Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆନ୍ତର୍ଜାତିକ ଶ୍ରମ ଦିବସ ଉପଲକ୍ଷେ ଶ୍ରମିକଙ୍କ ପାଇଁ ଲୋକାର୍ପଣ ହେଲା ୧୫ ଗୋଟି ସେବା

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଆନୁକୂଲ୍ୟରେ ଆଜି ଆନ୍ତର୍ଜାତିକ ଶ୍ରମ ଦିବସ ସ୍ଥାନୀୟ ଜୟଦେବ ଭବନଠାରେ ପାଳନ କରାଯାଇଛି।
ଉକ୍ତ ସମାରୋହରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କହିଲେ ଯେ ଆମ ରାଜ୍ୟ ତଥା ଦେଶର କ୍ରମାଗତ ପ୍ରଗତିରେ ଶ୍ରମିକମାନେ ନିରବଚ୍ଛିନ୍ନ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛନ୍ତି।

ରାଜ୍ୟ ସରକାର ଶ୍ରମିକମାନଙ୍କର ସାମାଜିକ ତଥା ଅର୍ଥନୈତିକ ବିକାଶ ନିମନ୍ତେ ଗୁରୁତ୍ୱ ପ୍ରଦାନ କରିବା ସଙ୍ଗେ ସଙ୍ଗେ ବିଭିନ୍ନ କଲ୍ୟାଣକାରୀ ଯୋଜନା ହାତକୁ ନେଇଛନ୍ତି। ନିର୍ମାଣ ଶ୍ରମିକ, ପ୍ରବାସୀ ଶ୍ରମିକ, ମହିଳା ଶ୍ରମିକ, ଶିଳ୍ପସଂସ୍ଥା ତଥା ବାଣିଜ୍ୟ ପ୍ରତିଷ୍ଠାନରେ କାର୍ଯ୍ୟରତ ଶ୍ରମିକ ଏବଂ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କର ସ୍ୱାର୍ଥରକ୍ଷା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାରର କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି।

ଆଜିର ଶ୍ରମ ଦିବସ ଅବସରରେ ଓଡ଼ିଶାର ଅଣ-ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ମାଧ୍ୟମରେ ଯୋଗ୍ୟ ଅଣ-ସଂଗଠିତ ଶ୍ରମିକମାନଙ୍କର ପଞ୍ଜିକରଣ ତଥା ସହାୟତା ପାଇଁ ଏକ ଅନ୍‌ଲାଇନ ପୋର୍ଟାଲ, ବିଭାଗର ପରିଶ୍ରମ ପୋର୍ଟାଲ ଅଧୀନରେ ୫୨ ଗୋଟି ଅନ୍‌ଲାଇନ ସେବା ସହିତ ନୂତନ ଭାବେ ଅତିରିକ୍ତ ୧୫ ଗୋଟି ସେବା ଏବଂ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ନିର୍ମାଣ ଶ୍ରମିକ ପୋର୍ଟାଲ ମାଧ୍ୟମରେ ଅନ୍‌ଲାଇନ ସେସ୍‌ ଆଦାୟ ମଡୁ୍ୟଲର ଲୋକାର୍ପଣ କରାଯାଇଛି। ଫଳରେ ଶ୍ରମିକମାନଙ୍କ ନିମନ୍ତେ ବିଭିନ୍ନ ସହାୟତା ଓ ସେବା ସହଜରେ ଉପଲବ୍ଧ ହେବ।

ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ଶେ୍ୱତାସ୍ନିUା ମିଶ୍ର ସମ୍ମାନିତ ଅତିଥିଭାବେ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଲେ ଯେ, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ପଞ୍ଜିକୃତ ନିର୍ମାଣ ଶ୍ରମିକ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହୋଇଛି ଓ ଅଦ୍ୟାବଧି ୩୮ ଲକ୍ଷରୁ ଅଧିକ ନିର୍ମାଣ ଶ୍ରମିକ ଉକ୍ତ ବୋର୍ଡ ଅଧୀନରେ ପଞ୍ଜିକୃତ ହୋଇଛନ୍ତି। ସେମାନଙ୍କ କଲ୍ୟାଣ ପାଇଁ ୨୯୩୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଏହା ସେମାନଙ୍କ ଆର୍ଥିକ ଓ ସାମାଜିକ ମାନଦଣ୍ଡ ବୃଦ୍ଧିରେ ବହୁଳ ମାତ୍ରାରେ ସହାୟକ ହୋଇପାରିଛି।

ଏହି ଅବସରରେ ରାଜ୍ୟର ଶ୍ରମିକମାନଙ୍କ ବିକାଶରେ ଉଲ୍ଲେଖନୀୟ ଅବଦାନ କରିଥିବା ବିଭିନ୍ନ ଶ୍ରମିକ ସଂଗଠନର ୫ ଜଣ ନେତା ଯଥା- ଲକ୍ଷ୍ମୀଧର ସାହୁ (ଏଜ୍‌.ଏମ୍‌.ଏସ୍‌.), ସୌଭାଗ୍ୟ ପ୍ରଧାନ (ଆଇ.ଏନ୍‌.ଟି.ୟୁ.ସି.), ଗୌରାଙ୍ଗ ଚରଣ ପାଣିଗ୍ରାହୀ (ଏ.ଆଇ.ଟି.ୟୁ.ସି.), କୃଷ୍ଣ ଚନ୍ଦ୍ର ମିଶ୍ର (ବି.ଏମ୍‌.ଏସ୍‌.) ଓ ବୀରେନ୍ଦ୍ର ପ୍ରସାଦ ଦାସ (ଏଲ୍‌.ପି.ଏଫ୍‌.)ଙ୍କୁ ‘ବିଜୁ ଶ୍ରମିକ ବନ୍ଧୁ’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଉତ୍ସବରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଶାସନ ସଚିବ ଶ୍ରୀ ଆର୍‌.ଏସ୍‌.ଗୋପାଳନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶ୍ରମ କମିଶନର ଡ. ଏନ୍‌. ଥିରୁମାଲା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ବରିଷ୍ଠ ପଦାଧିକାରୀ, ବିଭିନ୍ନ ଶ୍ରମିକ ସଂଗଠନର ନେତୃବୃନ୍ଦ ତଥା ବହୁ ସଂଖ୍ୟାରେ ଶ୍ରମିକମାନେ ଯୋଗ ଦେଇଥିଲେ ।

Categories
ଆଞ୍ଚଳିକ

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ମଇ ଦିବସ ତଥା ଆନ୍ତଜାତୀୟ ଶ୍ରମିକ ଦିବସ ପାଳିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଓଡିଶା କୋଠାବାଡ଼ି ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଏବଂ ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡର ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଶ୍ରମିକ ଦିବସ ପାଳନ ହୋଇଯାଇଛି। ଦିବ ରେ ମୁଖ୍ୟଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ସମ୍ମାନିତ ଅତିଥି ରୂପେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିସାରି , ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲ, ପୌର ପରିଷଦ ଅଧ୍ୟକ୍ଷା  ସଂଯୁକ୍ତା ବେହେରା ପ୍ରମୁଖ ଯୋଗ ଦେଇଥିଲେ। ପ୍ରଦୀପ ପ୍ରଜ୍ବଳନ ପରେ ସଭା କାର୍ଯ ଆରମ୍ଭ କରିଥିଲେ ଜିଲ୍ଲା ଶ୍ରମ ଅଧିକାରୀ ସୁବାସ ଚନ୍ଦ୍ର ମଣ୍ଡଳ ଓ ଦିବସ ପାଳନ ଉପରେ ସ୍ୟମକ ଧାରଣା ଦେଇଥିଲେ।

ବକ୍ତାଗଣ ନିଜ ବକ୍ତବ୍ୟରେ ଶ୍ରମିକ ମାନଙ୍କ ଶ୍ରମ, ନିଷ୍ଠା ଓ ପ୍ରତିବଦ୍ଧତା ଯୋଗୁ ଆଜି ରାଜ୍ୟର ସାମଗ୍ରିକ ବିକାଶ ଉନ୍ନତି ପଥରେ ଆଗେଇ ଚାଲିଛି ବୋଲି କହିଥିଲେ। ଲାଞ୍ଜିଗଡ ବିଧାୟକ ଶ୍ରମିକ ମାନଙ୍କୁ ଶ୍ରମ ଆଇନ୍ ସଚେତନତା ଅଭିଯାନ ଦ୍ଵାରା ସଚେତନ କରାଯାଉ ଏବଂ ପ୍ରତି ବ୍ଲକରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଦ୍ଵାରା କ୍ୟାମ୍ପ କରି ଶ୍ରମିକମାନଙ୍କୁ ପଞ୍ଜିକରଣ ର ବ୍ୟବସ୍ଥା କରି ଶ୍ରମ ଆଇନ ଓ ରାଜ୍ୟ ସରକାର ଙ୍କ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଉପରେ ବିଶେଷ ଧ୍ୟାନ ଦେବାପାଇଁ କହିଥିଲେ।ମୁଖ୍ୟ ଅତିଥି ଶ୍ରୀ ସିଂହଦେଓ ଉପସ୍ଥିତ ଶ୍ରମିକ ଭାଇ ଭଉଣୀ ହିତାଧିକାରୀଙ୍କୁ ମେ ଦିବସର ଅଭିନନ୍ଦନ ଜଣାଇ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଶ୍ରମିକ ଯୋଜନାରେ ପ୍ରତ୍ୟେକ ପଞ୍ଜୀକୃତ ଶ୍ରମିକ ଯେପରି ଲାଭବାନ ହେବେ ଓ ନିର୍ଦ୍ଧାରିତ ମଜୁରୀ ଓ ଅନ୍ୟାନ୍ୟ ସୁବିଧା ପାଇପାରିବେ ସେଥି ପ୍ରତି ଦୃଷ୍ଟି ଦେବାକୁ କହିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଟେଲ ଶ୍ରମିକ ମାନଙ୍କ ଚାକିରି ସର୍ତ୍ତାବଳୀ, ମଜୁରୀ,ସାମାଜିକ ସୁରକ୍ଷା ଓ ଶ୍ରମିକ କଲ୍ୟାଣ ନିମନ୍ତେ ବ୍ୟାପକ ପ୍ରଚାର ପ୍ରସାର ହେଲେ ଶ୍ରମିକ ମାନଙ୍କ ସ୍ୱାର୍ଥ ବଜାୟ ରହିବା ସଙ୍ଗେ ରାଜ୍ୟ ଓ ଦେଶର ଉନ୍ନତି ହେବ ବୋଲି କହିଥିଲେ। ପୌରାଧ୍ୟକ୍ଷା ଶ୍ରୀମତୀ ପଟେଲ ଉପସ୍ଥିତ ଶ୍ରମିକ ମାନଙ୍କୁ ଶୁଭେଛା ଜଣାଇ ନିଜକୁ ପଞ୍ଜୀକୃତ କରି ସମସ୍ତ କଲ୍ୟାଣକାରୀ ଯୋଜନାରୁ ଲାଭ ଉଠାଇବାକୁ କହିଥିଲେ।

ଦିବସ ଉପଲକ୍ଷେ ଶ୍ରମିକ ହିତାଧିକାରୀ ମାନଙ୍କୁ ମଞ୍ଚରେ ମୁଖ୍ୟ ଅତିଥି ମୃତ୍ୟକାଳୀନ ସହାୟତା, ଅନ୍ତେଷ୍ଟି କ୍ରିୟା ସହାୟତା,ପ୍ରସୂତି କାଳୀନ ସହାୟତା,ଶିକ୍ଷା ସହାୟତା ଓ ପରିଚୟ ପତ୍ର ପ୍ରଦାନ କରିଥିଲେ ।ଶ୍ରୀମତୀ ତ୍ରିବେଣୀ ନାଏକ ଙ୍କୁ ମୃତ୍ୟକାଳୀନ ସହାୟତା ୨ ଲକ୍ଷ ଟଙ୍କା, ବୈଜନ୍ତି ଭାଟିଙ୍କୁ ଅନ୍ତେଷ୍ଟି କ୍ରିୟା ସହାୟତା ବାବଦ ୫୦୦୦ ଟଙ୍କା, ହଂସିନି ମାଝୀ ଙ୍କୁ ଅନ୍ତେଷ୍ଟି କ୍ରିୟାସହାୟତା ବାବଦ କୁ ୧୦୦୦୦ ଟଙ୍କା,ପାଣ୍ଡବ ସୁନା ଙ୍କୁ ଶିକ୍ଷା ସହାୟତା ବାବଦ ୩୬୦୦ ଟଙ୍କା, ଅଣ ସଂଗଠିତ ଶ୍ରମିକ କ୍ଷେତ୍ରରେ ଅରକ୍ଷିତ ମାଝୀ ଙ୍କୁ ମୃତ୍ୟକାଳୀନ ସହାୟତା ବାବଦ ୧ ଲକ୍ଷ ଟଙ୍କା ଦିଆଯାଇଥିଲା।

ଏହା ବ୍ୟତୀତ ଏଭଳି ସହାୟତା ପାଇଁ ତାଲିକାଭୁକ୍ତ ଶ୍ରମିକ ହିତାଧିକାରୀ ମାନଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇ ଅନୁମୋଦନ ମଞ୍ଜୁରୀ ପାଇଁ ପଠାଯାଇଛି ବୋଲି ଶ୍ରମ ଅଧିକାରୀ କହିଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡିଭିଜନାଲ ଶ୍ରମ କମିସନର ନରେନ୍ଦ୍ର ରାଇକା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ମନୋଜ ବେହେରା, ସହକାରୀ ଶ୍ରମ ଅଧିକାରୀ, ଧର୍ମଗଡ ସୁଶାନ୍ତ ପାଇକରାୟ, ଶ୍ରମ କାର୍ଯ୍ୟାଳୟ କର୍ମକର୍ତ୍ତା ତଥା ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।