Categories
ଆଜିର ଖବର ଜାତୀୟ ଖବର

ପୋଲିସ ମହାନିର୍ଦ୍ଦେଶକ/ପୋଲିସ ମହାନିରୀକ୍ଷକଙ୍କ ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୬-୭, ୨୦୨୪ରେ ଜୟପୁରସ୍ଥିତ ରାଜସ୍ଥାନ ଅନ୍ତର୍ଜାତୀୟ କେନ୍ଦ୍ରରେ ପୋଲିସ ମହାନିର୍ଦ୍ଦେଶକ / ଆଇଜିଙ୍କ ସର୍ବଭାରତୀୟ ସମ୍ମିଳନୀ ୨୦୨୩ରେ ଯୋଗଦେବେ।

ଜାନୁଆରି ୫ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି  ତିନି ଦିନିଆ ସମ୍ମିଳନୀରେ ସାଇବର କ୍ରାଇମ, ପୁଲିସିଂରେ ଟେକ୍ନୋଲୋଜି, ଆତଙ୍କବାଦ ମୁକାବିଲା ଚ୍ୟାଲେଞ୍ଜ, ବାମପନ୍ଥୀ ଉଗ୍ରବାଦ, ଜେଲ୍ ସଂସ୍କାର ସମେତ ବିଭିନ୍ନ ପୁଲିସ ଓ ଆଭ୍ୟନ୍ତରୀଣ ନିରାପତ୍ତା ପ୍ରସଙ୍ଗରେ ଆଲୋଚନା ହେବ। ଏହି ସମ୍ମିଳନୀର ଅନ୍ୟ ଏକ ପ୍ରମୁଖ ଏଜେଣ୍ଡା ହେଉଛି ନୂତନ ଅପରାଧିକ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ରୋଡ୍ ମ୍ୟାପ୍ ଉପରେ ଆଲୋଚନା।

ଏହାବ୍ୟତୀତ ଏହି ସମ୍ମିଳନୀରେ ପୁଲିସ ଏବଂ ନିରାପତ୍ତା କ୍ଷେତ୍ରରେ ଭବିଷ୍ୟତଭିତ୍ତିକ ବିଷୟବସ୍ତୁ ଯଥା ଏଆଇ, ଡିପ୍ ଫେକ୍ ଇତ୍ୟାଦି ନୂତନ ଜ୍ଞାନକୌଶଳ ଦ୍ୱାରା ସୃଷ୍ଟି ହୋଇଥିବା ଆହ୍ୱାନ ଏବଂ ଏହାର ମୁକାବିଲାର ଉପାୟ ଉପରେ ମଧ୍ୟ ଆଲୋଚନା କରାଯିବ। ପ୍ରତିବର୍ଷ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଉପସ୍ଥାପିତ ହେଉଥିବା ପ୍ରଯୁଜ୍ୟ ଆକ୍ସନ ପଏଣ୍ଟଗୁଡ଼ିକୁ ଚିହ୍ନଟ କରିବା ଏବଂ ଏହାର ଅଗ୍ରଗତି ଉପରେ ନଜର ରଖିବାର ସୁଯୋଗ ମଧ୍ୟ ଏହି ସମ୍ମିଳନୀ ପ୍ରଦାନ କରିଥାଏ।

ଏହି  ସମ୍ମିଳନୀରେ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରର ପୁଲିସ ଓ ଗୁଇନ୍ଦା ଅଧିକାରୀମାନେ ଚିହ୍ନଟ ହୋଇଥିବା ବିଷୟବସ୍ତୁ ଉପରେ ବ୍ୟାପକ ଆଲୋଚନା କରିଛନ୍ତି। ଏହି ସମ୍ମିଳନୀରେ ପ୍ରତ୍ୟେକ ବିଷୟବସ୍ତୁ ଅଧୀନରେ ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳର ଶ୍ରେଷ୍ଠ ଅଭ୍ୟାସ ଉପସ୍ଥାପନ କରାଯିବ ଯାହା  ଦ୍ୱାରା ରାଜ୍ୟମାନେ ପରସ୍ପରଠାରୁ ଶିଖିପାରିବେ।

୨୦୧୪ରୁ ଡିଜିପି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଗଭୀର ଆଗ୍ରହ ଦେଖାଇଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରତୀକାତ୍ମକ ଉପସ୍ଥିତି ଭଳି ନହୋଇ, ସେ ସମ୍ମିଳନୀର ସମସ୍ତ ପ୍ରମୁଖ ଅଧିବେଶନରେ ଉପସ୍ଥିତ ରହୁଛନ୍ତି। ପ୍ରଧାନମନ୍ତ୍ରୀ କେବଳ ଧୈର୍ଯ୍ୟର ସହ ସମସ୍ତ ସୂଚନା ଶୁଣନ୍ତି ନାହିଁ, ବରଂ ମୁକ୍ତ ଏବଂ ଅନୌପଚାରିକ ଆଲୋଚନାକୁ ମଧ୍ୟ ପ୍ରୋତ୍ସାହିତ କରନ୍ତି ଯାହା ଦ୍ୱାରା ନୂତନ ଚିନ୍ତାଧାରା ଆସିପାରିବ। ଚଳିତ ବର୍ଷର ସମ୍ମିଳନୀରେ ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ସମୟରେ ଆଲୋଚନା କରିବାକୁ ମଧ୍ୟ ଯୋଜନା କରାଯାଇଛି। ଏହା ଦ୍ୱାରା ବରିଷ୍ଠ ପୋଲିସ ଅଧିକାରୀମାନେ ଦେଶକୁ ପ୍ରଭାବିତ କରୁଥିବା ପ୍ରମୁଖ ପୋଲିସିଂ ଏବଂ ଆଭ୍ୟନ୍ତରୀଣ ନିରାପତ୍ତା ପ୍ରସଙ୍ଗ ଉପରେ ସେମାନଙ୍କ ମତାମତ ଏବଂ ସୁପାରିଶ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିବାର ସୁଯୋଗ ପାଇବେ।

ପ୍ରଧାନମନ୍ତ୍ରୀ ୨୦୧୪ ମସିହାରୁ ସମଗ୍ର ଦେଶରେ ବାର୍ଷିକ ଡିଜିପି ସମ୍ମିଳନୀ ଆୟୋଜନକୁ ପ୍ରୋତ୍ସାହିତ କରିଛନ୍ତି। ୨୦୧୪ ରେ ଗୌହାଟୀରେ ଏହି ସମ୍ମିଳନୀ ଆୟୋଜନ କରାଯାଇଥିଲା। ୨୦୧୫ରେ ଧୋର୍ଡୋ, କଚ୍ଛର ରଣ; ୨୦୧୬ ରେ ନ୍ୟାସନାଲ ପୋଲିସ ଏକାଡେମୀ, ହାଇଦ୍ରାବାଦ, ୨୦୧୭ ରେ ବିଏସଏଫ ଏକାଡେମୀ, ଟେକାନପୁର, ୨୦୧୮ରେ କେଭାଡିଆ; ଆଇଆଇଏସଇଆର, ୨୦୧୯ରେ ପୁନେ ; ୨୦୨୧ରେ ଲକ୍ଷ୍ନୌସ୍ଥିତ ପୁଲିସ ମୁଖ୍ୟାଳୟରେ; ଏବଂ ଜାତୀୟ କୃଷି ବିଜ୍ଞାନ କମ୍ପ୍ଲେକ୍ସ, ପୁସା, ଦିଲ୍ଲୀରେ ୨୦୨୩ ରେ ସମ୍ମିଳନୀ ହୋଇଥିଲା। ଏହି ପରମ୍ପରାକୁ ବଜାୟ ରଖି ଚଳିତ ବର୍ଷ ଜୟପୁରରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି।

ଏହି ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା, ଗୃହ ରାଷ୍ଟ୍ରମନ୍ତ୍ରୀ, କ୍ୟାବିନେଟ୍ ସଚିବ, ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ, ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଡିଜିପି ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ଓ କେନ୍ଦ୍ରୀୟ ପୁଲିସ ସଂଗଠନର ମୁଖ୍ୟମାନେ ଯୋଗଦେବେ।

Categories
ବିଶେଷ ଖବର

ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ: ଶୁକ୍ରବାର ଦିନ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀରେ ସାରା ଦେଶର ଗୁଇନ୍ଦା କାର୍ଯ୍ୟାଳୟ ଅଧିକାରୀଙ୍କ ସହ ଏକ ଜରୁରି ବୈଠକରେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି। ଏହି ବୈଠକରେ ଆତଙ୍କବାଦ, ଉଗ୍ରବାଦ ବିପଦ, ସାଇବର ନିରାପତ୍ତା ପ୍ରସଙ୍ଗ, ସୀମା ସଂକ୍ରାନ୍ତ ଦିଗ ଏବଂ ସୀମାପାର ଆତଙ୍କବାଦୀ ତତ୍ତ୍ବଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରର ଅଖଣ୍ଡତା ଓ ସ୍ଥିରତା ସମେତ ଜାତୀୟ ସୁରକ୍ଷା ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ଓ ବିଚାରବିମର୍ଶ କରାଯାଇଥିଲା।

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ କେନ୍ଦ୍ର ସରକାର ଗତ ଆଠ ବର୍ଷ ମଧ୍ୟରେ ସବୁ ଦିଗରୁ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବା ଜରିଆରେ ରାଷ୍ଟ୍ରର ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ପ୍ରୟାସ କରି ଆସୁଛନ୍ତି। ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି।

ଅମିତ ଶାହା କହିଥିଲେ ଯେ, ସ୍ବାଧୀନତା ପରଠାରୁ ବିନା କୌଣସି ଆଶାରେ ଗୁଇନ୍ଦା ବ୍ୟୁରୋ ଗୋପନୀୟ ଭାବେ ଦେଶରେ ଶାନ୍ତି ବଜାୟ ରଖିବା ଦିଗରେ ଅତି ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଇ ଆସୁଛି। ସେ କହିଥିଲେ ଯେ, ଆମେ ଆତଙ୍କବାଦ ଏବଂ ଏହାକୁ ସହାୟତା ଯୋଗାଇ ଦେଉଥିବା ବ୍ୟବସ୍ଥା ସହ ଲଢ଼େଇ କରୁଛୁ, ଉଭୟଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ବିନା ଆତଙ୍କବାଦ ବିରୋଧରେ ବିଜୟ ହାସଲ ସମ୍ଭବ ନୁହେଁ।

ଅମିତ ଶାହା ଜୋର ଦେଇ କହିଥିଲେ ଯେ, ରାଜ୍ୟ ଆତଙ୍କବାଦ ନିରୋଧୀ ଏବଂ ନିଶା କାରବାର ନିରୋଧୀ ସଂସ୍ଥାଗୁଡ଼ିକ ମଧ୍ୟରେ ସୂଚନା ଆଦାନପ୍ରଦାନ ଏବଂ ଯୋଗାଯୋଗକୁ ଆହୁରି ସୁଦୃଢ଼ କରିବାର ଆବଶ୍ୟକତା ରହିଛି। ବାମପନ୍ଥୀ ଉଗ୍ରବାଦ ନିୟନ୍ତ୍ରଣ ଲାଗି, ଏହାର ଆର୍ଥିକ ଏବଂ ଲଜିଷ୍ଟିକ୍ସ ଜନିତ ସହାୟକ ବ୍ୟବସ୍ଥାକୁ ନିଷ୍କ୍ରିୟ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ, ଆମକୁ ଦେଶର ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଅଭେଦ୍ୟ କରିବାକୁ ହେବ। ଏଥିପାଇଁ ଆମକୁ ସବୁଠୁ ଛୋଟ ଓ ସବୁଠୁ ପୃଥକ ହୋଇଥିବା ବନ୍ଦର ଉପରେ ମଧ୍ୟ କଡ଼ା ନଜର ରଖିବାକୁ ପଡ଼ିବ। ଶ୍ରୀ ଶାହା କହିଥିଲେ ଯେ,  ନିଶା କେବଳ ଦେଶର ଯୁବକମାନଙ୍କୁ ବରବାଦ କରୁନାହିଁ, ବରଂ ଏଥିରୁ ଅର୍ଜିତ ଧନ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ମଧ୍ୟ ପ୍ରଭାବିତ କରୁଛି, ସେଥିପାଇଁ ଆମକୁ ଏହାର ସମୂଳ ବିନାଶ ପାଇଁ ମିଳିମିଶି କାମ କରିବାକୁ ହେବ। ଡ୍ରୋନ ଜରିଆରେ ସୀମାପାର ନିଶାଦ୍ରବ୍ୟ କାରବାରକୁ ବନ୍ଦ କରିବା ଲାଗି ଆମକୁ ଡ୍ରୋନ ନିରୋଧୀ ପ୍ରଯୁକ୍ତିର ସର୍ବାଧିକ ଉପଯୋଗ କରିବାକୁ ହେବ।