Categories
ଆଜିର ଖବର ଆଞ୍ଚଳିକ

ବର୍ଦ୍ଧିତ ବିଦ୍ୟୁତ ଦର ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେଵ ଆମ ଜନତା ଅଧିକାର

ଭୁବନେଶ୍ବର: କରୋନା ମହାମାରୀରେ ଆର୍ଥିକ କଲବଲକୁ ବଢ଼ାଇ ଦେଇଛି ସରକାରଙ୍କ ବିଦ୍ୟତ ଶୁଳ୍କ ବୃଦ୍ଧି ଘୋଷଣା। ବର୍ତ୍ତମାନ ଅନ୍ୟ ସମସ୍ତ ରାଜ୍ୟ ଅପେକ୍ଷା ଓଡିଶାରେ ବିଦ୍ୟୁତ ଶୁଳ୍କ ଯଥେଷ୍ଟ ଅଧିକ ରହିଛି। ବିଦ୍ୟୁତ ଉତ୍ପାଦନ କରୁନଥିବା ରାଜ୍ୟଠାରୁ ମଧ୍ୟ ଏହା ଅଧିକ। କମ୍ପାନୀ ଓ କର୍ପୋରେଟମାନଙ୍କ ଠାରୁ ବକେୟା ବିଦ୍ୟୁତ ଶୁଳ୍କ ଆଦାୟ ନକରି ସାଧାରଣ ଗରିବ ଜନସାଧାରଣଙ୍କ ଠାରୁ ଜୋର ଜବରଦସ୍ତ ଆର୍ଥିକ ଶୋଷଣକୁ ଆଜି ଆମ ଜନତା ଅଧିକାର ଓ ଉପଭୋକ୍ତା ମହାସଂଘ ମିଳିତ ସାମ୍ବାଦିକ ସମ୍ମିଳନୀରେ ଦୃଢ଼ ନିନ୍ଦା କରିବା ସହ ଆଗାମୀ ଦିନରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ଜନଆନ୍ଦୋଳନ କରିବ ବୋଲି ଘୋଷଣା କରିଛି।

ବିଦ୍ୟୁତ ବଣ୍ଟନ ଦାୟିତ୍ୱରେ ଥିବା ବଡ଼ ବଡ଼ କମ୍ପାନୀ ଉପରେ ୫୯୬୪ କୋଟି ଟଙ୍କା ବକେୟା ପଡିଛି। ତାକୁ ଆଦାୟ ନ କରି ସାଧାରଣ ଜନତାଙ୍କ ଉପରେ ସରକାର ଦାଉ ସାଧୁଛନ୍ତି। ବିଦ୍ୟୁତ ବଣ୍ଟନ ଜନିତ ଟ୍ରାନ୍ସମିଶନ କ୍ଷତିକୁ ୮% ପର୍ଯ୍ୟନ୍ତ ଦିଲ୍ଲୀ ଭଳି ଅନ୍ୟାନ୍ୟ ରାଜ୍ୟ ବହୁପରିମାଣରେ କମାଇ ସାରିଥିବା ବେଳେ ଓଡିଶାରେ ଏ ପର୍ଯ୍ୟନ୍ତ ୩୦% ରୁ ଅଧିକ ରହିଛି। ଏହି କ୍ଷତିକୁ ନ କମାଇ ଅପାରଗ ଓ ଦୁର୍ନୀତିଗ୍ରସ୍ତ ଅସାଧୁ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ନେଇ ସାଧାରଣ ଲୋକଙ୍କ ଉପରେ ତାକୁ ଲଦିଦେବା ଅତ୍ୟନ୍ତ ନିନ୍ଦନୀୟ ମାତ୍ର ଦୁଇ ମାସ ହେଲା ଦାୟିତ୍ୱ ନେଇଥିବା ଟାଟା କମ୍ପାନୀକୁ ସୁହାଇଲା ଭଳି ଏହି ନିଷ୍ପତ୍ତିକୁ ପୁନର୍ବିଚାର କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଛନ୍ତି। ଓଇଆରସିର ଏପର୍ଯ୍ୟନ୍ତ ଏ ସଂକ୍ରାନ୍ତରେ କୌଣସି ନୋଟିଫିକେସନ ବାହାରିନଥିବା ବେଳେ ତରବରିଆ ଭାବେ ଏହି ଘୋଷଣା କାହା ସ୍ୱାର୍ଥରେ ବୋଲି ମଧ୍ୟ ପ୍ରଶ୍ନ ଉଠାଇଛି ଆମ ଜନତା ଅଧିକାର ଓ ଉପଭୋକ୍ତା ମହାସଂଘ।

ଆଜିର ଉତ୍କଳ ସାମ୍ବାଦିକ ଭବନଠାରେ ସାମ୍ବାଦିକ ସମ୍ମିଳନୀରେ ଆମ ଜନତା ଅଧିକାରର ସହ ଆବାହକ ବାସୁଦେବ ଭଟ୍ଟ, ସାଧାରଣ ସମ୍ପାଦକ ଲଲାଟେନ୍ଦୁ ଶତପଥି, ମୁଖପାତ୍ର ପ୍ରସନ୍ନ ବିଶୋଇ, ସଂଯୋଜକ ଭକ୍ତି ରଞ୍ଜନ ପଲାଇ, ପ୍ରଣତି ସ୍ବାଇଁ ଓ ଉପଭୋକ୍ତା ମହାସଂଘ ସଭାପତି ତଥା ଆମ ଜନତା ଅଧିକାରର କାର୍ଯ୍ୟକାରୀ ସଦସ୍ୟ ରମେଶ ଶତପଥୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କୃଷି ଆଇନ ବିରୋଧରେ ଆନ୍ଦୋଳନକୁ ସମର୍ଥନ କରି ରାସ୍ତାକୁ ଓହ୍ଲାଇଲା ଆମ ଜନତା ଅଧିକାର

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କର ତିନୋଟି କୃଷି ଏବଂ କୃଷକ ବିରୋଧୀ ବିଲକୁ ରଦ୍ଦ କରିବା ଦାବିରେ ସାରା ଦେଶରେ ବନ୍ଦ ଏବଂ ପ୍ରତିରୋଧ ଆନ୍ଦୋଳନକୁ ସମର୍ଥନ କରି “ଆମ ଜନତା ଅଧିକାର” ଆଜି ଧାରଣା ଓ ବିକ୍ଷୋଭ କରିଛି। କରୋନା ମହାମାରୀ ସମୟରେ ସଂସଦରେ ଏହି ସବୁ ବିଲ ସଂସଦରେ ଵିଧି ବ୍ୟବସ୍ଥା ଏବଂ ସାଂସଦମାନଙ୍କର ଭୋଟ ଦେବା ଅଧିକାରକୁ ଅସ୍ବୀକାର କରି ଅତି ତରବରିଆ ଭାବେ ଧ୍ୱନିମତରେ ପାରିତ କରାଇଛନ୍ତି ସରକାର। ମୋଦି ସରକାର କର୍ପୋରେଟମାନଙ୍କ ସ୍ୱାର୍ଥ ନିମନ୍ତେ ଅତି ନିର୍ଲଜ ଭାବେ ସମ୍ବିଧାନର ନଗ୍ନ ଉଲଂଘନ କରିଛନ୍ତି।  ସଂସଦ ଏବଂ କୃଷକମାନଙ୍କ ପାଇଁ ଏହା ଏକ କଳା ଅଧ୍ୟାୟ ସୃଷ୍ଟି କରିଛି। କୃଷକମାନଙ୍କ ଉପରେ ନିର୍ଭରଶୀଳ କୃଷି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଧ୍ବଂସ କରିବାର ସର୍ବନାଶକାରୀ ନୀତି କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି ବୋଲି ଆରୋପ କରିଛନ୍ତି ଆମ ଜନତା ଅଧିକାରର ସାଧାରଣ ସମ୍ପାଦକ ଲଲାଟେନ୍ଦୁ ଶତପଥି।

ଏହି ବିଲକୁ ବିରୋଧ କରି ଓଡିଶାର ସମସ୍ତ ଗଣ ଓ ଚାଷୀ ସଂଗଠନ ଆଜି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଏକତ୍ରିତ ହୋଇ ଓଡିଶାର ପୁରପଲ୍ଲୀ ରେ “କୃଷି-କୃଷକ ବଞ୍ଚାଅ -ଦେଶ ବଞ୍ଚାଅ -କର୍ପୋରେଟ ହଟାଅ ” ଆୱାଜକୁ ଜୋରଦାର କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ଆମ ଜନତା ଅଧିକାରର ସହ ଆବାହକ ବାସୁଦେବ ଭଟ୍ଟ, ସାଧାରଣ ସମ୍ପାଦକ ଲଲାଟେନ୍ଦୁ ଶତପଥି, ମୁଖପାତ୍ର ପ୍ରସନ୍ନ ବିଷୋୟୀ, ସଂଯୋଜକ ଭକ୍ତି ରଞ୍ଜନ ପଲାଇ , ସଂଯୋଜିକା ପ୍ରଣତି ସ୍ବାଇଁ , କାର୍ଯ୍ୟକାରୀ ସଦସ୍ୟ ନିରୁପମା ରଥ , ଜଗବନ୍ଧୁ ଜେନା, ଦେବୁ ନାୟକ ପ୍ରମୁଖ ଏ ଜି ଛକରେ ଧାରଣାରେ ବସିବା ବେଳେ କ୍ୟାପିଟାଲ ଥାନା ସେମାନଙ୍କୁ ଅଟକ ରଖି ପରେ ଛାଡ଼ିଦେଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ର ସରକାରର କୃଷକ ବିଲକୁ ବିରୋଧ: ରାଜରାସ୍ତାକୁ ଓହ୍ଲାଇବା ପାଇଁ ଧମକ ଦେଲା ଆମ ଜନତା ଅଧିକାର

ଭୁବନେଶ୍ବର: ସଂସଦରେ ଆଗତ କୃଷିସଂକ୍ରାନ୍ତ ବିଧେୟକକୁ ସାରା ଦେଶର କୃଷକ ସଂସଦ ବାହାରେ ଓ ସଂସଦ ଭିତରେ ବିରୋଧୀ ଦଳ ଓ ଏନଡିଏର ଅଂଶୀଦାର ଦଳ ବିରୋଧ ଜାରି ରଖିଥିବାବେଳେ କେନ୍ଦ୍ର ସରକାର ଏହାକୁ ଭୃକ୍ଷେପ ନକରି ବିଧେୟକକୁ ଆଗତ କରିଛି।

କେନ୍ଦ୍ର ସରକାର ରାଜ୍ୟସଭାରେ ମଧ୍ୟ ଲୋକସଭା ଭଳି ବାଚନିକ ଭୋଟ ବଳରେ ଆଗତ ହୋଇଥିବା କୃଷି ସମ୍ପର୍କିତ ୩ଟି ବିଧେୟକକୁ ଗୃହୀତ କରାଇଛନ୍ତି। କୃଷି ଉତ୍ପାଦନର ବେପାର ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସରଳୀକରଣ) ବିଧେୟକ ୨୦୨୦, କୃଷକ (ସଶକ୍ତିକରଣ ଓ ସୁରକ୍ଷା) ରାଜିନାମା ମୂଲ୍ୟଧାର୍ଯ୍ୟ ଓ କୃଷିସେବା ବିଧେୟକ ୨୦୨୦ ଏଵଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ବିଧେୟକ ୨୦୨୦ ବାଦ ବିବାଦ ମଧ୍ୟରେ ଶୁକ୍ରବାର ଦିନ ଲୋକସଭାରେ ଗୃହୀତ ହୋଇଥିଲା।

ପ୍ରଧାନମନ୍ତ୍ରୀ ଦେଶର କୃଷକମାନଙ୍କୁ ଅଣଦେଖା କରି କର୍ପୋରେଟ ଜଗତର ସ୍ଵାର୍ଥ ଲାଗି ନିରୀହ ଗରୀବ କୃଷକମାନଙ୍କ ଜୀବନ ଓ ଜୀବିକାକୁ ମଧ୍ୟ ଜଳାଞ୍ଜଳି ଦେବାକୁ ପଛଘୁଞ୍ଚା ଦେଉନାହାନ୍ତି ବୋଲି ଅଭିଯୋଗ କରିଛି “ଆମ ଜନତା ଅଧିକାର“।

ରାଜ୍ୟସଭାରେ ଏନଡିଏର ସହଯୋଗୀ ଶୀରୋମଣୀ ଅକାଳୀ ଦଳ ସମେତ ଟିଆରଏସ, ଆମ ଆଦମୀ ପାର୍ଟି ଭଳି ଅନେକ ଦଳ ବିରୋଧ ଜାରୀ ରଖିଥିବା ବେଳେ ପୂର୍ବରୁ ଅନେକ ପ୍ରସଙ୍ଗରେ ସମର୍ଥନ ଦେଇଥିବା ବିଜୁ ଜନତା ଦଳ ମଧ୍ୟ ଏହି ବିଲକୁ ପୂର୍ବରୁ ଲୋକସଭାରେ ବିରୋଧ କରିନଥିଲେ ବି ରାଜ୍ୟସଭାରେ ବିରୋଧ କରିଛି। ତେଣୁ ଶୀରୋମଣୀ ଅକାଳୀ ଦଳର ମନ୍ତ୍ରୀ ଇସ୍ତଫା ଦେବା ଫଳରେ କେନ୍ଦ୍ର ସରକାର ବିଜୁ ଜନତା ଦଳର ସାଂସଦଙ୍କ ସମର୍ଥନ ଲାଗି ସିବିଆଇର ଦୁରୁପଯୋଗ କରିବା ଓ ଚିଟଫଣ୍ଡ ତଦନ୍ତ ନାଁରେ ଜନୈକ ପୂର୍ବତନ ମନ୍ତ୍ରୀଙ୍କ ଘରେ ରେଡ଼ କରିବା ନେଇ ପ୍ରଶ୍ନ କରିଛି ‘ଆମ ଜନତା ଅଧିକାର’ ସଂଗଠନ। ସିବିଆଇ ଦୀର୍ଘ ସାତବର୍ଷରୁ ଊର୍ଦ୍ଧ୍ଵ ସମୟ ଧରି  ନିରୀହ ବେସାହାରା ଚିଟଫଣ୍ଡ ଜମାକାରୀଙ୍କ ଅର୍ଥକୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ବେଳେ ପୂର୍ବତନ ମନ୍ତ୍ରୀଙ୍କ ଘରେ ହଠାତ ଚଢ଼ାଉ କରିବା ମନ୍ଦ ଉଦ୍ଧେଶ୍ୟ ଥିଲା ବୋଲି ସଂଗଠନ କହିଛି।

ତେଣୁ କୃଷକବିରୋଧୀ ବିଧେୟକକୁ ରାଜ୍ୟସଭାରେ ବିଜେଡି ସମର୍ଥନ ନଦେବାକୁ ସ୍ୱାଗତ କରିଛି “ଆମ ଜନତା ଅଧିକାର”। ରାଜ୍ୟସଭାରେ ବିଲ ବିପକ୍ଷରେ ବିରୋଧଭାସ ରଖିବା ସହ ବିଲକୁ ସଂଶୋଧନ କମିଟିକୁ ପଠାଇବା ସୁପାରିଶ କରି ଏଭଳି ତାନାଶାହୀ କେନ୍ଦ୍ର ସରକାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଓଡ଼ିଶାର ଭାତହାଣ୍ଡିର ଦାୟାଦମାନଙ୍କୁ ଉପଯୁକ୍ତ ସମ୍ମାନ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ସଂଗଠନର କର୍ମକର୍ତ୍ତାଗଣ।

ଚାଷୀଙ୍କ ସ୍ଵାର୍ଥକୁ ଯଦି କୌଣସି ଆଞ୍ଚ ଆସେ ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରି ରାଜରାସ୍ତାକୁ ଓହ୍ଲାଇବାକୁ ପଛଘୁଞ୍ଚା ଦେବନାହିଁ ବୋଲି ସଂଗଠନର ରାଜ୍ୟ ଆବାହକ ମନୋଜ ଜେନା, ସହ ଆବାହକ ବାସୁଦେବ ଭଟ୍ଟ, ସାଧାରଣ ସମ୍ପାଦକ ଲଲାଟେନ୍ଦୁ ଶତପଥୀ, କୋଷାଧ୍ୟକ୍ଷ ଶାରଦା ପ୍ରସନ୍ନ ସ୍ୱାଇଁ, ମୁଖପାତ୍ର ପ୍ରସନ୍ନ ବିଷୋୟୀ,ସଂଯୋଜକ ଭକ୍ତିରଞ୍ଜନ ପଳାଇ ପ୍ରମୁଖ କହିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ଜେଇଇ ଓ ନିଟ ପରୀକ୍ଷାରୁ ବଞ୍ଚିତ ପରୀକ୍ଷାର୍ଥୀଙ୍କୁ ପୁନଃପରୀକ୍ଷା କରିବା ଲାଗି ଦାବୀ କଲା ଆମ ଜନତା ଅଧିକାର

ଭୁବନେଶ୍ବର: ଆଜି ଉତ୍କଳ ସାମ୍ବାଦିକ ଭବନ ପରିସରରେ “ଆମ ଜନତା ଅଧିକାର” ସଂଗଠନ ତରଫରୁ ଏକ ପ୍ରେସମିଟ ଅନୁଷ୍ଠିତ ହୋଇଯାଇଛି। ସଦ୍ୟ ସମାପ୍ତ ହେଇଥିବା ଜେଇଇ ଓ ନିଟ ପରୀକ୍ଷାରେ ହଜାର ହଜାର ଗରୀବ ମେଧାବୀ ପରୀକ୍ଷାର୍ଥୀ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି। ଏନେଇ ପରୀକ୍ଷାରୁ ବଞ୍ଚିତ ପରୀକ୍ଷାର୍ଥୀଙ୍କ ପାଇଁ ପୁନଃପରୀକ୍ଷା କରିବା ଲାଗି ସରାକାରଙ୍କ ନିକଟରେ ଦାବୀ କରିଛି ଏହି ସାମାଜିକ ସଂଗଠନ।

ରାଜ୍ୟର ଅନେକ ଜିଲ୍ଲା ବନ୍ୟା କ୍ଷତିଗ୍ରସ୍ତ ଥିବା ସମୟରେ ଏହି ପ୍ରକାର ଏକ ନିଷ୍ପତ୍ତି ଅନେକ ନିରୀହ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଇଛି। କୋଭିଡ ସମୟରେ କେବଳ ରାଜ୍ୟର ପ୍ରମୁଖ ସାତଗୋଟି ସହରରେ ପରୀକ୍ଷା କେନ୍ଦ୍ର କରାଯିବାକୁ ନେଇ ଅଭିଭାବକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି। ଜେଇଇ ପରୀକ୍ଷା ଲାଗି ୩୮ ହଜାର ୨ ଶହ ୩୬ ପରୀକ୍ଷାର୍ଥୀ ଆବେଦନ କରିଥିବାବେଳେ ଅନ୍ୟୂନ ୧୧ ହଜାର ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚିପାରି ନାହାନ୍ତି। ସାତଟି ସହରରେ ୨୬ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଲାଗି ବନ୍ଦୋବସ୍ତ କରାଯାଇଥିଲା ଏଵଂ ୨୮ ପ୍ରତିଶତ ପରୀକ୍ଷାର୍ଥୀ ପରୀକ୍ଷାରୁ ବଞ୍ଚିତ ହେଇଛନ୍ତି। ତେଣୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଅନେକ ଗରୀବ ମେଧାବୀ ଛାତ୍ରଛାତ୍ରୀ ପରୀକ୍ଷାର ସୁଯୋଗ ଉପଯୋଗ କରିପାରିନଥିଲେ।

ସେହି ଭଳି ନିଟ ପାଇଁ ୩୭ ହଜାର ୪ ଶହ ୫୯ ପରୀକ୍ଷାର୍ଥୀ ଆବେଦନ କରିଥିବାବେଳେ ୧୨ ପ୍ରତିଶତ ତଥା ଅନ୍ୟୂନ ୪ ହଜାର ୫ ଶହ ପରୀକ୍ଷାର୍ଥୀ ବଞ୍ଚିତ ହେଇଛନ୍ତି। ପ୍ରଳୟଙ୍କରୀ ବନ୍ୟାର ପ୍ରକୋପ ଓ କୋଭିଡର ଭୟରେ ପନ୍ଦର ହଜାରରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ବଞ୍ଚିତ ହେବା ଏକ ପ୍ରକାର ପରୀକ୍ଷାର ବିଫଳତା ଦର୍ଶାଯାଇଛି। ତେଣୁ କେନ୍ଦ୍ର ସରକାର ଏତେ ମାତ୍ରାରେ ପରୀକ୍ଷାର୍ଥୀଙ୍କ ଭବିଷ୍ୟତକୁ ନଜରରେ ରଖି ପୁନଃ ପରୀକ୍ଷା କରିବାକୁ ସଂଗଠନ ତରଫରୁ ଆଜିର ପ୍ରେସମିଟରେ ଦାବୀ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଅଗଷ୍ଟ ୨୭ତାରିଖରେ ଜେଇଇ ଓ ନିଟ ଉପଲକ୍ଷେ ଧାରଣାରେ ବସିଥିବା ସଂଗଠନର କର୍ମକର୍ତ୍ତାମାନେ କୋଭିଡ ଓ ବନ୍ୟା ପରିସ୍ଥିତିକୁ ନେଇ କେନ୍ଦ୍ର ସରକାରଙ୍କ ପାଖରେ ପରୀକ୍ଷାକୁ ସାମୟିକ ଭାବେ ସ୍ଥଗିତ ରଖିବାକୁ ଓ ସୁବନ୍ଦୋବସ୍ତ କରି ପରୀକ୍ଷାକୁ ପୁନଃ ତାରିଖ ନିର୍ଦ୍ଧରାଣ କରିବାକୁ ଦାବୀ କରି ଧାରଣା ଦେଇଥିଲେ। କିନ୍ତୁ ଏହାକୁ ଅଣଦେଖା କରି ଅତି ତରବରିଆ ଭାବରେ ସରାକର ପରୀକ୍ଷା କରିଥିଲେ।

ଆଜି ଅନୁଷ୍ଠିତ ଏହି ପ୍ରେସମିଟରେ ସଂଗଠନର ଆବାହକ ଶ୍ରୀ ମନୋଜ ଜେନା, ସହ ଆବାହକ ବାସୁଦେବ ଭଟ୍ଟ, ସାଧାରଣ ସମ୍ପାଦକ ଲଲାଟେନ୍ଦୁ ଶତପଥୀ, କୋଷାଧ୍ୟକ୍ଷ ଶାରଦା ପ୍ରସନ୍ନ ସ୍ବାଇଁ, ମୁଖପାତ୍ର ପ୍ରସନ୍ନ ବିଷୋୟୀ, ଜଗବନ୍ଧୁ ଜେନା, ସଂଯୋଜକ ଭକ୍ତି ରଞ୍ଜନ ପଲାଇ, ସହ ସଂଯୋଜିକା ପ୍ରଣତି ସ୍ୱାଇଁ, ରତିକାନ୍ତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।