଳୟକୁ ବିଶ୍ୱସ୍ତରୀୟ କରିବାକୁ ପ୍ରୟାସ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ୯୦ ବର୍ଷ ପୂର୍ତ୍ତି ଉତ୍ସବ ଆଜି ଅପରାହ୍ନରେ
ସଂଗ୍ରହାଳୟରେ ଅନୁଷ୍ଠିତ ହୋଇଯାଇଛି l ଉତ୍ସବରେ ଉଦ୍ଘାଟକ ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଯୋଗଦେଇ ଉଦଘାଟନ କରିଥିଲେ। ଓଡ଼ିଶା ରାଜ୍ୟ ସଂଗ୍ରହାଳୟକୁ କିପରି ଭାବରେ ବିଶ୍ଵସ୍ତରୀୟ ସଂଗ୍ରହାଳୟରେ ପରିଣତ କରାଯାଇପାରିବ, ସେ ସମ୍ବନ୍ଧରେ ଅତିରିକ୍ତ ମୁଖ୍ୟଶାସନ ସଚିବ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜାତୀୟ ସ୍ମାରକୀ ପ୍ରାଧିକରଣର ଅଧ୍ୟକ୍ଷ ପ୍ରଫେସର କିଶୋର କୁମାର ବାସା ଯୋଗଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ ଯୋଗଦେଇ ରାଜ୍ୟ ସଂଗ୍ରହାଳୟର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମ୍ବନ୍ଧରେ ତଥ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡିଶା ରାଜ୍ୟ ସଂଗ୍ରହାଳୟର ଅଧିକ୍ଷକ ଭାଗ୍ୟଲିପି ମଲ୍ଲ ଉପସ୍ଥିତ ଥିଲେ।

ଏହି ଉପଲକ୍ଷେ ସଂଗ୍ରହାଳୟରେ ଟେରାକୋଟା ପ୍ରଦର୍ଶନୀ ” ସଂସ୍କୃତି ଯାତ୍ରା ” ଉଦଘାଟିତ ହୋଇଥିଲା ଏବଂ ବରିଷ୍ଠ ନାଗରିକ ବିଶ୍ରାମ କକ୍ଷ ଲୋକାର୍ପିତ ହୋଇଥିଲା। ଆହୁରି ମଧ୍ୟ ଓଡିଶା ଐତିହ୍ୟ ଜର୍ଣ୍ଣାଲ ଓ ପ୍ରତ୍ନତତ୍ତ୍ୱ କାଟଲଗ ଏବଂ ପାଇକ ବିଦ୍ରୋହର ଇଂରାଜୀ ଭାଷାନ୍ତର ଉନ୍ମୋଚିତ ହୋଇଥିଲା। ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗଞ୍ଜାମର ପୁରାତନ ନାଟକ “ପ୍ରହଲ୍ଲାଦ ” ପରିବେଷିତ ହୋଇଥିଲା।

ଏହି ଅବସରରେ ଏଠାରେ ଦଶ ଜଣ ଜାତୀୟ ସ୍ତରର ଚିତ୍ରଶିଳ୍ପୀଙ୍କୁ ନେଇ ଏକ ଚିତ୍ରକଳା ଶିବିର ଆୟୋଜିତ ହୋଇଥିଲା। ୯୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ରାଜ୍ୟ ସଂଗ୍ରହାଳୟକୁ ପ୍ରବେଶ ଦେୟମୁକ୍ତ ଥିବାରୁ ଏଠାକୁ ପ୍ରାୟ ଦଶ ହଜାରରୁ ଊର୍ଦ୍ଧ୍ଵ ଦର୍ଶକ ପରିଭ୍ରମଣ କରି ବିଭିନ୍ନ ଗ୍ୟାଲେରୀ ବୁଲି ଦେଖିଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟକ୍ତିତ୍ୱ ସଂସ୍କୃତି

କରୋନାରେ ଚାଲିଗଲେ ରାଜ୍ୟ ସଂଗ୍ରହାଳୟର ପୂର୍ବତନ ଅଧିକ୍ଷକ ଡ. ଚନ୍ଦ୍ରଭାନୁ ପଟେଲ

ଭୁବନେଶ୍ବର, କରୋନାରେ ଜୀବନ ହାରିଛନ୍ତି ରାଜ୍ୟ ସଂଗ୍ରହାଳୟର ପୂର୍ବତନ ଅଧିକ୍ଷକ ଡ. ଚନ୍ଦ୍ରଭାନୁ ପଟେଲ। ସେ କିଛିଦନ ତଳେ କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ତାଙ୍କର ଅବସ୍ଥା ଗୁରୁତର ହୋଇପଡିଥିଲା। ଫଳରେ ଗତକାଲି ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ 69 ବର୍ଷ ବୟସ ହୋଇଥିଲା।

ସମ୍ବଲପୁରରେ ଜନ୍ମିତ ଡ. ଚନ୍ଦ୍ରଭାନୁ ଦୀର୍ଘ ବର୍ଷ ଧରି ରାଜ୍ୟ ସଂଗ୍ରହାଳୟର ଅଧିକ୍ଷକ ଭାବେ କାର୍ଯ୍ୟ କରିଥିଲେ। ତାଙ୍କରି ସମୟରେ ଓଡିଶାରେ ଏକ ସଂଗ୍ରହାଳୟ ଆନ୍ଦୋଳନ ସୃଷ୍ଟି ହୋଇ ପାରିଥିଲା। ସେ ପ୍ରାଚୀନ ବସ୍ତୁକୁ କିପରି ଲୋକପ୍ରିୟ କରାଯାଇପାରିବ ସେଥିରେ ସେ କାର୍ଯ୍ୟ କରିଥିଲେ। ଏଥିସହିତ ମ୍ୟୁଜିୟମରେ ଥିବା ପ୍ରାଚୀନ ପୋଥୀଙ୍କୁ ଡିଜିଟାଇଜେସନ କରିବାରେ ତାଙ୍କର ଭୂମିକା ବେଶ୍ ଥିଲା।

ଡ.ପଟେଲଙ୍କ ସମୟରେ ରାଜ୍ୟ ସଂଗ୍ରହାଳୟରେ କେତେକ ନୂଆ ଗ୍ୟାଲେରୀ ଖୋଲା ଯାଇଥିଲା। ଏଥି ସହିତ ସେ ସଂଗ୍ରହାଳୟ ବାହାରକୁ ସୌନ୍ଦର୍ଯ୍ୟକରଣ କରି ସ୍ଥାପତ୍ୟ ପାର୍କ ମଧ୍ୟ ପ୍ରତିଷ୍ଠା କରିଥିଲେ। ସଂଗ୍ରହାଳୟ ସହିତ ସେ ରାଜ୍ୟ ପ୍ରତ୍ନତତ୍ବ ବିଭାଗର ଅଧିକ୍ଷକ ଭାବେ ଅତିରିକ୍ତ ଦାୟିତ୍ବରେ ମଧ୍ୟ ଥିଲେ। ତାଙ୍କରି ସମୟରେ ଜୟଦେବ ଏବଂ ବୁଦ୍ଧଙ୍କ ଜନ୍ମକୁ ନେଇ ବିଭିନ୍ନ ସ୍ଥାନରେ ଖନନ କାର୍ଯ୍ୟ କରାଯାଇଥିଲା।