Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟରେ ଜାତୀୟ ଆୟୁର୍ବେଦ ଦିବସ ପାଳିତ

ଭୁବନେଶ୍ବର: ଦୁଇ ଦିନ ଧରି ଗଂଜାମ ଜିଲ୍ଲାର ବ୍ରହ୍ମପୁର ନିକଟ ଆଙ୍କୁଶପୁର କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଆୟୁବେଦ ପ୍ରବର୍ତକ ଭଗବାନ ଧନ୍ଵନ୍ତରୀ ଙ୍କ ଜୟନ୍ତୀ ଓ ଅଷ୍ଟମ ଜାତୀୟ ଆୟୁର୍ବେଦ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।

ଏହି ଅବସରରେ ଗତ କାଲି ଛାତ୍ର ଛାତ୍ରୀ ଙ୍କ ପକ୍ଷରୁ ସବୁ ଦିନ ସମସ୍ତ ଙ୍କ ପାଇଁ ଆୟୁର୍ବେଦ ଶୀର୍ଷକ ଏକ ପଥପ୍ରାନ୍ତ ନାଟକ ବ୍ରହ୍ମ ପୁର ଆସିକା କୁ ସଂଯୋଗ କରୁଥିବା ଜାତୀୟ ରାଜପଥ ପାର୍ଶ୍ଵରେ ପ୍ରଦର୍ଶନ କରିଥିଲେ।ଆଜି ସକାଳୁ ଆୟୁର୍ବେଦ ସଚେତନତା ସୃଷ୍ଟି କରିବା ପାଇଁ ଏକ ବାଇକ ରାଲି ଓ ସଚେତନତା ଶୋଭାଯାତ୍ରା ସମସ୍ତ ଛାତ୍ର ଛାତ୍ରୀ ଙ୍କ ପକ୍ଷ ରୁ ହୋଇଥିଲା।

ବାଇକ ରାଲି ବ୍ରହ୍ମ ପୁର ପର୍ଯ୍ୟନ୍ତ ଯାଇଥିବା ବେଳେ, ସଚେତନତା ରାଲି ସମଗ୍ର ଆଙ୍କୁଶପୁର ପରିକ୍ରମା କରିଥିଲା।ସ୍ଥାନୀୟ ଜନସାଧାରଣ ଆୟୁର୍ବେଦ ସମ୍ପର୍କରେ ଏହି ସମସ୍ତ କାର୍ଯ୍ୟକ୍ରମ ଓ ସଚେତନତା ଅଭିଯାନ ରାଲି କୁ ଉପଭୋଗ କରିଥିଲେ

Categories
ବିଶେଷ ଖବର ସ୍ବାସ୍ଥ୍ୟ

ଆୟୁଷ କ୍ଷେତ୍ରରେ ସହଯୋଗ ପାଇଁ ଆୟୁଷ ମନ୍ତ୍ରଣାଳୟ ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣା

ନୂଆଦିଲ୍ଲୀ: ଭାରତ ଓ ଅନ୍ତର୍ଜାତୀୟ ସ୍ତରରେ ଆଜି 7ମ ଆୟୁର୍ବେଦ ଦିବସ ମହା ସମାରୋହରେ ଆୟୋଜନ କରାଯାଇଛି। ଚଳିତ ବର୍ଷର 7ମ ଆୟୁର୍ବେଦ ଦିବସ ‘‘ପ୍ରତି ଦିନ ପ୍ରତି ଘରେ ଆୟୁର୍ବେଦ’’ ର ଥିମ ସହିତ ଆୟୋଜନ କରାଯାଇଛି ଯଦ୍ବାରା ଆୟୁର୍ବେଦର ଲାଭକୁ ବ୍ୟାପକ ଓ ତୃଣମୂଳ ସ୍ତରର ଗୋଷ୍ଠୀଙ୍କ ମଧ୍ୟରେ ସଂପ୍ରସାରିତ କରାଯାଇ ପାରିବ। ଛଅ ସପ୍ତାହ ବ୍ୟାପି ଚାଲୁଥିବା ଏହି ସମାରୋହରେ ସାରା ଦେଶରୁ ବ୍ୟାପକ ଅଂଶଗ୍ରହଣ ଦେଖା ଯାଇଛି। ଭାରତ ସରକାରଙ୍କ  26 ରୁ ଅଧିକ ମନ୍ତ୍ରଣାଳୟ ଏବଂ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହ ମିଶନ ତଥା ଦୂତାବାସର ସହଯୋଗ ଦ୍ବାରା ଆୟୁଷ ମନ୍ତ୍ରଣାଳୟରର ସଂସ୍ଥାନ/ ପରିଷଦ ଦ୍ବାରା 5000 ରୁ ଅଧିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

କାର୍ଯ୍ୟକ୍ରମରେ ଉପସ୍ଥିତ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୱଲ୍‌, ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ମିନାକ୍ଷୀ ଲେଖି, ଆୟୁଷ ରାଷ୍ଟ୍ର ମନ୍ତ୍ରୀ ମୁଞ୍ଜପରା ମହେନ୍ଦ୍ର ଭାଇ କାଲୁଭାଇ; ଆୟୁଷ ମନ୍ତ୍ରଣାଳୟର ସଚିବ ବୈଦ୍ୟ ରାଜେଶ କୋଟେଚା, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ସଚିବ ଅନିଲ କୁମାର ଝା, ଆୟୁଷ ମନ୍ତ୍ରଣାଳୟର ବିଶେଷ ସଚିବ ପ୍ରମୋଦ କୁମାର ପାଠକ ଏବଂ ଏଆଇଆଇଏର ନିର୍ଦ୍ଦେଶକ ପ୍ରଫେସର ତନୁଜା ମନୋଜ ନେସାରିଙ୍କ  ସହିତ ବିଦେଶୀ ଦୂତାବାସ ଏବଂ ଡବ୍ଲୁଏଚଓ-ଏସଇଏଆରଓ ର ପ୍ରତିନିଧିମାନେ ମଧ୍ୟ ସାମିଲ୍ ହୋଇଥିଲେ।

ଉପରୋକ୍ତ ଜନସାଧାରଣଙ୍କୁ ସମ୍ବୋଧିତ କରି ସର୍ବାନନ୍ଦ ସୋନେୱାଲ୍ କହିଛନ୍ତି ଯେ ଆୟୁର୍ବେଦ ଏକ ରୋଗ ନିବାରଣ ବିଜ୍ଞାନ ଅଟେ। ଏହା ଏକ ପ୍ରାଚୀନ ଜ୍ଞାନ ଅଟେ ଏବଂ ଆମର ଗବେଷଣା ପରିଷଧ ଆୟୁଷ କ୍ଷେତ୍ରରେ କିଛି ପ୍ରଭାବଶାଳୀ ଗବେଷଣା କାର୍ଯ୍ୟ କରୁଛି। ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରତି ଦିନ ପ୍ରତି ଘରେ ଆୟୁର୍ବେଦ କ୍ୟାମ୍ପିଂର ଉଦ୍ଦେଶ୍ୟ ଆୟୁର୍ବେଦ ଏବଂ ଏହାର କ୍ଷମତାକୁ ସର୍ବସାଧାରଣଙ୍କ ନିକଟରେ ପହଞ୍ଚାଇବା ଅଟେ। ଆୟୁର୍ବେଦ ଏବେ ବିଶ୍ବ ସ୍ତରରେ ପ୍ରସିଦ୍ଧ ହୋଇଛି ଏବଂ ଏହା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିରନ୍ତର ଏବଂ କଠିନ ପରିଶ୍ରମ କାରଣରୁ ହୋଇପାରିଛି।

ଅର୍ଜୁନ ମୁଣ୍ଡା ଏହି ଅବସରରେ କହିଛନ୍ତି ଯେ, ‘‘ଆୟୁର୍ବେଦ ଭାରତର ପ୍ରାଚୀନ ପରମ୍ପରା ଏବଂ ସମ୍ପଦ ଅଟେ। ଜଙ୍ଗଲରେ ରହୁଥିବା ଲୋକମାନଙ୍କ ସହଯୋଗ ଦ୍ବାରା ଆୟୁର୍ବେଦର ବିକାଶ କରାଯାଇପାରିବ। ଆୟୁର୍ବେଦ ହିଁ ଏପରି ଏକ ଚିକିତ୍ସା ବିଜ୍ଞାନ ଯାହା ରୋଗର ପ୍ରତିକାର ବିଷୟରେ କହିଥାଏ, ରୋଗ ହେବା ପରେ ଏହାର ଚିକିତ୍ସା ବିଷୟରେ ନୁହେଁ।

ଡା. ମୁଞ୍ଜପରା ମହେନ୍ଦ୍ର ଭାଇ କାଲୁଭାଇ କହିଛନ୍ତି ଯେ ଆୟୁଷ ମନ୍ତ୍ରଣାଳୟ ଦେଶରେ ସ୍ବାସ୍ଥ୍ୟର ଆୟୁଷ ପ୍ରଣାଳୀକୁ ଗତି ପ୍ରଦାନ କରିଛି ଏବଂ ଏବେ ଆୟୁର୍ବେଦକୁ 30 ଟି ଦେଶରେ ସ୍ବୀକୃତି ମିଳିସାରିଛି। ସେ ଏହା ମଧ୍ୟ କହିଛନ୍ତି ଯେ ଆୟୁଷର ବର୍ତ୍ତମାନ ଟର୍ଣ୍ଣଓଭର 18.1 ବିଲିୟନ ଡଲାର ଅଟେ।

ମୀନାକ୍ଷି ଲେଖି କହିଛନ୍ତି ଯେ, ‘‘ଏହା ଆମର ପୂର୍ବପୁରୁଷଙ୍କ ବିଜ୍ଞାନର ପ୍ରଶଂସା କରିବାର ସମୟ ଅଟେ। 5000 ବର୍ଷ ରୁ ଅଧିକ ପୁରୁଣା ଏହି ବିଜ୍ଞାନର ସମାରୋହ, ଆମର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ତଦାରଖରେ ଆୟୁର୍ବେଦ ଦିବସର ଅବସରରେ ପାଳନ କରାଯାଉଛି। ସେମାନେ ସର୍ବଦା ଆୟୁର୍ବେଦ ବିଜ୍ଞାନକୁ ପ୍ରୋତ୍ସାହନ ଦେଇଛନ୍ତି ଏବଂ ଗତ କିଛି ବର୍ଷ ଧରି ଏହା ଶୀର୍ଷରେ ପହଞ୍ଚି ସାରିଛି।

ପ୍ରଫେସର ତନୁଜା ନୋସାରି କହିଛନ୍ତି ଯେ ‘‘ଆଇ ସପୋର୍ଟ ଆୟୁର୍ବେଦ’’ ଅଭିଯାନକୁ ସମସ୍ତଙ୍କ ଠାରୁ ଅସୀମ ସମର୍ଥନ ମିଳିଛି ଏବଂ 6 ସପ୍ତାହ ପର୍ଯ୍ୟନ୍ତ ଚାଲୁ ରହିଥିବା ଏହି ଦୀର୍ଘଅବଧି କାର୍ଯ୍ୟକ୍ରମରେ ଆୟୁର୍ବେଦ ଦିବସରେ ଆଧାରିତ ବିଭିନ୍ନ ସଂସ୍ଥା ଦ୍ବାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ 1.7 କୋଟିରୁ ଅଧିକ ଲୋକମାନେ ଅଂଶଗ୍ରହଣ କରିଛନ୍ତି ଏବଂ 56 ଲକ୍ଷରୁ ଅଧିକ ଲୋକ ସାମିଲ୍ ହୋଇଛନ୍ତି।

ଆୟୁଷ ମନ୍ତ୍ରଣାଳୟ ଓ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟରେ ଏକ ରାଜିନାମା ସ୍ବାକ୍ଷରିତ ହୋଇଛି ଯାହା ସହାୟତାରେ ଉଭୟ ମନ୍ତ୍ରଣାଳୟ ମଧ୍ୟରେ ସହଯୋଗ, ସମନ୍ବୟ ଏବଂ ସଂଯୋଜନା କ୍ଷେତ୍ରକୁ ଅନୁସନ୍ଧାନ କରିବା ପାଇଁ ଆୟୁଷ ମନ୍ତ୍ରଣାଳୟ ଓ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟରେ ରାଜିନାମା ସ୍ବାକ୍ଷର କରାଯାଇଛି।

ଏହି ଅବସରରେ ‘ଦି ଆୟୁର୍ବେଦିକ ଫାର୍ମାକୋପିଆ ଅଫ ଇଣ୍ଡିଆ’, ‘ଦି ଆୟୁର୍ବେଦିକ ଫର୍ମୁଲାରି ଅଫ୍ ଇଣ୍ଡିଆ’ ଉପରେ ଏକ ପୁସ୍ତକର ବିମୋଚନ କରାଯାଇଛି। ଔଷଧୀୟ ବୃକ୍ଷର ସ୍ବାସ୍ଥ୍ୟ ଲାଭ ବିଷୟରେ ସଚେତନତା ସୃଜନ କରିବା ପାଇଁ, ଆୟୁଷ ମନ୍ତ୍ରଣାଳୟ ଦ୍ବାରା ଅଶ୍ବଗନ୍ଧା – ଏକ ସ୍ବାସ୍ଥ୍ୟ ପ୍ରବର୍ତ୍ତକ ଉପରେ ଏକ ପ୍ରଜାତି ବିଶିଷ୍ଟ ଜାତୀୟ ଅଭିଯାନର ଶୁଭାରମ୍ଭ କରାଯାଇଛି। ପାଞ୍ଚ ଲଘୁ ଭିଡିଓ ପ୍ରତିଯୋଗୀତାର ପ୍ରଥମ ପୁରସ୍କାର ବିଜେତାମାନଙ୍କୁ କେନ୍ଦ୍ରୀୟ ଆୟୁଷ ମନ୍ତ୍ରୀ ଏବଂ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିମାନଙ୍କ ଦ୍ବାରା ସମ୍ମାନିତ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଆୟୁର୍ବେଦ ଦିବସରେ ପ୍ରଧାନମନ୍ତ୍ରୀ ଦୁଇଟି ଅତ୍ୟାଧୁନିକ ଆୟୁର୍ବେଦ ପ୍ରତିଷ୍ଠାନ ରାଷ୍ଟ୍ରକୁ କଲେ ଉତ୍ସର୍ଗ

ନୂଆଦିଲ୍ଲୀ: ଭବିଷ୍ୟତର ଆବଶ୍ୟକତା ପୂରଣ କରିବାକୁ ପ୍ରସ୍ତୁତ ଦେଶର 2 ଟି ଅତ୍ୟାଧୁନିକ ଆୟୁର୍ବେଦ ପ୍ରତିଷ୍ଠାନ ଆଜି ପଞ୍ଚମ ଆୟୁର୍ବେଦ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ଏକ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଏହି ଲୋକାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ଷମ ହୋଇଥିବା ଏହି ଅନୁଷ୍ଠାନ ଦୁଇଟି ହେଲା ଗୁଜରାଟର ଜାମନଗର ସ୍ଥିତ ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଆଇଟିଆରଏ) ଏବଂ ରାଜସ୍ଥାନର ଜୟପୁର ସ୍ଥିତ ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନ (ଏନ୍‌ଆଇଏ)। ଏହି ଦୁଇଟିଯାକ ପ୍ରତିଷ୍ଠାନ ଆୟୁର୍ବେଦ କ୍ଷେତ୍ରରେ ଦେଶର ପୁରୁଣା ଏବଂ ପ୍ରତିଷ୍ଠିତ ଅନୁଷ୍ଠାନ। ଭବିଷ୍ୟତର ଆବଶ୍ୟକତା ପୂରଣ କରିବା ପାଇଁ ଏହାର ଉନ୍ନତୀକରଣ ଓ ଅନ୍ୟାନ୍ୟ ସୁବିଧାର ସଂପ୍ରସାରଣ କରାଯାଇଛି। ସଂସଦରେ ଏକ ଆଇନ ପ୍ରଣୟନ କରାଯାଇ ନିକଟରେ ଜାମନଗର ସ୍ଥିତ ପ୍ରତିଷ୍ଠାନକୁ ଇନ୍‌ଷ୍ଟିଚ୍ୟୁସନ ଅଫ୍‌ ନ୍ୟାସନାଲ ଇମ୍ପୋଟାନ୍ସ (ଜାତୀୟ ସ୍ତରର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ) ମାନ୍ୟତା ପ୍ରଦାନ କରାଯାଇଛି। ସେହିଭଳି ଜୟପୁର ସ୍ଥିତ ଆୟୁର୍ବେଦ ପ୍ରତିଷ୍ଠାନକୁ ବିଶ୍ୱବିଦ୍ୟାଳୟ ମଞ୍ଜୁରି ଆୟୋଗ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ ବା ଡିମ୍‌ଡି ୟୁନିର୍ଭସିଟିର ମର୍ଯ୍ୟାଦା ଦେଇଛି।

ସୂଚନାଯୋଗ୍ୟ ଯେ ଆୟୁଷ ମନ୍ତ୍ରଣାଳୟ 2016 ଠାରୁ ପ୍ରତିବର୍ଷ ଧନ୍ୱନ୍ତରୀ ଜୟନ୍ତୀକୁ ଆୟୁର୍ବେଦ ଦିବସଭାବେ ପାଳନ କରିଆସୁଛି। ଏହି ଦିବସଟି ମଧ୍ୟ ଧନ୍‌ତେରସ ନାମରେ ଖ୍ୟାତ। ଏହି କାର୍ଯ୍ୟକ୍ରମରେ ଆୟୁଷ ମନ୍ତ୍ରଣାଳୟର ସ୍ୱାଧୀନ ଦାୟିତ୍ୱରେ ଥିବା ମନ୍ତ୍ରୀ ଶ୍ରୀପଦ ନାଏକ, ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଶ୍ରୀ ଅଶୋକ ଗେହଲଟ, ରାଜସ୍ଥାନର ରାଜ୍ୟପାଳ କଲରାଜ ମିଶ୍ର, ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ପ୍ରମୁଖ ଉପସ୍ଥିତ ଥିଲେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦେଶକ ଡ. ଟେଡରସ ଆଧନମ୍‌ ଘେବ୍ରେୟେସସ୍‌ ଏହି କାର୍ଯ୍ୟକ୍ରମ ପାଇଁ ଏକ ଭିଡିଓ ବାର୍ତ୍ତା ପ୍ରଦାନ କରିଥିଲେ। ଏଥିରେ ସେ ଆୟୁଷ୍ମାନ ଭାରତ ଯୋଜନାକୁ ସାର୍ବଜନୀନ କରିବା ପାଇଁ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ଉଦ୍ୟମ ଓ ସଂକଳ୍ପକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଆହୁରି ମଧ୍ୟ ପ୍ରମାଣଭିତ୍ତିରେ ଭାରତରେ ପାରମ୍ପରିକ ଔଷଧର ପ୍ରୋତ୍ସାହନ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକୁ ସେ ସ୍ୱାଗତ କରିବା ସହ ଏହାଦ୍ୱାରା ସ୍ୱାସ୍ଥ୍ୟସେବା ଜନିତ ଲକ୍ଷ୍ୟ ସହଜରେ ପୂରଣ ହୋଇପାରିବ ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍‌ବୋଧନରେ ଭାରତକୁ ବିଶ୍ୱର ପାରମ୍ପରିକ ଔଷଧ କେନ୍ଦ୍ରଭାବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମନୋନୀତ କରିଥିବାରୁ ସଂପୃକ୍ତ ସଂସ୍ଥାକୁ ସାଧୁବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ଆୟୁର୍ବେଦ ଭାରତର ଏକ ପ୍ରାଚୀନ ଐତିହ୍ୟ। ତେଣୁ ଏହା ଆନନ୍ଦର ବିଷୟ ଯେ ଭାରତର ଏଭଳି ପାରମ୍ପରିକ ବିଦ୍ୟାଦ୍ୱାରା ଅନ୍ୟାନ୍ୟ ଦେଶ ଉପକୃତ ହେଉଛନ୍ତି।

ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ଆୟୁର୍ବେଦ ଜ୍ଞାନକୁ ବହି, ଶାସ୍ତ୍ର ଏବଂ ଘରୋଇ ଚିକିତ୍ସା ପରିସରରୁ ବାହାରକୁ ଆଣି ଏହି ପ୍ରାଚୀନ ଜ୍ଞାନକୁ ଭବିଷ୍ୟତର ଆବଶ୍ୟକତା ପୂରଣ କରିବା ପାଇଁ ସମୃଦ୍ଧ କରିବାକୁ ପଡିବ। ଏଥିପାଇଁ ଦେଶରେ ଏ କ୍ଷେତ୍ରରେ ନୂଆ ନୂଆ ଗବେଷଣା ଚାଲିଛି। ଆମର ପ୍ରାଚୀନ ଚିକିତ୍ସା ଜ୍ଞାନ ଏବଂ ଏକବିଂଶ ଶତାବ୍ଦୀର ଆଧୁନିକ ବିଜ୍ଞାନକୁ ମିଶାଇ କିପରି ଉନ୍ନତ ଚିକିତ୍ସା ବ୍ୟବସ୍ଥା କରିହେବ ସେଥିପାଇଁ ଏହି ଗବେଷଣା କରାଯାଉଛି। ତିନିବର୍ଷ ତଳେ ଏଠାରେ ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ ପ୍ରତିଷ୍ଠା କରାଯାଇଥିଲା। ଆୟୁର୍ବେଦ କେବଳ ଏକ ବିକଳ୍ପ ଚିକିତ୍ସା ନୁହେଁ, ବରଂ ଏହା ଭାରତୀୟ ସ୍ୱାସ୍ଥ୍ୟ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରେ ଏକ ଜାତୀୟ ସୋୱା-ରିକ୍‌ପା ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠା କରିବା ପାଇଁ କାର୍ଯ୍ୟ ଚାଲିଛି। ଏହା ଲେହରେ ସ୍ଥାପନ କରାଯିବ। ଲେହ ଅଞ୍ଚଳର ପ୍ରାଚୀନ ଚିକିତ୍ସା ପଦ୍ଧତି ସୋୱା-ରିକ୍‌ପା ଓ ଅନ୍ୟାନ୍ୟ ଚିକିତ୍ସା ବ୍ୟବସ୍ଥା ସଂପର୍କରେ ଏହି ପ୍ରତିଷ୍ଠାନରେ ଗବେଷଣା କରାଯିବ। ସେ ଆହୁରି କହିଥିଲେ ଯେ ଆଜି ଉଭୟ ଗୁଜରାଟ ଓ ରାଜସ୍ଥାନରେ ଯେଉଁ ଦୁଇଟି ଆୟୁର୍ବେଦ ପ୍ରତିଷ୍ଠାନ ଅତ୍ୟାଧୁନିକ ରୂପରେ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଛି ତାହା ଆମର ପାରମ୍ପରିକ ଚିକିତ୍ସା ବିଜ୍ଞାନର ବିକାଶ ଏବଂ ପରିବର୍ଦ୍ଧନ ପ୍ରୟାସର ଏକ ଅଂଶବିଶେଷ।

ଏହି ଦୁଇ ଅନୁଷ୍ଠାନର ଉନ୍ନତି ବିଧାନ ଓ ସଂପ୍ରସାରଣ ପ୍ରୟାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହ କହିଥିଲେ ଯେ ଉଭୟ ସଂସ୍ଥାର ଦାୟିତ୍ୱ ଏବେ ବଢିଯାଇଛି। ଉଭୟ ସଂସ୍ଥା ଆନ୍ତର୍ଜାତିକ ମାନକୁ ପୂରଣ କରୁଥିବା ପାଠ୍ୟକ୍ରମ ପ୍ରସ୍ତୁତ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଆୟୁର୍ବେଦ ଫିଜିକ୍ସ ଓ ଆୟୁର୍ବେଦ କେମିଷ୍ଟ୍ରି ଭଳି ନୂଆ ବିଭାଗମାନ ଖୋଲିବା ପାଇଁ ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀ ମଧ୍ୟ ଶିକ୍ଷା ମନ୍ତ୍ରଣାଳୟ ଓ ୟୁଜିସିକୁ ନିର୍ଦ୍ଦେଶ ଦେଇଛନ୍ତି। ଆହୁରି ମଧ୍ୟ ବୈଶ୍ୱିକ ଜୀବନଶୈଳୀ ତଥା ଚାହିଦାକୁ ଅନୁଧାନ କରି  ଏ କ୍ଷେତ୍ରରେ ଷ୍ଟାର୍ଟ ଅପ୍‌ ଓ ଘରୋଇ ଉଦ୍ୟୋଗମାନ ସାମିଲ ହେବାକୁ ସେ ଆହ୍ୱାନ ଜଣାଇଛନ୍ତି। ସେ କହିଛନ୍ତି ଭାରତୀୟ ଔଷଧୀୟ ବ୍ୟବସ୍ଥା ସଂକ୍ରାନ୍ତ ଜାତୀୟ ଆୟୋଗ (ଏନ୍‌ସିଆଇଏସ୍‌ଏମ୍‌) ଏବଂ ଜାତୀୟ ହୋମିଓପ୍ୟାଥିକ୍‌ ଆୟୋଗ (ଏନ୍‌ସିଏଚ୍‌) ସଂସଦର ଏହି ଅଧିବେଶନରେ ଗୃହୀତ ପ୍ରସ୍ତାବ ଅନୁସାରେ ଗଠିତ ହୋଇଛି। ଏ  କ୍ଷେତ୍ରରେ ଜାତୀୟ ଶିକ୍ଷାନୀତି ମଧ୍ୟ ସମନ୍ୱିତ ଆଭିମୁଖ୍ୟ ପୋଷଣ କରୁଛି। ଏହି ନୀତିର ମୌଳିକ ଲକ୍ଷ୍ୟ ହେଲା ଆୟୁର୍ବେଦିକ ଶିକ୍ଷାରେ ଏଲୋପ୍ୟାଥିକ୍‌ ଚିକିତ୍ସା ପଦ୍ଧତିର ପ୍ରୟୋଗକୁ ବାଧ୍ୟତାମୂଳକ କରିବା।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ସଂକ୍ରମଣ କାଳରେ ଆୟୁର୍ବେଦିକ ଔଷଧପତ୍ରର ଚାହିଦା ସମଗ୍ର ବିଶ୍ୱରେ ଦ୍ରୁତଗତିରେ ବଢିଛି। ଗତବର୍ଷ ତୁଳନାରେ ଚଳିତବର୍ଷ ସେପ୍ଟେମ୍ବର ମାସରେ ଭାରତର ଆୟୁର୍ବେଦିକ ସାମଗ୍ରୀର ରପ୍ତାନୀ ପରିମାଣ 45 ଶତାଂଶ ବଢିଛି। ହଳଦୀ, ଅଦା ଭଳି ପଦାର୍ଥ ଯାହା ଶରୀରର ପ୍ରାକୃତିକ ରୋଗ ପ୍ରତିରୋଧ ଶକ୍ତିବୃଦ୍ଧି କରେ ତା ସହିତ ଅନ୍ୟାନ୍ୟ ମସଲାର ଚାହିଦା ବିଦେଶରେ ବଢିଛି। ଭାରତୀୟ ମସଲାରେ ଥିବା ଔଷଧୀୟ ଗୁଣ ହଠାତ୍‌ ବିଶ୍ୱ ବଜାରରେ ଆୟୁର୍ବେଦ ଉପରେ ବିଶ୍ୱାସକୁ ବଢାଇ ଦେଇଛି। ସେ କହିଛନ୍ତି ଯେ ଏବେ ବିଶ୍ୱର ବିଭିନ୍ନ ଦେଶରେ ହଳଦୀରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ଔଷଧୀୟ ପାନୀୟ ବ୍ୟବହାର ବଢିଛି। ପୃଥିବୀରେ ମର୍ଯ୍ୟାଦାଜନକ ସ୍ୱାସ୍ଥ୍ୟପତ୍ରିକାମାନ ଆୟୁର୍ବେଦରେ ମଧ୍ୟ ନୂଆ ଆଶା ଦେଖୁଛନ୍ତି। ଏହି କରୋନା ମହାମାରୀ ସମୟରେ କେବଳ ଆୟୁର୍ବେଦିକ ସାମଗ୍ରୀ ବ୍ୟବହାର ଉପରେ ଦୃଷ୍ଟି ନିବଦ୍ଧ ନ ଥିଲା; ଏହା ସହିତ ଆୟୁଷ ସଂକ୍ରାନ୍ତ ବିଭିନ୍ନ କ୍ଷେତ୍ରରେ ଆଧୁନିକ ଗବେଷଣା ପାଇଁ ଗୁରୁତ୍ୱ ଦିଆଯାଇଥିଲା। ସମଗ୍ର ବିଶ୍ୱ ମଧ୍ୟ ଭାରତ ସହିତ ଏ କ୍ଷେତ୍ରରେ କାମ କରୁଛି।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଏକପକ୍ଷରେ ଭାରତ କରୋନା ଟିକା ପରୀକ୍ଷା କରୁଛି ଏବଂ ଅନ୍ୟପକ୍ଷରେ କରୋନା ମୁକାବିଲା ପାଇଁ ଆୟୁର୍ବେଦିକ ଗବେଷଣା କ୍ଷେତ୍ରରେ ଆନ୍ତର୍ଜାତିକ ସହଯୋଗକୁ ବୃଦ୍ଧି କରିବାରେ ସାହାଯ୍ୟ ସହଯୋଗ ଯୋଗାଉଛି। ସେ କହିଛନ୍ତି ଯେ ଦିଲ୍ଲୀ ପୁଲିସର 80 ହଜାର କର୍ମଚାରୀଙ୍କ ରୋଗ ପ୍ରତିରୋଧ ଶକ୍ତି ସଂପର୍କରେ ନୂଆଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ ସମେତ 100ରୁ ଅଧିକ ସ୍ଥାନରେ ଗବେଷଣା ଚାଲିଛି। ଏହା ବୋଧହୁଏ ବିଶ୍ୱର ସ୍ୱାସ୍ଥ୍ୟ ସଂକ୍ରାନ୍ତ ସର୍ବବୃହତ୍‌ ଗୋଷ୍ଠୀ ଅନୁଧ୍ୟାନ। ଏହି ଗବେଷଣାରୁ ଉତ୍ସାହଜନକ ଫଳ ମିଳୁଛି। ଆଗାମୀ ଦିନରେ ଏ ସଂକ୍ରାନ୍ତ ଆଉ କେତେକ ଆନ୍ତର୍ଜାତିକ ପରୀକ୍ଷା ନିରୀକ୍ଷା କରାଯିବ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଛନ୍ତି ଯେ ଏବେ ଆୟୁର୍ବେଦ ଔଷଧ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଉଛି। ଏହା ସହିତ ଔଷଧୀୟ ଗୁଳ୍ମ ଓ ବୃକ୍ଷଲତା ତଥା ପୁଷ୍ଟିକର ଖାଦ୍ୟ ଯାହା ଆମର ପ୍ରାକୃତିକ ରୋଗ ପ୍ରତିରୋଧ ଶକ୍ତି ବଢାଏ ତାହା ମଧ୍ୟ ଗୁରୁତ୍ୱ ଲାଭ କରୁଛି। ଏବେ ଚାଷୀମାନଙ୍କୁ ମୋଟା ଶସ୍ୟର ଉତ୍ପାଦନ ବୃଦ୍ଧି ଏବଂ ଜୈବିକ ଫସଲ ଅଧିକରୁ ଅଧିକ ଚାଷ କରିବାକୁ ଉତ୍ସାହିତ କରାଯାଉଛି। ଗଙ୍ଗାତଟ ଏବଂ ହିମାଳୟ ଅଞ୍ଚଳରେ ଏସବୁ ଜୈବିକ ଚାଷ କରିବା ପାଇଁ ପଦକ୍ଷେପ ଆରମ୍ଭ କରାଯାଇଛି। ବିଶ୍ୱର ସ୍ୱାସ୍ଥ୍ୟ ଓ ସ୍ୱାଚ୍ଛନ୍ଦ୍ୟ ପାଇଁ ଭାରତର ଅବଦାନକୁ ବଢାଇବା ଦିଗରେ ଏକ ପୂର୍ଣ୍ଣାଙ୍ଗ ଯୋଜନା ପ୍ରସ୍ତୁତ କରିବାକୁ ଆୟୁଷ ମନ୍ତ୍ରଣାଳୟ ସ୍ୱତନ୍ତ୍ରଭାବେ କାର୍ଯ୍ୟ କରୁଛି। ଏ କ୍ଷେତ୍ରରେ ଆମର ରପ୍ତାନୀ ବଢିବା ସହ ଆମ ଚାଷୀଙ୍କ ଆୟ ମଧ୍ୟ ବଢିବାର ଆବଶ୍ୟକତା ରହିଛି। ସେ କହିଛନ୍ତି କରୋନା ମହାମାରୀ ଆରମ୍ଭ ହେବା ପରେ ଅଶ୍ୱଗନ୍ଧା, ଗିଲୟ, ତୁଳସୀ ଆଦି ଆୟୁର୍ବେଦ ଔଷଧରେ ବ୍ୟବହୃତ ଗୁଳ୍ମର ଚାହିଦା ଯଥେଷ୍ଟ ବଢିଗଲା। ଗତବର୍ଷ ତୁଳନାରେ ଅଶ୍ୱଗନ୍ଧାର ମୂଲ୍ୟ ଦୁଇଗୁଣିତ ହୋଇଛି। ଏହା ଫଳରେ ଏସବୁ ଚାଷ କରୁଥିବା ଚାଷୀମାନେ ଉପକୃତ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୃଷି ଓ ଆୟୁଷ ମନ୍ତ୍ରଣାଳୟ ସମେତ ଅନ୍ୟାନ୍ୟ ବିଭାଗଗୁଡିକ ମିଳିତଭାବେ ଭାରତରେ ଉପଲବ୍ଧ ଔଷଧୀୟ ଗୁଳ୍ମ ସଂପର୍କରେ ସଚେତନତା ସୃଷ୍ଟି କରିବା ସହ ସେସବୁର ଚାଷ ବୃଦ୍ଧି କରିବା ଦିଗରେ କାର୍ଯ୍ୟ କରିବା ଉଚିତ। ଆୟୁର୍ବେଦ ପାଇଁ ଅନୁକୂଳ ପରିବେଶ ମଧ୍ୟ ସ୍ୱାସ୍ଥ୍ୟ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ। ଆଜି ଉଦ୍ଘାଟିତ ହୋଇଥିବା ଜାମନଗର ଓ ଜୟପୁରର ଦୁଇଟିଯାକ ପ୍ରତିଷ୍ଠାନ ଏ ଦିଗରେ  କାର୍ଯ୍ୟକରି ନିଜର ଯଥାର୍ଥତା ଓ ପ୍ରତିଷ୍ଠା ପ୍ରତିପାଦନ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ଆଇଟିଆରଏ, ଜାମନଗର:

ନିକଟରେ ସଂସଦରେ ଏକ ଆଇନ ବଳରେ ଜାମନଗର ସ୍ଥିତ ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଆଇଟିଆରଏ) ଗଠିତ ହୋଇଛି। ଏହି ଅନୁଷ୍ଠାନ ଏକ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନଭାବେ ଆତ୍ମପ୍ରକାଶ କରିବାକୁ ଆଗେଇ ଚାଲିଛି। ଆଇଟିଆରଏରେ 12ଟି ବିଭାଗ, 3ଟି କ୍ଲିନିକାଲ ଲ୍ୟାବ ଓ ୩ଟି ଗବେଷଣା ଲ୍ୟାବ ରହିଛି। ଏହି ଅନୁଷ୍ଠାନଟି ପାରମ୍ପରିକ ଔଷଧ ଓ ଚିକିତ୍ସା ପଦ୍ଧତିର ଗବେଷଣା କ୍ଷେତ୍ରରେ ଏକ ପ୍ରମୁଖ ପ୍ରତିଷ୍ଠାନ। ଏବେ ଏଠାରେ 33ଟି ଗବେଷଣା ପ୍ରକଳ୍ପ ଚାଲିଛି। ଜାମନଗର ସ୍ଥିତ ଗୁଜରାଟ ଆୟୁର୍ବେଦ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା 4ଟି ଆୟୁର୍ବେଦ ପ୍ରତିଷ୍ଠାନକୁ ନେଇ ଆଇଟିଆରଏ ଗଠନ କରାଯାଇଛି। ଏହି 4ଟିଯାକ ପ୍ରତିଷ୍ଠାନ ଗୋଟିଏ ବିଶ୍ୱବିଦ୍ୟାଳୟ ଅଧୀନରେ ଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ରହିଛି। ଆୟୁଷ ମନ୍ତ୍ରଣାଳୟର ଏହା ପ୍ରଥମ ପ୍ରତିଷ୍ଠାନ, ଯାହା ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ (ଆଇଏନ୍‌ଆଇ)ର ମର୍ଯ୍ୟାଦା ପାଇଛି। ଆୟୁର୍ବେଦ ଶିକ୍ଷା କ୍ଷେତ୍ରରେ ନୂଆ ପାଠ୍ୟକ୍ରମ ପ୍ରଚଳନ ଓ ଏହାର ଉନ୍ନତି ବିଧାନ ନିମନ୍ତେ ଆଇଟିଆରଏକୁ ସ୍ୱୟଂଶାସନ କ୍ଷମତା ପ୍ରଦାନ କରାଯାଇଛି। ଏହି ପ୍ରତିଷ୍ଠାନ  ଆୟୁର୍ବେଦ ଶିକ୍ଷାର ମାନ ବଢାଇବା ସହ ଆଧୁନିକ ଓ ଆନ୍ତର୍ଜାତିକ ମାନର ପାଠ୍ୟକ୍ରମ ପ୍ରଚଳନ କରିବ। ଆୟୁର୍ବେଦକୁ ସମସାମୟିକ ପ୍ରୋତ୍ସାହନ ଯୋଗାଇବା ପାଇଁ ଏହି ଅନୁଷ୍ଠାନ ମଧ୍ୟ ଆନ୍ତଃ ବିଭାଗୀୟ ସହଯୋଗଭିତ୍ତିରେ କାର୍ଯ୍ୟ କରିବ।

ଏନ୍‌ଆଇଏ, ଜୟପୁର:

ଆୟୁର୍ବେଦ କ୍ଷେତ୍ରରେ ଏହି ଅନୁଷ୍ଠାନଟି ସୁନାମ ସାରା ଦେଶରେ ରହିଛି। ଏହାକୁ ୟୁଜିସି ଡିମ୍‌ଡି ୟୁନିର୍ଭସିଟି ମାନ୍ୟତା ଦେବାପରେ ଏହାର ଗୁରୁତ୍ୱ ଅଧିକ ବଢିଯାଇଛି। ଏହି ଅନୁଷ୍ଠାନର 175 ବର୍ଷର ଏକ ଲମ୍ବା ଐତିହ୍ୟ ରହିଛି। ଆୟୁର୍ବେଦର ମୌଳିକ ଓ ନିର୍ଭୁଲ ତଥ୍ୟ, ଦ୍ରବ୍ୟ,  ଔଷଧ ପ୍ରସ୍ତୁତି ଏବଂ ପ୍ରୟୋଗ ଆଦି ନୀତିନିୟମ ଓ ପାଠ ସଂରକ୍ଷଣ କରିବା, ଏହାର ସମୃଦ୍ଧି ଏବଂ ଏହାକୁ ନିର୍ଭୁଲଭାବେ ପ୍ରୟୋଗ କରିବାର ବିଦ୍ୟା ପାଇଁ ଏହି ଅନୁଷ୍ଠାନର ସୁନାମ ଅଛି। ଏବେ ଏନଆଇଏରେ 14ଟି ବିଭିନ୍ନ ବିଭାଗ ରହିଛି। ଏହି ଅନୁଷ୍ଠାନର ଛାତ୍ର ଓ ଶିକ୍ଷକ ଅନୁପାତ ମଧ୍ୟ ବହୁତ ଭଲ। 2019-20 ଶିକ୍ଷା ବର୍ଷରେ ଏଠାରେ 75 ଜଣ ଶିକ୍ଷକ 955 ଜଣ ବିଦ୍ୟାର୍ଥୀଙ୍କୁ ଶିକ୍ଷାଦାନ କରୁଥିଲେ। ଆୟୁର୍ବେଦର ଅନେକ ପାଠ୍ୟକ୍ରମ ଏଠାରେ ପଢାଯାଉଛି। ସାର୍ଟିଫିକେଟ କୋର୍ସଠାରୁ ଡକ୍ଟରାଲ ସ୍ତର ପର୍ଯ୍ୟନ୍ତ ଏଠାରେ ପାଠ୍ୟକ୍ରମ ଓ ଶିକ୍ଷା ବ୍ୟବସ୍ଥା ଉପଲବ୍ଧ। ଏହି ଅନୁଷ୍ଠାନର ଲ୍ୟାବରେ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି। ଗବେଷଣା କ୍ଷେତ୍ରରେ ମଧ୍ୟ ଏହା ଏକ ଅଗ୍ରଗାମୀ ଅନୁଷ୍ଠାନ। ଏବେ ଏଠାରେ 54ଟି ବିଭିନ୍ନ ଗବେଷଣା ପ୍ରକଳ୍ପ ଚାଲିଛି। ୟୁଜିସି ଏହାକୁ ଡିମ୍‌ଡି ୟୁନିର୍ଭସିଟି ମାନ୍ୟତା ପ୍ରଦାନ କରିବା ଫଳରେ ଏହି ଜାତୀୟ ପ୍ରତିଷ୍ଠାନଟି ଉଚ୍ଚମାନ, ସ୍ୱାସ୍ଥ୍ୟସେବା ଓ ଯତ୍ନ, ଶିକ୍ଷାଦାନ ଓ ଗବେଷଣା କ୍ଷେତ୍ରରେ ଆୟୁର୍ବେଦକୁ ନୂଆ ଶିଖରରେ ପହଞ୍ଚାଇବ ବୋଲି ଆଶା କରାଯାଉଛି।