ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

Published: Nov 10, 2022, 7:32 am IST

ନୂଆଦିଲ୍ଲୀ: ଶୁକ୍ରବାର ଦିନ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀରେ ସାରା ଦେଶର ଗୁଇନ୍ଦା କାର୍ଯ୍ୟାଳୟ ଅଧିକାରୀଙ୍କ ସହ ଏକ ଜରୁରି ବୈଠକରେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି। ଏହି ବୈଠକରେ ଆତଙ୍କବାଦ, ଉଗ୍ରବାଦ ବିପଦ, ସାଇବର ନିରାପତ୍ତା ପ୍ରସଙ୍ଗ, ସୀମା ସଂକ୍ରାନ୍ତ ଦିଗ ଏବଂ ସୀମାପାର ଆତଙ୍କବାଦୀ ତତ୍ତ୍ବଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରର ଅଖଣ୍ଡତା ଓ ସ୍ଥିରତା ସମେତ ଜାତୀୟ ସୁରକ୍ଷା ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ଓ ବିଚାରବିମର୍ଶ କରାଯାଇଥିଲା।

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ କେନ୍ଦ୍ର ସରକାର ଗତ ଆଠ ବର୍ଷ ମଧ୍ୟରେ ସବୁ ଦିଗରୁ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବା ଜରିଆରେ ରାଷ୍ଟ୍ରର ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ପ୍ରୟାସ କରି ଆସୁଛନ୍ତି। ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି।

ଅମିତ ଶାହା କହିଥିଲେ ଯେ, ସ୍ବାଧୀନତା ପରଠାରୁ ବିନା କୌଣସି ଆଶାରେ ଗୁଇନ୍ଦା ବ୍ୟୁରୋ ଗୋପନୀୟ ଭାବେ ଦେଶରେ ଶାନ୍ତି ବଜାୟ ରଖିବା ଦିଗରେ ଅତି ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଇ ଆସୁଛି। ସେ କହିଥିଲେ ଯେ, ଆମେ ଆତଙ୍କବାଦ ଏବଂ ଏହାକୁ ସହାୟତା ଯୋଗାଇ ଦେଉଥିବା ବ୍ୟବସ୍ଥା ସହ ଲଢ଼େଇ କରୁଛୁ, ଉଭୟଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ବିନା ଆତଙ୍କବାଦ ବିରୋଧରେ ବିଜୟ ହାସଲ ସମ୍ଭବ ନୁହେଁ।

ଅମିତ ଶାହା ଜୋର ଦେଇ କହିଥିଲେ ଯେ, ରାଜ୍ୟ ଆତଙ୍କବାଦ ନିରୋଧୀ ଏବଂ ନିଶା କାରବାର ନିରୋଧୀ ସଂସ୍ଥାଗୁଡ଼ିକ ମଧ୍ୟରେ ସୂଚନା ଆଦାନପ୍ରଦାନ ଏବଂ ଯୋଗାଯୋଗକୁ ଆହୁରି ସୁଦୃଢ଼ କରିବାର ଆବଶ୍ୟକତା ରହିଛି। ବାମପନ୍ଥୀ ଉଗ୍ରବାଦ ନିୟନ୍ତ୍ରଣ ଲାଗି, ଏହାର ଆର୍ଥିକ ଏବଂ ଲଜିଷ୍ଟିକ୍ସ ଜନିତ ସହାୟକ ବ୍ୟବସ୍ଥାକୁ ନିଷ୍କ୍ରିୟ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ, ଆମକୁ ଦେଶର ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଅଭେଦ୍ୟ କରିବାକୁ ହେବ। ଏଥିପାଇଁ ଆମକୁ ସବୁଠୁ ଛୋଟ ଓ ସବୁଠୁ ପୃଥକ ହୋଇଥିବା ବନ୍ଦର ଉପରେ ମଧ୍ୟ କଡ଼ା ନଜର ରଖିବାକୁ ପଡ଼ିବ। ଶ୍ରୀ ଶାହା କହିଥିଲେ ଯେ,  ନିଶା କେବଳ ଦେଶର ଯୁବକମାନଙ୍କୁ ବରବାଦ କରୁନାହିଁ, ବରଂ ଏଥିରୁ ଅର୍ଜିତ ଧନ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ମଧ୍ୟ ପ୍ରଭାବିତ କରୁଛି, ସେଥିପାଇଁ ଆମକୁ ଏହାର ସମୂଳ ବିନାଶ ପାଇଁ ମିଳିମିଶି କାମ କରିବାକୁ ହେବ। ଡ୍ରୋନ ଜରିଆରେ ସୀମାପାର ନିଶାଦ୍ରବ୍ୟ କାରବାରକୁ ବନ୍ଦ କରିବା ଲାଗି ଆମକୁ ଡ୍ରୋନ ନିରୋଧୀ ପ୍ରଯୁକ୍ତିର ସର୍ବାଧିକ ଉପଯୋଗ କରିବାକୁ ହେବ।

Related posts