Categories
ଆଞ୍ଚଳିକ

ବାଣପୁର କୋର୍ଟ ବିଚାରପତିଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଲା ଓକିଲ ସଂଘ

ବାଣପୁର: ଇଂରାଜୀ ନବବର୍ଷ ଉପଲକ୍ଷେ ଆଜି ବାଣପୁର କୋର୍ଟ ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଏବଂ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାସଙ୍କୁ ଶୁଭେଚ୍ଛା ଜଣାଇଛି ବାଣପୁର ଓକିଲ ସଂଘ। ସଂଘ ସଭାପତି ବୃନ୍ଦାବନ ପ୍ରଧାନ ଓ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତାଙ୍କ ନେତୃତ୍ୱରେ ଓକିଲମାନେ ଉଭୟ ବିଚାରପତିଙ୍କୁ ସାକ୍ଷାତ କରି ପୁଷ୍ପଗୁଛ ଦେଇ ନବ ବର୍ଷର ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉତ୍ତୋରତର ଉନ୍ନତି କାମନା କରିଥିଲେ।

ଏହି ଅବସରରେ ଉଭୟ ବିଚାରପତି ଓକିଲ ସଂଘକୁ ଏଥି ନିମନ୍ତେ ଧନ୍ୟବାଦ ଜଣାଇବା ସହ ବାର ଏବଂ ବେଞ୍ଚ ମଧ୍ୟରେ ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସୁସମ୍ପର୍କ ବଜାୟ ରହିବ ବୋଲି ସଂଘ ଠାରୁ ଆଶା କରିଥଲେ। ଓକିଲ ସଂଘ ସଭାପତି ଓ ସମ୍ପାଦକ ଏଥିରେ ଏକମତ ହେବାସହ ବାର ଏବଂ ବେଞ୍ଚ ଏକ ପରିବାର ବୋଲି ମତପ୍ରକାଶ କରିଥିଲେ।

ଏହି ଅବସରରେ ସଂଘ ଉପ ସଭାପତି ରାମଚନ୍ଦ୍ର ପଲାଇ, ସହ ସମ୍ପାଦକ ନରେନ୍ଦ୍ର ନାୟକ, କାର୍ଯ୍ୟକାରୀ ସଭ୍ୟ ଦେବବ୍ରତ ବଡ଼ଜେନା, ସନ୍ତୋଷ କୁମାର ମହାପାତ୍ର, ବରିଷ୍ଠ ଆଇନଜୀବୀ ସନ୍ଦୀପ କୁମାର ମହାପାତ୍ର, ଅନ୍ନଦା ଷଡ଼ଙ୍ଗୀ, ପଦ୍ମଜା ପଟ୍ଟନାୟକ,ସୀତାରାମ ଅଗ୍ରୱାଲ,କାମେଶ୍ୱର ଆଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଓ ଆସନ୍ତାକାଲି ସିଂହଦ୍ଵାର ଦେଇ ଜଗା ଦର୍ଶନ କରିପାରିବେ ଶ୍ରଦ୍ଧାଳୁ: ଜାଣନ୍ତୁ ଶ୍ରୀମନ୍ଦିରରେ କ’ଣ ରହିଛି ବ୍ୟବସ୍ଥା?

ପୁରୀ: ପୁରୀରେ ୨୦୨୪ କୁ ବିଦାୟ ଦେବା ସହ ଇଂରାଜୀ ନବବର୍ଷରେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିରରେ ଭକ୍ତମାନେ କିଭଳି ଶୃଙ୍ଖଳାରେ ଯାଇ ଦର୍ଶନ କରିପାରିବେ ଏବଂ ନୀତି କାନ୍ତି କିଭଳି ଶୃଙ୍ଖଳିତ ହୋଇପାରିବ ସେନେଇ ସବିଶେଷ ଆଲୋଚନା ହୋଇଥିଲା।

ତେବେ ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖାଯାଇ ସମସ୍ତ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ସହ ଭକ୍ତଙ୍କ ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ।ସେହିପରି ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ସହିତ ସହରରେ ଟ୍ରାଫିକ ସୁପରିଚାଳନା, ଆଇନ ଶୃଙ୍ଖଳା ରକ୍ଷା ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଅଛି। ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ରକୁ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଥିବା ବେଳେ ସିସିଟିଭି ନଜରରେ ରହିବ।

ଡିସେମ୍ବର ୩୧ ଓ ଜାନୁଆରୀ ୧ ରେ କେବଳ ସିଂହଦ୍ଵାର ଦେଇ ଭକ୍ତମାନେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବା ସହ ଅନ୍ୟ ତିନି ଦ୍ବାରରେ ପ୍ରସ୍ଥାନ ପାଇଁ ବ୍ୟବସ୍ଥା କରାଯାଇଛି।

ଭକ୍ତ ଓ ଶ୍ରଦ୍ଧାଳୁ ମାନେ ମାର୍କେଟ ଛକ ଠାରୁ ନିର୍ମାଣ ହୋଇଥିବା ବ୍ୟାରିକେଡ ମାଧ୍ୟମରେ ଆସି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ। ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ବୈଠକରେ ପୁରୀ ଏସପି ଙ୍କ ସମେତ ଶ୍ରୀମନ୍ଦିର ନୀତି ଓ ଉନ୍ନୟନ ପ୍ରଶାସକ ତଥା ଉପଜିଲ୍ଲାପାଳ ସାମିଲ୍ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନବବର୍ଷ ପାଇଁ ପୁରୀ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି ଆରମ୍ଭ

ପୁରୀ: ଇଂରାଜୀ ନବବର୍ଷରେ ମହାପ୍ରଭୁଙ୍କ ଦର୍ଶନ ସହ ଆଶିର୍ବାଦ ନେବା ପାଇଁ ପୁରୀରେ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନକୁ ନଜରରେ ରଖି ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ ସୁପରିଚାଳନା ଏବଂ ସୁରକ୍ଷା ପାଇଁ ପୁରୀ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଅଛି। ଏନେଇ ଆଜି ପୁରୀ ରିଜର୍ଭ ପୋଲିସ ଲାଇନ ପଡିଆ ଠାରେ କେନ୍ଦ୍ରାଞ୍ଚଳ ଆଇଜି ଓ ପୁରୀ ଏସ୍ପି ପୋଲିସ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି।

ଡିସେମ୍ବର ୩୧ ଓ ଜାନୁଆରୀ ୧ ରେ ଶ୍ରୀମନ୍ଦିର ଭିତରେ, ବାହାରେ ତଥା ସମୁଦ୍ର କୂଳରେ ଭିଡକୁ ନଜରରେ ରଖି କଡ଼ା ସୁରକ୍ଷା ସହ ସିସିଟିଭି ଦ୍ୱାରା ନଜର ରଖାଯିବ। ସେପଟେ ଶ୍ରୀମନ୍ଦିର ରେ ଭିଡ଼ କୁ ନଜରରେ ରଖି କେବଳ ସିଂହଦ୍ୱାର ଦେଇ ଏକ ମୁଖୀ ପ୍ରବେଶର ବ୍ୟବସ୍ଥା କରାଯାଇଥିବା ବେଳେ ଭକ୍ତ ମାନେ ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ।

୨୦୨୪ ବର୍ଷକୁ ବିଦାୟ ଦେବା ସହ ଇଂରାଜୀ ନୂଆ ବର୍ଷ ୨୦୨୫ କୁ ସ୍ୱାଗତ କରି ବର୍ଷ ଆରମ୍ଭ ପାଇଁ ଶ୍ରୀକ୍ଷେତ୍ର ରେ ଏବେ ଠାରୁ ପ୍ରବଳ ଭିଡ ପରିଲକ୍ଷିତ ହେବାରେ ଲାଗିଅଛି। ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼ କୁ ନଜରରେ ରଖି ଶ୍ରୀମନ୍ଦିରରେ ଶାନ୍ତି ଶୃଙ୍ଖଳା ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ସମେତ ସମୁଦ୍ର କୂଳ ଅଂଚଳରେ ଗହଳି ନିୟନ୍ତ୍ରଣ ନେଇ ୬୦ ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରେ, ବାହାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହେବା ସହ ବଡ଼ଦାଣ୍ଡ ମାର୍କେଟ ଛକ ଠାରୁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି।‌

ସେହିପରି ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ଭିଡକୁ ନଜରରେ ରଖି ସମୁଦ୍ର ସ୍ନାନ ସମୟରେ ଯେଭଳି କୌଣସି ଅଘଟଣ ନ ଘଟେ ତା\’କୁ ରୋକିବା ପାଇଁ ବ୍ୟାପକ ଲାଇଫ ଗାର୍ଡ ନିୟୋଜିତ କରାଯାଇଛି। ପୁରୀ ରେ ଟ୍ରାଫିକ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ଭୁବନେଶ୍ୱର ପଟୁ ଆସୁଥିବା ଗାଡ଼ି ଗୁଡିକ ଜେଲ୍ ରୋଡ ଏବଂ ଶରଧାବାଲି ପାର୍କିଂ ରେ ଗାଡ଼ି ରଖିବେ।

ସେହିପରି କୋଣାର୍କ ପଟୁ ଆସୁଥିବା ଗାଡ଼ି ଗୁଡିକ ତାଳବଣିଆ ପଡ଼ିଆ, ବ୍ରହ୍ମଗିରି ପଟୁ ଆସୁଥିବା ଗାଡ଼ି ଗୁଡିକ ଷ୍ଟ୍ରଲିଙ୍ଗ ଏବଂ ଯାତ୍ରୀକାରେ ଗାଡ଼ି ପାର୍କିଂ ନେଇ ବ୍ୟବସ୍ଥା ହୋଇଛି। ଡିସେମ୍ବର ୩୧ ଏବଂ ଜାନୁଆରୀ ୧ ତାରିଖ ଦିନ ବଡ଼ଦାଣ୍ଡର ମେଡିକାଲ୍ ଛକରୁ ଶ୍ରୀମନ୍ଦିର ଏବଂ ମେଡିକାଲ୍ ଛକରୁ ଭିଆଇପି ରୋଡ ଦେଇ ଲାଇଟ୍ ହାଉସ ଛକ ଯାଏଁ ଚାରିଚକିଆ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ ରହିବ।ସମ୍ପୂର୍ଣ୍ଣ ସହର ସିସିଟିଭି ନଜରରେ ରହିବା ସହ ମହାପ୍ରଭୁଙ୍କୁ ଶୃଙ୍ଖଳିତ ଭାବେ ଦର୍ଶନ କରିବା ପାଇଁ ପୁରୀ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିବା ଜଣାପଡିଅଛି।

Categories
ବିଶେଷ ଖବର

ଇଂରାଜୀ ନବବର୍ଷରେ ୧୦୦ ଦିବସୀୟ ପଠନ ଅଭିଯାନ ‘ପଢ଼େ ଭାରତ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇଂରାଜୀ ନବ ବର୍ଷ-୨୦୨୨ ଅବସରରେ ରାଷ୍ଟ୍ରୀୟ ଶିକ୍ଷା ନୀତି -୨୦୨୦ ଅନ୍ତର୍ଗତ ୧୦୦ ଦିବସୀୟ ପଠନ ଅଭିଯାନ ‘ପଢ଼େ ଭାରତ’ର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନ ଅଧୀନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦେଶର ନାଗରିକ ବିଶେଷ ଭାବରେ ଯୁବପିଢ଼ିଙ୍କୁ ‘ବହି ପଢ଼ିବା’କୁ ନିତିଦିନିଆ ଅଭ୍ୟାସରେ ପରିଣତ କରିବାକୁ ଆହ୍ୱାନ କରିଛନ୍ତି।

ରାଷ୍ଟ୍ରୀୟ ଶିକ୍ଷା ନୀତିରେ ପିଲାମାନଙ୍କୁ ନିଜ ବୟସ ଅନୁସାରେ ନିଜ ମାତୃଭାଷା ବା ଆଂଚଳିକ ଭାଷାରେ ବହି ପଢ଼ିବା ପାଇଁ ପ୍ରୋତ୍ସାହନ ଦେବାକୁ ଗୁରୁତ୍ୱ ଦିଆଯାଇଛି। ଶୁଭାରମ୍ଭ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାରା ଜୀବନ ଶିକ୍ଷା ଗ୍ରହଣକୁ ବିକଶିତ କରିବା ଦିଗରେ ପୁସ୍ତକ ପଢ଼ିବାର ବିଶେଷତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଅଳ୍ପ ବୟସରୁ ପୁସ୍ତକ ପଢ଼ିବା ଅଭ୍ୟାସ କଲେ ଏହା ଶିଶୁଙ୍କ ମାନସିକ ବିକାଶ କରିବ। ସେମାନଙ୍କ ସୃଜନଶୀଳତାକୁ ବୃଦ୍ଧି କରିବା ସହ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାର ଏକ ସୁସ୍ଥ ବାତାବରଣ ତିଆରି କରିବ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ, ବହି ପଢ଼ିବା ଏକ ଭଲ ଅଭ୍ୟାସ ଏବଂ ଜ୍ଞାନ, ଭାଷା ଏବଂ ସାମାଜିକ ଦକ୍ଷତାର ବିକାଶ କରିବାରେ ଏକ ଭଲ ଉପାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ନାଗରିକଙ୍କୁ ନିୟମିତ ପୁସ୍ତକ ପଢ଼ିବା ପାଇଁ ଆହ୍ୱାନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରେରଣାରେ ପୁସ୍ତକ ପଢ଼ିବାକୁ ସାରା ଜୀବନ ଅଭ୍ୟାସରେ ପରିଣତ କରିବା ନେଇ ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।

‘ପଢ଼େ ଭାରତ’ ଅଭିଯାନ ଅନ୍ତର୍ଗତ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ୫ଟି ପୁସ୍ତକ ପଢ଼ିବା ଆରମ୍ଭ କରିଛନ୍ତି। ଏଥିରେ ୨ଟି ଓଡ଼ିଆ ପୁସ୍ତକ କବିବର ରାଧାନାଥ ରାୟଙ୍କ ‘ଚିଲିକା’, ବ୍ୟାସକବି ଫକୀର ମୋହନ ସେନାପତିଙ୍କ ‘ପ୍ରାୟଶ୍ଚିତ’ ରହିଛି।

ସେହିପରି ଅନ୍ୟ ତିନୋଟି ପୁସ୍ତକ ଜେମ୍ସ କ୍ଲିୟରଙ୍କ ‘ଆଟୋମିକ୍ ହାବିଟ’୍ସ, ରସକିନ୍‌ ବଣ୍ଡଙ୍କ ‘ଏ ଲିଟିଲ୍ ବୁକ୍ ଅଫ୍ ହାପିନେସ୍‌’, ସ୍ୱାମୀ ବିବେକାନନ୍ଦଙ୍କ ‘ରିଫ୍ଲେକ୍ସନ୍ସ’ ମଧ୍ୟ ରହିଛି।

ଏହି ଅଭିଯାନ ଅନ୍ତର୍ଗତ ପାଠକ ପାଠକାମାନେ ନିଜେ ପଢ଼ୁଥିବା ପୁସ୍ତକ ସହ ଆଗକୁ କେଉଁ ପୁସ୍ତକ ପଢିବା ଉଚିତ୍‌, ସେ ନେଇ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ତାଙ୍କ ମତାମତ ଦେବାକୁ କହିଛନ୍ତି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ‘ପଢ଼େ ଭାରତ’ ଅଭିଯାନରେ ସମସ୍ତଙ୍କ ମଧ୍ୟରେ ପୁସ୍ତକ ପଢ଼ିବା ପ୍ରତି ଆଗ୍ରହ ସୃଷ୍ଟି କରିବା ଦିଗରେ ଏହି ଅଭିନବ ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ, ଶିକ୍ଷାବିତ୍ ଏବଂ ସମାଜ ସମେତ ରାଷ୍ଟ୍ରୀୟ ଏବଂ ରାଜ୍ୟ ସ୍ତରରେ ସମାଜର ଅଂଶୀଦାରଙ୍କ ଭାଗିଦାରୀକୁ ସୁନିଶ୍ଚିତ କରିବାବ ଏହାର ଉଦ୍ଦେଶ୍ୟ।

୧୦୦ ଦିବସୀୟ ପଠନ ଅଭିଯାନ ଛାତ୍ରଛାତ୍ରୀ ମାନଙ୍କର ପାଠ ପଢିବାର ଉନ୍ନତି ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ। ବାଲ୍ ବାଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଏହି ଅଭିଯାନର ଭାଗୀଦାରୀ ହେବେ। ପଠନ ଅଭିଯାନ ୧ ଜାନୁଆରୀ ୨୦୨୨ରେ ଆରମ୍ଭ ହୋଇ ୧୦ ଏପ୍ରିଲ୍ ୨୦୨୨ ପର୍ଯ୍ୟନ୍ତ ୧୦୦ ଦିନ ବା ୧୪ ସପ୍ତାହ ଧରି ଆୟୋଜନ କରାଯିବ।

ଛାତ୍ରଛାତ୍ରୀ ତଥା ଲୋକଙ୍କ ମଧ୍ୟରେ ପୁସ୍ତକ ପଢ଼ିବାକୁ ଆଗ୍ରହ ସୃଷ୍ଟି କରିବା ଏବଂ ଏହାକୁ ଉପଭୋଗ କରିବା ପାଇଁ ଏହି ଚଉଦ ସପ୍ତାହ ମଧ୍ୟରେ ଗଠନ ହୋଇଥିବା ପ୍ରତିଟି ଗ୍ରୁପ କାର୍ଯ୍ୟକ୍ରମ କରିବେ।