ବାଣପୁର: ପତିତପାବନ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ, ଯୋଗ ଦେବେ ଓଡିଶା ଓ ଆନ୍ଧ୍ର ରାଜ୍ୟପାଳ

Published: Feb 9, 2023, 10:25 am IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ପତିତପାବନ ସରକାରୀ ଉଚ୍ଚ ବିଦ୍ୟାଳୟ ଚଳିତ ବର୍ଷ ହୀରକ ଜୟନ୍ତୀ ପାଳନ କରିବ। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହାତକୁ ନିଆଯାଇଛି। ତେବେ ଆସନ୍ତା ୧୨ ଏବଂ ୧୩ ତାରିଖ ଦୁଇ ଦିନ ବ୍ୟାପି ଉକ୍ତ ହୀରକ ଜୟନ୍ତୀ ପାଳନ ହେବ। ଫେବୃୟାରୀ ୧୨ ତାରିଖ ଦିନ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ତଥା ବାଣପୁର ମାଟିର ପୁଅ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ୧୩ ତାରିଖ ଦିନ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏଥି ନିମନ୍ତେ ବାଣପୁର ଓ ଗମ୍ଭାରୀମୁଣ୍ଡା ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଛି। ବାଣପୁର ଅଞ୍ଚଳରେ ଗୋଟାଏ କାର୍ଯ୍ୟକ୍ରମରେ ଦୁଇ ଦୁଇ ଜଣ ରାଜ୍ୟପାଳ ଆସିବା ପ୍ରଥମ ଘଟଣା।  ଉକ୍ତ ଗସ୍ତକୁ ସଫଳ କରିବା ନିମନ୍ତେ ଅଞ୍ଚଳବାସୀଙ୍କୁ ହୀରକ ଜୟନ୍ତୀ କମିଟି ସମ୍ପାଦକ ତଥା ଲୋକପ୍ରିୟ ସମାଜସେବୀ ଡାକ୍ତର ସୁରେନ୍ଦ୍ର ନାଥ ଦାସ ନିବେଦନ କରିଛନ୍ତି।

Related posts