Categories
ଜାତୀୟ ଖବର ବିଶେଷ ଖବର

ଦୁଇ ଦିନିଆ ଜନଜାତି ଅଭିମୁଖୀକରଣ କାର୍ଯ୍ୟକ୍ରମ ‘ଆଦି ବ୍ୟାଖ୍ୟାନ’ ଉଦ୍‌ଘାଟିତ

ନୂଆଦିଲ୍ଲୀ: କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ନୂଆଦିଲ୍ଲୀରେ ଦୁଇ ଦିନିଆ ଜନଜାତି ଅଭିମୁଖୀ କାର୍ଯ୍ୟକ୍ରମ ‘ଆଦି ବ୍ୟାଖ୍ୟାନ’ କୁ ଉଦ୍‌ଘାଟନ କରିଛନ୍ତି । ଜାତୀୟ ଜନଜାତି ଗବେଷଣା ପ୍ରତିଷ୍ଠାନ (ଏନ୍‌ଟିଆରଆଇ) ପକ୍ଷରୁ ଜନଜାତି ପରମ୍ପରା ଓ ସଂସ୍କୃତିର ଜଟିଳତାକୁ ଗଭୀର ଭାବରେ ବୁଝିବା ଏବଂ ସେମାନଙ୍କ ଅସ୍ତିତ୍ୱ ପ୍ରତି ଥିବା ଆହ୍ୱାନ ଗୁଡ଼ିକୁ ଖୋଜି ବାହାର କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଜନଜାତି ମାନଙ୍କ ପରିଚୟ ଏବଂ ଦେଶର ସାଂସ୍କୃତିକ ବିବିଧତା କ୍ଷେତ୍ରରେ ଜନଜାତି ମାନଙ୍କ ଅବଦାନକୁ ଖୋଜି ବାହାର କରିବା ପାଇଁ ଏହା ଏକ ପଦକ୍ଷେପ ।

ପଞ୍ଚାୟତ (ଅନୁସୂଚିତ ଅଞ୍ଚଳ ସମ୍ପ୍ରସାରଣ) (ପିଇଏସ୍‌ଏ) ଆଇନ, ୧୯୯୬, ଜଙ୍ଗଲ ଅଧିକାର ଆଇନ (ଏଫ୍‌ଆର୍‌ଏ), ୨୦୦୬, ଅନୁସୂଚିତ ଜାତି / ଜନଜାତି ଅତ୍ୟାଚାର ନିବାରଣ ଆଇନ, ୧୯୮୯ର ସୂକ୍ଷ୍ମତାକୁ ଉନ୍ମୋଚନ କରିବା ପାଇଁ ଆଦି ବ୍ୟାଖ୍ୟାନ ଜନଜାତି ସମ୍ପ୍ରଦାୟ ମାନଙ୍କୁ ଭାରତର ପରିସଂଖ୍ୟାନ ସୂଚନା ଏବଂ ସାମ୍ବିଧାନିକ ସୁରକ୍ଷା ବ୍ୟବସ୍ଥା ସହିତ ପରିଚିତ କରାଇବ । ଏହା ଜନଜାତି ଶାସନ ଏବଂ ଜମି ଅଧିକାରକୁ ଆକାର ଦେଉଥିବା ଆଇନଗତ ଢାଞ୍ଚା ବିଷୟରେ ମୂଲ୍ୟବାନ ଜ୍ଞାନ ପ୍ରଦାନ କରିବ ଏବଂ ଜନଜାତି ଲୋକମାନେ ଏହାକୁ ଗଭୀର ଭାବେ ବୁଝିବା ପାଇଁ ମଞ୍ଚ ପ୍ରସ୍ତୁତ କରିବ ବୋଲି ଆଶା କରାଯାଉଛି । ଉଦଘାଟନୀ କାର୍ଯ୍ୟକ୍ରମରେ ୫ଟି ରାଜ୍ୟ (ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା ଓ ଆସାମ) ର ମୁଣ୍ଡା ସମ୍ପ୍ରଦାୟର ପ୍ରତିନିଧିମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ।

ଉଦ୍‌ଘାଟନୀ ଭାଷଣ ଦେଇ ଶ୍ରୀ ଅର୍ଜୁନ ମୁଣ୍ଡା ଜନଜାତି ମାନଙ୍କ ପରିଚୟ, ସେମାନଙ୍କ ମାନ୍ୟତା ଓ ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଜନଜାତି ପରିଚୟ ବଜାୟ ରଖିବା ପାଇଁ ଜନଜାତି ଭାଷା ଓ ସାହିତ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ । ଜନଜାତି ମାନଙ୍କ ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (ପିଏମ – ଜନମନ) ସମେତ ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି) ପାଇଁ ସରକାରଙ୍କ ପ୍ରୟାସ ଉପରେ ମନ୍ତ୍ରୀ ଆଲୋକପାତ କରିଥିଲେ ।

ଏଫଆରଏ, ୨୦୦୬ ; ପିଇଏସ୍‌ଏ, ୧୯୯୬; ଅନୁସୂଚିତ ଜାତି / ଜନଜାତି ଅତ୍ୟାଚାର ନିବାରଣ ଆଇନ, ୧୯୮୯  ଉପରେ ଆଲୋଚନାକୁ ଆଗକୁ ବଢାଇବା ପାଇଁ ଶ୍ରୀ ମୁଣ୍ଡା ଆଦି ମନ୍ଥନକୁ ପ୍ରଶଂସା କରିଥିଲେ; ଏବଂ ଜନଜାତି ସମ୍ପ୍ରଦାୟ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏନ୍‌ଟିଆରଆଇ ଭଳି ଗବେଷଣା ଅନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଭାରତୀୟ ସମ୍ବିଧାନରେ ଜନଜାତି ମାନଙ୍କ ସମ୍ପର୍କିତ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇବାର ଆବଶ୍ୟକତା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଜନଜାତି ସମ୍ପ୍ରଦାୟର କଲ୍ୟାଣ ପାଇଁ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ବିଷୟରେ ପୁନଃଦୃଷ୍ଟି ଦେବା ଓ ପୁନର୍ବିଚାର କରିବାର ଆବଶ୍ୟକତାକୁ ସେ ସ୍ୱୀକାର କରିଥିଲେ ।

ଏନ୍‌ଟିଆରଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ପ୍ରଫେସର ନୁପୁର ତିୱାରୀ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମର ରୂପରେଖ ପ୍ରଦାନ କରି କହିଥିଲେ ଯେ ଭାରତରେ ଜନଜାତି ସମ୍ପ୍ରଦାୟ ମାନଙ୍କ ସହ ଆଲୋଚନା ଏବଂ ଯୋଗାଯୋଗକୁ ଉତ୍ସାହିତ କରିବା ପାଇଁ ଆଦି ବ୍ୟାଖ୍ୟାନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଭାରତ ମୁଣ୍ଡା ସମାଜର ସଭାପତି ଏତୱା ମୁଣ୍ଡା କହିଛନ୍ତି ଯେ ଏଭଳି ଆଲୋଚନାଚକ୍ର ଆଦିବାସୀଙ୍କ ଭାଷା ଓ ସଂସ୍କୃତିର ସୁରକ୍ଷା ଓ ସଂରକ୍ଷଣରେ ସହାୟକ ହେବା ସହ ଭବିଷ୍ୟତ ପିଢ଼ିକୁ ମାର୍ଗଦର୍ଶନ କରିବାରେ ସହାୟକ ହେବ । ଭାରତ ମୁଣ୍ଡା ସମାଜର ଉପସଭାପତି ଶ୍ରୀମତୀ ରୂପଲକ୍ଷ୍ମୀ ମୁଣ୍ଡା ଜନଜାତି ସମାଜରେ ନାରୀ ପ୍ରଗତି ଓ ସେମାନଙ୍କ ଆହ୍ୱାନ ଉପରେ ଆଲୋକପାତ କରିଥିଲେ । ତାଙ୍କ ମତରେ ଆଦିବ୍ୟାଖ୍ୟାନ ଆଲୋଚନା ଜନଜାତି ମହିଳାଙ୍କ ମୁକ୍ତି ପାଇଁ ଏକ ମଞ୍ଚ ଭାବେ କାମ କରିପାରେ ।

ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ଜନଜାତି ବ୍ୟାପାର ମନ୍ତ୍ରଣାଳୟ (ଏମ୍‌ଓଟିଏ) ଅଧୀନରେ ଆଦିବାସୀ ବିକାଶର ସର୍ବୋତ୍ତମ ଅଭ୍ୟାସ ପ୍ରଦର୍ଶନ କରାଯିବ । ଏହାବ୍ୟତୀତ କଳା ନିଧି ଏବଂ ଏନ୍‌ଟିଆରଆଇ ନେତୃତ୍ୱାଧୀନ ଜନଜାତି ସଂଗ୍ରହାଳୟ ପରିଦର୍ଶନ ଆମ ଜନଜାତି ଐତିହ୍ୟର ସାଂସ୍କୃତିକ ସମୃଦ୍ଧିର ଏକ ମୂଲ୍ୟବାନ ଝଲକ ପ୍ରଦାନ କରିବ ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଆସନ୍ତା ୨୧ ଯାଏଁ ଚାଲିବ ଜନଜାତି ଚିତ୍ରକଳା ପ୍ରଦର୍ଶନୀ, ଉଦଜାପିତ ହେଲା କର୍ମଶାଳା

ଭୁବନେଶ୍ୱର: ‘ଜନଜାତୀୟ ଗୌରବ ଦିବସ’ ପାଳନ ଅବସରରେ ଭୁବନେଶ୍ୱରସ୍ଥିତ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ବା ଏସସିଏସଟିଆରଟିଆଇ ପକ୍ଷରୁ ଜନଜାତି ଚିତ୍ରକଳା ପ୍ରଦର୍ଶନୀ ନଭେମ୍ବର ୨୧ ଯାଏଁ ଜନସାଧାରଣଙ୍କ ପାଇଁ ପ୍ରଦର୍ଶିତ ହେବ। ଆସନ୍ତା ୨୨ ଓ ୨୩ ତାରିଖରେ ଜନଜାତି କବି ସମ୍ମିଳନୀ ଆୟୋଜନ କରାଯିବ। ଏଥିରେ ୪୦ ଜଣ ଆଦିବାସୀ କବି ଭାଗନେଇ ନିଜ ନିଜ ଭାଷାରେ କବିତା ପାଠ କରିବେ।

ନଭେମ୍ବର ୧୫ ତାରିଖରୁ ଆରମ୍ଭ ହୋଇଥିବା ବିଶେଷ କର୍ମଶାଳା ଉଦଯାପିତ ହୋଇଛି। ନଭେମ୍ବର ୧୫ରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀଙ୍କ ପ୍ରେରଣା ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ସାରା ଦେଶରେ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି, ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଆଦିବାସୀ ଜୀବନ, କଳା ଓ ସଂସ୍କୃତିର ପ୍ରସାର ପାଇଁ ବ୍ୟାପକ କାର‌୍ୟ୍ୟକ୍ରମ କରାଯାଉଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ପ୍ରମୁଖ ଉପଦେଷ୍ଟା (ସ୍ୱତନ୍ତ୍ର କାର‌୍ୟ୍ୟକ୍ରମ) ଆର୍. ବାଲାକ୍ରିଷ୍ଣନ ଜନଜାତି ଚିତ୍ରକଳା କର୍ମଶାଳାକୁ ଉଦଯାପନ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୨୫ ଜଣ ଯୁବ ଆଦିବାସୀ ଶିଳ୍ପୀ ଏକ ତିନିଦିନିଆ କର୍ମଶାଳା ଅବସରରେ କରିଥିବା ବିଭିନ୍ନ ଚିତ୍ରାକୃତିକୁ ଦେଖି ସେ ପ୍ରଶଂସା କରିଥିଲେ। ଏହି ଅବସରରେ ପ୍ରତ୍ୟେକ ଯୁବ ଶିଳ୍ପୀଙ୍କୁ ସ୍ବତନ୍ତ୍ର ବିକାଶ ପରିଷଦ ପକ୍ଷରୁ ୨୦ ହଜାର ଲେଖାଏଁ ପୁରସ୍କାର ରାଶି ଦେବାକୁ ଘୋଷଣା କରାଯାଇଛି।

ଏହି ଅବସରରେ ସେ କହିଛନ୍ତି, ଆଦିବାସୀ ସଂସ୍କୃତି ଓ କଳା ସମ୍ପର୍କରେ ଅଧିକ ଜାଣିବା ପାଇଁ ମୁଁ ସର୍ବଦା ଆଗ୍ରହୀ। ରାଜ୍ୟ ଜନଜାତି ସଂଗ୍ରହାଳୟରେ ପ୍ରଦର୍ଶିତ ଏହି ଚିତ୍ରାଙ୍କନ ଗୁଡ଼ିକ ଭିତରେ ଆଦିବାସୀଙ୍କ ଜୀବନଯାପନ, ସଙ୍ଗୀତ, ନୃତ୍ୟ ଏବଂ ବିଭିନ୍ନ ସାମାଜିକ ତଥା ସାଂସ୍କୃତି ବିଭବ ବେଶ୍ ସୁନ୍ଦର ଭାବେ ଫୁଟି ଉଠିଛି। ଓଡ଼ିଶାର ଅନନ୍ୟ ଆଦିବାସୀ ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ଦିଗରେ ଏଭଳି ପଦକ୍ଷେପ ନିଶ୍ଚିତ ସ୍ବାଗତଯୋଗ୍ୟ।

ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ ଯୋଗଦେଇ ଜନଜାତି ଚିତ୍ରଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ। ଜନଜାତୀୟ ଗୌରବ ଦିବସ ପାଳନ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା ବିଭିନ୍ନ କାର‌୍ୟ୍ୟକ୍ରମ ଆଦିବାସୀଙ୍କ ଜୀବନ ଓ ସଂସ୍କୃତି ସହ ନୂଆ ପିଢ଼ିକୁ ଯୋଡ଼ିବାରେ ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି।

କାର୍ଯ୍ୟକ୍ରମରେ ଏସସିଏସଟିଆରଟିଆଇ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣୀ ତ୍ରିପାଠୀ, ବି.କେ କଲେଜ ଅଫ୍ ଆର୍ଟ୍ସ ଆଣ୍ଡ କ୍ରାଫ୍ଟର ଅଧ୍ୟକ୍ଷ ଗଜେନ୍ଦ୍ର କୁମାର ପାଢ଼ୀ ଏବଂ ଅଧ୍ୟାପକ ମାନସ ରଞ୍ଜନ ଜେନା ଅତିଥି ଭାବେ ଯୋଗ ଦେଇଥିଲେ। ଏସସିଏସଟିଆରଟିଆଇର ସ୍ବତନ୍ତ୍ର ଅଧିକାରୀଶ୍ରୀ ସମରେନ୍ଦ୍ର ଭୁତିଆ କାର‌୍ୟ୍ୟକ୍ରମର ପରିଚାଳନା କରିଥିଲେ। କାର‌୍ୟ୍ୟକ୍ରମରେ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ରଥଙ୍କ ସହିତ ବିଭିନ୍ନ ଅଧିକାରୀ ତଥା ଭୁବନେଶ୍ୱର ତପୋବନ ହାଇସ୍କୁଲର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାର ୧୬୯ ଆଦିମ ଜନଜାତିଙ୍କୁ ମାନ୍ୟତା ପାଇଁ ରାଜ୍ୟସଭାରେ ଦାବୀ କଲେ ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ: ଓଡିଶାର ୧୬୯ଟି ଜନଜାତି ସଂପ୍ରଦାୟଙ୍କୁ ମାନ୍ୟତା ଦେବା ପାଇଁ ମଙ୍ଗଳବାର ଦିନ ରାଜ୍ୟସଭାରେ ଦାବୀ କରିଛନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର। ଛିତଶଗଡର ଜନଜାତି ସଂଶୋଧନ ବିଲ ପାଶକୁ ସମର୍ଥନ କରି ଡ ପାତ୍ର ଏହି ଦାବୀ କରିଛନ୍ତି। ବିଜେଡି ଏହି ବିଲକୁ ସଂପୂର୍ଣ୍ଣ ସମର୍ଥନ କରୁଛି, ହେଲେ ଦୀର୍ଘଦିନ ଧରି ଓଡିଶାର ଆଦିମ ଜନଜାତି ପ୍ରତି କେନ୍ଦ୍ର ସରକାର ଦୃଷ୍ଟି ଦିଅନ୍ତୁ ବୋଲି ସେ ଦାବୀ କରିଥିଲେ।

ଡ. ପାତ୍ର କହିଥିଲେ ଯେ, ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ସେ ବହୁବାର ଦାବୀ କରିଛନ୍ତି। ସେ ଏ ସଂକ୍ରାନ୍ତରେ ମଧ୍ୟ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। ହେଲେ ଏ ପର‌୍ୟ୍ୟନ୍ତ ତାହା କାର‌୍ୟ୍ୟକାରୀ ହୋଇପାରିଲା ନାହିଁ। ଅନ୍ୟପକ୍ଷରେ ହୋ ଏବଂ ମୁଣ୍ଡାରୀ ପରି କେତେକ ଜନଜାତି ଭାଷାକୁ ମଧ୍ୟ କେନ୍ଦ୍ର ସରକାର ମାନ୍ୟତା ପ୍ରଦାନ କରୁ ନାହିଁନ୍ତି। ଏଥି ପ୍ରତି ଜନଜାତି କଲ୍ୟାଣ ମନ୍ତ୍ରୀ ଧ୍ୟାନ ଦେବାକୁ ସେ ଅନୁରୋଧ କରିଥିଲେ।

ଏହି ବିଲକୁ ସମର୍ଥନ କରି ସେ ଜନଜାତି କଲ୍ୟାଣ ପାଇଁ କେତେକ ପ୍ରସ୍ତାବ ମଧ୍ୟ ଆଗତ କରିଥିଲେ। ସେ କହିଥିଲେ ଯେ, ଜନଜାତିର ମୁଖ୍ୟ ରୋଜଗାର ମାଧ୍ୟମ ହେଉଛି କେନ୍ଦୁପତ୍ର। ହେଲେ ଦୁଃଖର କଥା ଏହି କେନ୍ଦୁପତ୍ର ଉପରେ କେନ୍ଦ୍ର ସରକାର ୧୮ ପ୍ରତିଶତ ଜିଏସଟି ନେଉଛନ୍ତି। ଏହା ଜନଜାତି ମନ୍ତ୍ରଣାଳୟ ଅଧିନର ନ ଥିଲେ ମଧ୍ୟ ଏହି ଜିଏସଟି ଛାଡ କରିବା ପାଇଁ ମୁଁ ସଂସଦ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛି।

ସେହିପରି ଜନଜାତି କଲ୍ୟାଣ ପାଇଁ ଡ ପାତ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ମଧ୍ୟ ଗୃହରେ ଉଠାଇଥିଲେ। ସେ କହିଥିଲେ ଯେ, ଅନେକ ଜନଜାତୀ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି। ସେମାନଙ୍କ ପାଇଁ ଭଲ ଘରଟିଏ ମିଳିପାରୁ ନାହିଁ। ସେଥିପାଇଁ ଏହିମାନଙ୍କର ଉନ୍ନତି ପାଇଁ କେନ୍ଦ୍ର ସରକାର ଧ୍ୟାନ ଦେବେ ବୋଲି ସେ ଗୃହ ମଧ୍ୟରେ ଅନୁରୋଧ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଏଥର ଆଦିବାସୀ ମେଳାରେ ରହିଛି ଭୂମିଜ ଜନଜାତିଙ୍କ ଖଜୁରୀପତ୍ର କଳାକୃତିର ଚାହିଦା

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଅପ୍ରେଲ ୨୩ ତାରିଖଠାରୁ ଆରମ୍ଭ ହୋଇଥିବା ଆଦିବାସୀ ମେଳା ଓ ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ପଞ୍ଚମ ଦିବସରେ ପହଞ୍ଚିଛି। ଖରାର କୋପ ସତ୍ତେ୍ୱ ଆଦିବାସୀ ମେଳାରେ ଲୋକଭିଡ଼ ଅପରାହ୍ନରୁ ଆରମ୍ଭ ହୋଇଯାଇଥିଲା।

କିଣାବିକାର ମାହୋଲ ସହ ଜନଜାତି କଳାସାମଗ୍ରୀ ମେଳାରେ ଜନଜାତି କାରିଗରମାନେ ପ୍ରସ୍ତୁତ କରୁଥିବା ବିଭିନ୍ନ ସୌଖୀନ ସାମଗ୍ରୀ ପ୍ରସ୍ତୁତି ପ୍ରଣାଳୀକୁ ଦର୍ଶକମାନେ ଖୁବ୍‌ ଉତ୍ସୁକତାର ସହ ପରଖୁଥିଲେ। କାରିଗରମାନଙ୍କ ସହ କଳାସାମଗ୍ରୀ ପ୍ରସ୍ତୁତି କୌଶଳ ଉପରେ ଆଲୋଚନା କରୁଥିଲେ।

ସବୁଠାରୁ ଆକର୍ଷଣୀୟ ଥିଲା ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍‌ ଅନ୍ତର୍ଗତ ଶାଳବଣୀରୁ ଆସିଥିବା ଭୂମିଜ ଜନଜାତିର କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କଅଁଳ ଖଜୁରୀ ପତ୍ର ଓ ଶିଆଳି ପତ୍ରର ବିଭିନ୍ନ ସୌଖୀନ ସାମଗ୍ରୀ। ବିଭିନ୍ନ ସୌଖୀନ ସାମଗ୍ରୀ ପ୍ରସ୍ତୁତ ଉପରେ ଦର୍ଶକଙ୍କ ନଜର ଲାଗି ରହିଥିଲା। କଅଁଳ ଖଜୁରୀ ପତ୍ରକୁ ସୁନ୍ଦର ଭାବେ ସଜାଇ ଫୁଲଦାନୀ ପାଇଁ ଫୁଲ, ଫାସିଆ, ଝାଲର, କାନ୍ଥରେ ଝୁଲାଇବାର ଭିନ୍ନ ଭିନ୍ନ ଆକୃତିର ସୌଖୀନ ସାମଗ୍ରୀ ବେଶ ମନଲୋଭା ହୋଇଛି।

ଶିଆଳି ପତ୍ରର ଟୋପି, ଖରାରୁ ରକ୍ଷା ପାଇବା ପାଇଁ ଏକ ପରିବେଶ ଉପଯୋଗୀ ଓ ସୌଖୀନ ହୋଇଥିବାରୁ ଏହା ପ୍ରତି ସମସ୍ତଙ୍କର ଆଗ୍ରହ ରହୁଥିଲା। ଏହି ସାମଗ୍ରୀଗୁଡ଼ିକ ବର୍ଷ ବର୍ଷ ଧରି ଅତୁଟ ରହୁଥିବାରୁ ଏବଂ ପରିବେଶ ଅନୁକୂଳ ହୋଇଥିବାରୁ ଏହାର ଚାହିଦା ବେଶ୍‌ ଭଲ ଥିବାର ଭୂମିଜ କାରିଗରମାନେ କହନ୍ତି।

ଆଜି ଅପରାହ୍ନରେ ମୁଖ୍ୟ ମଂଚରେ ବାଲିଗୁଡ଼ା ଅଞ୍ଚଳରୁ ଆସିଥିବା କନ୍ଧମାନଙ୍କ ପାରମ୍ପରିକ ନୃତ୍ୟ, କପ୍ତିପଦା ଅଞ୍ଚଳର ହୋ ଜନଜାତିମାନଙ୍କ ବା ପରବ ନୃତ୍ୟ, ପାନପୋଷ ସବ୍‌ଡିଭିଜନ୍‌ରୁ ଆସିଥିବା ଓରାଓଁମାନଙ୍କ କରମା, ମୁଣ୍ଡା ଜନଜାତି ମାନଙ୍କ ବଡ଼କାରାମ, କପ୍ତିପଦା ଅଞ୍ଚଳର ସାନ୍ତାଳ ନୃତ୍ୟ ଏବଂ ପାନପୋଷ ଅଞ୍ଚଳର କିସାନମାନଙ୍କ ନୃତ୍ୟ ବିଚିତ୍ରା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ମେଳାକୁ ଆସିଥିବା ଦର୍ଶକମାନେ କିଣାକିଣିର ଭରପୂର ଆନନ୍ଦ ନେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଜନଜାତିଙ୍କ ପାରମ୍ପରିକ କଳାନୈପୁଣ୍ୟକୁ ନେଇ ପ୍ରଦର୍ଶନୀ, ଚିତ୍ରଶିଳ୍ପୀ ଓ କାରିଗରଙ୍କ ସମ୍ମାନ ସମାରୋହ

ଭୁବନେଶ୍ୱର: ଜନଜାତି ଶିଳ୍ପୀ ଓ କାରିଗରଙ୍କ ମଧ୍ୟରେ ବହୁ ପ୍ରତିଭା ରହିଛି । ଜନଜାତିମାନେ ପାରମ୍ପରିକ କଳାନୈପୁଣ୍ୟ ମାଧ୍ୟମରେ ପରମ୍ପରା ଓ ସଂସ୍କୃତିକୁ ସାଇତି ରଖିଥାନ୍ତି । ପରମ୍ପରାକୁ ସମ୍ମାନ ଦେବାର ଅନୁରାଗ ସେମାନଙ୍କ ମଧ୍ୟରେ ରହିଛି ।

ଜନଜାତି ଚିତ୍ରଶିଳ୍ପୀ ଓ କାରିଗରଙ୍କ ନିମନ୍ତେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ଜନଜାତି ଚିତ୍ରକଳା ଓ କଳାବସ୍ତୁ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କ ସମ୍ବର୍ଦ୍ଧନା ସମାରୋହ ଆଜି ପୂର୍ବାହ୍ନରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଶ୍ରୀ ଆର୍‌. ବାଲ୍‌କ୍ରିଷ୍ଣନ୍‌ ଉଦ୍‌ଘାଟନ କରିଥିଲେ ।

ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ଓଡ଼ିଶାର ଆଦିବାସୀ ସଂସ୍କୃତି ବିଶ୍ୱର ଅନନ୍ୟ ଓ ସ୍ୱତନ୍ତ୍ର ବୋଲି ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ, ଓଡ଼ିଶାର ଜଗନ୍ନାଥ ସଂସ୍କୃତି ମହାନ । ଓଡ଼ିଶା ବିକାଶର ଏକ ମଡ଼େଲ ବୋଲି ସେ ପ୍ରକାଶ କରିଥିଲେ । ଓଡ଼ିଶାର ଆଦିବାସୀ ଅଞ୍ଚଳରେ ଏବଂ ଆଦିବାସୀମାନଙ୍କ ନିମନ୍ତେ ଦୀର୍ଘବର୍ଷ ଧରି କାର୍ଯ୍ୟକରି ଅନେକ ଗୁଢ଼ତଥ୍ୟ ବିଷୟରେ ଜ୍ଞାନଲାଭ କରିଥିବାରୁ ସେ ନିଜକୁ ଧନ୍ୟ ମନେ କରିଥିଲେ ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା କହିଲେ ଯେ, ଜନଜାତି ଚିତ୍ରଶିଳ୍ପୀ ଓ କାରିଗରମାନଙ୍କ ମଧ୍ୟରେ ଏଭଳି ପ୍ରତିଯୋଗିତା ଏକ ବଡ଼ ପ୍ଲାଟ୍‌ଫର୍ମ ସୃଷ୍ଟି କରିପାରିବ । ଏହାକୁ ଅଧିକ ସଶକ୍ତ କରିବା ପାଇଁ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିବ । ଏହା ସେମାନଙ୍କର ସ୍ୱୀୟ କଳାନୈପୁଣ୍ୟତାକୁ ସଂରକ୍ଷଣ ଦେବା ସହିତ ସେମାନଙ୍କ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହୋଇପାରିବ । ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରି ଓତା କହିଥିଲେ ଯେ ଚଳିତ ବର୍ଷଠାରୁ ଜନଜାତି ଚିତ୍ରଶିଳ୍ପୀ ଓ କାରିଗରମାନଙ୍କ ମଧ୍ୟରେ ଏଭଳି ପ୍ରତିଯୋଗିତା ଆରମ୍ଭ କରାଯାଇଛି । ତୃଣମୂଳ ସ୍ତରରୁ ଏହି ପ୍ରତିଭା ଚୟନ କରାଯାଇଛି ।

ଆଜି ସମ୍ବର୍ଦ୍ଧନା ସମାରୋହ ପୂର୍ବରୁ ମୁଖ୍ୟ ଅତିଥି ପିଭିଟିଜି ଗ୍ୟାଲେରିର ଭିତରେ ଥିବା ପ୍ରୋଜେକ୍‌ସନ୍‌ ମ୍ୟାପିଂ କକ୍ଷର ଶୁଭ ଉଦ୍‌ଘାଟନ କରିବା ସହ କୃତୀ ଚିତ୍ରଶିଳ୍ପୀ ଓ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ଜନଜାତି ଚିତ୍ରକଳା ପ୍ରଦର୍ଶନୀକୁ ପରିଦର୍ଶନ କରିଥିଲେ ଓ ଏହାର ଭୂୟସୀ ପ୍ରଶଂସା କରିଥିଲେ ।

ଓଡ଼ିଶାର ଆଇଟିଡ଼ିଏ ତଥା ମାଇକ୍ରୋପ୍ରୋଜେକଫ ଅଞ୍ଚଳରୁ ବଛାହୋଇ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ତଥା ତୃତୀୟ ସ୍ଥାନ ଲାଭ କରିଥିବା ୧୪୬ଟି ଆଦିବାସୀ ଚିତ୍ରକଳା ଓ କଳାସାମଗ୍ରୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସ୍ଥାନ ପାଇଥିଲା । ୧୨୪ ଜଣ ଆଦିବାସୀ ପ୍ରତିଭାଙ୍କ ମଧ୍ୟରୁ ୨୬ ଜଣ କନିଷ୍ଠ ବର୍ଗରେ ଓ ୭୩ ଜଣ ବରିଷ୍ଠ ବର୍ଗ ଚିତ୍ରକଳାରେ ଅଂଶଗ୍ରହଣ କରିଥିଲେ ।

ଏହି ପ୍ରତିଯୋଗିତାରେ ସମସ୍ତ ୧୨୪ ଜଣ କାରିଗର ଓ ଚିତ୍ରଶିଳ୍ପୀ, ଓଡ଼ିଶାର ୨୫ଟି ଜନଜାତି ଗୋଷ୍ଠୀ(ଉପଗୋଷ୍ଠୀ ସମେତ) ପ୍ରତିନିଧିତ୍ୱ କରିଥିଲେ । ବରିଷ୍ଠ ବିଭାଗରେ ଚିତ୍ରକଳାରେ ଯୁଗ୍ମ ଭାବରେ ପ୍ରଥମ ପୁରସ୍କାର ରବିନାଥ ଶବର ଓ ଜୁନେଶ ଗମାଙ୍ଗୋ, ଦ୍ୱିତୀୟ ପୁରସ୍କାର ଲିପ୍‌ସା ସମାଦ ଓ ଗୋରେଖ ଚନ୍ଦ୍ର ନାୟକ, ତୃତୀୟ ପୁରସ୍କାର ପରମାନନ୍ଦ କାଇନ୍ଦା ଓ ମାନସ ରଞ୍ଜନ ନାଏକଙ୍କୁ ପ୍ରଦାନ କରାଯାଇଥିଲା।

କନିଷ୍ଠ ବର୍ଗରେ ଚିତ୍ରକଳାରେ ପ୍ରଥମ ପୁରସ୍କାର ଯୁଗ୍ମ ଭାବେ ଉମେଶ କୁମାର ହେମ୍ବ୍ରମ୍‌ ଓ ଲକ୍ଷ୍ମୀ ମାରାଣ୍ଡି, ଦ୍ୱିତୀୟ ପୁରସ୍କାର ଓମ୍‌ ଅଙ୍କିତ୍‌ ବରିହା ଓ ଗୌିତମ ସିଂ ଏବଂ ତୃତୀୟ ପୁରସ୍କାର ସାବିତ୍ରୀ ମାଝୀ ଓ ଅଲୁପା ଶବର ପାଇଥିଲେ ।
ସେହିଭଳି କଳାବସ୍ତୁ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ସମରାଏ ମୁର୍ମୁ ଓ ସାବେନ୍‌ ମାଙ୍କେଡିଆ, ଦ୍ୱିତୀୟ ପୁରସ୍କାର ବସନ୍ତ କୁମାର ହାଂସଦା ଓ ସୁମତି ମହାପାତ୍ର ପାଇଥିଲେ । ତୃତୀୟ ପୁରସ୍କାର ଚନ୍ଦ୍ରସେନ ମାଝୀ ଓ ରିନ୍‌ଡ଼ି ମୁର୍ମୁ ପାଇଥିଲେ । ଏହି ଅବସରରେ ଜନଜାତି ଚିତ୍ରକଳା ଓ କଳାସାମଗ୍ରୀ ପ୍ରତିଯୋଗୀ ବିବରଣୀ ପୁସ୍ତିକା ଉନ୍ମୋଚିତ ହୋଇଥିଲା ।

ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ, ଭାରତ ସରକାରଙ୍କ ସହଭାଗିତାରେ ଏସ୍‌ସିଏସ୍‌ଟିଆର୍‌ଟିଆଇ, ଓଡ଼ିଶା ସରକାର, ଓଡ଼ିଶାର ଜନଜାତିଙ୍କ ବିରଳ ଚିତ୍ର ଓ କଳାବସ୍ତୁର ପ୍ରଚାର ଓ ପ୍ରସାର ପାଇଁ ବିହିତ ପଦକ୍ଷେପ ନେଇଛନ୍ତି । ନିଜସ୍ୱ ଜ୍ଞାନକୌଶଳ ଆଧାରରେ ଜନଜାତିଙ୍କ ମୌଳିକ ବସ୍ତୁ ସଂସ୍କୃତିର ସଂରକ୍ଷଣ ପାଇଁ ଏହା ଏକ ଅଭିନବ ପ୍ରୟାସ ।

ରାଜ୍ୟସ୍ତରୀୟ ଜନଜାତି ଚିତ୍ରଶିଳ୍ପୀ ଓ କାରିଗରମାନେ ସମ୍ବର୍ଦ୍ଧିତ ହେବା ଫଳରେ ସେମାନଙ୍କର ଖ୍ୟାତି ପ୍ରସାରିତ ହେବ ଓ ସେମାନେ ଜୀବନ ନିର୍ବାହ ପାଇଁ ଅର୍ଥ ଉପାର୍ଜନ କରିବାକୁ ସକ୍ଷମ ହେବେ । ଏହି ସମାରୋହ ଶେଷରେ ବିଭାଗୀୟ ନିର୍ଦ୍ଦେଶକ ଗୁହା ପୁନମ୍‌ ତାପସ କୁମାର ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ଆଜି ଓଡ଼ିଶା ଜନଜାତି ସଂଗ୍ରହାଳୟର ଭର୍ଚୁଆଲ୍‌ ଟୁରରେ ଦେଖିବାକୁ ମିଳିବ ଜନଜାତିଙ୍କ ଖାଦ୍ୟସଂଗ୍ରହ ପଦ୍ଧତି

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର୍‌ର ବ୍ୟବସ୍ଥା କରାଯାଇଛି। ଦର୍ଶକମାନେ ଫେସ୍‌ବୁକ୍‌ ଓ ଟୁଇଟର ପେଜ୍‌ ଖୋଲି ଆଜି ଓଡ଼ିଶାର ଜନଜାତି ସଂପ୍ରଦାୟଙ୍କର ଦେଶୀୟ ଜ୍ଞାନକୌଶଳରେ ଖାଦ୍ୟସଂଗ୍ରହ ପଦ୍ଧତି ସଂପର୍କରେ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର(ଡ.) ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।

ଓଡ଼ିଶାରେ ବିବିଧ ଜନଜାତି ସଂପ୍ରଦାୟ ବସବାସ କରିଥା’ନ୍ତି । ଘଞ୍ଚ ଜଙ୍ଗଲ ମଧ୍ୟରେ ବସବାସ କରୁଥିବା ଜନଜାତି ସଂପ୍ରଦାୟ ସେମାନଙ୍କର ଦୈନନ୍ଦିନ ଆବଶ୍ୟକତା ମେଣ୍ଟାଇବା ନିମନ୍ତେ ସେହି ପରିବେଶରେ ମିଳୁଥିବା ପ୍ରାକୃତିକ ସଂପଦ ଉପରେ ନିର୍ଭର କରିଥା’ନ୍ତି । ସେମାନେ କୃଷିକୁ ଜୀବିକା ଭାବେ ଗ୍ରହଣ କରିଥା’ନ୍ତି । ଜନଜାତିମାନେ ବିଭିନ୍ନ ପ୍ରକାରର କୃଷି ପଦ୍ଧତିକୁ ଆପଣେଇଥା’ନ୍ତି । ପୋଡ଼ୁଚାଷ ସହିତ ଉଦ୍ୟାନକୃଷି, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ, ଶିକାର ଓ ମାଛ ଧରିବାକୁ ସେମାନେ ବୃତ୍ତି ଭାବେ ଗ୍ରହଣ କରିଥା’ନ୍ତି ।

ବିଭିନ୍ନ ପ୍ରକାରର ଜଙ୍ଗଲଜାତ ଫଳ, ପତ୍ର, ଖାଦ୍ୟ ଉପଯୋଗୀ ଫୁଲ, କୀଟ, ଛତୁ ଓ ଆଳୁକୁ ଜନଜାତିମାନେ ଖାଦ୍ୟ ଭାବେ ଗ୍ରହଣ କରିଥା’ନ୍ତି । ବିଭିନ୍ନ ପ୍ରକାରର ଜଙ୍ଗଲୀ ମୂଳ ଓ ଆଳୁ ରହିଛି । ସେଗୁଡ଼ିକ ମଧ୍ୟରୁ କେତେକ ମାଟିର ଉପରି ଭାଗରେ ଏବଂ ଆଉ କେତେକ ମାଟି ତଳୁ ଖୋଳା ଯାଇ ସଂଗ୍ରହ କରାଯାଇଥାଏ ।

ଜନଜାତିମାନେ ଜଙ୍ଗଲରୁ ସଂଗ୍ରହ କରୁଥିବା ଜଙ୍ଗଲୀ ମୂଳ ଓ ଆଳୁ ଅତ୍ୟନ୍ତ ପୁଷ୍ଟିକର ଅଟେ। ଜନଜାତି ସଂପ୍ରଦାୟ ଏହାକୁ ନିଆଁରେ ଭାଜି, ସିଝାଇ କିମ୍ବା ତରକାରି ରୂପେ ପ୍ରସ୍ତୁତ କରିଥା’ନ୍ତି। ଏହି ଚଳଚ୍ଚିତ୍ରରେ ବିଭିନ୍ନ ଜନଜାତିମାନେ କିପରି ମୂଳଗୁଡ଼ିକୁ ସଂଗ୍ରହ ଓ ପ୍ରକ୍ରିୟାକରଣ କରି ଖାଦ୍ୟ ଭାବେ ଗ୍ରହଣ କରୁଛନ୍ତି ସେ ବିଷୟରେ ଦର୍ଶକମାନେ ଜାଣିପାରିବେ।

Categories
ଆଜିର ଖବର ବିଶେଷ ଖବର

ଜନଜାତି ପଂଚାୟତ ପ୍ରତିନିଧିଙ୍କ ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ, କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା

ଭୁବନେଶ୍ବର, ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅନୁସୂଚିତ ଜନଜାତି ବର୍ଗର ପଂଚାୟତିରାଜ ସଂସ୍ଥାନଗୁଡ଼ିକର ନିର୍ବାଚିତ ପ୍ରତିନିଧିମାନଙ୍କ ପାଇଁ ଏକ ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଗୁରୁବାର ଦିନ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏହି ଜାତୀୟ ସ୍ତରର କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।

ଏଥିସହିତ “୧୦୦୦ ଜଳ ଉତ୍ସ କାର୍ଯ୍ୟକ୍ରମ” ଏବଂ ଏକ ଅନଲାଇନ ପୋର୍ଟାଲର ଶୁଭାରମ୍ଭ କରିଥିଲେ। ଏହା ହେଉଛି ପ୍ରାକୃତିକ ଝର ତଥା ଜଳଉତ୍ସ ଗୁଡ଼ିକର ଜଳୀୟ ଓ ରାସାୟନିକଗୁଣ ଦର୍ଶାଉଥିବା ଏକ ଜିଆଇଏସ ଆଧାରିତ ମାନଚିତ୍ରର ଅନଲାଇନ ପୋର୍ଟାଲ।ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ରେଣୁକା ସିଂସରୁତା ଉପସ୍ଥିତ ଥିଲେ ।

ଏହି ଅବସରରେ ଓଡ଼ିଶାରେ ଜଙ୍ଗଲ ଅଧିକାର ଆଇନ ଉପରେ ଏକ ପ୍ରାମାଣିକ ଚଳଚ୍ଚିତ୍ର ଏବଂ ମାନଚିତ୍ର ମଧ୍ୟ ଉନ୍ମୋଚନ କରାଯାଇଥିଲା। ଉଦଘାଟନୀ ଅଧିବେଶନ ପରେ ଏକ ବୈଷୟିକ ଅଧିବେଶନ ଆୟୋଜନ କରାଯାଇଥିଲା ଯେଉଁଥିରେ ଜନଜାତି ବିକାଶ ନମୁନା, ଜନଜାତି ଜମି ହସ୍ତାନ୍ତରଣ, ବନ ଧନ ବିକାଶ କେନ୍ଦ୍ର ଏବଂ ଜନଜାତିବିକାଶ ନବୋନ୍ମେଷ ସାମିଲ ଥିଲା ।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମନ୍ତ୍ରୀ ମୁଣ୍ଡା କହିଥିଲେ ଯେ “୧୦୦୦ ଜଳ ଉତ୍ସ କାର୍ଯ୍ୟକ୍ରମ”ର ଉଦ୍ଦେଶ୍ୟ ହେଉଛି ଦେଶର ଉପାନ୍ତ ଏବଂ ଅପହଁଚ ଇଲାକାରେ ରହୁଥିବା ଜନଜାତି ସମୁଦାୟର ଲୋକମାନଙ୍କ ନିକଟରେ ସ୍ୱଚ୍ଛ ଜଳ ଯଥେଷ୍ଟ ପରିମାଣରେ ଉପଲବ୍ଧ କରାଇବା। ପ୍ରାକୃତିକ ଜଳଉତ୍ସକୁ ଯୋଡ଼ି ଜଳ ସଂକଟର ସମାଧାନ କରିବା ଲାଗିଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଯୋଜନା ମାଧ୍ୟମରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଭିତିଭୂମି ସୁବିଧା, ଚାଷଜମିକୁ ଜଳସେଚନ ସୁବିଧା, ଗୋଷ୍ଠୀ ସହଭାଗିତା ଜରିଆରେ ସାମୁଦାୟିକ ସ୍ୱଚ୍ଛତା କାର୍ଯ୍ୟକ୍ରମ, ଜନଜାତି ଲୋକମାନଙ୍କୁ ଜୀବନଜୀବିକା ଉପଲବ୍ଧ କରିବା ଲାଗି ଲକ୍ଷ୍ୟ ରଖାଯାଇଛି ।

ସେ କହିଥିଲେ ଯେ ଜିଆଇଏସ ଆଧାରିତ ମାନଚିତ୍ରର ଅନଲାଇନ ପୋର୍ଟାଲ ଜରିଆରେ ସମସ୍ତ ତଥ୍ୟ ଅନଲାଇନ ପ୍ଲାଟଫର୍ମରେ ମିଳିପାରିବ।ବର୍ତମାନସୁଦ୍ଧା ୧୭୦ଟି ପ୍ରାକୃତିକ ଜଳ ଉତ୍ସର ତଥ୍ୟ ସ୍ପ୍ରିଙ୍ଗ ଆଟଲାସରେ ଅପଲୋଡ କରାଯାଇ ସାରିଲାଣି । ଏହି ଯୋଜନା ଅଧୀନରେ ଓଡ଼ିଶାର ତିନୋଟି ଜିଲ୍ଲା କଳାହାଣ୍ଡି, କନ୍ଧମାଳ ଓ ଗଜପତିର ୭୦ଜଣ ଜନଜାତି ଯୁବକଙ୍କୁ ତାଲିମ ଦିଆଯାଇଛି। ଏମାନଙ୍କୁ ସ୍ଥାନୀୟ ଜଳ ବିଜ୍ଞାନୀ ଭାବେ ପାରମ୍ପରିକ ଓ ବୈଜ୍ଞାନିକ ଜ୍ଞାନ ସହିତ ପ୍ରାକୃତିକ ଜଳଉତ୍ସ ଚିହ୍ନଟ,ମାନଚିତ୍ରଣ ଓ ସେଗୁଡ଼ିକର ପୁନରୁଦ୍ଧାର ଓ ସୁରକ୍ଷା ଲାଗି ପ୍ରଶିକ୍ଷଣ ଦିଆଯାଇଛି।

ଅନ୍ୟପକ୍ଷରେ ନିର୍ବାଚିତ ପ୍ରତିନିଧିଙ୍କ ପାଇଁ ଉଦ୍ଦିଷ୍ଟ ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ମୁଣ୍ଡା କହିଥିଲେ ଯେ ସ୍ଥାନୀୟ ପ୍ରଶାସନ ସ୍ତରରେ ପଂଚାୟତିରାଜ ପ୍ରତିନିଧିମାନଙ୍କର ନିଷ୍ପତି ନେବାର କ୍ଷମତା ବୃଦ୍ଧି କରି ସେମାନଙ୍କୁ ସଶକ୍ତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଏହି ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମରେ ଜନଜାତିଙ୍କ ବିକାଶ ସହ ଜଡ଼ିତ ଅନ୍ୟାନ୍ୟ ପ୍ରସଙ୍ଗ ସମେତ ସେମାନଙ୍କ ଅଧିକାରର ସୁରକ୍ଷା ଓ ସଂରକ୍ଷଣ ତଥା ସେମାନଙ୍କ କଲ୍ୟାଣ ଉପରେ ଗୁରୁତ୍ୱାରୋପ କରାଯାଇଛି।

ଏହି କାର୍ଯ୍ୟକ୍ରମ ଦ୍ୱାରା ସରକାରୀ ନୀତି ଏବଂ କାର୍ଯ୍ୟକ୍ରମର ଯୋଜନା, କାର୍ଯ୍ୟାନ୍ୱୟନ ଏବଂ ଅନୁଧ୍ୟାନରେ ଅନୁସୂଚିତ ଜନଜାତି ପଂଚାୟତିରାଜ ପ୍ରତିନିଧି ମାନଙ୍କର ଅଧିକ ଅଂଶଗ୍ରହଣ ସୁନିଶ୍ଚିତ ହୋଇପାରିବ। ବିକାଶ ପ୍ରକ୍ରିୟାରେ ସେମାନଙ୍କର ଅଧିକ ସମ୍ପୃକ୍ତି ଦ୍ୱାରା ଜନଜାତି ବିକାଶ ଲକ୍ଷ୍ୟ ଅଧିକ ମାତ୍ରାରେ ହାସଲ ହୋଇପାରିବ। ପଂଚାୟତିରାଜ ପ୍ରତିନିଧିମାନେ ସ୍ଥାନୀୟ ପ୍ରଶାସନ ସ୍ତରରେ ବିକାଶ ମୂଳକ ଯୋଜନାର କାର୍ଯ୍ୟକାରିତାରେ ସିଧାସଳଖ ସମ୍ପୃକ୍ତ ରହିପାରିଲେ ସମୁଦାୟ ଏବଂ କ୍ଷେତ୍ରୀୟ ସ୍ତରର ବିକାଶ ପ୍ରକ୍ରିୟାରେ ରହିଥିବା ଅଭାବ ଅସୁବିଧା ଦୂର କରାଯାଇ ପାରିବ। ଏହାଦ୍ୱାରା ବିଭିନ୍ନ ବିକାଶ ଏବଂ କଲ୍ୟାଣମୂଳକ ଯୋଜନାର କାର୍ଯ୍ୟକାରିତାରେ ଉନ୍ନତ ପରିଣାମ ମିଳିପାରିବ।

ଏହି ଯୋଜନା ଆରମ୍ଭ କରାଯିବା ପୂର୍ବରୁ ମନ୍ତ୍ରଣାଳୟ ପକ୍ଷରୁ ଗତ କିଛି ମାସ ହେବ ବିଭିନ୍ନ ଅଂଶୀଦାରମାନଙ୍କ ସହିତ ଆଲୋଚନା କରାଯାଇଥିଲା । ଅନୁସୂଚିତ ଜନଜାତି ବର୍ଗର ବିଭିନ୍ନ ପଂଚାୟତିରାଜ ପ୍ରତିନିଧି, ନାଗରିକ ସମାଜ ଏବଂଜଙ୍ଗଲ ବିଭାଗ ଅଧିକାରୀଙ୍କ ସମେତ ବିଭିନ୍ନ ଅଂଶୀଦାରମାନଙ୍କ ସହିତ ଆଲୋଚନା କରାଯିବା ପରେ ଏହି ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଥିଲା ।