Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ପତିତପାବନ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ, ଯୋଗ ଦେବେ ଓଡିଶା ଓ ଆନ୍ଧ୍ର ରାଜ୍ୟପାଳ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ପତିତପାବନ ସରକାରୀ ଉଚ୍ଚ ବିଦ୍ୟାଳୟ ଚଳିତ ବର୍ଷ ହୀରକ ଜୟନ୍ତୀ ପାଳନ କରିବ। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହାତକୁ ନିଆଯାଇଛି। ତେବେ ଆସନ୍ତା ୧୨ ଏବଂ ୧୩ ତାରିଖ ଦୁଇ ଦିନ ବ୍ୟାପି ଉକ୍ତ ହୀରକ ଜୟନ୍ତୀ ପାଳନ ହେବ। ଫେବୃୟାରୀ ୧୨ ତାରିଖ ଦିନ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ତଥା ବାଣପୁର ମାଟିର ପୁଅ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ୧୩ ତାରିଖ ଦିନ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏଥି ନିମନ୍ତେ ବାଣପୁର ଓ ଗମ୍ଭାରୀମୁଣ୍ଡା ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଛି। ବାଣପୁର ଅଞ୍ଚଳରେ ଗୋଟାଏ କାର୍ଯ୍ୟକ୍ରମରେ ଦୁଇ ଦୁଇ ଜଣ ରାଜ୍ୟପାଳ ଆସିବା ପ୍ରଥମ ଘଟଣା।  ଉକ୍ତ ଗସ୍ତକୁ ସଫଳ କରିବା ନିମନ୍ତେ ଅଞ୍ଚଳବାସୀଙ୍କୁ ହୀରକ ଜୟନ୍ତୀ କମିଟି ସମ୍ପାଦକ ତଥା ଲୋକପ୍ରିୟ ସମାଜସେବୀ ଡାକ୍ତର ସୁରେନ୍ଦ୍ର ନାଥ ଦାସ ନିବେଦନ କରିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁରେ ୨୯ତମ ଶିବ ଜ୍ୟୋତି ଧ୍ୟାମ ବାର୍ଷିକ ଉତ୍ସବ: ଯୋଗଦେବେ ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟ ସଭାଗୃହରେ ୨୯ତମ ଶିବ ଜ୍ୟୋତି ଧ୍ୟାମ ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ବୈଠକରେ ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟ ମୁଖ୍ୟ ପରିଚାଳିକା ବିକେ କେତକୀଙ୍କ ସଭାପତିତ୍ୱରେ ଭାରତ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ‘ଆଜାଦି କି ଅମୃତ ମହୋତ୍ସବ’ ଅବସରରେ ଆସନ୍ତା ୭ ତାରିଖରେ ଶିବ ଜ୍ୟୋତି ଧ୍ୟାମର ୨୯ ତମ ବାର୍ଷିକ ଉତ୍ସବ ପାଳନ କରାଯିବା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। କର୍ମମୟ ଜୀବନ ମଧ୍ୟରୁ କିଛି ସମୟ ବାହାର କରି ନିଜର ମାନସିକ ଶାନ୍ତି ନିମିତ୍ତ ଆଧ୍ୟାତ୍ମିକତା ମାଧ୍ୟମରେ ଲାଘବ କରିବା ନେଇ ଆଲୋଚନା କରାଯାଇଥିଲା ଏଥିସହିତ ଉକ୍ତ ଉତ୍ସବରେ ଆନ୍ଧ୍ରପ୍ରଦେଶ ମହାମହିମ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେବା ନେଇ ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟ ପରିବେଶ ଚଳଚଞ୍ଚଳ ହୋଇଥିବା ବିକେ କେତକୀ ସୂଚନା ଦେଇଛନ୍ତି।

ଉକ୍ତ ବୈଠକରେ ମାଉଣ୍ଟ ଆବୁର ସହ ନିର୍ଦ୍ଦେଶିକା ଶିକ୍ଷା ପ୍ରଭାଗ ବିକେ ଲିନା, ଖୋର୍ଦ୍ଧାର ବରିଷ୍ଠ ରାଜଯୋଗୀ ବିକେ ଜୟକୃଷ୍ଣ ପ୍ରମୁଖ ଯୋଗ ଦେଇ ଆଜିର ଆଧୁନିକ ସମାଜରେ ଓମ୍ ଶାନ୍ତି ଶିବ ଜ୍ୟୋତି ଧ୍ୟାମ ତରଫରୁ ସାରା ଭାରତରେ ଶାନ୍ତି, ପ୍ରେମ, ମୈତ୍ରୀ ଆଚାର ବ୍ୟବହାରକୁ ସୁଚାରରୂପେ ପରିବେଷଣ ସହ ନୂତନ ଭାରତ ଗଠନ ଦିଗରେ ଆଧ୍ୟାତ୍ମିକ ଚିନ୍ତାଧାରା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରିବ ବୋଲି କହିଛନ୍ତି।

ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମକୁ ଆହୁରି ପ୍ରଚାର ପ୍ରସାର କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଏହି ଆଲୋଚନା ଚକ୍ରରେ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟର ସମସ୍ତ ବ୍ରହ୍ମା କୁମାରୀ ଉପସ୍ଥିତ ରହି ଆସନ୍ତା ବାର୍ଷିକ ଉତ୍ସବକୁ ସଫଳତାର ସହ ପାଳନ କରିବା ପାଇଁ ଏକମତ ପ୍ରକାଶ ପାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଆମାନେ ଅତୀତ ବୀରତ୍ୱ କାହାଣୀକୁ ମନେ ପକାଇବାକୁ ଆନ୍ଧ୍ର ରାଜ୍ୟପାଳଙ୍କ ପରାମର୍ଶ

ଭୁବନେଶ୍ୱର: ବରୁଣେଇରେ ପାଇକ ବିଦ୍ରୋହର ସ୍ମୃତିସ୍ତମ୍ଭ ନିର୍ମାଣ ପାଇଁ ଜମି ଯୋଗାଇ ଦେବାକୁ ଆନ୍ଧ୍ରପଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାମର୍ଶ ଦେବା ସହ ଅନୁରୋଧ କରିଛନ୍ତି। ଆଜି ପ୍ରେରଣା ଗ୍ରୀନ୍ ଆର୍ମି ପକ୍ଷରୁ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ବୁଦ୍ଧିଜୀବୀ, ସାହିତ୍ୟିକ, ଐତିହାସିକ ତଥା କଳାକାରମାନଙ୍କ ସମାବେଶ ଓ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶ୍ରୀ ହରିଚନ୍ଦନ କହିଲେ, ଓଡ଼ିଆ ଜାତିର ଗର୍ବିତ ପରମ୍ପରା ସମଗ୍ର ବିଶ୍ୱବିଦିତ। ଇଂରେଜ ସରକାର ବିରୁଦ୍ଧରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ସଂଗଠିତ ପାଇକ ବିଦ୍ରୋହ ଭାରତବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମ। ଏହି ବୀରତ୍ୱପୂର୍ଣ୍ଣ ରକ୍ତାକ୍ତ ସଂଗ୍ରାମର ସ୍ମୃତିକୁ ପ୍ରତ୍ୟେକ ଓଡ଼ିଆ ମନେ ପକାଇବା ସହିତ ନିଜ ମାଟି ଓ ମାତୃଭାଷା ପ୍ରତି ମମତାବୋଧ ପ୍ରକାଶ କରିବାକୁ ସେ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ପ୍ରେରଣା ଗ୍ରୀନ୍ ଆର୍ମି ପକ୍ଷରୁ ‘ସବୁଜ ବିଶ୍ୱ ପାଇଁ ଆମେ ବୃକ୍ଷରୋପଣ କରିବା ଅଭିଯାନର’ର ଲୋଗୋକୁ ଉନ୍ମୋଚନ କରି ଶ୍ରୀ ହରିଚନ୍ଦନ କହିଲେ, ବର୍ତ୍ତମାନ ସମଗ୍ର ବିଶ୍ୱରେ ଜଳବାୟୁ ପରିବର୍ତ୍ତନ, ପରିବେଶ ପ୍ରଦୂଷଣ, ଉତ୍ତାପ ବୃଦ୍ଧି ଜନିତ ଯେଉଁ ସମସ୍ୟା ଦେଖା ଦେଇଛି ସେଥିପାଇଁ ପ୍ରତ୍ୟେକ ଓଡ଼ିଶାବାସୀ ବୃକ୍ଷରୋପଣ କରିବା ନିତାନ୍ତ ଆବଶ୍ୟକ।

ଏହି ଉତ୍ସବରେ ବିଶିଷ୍ଟ ଅତିଥି ରୂପେ ପୂର୍ବତନ କେନ୍ଦ୍ର ସାହିତ୍ୟ ଏକାଦେମୀ ସଭାପତି ପଦ୍ମ ଭୂଷଣ ବିଶିଷ୍ଟ କବି ରମାକାନ୍ତ ରଥ ଯୋଗଦେଇ ଆମର ପୂର୍ବଜ ସାହିତ୍ୟିକ କାହ୍ନୁଚରଣ ମହାନ୍ତି, କାଳନ୍ଦୀ ପାଣିଗ୍ରାହୀ ଆଦିଙ୍କର କୃତିକୁ ସଂରକ୍ଷଣ କରିବାକୁ ରାଜ୍ୟ ସରକାର ଉଦ୍ୟମ କରିବା ନିମନ୍ତେ ମତ ରଖିଥିଲେ। ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମିର ଅଧ୍ୟକ୍ଷ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ଏଥିରେ ସଭାପତିତ୍ୱ କରି କହିଲେ ଯେ, ପ୍ରତ୍ୟେକ ଓଡ଼ିଆ ନିଜ ଜାତିର ଇତିହାସକୁ ମନେ ପକାଇ ଆଗକୁ ନିଜର ସ୍ୱାଭିମାନ ବଞ୍ଚାଇବା ପାଇଁ ଚେଷ୍ଟା କରିବା ସହ ବିଶ୍ୱର ପରିବେଶଜନିତ ସଙ୍କଟକୁ ଉଦ୍ଧାର କରିବା ପାଇଁ ପ୍ରତ୍ୟେକ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବାକୁ ଅନୁରୋଧ କରିଥିଲେ।

ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ବୀର ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ, ଆଚିଭର ଫାଉଣ୍ଡେସନର ସଭାପତି ଡଃ ଅଶୋକ ସୁନ୍ଦରାୟ, ଚଳଚ୍ଚିତ୍ର ଓ ଧାରାବାହିକ ପ୍ରଯୋଜିକା ବିନି ସାମଲ, ରୋଟାରିଆନ ଯଜ୍ଞାଶିଷ ମହାପାତ୍ର ପ୍ରମୁଖ ଅତିଥି ରୂପେ ଯୋଗଦେଇ ଉତ୍କଳ ଜନନୀର ବୀରତ୍ୱପୂର୍ଣ୍ଣ ଗାଥା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ୍ ଡଃ ସୁଭାଷ ଚନ୍ଦ୍ର ନାୟକ, ସମାଜସେବୀ ଓ ଶିକ୍ଷାବିତ୍ ଲାୟନ୍ସ ସ୍ମୃତିସୁଧା ନାୟକ, ଶିକ୍ଷାବିତ୍ ଡଃ ପତିତପାବନ ପଣ୍ଡା, ସକାଳ ଖବରକାଗଜର ସାମ୍ବାଦିକ ଅନୁରାଧା ବାରିକ, ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତ୍ରୀ ନମ୍ରତା ସିଂହଦେଓ, ଧାରାବାହିକ ଓ ଚଳଚ୍ଚିତ୍ର ଅଭିନେତ୍ରୀ ତୃପ୍ତି ସାହୁ, ଚଳଚ୍ଚିତ୍ର ଧାରାବାହିକ ଅଭିନେତ୍ରୀ ଆଲିସା ବ୍ରହ୍ମା, ଧାରାରବାହିକ ଅଭିନେତ୍ରୀ ମାନସୀ ପାଲ, ସ୍ନିଗ୍ଧା, ଅଭିନେତା ନୀଲ୍ ପଣ୍ଡା, ସାମ୍ବାଦିକ ସୁସ୍ମିତା ମିଶ୍ର ଓ ଚଳିତବର୍ଷର ଶ୍ରେଷ୍ଠ ଧାରାବାହିକ ଓ ଚଳଚ୍ଚିତ୍ର ପ୍ରଯୋଜିକା ଭାବେ ବିନି ସାମଲଙ୍କୁ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ସମ୍ବର୍ଦ୍ଧିତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ମହାପ୍ରଭୁ ଶ୍ରୀଜଗନ୍ନାଥ କୋଟି ଓଡ଼ିଆର ମଉଡ଼ମଣି: ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ

ଭୁବନେଶ୍ୱର: ଓଡ଼ିଶାର ବିଦ୍ୱାନମାନଙ୍କର ଅଗ୍ରଣୀ ଅନୁଷ୍ଠାନ, ଉତ୍କଳ ବିଦ୍ୱତ ପରିଷଦ ତରଫରୁ ଏକ ଦୁଇଦିନିଆ ଆଲୋଚନାଚକ୍ର ଆଜି ସନ୍ଧ୍ୟାରେ ଜୁମ୍ ଭିଡ଼ିଓ ଯୋଗେ ଉଦ୍‌ଘାଟିତ ହୋଇଯାଇଛି। ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ରାଜଭବନରେ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ‘ଇତିହାସ ପୃଷ୍ଠାରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା’ ସମ୍ବନ୍ଧୀୟ ଆଲୋଚନାଚକ୍ରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।

ଉଦ୍‌ଘାଟନୀ ଭାଷଣରେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ନିଜ ବକ୍ତବ୍ୟରେ କହିଲେ ଯେ, ‘ଶ୍ରୀଜଗନ୍ନାଥ ହେଉଛନ୍ତି କୋଟି ଓଡ଼ିଆର ମଉଡ଼ମଣି। ଏ ଜାତିର ପ୍ରାଣ ଓ ପରିଚୟ। ଇତିହାସକୁ ଅବଲୋକନ କଲେ ଜଣାଯାଏ ବହୁ ଘାତ ପ୍ରତିଘାତ ଭିତରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରମ୍ପରାକୁ ଓଡ଼ିଆମାନେ ରକ୍ଷା କରିବାକୁ ଅନେକ ବଳିଦାନ ଦେଇଛନ୍ତି। ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା ଅତିଶୀଘ୍ର ଏ କରୋନା ମହାମାରୀ ଦୂର ହେଉ ଏବଂ ଜନସାଧାରଣ ପୁନର୍ବାର ଶାନ୍ତି ଓ ମୈତ୍ରୀର ବାତାବରଣରେ ଜୀବନଯାପନ କରନ୍ତୁ।’

ପୁରୀ ଗଜପତି ମହାରାଜା କହିଲେ ଯେ ‘ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ପରମ୍ପରା ଅତ୍ୟନ୍ତ ପ୍ରାଚୀନ। ସ୍କନ୍ଧପୁରାଣ, ପୁରୁଷୋତ୍ତମ କ୍ଷେତ୍ର ମହାତ୍ମ୍ୟରୁ ଜଣାଯାଏ ଯେ ରାଜା ଇନ୍ଦଦ୍ୟୁମ୍ନଙ୍କ ଠାରୁ ଏ ପରମ୍ପରା ଆରମ୍ଭ ହୋଇଛି। ପ୍ରତ୍ୟେକ ଶ୍ରୀଜଗନ୍ନାଥପ୍ରେମୀ ସ୍କନ୍ଧପୁରାଣ ପୁରୁଷୋତ୍ତମ କ୍ଷେତ୍ର ମହାତ୍ମ୍ୟ ପଢି ମହାପ୍ରଭୁଙ୍କ ବିଷୟରେ ଅଧିକରୁ ଅଧିକ ଜାଣିଲେ ଆମ ସଂସ୍କୃତି ଓ ପରମ୍ପରା ରକ୍ଷା ହୋଇପାରିବ।

ବରେଣ୍ୟ ବକ୍ତାମାନଙ୍କ ମଧ୍ୟରେ କିସ୍ ବିଶ୍ୱବିଦ୍ୟାଳୟର ଉପଦେଷ୍ଟା ପ୍ରଫେସର ହରେକୃଷ୍ଣ ଶତପଥୀ, ପଦ୍ମବିଭୂଷଣ ସୁଦର୍ଶନ ସାହୁ, ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ଧର୍ମଶାସ୍ତ୍ରବିତ୍ ଡଃ ଅତୁଲ କୁମାର ନନ୍ଦ, ଐତିହ୍ୟ ବିଶାରଦ ଡଃ ସୁରେନ୍ଦ୍ର କୁମାର ମିଶ୍ର ଶ୍ରୀଜଗନ୍ନାଥଙ୍କ ଉପରେ ତଥ୍ୟ ଓ ତତ୍ତ୍ୱଭିତ୍ତିକ ପ୍ରବନ୍ଧମାନ ଉପସ୍ଥାପନ କରିଥିଲେ।

ପ୍ରାରମ୍ଭରେ ସ୍ୱାଗତ ଭାଷଣ ଆନ୍ତରାଷ୍ଟ୍ରୀୟ ହିନ୍ଦୁ ମହାସଭାର ସଭାପତି ଡଃ ବଦ୍ରୀନାଥ ପଟ୍ଟନାୟକ, ଅତିଥି ପରିଚୟ ପ୍ରଦାନ, ଉତ୍କଳ ବିଦ୍ୱତ ପରିଷଦର ଉପଦେଷ୍ଟା ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ଉତ୍କଳ ବିଦ୍ୱତ ପରିଷଦର ଅଧ୍ୟକ୍ଷ ମନୋଜ ରଥ ଆଲୋଚନାଚକ୍ରର ବିଷୟବସ୍ତୁ ସମ୍ବନ୍ଧରେ ପ୍ରାଥମିକ ବକ୍ତବ୍ୟ ପ୍ରଦାନ କରିଥିଲେ। ଐତିହ୍ୟ ସଂରକ୍ଷଣ ପରିଷଦର ସମ୍ପାଦକ ଦେବୀ ପ୍ରସନ୍ନ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ବିଜୟଚନ୍ଦ୍ର ବ୍ରହ୍ମା, ପଣ୍ଡିତ କମଳାକାନ୍ତ ଆଚାର୍ଯ୍ୟ ଓ ସୌମ୍ୟାଶ୍ରୀ ଆଶୀର୍ବାଦମ। ଆଜିର କାର୍ଯ୍ୟକ୍ରମରେ ସନ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ, ପ୍ରଫେସର ବୁଦ୍ଧଦେବ ମିଶ୍ର, ତିରୁପତିରୁ ଡଃ ଜ୍ଞାନ ରଞ୍ଜନ ପଣ୍ଡା, ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା, ପଣ୍ଡିତ ବିନୋଦ ବିହାରୀ ଦାସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସଡକ ଦୁର୍ଘଟଣାରେ ୬ ଶ୍ରମିକ ମୃତ: ଶୋକ ବ୍ୟକ୍ତ କଲେ ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ

ନୂଆଦିଲ୍ଲୀ: ସଡକ ଦୁର୍ଘଟଣାରେ ୬ ଜଣ କୃଷି ଶ୍ରମିକ ମୃତ୍ୟୁବରଣ କରିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲା ଅନ୍ତର୍ଗତ ନୁଜିବିଦୁ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ପୋଲିସର ସୂଚନା ମୁତାବକ, ନୁଜିବିଦୁ ନିକଟସ୍ଥ ଲିୟୋନ ଟାଣ୍ଡା ନାମକ ଏକ ଆଦିବାସୀ ବସ୍ତି ଅଞ୍ଚଳର ଶ୍ରମିକମାନେ ଚାଷ କମ କରିବା ଲାଗି ଅଟୋ ଯୋଗେ ନିକଟସ୍ଥ ଗାଁକୁ ଯାଉଥିଲେ। ହଠାତ ଏକ ଅଜଣା ଗାଡି ଆସି ସେମାନଙ୍କ ଅଟୋକୁ ଧକ୍କା ଦେଇଥିଲା।

ଯାହାଫଳରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଆହତଙ୍କୁ ନୁଜିବିଦୁ ଏବଂ ବିଜୟୱାଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇ ଫେରାର ହୋଇଥିବା ଗାଡିକୁ ଖୋଜିବାରେ ଲାଗିପଡ଼ିଛି।

ଏନେଇ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ, ପ୍ପୁରବା ମୁଖ୍ୟମନ୍ତ୍ରୀ ତଥା ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ ଏବଂ ଜନ ସେନା ଅଧ୍ୟକ୍ଷ ପବନ କଲ୍ୟାଣ ଶୋକ ବ୍ୟକ୍ତ କରିଛନ୍ତି।