Categories
ଆଞ୍ଚଳିକ

ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡିକୁ ନୂତନ ଥାନା ମାନ୍ୟତା: ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡିକୁ ନୂତନ ଥାନା ମାନ୍ୟତା ମିଳିଛି। ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ୩୬ଟି ନୂଆ ପୋଲିସ ଥାନା ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି, ଯେଉଁଥିରେ ନାଚୁଣୀ ଫାଣ୍ଡି ଅନ୍ୟତମ।

ତେବେ ଏହି ଥାନା ଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ନୂଆ ୩୬ ଟି ଥାନା ପ୍ରତିଷ୍ଠା ହେଵା ଦ୍ୱାରା ଜନସାଧାରଣଙ୍କୁ ଉତ୍ତମ ପୋଲିସ ସେବା ଯୋଗାଇ ଦେବା ଦିଗରେ ଓଡିଶା ପୋଲିସର ଉଦ୍ୟମ ଆହୁରି ଶକ୍ତିଶାଳୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

ସୂଚନା ଥାଉକି ନାଚୁଣୀ ଫାଣ୍ଡି ୧୬ ନମ୍ବର ଜାତୀୟ ରାଜପଥରେ ଅବସ୍ଥିତ ହୋଇଥିବା ବେଳେ ବର୍ତ୍ତମାନ ଏହା ବାଣପୁର ଥାନା ଅଧୀନରେ କାମ କରୁଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକା: ଜଳଖିଆ ଦୋକାନରେ ଗ୍ରାହକଙ୍କୁ ଛୁରାମାଡ ଅଭିଯୋଗ, ସମସ୍ତ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ସୀତାରାମ ଅଗ୍ରୱାଲ

ଚିଲିକା: କୌଣସି କଥାକୁ ନେଇ ବଚସା ହେବାରୁ ଜଳଖିଆ ଦୋକାନରେ ଗ୍ରାହକଙ୍କୁ ଛୁରାମାଡ ହୋଇଥିବା ଅଭିଯୋଗ ହୋଇଛି। ଛୁରାମାଡରେ ଗ୍ରାହକଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ବଉଳାବନ୍ଧ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘାଟିଯାଇଛି।

ଅଭିଯୋଗ ମୁତାବକ ଖୋର୍ଦ୍ଧା ଜିଲ୍ଲା ବଉଳାବନ୍ଧ ଗ୍ରାମ ଛକରେ ଦେବେନ୍ଦ୍ର ସାହୁଙ୍କ ଜଳଖିଆ ଦୋକାନ ରହିଛି। ଗତକାଲି ରାତିରେ ଦେବେନ୍ଦ୍ର ସାହୁଙ୍କ ଜଳଖିଆ ଦୋକାନକୁ ଉକ୍ତ ଗ୍ରାମର ମୁନା ବେହେରା ଜଳଖିଆ ଖାଇବା ନିମନ୍ତେ ଯାଇଥିଲେ। ତେବେ କୌଣସି କଥାକୁ ନେଇ ଦୋକାନୀ ଦେବେନ୍ଦ୍ର ଓ ଗ୍ରାହକ ମୁନାଙ୍କ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା। ଦେଖୁ ଦେଖୁ ବଚସା ଝଗଡା ରୁପନେଲା। ମୁନାକୁ ଦେବେନ୍ଦ୍ର ଜାତିଆଣ ଆକ୍ଷେପ କରିବା ସହ ତାଙ୍କର ଦୁଇ ସହଯୋଗୀ ବିଭୁତି ସାହୁ ଏବଂ ଧର୍ମେନ୍ଦ୍ର ସାହୁଙ୍କ ସହ ମିସି ମୁନାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏପରିକି ଛୁରାରେ ଆକ୍ରମଣ କରୁଥିବାବେଳେ ଛୁରାଟି ମୁନାଙ୍କ ପେଟରେ ବାଜିଥିଲା ଏବଂ ମୁନାଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ବାଣପୁର ମେଡିକାଲରେ ଭର୍ତ୍ତି କରିଥିଲେ।

ତେବେ ଏ ସଂକ୍ରାନ୍ତରେ ବାଣପୁର ଥାନାରେ କେସ ନମ୍ବର ୩୨୫/୨୧ ରେ ଏକ ମାମଲା ରୁଜୁ କରାଯାଇଛି। ଏବଂ ସମସ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନାଚୁଣୀ ଫାଣ୍ଡି ଅଧିକାରୀ ମୁକେଶ ବେହେରା ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକାରେ ଅଘଟଣ: କୂଅରୁ ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ବଉଳାବନ୍ଧ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କୂଅରେ ପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି।

ସୂଚନା ମୁତାବକ ଟାଙ୍ଗୀ ଥାନା ନିମୁନା ଗ୍ରାମର ରାଜକିଶୋର ନାୟକଙ୍କ ପୁତ୍ର ଅଶୋକ ନାୟକ (୩୨)ଙ୍କୁ ଆଜି ସକାଳ ୭ ଘଟିକା ସମୟରେ ବଉଳାବନ୍ଧ ଗ୍ରାମର ଏକ କୂଅରେ ବୁଡି ପଡିଥିବାର ଦେଖିବାକୁ ପାଇଥିଲେ ଗ୍ରାମବାସୀ। ଏ ନେଇ ଗଙ୍ଗାଧରପୁର ଅଗ୍ନିଶମ ବାହିନୀକୁ ଖବର ଦେବାରୁ ଅଗ୍ନିଶମ ବାହିନୀ କୂଅରୁ ଅଶୋକଙ୍କ ମୃତ ଦେହକୁ ଉଦ୍ଧାର କରି ନାଚୁଣୀ ଫାଣ୍ଡି ପୋଲିସକୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ସଦଳବଳେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ଏହି ଘଟଣାରେ ଆଜି ବାଣପୁର ଥାନାରେ ୟୁଡି କେସ ନମ୍ବର ୧୦/୨୧ ରେ ଏକ ଅପମୃତ୍ୟୁ ମାମାଲା ରୁଜୁ କରାଯାଇଛି। ତେବେ ମୃତ ବ୍ୟକ୍ତିଙ୍କ ଡ଼ାଏଟମ ଟେଷ୍ଟ ହେବା ସହ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଫାଣ୍ଡି ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ଯୁବକ ଗୁରୁତର

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ଡାହାଣ ହାତ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ସୂଚନା ମୁତାବକ ଆଜି ରାତି ୧୦ ଘଟିକା ସମୟରେ ରାଜକିଶୋର ସାହୁ (୨୮) ନାମକ ଜଣେ ଯୁବକ ନିଜ ସ୍କୁଟି ଯୋଗେ ସୁନାଖେଳାରୁ ନାଚୁଣୀ ଅଭିମୁଖେ ଯାଉଥିବାବେଳେ ସୁନାଖେଳା ଓଭରବ୍ରିଜ ଉପରେ ପଛପଟୁ ଆସୁଥିବା ଏକ କାଠ ବୋଝେଇ ଟ୍ରକଟି ରାଜକିଶୋରଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ରାଜକିଶୋର ତଳେ ପଡିଯାଇଥିଲେ ଏବଂ ତାଙ୍କ ଡାହାଣ ହାତରେ ଟ୍ରକର ପଛ ଛକା ଚଢିଯାଇଥିଲା। ଯାହାଦ୍ୱରା ରାଜକିଶୋରଙ୍କ ଡାହାଣ ହାତଟି ନଷ୍ଟ ହୋଇଯାଇଥିବାବେଳେ ଗୁରୁତର ଅବସ୍ଥାରେ ରୋଡ଼ରେ ପଡିରହିଥିଲେ।

ଖବର ପାଇ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଦୁର୍ଘଟଣାସ୍ଥଳରେ ପହଞ୍ଚି ଗଙ୍ଗାଧରପୁର ଅଗ୍ନିଶମ ବାହିନୀର ସହଯୋଗରେ ରାଜକିଶୋରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଅପରପକ୍ଷରେ ଦୁର୍ଘଟଣା ଘଟାଇ ଟ୍ରକ ଚାଳକ ଏବଂ ହେଲ୍ପର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ନାଚୁଣୀ ଫାଣ୍ଡି ପୋଲିସ ଟ୍ରକକୁ ଜବତ କରି ତଦନ୍ତ ଜାରିରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ ଜାତୀୟ ରାଜପଥରେ ବାଇକ ବୋଝେଇ କଣ୍ଟେନର ଦୁର୍ଘଟଣାଗ୍ରସ୍ତ, ଯାତାୟାତ ବାଧାପ୍ରାପ୍ତ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ହରିକୁଣ୍ଡ ବରଡ଼ୀ ବ୍ରିଜ ଉପରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ପୂର୍ବରୁ ଛିଡା ହୋଇଥିବା ଏକ ଟ୍ରକର ପଛପଟୁ ଆଉ ଏକ ଟ୍ରକ ଶକ୍ତ ଧକ୍କା ଦେଇଛି।

ସୂଚନା ମୁତାବକ ବ୍ରହ୍ମପୁର ଗୋପାଳପୁରରୁ ଏକ ଗୋଡ଼ି ବୋଝେଇ ଟ୍ରକ (ଓଡ଼ି-୦୨-ଏଏଚ- ୯୦୬୫) ଯାଜପୁର ଅଭିମୁଖେ ଯାଉଥିବାବେଳେ ହରିକୁଣ୍ଡ ବରଡି ବ୍ରିଜ ଉପରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଗତକାଲି ବିଳମ୍ବିତ ରାତ୍ରିରୁ ଛିଡା ହୋଇଥିଲା। ହେଲେ ଆଜି ସକାଳୁ ତାମିଲନାଡୁରୁ ଭୁବନେଶ୍ୱର ଯାଉଥିବା ଏକ ଟିଭିଏସ ବାଇକ ବୋଝେଇ କଣ୍ଟେନର (କେଏ-୦୧-ଏସି-୯୨୪୯) ଟି ଅସାବଧାନତା ବଶତଃ ଉକ୍ତ ଗୋଡ଼ି ବୋଝେଇ ଟ୍ରକଟିକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଧକ୍କାଟି ଏତେ ଜୋର ଥିଲା ଯେ ବାଇକ ବୋଝେଇ କଣ୍ଟେନରର ଗୋଟାଏ ପାର୍ଶ୍ୱ ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା ବେଳେ କେତେକ ବାଇକ ମଧ୍ୟ ନଷ୍ଟ ହୋଇଯାଇଥିବାର ସୂଚନା ମିଳିଛି।

ତେବେ ଉକ୍ତ ଦୁର୍ଘଟଣାରେ କୌଣସି ଧନଜୀବନ ନଷ୍ଟ ହୋଇନଥିବାର ଜଣାପଡିଛି। ଖବର ପାଇ ଦୁର୍ଘଟଣାସ୍ଥଳରେ ନାଚୁଣୀ ଫାଣ୍ଡି ପୋଲିସ ପହଁଚି ଗାଡି ଦୁଇଟିକୁ ଜବତ କରିବା ସହ ଜାତୀୟ ରାଜପଥରୁ ଟ୍ରାଫିକ କ୍ଳିଅର କରୁଥିବାର ଦେଖାଯାଇଛି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ନାଚୁଣୀରୁ ଗୋରୁ ବୋଝେଇ ଗାଡିକୁ ଜବତ କଲା ପୋଲିସ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ବଡ଼ପଦର ଗ୍ରାମ ନିକଟରୁ ଏକ ଗୋରୁ ବୋଝେଇ ଗାଡିକୁ ଜବତ କରିଛି ପୋଲିସ। ସୂଚନା ମୁତାବକ ଆଜି ଅପରାହ୍ନରେ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଏବଂ ଏଏସଆଇ ହାଡିବନ୍ଧୁ ନାୟକ ପାଟ୍ରୋଲିଂ କରୁଥିବା ବେଳେ ଚିଲିକା ବ୍ଲକରୁ ନାଚୁଣୀ ଆଡକୁ ଆସୁଥିବା ଏକ ଗୋରୁ ବୋଝେଇ ପିକ ଅପ ଭ୍ୟାନ (ଓଡ଼ି-୦୨-ଏଭି-୧୧୪୦) ପୋଲିସକୁ ଦେଖି ବଡ଼ପଦର ଗ୍ରାମ ନିକଟରେ ଗାଡିକୁ ଛାଡି ଚାଳକ ଫେରାର ହୋଇଯାଇଥିଲା।

ପୋଲିସ ଉକ୍ତ ଗାଡିକୁ ଜବତ କରିବା ସହ ଚାରି ଗୋଟି ଗୋରୁଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରିଥିଲା। ଏବଂ ସମସ୍ତ ଗୋରୁଙ୍କୁ ଜଟଣୀ ଗୋଶାଳାକୁ ହସ୍ତାନ୍ତର କରିଥିଲା। ବାଣପୁର ଥାନାରେ ଏନେଇ କେସ ନମ୍ବର ୨୪୭/୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି ବୋଲି ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଏକ ଘଣ୍ଟା ବ୍ୟବଧାନରେ ନାଚୁଣୀ ଜାତୀୟ ରାଜପଥରେ ଦୁଇ ଗୋଟି ସଡ଼କ ଦୁର୍ଘଟଣା

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ସକାଳୁ ଏକ ଘଣ୍ଟା ବ୍ୟବଧାନରେ ଦୁଇ ଗୋଟି ସଡ଼କ ଦୁର୍ଘଟଣା ଘଟିଛି। ସୂଚନା ମୁତାବକ ସକାଳ ୫ ଘଟିକାରେ ବ୍ରହ୍ମପୁରରୁ ଏକ ଟମାଟୋ ବୋଝେଇ ଟ୍ରକ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ବରଡ଼ି ଛକଠାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଶହ ଶହ ଟମାଟୋ ଜାତୀୟ ରାଜପଥରେ ପଡି ନଷ୍ଟ ହୋଇଯାଇଥିବା ବେଳେ ଗାଡି ଚାଳକ ଏବଂ ହେଲ୍ପର ଅଳ୍ପକେ ବର୍ତ୍ତିଯାଇଥିଲେ। ଖବର ପାଇ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଘଟଣାସ୍ଥଳରେ ପହଁଚି ଏକ କ୍ରେନ ମାଧ୍ୟମରେ ଗାଡିଟିକୁ ଉଦ୍ଧାର କରିଛନ୍ତି।

ଅନୁରୂପ ଭାବେ ଏହାର ଏକ ଘଣ୍ଟା ପରେ ସକାଳ ୬ ଘଟିକାରେ ଖୋର୍ଦ୍ଧାରୁ ଆସ୍କା ଯାଉଥିବା ଏକ ରଙ୍ଗ ବୋଝେଇ ପିକଅପ ଗାଡିଟି ସେହି ସ୍ଥାନରେ ଭରସାମ୍ୟ ହରାଇ ଓଲଟିପଡ଼ିଥିଲା।  ଫଳରେ ଲକ୍ଷାଧିକ ଟଙ୍କାର ରଙ୍ଗ ଜାତୀୟ ରାଜପଥରେ ପଡି ନଷ୍ଟ ହୋଇଯାଇଛି। ତେବେ ଗାଡି ଚାଳକ ଏବଂ ହେଲ୍ପର ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି। ଘଟଣାସ୍ଥଳରେ ନାଚୁଣୀ ଫାଣ୍ଡି ପୋଲିସ ପହଞ୍ଚି ଗାଡ଼ିକୁ ଉଦ୍ଧାର କରିଥିବାର ଦେଖାଯାଇଛି।

Categories
ଆଜିର ଖବର ଆଞ୍ଚଳିକ

ନାଚୁଣୀ ଶୂଳିଆ ଜଙ୍ଗଲରେ ପୋଲିସ ଏବଂ ଅବକାରୀର ମିଳିତ ଚଢ଼ାଉ: ୧୨ ଶହ ଲିଟର ପୋଚ ଜବତ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ସଲପଡିହ ଗ୍ରାମ ଶୂଳିଆ ଜଙ୍ଗଲରେ ନାଚୁଣୀ ଫାଣ୍ଡି ପୋଲିସ ଏବଂ ବାଲୁଗାଁ ଅବକାରି ବିଭାଗର ମିଳିତ ଚଢ଼ାଉ ହୋଇଥିଲା। ଦେଶୀ ମଦ ତିଆରି ହେଉଥିବାର ଖବର ପାଇ ଉକ୍ତ ସ୍ଥାନରେ ଉଭୟ ବିଭାଗ ଚଢାଉ ଆରମ୍ଭ କରିଥିଲେ।

ଏହି ପରିପ୍ରେକ୍ଷୀରେ ଆଜି ସକାଳ ୬ ଘଟିକାରୁ ୮ ଘଟିକା ଯାଏଁ ଦୁଇ ଘଣ୍ଟା ଚଢ଼ାଉରେ ୨୮ ଲିଟର ଦେଶୀ ମଦ ସହ ୧୨ ଶହ ଲିଟର ପୋଚ ଜବତ କରି ନଷ୍ଟ କରାଯାଇଛି।

ଉକ୍ତ ସ୍ଥାନରେ ଦେଶୀ ମଦ ତିଆରି କରିବା ଅଭିଯୋଗରେ ଲକ୍ଷ୍ମୀଧର ସେଠି (୫୮) ନାମକ ଜଣେ ବ୍ୟକ୍ତିଙ୍କୁ ଅବକାରି ବିଭାଗ ଗିରଫ କରିଛି। ତାଙ୍କ ବିରୁଦ୍ଧରେ ଅବକାରୀ ବିଭାଗ ପିଆର ନମ୍ବର ୧୯/୨୧-୨୨ ରେ ମାମଲା ରୁଜୁ କରିଛି।

ଉକ୍ତ ଚଢ଼ାଉରେ ଟାଙ୍ଗୀ ଅବକାରୀ ବିଭାଗ ନିରୀକ୍ଷକ ଆଲୋକ ପ୍ରଧାନ, ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ, ବାଲୁଗାଁ ଅବକାରୀ ବିଭାଗ ଉପ ନିରୀକ୍ଷକ ମନୋଜ ବାରିକ ଏବଂ ଅନ୍ୟ ପୋଲିସ ଓ ଅବକାରି କର୍ମଚାରୀମାନେ ସାମିଲ ଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକାରେ ମାସ୍କ ଯାଞ୍ଚ ହେଲା କଡ଼ାକଡ଼ି: ବହୁ ଅମାନିଆ ଗଣିଲେ ତଣ୍ଡ

ସୀତାରାମ ଅଗ୍ରୱାଲ

ଚିଲିକା: ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ହେଉଥିବାବେଳେ କିଛି ଦିନ ହେଲା ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଏକ ନମ୍ବରରେ ରହୁଛି। ତେଣୁ ଖୋର୍ଦ୍ଧା ଜିଲ୍ଲାପାଳ କରୋନା କଟକଣାକୁ କଡ଼ାକଡି କରିଛନ୍ତି।  ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ବର୍ତ୍ତମାନ ଚିଲିକା ନିର୍ବାଚନମଣ୍ଡଳୀରେ କୋଭିଡ ଯାଞ୍ଚ ଜୋରଦାର କରାଯାଇଛି।

ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ବାଣପୁର ତହସିଲଦାର ମନ୍ମଥ ବେହେରାଙ୍କ ନେତୃତ୍ୱରେ ଏବଂ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁଙ୍କ ସହଯୋଗରେ ନାଚୁଣୀ ବଜାରରେ କଡ଼ାକଡ଼ି କୋଭିଡ ଚେକିଂ ଆରମ୍ଭ ହୋଇଥିଲା। ପାଖାପାଖି ୨ ଘଣ୍ଟା ଧରି ଉକ୍ତ ଚଢ଼ାଉ ଜାରି ରହି ୨୧ ଜଣ ଅମାନିଆଙ୍କଠୁ ୪ ହଜାର ୨୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏନେଇ ତହସିଲଦାର ଶ୍ରୀ ବେହେରା ସୂଚନା ଦେଇଛନ୍ତି।

ତତସହିତ ତହସିଲଦାର ଏବଂ ଫାଣ୍ଡି ଅଧିକାରୀ ସମସ୍ତ ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ପାଇଁ ଅନୁରୋଧ କରିଛନ୍ତି। ତେବେ ଆଗାମୀ ଦିନରେ କୋଭିଡ ଯାଞ୍ଚକୁ ଆହୁରି ଜୋରଦାର କରାଯିବ ବୋଲି ତହସିଲଦାର ଶ୍ରୀ ବେହେରା ସୂଚନା ଦେଇଛନ୍ତି।

ଆଜିର ଚଢ଼ାଉରେ ବାଣପୁର ତହସିଲ କାର୍ଯ୍ୟାଳୟର ଉପ ନିବନ୍ଧକ ବସନ୍ତ ବେଦମତ୍ତା, କର୍ମଚାରୀ ବୀରେନ୍ଦ୍ର ପଣ୍ଡା ଏବଂ ନାଚୁଣୀ ଫାଣ୍ଡି କର୍ମଚାରୀ ଆଦି ସାମିଲ ଥିଲେ।

ଅନୁରୂପ ଭାବେ ଆଜି ଚିଲିକା ବ୍ଲକ ବଡକୁଳ ଅଞ୍ଚଳରେ ତହସିଲଦାର ପୁନମ ମହାପାତ୍ରଙ୍କ ନେତୃତ୍ୱରେ କୋଭିଡ ଯାଞ୍ଚ ହୋଇଥିଲା। ଯେଉଁଥିରେ ସମୁଦାୟ ୮ ଜଣ ଅମାନିଆଙ୍କଠାରୁ ୧ହଜାର ୬ ଶହ ଟଙ୍କା ଜରିମାନା ଆଦାୟ ହୋଇଥିବାର ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ ଫାଣ୍ଡି ନିକଟରେ ଓଲଟିଲା ମୃତ ଶରୀରକୁ ନେଇ ଯାଉଥିବା ଆମ୍ବୁଲାନ୍ସ: ୫ ଗୁରୁତର

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ନାଚୁଣୀ ନିକଟରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ଆମ୍ବୁଲାନସ୍ ଓଲଟି ୫ ଜଣ ଗୁରୁତର ହୋଇଛନ୍ତି।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ପଶ୍ଚିମବଙ୍ଗ ରାଜ୍ୟ ନର୍ଥ ୨୪ ପ୍ରଗଣାର ତ୍ରୁପ୍ତି ମୁଣ୍ଡା ତାଙ୍କ ସ୍ୱାମୀ ଦିଲିପ ମୁଣ୍ଡାଙ୍କ ମୃତ ଶରୀର ଧରି ଏକ ଆମ୍ବୁଲାନସ୍ ଯୋଗେ ତାମିଲନାଡୁରୁ ନିଜ ଗ୍ରାମକୁ ଯାଉଥିଲେ।  ଉକ୍ତ ଆମ୍ବୁଲାନସ୍ ରେ ତୃପ୍ତିଙ୍କ ସହ ତାଙ୍କ ପରିବାରର ଅନ୍ୟ ଚାରି ଜଣ ସଦସ୍ୟ ମଧ୍ୟ ଥିଲେ। ହେଲେ ନାଚୁଣୀ ଫାଣ୍ଡି ନିକଟରେ ଆମ୍ବୁଲାନ୍ସର ଚକା ଫାଟିଯିବାରୁ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଓଲଟିପଡିଥିଲା।

ଖବର ପାଇ ନାଚୁଣୀ ପୋଲିସ ଏବଂ ଗଙ୍ଗାଧରପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ଆମ୍ବୁଲାନ୍ସ ରୁ ସମସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଆହତ ହୋଇଥିବାସ୍ଥଳେ ଅନ୍ୟ ତିନି ଜଣ ସାମାନ୍ୟ ଆହତ ହୋଇଛନ୍ତି ଏବଂ ଆମ୍ବୁଲାନ୍ସ ଚାଳକ ସୁରକ୍ଷିତ ଅଛନ୍ତି। ସମସ୍ତ ଆହତ ବ୍ୟକ୍ତିମାନଙ୍କୁ ଟାଙ୍ଗୀ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଥିବାସ୍ଥଳେ ଗୁରୁତର ଆହତ ବ୍ୟକ୍ତିମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। କ୍ଷତିଗ୍ରସ୍ତ ଆମ୍ବୁଲାନସଟିକୁ ନାଚୁଣୀ ପୋଲିସ ଜବତ କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛି।

 

Categories
ଆଜିର ଖବର ରାଜ୍ୟ ଖବର

୧୦ ପୋଲିସ୍‌ କର୍ମଚାରୀ କରୋନାରେ ଆକ୍ରାନ୍ତ : ବାଣପୁର ଥାନା ଏବଂ ନାଚୁଣୀ ଫାଣ୍ଡିକୁ ୪୮ଘଣ୍ଟା ପାଇଁ କଣ୍ଟନେମେଣ୍ଟ ଅଞ୍ଚଳ ଘୋଷଣା କଲେ ଜିଲ୍ଲାପାଳ

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ‌ଖୋର୍ଦ୍ଧା ଜିଲ୍ଲାର ଚିଲିକା ନିର୍ବାଚନମଣ୍ଡଳୀରେ ଦିନକୁ ଦିନ ସ୍ଥାନୀୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ବାଦ ପଡ଼ିନାହାନ୍ତି କରୋନା ଯୋଦ୍ଧା ମାନେ । ଗତକାଲି ରାତିରେ ବାଣପୁର ଥାନା ଏବଂ ନାଚୁଣୀ ଫାଣ୍ଡି ର ୧0 ଜଣ କରୋନା ଯୋଦ୍ଧାଙ୍କ ରିପୋର୍ଟ ପଜିଟିଭ ଆସିଛି ଯାହା ଅଞ୍ଚଳବାସୀଙ୍କ ଆଶ୍ଚର୍ଯ୍ୟ କରିଦେଇଛି ।  ଏହି ୧୦ କରୋନା ଯୋଦ୍ଧାରେ ଜଣେ ଏସ୍‌ଆଇ ଦୁଇଜଣ ଏଏସ୍‌ଆଇ, ତିନି କନେଷ୍ଟବଳ, ଦୁଇ ହୋମଗାର୍ଡ, ଦୁଇ ଜଣ ଓଏପିଏଫ୍‌ କର୍ମଚାରୀ ରହିଥିବାର ସୂଚନା ରହିଛି ।

ଜନସାଧାରଣଙ୍କ ସୁରକ୍ଷା ପାଇଁ ବିଗତ ଚାରି ମାସ ହେଲା ନିରବଚ୍ଛିନ୍ନ ଭାବେ ନିଜ ଜୀବନକୁ ପାଣି ଛଡେଇ ସେବା କରୁଥିବା ଏହି ଯୋଦ୍ଧାମାନେ ଆକ୍ରାନ୍ତ ହେବା ବିଡମ୍ବନାର ବିଷୟ । ଏହାକୁ ଗୁରୁତର ଭାବେ ନେଇ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସୀତାଂଶୁ ରାଉତ ଆସନ୍ତା ୪୮ ଘଣ୍ଟା ଯାଏଁ ବାଣପୁର ଥାନା ଏବଂ ନାଚୁଣୀ ଫାଣ୍ଡିକୁ କଣ୍ଟନମେଣ୍ଟ ଅଞ୍ଚଳ ଘୋଷଣା କରିଛନ୍ତି ବୋଲି ଆମ ପ୍ରତିନିଧିକୁ ସୂଚନା ଦେଇଛନ୍ତି। ଏହି ସମୟରେ ଥାନାର ସମସ୍ତ ଅଞ୍ଚଳକୁ ବିଶୋଧନ କରାଯିବା ସହ କଣ୍ଟାକ୍ଟ ଟ୍ରେସିଙ୍ଗ ପ୍ରକ୍ରିୟାକୁ ଜୋରଦାର କରାଯିବ । ସମସ୍ତ କର୍ମଚାରୀ ଙ୍କ ସ୍ୱାବ ଟେଷ୍ଟ ହେବ।ଯଦି ସମସ୍ତ ପ୍ରକ୍ରିୟା ୪୮ ଘଣ୍ଟା ପୂର୍ବରୁ ସରିଯାଏ ତାହାଲେ ଉକ୍ତ ଦୁଇ ଥାନାରୁ ସେବେଠାରୁ କଣ୍ଟନମେଣ୍ଟ ଉଠାଇଦିଆଯିବ ଏବଂ ଥାନା କାର୍ଯ୍ୟ ସ୍ୱାଭାବିକ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅନୁରୂପ ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଜେୟ ପ୍ରତାପ ସ୍ୱାଇଁ ସମୀକ୍ଷା ନିୟୁଜ ମାଧ୍ୟମରେ ଜନସାଧାରଣଙ୍କୁ ଘରେ ରହିବା ସହ ବିନା କାରଣରେ ଥାନାକୁ ନଆସିବା ପାଇଁ ଅନୁରୋଧ କରିଛନ୍ତି ।

Categories
ଆଞ୍ଚଳିକ

ଦିନ ଦ୍ବିପ୍ରହରରେ ନାଚୁଣୀ ବଜାରରୁ ଚୋରି: ପୋଲିସ୍‌କୁ ସିଧା ଚ୍ୟାଲେଞ୍ଜ

ସମୀକ୍ଷା ବ୍ୟୁରୋ

ବାଣପୁର, ୧/୧୨: ବାଣପୁର ଥାନା ନାଚୁଣୀ ଫାଣ୍ଡି ଅଧୀନ ନାଚୁଣୀ ବଜାରରୁ ଶନିବାର ଦିନ ଦ୍ବିପ୍ରହରରେ ଚୋରି ହୋଇଛି। ନାଚୁଣୀ ବଜାର ମଧ୍ୟସ୍ଥଳରେ ଥିବା ଜଣେ ବ୍ୟକ୍ତିଙ୍କ ଘରେ ପଶି ଆଲମାରୀ ଭାଙ୍ଗି ନଗଦ ଟଙ୍କା ଓ ସୁନା ଅଳଙ୍କାରମାନ ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ଅଭିଯୋଗରୁ ପ୍ରକାଶ ଯେ, ନାଚୁଣୀ ବଜାରରେ ରହୁଥିବା ଗୋତପଲ୍ଲୀ ଗ୍ରାମର ଭାଗିରଥୀ ରାଉତରରାୟ ନାମକ ବ୍ୟକ୍ତିଙ୍କ ଘରୁ ଚୋରି ହୋଇଛି। ଶନିବାର ଦିନ ଦ୍ବିପ୍ରହରରେ ଭାଗିରଥୀ ତାଙ୍କ ପତ୍ନୀଙ୍କ ସହିତ ପାଣ୍ଡବାଶୁଣୀ ମନ୍ଦିରରେ ମାନସିକ ଭୋଜିରେ ବ୍ୟସ୍ତ ଥିବାବେଳେ ତାଙ୍କ ଘର ମୁଖ୍ୟ ଦରଜା ଓ ଆଲମାରୀ ଖୋଲାଥିବା ସମ୍ପର୍କରେ ତାଙ୍କ ନାବାଳକ ପୁତ୍ର ମା’ ବାପାଙ୍କୁ ସୂଚନା ଦେଇଥିଲେ। ସଙ୍ଗେ ସଙ୍ଗେ ଭାଗିରଥୀ ଓ ତାଙ୍କ ସ୍ତ୍ରୀ ଘରକୁ ଆସି ଦେଖିବା ପରେ ତାଙ୍କ ଘର ତାଲା ଭଙ୍ଗାଯାଇଥିଲା ଓ ଆଲମାରିରୁ ନଗଦ ଟଙ୍କା ଏବଂ ସୁନାଅଳଙ୍କାର ଲୁଟ୍‌ ହୋଇଥିବାର ଜାଣିଥିଲେ। ଏବଂ ଏ ସମ୍ପର୍କରେ ସେ ତୁରନ୍ତ ନାଚୁଣୀ ଫାଣ୍ଡିରେ ଅଭିଯୋଗ କରିଥିଲେ।

ଦିନ ଦ୍ବିପ୍ରହରରେ ନାଚୁଣୀ ବଜାର ମଧ୍ୟରେ ଏଭଳି ଘଟଣା ଘଟିଥିବାରୁ ଏହା ପୁଲିସ୍‌କୁ ଚ୍ୟାଲେଞ୍ଜ୍‌ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସେହିପରି ସମ୍ପୃକ୍ତ ଅଭିଯୋଗକାରୀଙ୍କ ଘରେ ନଅଟି ପରିବାରକୁ ଭଡ଼ା ଦିଆଯାଇଥିବାବେଳେ ଦିନବେଳେ ଏପରି ବଡଧରଣର ଲୁଟ୍‌କୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ତେବେ ଏହି ଘଟଣାର ବାଣପୁର ଥାନା ଆଇଆଇସି ସଞ୍ଜୟ ପଟ୍ଟନାୟକଙ୍କ ନେତୃତ୍ଵରେ ନାଚୁଣୀ ଫାଣ୍ଡି ପୁଲିସ୍‌ ଅଧିକାରୀ ଉମାକାନ୍ତ ସାହୁ ତଦନ୍ତ କରୁଛନ୍ତି। ଏପର୍ଯ୍ୟନ୍ତ ଲୁଟେରା କିମ୍ବା ଲୁଟ୍‌ ଦ୍ରବ୍ୟ ଉଦ୍ଧାର ହୋଇପାରିନାହିଁ।