Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟସ୍ତରୀୟ ଜନଜାତି କବି ସମ୍ମିଳନୀ: କବିତା ମାଧ୍ୟମରେ ଆଦିବାସୀ ଜୀବନ, ସଂସ୍କୃତି ଓ ପରମ୍ପରାର ପ୍ରତିଛବି

ଭୁବନେଶ୍ୱର: ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱରସ୍ଥିତ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ) ପକ୍ଷରୁ ଏକ ରାଜ୍ୟସ୍ତରୀୟ ଜନଜାତି କବି ସମ୍ମିଳନୀ ଆୟୋଜନ କରାଯାଇଛି। ବୁଧବାର ଦିନ ଏହାକୁ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଉଦଘାଟନ କରିଥିଲେ।

କବି ସମ୍ମିଳନୀର ପ୍ରଥମ ଦିନରେ ବିଭିନ୍ନ ଆଦିବାସୀ ସଂପ୍ରଦାୟର ୨୪ ଜଣ କବି ନିଜ ନିଜ ଭାଷାରେ କବିତା ପାଠ କରିଥିଲେ। ଏହି ଦୁଇଦିନିଆ ସମ୍ମିଳନୀରେ ବିନଝାଲ, ଦେଶିଆ, ଗଦବା, କୋୟା, କୁଇ, ଖଡ଼ିଆ, କୁଭି, ପରଜା, ସଉରା, ଲାଞ୍ଜିଆ ସଉରା, ଗଣ୍ଡ, ମୁଣ୍ଡା, ଭୂମିଜ, ଜୁଆଙ୍ଗ, ସାନ୍ତାଳୀ ଏବଂ ହୋ ଆଦି ସଂପ୍ରଦାୟର ୫୦ ଜଣ କବି ଭାଗ ନେଉଛନ୍ତି।
‘‘ଓଡ଼ିଶାରେ ବସବାସ କରୁଥିବା ଜନଜାତିଙ୍କର କଳା ଓ ସଂସ୍କୃତି ଅନନ୍ୟ। ସାହିତ୍ୟରେ ମଧ୍ୟ ଜନଜାତୀୟ କବି ଓ ଲେଖକମାନେ ସୁନାମ ଅର୍ଜନ କରିଛନ୍ତି। ଏଭଳି ଜନଜାତି କବି ସମ୍ମିଳନୀ ସ୍ଥାନୀୟ ସାହିତ୍ୟର ବିକାଶରେ ବିଶେଷ ସହାୟକ ହୋଇପାରିବ’’, କହିଛନ୍ତି ମନ୍ତ୍ରୀ ଜଗନ୍ନାଥ ସାରକା।

ଏଭଳି ଅଭିନବ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ସାହିତ୍ୟିକ ତଥା ‘ସରଗିଫୁଲ’ର ସମ୍ପାଦକ ଦାଶ ବେନହୁର। ସେ କହିଥିଲେ, ‘‘ଆଦିମ କାଳରେ ଜନଜାତି ସଂପ୍ରଦାୟର ଲୋକମାନେ ସାହିତ୍ୟ ରଚନା ଆରମ୍ଭ କରିଥିଲେ। ସେମାନେ ସବୁବେଳେ ପ୍ରକୃତି ସହ ଯୋଡ଼ିହୋଇ ରହୁଥିବାରୁ ସେମାନଙ୍କର କଳ୍ପନା ଶକ୍ତି ଅଧିକ ରହିଛି। ଏଥିପାଇଁ ବିଭିନ୍ନ ଜନଜାତୀୟ କବିତାରେ ଆଦିବାସୀ ସଂସ୍କୃତି, ପରମ୍ପରା ଏବଂ ପ୍ରକୃତି ଆଦି ବିଷୟ ଅତି ନିଖୁଣ ଭାବେ ବର୍ଣ୍ଣନା ହୋଇଥିବା ଦେଖିବାକୁ ମିଳେ। ତେଣୁ ବର୍ତ୍ତମାନ ସମୟରେ ଆଦିବାସୀ ସାହିତ୍ୟକୁ ଆହୁରି ଆଗକୁ ନେବାର ସମୟ ଆସିଛି।’’

ସମ୍ମିଳନୀରେ ଏସସିଏସଟିଆରଟିଆଇ ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀ ସମସ୍ତଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ, ଆଦିବାସୀ ଭାଷା ଓ ସାହିତ୍ୟର ବ୍ୟାପକ ପ୍ରସାର ଲାଗି ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମ ସିରିଜ୍ ଅବସରରେ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ଏଭଳି ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ଏସସିଏସଟିଆରଟିଆଇ ଓଏସଡି ସମରେନ୍ଦ୍ର ଭୁତିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ରଥ, ସହକାରୀ ନିର୍ଦ୍ଦେଶକ ମଧୁସ୍ମିତା ସାହୁ ଏବଂ ପ୍ରତିଷ୍ଠାନର ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ। ସମ୍ମିଳନୀରେ ଯୋଗ ଦେଇଥିବା ଜନଜାତି କବିମାନଙ୍କୁ ଆୟୋଜକଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ରାଜ୍ୟବ୍ୟାପୀ ବିପୁଳ ଜନସମର୍ଥନ

ଭୁବନେଶ୍ୱର: ନଭେମ୍ବର ୧୫ ତାରିଖ ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ସୋମବାର ଷଷ୍ଠ ଦିନରେ ପହଞ୍ଚିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ସଂକଳ୍ପ ଯାତ୍ରାର ସଚେତନତା ରଥକୁ ବିପୁଳ ସ୍ୱାଗତ କରାଯାଇଛି।

ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜିତ ହୋଇଯାଇଛି। ଜିଲ୍ଲାର ବୋରିଗୁମ୍ମା ବ୍ଲକ୍‌ ଶଶାହାଣ୍ଡି ପଞ୍ଚାୟତରେ ଆୟୋଜିତ ସଂକଳ୍ପ ଯାତ୍ରାରେ ବହୁ ସଂଖ୍ୟାରେ ହିତାଧିକାରୀ ସାମିଲ ହୋଇଥିଲେ। ସେମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ସହାୟତା ପାଉଥିବା ନେଇ ନିଜ ପ୍ରତିକ୍ରିୟାରେ କହିଥିଲେ। ଏଥିସହିତ ଯୋଜନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ନୂଆ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରେ ପଞ୍ଜୀକରଣ କରାଯାଇଥିଲା। ସ୍ଥାନୀୟ ଲୋକମାନେ ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେଇ ଶପଥ ପାଠ କରିଥିଲେ।

ଅନୁରୂପ ଭାବେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି ରହିଛି। ଯାତ୍ରାର ସଚେତନତା ରଥ ଜିଲ୍ଲାର କୋଣଅନୁକୋଣରେ ପରିକ୍ରମା କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିଛି। ଜିଲ୍ଲାର କୋରୁକୋଣ୍ଡା ବ୍ଲକ୍‌ ପୋଟ୍ରେଲ ଠାରେ ଆୟୋଜିତ ସଂକଳ୍ପ ଯାତ୍ରାରେ ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଜନ କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ସଂଗଠନୀକରଣ ଯୋଜନା, ପୋଷଣ ଅଭିଯାନ ଆଦି ସମ୍ପର୍କରେ ହିତାଧିକାରୀଙ୍କୁ ସଚେତନ କରାଯାଇଥିଲା। ଏହି ଅବସରରେ ଏକ ପୁଷ୍ଟିକର ଖାଦ୍ୟ ମେଳା ମଧ୍ୟ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ହିତାଧିକାରୀଙ୍କ ପଞ୍ଜୀକରଣ କରାଯାଇଥିଲା। ସେମାନେ ବିକଶିତ ଭାରତ ଗଠନ ପାଇଁ ଶପଥ ପାଠ କରିଥିଲେ।

ସେହିପରି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ରୋଡ୍‌ ଗ୍ରାମପଞ୍ଚାୟତ ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ସୂଚନା, ଶିକ୍ଷା ଓ ସଚେତନତା ବାହନକୁ ବିପୁଳ ସ୍ୱାଗତ କରାଯାଇଥିଲା। ପଞ୍ଚାୟତ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଏହି ଅବସରରେ ଆୟୋଜିତ ସ୍ୱାସ୍ଥ୍ୟ ଶିବିରରେ ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ଔଷଧ ମଧ୍ୟ ବିତରଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମହିଳାମାନଙ୍କୁ ସଚେତନତା ପୁସ୍ତିକା ମଧ୍ୟ ବିତରଣ କରାଯାଇଥିଲା। ସେହିପରି ଊଜ୍ଜ୍ୱଳା ଯୋଜନାର ହିତାଧିକାରୀମାନଙ୍କୁ ଗ୍ୟାସ୍‌ ବିତରଣ କରାଯାଇଥିଲା। କିଛି ହିତାଧିକାରୀ ଯୋଜନାର ଲାଭ ସମ୍ପର୍କରେ ନିଜ ପ୍ରତିକ୍ରିୟା ରଖିଥିଲେ।

ଅନ୍ୟପଟେ କେନ୍ଦୁଝର ଜିଲ୍ଲାର ବାଉରୀପଡ଼ା ଗ୍ରାମରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜନ କରାଯିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ହିତାଧିକାରୀଙ୍କୁ ସଚେତନ କରାଯାଇଛି। ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କ ପଞ୍ଜୀକରଣ ଏବଂ ସହାୟତା ମଧ୍ୟ ବିତରଣ କରାଯାଇଛି। ଅନ୍ୟପଟେ ଜିଲ୍ଲାର ଜନାର୍ଦ୍ଦନପୁର ଠାରେ ମଧ୍ୟ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ବିକଶିତ ଭାରତ ଗଠନ ପାଇଁ ଶପଥ ପାଠ କରାଯାଇଛି। ହିତାଧିକାରୀମାନେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସୁଫଳ ସମ୍ପର୍କରେ ପ୍ରତିକ୍ରିୟା ରଖିବା ସହିତ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ବହୁସଂଖ୍ୟାରେ ସାଧାରଣ ଲୋକ ଓ ସ୍କୁଲ କଲେଜ ଛାତ୍ରଛାତ୍ରୀ ଯୋଗ ଦେଇ ବିକଶିତ ଭାରତ ପାଇଁ ଶପଥ ପାଠ କରିଛନ୍ତି। ଏହି ଅବସରରେ ହିତାଧିକାରୀଙ୍କୁ ସଚେତନ କରାଯିବା ସହିତ ସେମାନଙ୍କୁ ସହାୟତା ମଧ୍ୟ ବିତରଣ କରାଯାଇଛି।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଶତପ୍ରତିଶତ ପ୍ରସାର ସୁନିଶ୍ଚିତ କରିବା ଲାଗି ଜାରି ରହିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ଆସନ୍ତା ୨୫ ଜାନୁଆରୀ ୨୦୨୪ରେ ସମାପନ ହେବ।

Categories
ଆଜିର ଖବର ରାଜ୍ୟ ଖବର

‘ଜନଜାତୀୟ ଗୌରବ ଦିବସ’ କାର୍ଯ୍ୟକ୍ରମ ଅବସରରେ ଏସସିଏସଟିଆରଟିଆଇ ପକ୍ଷରୁ ଜନଜାତି ଚିତ୍ରକଳା ଓ ପ୍ରଦର୍ଶନୀ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱରସ୍ଥିତ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ) ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ କରାଯାଉଛି। ଏହି ଅବସରରେ ଏସସିଏସଟିଆରଟିଆଇ ପରିସରରେ ଗୁରୁବାରଠାରୁ ଜନଜାତି ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ ଆରମ୍ଭ ହୋଇଛି। ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୨୫ ଜଣ ଯୁବ ଚିତ୍ରଶିଳ୍ପୀ ଭାଗନେଇ ସେମାନଙ୍କ ସର୍ଜନାତ୍ମକ ପ୍ରତିଭା ଦେଖାଉଛନ୍ତି।

ଏହି କର୍ମଶାଳା ଓ ପ୍ରଦର୍ଶନୀକୁ ଅନୁସୂଚିତ ଜନଜାତି, ଜାତି, ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ତଥା ପଛୁଆବର୍ଗ କଲ୍ୟାଣ ବିଭାଗର ସଚିବ ରୂପା ରୋଶନ ସାହୁ ଉଦଘାଟନ କରିଥିଲେ। ସେ କହିଥିଲେ, ‘‘ଜନଜାତି ଚିତ୍ରକଳାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ବର୍ତ୍ତମାନ ପିଢ଼ିର ଶିଳ୍ପୀମାନେ ଏହାକୁ ଅନ୍ତର୍ଜାତୀୟ ସ୍ତରରେ ବ୍ୟାପକ ଭାବେ ପ୍ରସାର କରୁଛନ୍ତି। ଜନଜାତି ଚିତ୍ରକଳାର ସଂରକ୍ଷଣ ଓ ଅଧିକ ପ୍ରସାର ନିମନ୍ତେ ଏହାକୁ ସ୍ୱତନ୍ତ୍ର ବିଷୟ ଭାବେ ପାଠ୍ୟକ୍ରମରେ ସାମିଲ କରିବା ପାଇଁ ଉଦ୍ୟମ କରାଯିବା ଦରକାର ଫଳରେ ଜନଜାତିଙ୍କ ଉପରେ ଗବେଷଣା ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହୋଇପାରିବ।’’ ଏହିଭଳି ପ୍ରଦର୍ଶନୀ ଓଡ଼ିଶାର ଜନଜାତୀୟ ଚିତ୍ରକଳାକୁ ବିଶ୍ୱ ସ୍ତରରେ ପହଞ୍ଚାଇ ପାରିବ ବୋଲି ସେ କହିଥିଲେ।

ଭୁବନେଶ୍ୱରସ୍ଥିତ ବି କେ କଲେଜ ଅଫ୍ ଆର୍ଟସ୍ ଆଣ୍ଡ କ୍ରାଫ୍ଟସ୍ ସହଭାଗିତାରେ ଏହି ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୨୫ ଜଣ ଶିଳ୍ପୀ ଭାଗନେଇ ଆକର୍ଷଣୀୟ ଚିତ୍ର ଆଙ୍କୁଛନ୍ତିା ଏଥିରେ ଜନଜାତିଙ୍କ ଜୀବନୀ, କଳା ଓ ସଂସ୍କୃତି ଆଦି ଉପରେ ନିଖୁଣ ଚିତ୍ର ଦେଖିବାକୁ ମିଳୁଛି।

ଏସସିଏସଟିଆରଟିଆଇ ତଥା ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ‘‘ଜନଜାତି ଚିତ୍ରକଳାକୁ ଅଧିକ ପ୍ରୋତ୍ସାହନ ଦେବା ଲାଗି ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ ତରଫରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଛି। ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ ମାଧ୍ୟମରେ ଓଡ଼ିଶାର ବିଭିନ୍ନ ଜନଜାତି ସଂପ୍ରଦାୟର ଜୀବନୀ, ସଂସ୍କୃତି ଓ ଐତିହ୍ୟର ପ୍ରତିଛବି ଦେଖିବାକୁ ମିଳୁଛି।’’

ଏହି କାର୍ଯ୍ୟକ୍ରମରେ ବି କେ କଲେଜ ଅଫ୍ ଆର୍ଟସ୍ ଆଣ୍ଡ କ୍ରାଫ୍ଟସ୍ ଅଧ୍ୟକ୍ଷ ଗଜେନ୍ଦ୍ର କୁମାର ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ତାଙ୍କ ସହ ଅଧ୍ୟାପକ ମାନସ କୁମାର ଜେନା ଅନ୍ୟତମ ଅତିଥି ଭାବେ ଯୋଗଦେଇ ଚିତ୍ରଶିଳ୍ପୀମାନଙ୍କ ସହ କଥା ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଯୁବ ଚିତ୍ରଶିଳ୍ପୀମାନଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ରକଳା ପରବର୍ତ୍ତି ସମୟରେ ରାଜ୍ୟ ଜନଜାତି ସଂଗ୍ରହଳୟରେ ସଂରକ୍ଷିତ ହୋଇ ରହିବ।

କାର୍ଯ୍ୟକ୍ରମରେ ଏସସିଏସଟିଆରଟିଆଇର ଓଏସଡି ସମରେନ୍ଦ୍ର ଭୂତିଆ ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ରଥ ଧନ୍ୟବାଦ ପ୍ରଦାନ କରିଥିଲେ।

ଜନଜାତୀୟ ଗୋରବ ଦିବସ କାର୍ଯ୍ୟକ୍ରମ ନଭେମ୍ବର ୨୬ ତାରିଖ ଯାଏଁ ଚାଲିବ। ଏଥିରେ ଓଡ଼ିଶାର ଆଦିବାସୀ କଳା ଓ କଳାକୃତିର ଲାଇଭ୍ ଡେମୋ ସହିତ ଚିତ୍ରକଳା ପ୍ରତିଯୋଗିତା ଓ ପ୍ରଦର୍ଶନୀ ଏବଂ ଜନଜାତି କବି ସମ୍ମିଳନୀ ଆଦି ଆୟୋଜନ କରାଯାଉଛି।

ଭୁବନେଶ୍ୱର ସିଆରପିଏଫ୍ ଛକ ନିକଟରେ ଥିବା ରାଜ୍ୟ ଜନଜାତି ସଂଗ୍ରହଳୟରେ ଆଦିବାସୀଙ୍କ ଜୀବନ, ଜୀବିକା, ପୋଷାକ, ଅଳଙ୍କାର, ପାରମ୍ପରିକ ଅସ୍ତ୍ରଶସ୍ତ୍ର ଆଦି ସଂରକ୍ଷିତ ହୋଇ ରହିଛି। ତେଣୁ ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ, ଗବେଷକ ଏବଂ ସାଧାରଣ ଲୋକମାନେ ଏହି ସଂଗ୍ରହାଳୟ ପରିଦର୍ଶନ କରିବାକୁ ଏସସିଏସଟିଆରଟିଆଇର ନିର୍ଦ୍ଦେଶକ ଅନୁରୋଧ କରିଛନ୍ତି। ଏହି ସଂଗ୍ରହାଳୟ ମଙ୍ଗଳବାରଠାରୁ ରବିବାର ପର୍ଯ୍ୟନ୍ତ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଖୋଲା ରହୁଛି।

Categories
ଜୀବନ ଶୈଳୀ ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଜନଜାତୀୟ ଗୌରବ ଦିବସରେ ଆଦିବାସୀ କଳାକାରଙ୍କୁ ପୋଷାକ, ବାଦ୍ୟଯନ୍ତ୍ର ଓ ଆଭୂଷଣ ପ୍ରଦାନ

ଭୁବନେଶ୍ବର: ଆମ ଜନଜାତି ସଂସ୍କୃତି ବହୁତ ସୁନ୍ଦର। ଏହା ଆମ ଦେଶ ଆମ ରାଜ୍ୟର ସଂସ୍କୃତିକୁ ଉଜ୍ଜୀବିତ କରିପାରିଛି। ଆମ ବିକାଶରେ ସଂସ୍କୃତିର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ। ସଂସ୍କୃତିର ସୁରକ୍ଷା ବିନା ବିକାଶରେ ମହକ ଆସେ ନାହିଁ।

ଆଦିବାସୀ ସମ୍ପ୍ରଦାୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ପାଇଁ ଜନଜାତୀୟ ଗୌରବ ଦିବସ ଅବସରରେ ୯ ଟି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଜିଲ୍ଲାର ଜନଜାତି ଜନଜାତି ସାଂସ୍କୃତିକ ଦଳଗୁଡିକୁ ବାଦ୍ୟଯନ୍ତ୍ର ଏବଂ ନୃତ୍ୟ ପୋଷାକଓ ଆଭୂଷଣ ବଣ୍ଟନ କରାଯାଇଛି।

ଏ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ ଜନଜାତି ତଥା ସ୍ବତନ୍ତ୍ର ଉନ୍ନୟନ ପରିଷଦର କାର‌୍ୟ୍ୟକୁ ପ୍ରଶଂସା କରିବା ସହ ଅଧିକ ପ୍ରୋତ୍ସାହିତ କରିଛନ୍ତି।

ଲୋକସଭା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ କାର‌୍ୟ୍ୟକ୍ରମରେ ସୁନ୍ଦରଗଡ, ରାୟଗଡା, ନବରଙ୍ଗପୁର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, କେନ୍ଦୁଝର, କନ୍ଧମାଳ ଓ ଗଜପତିରୁ ୨୭ଟି କଳାକାର ସଂଗଠନକୁ ସାମଗ୍ରୀ ବଣ୍ଟନ କରିଛନ୍ତି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା।

ସମୁଦାୟ ୧୮୯୧ ଟି ଗାୟକ ଦଳକୁ ୭ କୋଟି ୪୯ ଲକ୍ଷ ଟଙ୍କାର ବାଦ୍ୟଯନ୍ତ୍ର ଓ ୮୧୮ ଟି ନୃତ୍ୟ ଦଳ ପାଇଁ ୧୧ କୋଟି ୬୩ ଲକ୍ଷ ଟଙ୍କାର ପୋଷାକ ବଣ୍ଟନ କରାଯାଇଛି। ଏଥିରେ ୨୭୦୯ ଆଦିବାସୀ ଦଳର ୬୭ ହଜାର ୫ ଶହ ଆଦିବାସୀ ଉପକୃତ ହେବେ।

କାର‌୍ୟ୍ୟକ୍ରମରେ ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଜନଜାତିଙ୍କ ସଂସ୍କୃତିକୁ ସମୃଦ୍ଧ କରିବା ପାଇଁ ରାଜ୍ୟ ସରକାର୯ ଟି ଜିଲ୍ଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ବର୍ତ୍ତମାନ ଏଥିରେ ୨୩ଟି ଜିଲ୍ଲା ସାମିଲ କରାଯାଇଛି। ଚଳିତ ବର୍ଷ ଏସଡିସିକୁ ୩୭୬ କୋଟି ଟଙ୍କା ପ୍ରଦାନ କରାଯାଇଛି।

ପରବର୍ତ୍ତୀ ପର୍ଯ୍ୟାୟରେ ୨୦୨୩-୨୪ ଆର୍ଥିକ ବର୍ଷରେ ଅତିରିକ୍ତ ୧୭୫ କୋଟି ୫୦ ଲକ୍ଷ ଟଙ୍କା ଯୋଗାଇ ଦେବାକୁ ଘୋଷଣା କରାଯାଇଛି। ୬୦ ଟି ଆଦିବାସୀ ଜନଜାତି ସାଂସ୍କୃତିକ କ୍ଲବ ଗୁଡିକୁ ପ୍ରାୟ ୩ ହଜାରରୁ ଅଧିକ ପୋଷାକ ଓ ବାଦ୍ୟଯନ୍ତ୍ର ଯୋଗାଇ ଦିଆଯାଇଛି। ଜନଜାତି କ୍ଲବ ଓ ସାଂସ୍କୃତିକ ଅନୁଷ୍ଠାନ ଏହାର ଉପଯୋଗ କରି ଆମ ସଂସ୍କୃତିର ପ୍ରଚାର ପ୍ରସାର କରି ଓଡିଶାର ଗୌରବକୁ ଆହୁରି ଆଗକୁ ବଢାଇବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି।

କାର‌୍ୟ୍ୟକ୍ରମରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା କହିଛନ୍ତି ଯେ, ସଂସ୍କୃତିର ସଂରକ୍ଷଣ ଓ ବିକାଶ ହେଉଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମୂଳଲକ୍ଷ୍ୟ। କଳା ସଂସ୍କୃତି ଓ ପରମ୍ପରା ସହ ସାମୁହିକ ବିକାଶ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ। ଗାଁ-ଗାଁରେ ସଂସ୍କୃତିର ସୁରକ୍ଷା ସହ ଓ ଆଧୁନିକତାର ବିକାଶ କରି ଓଡିଶା ସଫଳତାର ଶିଖର ଛୁଇଁପାରିବ। ରାଜ୍ୟରେ ୮ ହଜାର ପୀଠସ୍ଥଳୀର ସୁରକ୍ଷା ଓ ଉନ୍ନତିକରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି।

ସମ୍ପୃକ୍ତ ଜିଲ୍ଲାମାନଙ୍କରେ ୧ ହଜାର ଜନଜାତି ସାଂସ୍କୃତିକ ସଂଘର କଳାକାରଙ୍କ ବିକାଶ ନିମନ୍ତେ ବାଦ୍ୟ ଯନ୍ତ୍ର, ପୋଷାକ ଓ ଆଭୂଷଣ ଯୋଗାଇ ଦିଆଯାଉଛି। ଯୁବପିଢିଙ୍କ ମଧ୍ୟରେ ଖେଳକୁଦ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ୨ ହଜାରରୁ ଅଧିକ ୟୁଥ୍ କ୍ଲବ ଚିହ୍ନଟ କରି ସେମାନଙ୍କୁ କ୍ରୀଡା ଉପକରଣ ଯୋଗାଇ ଦିଆଯିବାକୁ ବ୍ୟବସ୍ଥା କରାଯାଇଛି।

ଏହି ଅବସରରେ ବିଭାଗୀୟ ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ କହିଥିଲେ ଯେ, ୨୦୨୩-୨୪ ସୁଦ୍ଧା ରାଜ୍ୟ ସରକାର ୮ ହଜାରରୁ ଅଧିକ ପବିତ୍ର ଉପବନର ସୁରକ୍ଷା ଓ ସଂରକ୍ଷଣ କାର‌୍ୟ୍ୟ ହାତକୁ ନେଇଛନ୍ତି। ବିଭାଗର ସହଭାଗିତାରେ ରାଜ୍ୟର ବିଭିନ୍ନ ଜନଜାତି ଗାଁରେ ୨ ହଜାର ୮ ଶହରୁ ଅଧିକ ସାଂସ୍କୃତିକ କ୍ଲବ ଗଠନ କରାଯାଇଛି। ୧୨ ଶହରୁ ଅଧିକ ହାଟକୁ ସ୍ବତନ୍ତ୍ର ଉନ୍ନୟନ ପରିଷଦରୁ ପାଣ୍ଠି ପ୍ରଦାନ କରି ଉନ୍ନୟନମୂଳକ କାର୍ଯ୍ୟ କରାଯାଇଛି।

କାର୍ଯ୍ୟକ୍ରମ ଶେଷରେ ଏସସିଏସଟିଆରଟିଆଇ ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀ ଉପସ୍ଥିତ ସମସ୍ତ ଜନଜାତି କଳାକାରଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଏସସିଏସଟିଆରଟିଆଇ ପକ୍ଷରୁ ‘ଜନଜାତୀୟ ଗୌରବ ଦିବସ’ ପାଳନ

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଭାରତୀୟ ଆଦିବାସୀ ଜୀବନର ପ୍ରେରଣା ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ନଭେମ୍ବର ୧୫କୁ ଦେଶବ୍ୟାପି ‘ଜନଜାତୀୟ ଗୌରବ ଦିବସ’ ଭାବେ ପାଳନ କରାଯାଉଛି। ଏହି ଅବସରରେ ଭୁବନେଶ୍ୱରସ୍ଥିତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ) ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମର ଶୁଭାରମ୍ଭ  କରାଯାଇଛି।

ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରାଳୟ ସହଯୋଗରେ, ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗର ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ କରାଯାଉଛି। ଏହି ଅବସରରେ ଆୟୋଜିତ ବିଶେଷ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

‘‘ବିଳ୍ପବୀ ବିର୍ସା ମୁଣ୍ଡାଙ୍କ ବଳିଦାନ କେବଳ ଜନଜାତି ସଂପ୍ରଦାୟ ଲାଗି ପ୍ରେରଣା ନୁହେଁ, ବରଂ ସେ ସାରା ଦେଶ ପାଇଁ ଗର୍ବ ଓ ଗୌରବ। ତେଣୁ ତାଙ୍କ ବିଷୟରେ ଆଗାମୀ ପିଢ଼ିଙ୍କୁ ଜଣାଇବା ସହ ଏହି ଅବସରରେ ଆମ ଜନଜାତିଙ୍କ ଜୀବନ ତଥା ସେମାନଙ୍କ ଅନନ୍ୟ କଳା ଓ ସଂସ୍କୃତି ବିଷୟରେ ସମସ୍ତଙ୍କୁ ସଚେତନ କରାଇବା ପାଇଁ ଜନଜାତୀୟ ଗୌରବ ଦିବସ ପାଳନ କରାଯାଉଛି। ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଆମେ ଜନଜାତି ବର୍ଗର ସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ସଂରକ୍ଷଣ ଓ ପ୍ରସାର କରିପାରିବା”, କହିଛନ୍ତି ମନ୍ତ୍ରୀ ଜଗନ୍ନାଥ ସାରକା।

ଓଡ଼ିଶା ଜନଜାତି ଐତିହ୍ୟର ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ନଭେମ୍ବର ୧୫ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୨୬ ତାରିଖ ଯାଏଁ ଚାଲିବ। ଏଥିରେ ଆଦିବାସୀ କଳା ଓ କଳାକୃତିର ଲାଇଭ୍‌ ଡେମୋ ସହିତ ଚିତ୍ରକଳା ପ୍ରତିଯୋଗିତା ଓ ପ୍ରଦର୍ଶନୀ ଏବଂ ଜନଜାତି କବି ସମ୍ମିଳନୀ ଆଦି କାର୍ଯ୍ୟକ୍ରମ କରାଯାଉଛି।

ଉଦଘାଟନୀ କାର୍ଯ୍ୟକ୍ରମରେ ବିଭାଗୀୟ ସଚିବ ରୁପାରୋଶନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶାର ଜନଜାତି ବର୍ଗଙ୍କ ଜୀବନ ଓ ସାଂସ୍କୃତିକ ବିକାଶ ପାଇଁ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ବିଷୟରେ ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ପୂର୍ବତନ ନିର୍ଦ୍ଦେଶକ ନିହାର ରଞ୍ଜନ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ସେ କହିଥିଲେ ଯେ, ‘‘ସ୍ୱାଧୀନତା ଆନ୍ଦୋଳନ ବେଳେ ଓଡ଼ିଶାର ଜନଜାତିଙ୍କ ଯୋଗଦାନ ସାରା ଦେଶରେ ଅଗ୍ରଣୀ ଥିଲା। ଜମି, ଜଙ୍ଗଲ ଓ ଜଳ ପାଇଁ ସେମାନଙ୍କ ଉତ୍ସର୍ଗୀକୃତ ଆନ୍ଦୋଳନ ଆଜି ସମସ୍ତଙ୍କ ପାଇଁ ସ୍ମରଣୀୟ ହୋଇ ରହିଛି।’’ ଏହି ଅବସରରେ ସେ ବିର୍ସା ମୁଣ୍ଡାଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ।

ଏସସିଏସଟିଆରଟିଆଇ ତଥା ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ। ଜନଜାତିଙ୍କ କଳା, ସାହିତ୍ୟ ଓ ସଂସ୍କୃତିର ପ୍ରସାର ଲାଗି ଜନଜାତୀୟ ଗୌରବ ଦିବସ ଅବସରରେ ବିଭାଗ ପକ୍ଷରୁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସେ ସୂଚନା ଦେଇଥିଲେ।

ଏହି ଅବସରରେ ମନ୍ତ୍ରୀ ଓ ଅନ୍ୟ ଅତିଥିମାନେ ରାଜ୍ୟ ଜନଜାତି ସଂଗ୍ରହାଳୟ ବୁଲି ଦେଖିବା ସହ ଏହା ପରିସରରେ ଚାଲିଥିବା ହସ୍ତକଳା ଓ ହସ୍ତତନ୍ତ ସାମଗ୍ରୀ ପ୍ରସ୍ତୁତିର ଲାଇଭ୍‌ ଡେମୋ ଦେଖି ଆଦିବାସୀ ଶିଳ୍ପୀଙ୍କ ସହ କଥା ହୋଇଥିଲେ। ଶେଷରେ ଅନସୂଚିତ ଜାତି (କଲ୍ୟାଣ) ନିର୍ଦ୍ଦେଶକ ଲକ୍ଷ୍ମଣ କୁମାର ମଲ୍ଲିକ ଧନ୍ୟବାଦ ଦେଇଥିଲେ।

କାର୍ଯ୍ୟକ୍ରମରେ ଗଣ୍ଡ ଓ ପରଜା ଜନଜାତି ଉପରେ ଆଧାରିତ ଦୁଇଟି ପ୍ରାମଣିକ ପୁସ୍ତକ ଉନ୍ମୋଚନ କରାଯାଇଥିଲା। ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ନେଇ କରାଯାଇଥିବା ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯରାଇଥିଲା।

ବରିଷ୍ଠ ବର୍ଗରେ ହୋଇଥିବା ପ୍ରତିଯୋଗିତାରେ ବାଲେଶ୍ୱର ଜିଲ୍ଲା ଟେଣ୍ଡା ସରକାରୀ ହାଇସ୍କୁଲର ଛାତ୍ରୀ ମାଣିକ ସିଂ ପ୍ରଥମ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ ମେଘଡେଗା ସରକାରୀ ହାଇସ୍କୁଲର ଛାତ୍ରୀ ଜେନମଣି ମିଞ୍ଜ ଦ୍ୱିତୀୟ ଏବଂ ରାୟଗଡ଼ା କୁମ୍ଭିକୋଟା ସରକାରୀ ହାଇସ୍କୁଲର ଛାତ୍ର ନିଲୁ ପଡ଼ିଙ୍ଗି ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ସେହିପରି କନିଷ୍ଠ ବର୍ଗରେ ସମ୍ବଲପୁର ସୁଣ୍ଢିମୁଣ୍ଡି ସରକାରୀ ହାଇସ୍କୁଲର ଛାତ୍ରୀ ଗାଙ୍ଗୀ ସଠ ପ୍ରଥମ, କୋରାପୁଟ ପୋଡ଼ାଗଡ଼ ସରକାରୀ ହାଇସ୍କୁଲର ଛାତ୍ରୀ ଲୀଲାବତୀ ମୁଦୁଲି ଦ୍ୱିତୀୟ ଏବଂ ବାଲେଶ୍ୱର ଢେଲିପାଳ ସରକାରୀ ହାଇସ୍କୁଲର ଛାତ୍ର ରାଜେନ୍ଦ୍ର ମୁର୍ମୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାଡ଼ଖଣ୍ଡର ଖୁଣ୍ଟି ଠାରେ ଜନଜାତୀୟ ଗୌରବ ଦିବସ, ୨୦୨୩ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ଏବଂ ପ୍ରଧାନମନ୍ତ୍ରୀ ବିଶେଷ ରୂପେ ଦୁର୍ବଳ ଆଦିବାସୀ ଗୋଷ୍ଠୀ ବିକାଶ ମିଶନର ଶୁଭାରମ୍ଭ କରିଥିଲେ। ସେ ପିଏମ୍ – କିଷାନର ୧୫ତମ କିସ୍ତି ମଧ୍ୟ ପ୍ରଦାନ କରିଛନ୍ତି। ଶ୍ରୀ ମୋଦୀ ଝାଡ଼ଖଣ୍ଡ ରାଜ୍ୟରେ ରେଳ, ସଡ଼କ, ଶିକ୍ଷା, କୋଇଲା, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଭଳି ଏକାଧିକ କ୍ଷେତ୍ର ସହିତ ସମ୍ପର୍କିତ ୭୨୦୦ କୋଟି ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କରିଥିଲେ ଓ ସେଗୁଡିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ପ୍ରଦର୍ଶନୀକୁ ସେ ବୁଲି ଦେଖିଥିଲେ।

ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏକ ଭିଡିଓ ବାର୍ତ୍ତା ପ୍ରସାରିତ ହୋଇଥିଲା।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଜନତାଙ୍କୁ ବିକଶିତ ଭାରତ ସଂକଳ୍ପ  ପ୍ରଦାନ କରିଥିଲେ।

ପ୍ରଧାନମନ୍ତ୍ରୀ ଆଜି ପରିଦର୍ଶନ କରିଥିବା ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନ ଉଲିହାଟୁ ଗ୍ରାମ ଏବଂ ରାଞ୍ଚି ଠାରେ ଥିବା ବିର୍ସା ମୁଣ୍ଡା ମେମୋରିଆଲ ପାର୍କ ତଥା ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ସମ୍ପର୍କରେ ମନେ ପକାଇ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ଦୁଇ ବର୍ଷ ପୂର୍ବେ ଆଜିର ଦିନରେ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟର ଉଦଘାଟନ କରିବା ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । ଜନଜାତୀୟ ଗୌରବ ଦିବସ ଅବସରରେ ଶ୍ରୀ ମୋଦୀ ପ୍ରତ୍ୟେକ ନାଗରିକଙ୍କୁ ଅଭିନନ୍ଦନ ଜଣାଇବା ସହ ଶୁଭେଚ୍ଛା ଜଣାଇଛନ୍ତି।

ଝାଡଖଣ୍ଡର ପ୍ରତିଷ୍ଠା ଦିବସ ଅବସରରେ ସେ ଶୁଭେଚ୍ଛା ଜଣାଇବା ସହ ଏହାର ଗଠନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ରେଳ, ସଡ଼କ, ଶିକ୍ଷା, କୋଇଲା, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଭଳି ବିଭିନ୍ନ କ୍ଷେତ୍ର ସହିତ ସମ୍ପର୍କିତ ଆଜିର ବିକାଶମୂଳକ ପ୍ରକଳ୍ପ ଗୁଡିକ ପାଇଁ ସେ ଝାଡ଼ଖଣ୍ଡର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଖୁସି ବ୍ୟକ୍ତ କରିଥିଲେ ଯେ ଝାଡ଼ଖଣ୍ଡ ରାଜ୍ୟରେ ଏବେ ଶତ ପ୍ରତିଶତ ବିଦ୍ୟୁତିକରଣ ହୋଇଥିବା ରେଳ ପଥ ରହିଛି।

ଆଦିବାସୀ ଗୌରବ ପାଇଁ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରେରଣାଦାୟୀ ସଂଘର୍ଷ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଅସଂଖ୍ୟ ଆଦିବାସୀ ନାୟକଙ୍କ ସହ ଝାଡ଼ଖଣ୍ଡ ମାଟିର ସମ୍ପର୍କ ବିଷୟରେ ଉଲ୍ଲେଖ କରିଥିଲେ। ତିଲକା ମାନ୍‌ଝୀ, ସିଦ୍ଧୁ କାହ୍ନୁ, ଚାନ୍ଦ ଭୈରବ, ଫୁଲୋ ଝାନୋ, ନୀଳାମ୍ବର, ପୀତାମ୍ବର, ଯାତ୍ରା ତାନା ଭଗତ ଓ ଆଲବର୍ଟ ଏକ୍କାଙ୍କ ଭଳି ଅନେକ ବୀର ଏହି ଭୂମିକୁ ଗର୍ବିତ କରିଛନ୍ତି ବୋଲି ସେ କହିଥିଲେ। ଦେଶର କୋଣ ଅନୁକୋଣରେ ଆଦିବାସୀ ଯୋଦ୍ଧାମାନେ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ ଏବଂ ମାନଗଡ଼ ଧାମର ଗୋବିନ୍ଦ ଗୁରୁ, ମଧ୍ୟପ୍ରଦେଶର ତାନ୍ତ୍ୟା ଭିଲ, ଛତିଶଗଡ଼ର ଭୀମା ନାୟକ, ସହିଦ ବୀର ନାରାୟଣ ସିଂହ, ମଣିପୁରର ବୀର ଗୁଣ୍ଡାଧୂର, ରାଣୀ ଗାଇଦିନଲିଉ , ତେଲଙ୍ଗାନାର ବୀର ରାମଜୀ ଗୋଣ୍ଡ, ଆନ୍ଧ୍ରପ୍ରଦେଶର ଆଲୁରୀ ସୀତାରାମ ରାଜୁ, ଗୋଣ୍ଡ ପ୍ରଦେଶର ରାଣୀ ଦୁର୍ଗାବତୀଙ୍କ ବିଷୟରେ ସେ ଉଲ୍ଲେଖ କରିଥିଲେ । ଏଭଳି ବ୍ୟକ୍ତିତ୍ୱ ମାନଙ୍କ  ପ୍ରତି ଅବହେଳା ପାଇଁ ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ ଅମୃତ ମହୋତ୍ସବ ସମୟରେ ଏହି ବୀରମାନଙ୍କୁ ମନେ ପକାଯାଇଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ ।

ଝାଡ଼ଖଣ୍ଡ ସହିତ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ ଯେ ଆୟୁଷ୍ମାନ ଯୋଜନା ଝାଡ଼ଖଣ୍ଡରୁ ଆରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଝାଡ଼ଖଣ୍ଡରୁ ଦୁଇଟି ଐତିହାସିକ ପଦକ୍ଷେପର ଶୁଭାରମ୍ଭ କରାଯାଉଛି । ପ୍ରଥମଟି ହେଉଛି ବିକଶିତ ଭାରତ ସଂକଳ୍ପ ଯାତ୍ରା , ଯାହା ସରକାରଙ୍କ ଲକ୍ଷ୍ୟ ଏବଂ ପ୍ରଧାନମନ୍ତ୍ରୀ ଜନଜାତି ନ୍ୟାୟ ମହା ଅଭିଯାନର ଏକ ମାଧ୍ୟମ ହେବ ଯାହା ବିଲୁପ୍ତ ହେବାକୁ ଯାଉଥିବା ଜନଜାତି ମାନଙ୍କୁ ସୁରକ୍ଷା ପ୍ରଦାନ କରିବ ଏବଂ ସେମାନଙ୍କୁ ପରିପୁଷ୍ଟ କରିବ ।

ବିକଶିତ ଭାରତର ଚାରିଟି ‘ଅମୃତ ସ୍ତମ୍ଭ’ ବା ଖୁଣ୍ଟ ଯଥା ନାରୀ ଶକ୍ତି, ଭାରତର ଖାଦ୍ୟ ଉତ୍ପାଦନକାରୀ ଅର୍ଥାତ୍ କୃଷକ , ଦେଶର ଯୁବକ ଏବଂ ଶେଷରେ ଭାରତର ନବ – ମଧ୍ୟବିତ୍ତ ଓ ଗରିବ ଲୋକମାନଙ୍କ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ବିକାଶର ଏହି ସ୍ତମ୍ଭ ଗୁଡ଼ିକୁ ସୁଦୃଢ଼ କରିବା ପାଇଁ ଭାରତରେ ବିକାଶର ପରିମାଣ ଆମର ସାମର୍ଥ୍ୟ ଉପରେ ନିର୍ଭର କରେ ବୋଲି ସେ କହିଥିଲେ । ବର୍ତ୍ତମାନର ସରକାରଙ୍କ ବିଗତ ୯ ବର୍ଷର ଶାସନ କାଳରେ ଚାରୋଟି ସ୍ତମ୍ଭକୁ ସୁଦୃଢ଼ କରିବା ପାଇଁ ଯେତିକି ପ୍ରୟାସ ଏବଂ କାର୍ଯ୍ୟ କରାଯାଇଛି ସେଥିରେ ପ୍ରଧାନମନ୍ତ୍ରୀ ମୋଦୀ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ୧୩ କୋଟିରୁ ଅଧିକ ଲୋକଙ୍କୁ ଦାରିଦ୍ର‌୍ୟମୁକ୍ତ କରିବାରେ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ସଫଳତା ଉପରେ ଆଲୋକପାତ କରିଥିଲେ । “୨୦୧୪ରେ ଆମ ସରକାର କ୍ଷମତାକୁ ଆସିବା ପରେ ଆମର ସେବା କାଳ ଆରମ୍ଭ ହୋଇଥିଲା”, ବୋଲି ସେ କହିବା ସହିତ ଏହା ଉଲ୍ଲେଖ କରିଥିଲେ ଯେ ଦେଶର ଏକ ବିଶାଳ ଜନସଂଖ୍ୟା ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଥିଲେ । ତତ୍କାଳୀନ ସରକାରଙ୍କ ବେପରୁଆ ଆଭିମୁଖ୍ୟ ଯୋଗୁଁ ଗରିବ ଲୋକମାନେ ସମସ୍ତ ଆଶା ହରାଇଥିଲେ ବୋଲି ସେ କହିଛନ୍ତି । “ବର୍ତ୍ତମାନର ସରକାର ସେବା ଭାବନା ସହିତ କାର୍ଯ୍ୟ ଆରମ୍ଭ କରିଛନ୍ତି” ବୋଲି ସେ କହିଥିଲେ ଏବଂ ଗରିବ ଏବଂ ବଞ୍ଚିତ ଲୋକମାନେ  ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ପାଲଟିବା ସହିତ ସେମାନଙ୍କ ଦ୍ୱାରରେ ସୁବିଧା ପହଞ୍ଚାଇ ଦିଆଯାଇଛି । ପରିବର୍ତ୍ତନ ପାଇଁ ସରକାରଙ୍କ ଆଭିମୁଖ୍ୟକୁ ସେ ଶ୍ରେୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ୨୦୧୪ ପୂର୍ବରୁ ଗାଁରେ ସ୍ୱଚ୍ଛତାର ପରିସର ମାତ୍ର ୪୦ ପ୍ରତିଶତ ଥିବା ବେଳେ ଆଜି ଦେଶ ଏଥିରେ ସଂତୃପ୍ତି ପାଇଁ ଲକ୍ଷ୍ୟ ରଖିଛି । ୨୦୧୪ ପରେ ଅନ୍ୟାନ୍ୟ ଉପଲବ୍ଧି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସ୍ୱାଧୀନତା ପରବର୍ତ୍ତୀ ଦଶ ଦଶନ୍ଧି ମଧ୍ୟରେ ଆଜି ଗ୍ରାମର ୫୦ – ୫୫ ପ୍ରତିଶତରୁ ପ୍ରାୟ ୧୦୦ ପ୍ରତିଶତକୁ ଏଲ୍‌ପିଜି ସଂଯୋଗ ବୃଦ୍ଧି ପାଇବା, ୫୫ ପ୍ରତିଶତରୁ ୧୦୦ ପ୍ରତିଶତ ପିଲାଙ୍କୁ ଜୀବନ ରକ୍ଷାକାରୀ ଟିକା ପ୍ରଦାନ କରାଯିବା, ୧୭ ପ୍ରତିଶତରୁ ବୃଦ୍ଧି ପାଇ ୭୦ ପ୍ରତିଶତ ପରିବାରକୁ ଜଳ ସଂଯୋଗ ଯୋଗାଇ ଦିଆ ଯାଉଥିବା ବିଷୟରେ ସୂଚନା ଦେଇଥିଲେ । ମୋଦି ବଞ୍ଚିତ ମାନଙ୍କୁ ପ୍ରାଥମିକତା ଦେଇଛନ୍ତି ବୋଲି ସେ କହିଛନ୍ତି । ଦାରିଦ୍ର‌୍ୟ ଏବଂ ବଞ୍ଚିତ ହେବା ଭଳି ପ୍ରସଙ୍ଗ ସହିତ ତାଙ୍କର ବ୍ୟକ୍ତିଗତ ଅଭିଜ୍ଞତା କାରଣରୁ ବଞ୍ଚିତ ଲୋକଙ୍କ ପ୍ରତି ତାଙ୍କର ଆକର୍ଷଣ ବିଷୟରେ ପ୍ରଧାନମନ୍ତ୍ରୀ ଜଣାଇଥିଲେ ଏବଂ କହିଥିଲେ ଯେ ସେମାନେ ସରକାରଙ୍କ ପାଇଁ ପ୍ରାଥମିକତା ପାଲଟିଛନ୍ତି । “ମୁଁ ଭଗବାନ ବିର୍ସା ମୁଣ୍ଡାଙ୍କ ଏହି ଭୂମିକୁ ଆସିଛି, ଯେଉଁଠାରେ ବଞ୍ଚିତ ମାନଙ୍କ ଉପରେ ମୋର ଋଣ ପରିଶୋଧ କରିବାକୁ ଅଛି”, ବୋଲି ସେ କହିଥିଲେ ।

ଶ୍ରୀ ମୋଦୀ କହିଛନ୍ତି ଯେ , ସରକାର ନିମ୍ନ ମାନର ଫଳକୁ ଆପଣାଇବାର ପ୍ରଲୋଭନକୁ ପ୍ରତିହତ କରିଛନ୍ତି ଏବଂ ଦୀର୍ଘ ଦିନ ଧରି ଅଟକି ରହିଥିବା ସମସ୍ୟାର ସମାଧାନ କରିଛନ୍ତି । ସେ ଅନ୍ଧାର ଯୁଗରେ ବଞ୍ଚିବା ପାଇଁ ଅଭିଶାପିତ ହୋଇଥିବା ୧୮,୦୦୦ ଗାଁର ବିଦ୍ୟୁତିକରଣର ଉଦାହରଣ ଦେଇଥିଲେ । ଲାଲକିଲ୍ଲା ପ୍ରାଚୀରରୁ କରାଯାଇଥିବା ଘୋଷଣା ଅନୁଯାୟୀ ନିର୍ଦ୍ଧାରିତ ସମୟରେ ବିଦ୍ୟୁତିକରଣ କରାଯାଇଥିଲା । ପଛୁଆ ମାନ୍ୟତା ପାଇଥିବା ୧୧୦ଟି ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ସହଜ ଜୀବନଶୈଳୀର ପ୍ରମୁଖ ମାନଦଣ୍ଡ ସୃଷ୍ଟି କରାଯାଇଥିଲା । ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଏହି ଜିଲ୍ଲା ଗୁଡ଼ିକରେ ଅନେକ ପରିବର୍ତ୍ତନ ଆଣିଛି । ଏହି ଜିଲ୍ଲା ଗୁଡ଼ିକରେ ସର୍ବାଧିକ ଆଦିବାସୀ ଜନସଂଖ୍ୟା ରହିଛି ବୋଲି ସେ ସୂଚନା ଦେଇଛନ୍ତି । “ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମ ମାଧ୍ୟମରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ସଫଳତାକୁ ବ୍ୟାପକ କରାଯାଉଛି” ବୋଲି ସେ କହିଥିଲେ ।

ଦେଶର କୌଣସି ନାଗରିକଙ୍କ ପ୍ରତି ଭେଦଭାବର ସମସ୍ତ ସମ୍ଭାବନା ଦୂର ହେଲେ ହିଁ ପ୍ରକୃତ ଧର୍ମନିରପେକ୍ଷତା ଆସିଥାଏ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇ ଥିଲେ ଏବଂ ସମସ୍ତ ସରକାରୀ ଯୋଜନାର ଲାଭ ସମସ୍ତଙ୍କ ପାଖରେ ସମାନ ପରିମାଣରେ ପହଞ୍ଚିଲେ ହିଁ ସାମାଜିକ ନ୍ୟାୟ ସୁନିଶ୍ଚିତ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ପୁଣି ଥରେ କହିଥିଲେ । ଆଜି ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ଆରମ୍ଭ ହୋଇ ଆସନ୍ତା ବର୍ଷ ଜାନୁଆରି ୨୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ପଛରେ ଏହି ଭାବନା ରହିଛି । ସରକାର ମିଶନ ମୋଡରେ ଦେଶର ପ୍ରତ୍ୟେକ ଗାଁକୁ ଯିବେ ଏବଂ ପ୍ରତ୍ୟେକ ଗରିବ ଓ ବଞ୍ଚିତ ବ୍ୟକ୍ତିଙ୍କୁ ସରକାରୀ ଯୋଜନାର ହିତାଧିକାରୀ କରିବେ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।

ପ୍ରଧାନମନ୍ତ୍ରୀ ୨୦୧୮ରେ ଗ୍ରାମ ସ୍ୱରାଜ ଅଭିଯାନର ଆୟୋଜନକୁ ମନେ ପକାଇଥିଲେ ଯେଉଁଥିରେ ୭ଟି ପ୍ରମୁଖ ସରକାରୀ ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ହଜାର ସରକାରୀ ଅଧିକାରୀଙ୍କୁ ଗାଁକୁ ପଠାଯାଇଥିଲା ଏବଂ ବିକଶିତ ଭାରତ ସଂକଳ୍ପ ଯାତ୍ରା ସମାନ ଭାବରେ ସଫଳ ହେବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ । “ମୁଁ ସେହି ଦିନକୁ ଅପେକ୍ଷା କରିଛି ଯେତେବେଳେ ପ୍ରତ୍ୟେକ ଗରିବ ଲୋକଙ୍କ ପାଖରେ ମାଗଣାରେ ରାସନ କାର୍ଡ, ଉଜ୍ଜ୍ୱଳା ଯୋଜନାରୁ ଗ୍ୟାସ ସଂଯୋଗ, ଘରେ ବିଜୁଳି ଯୋଗାଣ, ଟ୍ୟାପ୍ ପାଣି ସଂଯୋଗ, ଆୟୁଷ୍ମାନ କାର୍ଡ ଏବଂ ପକ୍କା ଘର ରହିବ” । ପ୍ରଧାନମନ୍ତ୍ରୀ ମୋଦୀ ପେନସନ ଯୋଜନାରେ ପ୍ରତ୍ୟେକ କୃଷକ ଏବଂ ଶ୍ରମିକ ଯୋଗ ଦେବା ଏବଂ ଯୁବକ ମାନଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ମୁଦ୍ରା ଯୋଜନାର ଲାଭ ଉଠାଇବା ବିଷୟରେ ତାଙ୍କର ଦୃଷ୍ଟିକୋଣ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ । ଭାରତର ଗରିବ, ବଞ୍ଚିତ, ମହିଳା, ଯୁବକ ଓ କୃଷକ ମାନଙ୍କ ପାଇଁ ବିକଶିତ ଭାରତ ସଂକଳ୍ପ ଯାତ୍ରା ମୋଦିଙ୍କ ଗ୍ୟାରେଣ୍ଟି ବୋଲି ସେ କହିଛନ୍ତି ।

ଏକ ବିକଶିତ ଭାରତ ପାଇଁ ସଂକଳ୍ପର ଏକ ପ୍ରମୁଖ ଭିତ୍ତିଭୂମି ହେଉଛି ପିଏମ ଜନମନ ବା ପିଏମ୍ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ । ଅଟଳଜୀଙ୍କ ସରକାର ହିଁ ଆଦିବାସୀ ସମାଜ ପାଇଁ ଏକ ଅଲଗା ମନ୍ତ୍ରଣାଳୟ ଗଠନ କରି ଅଲଗା ବଜେଟ ଆବଣ୍ଟନ କରିଥିଲେ ବୋଲି ସେ ଉଲ୍ଲେଖ କରିଥିଲେ । ଆଦିବାସୀ କଲ୍ୟାଣ ପାଇଁ ବଜେଟ୍ ପୂର୍ବ ତୁଳନାରେ ୬ ଗୁଣା ବୃଦ୍ଧି କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ପିଏମ୍ ଜନମନ ଅଧୀନରେ ସରକାର ଆଦିବାସୀ ଗୋଷ୍ଠୀ ଏବଂ ଆଦିମ ଜନଜାତିଙ୍କ ପାଖରେ ପହଞ୍ଚିବେ, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ବି ଜଙ୍ଗଲରେ ବାସ କରନ୍ତି । ଦେଶର ୨୨ ହଜାରରୁ ଅଧିକ ଗ୍ରାମରେ ବସବାସ କରୁଥିବା ଲକ୍ଷାଧିକ ଜନସଂଖ୍ୟା ବିଶିଷ୍ଟ ୭୫ଟି ଆଦିବାସୀ ସମ୍ପ୍ରଦାୟ ଓ ଆଦିମ ଜନଜାତିଙ୍କୁ ସରକାର ଚିହ୍ନଟ କରିଛନ୍ତି । “ପୂର୍ବ ସରକାରମାନେ ତଥ୍ୟକୁ ଯୋଡ଼ିବା କାମ କରୁଥିଲେ, କିନ୍ତୁ ମୁଁ ତଥ୍ୟ ନୁହେଁ, ଜୀବନକୁ ଯୋଡ଼ିବାକୁ ଚାହୁଁଛି । ଏହି ଲକ୍ଷ୍ୟ ନେଇ ପିଏମ୍ ଜନମନ ଆଜି ଠାରୁ ଆରମ୍ଭ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ବୃହତ୍ ଅଭିଯାନ ପାଇଁ କେନ୍ଦ୍ର ସରକାର ୨୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି ବୋଲି ସେ ସୂଚନା ଦେଇଛନ୍ତି ।

ଜନଜାତି ସମ୍ପ୍ରଦାୟ ଗୁଡିକର ବିକାଶ ପାଇଁ ରାଷ୍ଟ୍ରପତି ଦ୍ରୁପଦୀ ମୁର୍ମୁଙ୍କ ଦୃଢ଼ ପ୍ରତିବଦ୍ଧତା ନିମନ୍ତେ ପ୍ରଧାନମନ୍ତ୍ରୀ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ସେ ତାଙ୍କୁ ମହିଳାଙ୍କ ନେତୃତ୍ୱାଧୀନ ବିକାଶର ପ୍ରେରଣାଦାୟୀ ପ୍ରତୀକ ବୋଲି କହିଥିଲେ । ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ମହିଳା ମାନଙ୍କର ନେତୃତ୍ୱାଧୀନ ବିକାଶ ସୁନିଶ୍ଚିତ କରିବା ପାଇଁ ନିଆଯାଇଥିବା ଅନେକ ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ । “ଆମ ସରକାର ମହିଳା ମାନଙ୍କ ଜୀବନର ପ୍ରତ୍ୟେକ ପର୍ଯ୍ୟାୟକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ଯୋଜନା କରିଛନ୍ତି”, ବୋଲି  ସେ କହିବା ସହିତ ଏହା ଉଲ୍ଲେଖ କରିଥିଲେ ଯେ , ବେଟି ବଚାଓ ବେଟି ପଢ଼ାଓ, ବିଦ୍ୟାଳୟରେ ଝିଅ ମାନଙ୍କ ପାଇଁ ପୃଥକ ଶୌଚାଳୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସୈନିକ ସ୍କୁଲ ଏବଂ ପ୍ରତିରକ୍ଷା ଏକାଡେମୀ ଖୋଲିବା, ୭୦ ପ୍ରତିଶତ ମୁଦ୍ରା ହିତାଧିକାରୀ ମହିଳା ହେବା, ସ୍ୱୟଂ ସହାୟକ ଗୋଷ୍ଠୀକୁ ରେକର୍ଡ ପରିମାଣର ସହାୟତା ଏବଂ ନାରୀ ଶକ୍ତି ବନ୍ଦନ ଅଧିନିୟମ ପରି ପଦକ୍ଷେପ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିଛି ।. ଆଜି ଭାଇ ଦୂଜ ଭଳି ଏକ ପବିତ୍ର ପର୍ବର ଦିନ । ଏହି ଭାଇ ଦେଶର ସମସ୍ତ ଭଉଣୀମାନଙ୍କୁ ଗ୍ୟାରେଣ୍ଟି ଦେଉଛି ଯେ ଆମ ସରକାର ଆମ ଭଉଣୀମାନଙ୍କ ବିକାଶରେ ଥିବା ପ୍ରତ୍ୟେକ ପ୍ରତିବନ୍ଧକକୁ ଦୂର କରିବା ପାଇଁ କାର୍ଯ୍ୟ ଜାରି ରଖିବେ । ମହିଳା ଶକ୍ତିର ଅମୃତ ସ୍ତମ୍ଭ ଏକ ବିକଶିତ ଭାରତ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଶ୍ରୀ ମୋଦୀ କହିଥିଲେ ଯେ ପିଏମ୍ ବିଶ୍ୱକର୍ମା ଯୋଜନା ଏହି ସୂଚନା ପ୍ରଦାନ କରୁଛି ଯେ ଏକ ବିକଶିତ ଭାରତର ଯାତ୍ରାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ସାମର୍ଥ୍ୟକୁ ଉପଯୋଗ କରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ । ଏହି ଯୋଜନା ବିଶ୍ୱକର୍ମା ବନ୍ଧୁମାନଙ୍କୁ ଆଧୁନିକ ପ୍ରଶିକ୍ଷଣ ଏବଂ ଉପକରଣ ପ୍ରଦାନ କରିବ ବୋଲି ସେ କହିଛନ୍ତି । ଏହି ଯୋଜନାରେ ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି ।

ଆଜି ଜାରି ହୋଇଥିବା ପିଏମ୍ କିଷାନ ସମ୍ମାନ ନିଧିର ୧୫ତମ କିସ୍ତି ବିଷୟରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ସୁଦ୍ଧା କୃଷକ ମାନଙ୍କ ଆକାଉଣ୍ଟକୁ ୨,୭୫,୦୦୦ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର  କରାଯାଇଛି । ସେ ଗୋପାଳନକାରୀ ଓ ମତ୍ସ୍ୟଜୀବୀ ମାନଙ୍କ ପାଇଁ କିଷାନ କ୍ରେଡିଟ୍ କାର୍ଡ, ପଶୁ ମାନଙ୍କର ମାଗଣା ଟିକାକରଣ ପାଇଁ ୧୫,୦୦୦ କୋଟି ଟଙ୍କାର ସରକାରୀ ଖର୍ଚ୍ଚ, ମତ୍ସ୍ୟ ଚାଷକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ ଆର୍ôଥକ ସହାୟତା ଏବଂ ଦେଶରେ ୧୦ ହଜାର ନୂତନ କୃଷକ ଉତ୍ପାଦନ ସଂଘ ଗଠନ କରି ବଜାରକୁ ଅଧିକ ସୁଗମ କରି କୃଷକମାନଙ୍କ ପାଇଁ ଖର୍ଚ୍ଚ ହ୍ରାସ କରିବା ବିଷୟରେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ୨୦୨୩ ମସିହାକୁ ଆନ୍ତର୍ଜାତିକ ମିଲେଟ୍ ବର୍ଷ ଭାବରେ ପାଳନ କରିବା ଏବଂ ଶ୍ରୀ ଅନ୍ନକୁ ବିଦେଶୀ ବଜାରକୁ ନେବା ପାଇଁ ସରକାରଙ୍କ ପ୍ରୟାସ ବିଷୟକୁ  ମଧ୍ୟ ସ୍ପର୍ଶ କରିଥିଲେ ।

ଝାଡ଼ଖଣ୍ଡରେ ନକ୍ସଲ ହିଂସା ହ୍ରାସ ପାଇଁ ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡର ସାମଗ୍ରିକ ବିକାଶକୁ ଶ୍ରେୟ ଦେଇଛନ୍ତି । ଖୁବ୍ ଶୀଘ୍ର ରାଜ୍ୟ ଗଠନର ୨୫ ବର୍ଷ ପୂରଣ ହେବ ବୋଲି ଆକଳନ କରି ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡରେ ୨୫ଟି ଯୋଜନାର ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଏହା ରାଜ୍ୟର ବିକାଶକୁ ନୂଆ ପ୍ରୋତ୍ସାହନ ଦେବା ସହ ସହଜ ଜୀବନଧାରଣକୁ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି । ଆଧୁନିକ ଜାତୀୟ ଶିକ୍ଷା ନୀତି ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ, “ଶିକ୍ଷାର ପ୍ରସାର ଏବଂ ଯୁବକ ମାନଙ୍କୁ ସୁଯୋଗ ପ୍ରଦାନ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ”, ଯାହା ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ମାତୃଭାଷାରେ ଡାକ୍ତରୀ  ଏବଂ ଇଞ୍ଜିନିୟରିଂ ପଢ଼ିବାରେ ସକ୍ଷମ କରେ ।  ଗତ ୯ ବର୍ଷ ମଧ୍ୟରେ ଦେଶରେ ୩୦୦ରୁ ଅଧିକ ବିଶ୍ୱବିଦ୍ୟାଳୟ ଓ ୫୫୦୦ ନୂଆ କଲେଜ ପ୍ରତିଷ୍ଠା ହୋଇଛି ବୋଲି ସେ ସୂଚନା ଦେଇଛନ୍ତି । ସେ ଡିଜିଟାଲ ଇଣ୍ଡିଆ ଅଭିଯାନ ଏବଂ ଏକ ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ସହିତ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟ ଅପ୍ ପାରିବେଶିକ ବ୍ୟବସ୍ଥାରେ ପରିଣତ ହେବା ବିଷୟରେ ମଧ୍ୟ ଆଲୋକପାତ କରିଥିଲେ ।  ରାଞ୍ଚିର ଆଇଆଇଏମ୍ କ୍ୟାମ୍ପସ୍ ଏବଂ ଧାନବାଦସ୍ଥିତ ଆଇଆଇଟି – ଆଇଏସ୍‌ଏମ୍‌ରେ ନୂତନ ହଷ୍ଟେଲ୍‌ର ଉଦଘାଟନ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଥିଲେ ।

ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଅମୃତ କାଳର ଚାରିଟି ଅମୃତ ସ୍ତମ୍ଭ ଅର୍ଥାତ୍ ଭାରତର ନାରୀ ଶକ୍ତି, ଯୁବ ଶକ୍ତି, କୃଷି ଶକ୍ତି ଏବଂ ଆମର ଗରିବ ଓ ମଧ୍ୟବିତ୍ତଙ୍କ ଶକ୍ତି ଭାରତକୁ ଏକ ନୂତନ ଉଚ୍ଚତାକୁ ନେଇଯିବ ଏବଂ ଭାରତକୁ ଏକ ବିକଶିତ ଭାରତରେ ପରିଣତ କରିବ ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଝାଡ଼ଖଣ୍ଡ ରାଜ୍ୟପାଳ ସି. ପି. ରାଧାକ୍ରିଷ୍ଣନ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଏବଂ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ବିକଶିତ ଭାରତ ସଂକଳ୍ପ ଯାତ୍ରା

ଏହି ଯୋଜନା ଗୁଡ଼ିକର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀ ମାନଙ୍କ ପାଖରେ ପହଂଚି ପାରିବ ସେଥିପାଇଁ ସରକାରଙ୍କ ପ୍ରମୁଖ ଯୋଜନା ଗୁଡ଼ିକୁ ଉପଲବ୍ଧ କରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ ରହିଛି । ଯୋଜନାର ଏହି ଲକ୍ଷ୍ୟ ହାସଲ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଜନଜାତୀୟ ଗୌରବ ଦିବସ ଅବସରରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ର ଶୁଭାରମ୍ଭ କରିଥିଲେ ।

ଲୋକଙ୍କ ପାଖରେ ପହଞ୍ଚିବା, ସଚେତନତା ସୃଷ୍ଟି କରିବା, ପରିମଳ ସୁବିଧା ଯୋଗାଇ ଦେବା, ଅତ୍ୟାବଶ୍ୟକ ଆର୍ଥିକ ସେବା ପ୍ରଦାନ କରିବା, ବିଜୁଳି ସଂଯୋଗ, ଏଲ୍‌ପିଜି ସିଲିଣ୍ଡର, ଗରିବ ଲୋକଙ୍କ ପାଇଁ ବାସଗୃହ ଯୋଗାଣ, ଖାଦ୍ୟ ସୁରକ୍ଷା, ଉପଯୁକ୍ତ ପୋଷଣ, ନିର୍ଭରଯୋଗ୍ୟ ସ୍ୱାସ୍ଥ୍ୟସେବା, ବିଶୁଦ୍ଧ ପାନୀୟ ଜଳ ଇତ୍ୟାଦି କଲ୍ୟାଣକାରୀ ଯୋଜନାର ଲାଭ ପ୍ରଦାନ ଉପରେ ଯାତ୍ରାରେ ଗୁରୁତ୍ୱ ଦିଆଯିବ । ସମ୍ଭାବ୍ୟ ହିତାଧିକାରୀ ମାନଙ୍କ ପଞ୍ଜୀକରଣ ଯାତ୍ରା ସମୟରେ ହୋଇଥିବା ବିବରଣୀ ମାଧ୍ୟମରେ କରାଯିବ ।

‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡର ଖୁଣ୍ଟି ଠାରେ ଆଇଇସି (ସୂଚନା, ଶିକ୍ଷା ଓ ଯୋଗାଯୋଗ) ଭ୍ୟାନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ଏବଂ ୨୦୨୪ ଜାନୁଆରି ୨୫ ତାରିଖ ସୁଦ୍ଧା ବହୁ ସଂଖ୍ୟାରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରୁ ଯାତ୍ରା ଆରମ୍ଭ ହେବ ଏବଂ ଏହା ଦେଶର ସମସ୍ତ ଜିଲ୍ଲାକୁ ପରିକ୍ରମା କରିବ ।

ପିଏମ୍ ପିଭିଟିଜି ମିଶନ

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପ୍ରଥମ ପଦକ୍ଷେପ – ‘ପ୍ରଧାନମନ୍ତ୍ରୀ ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଏମ୍ ପିଭିଟିଜି) ବିକାଶ ମିଶନ’ ର ଶୁଭାରମ୍ଭ କରିଥିଲେ । ପ୍ରାୟ ୨୮ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ୨୨,୫୪୪ଟି ଗାଁ (୨୨୦ଟି ଜିଲ୍ଲା) ରେ ୧୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୭୫ ପିଭିଟିଜି ବସବାସ କରୁଛନ୍ତି ।

ଏହି ଜନଜାତିମାନେ ବିଚ୍ଛିନ୍ନ, ଦୁର୍ଗମ ଏବଂ ଅପହଞ୍ଚ ବସ୍ତିରେ ରୁହନ୍ତି, ପ୍ରାୟତଃ ଜଙ୍ଗଲ ଅଞ୍ଚଳରେ ରୁହନ୍ତି ଏବଂ ତେଣୁ ପ୍ରାୟ ୨୪,୦୦୦ କୋଟି ଟଙ୍କାର ବଜେଟରେ ପିଭିଟିଜି ପରିବାର ଏବଂ ବସ୍ତିଗୁଡ଼ିକୁ ସଡ଼କ ଏବଂ ଟେଲିକମ୍ ଯୋଗାଯୋଗ, ବିଜୁଳି, ସୁରକ୍ଷିତ ବାସଗୃହ, ବିଶୁଦ୍ଧ ପାନୀୟ ଜଳ ଏବଂ ପରିମଳ, ଶିକ୍ଷାର ଉନ୍ନତ ଉପଲବ୍ଧତା, ସ୍ୱାସ୍ଥ୍ୟ ଏବଂ ପୋଷଣ ଏବଂ ସ୍ଥାୟୀ ଜୀବିକା ସୁଯୋଗ ଭଳି ମୌଳିକ ସୁବିଧା ପ୍ରଦାନ କରିବା ପାଇଁ ଏକ ମିଶନ ଯୋଜନା କରାଯାଇଛି ।

ଏହା ବ୍ୟତୀତ ପିଏମ୍‌ଜେଏୱାଇ, ସିକେଲ ସେଲ ରୋଗ ନିରାକରଣ, ଯକ୍ଷ୍ମା ନିରାକରଣ, ଶତ ପ୍ରତିଶତ ଟିକାକରଣ, ପିଏମ୍ ସୁରକ୍ଷିତ ମାତୃତ୍ୱ ଯୋଜନା, ପିଏମ୍ ମାତୃ ବନ୍ଦନା ଯୋଜନା, ପିଏମ୍ ପୋଷଣ, ପିଏମ୍ ଜନ ଧନ ଯୋଜନା ଇତ୍ୟାଦି ପାଇଁ ପୃଥକ ଭାବେ ସଂତୃପ୍ତି ସୁନିଶ୍ଚିତ କରାଯିବ ।

ପିଏମ୍ – କିଷାନ ଏବଂ ଅନ୍ୟାନ୍ୟ ବିକାଶମୂଳକ ପଦକ୍ଷେପର ୧୫ତମ କିସ୍ତି

କୃଷକଙ୍କ କଲ୍ୟାଣ ଦିଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାର ଆଉ ଏକ ଉଦାହରଣ ପ୍ରଦର୍ଶିତ କରୁଥିବା ଏହି ପଦକ୍ଷେପରେ ୮ କୋଟିରୁ ଅଧିକ ହିତାଧିକାରୀ ମାନଙ୍କୁ ସିଧାସଳଖ ଲାଭ ହସ୍ତାନ୍ତର ମାଧ୍ୟମରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍ – କିଷାନ) ଅଧୀନରେ ପାଖାପାଖି ୧୮,୦୦୦ କୋଟି ଟଙ୍କାର ପଞ୍ଚଦଶ କିସ୍ତି ରାଶି ପ୍ରଦାନ କରାଯାଇଛି । ଏହି ଯୋଜନା ଅଧୀନରେ , ବର୍ତ୍ତମାନ ସୁଦ୍ଧା ୧୪ଟି କିସ୍ତିରେ ୨.୬୨ ଲକ୍ଷ କୋଟିରୁ ଅଧିକ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଛି ।

ପ୍ରଧାନମନ୍ତ୍ରୀ ରେଳ, ସଡ଼କ, ଶିକ୍ଷା, କୋଇଲା, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଭଳି ଏକାଧିକ କ୍ଷେତ୍ର ସହିତ ସମ୍ପର୍କିତ ପ୍ରାୟ ୭୨୦୦ କୋଟି ଟଙ୍କାର ପ୍ରକଳ୍ପ ଗୁଡିକର ଉଦଘାଟନ କରିଥିଲେ, ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ ଏବଂ ଶିଳାନ୍ୟାସ କରିଥିଲେ ।

ପ୍ରଧାନମନ୍ତ୍ରୀ ଯେଉଁ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ କରିଥିଲେ, ସେଗୁଡ଼ିକ ମଧ୍ୟରେ ଜାତୀୟ ରାଜପଥ ୧୩୩ର ମହାଗାମା – ହଂସଡିହା ସେକ୍ସନର ୫୨ କିଲୋମିଟର ଅଂଶକୁ ୪ ଲେନ୍ କରିବା : ୧୧୪ ଏ ନମ୍ବର ଜାତୀୟ ରାଜପଥର ବାସୁକିନାଥ – ଦେଓଘର ସେକ୍ସନର ୪୫ କିଲୋମିଟର ରାସ୍ତାକୁ ୪ ଲେନ୍ କରିବା ; କେଡିଏଚ୍ – ପୂର୍ଣ୍ଣଡିହା କୋଇଲା ପରିଚାଳନା କାରଖାନା ; ଆଇଆଇଆଇଟି ରାଞ୍ଚିର ନୂତନ ଶୈକ୍ଷିକ ଏବଂ ପ୍ରଶାସନିକ କୋଠା ନିର୍ମାଣ ଅନ୍ତର୍ଭୁକ୍ତ ।

ଉଦ୍‌ଘାଟିତ ହୋଇଥିବା  ଓ ଦେଶ ଉଦ୍ଦେଶ୍ୟରେ ସମର୍ପିତ ହେବାକୁ ଥିବା ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଆଇଆଇଏମ୍ ରାଞ୍ଚିର ନୂତନ କ୍ୟାମ୍ପସ୍‌; ଆଇଆଇଟି ଆଇଏସ୍‌ଏମ୍ ଧାନବାଦର ନୂଆ ହଷ୍ଟେଲ; ବୋକାରୋରେ ପେଟ୍ରୋଲିୟମ ତୈଳ ଓ ଲୁବ୍ରିକାଂଟସ୍ (ପିଓଏଲ୍‌) ଡିପୋ ; ହଟିଆ – ପାକ୍ରା ସେକ୍ସନର ଦୋହରୀକରଣ, ତାଳଗଡ଼ିଆ – ବୋକାରୋ ସେକ୍ସନ ଏବଂ ସାରଙ୍ଗଡିହ – ପତ୍ରାତୁ ସେକ୍ସନ ଭଳି ଅନେକ ରେଳ ପ୍ରକଳ୍ପ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ଝାଡ଼ଖଣ୍ଡ ରାଜ୍ୟରେ ଶତ ପ୍ରତିଶତ ରେଳ ବିଦ୍ୟୁତିକରଣର ସଫଳତାକୁ ମଧ୍ୟ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାର ବିଭିନ୍ନ ସ୍ଥାନରେ ଆରମ୍ଭ ହେଲା ବିକଶିତ ଭାରତ ସଂକଳ୍ପ ଯାତ୍ରା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ଝାଡ଼ଖଣ୍ଡର ଖୁଣ୍ଟି ଠାରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’କୁ ଶୁଭାରମ୍ଭ କରିଥିବା ବେଳେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ଯାତ୍ରାକୁ ସମାନ୍ତରାଳ ଭାବେ ଆରମ୍ଭ କରାଯାଇଛି। ରାଜ୍ୟପାଳ ରଘୁବର ଦାସ କେନ୍ଦୁଝର ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ସେ ସଂକଳ୍ପ ଯାତ୍ରାର ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇଇସି) ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ସଂକଳ୍ପ ଯାତ୍ରାର ଏହି ସଚେତନତା ରଥ ବିଭିନ୍ନ ସ୍ଥାନ ପରିକ୍ରମା କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଶତପ୍ରତିଶତ ପ୍ରସାର ପାଇଁ ସଚେତନତା ସୃଷ୍ଟି କରିବ। ଯାତ୍ରା ଅବସରରେ ହିତାଧିକାରୀଙ୍କର ପଞ୍ଜୀକରଣ ମଧ୍ୟ କରାଯିବ। ସଚେତନତା ରଥରେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସାରଣ କରାଯାଇ ସରକାରୀ ଯୋଜନା ସମ୍ପର୍କରେ ହିତାଧିକାରୀଙ୍କୁ ସଚେତନ କରାଯିବ।

ଏହି ଅବସରରେ ଆୟୋଜିତ ସଭାରେ କେନ୍ଦୁଝର ଜିଲ୍ଲାପାଳ ଆଶୀଷ ଠାକରେ, ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅତିରିକ୍ତ ସଚିବ ରଞ୍ଜନା ଚୋପ୍ରା, ଚମ୍ପୁଆ ବିଧାୟକ ମିନାକ୍ଷୀ ମହନ୍ତ, ପାଟଣା ବିଧାୟକ ଜଗନ୍ନାଥ ନାୟକ, ସଦର ବିଧାୟକ ମୋହନ ଚରଣ ମାଝୀ, କେନ୍ଦୁଝର ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଲକ୍ଷ୍ମୀ ନାୟକ, କେନ୍ଦୁଝର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସାଗରିକା ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟପଟେ କେନ୍ଦ୍ର ଜନଜାତି ବ୍ୟାପାର ଓ ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଆୟୋଜିତ ସମାରୋହରେ ଉପସ୍ଥିତ ଜନସାଧାରଣଙ୍କୁ ସେ ବିକଶିତ ଭାରତ ସଂକଳ୍ପର ଶପଥ ପାଠ କରାଇଥିଲେ।

ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ମଧ୍ୟ ବ୍ୟାପକ ଜନଭାଗିଦାରୀ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆରମ୍ଭ ହୋଇଛି। ଏଥିରେ ବହୁସଂଖ୍ୟାରେ ଜନସାଧାରଣ ଯୋଗ ଦେଇ ‘ଆମ ସଂକଳ୍ପ ବିକଶିତ ଭାରତ’ ଶପଥ ପାଠ କରିଛନ୍ତି। ସେହିପରି କଳାହାଣ୍ଡି ଜିଲ୍ଲାରେ ମଧ୍ୟ ବିକଶିତ ଭାରତ ସଂକଳ୍ପ ଯାତ୍ରା ଶୁଭାରମ୍ଭ ହୋଇଛି।

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଫ୍ଲାଗଶିପ୍‌ ଯୋଜନାର ଶତପ୍ରତିଶତ ପ୍ରସାର ଲକ୍ଷ୍ୟ ହାସଲ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ଆଜି ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ର ଶୁଭାରମ୍ଭ କରିଛନ୍ତି। ଆଦିବାସୀ ବହୁଳ ଜନସଂଖ୍ୟା ଥିବା ଜିଲ୍ଲାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଯାତ୍ରା ଆରମ୍ଭ ହୋଇଛି ଏବଂ ୨୫ ଜାନୁଆରୀ ୨୦୨୪ ସୁଦ୍ଧା ଦେଶର ସବୁ ଜିଲ୍ଲାରେ ଯାତ୍ରା ପହଞ୍ଚିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

‘ଜନଜାତୀୟ ଗୌରବ ଦିବସ-୨୦୨୨’ ଉଦ୍‌ଯାପନରେ ସଫେଇ କର୍ମଚାରୀଙ୍କୁ ସମ୍ମାନିତ

ଭୁବନେଶ୍ୱର: ସ୍ଥାନୀୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନଠାରେ ନଭେମ୍ବର ୧୫ ତାରିଖରୁ ଆରମ୍ଭ ହୋଇଥିବା ସପ୍ତାହ ବ୍ୟାପୀ ‘ଜନଜାତୀୟ ଗୌରବ ଦିବସ-୨୦୨୨’ ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ସମାରୋହରେ ୭୫ ଜଣ ଜନଜାତି ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏତଦ୍‌ବ୍ୟତୀତ ୩ଟି ଆଦିବାସୀ ନୃତ୍ୟ ଆୟୋଜନ, ଜନଜାତି ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀ ଉପରେ ଆଧାରିତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ, ୧୨ଟି ଜନଜାତି ଗୋଷ୍ଠୀଙ୍କର କଳା ଓ କଳାବସ୍ତୁ ପ୍ରଦର୍ଶନୀ ଅନୁଷ୍ଠିତ ହେବା ସହ ସମଗ୍ର ଅନୁଷ୍ଠାନକୁ ଆଲୋକମାଳାରେ ସଜ୍ଜିତ କରାଯାଇ ଥିଲା ।

ଆଜି ଏହି ଉଦ୍‌ଯାପନୀ ଦିବସରେ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ପୂର୍ବତନ ନିର୍ଦ୍ଦେଶିକା ଶ୍ରୀମତୀ ସୁମିତା ଦାସ, ଯୁଗ୍ମ ନିର୍ଦ୍ଦେଶିକା କଳ୍ପନା ପଟ୍ଟନାୟକ, ଉପନିର୍ଦ୍ଦେଶକ ମାନସ ମହାପାତ୍ର ଓ ଶ୍ରୀମତୀ ଆରତୀ ମଲ୍ଲ, ଉପସ୍ଥିତ ରହି ଅନୁଷ୍ଠାନର ୨୯ ଜଣ ସଫେଇ କର୍ମଚାରୀଙ୍କୁ ୨୦୦୦ ଟଙ୍କା ଲେଖାଏଁ ଅର୍ଥରାଶି, ସାଲ୍‌ ଓ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଏତଦ୍‌ବ୍ୟତୀତ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ତି୍ରପାଠୀ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ୨୫ ଜଣ ଜନଜାତି କଳାକାରଙ୍କୁ ପ୍ରମାଣପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ଜନଜାତୀୟ ଗୌରବ ଦିବସ ପାଳନ

ଭୁବନେଶ୍ଵର: ଆଇକନିକ ସ୍ଵାଧୀନତା ସଂଗ୍ରାମୀ, ଆଦିବାସୀ ନେତା ଧର୍ତୀ ଆବା ଭଗବାନ ବୀର୍ସା ମୁଣ୍ଡାଙ୍କ ଜନ୍ମଦିବସକୁ ସ୍ମରଣୀୟ କରିବା ପାଇଁ ଆଜି ପୂର୍ବତଟ ରେଳପଥ ପକ୍ଷରୁ ଏହାର ମୁଖ୍ୟାଳୟ ସହିତ ଏହାର ସମସ୍ତ ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ଼, ୱାଲଟିୟର ଓ ସମ୍ବଲପୁର ଏବଂ ବିଭିନ୍ନ ରେଳ ଷ୍ଟେସନ ମାନଙ୍କରେ ଜନଜାତୀୟ ଗୌରବ ଦିବସ ପାଳନ କରାଯାଇଅଛି।

ଏହି ଦିବସକୁ ଆହୁରି ସ୍ମରଣୀୟ କରିବା ପାଇଁ ମୁଖ୍ୟାଳୟ ସହିତ ରେଳମଣ୍ଡଳ ମାନଙ୍କରେ ରେଳ କର୍ମଚାରୀ ମାନଙ୍କ ମଧ୍ୟରେ କୁଇଜ, ପ୍ରବନ୍ଧ ଓ ବକୃତା ପ୍ରତିଯୋଗୀତା ଆୟୋଜନ କରାଯାଇଥିବାବେଳେ ବିଭିନ୍ନ କ୍ରିଡା ଆୟୋଜନ କରଯାଇଥିଲା

ଏହି ଅବସରରେ ସଚେତନତା ପାଇଁ ମୁଖ୍ୟାଳୟ, ରେଳମଣ୍ଡଳ ଓ ଗୁରୁତ୍ବପୂର୍ଣ ଷ୍ଟେସନ ମାନଙ୍କରେ ବ୍ୟାନର ଲଗାଯାଇଥିବା ସହିତ ଷ୍ଟେସନ ମାନଙ୍କରେ ଯାତ୍ରୀ ସୂଚନା ଘୋଷଣା ମଧ୍ୟରେ ଜନଜାତୀୟ ଗୌରବ ଦିବସ ସମ୍ବନ୍ଧରେ ଅଡିଓ ବଜାଇ ଯାତ୍ରୀମାନଙ୍କୁ ସଚେତନତା କରଯାଇଥିଲା। ଏହା ବ୍ୟତୀତ ବିଭିନ୍ନ ସ୍ଥାନରେ କର୍ମଚାରୀ ମାନଙ୍କ ମଧ୍ୟରେ ଫୁଟବଲ କ୍ରିଡା ଆୟୋଜନ କରଯାଇଥିଲା।

Categories
ବିଶେଷ ଖବର

‘‘ଭଗବାନ ବିର୍ସା ମୁଣ୍ଡା ଆମ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଶକ୍ତିର ବାହକ ଥିଲେ’’: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଭିଡିଓ ବାର୍ତ୍ତା ଜରିଆରେ ଦେଶବାସୀଙ୍କୁ ଜନଜାତୀୟ ଗୌରବ ଦିବସର ଶୁଭକାମନା ଜଣାଇଛନ୍ତି। ସେ କହିଛନ୍ତି ଯେ, ଭଗବାନ ବିର୍ସା ମୁଣ୍ଡା ଏବଂ କୋଟି କୋଟି ଜନଜାତୀୟ ମହାନାୟକଙ୍କ ସ୍ବପ୍ନକୁ ସାକାର କରିବା ଲାଗି ଦେଶ ‘‘ପଞ୍ଚ ପ୍ରାଣ’’ର ଶକ୍ତିକୁ ନେଇ ଆଗକୁ ବଢ଼ୁଅଛି। ଜନଜାତୀୟ ଗୌରବ ଦିବସ ଜରିଆରେ ଦେଶ ନିଜ ଆଦିବାସୀ ପରମ୍ପରାକୁ ନେଇ ଗର୍ବ କରୁଛି ଏବଂ ଏହି ପଞ୍ଚ ପ୍ରାଣର ଊର୍ଜା ବଳରେ ଆଦିବାସୀ ସମୁଦାୟର ବିକାଶ ପାଇଁ ସଂକଳ୍ପ ନେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ, ୧୫ ନଭେମ୍ବର ହେଉଛି ଆଦିବାସୀ ପରମ୍ପରାର ଉତ୍ସବକୁ ପାଳନ କରିବାର ଏକ ଦିନ କାରଣ ଭଗବାନ ବିର୍ସା ମୁଣ୍ଡା କେବଳ ଆମ ସ୍ବାଧୀନତା ସଂଗ୍ରାମର ମହାନାୟକ ନଥିଲେ ବରଂ ଆମ ଆଧ୍ୟାତ୍ମିକତା ଏବଂ ସାଂସ୍କୃତିକ ଊର୍ଜାର ବାହକ ଥିଲେ।

ପ୍ରଧାନମନ୍ତ୍ରୀ ଆମ ସ୍ବାଧୀନତା ସଂଗ୍ରାମରେ ଜନଜାତି ସମୁଦାୟର ଯୋଗଦାନକୁ ମନେ ପକାଇ ଥିଲେ ଏବଂ ପ୍ରମୁଖ ଆଦିବାସୀ ଆନ୍ଦୋଳନ ଓ ସ୍ବାଧୀନତା ସଂଗ୍ରାମର ସ୍ମୃତିଚାରଣ କରିଥିଲେ। ସେ ତିଳକ ମାଞ୍ଝୀଙ୍କ ନେତୃତ୍ବରେ ଲଢ଼ା ଯାଇଥିବା ଦାମିନ ସଂଗ୍ରାମ, ବୁଦ୍ଧୁ ଭଗତଙ୍କ ଲାର୍କା ଆନ୍ଦୋଳନ, ସିଦ୍ଧୁ-କାହ୍ନୁ କ୍ରାନ୍ତି, ତାନା ଭଗତ ଆନ୍ଦୋଳନ, ଭେଗଦା ଭିଲ ଆନ୍ଦୋଳନ, ନାଏକଦା ଆନ୍ଦୋଳନ, ସନ୍ତ ଜୋରିୟା ପରମେଶ୍ବର ଏବଂ ରୁପ ସିଂ ନାୟକ, ଲିମଦି ଦାହୁଦ ଯୁଦ୍ଧ, ମାନଗଡ଼ର ଗୋବିନ୍ଦ ଗୁରୁଜୀ ଏବଂ ଆଲୁରି ସିତାରାମ ରାଜୁଙ୍କ ଅଧୀନରେ ରାମ୍ପା ଆନ୍ଦୋଳନର ସ୍ମୃତିଚାରଣ କରିଥିଲେ।

ଦେଶ ପାଇଁ ଜନଜାତି ସମୁଦାୟର ଯୋଗଦାନକୁ ଉପଲବ୍ଧି କରିବା ଏବଂ ପାଳନ କରିବା ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ ଦେଶର ବିଭିନ୍ନ ସ୍ଥାନରେ ନିର୍ମାଣ କରାଯାଇଥିବା ଜନଜାତି ସଂଗ୍ରହାଳୟ ବିଷୟରେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜନ ଧନ, ଗୋବର ଧନ, ବନ ଧନ, ସ୍ବୟଂ ସହାୟକ ଗୋଷ୍ଠୀ, ସ୍ବଚ୍ଛ ଭାରତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମାତୃତ୍ବ ବନ୍ଦନା ଯୋଜନା, ଗ୍ରାମୀଣ ସଡ଼କ ଯୋଜନା, ମୋବାଇଲ ସଂଯୋଗ, ଏକଲବ୍ୟ ବିଦ୍ୟାଳୟ, ୯୦ ପ୍ରତିଶତ ଜଙ୍ଗଲଜାତ ଉତ୍ପାଦ ପାଇଁ ଏମଏସପି, ସିକଲ ସେଲ୍‌ ଆନିମିଆ ଦୂରୀକରଣ, ଜନଜାତି ଗବେଷଣା ପ୍ରତିଷ୍ଠାନ, ମାଗଣା କରୋନା ଟିକା ଏବଂ ମିଶନ ଇନ୍ଦ୍ରଧନୁଷ ଭଳି ଯୋଜନା ଆଦିବାସୀ ସମୁଦାୟକୁ ବିଶେଷ ଭାବେ ଲାଭାନ୍ବିତ କରିଛି।

ଆଦିବାସୀ ସମାଜର ସାହସ, ସାମୁଦାୟିକ ଜୀବନ ଏବଂ ସମାବେଶିତା ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ‘‘ଏହି ମହାନ ପରମ୍ପରାରୁ ଶିକ୍ଷା ଲାଭ କରିବା ସହିତ ଭାରତ ନିଜ ଭବିଷ୍ୟତର ନିର୍ମାଣ କରିବା ଉଚିତ୍‌। ଜନଜାତୀୟ ଗୌରବ ଦିବସ ଏଥିପାଇଁ ଏକ ସୁଯୋଗ ଏବଂ ମାଧ୍ୟମ ସାଜିବ ବୋଲି ମୋର ବିଶ୍ବାସ ରହିଛି’’, ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଆୟୋଜିତ ହେବ ଜନଜାତୀୟ ଗୌରବ ଦିବସ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣାକ୍ରମେ ମହାନ ଜନଜାତି ସ୍ବାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ନଭେମ୍ବର ୧୫ ତାରିଖକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଛି। ଏହି କ୍ରମରେ ଭୁବନେଶ୍ବରସ୍ଥିତ କିସ୍‌ ବିଶ୍ବବିଦ୍ୟାଳୟ ପରିସରରେ ଜନଜାତୀୟ ଗୌରବ ଦିବସ ଆୟୋଜନ କରାଯିବ।

ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ କେନ୍ଦ୍ର ସଂସଦୀୟ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ। ଏହାଛଡ଼ା ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ସମାରୋହରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉମା ନନ୍ଦୁରୀ, ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଅବକାରୀ, ପର୍ଯ୍ୟଟନ ରାଷ୍ଟ୍ର ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର, ରାଜ୍ୟ ଆଇନ, ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଏହି ଅବସରରେ ଜନଜାତି ଉଦ୍ୟମୀ ଏବଂ ସଫଳ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବ। କିସ ଛାତ୍ରଛାତ୍ରୀଙ୍କ ଦ୍ବାରା ଜନଜାତି ନୃତ୍ୟ ପରିବେଷଣ କରାଯିବ। ବିଶିଷ୍ଟ ଜନଜାତି ଅତିଥି କଳାକାର ମାନେ କାର୍ଯ୍ୟକ୍ରମ ଅବସରରେ ଢେମସା ନୃତ୍ୟ ପରିବେଷଣ କରିବେ।

Categories
ଆଜିର ଖବର ଜାତୀୟ ଖବର

ଚଳିତ ବର୍ଷ ଜନଜାତୀୟ ଗୌରବ ଦିବସ ସମାରୋହର ନେତୃତ୍ବ ନେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ଅର୍ଜ୍ଜୁନ ମୁଣ୍ଡା

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ବର୍ଷ ଆୟୋଜନ ହେବାକୁ ଥିବା ଜନଜାତୀୟ ଗୌରବ ଦିବସ ସମାରୋହର ନେତୃତ୍ବ ନେବେ। ଶନିବାର ଦିନ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା। ଶ୍ରୀ ମୁଣ୍ଡା କହିଛନ୍ତି ଯେ, ନଭେମ୍ବର ୧୫ ତାରିଖରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଉପଲକ୍ଷେ ଜନଜାତୀୟ ଗୌରବ ଦିବସ ପାଳନ କରାଯିବ। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲା ଅନ୍ତର୍ଗତ ଉଲିହାଟୁ ଗ୍ରାମରେ ଥିବା ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନକୁ ଗସ୍ତ କରିବେ ଏବଂ ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହି ଅବସରରେ ରାଷ୍ଟ୍ରପତି ସଡ଼କ ଓ ପରିବହନ ଏବଂ ଶକ୍ତି ମନ୍ତ୍ରଣାଳୟର ବିଭିନ୍ନ ପ୍ରକଳ୍ପକୁ ଉଦଘାଟନ କରିବେ ଏବଂ ଖୁଣ୍ଟି ଠାରୁ ଭର୍ଚୁଆଲ ମାଧ୍ୟମରେ ବିଭିନ୍ନ ଏକଲବ୍ୟ ବିଦ୍ୟାଳୟ ପାଇଁ ଶିଳାନ୍ୟାସ କରିବେ। ସେ ଖୁଣ୍ଟି ଏବଂ ଆଖପାଖ ଅଞ୍ଚଳର ଟ୍ରାଇଫେଡ ଏବଂ ଏନଆରଏଲଏମର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଉଦବୋଧନ ଦେବେ।

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଆହୁରି ସୂଚନା ଦେଇଥିଲେ ଯେ, ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ଼ ନଭେମ୍ବର ୧୫ ତାରିଖରେ ନୂଆଦିଲ୍ଲୀର ସଂସଦ ଭବନ ପରିସରରେ ଥିବା ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବେ। ଏହି ଅବସରରେ ଅନ୍ୟ ସାଂସଦମାନେ ମଧ୍ୟ ଉପସ୍ଥିତ ରହିବେ।

ଅର୍ଜୁନ ମୁଣ୍ଡା କହିଥିଲେ ଯେ, ୧୫ରୁ ୨୨ ନଭେମ୍ବର ପର୍ଯ୍ୟନ୍ତ ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ବ୍ୟାପକ ସଂଖ୍ୟାରେ ଜାତୀୟ ଓ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ ଯେ କାଶ୍ମୀର ଠାରୁ କନ୍ୟାକୁମାରୀ ଏବଂ ଗୁଜରାଟ ଠାରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଦେଶର ବିଭିନ୍ନ ଗ୍ରାମ ଏବଂ ଉପାନ୍ତ ଅଞ୍ଚଳରେ ବ୍ୟାପକ ଆକାରରେ କାର୍ଯ୍ୟକ୍ରମ ଓ ସମାରୋହ ଆୟୋଜନ କରାଯିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ସେ କହିଥିଲେ ଯେ, ରାଜ୍ୟ ରାଜଧାନୀଗୁଡ଼ିକରେ ଯୁବଗୋଷ୍ଠୀଙ୍କ ଦ୍ବାରା ଶୋଭାଯାତ୍ରା ଆୟୋଜନ କରାଯିବ ଏବଂ ଆଦିବାସୀ କଳାକାରମାନେ ବିଭିନ୍ନ କାର୍ଯ୍ୟକ୍ରମ ପରିବେଶଣ କରିବେ। ସାରା ଦେଶରେ ସେମିନାର ଓ କର୍ମଶାଳା ଆୟୋଜନ କରାଯିବ; ପ୍ରବନ୍ଧ, ସଙ୍ଗୀତ, ନୃତ୍ୟ, କ୍ରୀଡ଼ା ଓ ଚିତ୍ରାଙ୍କନ ପ୍ରତିଯୋଗିତା, ସ୍ବଚ୍ଛତା ଅଭିଯାନ ଆୟୋଜନ ଲାଗି ଯୋଜନା କରାଯାଇଛି । ରାଜ୍ୟ ସରକାର ଏବଂ ରାଜ୍ୟ ଜନଜାତି ଗବେଷଣା ପ୍ରତିଷ୍ଠାନ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

ଶ୍ରୀ ଅର୍ଜୁନ ମୁଣ୍ଡା ଆହୁରି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ସରକାର, ବିର୍ସା ମୁଣ୍ଡାଙ୍କ ଜୟନ୍ତୀ, ନଭେମ୍ବର ୧୫ ତାରିଖକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରିବା ଲାଗି ଘୋଷଣା କରିଥିଲେ । ରାଷ୍ଟ୍ରର ଇତିହାସ ଓ ସଂସ୍କୃତିରେ ଜନଜାତି ସମୁଦାୟର ଯୋଗଦାନ ସ୍ମୃତିରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ସେ କହିଥିଲେ ଯେ ଏଥର ଦ୍ବିତୀୟ ବର୍ଷ ପାଇଁ ଜନଜାତୀୟ ଗୌରବ ଦିବସ ପାଳନ କରାଯିବ । ସବୁ ଜନଜାତି ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ଜଣାଇବା ଏବଂ ଜନଜାତି କ୍ଷେତ୍ର ଓ ସମୁଦାୟର ସାମାଜିକ-ଆଥିର୍କ ବିକାଶ ପାଇଁ ହେଉଥିବା ପ୍ରୟାସକୁ ତ୍ବରାନ୍ବିତ କରିବା ଲାଗି ଏହି ଦିବସ ଆୟୋଜନ କରାଯାଉଛି ।

ଜନଜାତୀୟ ଦିବସ ସମାରୋହ ପାଳନ ସମ୍ପର୍କରେ ଅଧିକରୁ ଅଧିକ ଲୋକଙ୍କୁ ସଚେତନ କରିବା ଏବଂ ସେମାନଙ୍କୁ ଏଥିରେ ସାମିଲ କରିବା ଲାଗି ଶ୍ରୀ ଅର୍ଜୁନ ମୁଣ୍ଡା ନିବେଦନ କରିଥିଲେ । ସେ ଆହୁରି କହିଥିଲେ ଯେ ସାରା ଦେଶରେ ୭୪୦ଟି ଇଏମଆରଏସ ସମ୍ପୂର୍ଣ୍ଣ କରିବା ଦିଗରେ ସୁଗମ ରୂପରେ କାର୍ଯ୍ୟ ଜାରି ରହିଛି ।

ଶ୍ରୀ ଅର୍ଜ୍ଜୁନ ମୁଣ୍ଡା କହିଥିଲେ ଯେ, ୨୦୪୭ରେ ଦେଶ ସ୍ବାଧୀନତାର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଉପାନ୍ତ ଅଞ୍ଚଳ, ଗ୍ରାମାଞ୍ଚଳରେ ରହୁଥିବା ଜନଜାତି ଲୋକମାନଙ୍କୁ ମୌଳିକ ସୁବିଧାସୁଯୋଗ, ନିଯୁକ୍ତି, ଶିକ୍ଷା ଆଦି ଯୋଗାଇ ଦେବା ପାଇଁ ଏକ ସଂକଳ୍ପ କରିବା ନିମନ୍ତେ ଜନଜାତୀୟ ଗୌରବ ଦିବସ ପାଳନ କରାଯାଉଛି ।

ଅଧିକ ସୂଚନା ଦେଇ ସେ କହିଥିଲେ ଯେ, ଜନଜାତୀୟ ଗୌରବ ଦିବସ ୨୦୨୨ ଭଳି ବିଶେଷ ଅବସରରେ ଟ୍ରାଇଫେଡ୍‌ ପକ୍ଷରୁ ଜନଜାତୀୟ ଉତ୍ପାଦକୁ ନେଇ ଏକ ସର୍ବଭାରତୀୟ କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ନିଷ୍ପତ୍ତି ନିଆଯାଇଛି । ୧୫ରୁ ୨୭ ନଭେମ୍ବର ପର୍ଯ୍ୟନ୍ତ ଇନ୍ଦୋରସ୍ଥିତ ଗ୍ରାମୀଣ ହାଟ ଠାରେ ଏକ ଆଦି ମହୋତ୍ସବ ଆୟୋଜନ କରାଯିବ । ୧୫ରୁ ୨୧ ନଭେମ୍ବର ପର୍ଯ୍ୟନ୍ତ ଭୁବନେଶ୍ବରର ଏକାମ୍ର ହାଟ ଠାରେ ଆଦି ବଜାର ଆୟୋଜନ କରାଯିବ । ସେହିପରି ୧୫ରୁ ୨୧ ନଭେମ୍ବର ପର୍ଯ୍ୟନ୍ତ ଦକ୍ଷିଣ ଗୌହାଟୀ ଠାରେ ଲକ୍ଷୀଧର ବୋରା କ୍ଷେତ୍ର ଦିଗାଲି ପୁଖୁରୀ ଠାରେ ଆଉ ଏକ ଆଦି ବଜାର ଆୟୋଜନ କରାଯିବ । ପୁଡୁଚେରୀ ହସ୍ତଶିଳ୍ପ ବଜାର ଠାରେ ମଧ୍ୟ ଏହି ସମୟରେ ଏକ ଆଦି ବଜାର ଆୟୋଜିତ ହେବ । ଡେରାଡୁନର ଚକ୍ରତା ରୋଡ ସ୍ଥିତ ଫରେଷ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ ଠାରେ ୧୫ରୁ ୨୧ ନଭେମ୍ବର ପର୍ଯ୍ୟନ୍ତ ଆଦି ବଜାର ଏବଂ କୋଲକାତାସ୍ଥିତ ଇଣ୍ଡିଆନ ମ୍ୟୁଜିୟମ ଠାରେ ୧୫ରୁ ୨୪ ନଭେମ୍ବର ପର୍ଯ୍ୟନ୍ତ ଆଦି ଚିତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ଯୋଜନା ପ୍ରସ୍ତୁତି କରାଯାଇଛି ।

ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ସାରା ଦେଶର ୩୯୨ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯିବ । ନଭେମ୍ବର ୧୫ ତାରିକରେ ଏକ ପ୍ରବନ୍ଧ ରଚନା ପ୍ରତିଯୋଗିତା ଏବଂ ୧୬ ତାରିଖରେ ପୋଷ୍ଟର ତିଆରି ପ୍ରତିଯୋଗିତା ଆୟୋଜିତ ହେବ । ନଭେମ୍ବର ୧୭ ତାରିଖରେ  ନୃତ୍ୟ ପ୍ରତିଯୋଗିତା, ୧୮ ତାରିଖରେ ସ୍କିଟ୍ ପ୍ରତିଯୋଗିତା, ୧୯ ତାରିଖରେ କବିତା ଓ ସଙ୍ଗୀତ ପ୍ରତିଯୋଗିତା, ୨୧ ତାରିଖରେ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି ।

ବିଭିନ୍ନ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଠାରେ ସ୍ବାଧୀନତା ସଂଗ୍ରାମରେ ଯୋଗଦାନ ଦେଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ଉପରେ ଆଧାରିତ ସେମିନାର, ୱେବିନାର ଏବଂ ବିତର୍କ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

ରେଳବାଇ, ଶିକ୍ଷା ଓ ସଂସ୍କୃତି ଭଳି କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ପ୍ରସ୍ତୁତି କରାଯାଇଛି । ସାରା ଦେଶରେ ଆୟୋଜିତ ହେବାକୁ ଥିବା ଏସବୁ କାର୍ଯକ୍ରମରେ ଜନଜାତୀୟ ଗୌରବ ଦିବସର ମହତ୍ବ ଏବଂ ଜନଜାତିଙ୍କ ଗୌରବ ତଥା ଜନଜାତି ସ୍ବାଧୀନତା ସଂଗ୍ରାମୀମାନଙ୍କ ବିଷୟରେ ପ୍ରଚାରପ୍ରସାର କରାଯିବ ।

କାର୍ଯ୍ୟକ୍ରମର ହାଶଟ୍ୟାଗ୍‌ #JanjatiyaGauravDivas ରଖାଯାଇଛି ଏବଂ ଜନଜାତିଙ୍କ ସହ ଜଡ଼ିତ ଯୋଜନା ଏବଂ କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର ନିମନ୍ତେ ଏହାକୁ ଉପଯୋଗ କରାଯିବ । ଏହା ସରକାରଙ୍କ ବିକାଶମୂଳକ ପ୍ରୟାସକୁ ମଧ୍ୟ ବ୍ୟାପକ ପ୍ରଚାର କରିବ ।

Categories
ଜାତୀୟ ଖବର ବିଶେଷ ଖବର

ଭଗବାନ ବିର୍ସା ମୁଣ୍ଡା ସ୍ମୃତି ଉଦ୍ୟାନ ସହ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ରାଞ୍ଚି: ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ‘ଜନଜାତୀୟ ଗୌରବ ଦିବସ’ ଭାବେ ପାଳନ କରିବା ଲାଗି ଭାରତ ସରକାର ଘୋଷଣା କରିଛନ୍ତି। ଏହି ଉପଲକ୍ଷେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଗବାନ ବିର୍ସା ମୁଣ୍ଡା ସ୍ମୃତି ଉଦ୍ୟାନ ସହ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟର ଉଦଘାଟନ କରିଛନ୍ତି। ରାଞ୍ଚି ଠାରେ ନିର୍ମାଣ କରାଯାଇଥିବା ଏହି ସଂଗ୍ରହାଳୟ ତଥା ଉଦ୍ୟାନକୁ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଥିଲେ। ଝାଡ଼ଖଣ୍ଡ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ର ମନ୍ତ୍ରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ।

ସମାରୋହରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସ୍ୱାଧୀନତାର ଏହି ଅମୃତ କାଳରେ, ଭାରତର ଜନଜାତି ପରମ୍ପରା ଏବଂ ଏହାର ଗୌରବଶାଳୀ କାହାଣୀକୁ ଅଧିକ ଅର୍ଥପୂର୍ଣ୍ଣ ଏବଂ ବ୍ୟାପକ ପରିଚୟ ଦେବା ଲାଗି ଦେଶ ନିଷ୍ପତ୍ତି ନେଇସାରିଛି। ଏଥିପାଇଁ, ପ୍ରତି ବର୍ଷ ନଭେମ୍ବର ୧୫ ତାରିଖରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ସାରା ଦେଶରେ ‘ଜନଜାତୀୟ ଗୌରବ ଦିବସ’ ଭାବେ ପାଳନ କରିବା ଲାଗି ଐତିହାସିକ ନିଷ୍ପତ୍ତି ଆଜି ଠାରୁ ଗ୍ରହଣ କରାଯାଇଥିବା ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଐତିହାସିକ ଅବସରରେ ସେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ପ୍ରଧାନମନ୍ତ୍ରୀ ମଧ୍ୟ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ, ଯାହାଙ୍କ ଦୃଢ଼ ଇଚ୍ଛାଶକ୍ତି କାରଣରୁ ଝାଡ଼ଖଣ୍ଡ ରାଜ୍ୟ ଗଠନ ସମ୍ଭବ ହୋଇପାରିଛି। ଶ୍ରୀ ମୋଦୀ କହିଥିଲେ ଯେ, ଅଟଳ ବିହାରୀ ବାଜପେୟୀ ହିଁ ପ୍ରଥମ ଥର ଲାଗି ଦେଶର ସରକାରରେ ଜନଜାତିଙ୍କ ପାଇଁ ଏକ ସ୍ୱତନ୍ତ୍ର ମନ୍ତ୍ରଣାଳୟ ଗଠନ କରିଥିଲେ ଏବଂ ଦେଶର ନୀତି ନିର୍ମାଣ ସହିତ ଜନଜାତିମାନଙ୍କ ସ୍ୱାର୍ଥକୁ ଯୋଡ଼ି ପାରିଥିଲେ।

ଭଗବାନ ବିର୍ସା ମୁଣ୍ଡା ସ୍ମୃତି ଉଦ୍ୟାନ ସହ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ପାଇଁ ଦେଶର ଜନଜାତି ସମାଜ, ଭାରତର ପ୍ରତ୍ୟେକ ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ, “ଏହି ସଂଗ୍ରହାଳୟ ବିବିଧତାରେ ପରିପୂର୍ଣ୍ଣ ଆମ ଜନଜାତି ସଂସ୍କୃତିର ଏକ ଜୀବନ୍ତ କେନ୍ଦ୍ରରେ ପରିଣତ ହେବ, ଏହା ସ୍ୱାଧୀନତା ସଂଗ୍ରାମରେ ଆମ ଜନଜାତି ନାୟକ ଓ ନାୟିକାମାନଙ୍କର ଯୋଗଦାନକୁ ପ୍ରଦର୍ଶିତ କରିବ।”

ଭଗବାନ ବିର୍ସା ମୁଣ୍ଡାଙ୍କ ଦୂରଦୃଷ୍ଟି ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଭଗବାନ ବିର୍ସା ମୁଣ୍ଡା ଜାଣିଥିଲେ ଯେ ଆଧୁନିକତାର ନାମରେ ବିବିଧତା, ପ୍ରାଚୀନ ପରିଚୟ ଏବଂ ପ୍ରକୃତିକୁ ନଷ୍ଟ କରିବା ଦ୍ୱାରା ସମାଜର କଲ୍ୟାଣ ହୋଇପାରିବ ନାହିଁ। ଏଥିସହିତ ସେ ଆଧୁନିକ ଶିକ୍ଷାର ଜଣେ ସମର୍ଥକ ଥିଲେ ଏବଂ ନିଜ ସମାଜରେ ରହିଥିବା କଳୁଷତା ଏବଂ କୁପ୍ରଥା ବିରୋଧରେ ମୁହଁ ଖୋଲିବା ଲାଗି ସେ ସାହସ କରିପାରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତକୁ କ୍ଷମତା ହସ୍ତାନ୍ତର କରିବା ଏବଂ ଭାରତୀୟମାନଙ୍କ ହାତରେ ଭାରତ ପାଇଁ ନିଷ୍ପତ୍ତି ନେବାର ଶକ୍ତି ଦେବା ସ୍ୱାଧୀନତା ସଂଗ୍ରାମର ଲକ୍ଷ୍ୟ ଥିଲା। କିନ୍ତୁ, ଏଥିସହିତ ‘ଧରତୀ ଆବା’ (ବିର୍ସା ମୁଣ୍ଡା)ଙ୍କ ପାଇଁ ସଂଘର୍ଷର ଲକ୍ଷ୍ୟ ଥିଲା ଭାରତୀୟ ଜନଜାତି ସମାଜର ପରିଚୟକୁ ନଷ୍ଟ କରିବା ଲାଗି ହେଉଥିବା ଉଦ୍ୟମ ବିରୋଧରେ ସ୍ୱର ଉତ୍ତୋଳନ କରିବା।

ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ ଯେ, “ଭଗବାନ ବିର୍ସା ମୁଣ୍ଡା ସମାଜ ପାଇଁ ବଞ୍ଚିଥିଲେ, ନିଜର ସଂସ୍କୃତି ଓ ଦେଶ ପାଇଁ ନିଜ ଜୀବନକୁ ବଳୀଦାନ ଦେଇଥିଲେ। ତେଣୁ ସେ ଆଜି ମଧ୍ୟ ଆମ ବିଶ୍ୱାସରେ, ଆମ ଭାବନାରେ ଆମର ଭଗବାନ ଭାବେ ଜୀବିତ ଅଛନ୍ତି।” ପ୍ରଧାନମନ୍ତ୍ରୀ ପୁଣି କହିଥିଲେ ଯେ, ଧରତୀ ଆବା ଏ ଦୁନିଆରେ ବେଶୀଦିନ ପର୍ଯ୍ୟନ୍ତ ବଞ୍ଚିନଥିଲେ। କିନ୍ତୁ ସେ ସ୍ୱଳ୍ପ ସମୟର ଜୀବନକାଳ ମଧ୍ୟରେ ସେ ଦେଶ ପାଇଁ ଏକ ସମ୍ପୂର୍ଣ୍ଣ ଇତିହାସ ରଚନା କରିଯାଇଛନ୍ତି ଏବଂ ଭାରତର ଅନେକ ପିଢ଼ିକୁ ମାର୍ଗଦର୍ଶନ କରିଯାଇଛନ୍ତି।

Categories
ବିଶେଷ ଖବର

ନଭେମ୍ବର ୧୫କୁ ଜନଜାତୀୟ ଗୌରବ ଦିବସ ଘୋଷଣା ପାଇଁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି (ତା୧୦-୧୧-୨୧) ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ନଭେମ୍ବର ୧୫ତାରିଖକୁ ଜନଜାତୀୟ ଗୌରବ ଦିବସଭାବେ ପାଳନ କରିବା ପ୍ରସ୍ତାବ ଅନୁମୋଦିତ ହୋଇଛି। ମହାନ୍ ପରାକ୍ରମୀ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ଏହି ଦିବସକୁ ଉତ୍ସର୍ଗ କରାଯାଇଛି। ଏହାଫଳରେ ଆଗାମୀ ପିଢି ଦେଶ ପାଇଁ ଏହି ମହାନ୍ ଆଦିବାସୀ ସଂଗ୍ରାମୀମାନଙ୍କର ବଳିଦାନ ସମ୍ପର୍କରେ ଅବଗତ ହୋଇପାରିବେ। ଭାରତୀୟ ସ୍ୱାଧୀନତା ସଂଗ୍ରାମର ମୂଳଦୁଆ ଅନେକ ଆଦିବାସୀ ଗୋଷ୍ଠୀ ଯେପରିକି ସାନ୍ତାଳ, ତମାର, କୋହ୍ଲ, ଭିଲ, ଖାସୀ ଓ ମିଜୋ ଯୋଗୁଁ ମଜବୁତ ହୋଇଥିଲା। ବିଭିନ୍ନ ଆଦିବାସୀ ଗୋଷ୍ଠୀଙ୍କ ଦ୍ୱାରା ବୈପ୍ଲବିକ ଆନ୍ଦୋଳନ ସେମାନଙ୍କ ଅସୀମ ପରାକ୍ରମ ଓ ଚରମ ତ୍ୟାଗ ଯୋଗୁଁ ସମ୍ଭବ ହୋଇଥିଲା। ଦେଶର ବିଭିନ୍ନ ପ୍ରାନ୍ତରେ ବ୍ରିଟିଶ ଉପନିବେଶୀୟ ଶାସନ ବିରୁଦ୍ଧରେ ହୋଇଥିବା ଆଦିବାସୀ ଆନ୍ଦୋଳନ ସ୍ୱାଧୀନତା ସଂଗ୍ରାମ ସହ ଯୋଡି ହୋଇ ଦେଶବ୍ୟାପୀ ଭାରତୀୟମାନଙ୍କୁ ଉତ୍ସାହିତ କରିଥିଲା। ତେବେ ଅଧିକାଂଶ ଆଦିବାସୀ ବୀରମାନଙ୍କ ସମ୍ପର୍କରେ ବିଶେଷ ଜାଣନ୍ତି ନାହିଁ। ୨୦୧୬ ମସିହା ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁସାରେ ଭାରତ ସରକାର ଦେଶବ୍ୟାପୀ ଦଶଟି ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ସ୍ଥାପନ ପାଇଁ ମଞ୍ଜୁରି ପ୍ରଦାନ କରିଛନ୍ତି।

ଏହି ଦିବସଟି ହେଉଛି ବିର୍ସା ମୁଣ୍ଡାଙ୍କ ଶତବାର୍ଷିକୀ ଯାହାଙ୍କୁ ଦେଶବ୍ୟାପୀ ଆଦିବାସୀମାନେ ଭଗବାନଭାବେ ମାନନ୍ତି। ବିର୍ସାମୁଣ୍ଡା ବ୍ରିଟିଶ ଉପନିବେଶୀୟ ଶୋଷଣ ବିରୁଦ୍ଧରେ ଅସୀମ ସାହସର ସହ ସୁଦୀର୍ଘ ସଂଗ୍ରାମର ନେତୃତ୍ୱ ନେଉଥିଲେ ଯାହା ଉଲଗୁଲାନ(ବିପ୍ଳବ) ନାମରେ ପ୍ରସିଦ୍ଧି ଲାଭ କରିଥିଲା। ଜନଜାତୀୟ ଗୌରବ ଦିବସ ଘୋଷଣା ଆଦିବାସୀ ଜନମାନସର ଗୌରବମୟ ଇତିହାସ ଓ ସାଂସ୍କୃତିକ ଐତିହ୍ୟର ଏକ ସ୍ୱୀକୃତି। ଏହି ଦିବସ ପ୍ରତିବର୍ଷ ପାଳିତ ହୋଇ ଆଦିବାସୀମାନଙ୍କ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ, ଭାରତୀୟ ମୂଲ୍ୟବୋଧ ଓ ଶୌର୍ଯ୍ୟ, ସେବା ଓ ଜାତୀୟ ଗର୍ବ ଲୋକଲୋଚନକୁ ଆଣିବ । ବିର୍ସା ମୁଣ୍ଡା ଶେଷ ନିଶ୍ୱାସ ତ୍ୟାଗ କରିଥିବା ରାଞ୍ଚିର ଜନଜାତି ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବେ।

ଭାରତ ସରକାର ନଭେମ୍ବର ୧୫ରୁ ୨୨, ୨୦୨୧ ପର୍ଯ୍ୟନ୍ତ ସାତଦିନ ଧରି ଆଦିବାସୀମାନଙ୍କ ୭୫ବର୍ଷର ଗୌରବମୟ ଇତିହାସ ସଂସ୍କୃତି ଓ ସାଫଲ୍ୟକୁ ଉତ୍ସବଭାବେ ପାଳନ କରିବାକୁ ସ୍ଥିର କରିଛନ୍ତି।

ଏହି ଉତ୍ସବ ପାଳନର ଅଂଶସ୍ୱରୂପ ଅନେକ କାର୍ଯ୍ୟକ୍ରମ କେନ୍ଦ୍ର ଓ ରାଜ୍ୟ ସରକାର ହାତକୁ ନେଇଛନ୍ତି। ପ୍ରତ୍ୟେକ କାର୍ଯ୍ୟକ୍ରମ ମୂଳରେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଆଦିବାସୀମାନଙ୍କ ଅବଦାନ ଭାରତ ସରକାରଙ୍କ ଦ୍ୱାରା ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ଭିତ୍ତିଭୂମି ଓ କୌଶଳ ବିକାଶ କ୍ଷେତ୍ରରେ ନିଆଯାଉଥିବା କଲ୍ୟାଣ ମୂଳକ ପଦକ୍ଷେପ ସମ୍ପର୍କରେ ବର୍ଣ୍ଣନା ରହିବ। କାର୍ଯ୍ୟକ୍ରମ ଗୁଡିକରେ ଅନନ୍ୟ୍ୟ ଆଦିବାସୀ  ସାଂସ୍କୃତିକ ଐତିହ୍ୟ, ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କ ଅବଦାନ, ଅଧିକାର ଚଳଣି, ପରମ୍ପରା, ସ୍ୱାସ୍ଥ୍ୟ, ଶିକ୍ଷା, ଖାଦ୍ୟପେୟ ଓ ଜୀବନଜୀବିକାର ଝଲକ ରହିବ।