ନାଚୁଣୀ ଫାଣ୍ଡି ନିକଟରେ ଓଲଟିଲା ମୃତ ଶରୀରକୁ ନେଇ ଯାଉଥିବା ଆମ୍ବୁଲାନ୍ସ: ୫ ଗୁରୁତର

Published: Nov 3, 2020, 10:18 am IST

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ନାଚୁଣୀ ନିକଟରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ଆମ୍ବୁଲାନସ୍ ଓଲଟି ୫ ଜଣ ଗୁରୁତର ହୋଇଛନ୍ତି।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ପଶ୍ଚିମବଙ୍ଗ ରାଜ୍ୟ ନର୍ଥ ୨୪ ପ୍ରଗଣାର ତ୍ରୁପ୍ତି ମୁଣ୍ଡା ତାଙ୍କ ସ୍ୱାମୀ ଦିଲିପ ମୁଣ୍ଡାଙ୍କ ମୃତ ଶରୀର ଧରି ଏକ ଆମ୍ବୁଲାନସ୍ ଯୋଗେ ତାମିଲନାଡୁରୁ ନିଜ ଗ୍ରାମକୁ ଯାଉଥିଲେ।  ଉକ୍ତ ଆମ୍ବୁଲାନସ୍ ରେ ତୃପ୍ତିଙ୍କ ସହ ତାଙ୍କ ପରିବାରର ଅନ୍ୟ ଚାରି ଜଣ ସଦସ୍ୟ ମଧ୍ୟ ଥିଲେ। ହେଲେ ନାଚୁଣୀ ଫାଣ୍ଡି ନିକଟରେ ଆମ୍ବୁଲାନ୍ସର ଚକା ଫାଟିଯିବାରୁ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଓଲଟିପଡିଥିଲା।

ଖବର ପାଇ ନାଚୁଣୀ ପୋଲିସ ଏବଂ ଗଙ୍ଗାଧରପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ଆମ୍ବୁଲାନ୍ସ ରୁ ସମସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଆହତ ହୋଇଥିବାସ୍ଥଳେ ଅନ୍ୟ ତିନି ଜଣ ସାମାନ୍ୟ ଆହତ ହୋଇଛନ୍ତି ଏବଂ ଆମ୍ବୁଲାନ୍ସ ଚାଳକ ସୁରକ୍ଷିତ ଅଛନ୍ତି। ସମସ୍ତ ଆହତ ବ୍ୟକ୍ତିମାନଙ୍କୁ ଟାଙ୍ଗୀ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଥିବାସ୍ଥଳେ ଗୁରୁତର ଆହତ ବ୍ୟକ୍ତିମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। କ୍ଷତିଗ୍ରସ୍ତ ଆମ୍ବୁଲାନସଟିକୁ ନାଚୁଣୀ ପୋଲିସ ଜବତ କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛି।

 

Related posts