Categories
ବିଶେଷ ଖବର

ଆନ୍ତଃରାଜ୍ୟ ସୀମା ବିବାଦର ସମାଧାନ ପାଇଁ ଆସାମ ଓ ମେଘାଳୟ ମଧ୍ୟରେ ଐତିହାସିକ ରାଜିନାମା

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଆସାମ ଏବଂ ମେଘାଳୟ ମଧ୍ୟରେ ସୀମା ବିବାଦର ସମାଧାନ ଲାଗି ଏକ ଐତିହାସିକ ରାଜିନାମା ସ୍ୱାକ୍ଷରିତ ହୋଇଛି। ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ସରମା ଏବଂ ମେଘାଳୟ ମୁଖ୍ୟମନ୍ତ୍ରୀ ଶ୍ରୀ କୋନରାଡ ସାଙ୍ଗମା ଏହି ରାଜିନାମାରେ ସ୍ୱାକ୍ଷର କରିଥିଲେ। ଆନ୍ତଃରାଜ୍ୟ ସୀମା ବିବାଦର ମୋଟ୍‌ ୧୨ଟି କ୍ଷେତ୍ର ମଧ୍ୟରୁ ୬ଟି କ୍ଷେତ୍ରରେ ବିବାଦର ସମାଧାନ ଲାଗି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ରାଜିନାମା ଅଧୀନରେ ସହମତ ହୋଇଛନ୍ତି। ଶାନ୍ତିପୂର୍ଣ୍ଣ ଏବଂ ସମୃଦ୍ଧ ଉତ୍ତର ପୂର୍ବାଞ୍ଚଳ ନିର୍ମାଣ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପକୁ ସାକାର କରିବା ଦିଗରେ ଏହି ରାଜିନାମା ଏକ ମାଇଲଖୁଣ୍ଟ। ଏହି ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ଆସାମ ସରକାର ଏବଂ ମେଘାଳୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରାଜିନାମା ଅବସରରେ କହିଥିଲେ ଯେ, ବିବାଦମୁକ୍ତ ଉତ୍ତର ପୂର୍ବାଞ୍ଚଳ ପାଇଁ ଆଜିର ଦିନ ଐତିହାସିକ। ସେ କହିଥିଲେ ଯେ, ୨୦୧୪ରେ ଯେତେବେଳେ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେଲେ, ଉତ୍ତର ପୂର୍ବାଞ୍ଚଳରେ ଶାନ୍ତି ପ୍ରକ୍ରିୟା, ବିକାଶ, ସମୃଦ୍ଧି ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରୋତ୍ସାହନ ଦେବା ଲାଗି ଅନେକ ପ୍ରୟାସ କରାଯାଇଛି, ଆମେ ସମସ୍ତେ ଏହାର ସାକ୍ଷୀ ରହିଛୁ। ସେ କହିଥିଲେ ଯେ, ୨୦୧୯ରେ ସ୍ୱରାଷ୍ଟ୍ର ମନ୍ତ୍ରୀ ହେବା ପରେ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଲାଗି ଯାଇଥିଲେ। ଚାରିଟି କ୍ଷେତ୍ର ପ୍ରତି ପ୍ରାଥମିକତା ଦେବା ଲାଗି ପ୍ରଧାନମନ୍ତ୍ରୀ ତାଙ୍କୁ କହିଥିଲେ। ସେ କହିଥିଲେ ଯେ ୨୦୧୯ ଠାରୁ ୨୦୨୨ ପର୍ଯ୍ୟନ୍ତ ଏହି ଯାତ୍ରା ଏକ ବହୁତ ବଡ଼ ମାଇଲଖୁଣ୍ଟ ହାସଲ କରିବାରେ ସଫଳ ହୋଇଛି।

ଶ୍ରୀ ଅମିତ ଶାହା କହିଥିଲେ ଯେ, ବିଗତ ତିନି ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଆତଙ୍କବାଦକୁ ସମାପ୍ତ କରିବା ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଲାଗି ଅନେକ ରାଜିନାମା ସ୍ୱାକ୍ଷରିତ ହୋଇଛି। ସେ କହିଥିଲେ ଯେ ତ୍ରିପୁରାରେ ଉଗ୍ରବାଦୀମାନଙ୍କୁ ସମାଜର ମୁଖ୍ୟଧାରାକୁ ଫେରାଇ ଆଣିବା ପାଇଁ ଅଗଷ୍ଟ, ୨୦୧୯ରେ ଏନଏଲଏଫଡି (ଏସଡି) ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ଫଳରେ ତ୍ରିପୁରା ଆଜି ଏକ ଶାନ୍ତ ରାଜ୍ୟ ହୋଇପାରିଛି। ଏହାପରେ ୨୩ ବର୍ଷ ପୁରୁଣା ବ୍ରୁ-ରିୟାଙ୍ଗ ଶରଣାର୍ଥୀ ସଙ୍କଟକୁ ସବୁଦିନ ପାଇଁ ସମାଧାନ କରିବା ଲାଗି ୧୬ ଜାନୁଆରୀ ୨୦୨୦ରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ଏହା ଅଧୀନରେ କଷ୍ଟପୂର୍ଣ୍ଣ ଜୀବନ ନିର୍ବାହ କରୁଥିବା ୩୭,୦୦୦ରୁ ଅଧିକ ଆଦିବାସୀ ଭାଇ-ଭଉଣୀମାନେ ଆଜି ସମ୍ମାନପୂର୍ଣ୍ଣ ଜୀବନ ବଞ୍ଚି ପାରୁଛନ୍ତି। ଶ୍ରୀ ଶାହା କହିଥିଲେ ଯେ ୨୭ ଜାନୁଆରୀ ୨୦୨୦ରେ ବୋଡୋ ରାଜିନାମା ସ୍ୱାକ୍ଷରିତ ହୋଇଥିଲା ଯାହାକି ଆସାମର ମୂଳ ସ୍ୱରୂପକୁ ବଜାୟ ରଖି ୫୦ ବର୍ଷ ପୁରୁଣା ବୋଡୋ ପ୍ରସଙ୍ଗର ସମାଧାନ କଲା। ଆସାମ ଏବଂ ଭାରତ ସରକାର ଏହି ରାଜିନାମାର ୯୫ ପ୍ରତିଶତ ସର୍ତ୍ତ ପୂରଣ କରିସାରିଛନ୍ତି ଏବଂ ଆଜି ବୋଡୋଲ୍ୟାଣ୍ଡ ଏକ ଶାନ୍ତିପୂର୍ଣ୍ଣ କ୍ଷେତ୍ର ଭାବେ ମୁଣ୍ଡ ଟେକିଛି ଏବଂ ବିକାଶ ମାର୍ଗରେ ଅଗ୍ରସର ହେଉଛି। ୪ ସେପ୍ଟେମ୍ବର ୨୦୨୧ରେ ଆସାମର କାର୍ବୀ କ୍ଷେତ୍ରରେ ଦୀର୍ଘ ସମୟ ଧରି ଲାଗି ରହିଥିବା ବିବାଦର ସମାଧାନ ଲାଗି କାର୍ବୀ-ଅଙ୍ଗଲଙ୍ଗ ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ଏହା ଅଧୀନରେ ପାଖାପାଖି ୧୦୦୦ରୁ ଅଧିକ ସଶସ୍ତ୍ର କ୍ୟାଡର ଆତ୍ମସମର୍ପଣ କରିବା ସହିତ ସମାଜର ମୁଖ୍ୟଧାରାରେ ସାମିଲ ହୋଇପାରିଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ ଆଜି ୫୦ ବର୍ଷ ପୁରୁଣା ଆଉ ଏକ ବିବାଦ ଏହି ରାଜିନାମା ବଳରେ ସମାଧାନ ହେବାକୁ ଯାଉଛି। ସେ କହିଥିଲେ ଯେ ଖୁବ୍‌ କମ ସମୟ ମଧ୍ୟରେ ଆଜି ଆସାମ ଏବଂ ମେଘାଳୟ ମଧ୍ୟରେ ୧୨ଟି ମଧ୍ୟରୁ ୬ଟି ପ୍ରସଙ୍ଗରେ ବୁଝାମଣା ହୋଇଛି ଏବଂ ଦୁଇ ରାଜ୍ୟ ମଧ୍ୟରେ ପ୍ରାୟ ୭୦ ପ୍ରତିଶତ ସୀମା ବିବାଦମୁକ୍ତ ହୋଇପାରିଛି। ସେ କହିଥିଲେ ଯେ, ରାଜ୍ୟମାନଙ୍କ ମଧ୍ୟରେ ବିବାଦର ସମାଧାନ ଏବଂ ସଶସ୍ତ୍ର ଗୋଷ୍ଠୀ ଆତ୍ମସମର୍ପଣ ନକରିବା ପର୍ଯ୍ୟନ୍ତ, ଉତ୍ତର ପୂର୍ବାଞ୍ଚଳରେ ବିକାଶ ସମ୍ଭବ ନୁହେଁ। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେ ଧନ୍ୟବାଦ ଜଣାଇଥିଲେ।

କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶାନ୍ତ ଓ ସମୃଦ୍ଧ ଉତ୍ତର ପୂର୍ବାଞ୍ଚଳ ସ୍ୱପ୍ନକୁ ସାକାର କରିବା ଲାଗି ସ୍ୱାଧୀନତାର ଅମୃତ ମହୋତ୍ସବ ବର୍ଷରେ ପ୍ରୟାସ କରାଯିବା ଆବଶ୍ୟକ। ସେ କହିଥିଲେ ଯେ ୨୦୧୯ରୁ ୨୦୨୨ ମଧ୍ୟରେ ୬୯୦୦ରୁ ଅଧିକ ସଶସ୍ତ୍ର କ୍ୟାଡର ଆତ୍ମସମର୍ପଣ କରିସାରିଛନ୍ତି ଏବଂ ପାଖାପାଖି ୪୮୦୦ରୁ ଅଧିକ ଅସ୍ତ୍ର ପ୍ରଶାସନ ନିକଟରେ ସରେଣ୍ଡର କରାଯାଇଛି। ଏହା ଏକ ବହୁତ ବଡ଼ ଉପଲବ୍ଧି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପୂର୍ବାଞ୍ଚଳକୁ ଅଷ୍ଟଲକ୍ଷ୍ମୀ ଭାବେ ଅଭିହିତ କରିଥାନ୍ତି ଏବଂ ଏସବୁ ପ୍ରୟାସ ବଳରେ ଉତ୍ତର ପୂର୍ବ ଭାରତ ମୁଖ୍ୟଧାରାରେ ସାମିଲ ହେବା ସହିତ ଦେଶର ବିକାଶକୁ ଆଗେଇ ନେବାରେ ଏକ ବାହକ ଶକ୍ତି ହୋଇପାରିବ । ସେ କହିଥିଲେ ଯେ, ମୋଦୀ ସରକାର ଅନେକଗୁଡ଼ିଏ ଅଭିଯାନ ଆରମ୍ଭ କରିଛନ୍ତି ଯେଉଁଥିରେ ନିଶାଦ୍ରବ୍ୟ ମୁକ୍ତ, ବନ୍ୟାମୁକ୍ତ ଏବଂ ଅନୁପ୍ରବେଶ ମୁକ୍ତ ଉତ୍ତର ପୂର୍ବାଞ୍ଚଳ ସାମିଲ ରହିଛି, ଏସବୁ ଦିଗରେ ସମୟବଦ୍ଧ ଢଙ୍ଗରେ ଭାରତ ସରକାର ଏବଂ ଉତ୍ତର ପୂର୍ବାଞ୍ଚଳ ସରକାର ଆଗକୁ ବଢ଼ୁଛନ୍ତି।

ଶ୍ରୀ ଅମିତ ଶାହା କହିଥିଲେ, ତାଙ୍କର ସମ୍ପୂର୍ଣ୍ଣ ଭରସା ରହିଛି ଯେ, ଆସାମ ଓ ମେଘାଳୟ ମୁଖ୍ୟମନ୍ତ୍ରୀମାନେ ଯେଉଁ ଦୃଢ଼ ଇଚ୍ଛାଶକ୍ତିର ପରିଚୟ ଦେଇଛନ୍ତି ସେହିପରି ସବୁ ରାଜ୍ୟମାନଙ୍କ ସହିତ ଆଲୋଚନା କରି ସମ୍ପୂର୍ଣ୍ଣ ଉତ୍ତର-ପୂର୍ବାଞ୍ଚଳକୁ ବିବାଦମୁକ୍ତ କରାଯିବ।

ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ସରମା ଏବଂ ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ବହୁ ଦଶନ୍ଧି ଧରି ପଡ଼ି ରହିଥିବା ଏହି ସମସ୍ୟାର ସମାଧାନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ।

ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କ ସହଯୋଗରେ ଆନ୍ତଃରାଜ୍ୟ ସୀମା ବିବାଦର ସମାଧାନ କରାଯିବା ସମ୍ଭବ ହୋଇପାରିବ, ଭାରତ ସରକାର ସବୁବେଳେ ଏହି ଦୃଷ୍ଟିକୋଣ ନେଇ କାମ କରି ଆସୁଛନ୍ତି । ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ଆପୋସ ସାମଞ୍ଜସ୍ୟ ଓ ତାଳମେଳ ଭାବନା ନେଇ ସୀମା ବିବାଦର ସମାଧାନ କରିବା ଲାଗି ସୁବିଧା ପ୍ରଦାନକାରୀ ଭାବେ କେନ୍ଦ୍ର ସରକାର କାମ କରୁଛନ୍ତି। ଏହି ରାଜିନାମା ଫଳରେ ଏହି କ୍ଷେତ୍ରରେ ରହୁଥିବା ଲୋକମାନେ ଲାଭବାନ ହେବେ କାରଣ ଦୀର୍ଘକାଳୀନ ଶାନ୍ତି ସୁନିଶ୍ଚିତ ହେବ ଏବଂ ବିକାଶ ପ୍ରକ୍ରିୟା ଆଗକୁ ବଢ଼ିପାରିବ। ଏହି ରାଜିନାମା ସହଯୋଗୀ ସଂଘୀୟ ବ୍ୟବସ୍ଥାର ଏକ ଉଦାହରଣ, ଯାହାକି ରାଜ୍ୟମାନଙ୍କ ମଧ୍ୟରେ ରହିଥିବା ଅନ୍ୟ ସୀମା ବିବାଦ ସମାଧାନ ଲାଗି ଏକ ରୋଡମ୍ୟାପ୍‌ ପ୍ରଦାନ କରିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁରୀ ଏବଂ ନ୍ୟୁ ତିନସୁକିଆ (ଆସାମ) ମଧ୍ୟରେ ଆରମ୍ଭ ହେବ ସ୍ୱତନ୍ତ୍ର ଟ୍ରେନ୍ ସେବା

ଭୁବନେଶ୍ବର: ଯାତ୍ରୀମାନଙ୍କୁ ସୁବିଧାଜନକ ଯାତ୍ରା ଉପଲବ୍ଧ କରାଇବା ପାଇଁ ଆସାମ ର ନ୍ୟୁ ତିନସୁକିଆ ଏବଂ ପୁରୀ ମଧ୍ୟରେ ଡିସେମ୍ବର ୧୨ ତାରିଖ ୨୦୨୧ ଠାରୁ ଜାନୁୟାରୀ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ନିଷ୍ପତ୍ତି ନିଆଯାଇଅଛି।

୦୫୯୭୦ ନ୍ୟୁ ତିନସୁକିଆ-ପୁରୀ ସ୍ଵତନ୍ତ୍ର ଟ୍ରେନ ନ୍ୟୁ ତିନସୁକିଆରୁ ଡିସେମ୍ବର ୧୨ ତାରିଖ ୨୦୨୧ ରୁ ଜାନୁୟାରୀ ୩୦ ତାରିଖ ୨୦୨୨ ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଦିନ ରାତ୍ରି ୧୦ ଘ.୩୦ ମି.ରେ ଛାଡି ମଙ୍ଗଳବାର ଦିନମାନଙ୍କରେ ପୂର୍ବାହ୍ନ ୧୧ ଘଣ୍ଟାରେ ପୁରୀରେ ପହଞ୍ଚିବ।  ଫେରିବା ମାର୍ଗରେ ୦୫୯୬୯ ପୁରୀ-ନ୍ୟୁ ତିନସୁକିଆ ସ୍ପେଶାଲ୍ ପୁରୀ ଠାରୁ ଡିସେମ୍ବର ୧୫ ତାରିଖ ୨୦୨୧ରୁ ଫେବୃଆରୀ ୨ ତାରିଖ ୨୦୨୨ ପର୍ଯ୍ୟନ୍ତ ପ୍ରତ୍ୟେକ ବୁଧବାର ଦିନ ସକାଳ ୦୫ ଘଣ୍ଟାରେ ଛାଡି ଗୁରୁବାର ଦିନ ଅପରାହ୍ନ ୦୪ ଘ.୪୫ ମି.ରେ ନ୍ୟୁ ତିନସୁକିଆରେ ପହଞ୍ଚିବ।

ଏହି ଟ୍ରେନରେ ଗୋଟିଏ ଏସି-୨ ଟାୟାର, ଚାରିଟି ଏସି-୩ ଟାୟାର, ଏକାରଟି ସ୍ଲିପର କ୍ଲାସ, ଚାରିଟି ସାଧାରଣ ଦ୍ଵିତୀୟ ଶ୍ରେଣୀ ଏବଂ ଦୁଇଟି ଗାର୍ଡ, ଲଗେଜ ତଥା ସାଧାରଣ ଦ୍ଵିତୀୟ ଶ୍ରେଣୀ କୋଚ ଉପଲବ୍ଧ ଥିବାବେଳେ ଏହା ପୁରୀ ଓ ନ୍ୟୁ ତିନସୁକିଆ ମଧ୍ୟରେ ଡିବ୍ରୁଗଡ, ରଙ୍ଗିୟା, ନ୍ୟୁ ଜଲପାଇଗୁଡ଼ି, ମାଲଦା ଟାଉନ୍, ରାମପୁରହାଟ, ବର୍ଦ୍ଧମାନ, ଡାଙ୍କୁଣି, ଖଡଗପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ, କଟକ, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରୋଡ ଇତ୍ୟାଦି ଗୁରୁତ୍ୱପୂର୍ଣ ଷ୍ଟେସନ ମାନଙ୍କରେ ରହଣି କରିବ।

Categories
ଜାତୀୟ ଖବର ଜୀବନ ଶୈଳୀ ବିଶେଷ ଖବର ରାଜ୍ୟ ଖବର

ଆସାମ ର ଚା’ ବଗିଚା ଓ ଓଡ଼ିଆ ଶ୍ରମିକଙ୍କ ଜୀବନ କାହାଣୀ

ଲକ୍ଷ୍ମୀପ୍ରିୟା ଓଝା

ଭାରତ ର ପୁର୍ବାଞ୍ଚଳରେ ସ୍ଥିତ ଆସାମ ତା’ର ପ୍ରାକୃତିକ ବନ ସମ୍ପଦ, ଗୋଟେ ସିଂଘ ଵାଲା ଗଣ୍ଡା, ତେଲ ଭଣ୍ଡାର, ଚା ବଗିଚାର ଅପୂର୍ବ ସବୁଜିମା ଏବଂ ସତୁରି ଦଶକରୁ ହିଂସ୍ରକ ଉଗ୍ରବାଦଗ୍ରସ୍ତ ଅଶାନ୍ତ ପ୍ରଦେଶ ଭାବରେ ପରିଚିତ। ସାତ ଭଉଣୀ ଭାବେ ପରିଚିତ ଆସାମ, ମେଘାଳୟ, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ତ୍ରିପୁରା ର ପ୍ରବେଶ ଦ୍ୱାର ଆସାମ ର ବ୍ୟବସାୟିକ କେଂଦ୍ର ଗୌହାଟୀ। ଆସାମ ଦି ଭାଗରେ ବିଭକ୍ତ, ଅପର (ଉପର) ଆସାମ ଓ ଲୋୟର (ତଳ) ଆସାମ। ଉପର ଆସାମ ର ମୁଖ୍ୟ ଉଦ୍ୟୋଗ, ଉତ୍ପାଦନ ଓ ବ୍ୟବସାୟ ହେଲା ଚା। ଇଂରେଜ ମାନଙ୍କର ଶାସନ ସମୟରେ ଆସାମ ରେ ଆରମ୍ଭ ହେଇଥିଲା ଚା ଚାଷ। ଆସାମ ର ଜଳବାୟୁ ଚା ଚାଷ ପାଇଁ ଯେ ଉପଯୋଗୀ ତାହା ଇଂରେଜ ମାନଙ୍କୁ ଜାଣିବାକୁ ଡେରି ହେଇ ନଥିଲା। ଥଣ୍ଡା ପାଣି ପାଗ ଯୋଗୁ ସାଧାରଣତଃ ଆସାମୀଜ ମାନେ କାମ କରିବାରେ ମନ୍ଥର।ତେଣୁ ସେମାନେ ଯେ ଚା ଚାଷ ପରି କଠିନ କାମ ପାଇଁ ଉପଯୁକ୍ତ ନୁହନ୍ତି , ତାହା ଜାଣି ପାରି ଇଂରେଜ ମାନେ ବେଙ୍ଗଲ, ବିହାର, ଓଡିଶାରୁ ଲୋକ ମାନଙ୍କୁ ବେଠି ଶ୍ରମିକ ଭାବରେ ଆଣି ଚା ଚାଷ ଆରମ୍ଭ କରିଥିଲେ।

ତନ୍ମଧ୍ୟ ରୁ ଓଡିଶା ର ଲୋକ ଥିଲେ ସର୍ବାଧିକ। ପରେ କିଛି ଲୋକ ରୋଜଗାର ଆଶା ରେ ଚା ବଗିଚାରେ କାମ କରିବାକୁ ଆସାମ ଆସିଥିଲେ। ଚା ଚାଷ ଆସାମ ରେ ହେଲେ ମଧ୍ୟ ଏହାର ମୁଖ୍ୟ ବ୍ୟବସାୟିକ କେଂଦ୍ର ଥିଲା କୋଲକତା। ଦେଶ ସ୍ୱାଧୀନ ହେଲା। ହେଲେ ଏମାନଂକୁ ସ୍ୱାଧୀନତା ମିଳିଲାନି। ଇଂରେଜ ମାନେ ଯିବା ପୂର୍ବରୁ କୋଲକତା ର ଵ୍ୟାପାରୀ ମାନଙ୍କୁ ଚା ବଗିଚା ସବୁ ବିକ୍ରି କରିଦେଇ ଗଲେ। ଏମାନଙ୍କ ଜୀବନ ଚକ୍ର ରେ କିଛି ପରିବର୍ତ୍ତନ ଆସିଲାନି।ଆଗରୁ ଇଂରେଜ ଓ ପରେ ବ୍ୟବସାୟୀ ମାନଙ୍କ ପାଇଁ ଗୋତି ଶ୍ରମିକ ପରି ଖଟିବାକୁ ଲାଗିଲେ। ପୂର୍ବ ପରି ଚା ବଗିଚା ଭିତରେ ଏମାନେ ଛୋଟ ଛୋଟ ଘରେ ରହୁଥିଲେ। ମାଲିକ ଦିନ ରାତି ସେମାନଙ୍କ ଠୁ କାମ ଆଦାୟ କରୁଥିଲେ ବିନା ମଜୁରୀ ଦେଇ। ସରକାରଙ୍କ ହସ୍ତକ୍ଷେପ ପରେ ସେମାନଙ୍କର ଶିକ୍ଷା ଓ ସ୍ୱାସ୍ଥ୍ୟ ର ବ୍ୟବସ୍ଥା ମାଲିକ ମାନେ କରିଥିଲେ। ହେଲେ ପାଣିପାଗ ର ଅସ୍ଥିରତା ଓ ଆତଙ୍କବାଦର ପ୍ରକୋପ ଯୋଗୁ ଧୀରେ ଧୀରେ ଚା ବଗିଚାଗୁଡିକ ବନ୍ଦ ବା କ୍ଷତିରେ ଚାଲିଲା।

ତେଣୁ କୋଲକାତା ଓ ମୁମ୍ବାଇରେ ବସିଥିବା ମାଲିକ ମାନେ ଶ୍ରମିକ ମାନଙ୍କର କଥା ଆଉ ବୁଝିଲେନି।ତଦ୍ୱାରା ସେମାନଙ୍କର ଅବସ୍ଥା ଆହୁରି ଖରାପ ହେବାକୁ ଲଗିଲା।ଅଶିକ୍ଷା, ଦରିଦ୍ରତା, ଅନ୍ଧବିଶ୍ୱାସ ନେଇ ଚା ବଗିଚାର ଅନ୍ଧାରି ଜୀବନ ଭିତରେ ସେମାନେ ଖୋଜୁଛନ୍ତି ଆଶ୍ୱାସନା ର ଆଲୋକ ଟିକିଏ। ଏକବିଂଶ ଶତାବ୍ଦୀରେ ତାଙ୍କ ପିଲାଙ୍କ ପାଇଁ ଗୋଟେ ଉନ୍ନତ ଜୀବନ। ଚା ବଗିଚା ବନ୍ଦ ହେଲା ପରେ ସେମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଆଦି କୌଣସି ଖବର ବୁଝୁନାହାଁନ୍ତି ଚା ମାଲିକ ମାନେ। ଏମିତିକି ଚା ବଗିଚା ଭିତରେ ଥିବା ବାଗାନି (ଚା ଶ୍ରମିକ) ମାନଙ୍କ ଘରେ ବିଜୁଳି ବି ନାହିଁ। ଦିନରେ ସୁନ୍ଦର ଦିଶୁଥିବା ଚା ବଗିଚା ,ଅନ୍ଧାରି ରାତିରେ କୌଣସି ଘଂଚ ଅରଣ୍ୟ ଠୁ ବି କମ ଭୟଙ୍କର ଲାଗେନି। ଦୀର୍ଘ ଦିନ ହେଲା ଆସାମ ରେ ରହିଲେ ମଧ୍ୟ ଚା ଶ୍ରମିକ ମାନେ ଏପର୍ଯନ୍ତ ଆସାମ ର ମୁଖ୍ୟଧାରା ରେ ମିଶି ପାରି ନାହାଂତି। ସେମାନକୁ “ବାଗାନି” (ବଗିଚାରେ କାମ କରୁଥିବା ଲୋକ) ବା “ଦେଶ କା ଲୋକ” ( ବାହାର ଦେଶର ଲୋକ) ହିସାବ ରେ ଗଣା ଯାଏ। ବହୁ ବର୍ଷ ଯାଏ ସେମାନଙ୍କର ଭୋଟ ଦେବାର ଅଧିକାର ବି ନଥିଲା। ମହିଳା ମାନେ ପରଘରେ ବାସନ ମାଜି ଆଉ ପୁରୁଷ ମାନେ ଚା ବଗିଚାରୁ କାଠ ସଂଗ୍ରହ କରି, ବିକ୍ରି କରି ଗୁଜୁରାଣ ମେଣ୍ଟାଇ ଥାନ୍ତି।ଓଡିଶା ର ଶ୍ରମିକ ମାନଂକୁ ଓଡିଶା ଫେରିବାର କୌଣସି ଉପାୟ ନାହିଁ।

ଏ ଭିତରେ ତିନି ପିଢ଼ି ବିତି ଗଲାଣି। ଯୁବ ପିଢିଙ୍କୁ ଜଣା ନାହିଁ ସେମାନେ ଓଡ଼ିଶାର କେଉଁ ପ୍ରାନ୍ତ ରୁ ଆସିଥିଲେ। ତାଛଡା ଓଡିଶା ଅପେକ୍ଷା ସେମାନଙ୍କର ଆସାମ ପାଇଁ ମୋହ ବେଶୀ।ପୁରୁଣା କାଳିଆ ବୁଢା ବୁଢ଼ୀ ଙ୍କୁ ଓଡିଶା ର କଥା କିଛି କିଛି ମନେ ଥିଲେବି , କୁଆଡେ ଯିବୁ ? କିଏ ଆମକୁ ଚିହ୍ନିବ? ଆଦି ପ୍ରଶ୍ନ ରୁ ସେମାନଙ୍କର ଅସହାୟତା ସ୍ପଷ୍ଟ ବାରି ହେଇ ପଡେ।ଆସାମ ର ଆସେମ୍ବ୍ଲି ରେ ବହୁ ଓଡ଼ିଆ ମଂତ୍ରୀ ଆଉ ଉଚ୍ଚପଦସ୍ଥ ଅଧିକାରୀ ମାନେ ଅଛନ୍ତି। ହେଲେ ଆଜି ଯାଏ ଏମାନଙ୍କର ଅସହାୟତା ଓ ଦୁର୍ଦଶା ଆସାମ ବା ଓଡିଶା ସରକାର ବା କୌଣସି ସ୍ଵୟଂସେବୀ ସଂସ୍ଥା ର ନଜର ରେ ପଡିନି। ହେଲେ ଦିନେ ନା ଦିନେ ସେମାନଙ୍କର ଉପରେ ସମସ୍ତଙ୍କର ନଜର ପଡିବ ଓ ସେମାନଙ୍କର ଜୀବନର ମାନଦଣ୍ଡ ଉନ୍ନତ ହେବ, ସେହି ଅଶାର ଦୀପକ ଜଳାଇ ଓଡିଶା ର ସନ୍ତାନ ଆଉ ଆସାମ ର ବାଗାନି ବିସ୍ତୃତ ଚା ବଗିଚାର ଅନ୍ଧାରି ମୁଲକ ରେ ଆଲୋକର ପ୍ରତୀକ୍ଷାରେ ଦିନ ଅତିବାହିତ କରୁଛନ୍ତି।

(ଲକ୍ଷ୍ମୀପ୍ରିୟା ଓଝା ,ବରୋଦା, ଗୁଜୁରାଟରେ ରହୁଥିବା ଜଣେ ଓଡିଆ ଲେଖିକା। ସେ ଦୀର୍ଘ ବର୍ଷ ଧରି ଆସାମରେ ଥିଲେ)

Categories
ଆଜିର ଖବର ଜାତୀୟ ଖବର

ଆସାମରେ ଶାନ୍ତି ପାଇଁ ତ୍ରିପାକ୍ଷିକ ଶାନ୍ତି ଚୁକ୍ତି ସମ୍ଭବ: ଉଗ୍ରବାଦୀ ଗୋଷ୍ଠୀଙ୍କ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କରିବେ ଆଲୋଚନା

ଗୌହାଟି/ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ତ୍ରିପାକ୍ଷିକ “କାର୍ବି ଶାନ୍ତି ଚୁକ୍ତି” ସ୍ୱାକ୍ଷର କରିବାର ସମ୍ଭାବନା ରହିଛି। ସୂତ୍ରରୁ ପ୍ରକାଶ ଯେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବା ଶର୍ମା ଏବଂ କାର୍ବି ସଂଗଠନର ପ୍ରତିନିଧୀଙ୍କ ଉପସ୍ଥିତିରେ ନୂଆଦିଲ୍ଲୀରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବ ବୋଲି ଆଶା କରାଯାଉଛି। ଗୃହ ମନ୍ତ୍ରଣାଳୟର ଉତ୍ତର ବ୍ଲକ କାର୍ଯ୍ୟାଳୟରେ ଅପରାହ୍ନରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବ ବୋଲି ଆଶା କରାଯାଉଛି।

ଆସାମର ବିଦ୍ରୋହ ଏବଂ କାର୍ବି (ଆସାମର ଏକ ପ୍ରମୁଖ ଜାତି ସମ୍ପ୍ରଦାୟ) ସନ୍ତ୍ରାସବାଦୀ ଗୋଷ୍ଠୀ ଦ୍ୱାରା ବିଖଣ୍ଡିତ ହେବାର ଏକ ଦୀର୍ଘ ଇତିହାସ ଥିବାରୁ ଏହି ଚୁକ୍ତିନାମା ମହତ୍ତ୍ୱପୂର୍ଣ୍ଣ ଅଟେ। ୧୯୮୦ ଦଶକ ପରଠାରୁ ଏହି ଗୋଷ୍ଠୀ ଜାତିଗତ ହିଂସା, ଅପହରଣ, ହତ୍ୟା ଏବଂ ଟିକସ ପାଇଁ କୁଖ୍ୟାତ ଥିଲା। ତେବେ ସରକାର ଏବଂ ସନ୍ତ୍ରାସବାଦୀ ସଂଗଠନ ମଧ୍ୟରେ ଶାନ୍ତି ଚୁକ୍ତି ହେବା ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ଅନେକ ଶାନ୍ତି ଚୁକ୍ତି ହୋଇଛି।

ସୂତ୍ରରୁ ଜଣାପଡିଛି ଯେ, ଫେବୃଆରୀ ୨୫ ତାରିଖରେ ଆସାମ ସରକାରଙ୍କ ନିକଟରେ ୧ ହଜାର ୪୦ ଜଣ ଉଗ୍ରବାଦୀ ସମର୍ପଣ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୨୦୦କାର୍ବି ଉଗ୍ରବାଦୀ ଏହି ଚୁକ୍ତି ଏବଂ ହସ୍ତାକ୍ଷରରେ ଉପସ୍ଥିତ ରହିବେ।

କୁହାଯାଉଛି ଯେ, ଏହି ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ଦିଲ୍ଲୀରେ ପହଞ୍ଚି ବିଭିନ୍ନ ହୋଟେଲରେ ରହିଛନ୍ତି। ତ୍ରିପାକ୍ଷିକ ଶାନ୍ତି ଚୁକ୍ତିରେ ଭାଗ ନେବାକୁ ଆସାମର ମୁଖ୍ୟମନ୍ତ୍ରୀ ଶୁକ୍ରବାର ବିଳମ୍ବିତ ରାତିରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଭାରତକୁ ପାକିସ୍ତାନ କରିବା ପାଇଁ କରାଯାଉଛି ପ୍ରୟାସ: ମୋହନ ଭାଗବତ

ନୂଆଦିଲ୍ଲୀ: ଜନସଂଖ୍ୟା ନିୟନ୍ତ୍ରଣ ଉପରେ କିଛି ସାମ୍ପ୍ରତିକ ଆଲୋଚନା ମଧ୍ୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ମୋହନ ଭାଗବତଙ୍କ ଏକ ବିବୃତ୍ତି ସାମ୍ନାକୁ ଆସିଛି। ଆସାମର ଗୁଆହାଟୀରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୋହନ ଭାଗବତ କହିଛନ୍ତି ଯେ, ୧୯୩୦ ମସିହାରୁ ଦେଶରେ ମୁସଲମାନ ଜନସଂଖ୍ୟା ବୃଦ୍ଧି ପାଇଁ ପ୍ରୟାସ କରାଯାଇଛି। ଏହାର କାରଣ ହେଉଛି, ଭାରତକୁ ପାକିସ୍ତାନ ତିଆରି କରିବା ପାଇଁ ପ୍ରୟାସ କରାଯାଉଛି।

ପଞ୍ଜାବ, ସିନ୍ଧ, ଆସାମ, ବଙ୍ଗଳା ଏବଂ ଏହାର ଆଖପାଖ ଅଞ୍ଚଳ ପାଇଁ ଏସବୁ ଯୋଜନା କରାଯାଇଥିଲା, ଯାହା କିଛି ମାତ୍ରାରେ ସେମାନଙ୍କୁ ସଫଳତା ମିଳିଥିଲା।  ମୋହନ ଭାଗବତ କହିଛନ୍ତି ଯେ, ବଙ୍ଗଳାରୁ ସେମାନଙ୍କୁ ଅଧା ମିଳିପାରିପାରିଥିଲା ବେଳେ ଆସାମରେ ସଫଳ ହୋଇପାରିନଥିଲେ। କିନ୍ତୁ ଏବେ ବି ସେମାନଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ପ୍ରୟାସ ଜାରି ରହିଛି।

ସିଏଏ ଭାରତୀୟ ମୁସଲମାନମାନଙ୍କର କୌଣସି କ୍ଷତି କରେ ନାହିଁ: ଭାଗବତ

ଏହି କାର୍ଯ୍ୟକ୍ରମରେ ମୋହନ ଭଗବତ ନାଗରିକତ୍ୱ ସଂଶୋଧନ ଅଧିନିୟମ ଉପରେ ମଧ୍ୟ କହିଥିଲେ। ମୋହନ ଭଗବତ କହିଥିଲେ ଯେ, ଏହି ଆଇନର କୌଣସି ଭାରତୀୟ ମୁସଲମାନର ନାଗରିକତ୍ୱ ବିଲ ସହିତ କୌଣସି ସମ୍ପର୍କ ନାହିଁ। ଏହା କୌଣସି ଭାରତୀୟ ମୁସଲମାନର କ୍ଷତି କରିବ ନାହିଁ।

ଆରଏସଏସ ମୁଖ୍ୟ କହିଛନ୍ତି ଯେ, ଭାରତଠାରୁ ଅଲଗା ହୋଇଥିବା ପାକିସ୍ତାନ ଭଳି ଦେଶ ଏବେ ଅସୁବିଧାରେ ଅଛନ୍ତି। ବ୍ରହ୍ମାଣ୍ଡର କଲ୍ୟାଣ ପାଇଁ ଅଖଣ୍ଡ ଭାରତ ଅତ୍ୟନ୍ତ ଜରୁରୀ। ଭାରତର ଅନେକ ଆହ୍ଵାନକୁ ଦୂର କରିବାର କ୍ଷମତା ଅଛି ଏବଂ ସେହି ଆହ୍ଵାନ ଏବଂ ଅସୁବିଧାକୁ ଦୂର କରିବା ପାଇଁ ବିଶ୍ୱ ଆଗକୁ ବଢୁଛି। ବସୁଧୈବ କୁଟୁମ୍ବକମ୍ ବିଶ୍ଵାସ ସହିତ ଭାରତ ପୁଣିଥରେ ବିଶ୍ୱରେ ସୁଖ ଏବଂ ଶାନ୍ତି ବୃଦ୍ଧି କରିପାରିବ।

ସେ ଆହୁରି କହିଛନ୍ତି ଯେ, ଯେତେବେଳେ ଆମେ ଅଖଣ୍ଡ ଭାରତ ବିଷୟରେ କଥାବାର୍ତ୍ତା କରୁ, ସେତେବେଳେ ଆମର ଲକ୍ଷ୍ୟ ଶକ୍ତି ହାସଲ କରିବା ନୁହେଁ, ବରଂ ଧର୍ମ (ନୀତି) ମାଧ୍ୟମରେ ଏକ ହେବା, ଯାହା ସନାତନ (ଅନନ୍ତ) ଏହା ମାନବିକତା ଏବଂ ଏହାକୁ ହିନ୍ଦୁ ଧର୍ମ କୁହାଯାଏ।

ଆରଏସଏସ ସୂତ୍ର ଅନୁଯାୟୀ, ଗୁଆହାଟୀରେ ରହିବା ସମୟରେ ଭାଗବତ ଆସାମର ବିଭିନ୍ନ ଅଞ୍ଚଳରେ ତଥା ଅରୁଣାଚଳ ପ୍ରଦେଶ, ମଣିପୁର ଏବଂ ତ୍ରିପୁରା ସମେତ ଅନ୍ୟାନ୍ୟ ଉତ୍ତର-ପୂର୍ବ ରାଜ୍ୟରେ ବରିଷ୍ଠ ଆରଏସଏସ ନେତାଙ୍କ ସହ ବୈଠକ କରିବେ। ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ସରକାର ୨୦୨୧ ବିଧାନସଭା ନିର୍ବାଚନରେ ​​ଜିତିବା ପରେ ଭାଗବତଙ୍କ ଏହା ପ୍ରଥମ ଆସାମ ଗସ୍ତ।

Categories
PIB_NEWS ଜାତୀୟ ଖବର ବିଶେଷ ଖବର

ଉତ୍ତର ପୂର୍ବ ରାଜ୍ୟଗୁଡ଼ିକର କରୋନା ସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାହାଡିଆ ଅଞ୍ଚଳ ଏବଂ ବଜାରରେ ବୃଦ୍ଧି ପାଉଥିବା ଜନତାଙ୍କୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। କୋଭିଡ ନିୟମକୁ ଠିକ ଭାବେ ପାଳନ କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି। କରୋନା ଜୀବାଣୁ ବିସ୍ତାର ପାଇଁ କୋଭିଡ ନିର୍ଦ୍ଦେଶାବଳୀକୁ କଡାକଡି କାର୍ଯ୍ୟକାରୀ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଆସାମ, ନାଗାଲାଣ୍ଡ, ତ୍ରିପୁରା, ସିକ୍କିମ, ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମର ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ଜୀବାଣୁ କ୍ରମାଗତ ଭାବରେ ଏହାର ରୂପ ପରିବର୍ତ୍ତନ କରୁଛି। ସେଥିପାଇଁ ଏହାର ପ୍ରକାର ଉପରେ ନଜର ରଖିବାର ଆବଶ୍ୟକତା ରହିଛି।

କରୋନା ସଂକ୍ରମଣର ସମ୍ଭାବ୍ୟ ତୃତୀୟ ତରଙ୍ଗକୁ ଦୃଷ୍ଟିରେ ରଖି ଟୀକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ଏହି ଟିକା ନେଇ ଲୋକଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ଦୂର କରିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି।

ଉତ୍ତର-ପୂର୍ବାଞ୍ଚଳର କେତେକ ଜିଲ୍ଲାରେ ସଂକ୍ରମଣ ହାର ବୃଦ୍ଧି ନେଇ ଚିନ୍ତା ପ୍ରକଟ କରି ଶ୍ରୀ ମୋଦୀ କହିଛନ୍ତି ଯେ ମାଇକ୍ରୋ କଣ୍ଟେଣ୍ଟମେଣ୍ଟ ଜୋନ୍ ସୃଷ୍ଟି କରିବା, କରୋନା ପରୀକ୍ଷଣର ପରିସର ବଢାଇବା ଏବଂ ଟୀକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀନମାନଙ୍କୁ ପରାମର୍ଶ ଦେଇଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ଘୋଷଣା କରିଥିବା 23 ହଜାର କୋଟି ଟଙ୍କା ପ୍ୟାକେଜ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବାରେ ସହାୟକ ହେବ। ଶ୍ରୀ ମୋଦୀ କହିଛନ୍ତି ଯେ ଅମ୍ଳଜାନ ଯୋଗାଣରେ ଉନ୍ନତି ଆଣିବା ପାଇଁ ଉତ୍ତର-ପୂର୍ବ ରାଜ୍ୟରେ 150 ଅମ୍ଳଜାନ କାରଖାନା ସ୍ଥାପନ କରାଯାଉଛି।

ଭିଡିଓ କଂନଫ୍ରେସିଂ ମାଧ୍ୟମରେ ହୋଇଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା, ସ୍ବାସ୍ଥ୍ୟମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଧର୍ମ ପରିଚୟ ଲୁଚାଇ ବିବାହ କଲେ ହେବ କାର୍ଯ୍ୟାନୁଷ୍ଠାନ: ସବୁ ସମ୍ପ୍ରଦାୟ ବ୍ୟକ୍ତିଙ୍କ ପାଇଁ ରହିବ ସମାନ ନିୟମ

ନୂଆଦିଲ୍ଲୀ: ଏଣିକି ଧାର୍ମିକ ପରିଚୟ ଲୁଚାଇ ବିବାହ କରୁଥିବା ବ୍ୟକ୍ତିଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ। ଯଦି କୌଣସି ବ୍ୟକ୍ତି ନିଜର ଧର୍ମ ଲୁଚାଇ ଅନ୍ୟ ସମ୍ପ୍ରଦାୟର ମହିଳାଙ୍କୁ ବିବାହ କରନ୍ତି, ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସବୁ ଧର୍ମର ବ୍ୟକ୍ତିଙ୍କ ପାଇଁ ସମାନ ନିୟମ ରହିବ। ଆସାମର ବିଜେପି ସରକାର ଏଭଳି ଆଇନ ଆଣିବାକୁ ଯାଉଛି। ଏକ ସାମ୍ବାଦିକ ସମ୍ମିଳନୀରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ଏନେଇ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଧର୍ମ ପରିଚୟ ଏବଂ ସୂଚନା ଲୁଚାଇ ଅନ୍ୟ ସମ୍ପ୍ରଦାୟରେ ବିବାହ କରୁଥିବା ମହିଳାଙ୍କୁ ବିପଦରୁ ରକ୍ଷା କରିବା ପାଇଁ ବହୁତ ଶୀଘ୍ର ରାଜ୍ୟ ସରକାର ଏକ ଆଇନ ଆଣିବାକୁ ଯାଉଛନ୍ତି। ଏହି ଆଇନ ଉଭୟ ହିନ୍ଦୁ ଏବଂ ମୁସଲାମାନ ସମ୍ପ୍ରଦାୟର ବ୍ୟକ୍ତିଙ୍କ ପାଇଁ ଲାଗୁ ହେବ। ହିନ୍ଦୁ ଯୁବକ ମଧ୍ୟ ନିଜର ପରିଚୟ ଲୁଚାଇ ଅନ୍ୟ ସମ୍ପ୍ରଦାୟର ଯୁବତୀଙ୍କୁ ବିବାହ କରିପାରିବେ ନାହିଁ।

ଉଲ୍ଲେଖ ଯୋଗ୍ୟ ଯେ, ବିଧାନସଭା ନିର୍ବାଚନ ସମୟରେ ରାଜ୍ୟରେ ଏହି ଆଇନ ଆଣିବା ଲାଗି ବିଜେପି ପ୍ରତିଶ୍ରୁତି ଦେଇଥିଲା। ‘ଲଭ ଜିହାଦ’ ବିରୋଧରେ ଆଇନ ଆଣିବ ବୋଲି ବିଜେପି ନିଜର ଘୋଷଣା ପତ୍ରରେ ଉଲ୍ଲେଖ କରିଥିଲା। ରାଜ୍ୟରେ ‘ଲଭ ଜିହାଦ’ ଏବଂ ‘ଲ୍ୟାଣ୍ଡ ଜିହାଦ’ର ମୂଳଉତ୍ପାଟନ କରିବା ଲାଗି ଉପଯୁକ୍ତ ଆଇନ ଓ ନୀତି ପ୍ରସ୍ତୁତ କରିବ ବୋଲି ବିଜେପି ଘୋଷଣା ପତ୍ରରେ ପ୍ରକାଶ କରିଥିଲା।

Categories
ଆଜିର ଖବର ଜାତୀୟ ଖବର

ହିମନ୍ତ ବିଶ୍ଵଶର୍ମା ହେବେ ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ: ସର୍ବାନନ୍ଦ ସୋନୱାଲ ଦେଲେ ପ୍ରସ୍ତାବ

ଗୌହାଟି: ଆସାମରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଏକ ସପ୍ତାହ ଧରି ଚାଲିଥିବା ଦ୍ଵନ୍ଦ୍ଵ ଆଜି ଶେଷ ହୋଇଛି। ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ହିମନ୍ତ ବିଶ୍ଵଶର୍ମାଙ୍କ ନାମକୁ ବିଜେପି ବିଧାୟକ ଦଳର ବୈଠକରେ ସର୍ବସମ୍ମତି କ୍ରମେ ଅନୁମୋଦନ ମିଳିଛି। ବୈଠକରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ପ୍ରଥମେ ହିମନ୍ତ ବିଶ୍ଵଶର୍ମାଙ୍କ ନାମକୁ ପ୍ରସ୍ତାବ ଦେଇଥିଲେ। ପରେ ସମସ୍ତ ବିଧାୟକ ଏହା ଉପରେ ସହମତି ପ୍ରକାଶ କରିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଆଜି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ଆସାମର ରାଜ୍ୟପାଳଙ୍କୁ ଇସ୍ତଫା ପ୍ରଦାନ କରିଥିଲେ। ତେବେ ସର୍ବାନନ୍ଦଙ୍କୁ କେନ୍ଦ୍ରରେ ମନ୍ତ୍ରୀ ପଦବୀ ମିଳିବା ନେଇ ଅନୁମାନ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ଇସ୍ତଫା ଦେଲେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ: ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପାଇଁ ଆରମ୍ଭ ହେଲା କଳ୍ପନା ଜଳ୍ପନା

ନୂଆଦିଲ୍ଲୀ: ଆସାମରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି। ଆସାମରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ, ତାହା ନେଇ ଗତକାଲି ନୂଆଦିଲ୍ଲୀରେ ଆଲୋଚନା ଚାଲିଥିଲା। ତେବେ ଆଜି ମୁଖ୍ୟମନ୍ତ୍ରୀ ସର୍ବନନ୍ଦ ସୋନୱାଲ ଆସାମ ରାଜ୍ୟପାଳ ଜଗଦୀଶ ମୁଖୀଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

ସେପଟେ ଆଜି ଆସାମର ବିଜେପି ବିଧାୟକ ଦଳର ବୈଠକ ବସୁଛି। ଏହି ବୈଠକରେ ବିଧାୟକ ଦଳ ନେତା ତଥା ଆଗାମୀ ମୁଖ୍ୟମନ୍ତ୍ରୀ ଚୟନ ହେବ ବୋଲି ଅନୁମାନ କରାଯାଉଛି। ଏହି ବୈଠକରେ ଆସାମ ରାଜ୍ୟ ପ୍ରଭାରି ବୈଜୟନ୍ତ ପଣ୍ଡା ଏବଂ ବରିଷ୍ଠ ବିଜେପି ନେତା ବିଏଲ ସନ୍ତୋଷ ଉପସ୍ଥିତ ରହିବେ।

ଉଲ୍ଲେଖ ଯୋଗ୍ୟ ଯେ, ହେମନ୍ତ ବିଶ୍ଵଶର୍ମା ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଦୌଡରେ ଆଗରେ ଅଛନ୍ତି ବୋଲି କୁହାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ବିଧାନସଭା ନିର୍ବାଚନ ଫଳାଫଳ: ଜାଣନ୍ତୁ ଅପରାହ୍ନ ୨ ଟା ସୁଦ୍ଧା କେଉଁ ରାଜ୍ୟରେ କଣ ରହିଛି ସ୍ଥିତି

ନୂଆଦିଲ୍ଲୀ: ଆଜି ଦେଶର ୪ ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ବିଧାନସଭା ଆସନ ପାଇଁ ଭୋଟ ଗଣନା ଜାରି ରହିଛି। ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ ପୁଡୁଚେରି ବିଧାନସଭା ଆସନ ପାଇଁ ଭୋଟ ଗଣନା ଜାରି ରହିଛି। ଅପରାହ୍ନ ୨ ଟା ସୁଦ୍ଧା ପଶ୍ଚିମବଙ୍ଗର ୨୯୪ ଆସନ ମଧ୍ୟରୁ ତୃଣମୂଳ କଂଗ୍ରେସ ୨୦୫ ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ୮୪ ଟି ଆସନ, କଂଗ୍ରେସ ମେଣ୍ଟ ୧ ଟି ଆସନ ଏବଂ ଅନ୍ୟ ୨ ଟି ଆସନରେ ଆଗୁଆ ଅଛି।

ତାମିଲନାଡୁର ୨୩୪ ଆସନ ମଧ୍ୟରୁ ଡିଏମକେ ମେଣ୍ଟ ୧୩୫ ଟି ଆସନରେ ଆଗୁଆ ଥିବାବେଳେ ଏଡିଏମକେ ୯୫ ଟି ଆସନ ଏବଂ ଅନ୍ୟ ୪ ଟି ଆସନରେ ଆଗୁଆ ଅଛି।

କେରଳର ୧୪୦ ଟି ଆସନ ମଧ୍ୟରୁ ଏଲଡିଏଫ(ବାମ ଦଳ) ୮୯ ଟି ଆସନରେ ଆଗୁଆ ଥିବା ବେଳେ ୟୁଡିଏଫ( କଂଗ୍ରେସ ମେଣ୍ଟ) ୪୫ ଟି ଆସନ, ବିଜେପି ୩ ଟି ଆସନ ଏବଂ ଅନ୍ୟ ଦଳ ୩ ଟି ଆସନରେ ଆଗୁଆ ଅଛି।

ଆସାମରେ ୧୨୬ ଟି ଆସନ ମଧ୍ୟରୁ ବିଜେପି+ ୭୭ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ+ ୪୮ ଟି ଆସନ ଏବଂ ଅନ୍ୟ ଦଳ ୧ ଟି ଆସନରେ ଆଗୁଆ ରହିଛି।

ସେହିଭଳି କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରିର ୩୦ ଟି ଆସନ ମଧ୍ୟରୁ ବିଜେପି ମେଣ୍ଟ ୯ ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ମେଣ୍ଟ ୪ ଟି ଆସନ ଏବଂ ଅନ୍ୟ ଦଳ ୧ ଟି ରେ ଆଗୁଆ ଅଛି।

ଉଲ୍ଲେଖ ଯୋଗ୍ୟ ଯେ, ବର୍ତ୍ତମାନ ଏହି ନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ଏଯାଏଁ ଫଳାଫଳ ଘୋଷଣା ହୋଇନାହିଁ। କେଉଁ ରାଜ୍ୟରେ କେଉଁ ଦଳ ସରକାର ଗଠନ କରିବ, ତାହା ସନ୍ଧ୍ୟା ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ଆସାମରେ ଭୂମିକମ୍ପର ବଡ ଝଟକା: ରିକ୍ଟର ସେଲରେ ୬.୪ ତୀବ୍ରତା ଅନୁଭୂତ

ନୂଆଦିଲ୍ଲୀ: ଆସାମର କେତୋଟି ଅଞ୍ଚଳରେ ଭୂମିକମ୍ପର ବଡ ଝଟକା ଦେଖିବାକୁ ମିଳିଛି। ସକାଳ ପାଖାପାଖି ୮ ଟା ସମୟରେ ଏହି ଝଟକା ଅନୁଭୂତ ହୋଇଥିଲା। ସେହି ସମୟରେ ଲୋକେ ଭୟଭୀତ ହୋଇ ଘରୁ ବାହାରି ସୁରକ୍ଷିତ ସ୍ଥାନକୁ ପଳାଇଯାଇଥିଲେ। ରିକ୍ଟର ସେଲରେ ୬.୪ ତୀବ୍ରତାରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଭାରତୀୟ ସମୟାନୁସାର ସକାଳ ୭.୧୫ ମିନିଟରେ ସତହଠାରୁ ୧୭ କିଲୋମିଟର ଗଭୀରରେ ଏହି ଭୂମିକମ୍ପ ସୃଷ୍ଟି ହୋଇଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଧନ ଜୀବନ କ୍ଷୟକ୍ଷତି ହେବାର ସୂଚନା ହସ୍ତଗତ ହୋଇନାହିଁ।

Categories
ଆଜିର ଖବର ଜାତୀୟ ଖବର

ବିଧାନସଭା ନିର୍ବାଚନ: ଆସାମ ଲୋକଙ୍କ ପାଇଁ ରାହୁଲ ଗାନ୍ଧୀ ଘୋଷଣା କଲେ ୫ ଟି ଗ୍ୟାରେଣ୍ଟି

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀ ଆସାମରେ ଦୁଇ ଦିନିଆ ପ୍ରଚାର ପାଇଁ ପହଞ୍ଚିଛନ୍ତି। ସେ ଜୋରହାଟ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ କେନ୍ଦ୍ରର ମୋଦୀ ସରକାରକୁ ସମାଲୋଚନା କରିଛନ୍ତି। ଏହାସହିତ ଆସାମ ଲୋକଙ୍କ ପାଇଁ କଂଗ୍ରେସ ପକ୍ଷରୁ ଗ୍ୟାରେଣ୍ଟି ଥିବା ୫ ଟି  କାମ ଘୋଷଣା କରିଛନ୍ତି।

ସେ ଲୋକଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, କଂଗ୍ରେସ ସରକାର ଆସିଲେ ଆସାମରେ ସିଏଏ ଲାଗୁ କରିବେ ନାହିଁ। ଦ୍ଵିତୀୟରେ ଚା’ ଶ୍ରମିକମାନଙ୍କ ପାଇଁ ୩୬୫ ଟଙ୍କା ମଜୁରୀ କରିବେ, ଯାହା ଏବେ ୧୬୫ ଟଙ୍କା ମିଳୁଛି। ତୃତୀୟରେ ପ୍ରତ୍ୟେକ ପରିବାରକୁ ୨ ଶହ ୟୁନିଟର ବିଦ୍ୟୁତ ମୁକ୍ତରେ ମିଳିବ। ଚତୁର୍ଥରେ ମହିଳାଙ୍କୁ ପ୍ରତ୍ୟେକ ମାସରେ ଦୁଇ ହଜାର ଟଙ୍କା ମିଳିବ। ଏବଂ ପଞ୍ଚମରେ ପାଞ୍ଚ ଲକ୍ଷ ଲୋକଙ୍କୁ କଂଗ୍ରେସ ରୋଜଗାର ଦେବ।

Categories
ଆଜିର ଖବର ଜାତୀୟ ଖବର

ଆସାମରେ ଗୁରୁତ୍ବପୂର୍ଣ୍ଣ ତୈଳ ଓ ଗ୍ୟାସ ପ୍ରକଳ୍ପ ଏବଂ ଇଞ୍ଜିନିୟରିଂ କଲେଜର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମ ଠାରେ ଇଣ୍ଡିଆନ ଅଏଲର ବୋଙ୍ଗାଇଗାଓଁ ବିଶୋଧନାଗାର, ଦିବ୍ରୁଗଡ଼ର ମଧୁବନ ଠାରେ ଅଏଲ ଇଣ୍ଡିଆ ଲିମିଟେଡର ସେକେଣ୍ଡାରୀ ଟ୍ୟାଙ୍କ ଫାର୍ମ ଏବଂ ତିନସୁକିଆର ମାକୁମ ଅନ୍ତର୍ଗତ ହେବେଡା ଗ୍ରାମରେ ଗ୍ୟାସ କମ୍ପ୍ରେସର ଷ୍ଟେସନକୁ ରିମୋଟ୍‌ ଜରିଆରେ ଉଦଘାଟନ କରିଛନ୍ତି। ସେ ମଧ୍ୟ ଆସାମରେ ଧେମାଜୀ ଇଞ୍ଜିନିୟରିଂ କଲେଜର ଉଦଘାଟନ କରିବା ସହିତ ସୁଆଲକୁଚି ଇଞ୍ଜିନିୟରିଂ କଲେଜ ପାଇଁ ଶିଳାନ୍ୟାସ କରିଥିଲେ।

ଆସାମ ରାଜ୍ୟପାଳ ପ୍ରଫେସର ଜଗଦୀଶ ମୁଖୀ, ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲି ଏହି ଅବସରରେ ଉପସ୍ଥିତ ଥିଲେ।

ଏହି ଅବସରରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତର ପୂର୍ବାଞ୍ଚଳ ଭାରତର ନୂତନ ଅଭିବୃଦ୍ଧି ଇଞ୍ଜିନ ପାଲଟିବ ଏବଂ ସେ ଆସାମର ଲୋକମାନଙ୍କର କାମ କରିବା ପାଇଁ ଅନୁପ୍ରାଣିତ। ବ୍ରହ୍ମପୁତ୍ର ନଦୀର ଉତ୍ତର ତଟ କିପରି ଭାବେ ଆଠ ଦଶନ୍ଧି ପୂର୍ବରୁ ଅହମିୟା ସିନେମାକୁ ଜନ୍ମ ଦେଇଥିଲା ଏବଂ ଜୟମୋତି ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ। ସେ ଆହୁରି କହିଥିଲେ ଯେ ଏହି ଅଞ୍ଚଳ ଏପରି ଅନେକ ବ୍ୟକ୍ତିତ୍ବଙ୍କୁ ଜନ୍ମ ଦେଇଛି ଯେଉଁମାନେ ଆସାମର ସଂସ୍କୃତିକୁ ସମୃଦ୍ଧ କରିଛନ୍ତି। ସେ କହିଥିଲେ ଯେ ଆସାମର ସନ୍ତୁଳିତ ବିକାଶ ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ରାଜ୍ୟରେ ଭିତ୍ତିଭୂମି ନିର୍ମାଣ ଉପରେ ବିଶେଷ ଜୋର୍‌ ଦିଆଯାଉଛି।

ବିରୋଧୀମାନଙ୍କୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତର ତଟରେ ଅନେକ ସମ୍ଭାବନା ଥିବା ସତ୍ତ୍ବେ ପୂର୍ବର ସରକାର ଏହି ଅଞ୍ଚଳ ପ୍ରତି ବୈମାତୃକ ମନୋଭାବ ପୋଷଣ କରି ଆସୁଥିଲେ। ଏ ଅଞ୍ଚଳ ପାଇଁ ଯୋଗାଯୋଗ, ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ଶିଳ୍ପ ପ୍ରତିଷ୍ଠାର ଆବଶ୍ୟକତା ପ୍ରତି ପ୍ରାଥମିକତା ଦିଆଯାଇନଥିଲା। ସେ ଆହୁରି କହିଥିଲେ ଯେ ‘ସବକା ସାଥ୍‌, ସବକା ବିକାଶ ଓ ସବକା ବିଶ୍ୱାସ’ ମନ୍ତ୍ର ନେଇ କାମ କରୁଥିବା ସରକାର ଏହି ବାଛବିଚାରକୁ ଦୂର କରିପାରିଛନ୍ତି। ସରକାରଙ୍କ ଦ୍ୱାରା ଆସାମରେ ଉଦଘାଟିତ ହୋଇଥିବା ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ସମ୍ପର୍କରେ ସେ ସୂଚନା ଦେଇଥିଲେ।

ସେ କହିଥିଲେ ଯେ ଆଜି, ଏହି ଅଞ୍ଚଳ ପାଇଁ ଶକ୍ତି ଏବଂ ଶିକ୍ଷା ଭିତ୍ତିଭୂମି କ୍ଷେତ୍ରରେ ୩୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ଉଦଘାଟନ କରାଯାଇଛି। ସେ କହିଥିଲେ ଏହି ପ୍ରକଳ୍ପଗୁଡ଼ିକ ଏହି ଅଞ୍ଚଳର ପରିଚୟକୁ ବଦଳାଇ ଦେବ ଏବଂ ଶକ୍ତି ଓ ଶିକ୍ଷାର କେନ୍ଦ୍ର ପାଲଟିବ। ଏଗୁଡ଼ିକ ଆସାମକୁ ନୂଆ ପରିଚୟ ପ୍ରଦାନ କରିବ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଭାରତକୁ ଆତ୍ମନିର୍ଭରଶୀଳ ହେବାକୁ ହେଲେ ନିଜର ସାମର୍ଥ୍ୟ ଓ କ୍ଷମତାକୁ ନିରନ୍ତର ଭାବେ ବଢ଼ାଇବାକୁ ହେବ। ଗତ କିଛି ବର୍ଷ ହେବ ଭାରତର ବିଶୋଧନ କ୍ଷମତା, ବିଶେଷ କରି ବୋଙ୍ଗାଇଗାଓଁ ବିଶୋଧନାଗାର ଠାରେ, ବହୁମାତ୍ରାରେ ବୃଦ୍ଧି ପାଇଛି।

ସେ ଆହୁରି ଉଲ୍ଲେଖ କରିଥିଲେ ଯେ ଆଜି ଉଦଘାଟିତ ହୋଇଥିବା ଗ୍ୟାସ ୟୁନିଟ୍‌ ଏଲପିଜି ଉତ୍ପାଦନର କ୍ଷମତା ବୃଦ୍ଧି କରିବ ଏବଂ ଆସାମ ଓ ଉତ୍ତରପୂର୍ବାଞ୍ଚଳର ଲୋକମାନଙ୍କୁ ଜୀବନକୁ ସହଜ କରିବ। ଏହା ମଧ୍ୟ ଏହି ଅଞ୍ଚଳର ଯୁବକମାନଙ୍କର ନିଯୁକ୍ତି ସୁଯୋଗରେ ବୃଦ୍ଧି ଘଟାଇବ।

ସେ କହିଥିଲେ ଯେ ସରକାର ଉଜ୍ଜ୍ବଳା ଯୋଜନା କାର୍ଯ୍ୟକାରୀ କରିବା ଦ୍ୱାରା ଗରିବ ମା’ ଓ ଭଉଣୀମାନଙ୍କୁ ରୋଷେଇ ଘରେ ପାରମ୍ପରିକ କାଠଜାଳେଣିରୁ ହେଉଥିବା ଧୂଆଁ ଜନିତ ପ୍ରଦୂଷଣରୁ ମୁକ୍ତି ଦେଇଛନ୍ତି। ସେ କହିଥିଲେ ଯେ ଆଜି ଆସାମରେ ଗ୍ୟାସ ସଂଯୋଗ ପାଖାପାଖି ଶତପ୍ରତିଶତରେ ପହଞ୍ଚିଛି। ସେ ଉଲ୍ଲେଖ କରିଥିଲେ ଯେ ୧ କୋଟି ଭଉଣୀମାନଙ୍କୁ ଉଜ୍ଜ୍ବଳା ଯୋଜନାରେ ମାଗଣା ଏଲପିଜି ସଂଯୋଗ ଦେବା ଲାଗି ଚଳିତ ବର୍ଷର ବଜେଟ୍‌ରେ ବ୍ୟବସ୍ଥା କରାଯାଇଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗ୍ୟାସ ସଂଯୋଗ, ବିଦ୍ୟୁତ ସଂଯୋଗ ଏବଂ ସାର ଅଭାବ କାରଣରୁ ଗରିବ ଲୋକମାନେ ବିଶେଷ ଭାବେ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ସେ କହିଥିଲେ ଯେ ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଦେଶର ୧୮,୦୦୦ ଗ୍ରାମକୁ ବିଦ୍ୟୁତ ସଂଯୋଗ ନଥିଲା, ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ଆସାମ ଏବଂ ଉତ୍ତରପୂର୍ବାଞ୍ଚଳରେ ରହିଛି। ସରକାର ଏବେ ଏହି ତ୍ରୁଟିକୁ ସୁଧାରିବା ଲାଗି ଚେଷ୍ଟା ଓ ସେ ଦିଗରେ କାର୍ଯ୍ୟ କରୁଛନ୍ତି।

ସେ କହିଥିଲେ ଯେ ଏହି ଅଞ୍ଚଳରେ ଥିବା ବିଭିନ୍ନ ସାର ଉଦ୍ୟୋଗ ଗ୍ୟାସର ଅଭାବ କାରଣରୁ ବନ୍ଦ ହୋଇଯାଇଥିଲା କିମ୍ବା ରୁଗ୍ଣ ସ୍ଥିତିରେ ଥିଲା। ଯାହାର ପ୍ରତିକୂଳ ପ୍ରଭାବ ଗରିବ, ବଞ୍ଚିତ ଏବଂ ମଧ୍ୟମବର୍ଗଙ୍କ ଉପରେ ପଡ଼ିଥିଲା।

ଶ୍ରୀ ମୋଦୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନା ଅନ୍ତର୍ଗତ ପୂର୍ବ ଭାରତକୁ ବିଶ୍ବର ସର୍ବବୃହତ ଗ୍ୟାସ ପାଇପଲାଇନ ନେଟୱର୍କ ମଧ୍ୟରୁ ଗୋଟିଏ ସହିତ ଯୋଡ଼ାଯାଉଛି

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆତ୍ମନିର୍ଭର ଭାରତ ଅଭିଯାନକୁ ଆଗେଇ ନେବା କ୍ଷେତ୍ରରେ ଆମର ବୈଜ୍ଞାନିକ, ଇଞ୍ଜିନିୟର ଏବଂ ବୈଷୟିକ ପେସାଦାରମାନଙ୍କର ଏକ ସୁଦୃଢ଼ ପ୍ରତିଭା ଭଣ୍ଡାର ବିଶେଷ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଅତୀତରେ ଆମେ ଦେଶରେ ଏପରି ଏକ ପରିବେଶ ସୃଷ୍ଟି କରିଥିଲୁ ଯେଉଁଠି ଦେଶର ଯୁବକମାନେ ଷ୍ଟାର୍ଟଅପଗୁଡ଼ିକ ମାଧ୍ୟମରେ ସମସ୍ୟା ସମାଧାନ କରିପାରିବେ। ଆଜି ସାରା ବିଶ୍ବ ଭାରତର ଇଞ୍ଜିନିୟରମାନଙ୍କୁ ମାନ୍ୟତା ଦେଉଛି। ଆସାମର ଯୁବପିଢ଼ିଙ୍କ ମଧ୍ୟରେ ଅଦ୍ଭୂତ ସମ୍ଭାବନା ରହିଛି। ଏହି କ୍ଷମତାକୁ ବଢ଼ାଇବା ଲାଗି ରାଜ୍ୟ ସରକାର କଠିନ ପରିଶ୍ରମ କରୁଛନ୍ତି। ଆସାମ ସରକାରଙ୍କ ପ୍ରୟାସ କାରଣରୁ ଆଜି ରାଜ୍ୟରେ କୋଡ଼ିଏରୁ ଅଧିକ ଇଞ୍ଜିନିୟରିଂ କଲେଜ ରହିଛି।

ଆଜି, ଧେମାଜି ଇଞ୍ଜିନିୟରିଂ କଲେଜ ଉଦଘାଟନ ହେବା ଏବଂ ସୁଆଲକୁଚି ଇଞ୍ଜିନିୟରିଂ କଲେଜର ଶିଳାନ୍ୟାସ ହେବା ଫଳରେ ଏହି କ୍ଷମତା ଆହୁରି ବୃଦ୍ଧି ପାଇଛି। ଆହୁରି ତିନୋଟି ଇଞ୍ଜିନିୟରିଂ କଲେଜ ନିର୍ମାଣ ପାଇଁ ଏବେ କାମ ଜାରି ରହିଛି ବୋଲି ସେ ଘୋଷଣା କରିଥିଲେ। ଆସାମ ସରକାର ଯଥାଶୀଘ୍ର ନୂତନ ଶିକ୍ଷା ନୀତି କାର୍ଯ୍ୟକାରୀ କରିବା ଲାଗି ଚେଷ୍ଟା କରୁଛନ୍ତି। ଏହା ଆସାମ ଲୋକମାନଙ୍କୁ ଲାଭାନ୍ୱିତ କରିବ, ବିଶେଷ କରି ଚା’ବଗିଚା ଶ୍ରମିକ, ଅନୁସୂଚୀତ ଜନଜାତିର ଲୋକମାନେ ଏହାଦ୍ୱାରା ଉପକୃତ ହୋଇପାରିବେ କାରଣ ଏଥିରେ ସ୍ଥାନୀୟ ଭାଷାରେ ଶିକ୍ଷା ଦିଆଯିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆସାମ ଚା’, ହସ୍ତତନ୍ତ ଏବଂ ପର୍ଯ୍ୟଟନ ପାଇଁ ସାରା ବିଶ୍ବରେ ପରିଚିତ। ଆତ୍ମନିର୍ଭରଶୀଳତା ଆସାମର ଲୋକମାନଙ୍କର କ୍ଷମତା ଓ ସାମର୍ଥ୍ୟ ବୃଦ୍ଧି କରିବ। ଚା’ ଉତ୍ପାଦନ ଆତ୍ମନିର୍ଭରଶୀଳ ଆସାମର ସଂକଳ୍ପକୁ ସୁଦୃଢ଼ କରିବ। ଏଭଳି ପରିସ୍ଥିତିରେ, ଯଦି ଯୁବକମାନେ ସ୍କୁଲ ଓ କଲେଜରେ ଏସବୁ ଦକ୍ଷତା ଶିକ୍ଷାଲାଭ କରନ୍ତି ତା’ହେଲେ ସେମାନେ ଏହାଦ୍ୱାରା ଅଧିକ ଲାଭବାନ ହୋଇପାରିବେ। ସେ ଉଲ୍ଲେଖ କରିଥିଲେ ଯେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୧୦୦ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଖୋଲିବା ଲାଗି ଚଳିତ ବର୍ଷ ବଜେଟ୍‌ରେ ଘୋଷଣା କରାଯାଇଛି। ଏହାଦ୍ୱାରା ଆସାମ ମଧ୍ୟ ଲାଭବାନ ହୋଇପାରିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆସାମର ଚାଷୀମାନଙ୍କର ସମ୍ଭାବନା ଓ ଆୟ ବୃଦ୍ଧି ଲାଗି ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ କାମ କରୁଛନ୍ତି। ମତ୍ସ୍ୟଚାଷ କ୍ଷେତ୍ରରେ ନିୟୋଜିତ ଚାଷୀମାନଙ୍କ ପାଇଁ ୨୦ହଜାର କୋଟି ଟଙ୍କାର ବୃହତ ଯୋଜନା ଘୋଷଣା କରିଛନ୍ତି ଏହା ମଧ୍ୟ ଆସାମର ଲୋକମାନଙ୍କୁ ଲାଭାନ୍ୱିତ କରିବ। ସେ ଉଲ୍ଲେଖ କରିଥିଲେ ଯେ ଆସାମର ଚାଷୀମାନଙ୍କର ଉତ୍ପାଦ ଅନ୍ତର୍ଜାତୀୟ ବଜାରରେ ପହଞ୍ଚାଇବା ଲାଗି ସରକାର ଉଦ୍ୟମ କରୁଛନ୍ତି। ସେ କହିଥିଲେ ଯେ ଉତ୍ତର ତଟର ଚା’ ବଗିଚା ଆସାମର ଅର୍ଥବ୍ୟବସ୍ଥାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ।

କ୍ଷୁଦ୍ର ଚା’ ଚାଷୀଙ୍କୁ ଜମି ଲିଜ୍‌ ଦେବା ଲାଗି ଅଭିଯାନ ଆରମ୍ଭ କରିଥିବାରୁ ସେ ଆସାମ ସରକାରଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଆସାମର ଲୋକମାନେ ବିକାଶ ଓ ପ୍ରଗତିର ଡବଲ ଇଞ୍ଜିନକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି।

Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ବିଧାନସଭା ନିର୍ବାଚନ ଲାଗି ପର୍ଯ୍ୟବେକ୍ଷକ ନିଯୁକ୍ତ

ନୂଆଦିଲ୍ଲୀ: ଆଉ କିଛି ମାସ ପରେ ୫ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଆସାମ, ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏନେଇ କଂଗ୍ରେସ ତାହାର ପ୍ରସ୍ତୁତି ଆରମ୍ଭ କରିଦେଇଛି। ତେବେ କଂଗ୍ରେସ ଏହି ୫ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଲାଗି ନିର୍ବାଚନ ପର୍ଯ୍ଯବେକ୍ଷକ ତାଲିକା ଘୋଷଣା କରିଛି।

ନିର୍ବାଚନ ଅଭିଯାନ ପରିଚାଳନା ଓ ସମନ୍ୱୟ ଲାଗି ଅନେକ ବରିଷ୍ଠ ରାଜନୀତିଜ୍ଞଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ଦଳର ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି।

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଥିବା ଓ ସେମାନେ ରାଜ୍ୟ ପ୍ରଭାରୀଙ୍କ ସହ ସମନ୍ୱୟ ରକ୍ଷା କରି କାମ କରିବେ ବୋଲି ଏହି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।

ନିର୍ବାଚନ ପର୍ଯ୍ୟବେକ୍ଷକ ହେଲେ:

୧-ଆସାମ: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ବରିଷ୍ଠ ନେତା ମୁକୁଲ ୱାସିନିକ ଓ ସକିଲ ଅହମ୍ମଦ ଖାନ

୨-କେରଳ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ, ବରିଷ୍ଠ ନେତା ଲୁଇଜିନୋ ଫ୍ଲେରିଓ ଏବଂ ଜି.ପରମେଶ୍ୱର

୩-ପଶ୍ଚିମବଙ୍ଗ: ବରିଷ୍ଠ ନେତା ବି.କେ. ହରିପ୍ରସାଦ, ପଞ୍ଜାବ ରାଜ୍ୟ ସରକାରଙ୍କ ମନ୍ତ୍ରୀ ବିଜୟ ଇନ୍ଦର ସିଂଘଲା ଓ ଝାଡ଼ଖଣ୍ଡ ସରକାରଙ୍କ ମନ୍ତ୍ରୀ ଆଲମଗୀର ଆଲମ

୪-ତାମିଲନାଡୁ ଓ ପୁଡୁଚେରୀ: ବରିଷ୍ଠ କଂଗ୍ରେସ ନେତା ବୀରପ୍ପା ମୋଇଲୀ, ଏମ.ଏମ. ପଲ୍ଲମ ରାଜୁ ଓ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନିତୀନ ରାଉତ।

Categories
ଆଜିର ଖବର ଜାତୀୟ ଖବର

ବିଟିସିକୁ ଦଖଲ କରିବା ପାଇଁ ନିଜ ସହଯୋଗୀକୁ ଛାଡି ଅନ୍ୟ ଏକ ଦଳର ହାତ ଧରିଲା ଆସାମ ବିଜେପି!

ଗୁଆହାଟୀ: ଆସାମ ବୋଡୋଲ୍ୟାଣ୍ଡ ଟେରିଟୋରିଆଲ୍‌ କାଉନ୍‌ସିଲ୍‌ (ବିଟିସି) ର ଫଳାଫଳ ପରେ ବିଜେପି ଏବଂ ଏହାର ସହଯୋଗୀ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ବିଜେପି ବିଟିସିକୁ ନିଜ ଦଖଲରେ ରଖିବା ପାଇଁ ନିଜର ସହଯୋଗୀ ଦଳ ବିପିଏଫ୍‌କୁ ଛାଡ଼ି ୟୁନାଇଟେଡ୍‌ ପିପୁଲ୍ସ ପାର୍ଟି ଲିବେରାଲ୍‌ ଦଳ ସହ ହାତ ମିଳାଇଛି।

ଉଲ୍ଲେଖଯୋଗ୍ୟ ଯେ, ୪୦ ଆସନ ବିଶିଷ୍ଟ ବିଟିସିକୁ ଦାଖଲ କରିବା ପାଇଁ କୌଣସି ଏକ ଦଳକୁ ୨୧ ଟି ଆସନ ଆବଶ୍ୟକତା କରୁଛି। ଆସାମର ସର୍ବାନନ୍ଦ ସୋନୋଓ୍ବାଲ ସରକାରରେ ସହଯୋଗୀ ଥିବା ବିପିଏଫ୍‌କୁ ୧୭ଟି ଆସନ ମିଳିଥିବା ବେଳେ ବିଜେପିକୁ ୯ ଟି ଆସନ ମିଳିଛି। ଏହି ଦୁଇ ଦଳଙ୍କ ଆସନ ସଂଖ୍ଯାକୁ ମିଶାଇଦେଲେ ୨୬ ଟି ଆସନରେ ପହଞ୍ଚୁଛି। ତେବେ ବିଟିସିକୁ ଅକ୍ତିଆର କରିବା ପାଇଁ ମେଣ୍ଟ ସଫଳ ହୋଇପାରୁଛି। ହେଲେ ବିଜେପି ନିଜ ସହଯୋଗୀକୁ ଛାଡି ୧୨ ଟି ଆସନ ପାଇଥିବା ୟୁନାଇଟେଡ୍‌ ପିପୁଲ୍ସ ପାର୍ଟି ଲିବେରାଲ୍‌ ଦଳକୁ ସମର୍ଥନ କରିଛି। ଏହି ନିର୍ବାଚନରେ କଂଗ୍ରେସ ଓ ଗଣସୁରକ୍ଷା ପାର୍ଟିକୁ ଗୋଟିଏ ଲେଖାଏଁ ଆସନ ମିଳିଛି।

ବରିଷ୍ଠ ଭାଜପା ନେତା ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ୟୁପିପିଏଲ୍‌କୁ ଅଭିନନ୍ଦନ ଜଣାଇବା ସହ ସହଯୋଗୀ ଦଳ ବୋଲି ଟୁଇଟ୍‌ କରିଛନ୍ତି। ୟୁପିପିଏଲ୍‌ ମୁଖ୍ୟ ପ୍ରମୋଦ ବୋରୋ ବିଟିସିର ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟ (ସିଇଏମ୍‌) ହେବେ ବୋଲି ମୁଖ୍ୟମନ୍ତ୍ରୀ ସୋନୋଓ୍ବାଲ ମଧ୍ୟ ଘୋଷଣା କରିଛନ୍ତି।

ଅପରପକ୍ଷରେ ଏହାକୁ ନେଇ ବିପିଏଫ୍‌ ଦଳ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ। ବିପିଏଫ୍‌ ମନ୍ତ୍ରୀ ପ୍ରମିଳାରାଣୀ ବ୍ରହ୍ମା, ଚନ୍ଦନ ବ୍ରହ୍ମା ଓ ରାହୋନ ଡାଇମାରି ଯୋଗ ଦେଇନଥିବା ଜଣାପଡିଛି। ହେଲେ ସେମାନେ କ’ଣ ପାଇଁ ବୈଠକରେ ଯୋଗଦେଲେନି ତାହା ଜଣାନାହିଁ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଚନ୍ଦ୍ରମୋହନ ପଟୋଓ୍ବାରି କହିଛନ୍ତି।