କୃଷି ଆଇନ ବିରୋଧରେ ଆନ୍ଦୋଳନକୁ ସମର୍ଥନ କରି ରାସ୍ତାକୁ ଓହ୍ଲାଇଲା ଆମ ଜନତା ଅଧିକାର

Published: Sep 25, 2020, 4:08 pm IST

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କର ତିନୋଟି କୃଷି ଏବଂ କୃଷକ ବିରୋଧୀ ବିଲକୁ ରଦ୍ଦ କରିବା ଦାବିରେ ସାରା ଦେଶରେ ବନ୍ଦ ଏବଂ ପ୍ରତିରୋଧ ଆନ୍ଦୋଳନକୁ ସମର୍ଥନ କରି “ଆମ ଜନତା ଅଧିକାର” ଆଜି ଧାରଣା ଓ ବିକ୍ଷୋଭ କରିଛି। କରୋନା ମହାମାରୀ ସମୟରେ ସଂସଦରେ ଏହି ସବୁ ବିଲ ସଂସଦରେ ଵିଧି ବ୍ୟବସ୍ଥା ଏବଂ ସାଂସଦମାନଙ୍କର ଭୋଟ ଦେବା ଅଧିକାରକୁ ଅସ୍ବୀକାର କରି ଅତି ତରବରିଆ ଭାବେ ଧ୍ୱନିମତରେ ପାରିତ କରାଇଛନ୍ତି ସରକାର। ମୋଦି ସରକାର କର୍ପୋରେଟମାନଙ୍କ ସ୍ୱାର୍ଥ ନିମନ୍ତେ ଅତି ନିର୍ଲଜ ଭାବେ ସମ୍ବିଧାନର ନଗ୍ନ ଉଲଂଘନ କରିଛନ୍ତି।  ସଂସଦ ଏବଂ କୃଷକମାନଙ୍କ ପାଇଁ ଏହା ଏକ କଳା ଅଧ୍ୟାୟ ସୃଷ୍ଟି କରିଛି। କୃଷକମାନଙ୍କ ଉପରେ ନିର୍ଭରଶୀଳ କୃଷି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଧ୍ବଂସ କରିବାର ସର୍ବନାଶକାରୀ ନୀତି କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି ବୋଲି ଆରୋପ କରିଛନ୍ତି ଆମ ଜନତା ଅଧିକାରର ସାଧାରଣ ସମ୍ପାଦକ ଲଲାଟେନ୍ଦୁ ଶତପଥି।

ଏହି ବିଲକୁ ବିରୋଧ କରି ଓଡିଶାର ସମସ୍ତ ଗଣ ଓ ଚାଷୀ ସଂଗଠନ ଆଜି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଏକତ୍ରିତ ହୋଇ ଓଡିଶାର ପୁରପଲ୍ଲୀ ରେ “କୃଷି-କୃଷକ ବଞ୍ଚାଅ -ଦେଶ ବଞ୍ଚାଅ -କର୍ପୋରେଟ ହଟାଅ ” ଆୱାଜକୁ ଜୋରଦାର କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ଆମ ଜନତା ଅଧିକାରର ସହ ଆବାହକ ବାସୁଦେବ ଭଟ୍ଟ, ସାଧାରଣ ସମ୍ପାଦକ ଲଲାଟେନ୍ଦୁ ଶତପଥି, ମୁଖପାତ୍ର ପ୍ରସନ୍ନ ବିଷୋୟୀ, ସଂଯୋଜକ ଭକ୍ତି ରଞ୍ଜନ ପଲାଇ , ସଂଯୋଜିକା ପ୍ରଣତି ସ୍ବାଇଁ , କାର୍ଯ୍ୟକାରୀ ସଦସ୍ୟ ନିରୁପମା ରଥ , ଜଗବନ୍ଧୁ ଜେନା, ଦେବୁ ନାୟକ ପ୍ରମୁଖ ଏ ଜି ଛକରେ ଧାରଣାରେ ବସିବା ବେଳେ କ୍ୟାପିଟାଲ ଥାନା ସେମାନଙ୍କୁ ଅଟକ ରଖି ପରେ ଛାଡ଼ିଦେଇଥିଲା।

Related posts