Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରବୀନ୍ଦ୍ର ମଣ୍ଡପ ଠାରେ ଢେଙ୍କାନାଳ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: ଢେଙ୍କାନାଳ ସାଂସ୍କୃତିକ ପରିଷଦ, ଭୁବନେଶ୍ୱର ଆନୁକୂଲ୍ୟରେ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଢେଙ୍କାନାଳ ଉତ୍ସବ, ଭୁବନେଶ୍ୱର ଆଜି ସଂଧ୍ୟାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ।

ଏହି ପରିପ୍ରେକ୍ଷୀରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ଢେଙ୍କାନାଳ ଜିଲ୍ଲା କଳା,ସାହିତ୍ୟ, ସଂସ୍କୃତି ଓ ଐତିହ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ଓଡିଶାରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ବୋଲି କହିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ନାଲକୋର ନିର୍ଦ୍ଦେଶକ(କମର୍ସିଆଲ) ସଦାଶିବ ସାମନ୍ତରାୟ ଏବଂ ଢେଙ୍କାନାଳ ସାଂସ୍କୃତିକ ପରିଷଦର ଉପଦେଷ୍ଟା କୃଷ୍ଣଚନ୍ଦ୍ର ଆଇଚ୍ ପ୍ରମୁଖ ଯୋଗ ଦେଇଥିଲେ। ଢେଙ୍କାନାଳ ସାଂସ୍କୃତିକ ପରିଷଦର ସଭାପତି ଡଃ. ସୌରେନ୍ଦ୍ର କୁମାର ମହାପାତ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଂସ୍କୃତିକ ସମାରୋହରେ ଅନୁଷ୍ଠାନର ସଂପାଦକ ପ୍ରେମାନନ୍ଦ ବିଶ୍ୱାଳ ଉତ୍ସବ ଆୟୋଜନ ସଂପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସ୍ମରଣିକା ‘ଅନନ୍ୟ ଢେଙ୍କାନାଳ’ ଉନ୍ମୋଚିତ ହୋଇଥିଲା।

କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ପ୍ରଫେସର ଡ. ଆଦିତ୍ୟ ପ୍ରସାଦ ଦାଶ, ସାରସ୍ୱତ ସାଧକ ପଦ୍ମଶ୍ରୀ ପଣ୍ଡିତ ଡଃ. ଅନ୍ତର୍ଯ୍ୟାମୀ ମିଶ୍ର, ଚଳଚିତ୍ର ପ୍ରଯୋଜନ ଘନଶ୍ୟାମ ମହାପାତ୍ର, ଆରକ୍ଷୀ ଅଧିକାରୀ, ଆସିକା ପ୍ରଶାନ୍ତ ସାହୁ, ପରିବେଶବିତ୍ ଶୁଭ୍ରାଂଶୁ ସତପଥି , ସମାଜ ସେବିକା ଅଙ୍କିତା ସାହୁ ଏବଂ ସମାଜସେବୀ ଦଣ୍ଡଧର ପାଣିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଢେଙ୍କାନାଳ ଉତ୍ସବ ମାଧ୍ୟମରେ ଜିଲ୍ଲାର ସାଂସ୍କୃତିକ ଐତିହ୍ୟକୁ ଜିଲ୍ଲା ତଥା ରାଜ୍ୟରେ ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ପାଇଁ ଢେଙ୍କାନାଳ ଜିଲ୍ଲା ସାଂସ୍କୃତିକ ପରିଷଦର ସଂପାଦକ ପ୍ରେମାନନ୍ଦ ବିଶ୍ୱାଳଙ୍କୁ ‘ଢେଙ୍କାନାଳ ଗୌରବ ସମ୍ମାନ’ ରେ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ଗୁରୁ ଗୈରୀଶଙ୍କର ଦାଶଙ୍କ ନିର୍ଦ୍ଦେଶନାରେ ‘ଦେବାଂଶୀ ଏକାଡେମୀ’ର କଳାକାରମାନେ ଓଡିଶୀ ନୃତ୍ୟ ଓ ଆଦିବାସୀ ନୃତ୍ୟ , ଡଃ. ଜୟଶ୍ରୀ ଧଳ, ଡଃ. ମୋନାଲିସା ପାଳ, ସୌମ୍ୟ ମହାନ୍ତିଙ୍କ ଦ୍ୱାରା କଣ୍ଠ ସଂଗୀତ, ରୂପାଲୀ ପାଣି ଓ ଆୟୁଷ୍ମାନ ମହାପାତ୍ରଙ୍କ ଦ୍ୱାରା ଆଧୁନିକ ନୃତ୍ୟ , ନବଜୀବନ ନାଟ୍ୟ ଶାସ୍ତ୍ର ଅନୁଷ୍ଠାନ ଦ୍ୱାରା ସମ୍ବଲପୁରୀ ଲୋକନୃତ୍ୟ, ଖେମୁଣ୍ତି ଲୋକନାଟ୍ୟ ଏକାଡେମୀ,ଦିଗପହଣ୍ଡି ଦ୍ୱାରା ମାଣିକ (ମୁଖା ନୃତ୍ୟ), ଶିବ ପାର୍ବତୀ ଗୋଟିପୁଅ ନାଟ୍ୟ ପରିଷଦ, ସାକ୍ଷୀଗୋପାଳ ଦ୍ୱାରା ଗୋଟିପୁଅ ନୃତ୍ୟ ଆଦି ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବସନ୍ତ କୁମାର ପଟ୍ଟନାୟକ ହାସ୍ୟରସ ପରିବେଷଣ କରିଥିଲେ।

ଢେଙ୍କାନାଳ ସାଂସ୍କୃତିକ ପରିଷଦର କର୍ମକର୍ତ୍ତା ରୂଦ୍ର ପ୍ରସାଦ ମହାପାତ୍ରଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଅବନୀକାନ୍ତ ମିଶ୍ର ମଂଚ ପରିଚାଳନା କରିଥିଲେ। ସଂପ୍ରତି ବିଶେଷ କରି ଦ୍ୱେତ ନଗରୀ ଭୁବନେଶ୍ୱର-କଟକରେ ସ୍ଥାୟୀ ଭାବେ ରହୁଥିବା ଢେଙ୍କାନାଳ ଜିଲ୍ଲାର ଲୋକମାନଙ୍କ ମଧ୍ୟରେ ଜିଲ୍ଲାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଉଜ୍ଜୀବିତ କରିବା ନିମନ୍ତେ ଏହି ଏକ ଦିବସୀୟ ଉତ୍ସବ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ। ସାମନ୍ତ ଜ୍ୟୋତି ରଂଜନ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱକବି ରବୀନ୍ଦ୍ରନାଥଙ୍କୁ ଜନ୍ମଦିବସରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ୧୬୨ତମ ଜୟନ୍ତୀ ଅବସରରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପସ୍ଥିତ ତାଙ୍କ ପ୍ରତିମୂର୍ତ୍ତିିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଅଛି।

ବିଧାୟକ ପ୍ରଫୁଲ୍ଲ ସାମଲ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାଏ, ଅଧ୍ୟାପକ ଡ଼ଃ ରଙ୍ଗାଧର ସାହୁ, ରମେଶ ଚନ୍ଦ୍ର ପାତାଳସିଂହ, ଉଇ ଫର ଭୁବନେଶ୍ୱର ପକ୍ଷରୁ ନରେନ ସାହୁ, ସୁଶାନ୍ତ ସାହୁ, ଗୁରୁଚରଣ ସାହୁ, ସତ୍ୟବ୍ରତ ଜେନା, ଗିରିଜା ଶଙ୍କର ମହାପାତ୍ର ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ନିଜ ବକ୍ତବ୍ୟରେ ଅନୁବାଦ ସାହିତ୍ୟ ଦ୍ୱାରା ବିଭିନ୍ନ ଭାଷାରେ ରଚିତ ସାହିତ୍ୟକୃତି ବିଶ୍ୱପାଠକମାନଙ୍କ ନିକଟରେ ପହଁଚି ପାରିବ ବୋଲି ମତବ୍ୟକ୍ତ କରିଥିଲେ। ସେଥିପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥଙ୍କ ସହ ପ୍ରତିଷ୍ଠିତ ଲେଖକମାନଙ୍କ ରଚନାର ଅନୁବାଦ ହେବା ଆବଶ୍ୟକ ଯାହା ଦ୍ୱାରା ସାହିତ୍ୟ ପରିବ୍ୟାପ୍ତ ହେବ ବୋଲି ସେମାନେ ଉଲ୍ଲେଖ କରିଥିଲେ।

ନିର୍ଦ୍ଦେଶକ ଶ୍ରୀ ରାଉତରାଏ କହିଲେ ଯେ ଆଗାମୀ ଦିନରେ ସାହିତ୍ୟକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ଉଦ୍ୟମ ଆରମ୍ଭ ହେବ। ଓଡ଼ିଆ ପୁସ୍ତକକୁ ଅନ୍ୟ ଭାଷାରେ ଏବଂ ଅନ୍ୟ ପ୍ରସିଦ୍ଧ ପୁସ୍ତକକୁ ଓଡ଼ିଆ ଭାଷାରେ ଅନୁବାଦ କରିବାକୁ ବ୍ୟବସ୍ଥା କରାଯିବ। ସ୍ୱାଧୀନତା ପୂର୍ବର ଗଡ଼ଜାତ ଆନ୍ଦୋଳନ ନେତା ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଧର୍ମପନିୀ ବିଶିଷ୍ଟ ଲେଖିକା ଓ ଚିତ୍ରଶିଳ୍ପୀ ଫ୍ରିଡାଙ୍କ ମ୍ୟାରେଜ ଟୁ ଇଣ୍ଡିଆ ପୁସ୍ତକର ଓଡ଼ିଆ ଅନୁବାଦ କରାଯିବ। ଓଡ଼ିଆ ଭାଷା ପ୍ରତିଷ୍ଠାନ ଓ ଓଡିଶା ସାହିତ୍ୟ ଏକାଡେମୀର କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ବୋଲି ଶ୍ରୀ ରାଉତରାଏ ମତବ୍ୟକ୍ତ କରିଥିଲେ।

ଏହା ବ୍ୟତୀତ ଆଗାମୀ ଦିନରେ ବରପୁତ୍ରମାନଙ୍କ ସ୍ମୃତି ରକ୍ଷା ସହ ସେମାନଙ୍କ ଜୟନ୍ତୀ ଓ ଶ୍ରାଦ୍ଧୋତ୍ସବ ଜିଲ୍ଲାସ୍ତରରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱର ସହ ଦେଶ ଓ ବିଦେଶରେ ରହୁଥିବା ଓଡ଼ିଆମାନଙ୍କ ସହଯୋଗରେ ପାଳନ କରିବାକୁ ବ୍ୟବସ୍ଥା କରାଯାଇ ଓଡିଶାକୁ ପୂଜ୍ୟପୂଜା କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ଦେଶର ମଡେଲ ଭାବେ ସ୍ଥାନିତ କରାଯିବ। ଏଥିପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରା ଉକ୍ତ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

“ଗୀତରେ ଗୀତରେ ପ୍ରଶାନ୍ତ ପାଢ଼ୀ” ସଙ୍ଗୀତ କାର୍ଯ୍ୟକ୍ରମ ରେ ଦୁଲୁକିଲା ରବୀନ୍ଦ୍ର ମଣ୍ଡପ

ଭୁବନେଶ୍ଵର: ଓଡ଼ିଶାର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ତଥା ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀଙ୍କର ଏକ ସୁନ୍ଦର ସଙ୍ଗୀତ ସଂଧ୍ୟା ଯାହା ଏସ ଏସ ମିଡ଼ିଆ କ୍ରିଏସନ ପ୍ରସ୍ତୁତି “ଗୀତରେ ଗୀତରେ ପ୍ରଶାନ୍ତ ପାଢ଼ୀ” ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମରେ ପ୍ରଶାନ୍ତ ପାଢ଼ୀଙ୍କ ଅନେକ ଚଳଚ୍ଚିତ୍ର ମଧ୍ୟରୁ କିଛି ଗୀତ ପରିବେଷଣ କରାଯାଇ ନୂଆ ପିଢ଼ୀ କଣ୍ଠଶିଳ୍ପୀଙ୍କୁ ଆଗକୁ ନେବାର ଏହା ଏକ ପ୍ରଚେଷ୍ଟା।

ଦୀର୍ଘ ୩୮ ବର୍ଷ ଓଡ଼ିଆ ସଙ୍ଗୀତ କ୍ଷେତ୍ରରେ ବିତେଇଥିବା ପ୍ରଶାନ୍ତଙ୍କ ନିଆରା ଅନୁଭୂତିର ଏଇ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ। ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ଅର୍ଜନ କରିଥିବା କିଛି ବ୍ୟକ୍ତିତ୍ବଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା ଏହି କାର୍ଯ୍ୟକ୍ରମ ମାଧ୍ୟମରେ। ଚଳିତ ବର୍ଷ ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀ, ଦୀପ୍ତିମୟୀ ମହାନ୍ତି, ଜିଜ୍ଞାଶୀଷ ମହାପାତ୍ର, ଗଣେଶ ଜେନା, ଜିତୁ ମଙ୍ଗରାଜ ଏବଂ ଗୌରୀଶଙ୍କର ପଣ୍ଡା ଚଳିତ ବର୍ଷ ସମ୍ମାନିତ ହୋଇଛନ୍ତି।

ଏହି ସନ୍ଧ୍ୟାରେ କଣ୍ଠଶିଳ୍ପୀ ବିଭୁ କିଶୋର, ମାନସ ପ୍ରିତମ୍, କୁଲଦୀପ ପଟ୍ଟନାୟକ, ପ୍ରଦୀପ ପଲେଇ, ସ୍ଵସ୍ତିକ ପାଢ଼ୀ, ଲିପ୍ସା ମହାପାତ୍ର, ଅର୍ପିତା ଚୌଧୁରୀ, ରୋଜାଲିନ୍ ମିଶ୍ର, ପ୍ରତିଭା ପ୍ରଧାନ ତଥା ଦେବାଂଶୀ ଦାଶ ପ୍ରମୁଖ ପ୍ରଶାନ୍ତ ପାଢ଼ୀଙ୍କ ସଙ୍ଗୀତ ନିର୍ଦ୍ଦେଶନାର ଗୀତ ପରିବେଷଣ କରିଥିଲେ।

“ଗୀତରେ ଗୀତରେ” ସଙ୍ଗୀତ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ରଞ୍ଜନ ଦାସ ଏବଂ ଆପିଏସ ସତ୍ୟଜିତ ନାୟକ (ଡିଆଇଜି ଅଫ ପୋଲିସ), ମୁଖ୍ୟ ଅତିଥିଭାବେ ଓ ସମ୍ମାନୀତ ଅତିଥି ଭାବେ ସୈ।ଭାଗ୍ୟ ମିଶ୍ର,ପ୍ରଯୋଜକ ଲିଟୁ ମହାନ୍ତି ସମ୍ମାନୀତ ଅତିଥି ଭାଵେ ଯୋଗଦେଇଥିଲେ। “ଗୀତରେ ଗୀତରେ ପ୍ରଶାନ୍ତ ପାଢ଼ୀ” ନାମକ ଏକ ସ୍ମରଣିକା ଉନ୍ମୋଚନ ହୋଇଥିଲା।

ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଓଡ଼ିଶାର ଅତି ପରିଚିତା ଅଭିନେତ୍ରୀ ତଥା ଭଏସ ଓଭର ଆର୍ଟିଷ୍ଟ ରାକ୍ଷୀ ଦାଶ। ପ୍ରଚାର ପ୍ରସାର ଦାୟୀତ୍ୱ ରେ ଥିଲେ ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ

ଭୁବନେଶ୍ବର: ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଆଜି ସଂଧ୍ୟାରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର‌୍ୟ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଓଡିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢୀ ଯୋଗଦେଇ ପ୍ରଦୀପ ପ୍ରଜଜ୍ଜ୍ୱନ ପୂର୍ବକ ଉଦଘାଟନ କରିଥିଲେ। ଏହି ଉପଲକ୍ଷେ ପରିଷଦ ତରଫରୁ ଏକ ନାଟକ ‘ଏ ଦୁନିଆ ସ୍ୱାର୍ଥପର’ ଅନୁଷ୍ଠିତ ହୋଇଥିଲା। ଜୀବନ ଧର୍ମୀ କାହାଣୀ ସଂପର୍କିତ ଏହି ନାଟକକୁ ଗୋଲକ ମହାରଣା ରଚନା କରିଥିବା ବେଳେ ହରେନ୍ ସାହୁନିର୍ଦ୍ଦେଶନା ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ କହିଲେ ଯେ, ସଂସ୍କୃତି ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ବର୍ଷସାରା ସବୁବେଳେ ବିଭିନ୍ନ ସାଂସ୍କୃତିକ କାର‌୍ୟ୍ୟକ୍ରମ ନିମନ୍ତେ ସାଂସ୍କୃତିକ ଦଳ ପ୍ରେରଣ ଓ ଅନ୍ୟାନ୍ୟ ବିଭାଗୀୟ କାର‌୍ୟ୍ୟକ୍ରମରେ ବ୍ୟସ୍ତ ରହିଥାନ୍ତି। ତେବେ ଓଡିଆ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସେମାନେ ସମୟ ବାହାର କରି ସାଂସ୍କୃତିକ ପରିଷଦ ମାଧ୍ୟମରେ ନାଟକ ଆଦି ସାଂସ୍କୃତିକ କାର‌୍ୟ୍ୟକ୍ରମ ଆୟୋଜନ କରୁଥିବା ଅତ୍ୟନ୍ତ ଆନନ୍ଦର ବିଷୟ ।ବିଭିନ୍ନ ସାଂସ୍କୃତିକ କାର‌୍ୟ୍ୟକ୍ରମ ପାଇଁ ବିଭାଗର କାର‌୍ୟ୍ୟଧାରାକୁ ସହଜ କରିବା ପାଇଁ ସମସ୍ତ ସାସ୍କୃତିକ ଅନୁଷ୍ଠାନମାନଙ୍କୁ ସାଂସ୍କୃତିକ ଦଳ ପରିଚାଳନା ଅନ୍ ଲାଇନ୍ ବ୍ୟବସ୍ଥା ଆପଣେଇ ସ୍ୱତଃପ୍ରବୃତ ଭାବେ ପଂଜୀକରଣ କରିବାକୁ କହିଥିଲେ।

ସମ୍ମାନିତ ଅତିଥି ଭାବେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ରଂଜନ କୁମାର ଦାସ ଯୋଗଦେଇ ସାଂସ୍କତିକ ପରିଷଦର ସମସ୍ତ କର୍ମକର୍ତ୍ତାମାନଙ୍କୁ ଉତ୍ସାହିତ କରିବା ସହିତ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେଉଥିବା ପ୍ରତ୍ୟେକ ସାସ୍କୃତିକ କାର‌୍ୟ୍ୟକ୍ରମ ସଂସ୍କୃତିପ୍ରେମୀଙ୍କ ପାଇଁ ମନଛୁଆଁ ହେଉବୋଲି କହିଥିଲେ। କାର‌୍ୟ୍ୟକ୍ରମରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ମନସ୍ୱିନୀ ସାହୁ ଯୋଗଦେଇ ଆମର ଭାଷା ଓ ସାହିତ୍ୟ ଆମର ସଂସ୍କୃତି ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ ବୋଲି କହିଥିଲେ । ପରିଷଦର ସଭାପତି ଶ୍ରୀ ମାଥିୟାସ ତିର୍କୀ ୧୯୭୯ ମସିହାରୁ ସ୍ଥାପିତ ଏହି ସାଂସ୍କୃତିକ ପରିଷଦ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ପ୍ରୟାସ ଜାରି ରଖିଥିବା କହିଥିଲେ।

କାର‌୍ୟ୍ୟକ୍ରମର ପ୍ରାରମ୍ଭରେ ଚଳିତ ବର୍ଷ ବିଭାଗର କନିଷ୍ଠ ଯନ୍ତ୍ରୀ ଶ୍ରୀ ଶୁଭାଶିଷ ପୃଷ୍ଟିଙ୍କ ବିୟୋଗର ସ୍ମୃତିରେ ୧ ମିନିଟ୍ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା। ପରିଷଦ ତରଫରୁ ପ୍ରକାଶିତ ସ୍ମରଣିକା “ ସଂସ୍କୃତି ଦର୍ପଣ” ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।ସାସ୍କୃତିକ ପରିଷଦ ତରଫରୁ ବିଭାଗର ବିଭିନ୍ନଶାଖାର ମୁଖ୍ୟ ଓ ବରିଷ୍ଠ ପଦାଧିକାରୀ ଏବଂ ନାଟକରେ ଅଂଶଗ୍ରହଣ କରିଥିବା ସମସ୍ତ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଆୟୋଜିତ ପାରଂପରିକ ବେଶ ପ୍ରତିଯୋଗିତା, ମ୍ୟୁଜିକ୍ ଚେୟାର, ହୁଳହୁଳି ଓ ଶଙ୍ଖବାଦନ ଆଦି ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

ଗୁରୁ ପ୍ରଦୀପ କୁମାର ଓ ସାଥୀଙ୍କ ପରିଚାଳନାରେ “ବନ୍ଦେ ଉତ୍କଳ ଜନନୀ” ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା। ବିଶିଷ୍ଟ ଉପସ୍ଥାପକ ଡଃ.ମୃତ୍ୟୁଞ୍ଜୟ ରଥ କାର‌୍ୟ୍ୟକ୍ରମ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗର ସମସ୍ତ ବରିଷ୍ଠ ପଦାଧିକାରୀ ଏବଂପରିଷର ସଂପାଦକ ଶ୍ରୀ ମୃତ୍ୟୁଞ୍ଜୟ ଦଳବେହେରାଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନାଟ୍ୟପ୍ରେମୀଙ୍କ ପାଇଁ ଖୁସି ଖବର, ମାର୍ଚ୍ଚ ମାସ ସାରା ହେବ ନାଟକ ଉତ୍ସବ, ଜାଣନ୍ତୁ କେଉଁ ଦିନ କଣ

ଭୁବନେଶ୍ବର: କୋଭିଡ ପାଇଁ ଦୀର୍ଘ ଦୁଇ ବର୍ଷ ଧରି ସମସ୍ତ ପ୍ରେକ୍ଷାଳୟ ବନ୍ଦ ରହିଥିବାରୁ ସାଂସ୍କୃତିକ ଅନୁଷ୍ଠାନ ପାଇଁ ବହୁ କଷ୍ଟଦାୟକ ପରିସ୍ଥିତି ଥିଲା। ହେଲେ ବର୍ତ୍ତମାନ ସ୍ବାଭିବିକ ପରିସ୍ଥିତ ଆସିବାରୁ ରାଜ୍ୟର ପ୍ରେକ୍ଷାଳୟ ଗୁଡିକ ଖୋଲିବା ଆରମ୍ଭ କରିଛି। ଫଳରେ ଆସନ୍ତା ମାର୍ଚ୍ଚ ମାସ ସାରା ଓଡିଶାର ବିଭିନ୍ନ ସ୍ଥାନରେ ନାଟକ ଉତ୍ସବ ଆରମ୍ଭ ହେବାକୁ ଯାଉଛି। ଜାଣନ୍ତୁ କେଉଁଦିନ କେଉଁଠି ହେବ ଏହି ଉତ୍ସବ

ମାର୍ଚ୍ଚ ୧ରୁ ୮ ନୟାଗଡର ପଠାଣି ସାମନ୍ତ ଅଡିଟୋରିୟମ ଠାରେ ନାଟ୍ୟଧାରା ଦ୍ବାରା ରାଜ୍ୟ ସ୍ତରୀୟ ନାଟକ ଉତ୍ସବ।

ମାର୍ଚ୍ଚ ୧ ରୁ ୭ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ତରଫରୁ ରବୀନ୍ଦ୍ର ମଣ୍ଡପରେ ଆରମ୍ଭ ହେବାକୁ ଯାଉଛି ପୂର୍ବ ରଙ୍ଗ ଜାତୀୟ ନାଟ୍ୟ ଉତ୍ସବ।

ମାର୍ଚ୍ଚ ୯ ରୁ ୧୩ ରଙ୍ଗ ସଙ୍ଗମ ରାଜ୍ୟସ୍ତରୀୟ ନାଟ୍ୟ ଉତ୍ସବ

ମାର୍ଚ୍ଚ ୨୫ ରୁ ୨୭ ବିଶ୍ଵନାଟ୍ୟ ଦିବସ ଅବସରରେ ନାଟକ ଓ ଆଲୋଚନାଚକ୍ର

ମାର୍ଚ୍ଚ ୮ ଜୀବନରେଖା, ଭୁବନେଶ୍ୱର ର ନାଟକ “ଅଗରବତୀ”

ମାର୍ଚ୍ଚ ୨୦ ରୁ ୨୪ ରବୀନ୍ଦ୍ର ମଣ୍ଡପରେ ଶତତାଦ୍ଦୀର କଳାକାର, ଭୁବନେଶ୍ୱର ଦ୍ଵାରା ବହୁଭାଷୀ ଜାତୀୟ କଳିଙ୍ଗ ନାଟ୍ୟ ଉତ୍ସବ

ମାର୍ଚ୍ଚ ୮ ରୁ ୧୩ ବ୍ରହ୍ମପୁରର ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ ଜାତୀୟ ନାଟକ ଉତ୍ସବ। ଆୟୋଜକ ଓଡିଶା ନାଟକ ସମାରୋହ ସମିତି, ବ୍ରହ୍ମପୁର

ମାର୍ଚ୍ଚ ୧୩ ରୁ ୧୭ ପ୍ରକାଶମ ହଲ, ଗିରି ମାର୍କେଟ, ବ୍ରହ୍ମପୁର ଠାରେ ରାଜ୍ୟସ୍ତରୀୟ ନାଟକ ଉତ୍ସବ। ଆୟୋଜକ ଗଂଜାମ ଜିଲ୍ଲା ମଞ୍ଚ କଳାକାର ସମ୍ମିଳନୀ,ବ୍ରହ୍ମପୁର।

ମାର୍ଚ୍ଚ ୨୩ ରୁ ୨୮ ରାଉରକେଲା ର ସିଭିକ୍ ସେଣ୍ଟର ଠାରେ ଜାତୀୟ ନାଟକ ଉତ୍ସବ।ଆୟୋଜକ ସମ୍ପର୍କ,ରାଉରକେଲା

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ହେଲା ରାଜ୍ୟସ୍ତରୀୟ କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସଵ ଓ ପ୍ରତିଯୋଗିତା

ଭୁବନେଶ୍ୱର: କାର୍ତ୍ତିକ ପୂର୍ଣ୍ଣିମା ଆମ ଓଡିଶାର ପରମ୍ପରା ଓ ଧର୍ମୀୟ ଭାବନା ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଉତ୍କଳର ପ୍ରାଚୀନ ଗାରିମାମୟ ନୌବାଣିଜ୍ୟ ଇତିହାସ ଦୃଷ୍ଟିକୋଣରୁ ଏହାର ବୈଶିଷ୍ଟ୍ୟତା ରହିଛି। ଏହାକୁ ସାଧାରଣତଃ ଓଡ଼ିଶାର ପୁରପଲ୍ଲୀରେ ଧର୍ମ ମାସ ହିସାବରେ ବିବେଚନା କରାଯାଏ। ଏହି ପର୍ବ ସହିତ ଓଡ଼ିଶାର ନିଜସ୍ୱ ଚାଲି ଚଳଣୀ ଓ ପାରମ୍ପରିକ ଆଚାର ବିଚାର ଯୋଡି ହୋଇ ରହିଛି ଏହି ପରିପ୍ରେକ୍ଷୀରେ କାର୍ତ୍ତିକ ପୂର୍ଣ୍ଣିମା ସହ ଜଡିତ ପାରମ୍ପରିକ ସଂସ୍କୃତିର ପ୍ରଚାର ପ୍ରସାର ତଥା ଲୋକକଳାକୁ ରୁଦ୍ଧିମନ୍ତ କରିବା ପାଇଁ ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ୩୦ ଗୋଟି ଜିଲ୍ଲାରେ ଥିବା ଲୋକକଳା ଗ୍ରାମ ସହିତ ଭୁବନେଶ୍ୱର, ରବୀନ୍ଦ୍ର ମଣ୍ଡପରେ ରାଜ୍ୟସ୍ତରୀୟ ଝୋଟି ଚିତା, ହୁଳହୁଳି, ଡ଼ଙ୍ଗା ଭସାଣି, ଲକ୍ଷ୍ମୀ ପୁରାଣ ଓ ଭାଗବତ ପଠନ ଏବଂ ପିଠାପଣା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ରାଜ୍ୟସ୍ତରୀୟ ମହୋତ୍ସଵ ଓ ପ୍ରତିଯୋଗିତାରେ ମହିଳା ମାନେ ଅତି ଉତ୍ସାହର ସହ ଭାଗ ନେଇଥିଲେ। ଝୋଟି ଚିତାରେ ୧୭୩, ପିଠାପଣାରେ ୩୦, ଲକ୍ଷ୍ମୀପୁରାଣ ପଠନରେ ୧୬ ଓ ହୁଳହୁଳି ପ୍ରତିଯୋଗିତାରେ ୪୫ ଜଣ ମହିଳା ଭାଗ ନେଇଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ଭିନ୍ନକ୍ଷମ ଆୟୁକ୍ତ ସୁଲୋଚନା ଦାସ, ମହିଳା ଓ ଶିଶୁ ବିକାଶ ବିଭାଗ ପରାମର୍ଶଦାତା ସୁଲତା ଦେଓ, ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ସ୍ୱତନ୍ତ୍ର ସଚିବ ରାମକୃଷ୍ଣ ସାହୁ, ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ ଓ ରାଜ୍ୟ କଳାକାର ସଂଘ ଉପସଭାପତି ଅବନୀ ମିଶ୍ର ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ।

ନିଜ ବକ୍ତବ୍ୟରେ ନିର୍ଦ୍ଦେଶକ ଶ୍ରୀ ଦାସ ଓଡ଼ିଆ ପରମ୍ପରାକୁ ଜଜ୍ଜୀବିତ ରଖିବା ଲାଗି ରାଜ୍ୟ ସରକାର ନେଉଥିବା ବିଭିନ୍ନ ଯୁଗାନ୍ତକାରୀ ପଦକ୍ଷେପ ଲାଗି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଧୁବାଦ ଜଣାଇଥିଲେ। ଓଡ଼ିଆ ଜାତିର ପରିଚାୟକ ବିଭିନ୍ନ ପ୍ରତିଯୋଗିତାରେ ଅତି ଉତ୍ସାହର ସହ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀ ମା’ ଓ ଭଉଣୀ ମାନଙ୍କୁ ଭୁୟସୀ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ଆୟୋଜନ ହେବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଥିଲେ।

ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କଳାକ୍ଷେତ୍ର ସାଂସ୍କୃତିକ କେନ୍ଦ୍ର ଏବଂ ହେଲ୍ପମେଟ ମହିଳା ସଂଘଙ୍କ ସହଭାଗିତାରେ ଆୟୋଜନ କରାଯାଇଥିଲା। ପରିଶେଷରେ ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ ଧନ୍ୟବାଦ ଅର୍ପଣ କରିଥିଲେ।