Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ୩୪୯ଟି ନୂଆ ଆମ୍ବୁଲାନସ କଲେ ଲୋକାର୍ପିତ, ୪୮.୪୫ କୋଟି ଟଙ୍କା ବିନିଯୋଗ

ଭୁବନେଶ୍ବର: ତ୍ଵରିତ ସ୍ୱାସ୍ଥ୍ୟ ସେବା ଦିଗରେ ଅନ୍ୟ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୩୪୯ଟି ନୂଆ ଆମ୍ବୁଲାନ୍ସ ଓଡିଶାବାସୀଙ୍କ ନିମନ୍ତେ ଲୋକାର୍ପଣ କରିଛନ୍ତି । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ଆମ୍ବୁଲାନ୍ସ ରାଜ୍ୟର ମେଡିକାଲ ଆମ୍ବୁଲାନ୍ସ ସେବାରେ ଯୋଗ କରାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ଆହୁରି ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସହାୟକ ହେବ। ‘ପ୍ରତି ଜୀବନ ମୂଲ୍ୟବାନ’ ନୀତି ଅନୁଯାୟୀ ଆମର ଉଦ୍ୟମ ଜାରି ରହିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଆଜି ଲୋକାର୍ପିତ ଆମ୍ବୁଲାନ୍ସ ଗୁଡିକ ମଧ୍ୟରୁ ୨୭୯ଟିକୁ ୧୦୮-ଆମ୍ବୁଲାନ୍ସ ସେବାରେ ସାମିଲ କରାଯାଇଛି। ବାକି ୭୦ଟିକୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟମାନଙ୍କୁ ଯୋଗାଇ ଦିଆଯାଇଛି। ଏହି ୭୦ଟି ମଧ୍ୟରୁ ୪୦ଟି ହେଉଛି ଜୀବନ ରକ୍ଷାକାରୀ ମୌଳିକ ଆମ୍ବୁଲାନ୍ସ ଏବଂ ୩୦ଟି ଜୀବନ ରକ୍ଷାକାରୀ ଅତ୍ୟାଧୁନିକ ଆମ୍ବୁଲାନ୍ସ।

ସମୁଦାୟ ୩୪୯ଟି ଆମ୍ବୁଲାନ୍ସ ବାବଦରେ ୧୪୮.୪୫ କୋଟି ଟଙ୍କା ବିନିଯୋଗ କରାଯାଇଛି।

୧୦୮-ଆମ୍ବୁଲାନ୍ସ ସେବାରେ ଏହି ନୂଆ ଆମ୍ବୁଲାନ୍ସ ଗୁଡିକ ସାମିଲ ହେବା ପରେ ମୋଟ ଆମ୍ବୁଲାନ୍ସ ସଂଖ୍ୟା ୧୩୬୬ କୁ ବୃଦ୍ଧି ପାଇଛି । ବର୍ତ୍ତମାନ ପ୍ରତିଦିନ ହାରାହାରି ୪୦୦୦ରୁ ଅଧିକ ସଂଖ୍ୟକ ରୋଗୀ ଏହି ୧୦୮-ଆମ୍ବୁଲାନ୍ସ ସେବା ଦ୍ଵାରା ଡାକ୍ତରଖାନାକୁ ସ୍ଥାନାନ୍ତରିତ ହେଉଛନ୍ତି। ନୂଆ ଆମ୍ବୁଲାନ୍ସ ଗୁଡିକ ସାମିଲ ହେବା ପରେ ୧୦୮-ଆମ୍ବୁଲାନ୍ସ ସେବା ଆହୁରି ତ୍ଵରିତ ଏବଂ ସୁବିଧାଜନକ ହେବ।

ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡିକୁ ଯୋଗଉଥିବା ୭୦ଟି ଆମ୍ବୁଲାନ୍ସ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଭୁକ୍ତ ରୋଗୀମାନଙ୍କୁ ଆବଶ୍ୟକ ସ୍ଥଳେ ସରକାରୀ ଡାକ୍ତରଖାନାରୁ ଘରୋଇ ହସ୍ପିଟାଲକୁ ଜରୁରୀକାଳିନ ସ୍ଥାନାନ୍ତରରେ ବ୍ୟବହାର ହେବା ସହ ଜିଲ୍ଲା ସ୍ତରରେ ଅନ୍ୟ ରୋଗୀମାନଙ୍କ ଜରୁରୀ ଆବଶ୍ୟକତା ପୁରଣରେ ସହାୟକ ହେବ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ 5T ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ବିଭାଗୀୟ ସଚିବ ଶ୍ରୀ ଶାଲିନି ପଣ୍ଡିତ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁର: ସ୍ୱାସ୍ଥ୍ୟ ବିଭାଗର ବାସ୍ତବ ଚିତ୍ର!, ଆମ୍ବୁଲାନ୍ସ ନମିଳିବାରୁ ଟ୍ରଲିରେ ବୁହା ହେଲେ ବୃଦ୍ଧ

ଚାନ୍ଦପୁର: ନୟାଗଡ ଜିଲ୍ଲା ଚାନ୍ଦପୁର ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ଆମ୍ବୁଲାନ୍ସ ମିଳିନଥିବାରୁ ଅସହ୍ୟ ତାତିରେ ଟ୍ରଲି ଦ୍ଵାରା ବୁହା ହେଲେ ରୋଗୀ।

ସୂଚନା ଅନୁଯାୟୀ, ଚାନ୍ଦପୁର ଇନ୍ଦିରା ଆବାସ କଲୋନୀର ଯୁଗଳ କାଣ୍ଡି (୭୫)ଙ୍କ ହଠାତ ଦେହ ଅସୁସ୍ଥ ହେବାରୁ ହସ୍ପିଟାଲ ଯିବା ପାଇଁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ହେଲେ ଆମ୍ବୁଲାନ୍ସ ମିଳିନଥିବାରୁ ତାଙ୍କୁ ଟ୍ରଲି ଦ୍ଵାରା ହସ୍ପିଟାଲକୁ ନିଆଯାଇଥିଲା। ରୋଗୀଙ୍କ ବୟସ ୭୫ ବର୍ଷ ହେଇଥିବା ବେଳେ ଯଦି ଅଂଶୁଘାତରେ କିଛି ଅଘଟଣ ଘଟିଥାନ୍ତା, କି ଉତ୍ତର ଦେଇଥାନ୍ତେ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଯାଇଛି। ଅଂଶୁଘାତକୁ ନଜ଼ରରେ ରଖି ଆମ୍ବୁଲାନ୍ସ ସେବାକୁ ଆହୁରି ବ୍ୟାପକ କରିବା ଆବଶ୍ୟକ ବୋଲି ଦାବି କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆମ୍ବୁଲାନ୍ସରେ ଦେଶୀ ମଦ ଚାଲାଣ ବେଳେ ଜବତ କଲା ଖୋର୍ଦ୍ଧା ପୋଲିସ, ଡ୍ରାଇଭର ଗିରଫ

ଖୋର୍ଦ୍ଧା: କୋଭିଡ ସମୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଏବେ ଭଗବାନଙ୍କ ଏକ ରୂପ ବୋଲି କୁହାଯାଉଛି। ସ୍ୱାସ୍ଥ୍ୟକର୍ମୀ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବା କରି ଚାଲିଛନ୍ତି। ସେହିଭଳି ଏହି ମହାମାରୀ ସମୟରେ ସ୍ୱାସ୍ଥ୍ୟକର୍ମୀଙ୍କ ଭଳି ଆମ୍ବୁଲାନ୍ସରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ଅବଦାନ ମଧ୍ୟ କୌଣସି କ୍ଷେତ୍ରରେ କମ ନୁହେଁ।

ଆମ୍ବୁଲାନ୍ସରେ କାର୍ଯ୍ୟରତ କର୍ମଚାରୀମାନେ ଦିନ ତମାମ କରୋନା ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲରେ ପହଞ୍ଚାଇବା ଭଳି କାର୍ଯ୍ୟ କରିଆସୁଛନ୍ତି। ରାସ୍ତାରେ ଯାଉଥିବା ସମୟରେ ଆମ୍ବୁଲାନ୍ସର ଯେପରି କୌଣସି ବାଧା ନଆସିବ, ସେଥିପାଇଁ ବିଶେଷ ଧ୍ୟାନ ଦିଆଯାଉଛି। ଆମ୍ବୁଲାନ୍ସକୁ ଅଟକାଇବା କିମ୍ବା ବାଧା ଦେବା ଏକ ଅପରାଧ ବୋଲି କୁହାଯାଉଛି।

ହେଲେ କିଛି ଅସାମାଜିକ ବ୍ୟକ୍ତି ଏହାର ଦୁରୂପୋଯୋଗ କରି ଆମ୍ବୁଲାନ୍ସରେ ଦେଶୀ ମଦ ନେଉଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ଜଣେ ଡ୍ରାଇଭରକୁ ପୋଲିସ ଗିରଫ କରିଛି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ହଳଦିଆ ହାଟଛକ ନିକଟରେ ଏକ ଦେଶୀ ମଦ ବୋଝେଇ ଆମ୍ବୁଲାନ୍ସ ଯାଉଥିବାର ପୋଲିସକୁ କୌଣସି ଏକ ସୂତ୍ରରୁ ଖବର ମିଲିଥିଲା। ଆଜି ସକାଳେ ଏକ ଆମ୍ବୁଲାନ୍ସରେ (ଓଡ଼ି ୦୨ ବିଡ଼ି ୨୯୧୦ ) ଦେଶୀ ମଦ ଯାଉଥିବା ଖବର ପାଇ ଖୋର୍ଦ୍ଧା ଟାଉନ ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ସକ୍ରିୟ ହୋଇଉଠିଥିଲା। ସନ୍ଦେହ କରି ହଳଦିଆ ହାଟ ଛକ ନିକଟରେ ସେହି ଆମ୍ବୁଲାନ୍ସଟିକୁ ଅଟକାଇ ପୋଲିସ ତଦନ୍ତ କରିଥିଲା। ତଦନ୍ତ ବେଳେ ସେହି ଆମ୍ବୁଲାନ୍ସରେ ୧୫୦ ଲିଟରର ଦେଶୀ ମଦ ଥିବା ପୋଲିସ ଦେଖିବାକୁ ପାଇଥିଲା।

ତେବେ ମଦ ବୋଝେଇ ଆମ୍ବୁଲାନ୍ସକୁ ପୋଲିସ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି। ଡ୍ରାଇଭର ଜଣଙ୍କ ହେଉଛନ୍ତି କଟକ ଜିଲ୍ଲା ଆଠଗଡ ଅଞ୍ଚଳର ସରୋଜ କୁମାର ତ୍ରିପାଠୀ। ତାଙ୍କ ବିରୁଦ୍ଧରେ ଟାଉନ ଥାନାରେ କେସ ନମ୍ବର ୨୦୯/୨୧ ରେ ମାମଲା ରୁଜୁ ହୋଇଛି ବୋଲି ଖୋର୍ଦ୍ଧା ଟାଉନ ଥାନାଧିକାରୀ ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଏଣିକି ୧୧୨ କୁ ଡାଏଲ କଲେ ମିଳିବ ତିନୋଟି ପ୍ରମୁଖ ସେବା: ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ରାଜ୍ୟରେ ଏଣିକି ଗୋଟିଏ ନମ୍ବରକୁ ଡାଏଲ କଲେ ମିଳିବ ତିନୋଟି ପ୍ରମୁଖ ସେବା। ପୋଲିସ, ଅଗ୍ନିଶମ ଏବଂ ଆମ୍ବୁଲାନ୍ସ ସେବା ପାଇଁ ଏଣିକି ୧୧୨ କୁ ଡାଏଲ କରିବାକୁ ପଡ଼ିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ସେବାର ଶୁଭାରମ୍ଭ କରିଛନ୍ତି।

ପୂର୍ବରୁ ଏହି ସେବାଗୁଡିକ ପାଇଁ ଭିନ୍ନ ଭିନ୍ନ ନମ୍ବରକୁ ଡାଏଲ କରିବାକୁ ପଡୁଥିଲା। ଲୋକଙ୍କ ସୁବିଧା ପାଇଁ ଏବେ ଗୋଟିଏ ନମ୍ବରକୁ ପରିବର୍ତ୍ତନ କରାଯାଇଛି। ଯାହା ଦ୍ଵାରା ଲୋକଙ୍କ ସମସ୍ୟାର ସମାଧାନ ହୋଇପାରିବ।

ତେବେ ଏହି ସେବା ପାଇଁ ୧୦୯୮ ପଦବୀକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି। ଏଥିରେ ୪ ଡିଏସ୍‌ପି, ୧୫୧ ଏସଆଇ, ୨୦୩ ଏଏସଆଇ ଓ ୭୪୦ କନଷ୍ଟେବଳ ନିୟୋଜିତ ହେବେ।

Categories
ଆଜିର ଖବର ରାଜ୍ୟ ଖବର

ଆମ୍ବୁଲାନ୍ସ ନମିଳିବାରୁ ବାଇକରେ ବୁହା ହେଲା ମୃତ ଦେହ

ମୋହନା: ଗଜପତି ଜିଲ୍ଲା ନୂଆଁଗଡ଼ ବ୍ଲକ ଖଜୁରୀପଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡି ନମିଳିବା କାରଣରୁ ବାଇକରେ ବୁହା ହେଲା ମୃତ ଦେହ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନାମାନ ପ୍ରଣୟନ କରି କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି।

ହେଲେ ଆଜି ଗଜପତି ଜିଲ୍ଲା ନୂଆଁଗଡ଼ ବ୍ଲକ ଖଜୁରୀପଦାରେ ଯେପରି ଏକ ଅଭାବନୀୟ ଘଟଣା ଘଟିଛି ତାହା ସରକାରଙ୍କ ଯୋଜନ ସବୁ ଲୋକ ଦେଖାଣିଆଁ। ଗଜପତି ଜିଲ୍ଲାରେ ପହଞ୍ଚି ପାରୁନି ପ୍ରଶାସନର ଉଦାରତା। କିଛି ବର୍ଷ ପୂର୍ବରୁ କଳାହାଣ୍ଡିର ଦାନ ମାଝି ନିଜ ପତ୍ନୀଙ୍କ ମୃତ ଶରୀର ବୋହି ରାସ୍ତାରେ ଚାଲି ଚାଲି ଆସୁଥିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟି ଥିଲା ତାହା ପୁଣି ଏବେ ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି।

ସୂଚନା ପ୍ରକାରେ ନୂଆଁଗଡ଼ ଗ୍ରାମର ବେବ୍ରତା ବୟସ (୬୫) ବୁଧବାର ସକାଳୁ ତାଙ୍କ ଦେହ ଅସୁସ୍ଥ ହେବାରୁ  ନୂଆଁଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ପରିବାର ଲୋକେ। ତେବେ ସେଠାରେ ତାଙ୍କର ଶାରୀରିକ ଅବସ୍ଥା ଜଟିଳ ଥିବା ହେତୁ ଡାକ୍ତର ତାଙ୍କୁ ଖଜୁରୀପଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ଲାଗି ପରାମର୍ଶ ଦେଇଥିଲେ। ତେବେ ଖଜୁରୀପଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରିବାର ଲୋକେ ମୃତ ବ୍ୟକ୍ତିଙ୍କୁ ନିଜ ଗ୍ରାମକୁ ନେବାଲାଗି ଆମ୍ବୁଲାନ୍ସ ଓ ମହାପ୍ରୟାଣ ଯୋଗାଇ ଦେବାଲାଗି ନିବେଦନ କରିବାପରେ ଡାକ୍ତର ତାଙ୍କୁ ଆମ୍ବୁଲାନ୍ସ /ମହାପ୍ରୟାଣ ନଥିବା କହି ମନା କରିଦେବାରୁ ପୁଅ ମୃତ ଶରୀର ବାଇକରେ ଖଜୁରୀପଦା ସ୍ୱାସ୍ଥ୍ୟକେନ୍ଦ୍ରରୁ ନିଜ ଗ୍ରାମ ନୂଆଗଡକୁ ନେଉଥିବା ଦେଖିବାକୁ ମିଳିଥିଲା।

ଏପରି ଘଟଣାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ବାସିନ୍ଦା ଦୁଃଖ ପ୍ରକାଶ କରିବା ସହ ସ୍ୱାସ୍ଥ୍ୟ କେନ୍ଦ୍ରର ଏପରି କାର୍ଯ୍ୟକୁ ଦେଖି ଦୃଢ଼ ନିନ୍ଦା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ ଫାଣ୍ଡି ନିକଟରେ ଓଲଟିଲା ମୃତ ଶରୀରକୁ ନେଇ ଯାଉଥିବା ଆମ୍ବୁଲାନ୍ସ: ୫ ଗୁରୁତର

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ନାଚୁଣୀ ନିକଟରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ଆମ୍ବୁଲାନସ୍ ଓଲଟି ୫ ଜଣ ଗୁରୁତର ହୋଇଛନ୍ତି।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ପଶ୍ଚିମବଙ୍ଗ ରାଜ୍ୟ ନର୍ଥ ୨୪ ପ୍ରଗଣାର ତ୍ରୁପ୍ତି ମୁଣ୍ଡା ତାଙ୍କ ସ୍ୱାମୀ ଦିଲିପ ମୁଣ୍ଡାଙ୍କ ମୃତ ଶରୀର ଧରି ଏକ ଆମ୍ବୁଲାନସ୍ ଯୋଗେ ତାମିଲନାଡୁରୁ ନିଜ ଗ୍ରାମକୁ ଯାଉଥିଲେ।  ଉକ୍ତ ଆମ୍ବୁଲାନସ୍ ରେ ତୃପ୍ତିଙ୍କ ସହ ତାଙ୍କ ପରିବାରର ଅନ୍ୟ ଚାରି ଜଣ ସଦସ୍ୟ ମଧ୍ୟ ଥିଲେ। ହେଲେ ନାଚୁଣୀ ଫାଣ୍ଡି ନିକଟରେ ଆମ୍ବୁଲାନ୍ସର ଚକା ଫାଟିଯିବାରୁ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଓଲଟିପଡିଥିଲା।

ଖବର ପାଇ ନାଚୁଣୀ ପୋଲିସ ଏବଂ ଗଙ୍ଗାଧରପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ଆମ୍ବୁଲାନ୍ସ ରୁ ସମସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଆହତ ହୋଇଥିବାସ୍ଥଳେ ଅନ୍ୟ ତିନି ଜଣ ସାମାନ୍ୟ ଆହତ ହୋଇଛନ୍ତି ଏବଂ ଆମ୍ବୁଲାନ୍ସ ଚାଳକ ସୁରକ୍ଷିତ ଅଛନ୍ତି। ସମସ୍ତ ଆହତ ବ୍ୟକ୍ତିମାନଙ୍କୁ ଟାଙ୍ଗୀ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଥିବାସ୍ଥଳେ ଗୁରୁତର ଆହତ ବ୍ୟକ୍ତିମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। କ୍ଷତିଗ୍ରସ୍ତ ଆମ୍ବୁଲାନସଟିକୁ ନାଚୁଣୀ ପୋଲିସ ଜବତ କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛି।