Categories
ଆଜିର ଖବର ଜାତୀୟ ଖବର

ଇ-ଗଭର୍ଣ୍ଣାନ୍ସରେ ବହୁଭାଷୀ ପ୍ରବେଶକୁ ଆହୁରି ଗଭୀର କରିବା ପାଇଁ ଭାଷିନୀ ସହିତ ହେବ ବୁଝାମଣାପତ୍ର ସ୍ୱାକ୍ଷର

ନୂଆଦିଲ୍ଲୀ: ପଞ୍ଚାୟତିରାଜ ଶାସନରେ ଅନ୍ତର୍ଭୁକ୍ତି ଏବଂ ସୁଗମତା ବୃଦ୍ଧିକୁ ଦୃଷ୍ଟିରେ ରଖି ପଞ୍ଚାୟତିରାଜ ମନ୍ତ୍ରଣାଳୟ ଅତ୍ୟାଧୁନିକ ଏଆଇ ଚାଳିତ ଭାଷା ପ୍ରଯୁକ୍ତିବିଦ୍ୟାକୁ ଉପଯୋଗ କରିବାକୁ ଯୋଜନା କରିଛି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ଭାଷା ଅନୁବାଦ ମିଶନ – ଭାଷିନୀ ସହିତ ଏକ ବୁଝାମଣାପତ୍ର ମାଧ୍ୟମରେ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗ ସ୍ଥାପନ କରିବାକୁ ଯାଉଛି। ଏହା ପଞ୍ଚାୟତିରାଜ ଶାସନରେ ଅଧିକ ଅନ୍ତର୍ଭୁକ୍ତି ଏବଂ ଉନ୍ନତ ପ୍ରବେଶ ପାଇଁ ଅତ୍ୟାଧୁନିକ କୃତ୍ରିମ ବୁଦ୍ଧିମତ୍ତା-ଚାଳିତ ଭାଷା ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିବାର ଲକ୍ଷ୍ୟ ରଖିଛି। ଏହି ବୁଝାମଣାପତ୍ର ଜୁନ୍ ୧୯, ୨୦୨୫ରେ ନୂଆଦିଲ୍ଲୀର କନଷ୍ଟିଚ୍ୟୁସନ୍ କ୍ଲବ୍ ଅଫ୍ ଇଣ୍ଡିଆ ଆନେକ୍ସରେ ସ୍ୱାକ୍ଷରିତ ହେବ। ଏହି କାର୍ଯ୍ୟକ୍ରମରେ, କେନ୍ଦ୍ର ପଞ୍ଚାୟତିରାଜ ଏବଂ ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍ ପି ​​ସିଂହ ବାଘେଲ ମଧ୍ୟ ଯୋଗଦେବେ। ଏହି ଅବସରରେ ପଞ୍ଚାୟତିରାଜ ମନ୍ତ୍ରଣାଳୟର ସଚିବ ଶ୍ରୀ ବିବେକ ଭରଦ୍ୱାଜ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସଚିବ ଶ୍ରୀ ଏସ. କ୍ରିଷ୍ଣନ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ।

ଏହି ପ୍ରୟାସ ପଞ୍ଚାୟତିରାଜ ମନ୍ତ୍ରଣାଳୟର ଡିଜିଟାଲ୍ ପ୍ଲାଟଫର୍ମ ଏବଂ ପ୍ରସାର ପ୍ରୟାସରେ ବହୁଭାଷୀ ପ୍ରବେଶକୁ ବିସ୍ତାର କରିବା ପାଇଁ ଏକ ରଣନୈତିକ ସହଯୋଗ। ଯାହା ଉନ୍ନତ ଅନୁବାଦ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ପଞ୍ଚାୟତିରାଜ ପଦକ୍ଷେପ, କାର୍ଯ୍ୟକ୍ରମ, ଆଲୋଚନା ଏବଂ ଲାଇଭ ଇଭେଣ୍ଟଗୁଡ଼ିକରେ ବ୍ୟାପକ ଜନସାଧାରଣଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରିବ। ଏହା ମନ୍ତ୍ରଣାଳୟର ପ୍ଲାଟଫର୍ମଗୁଡ଼ିକୁ ନିରଙ୍କୁଶ ଭାବରେ ବହୁଭାଷୀ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଦ୍ଵାରା ଅଂଶୀଦାରମାନଙ୍କୁ ବିଶେଷକରି ନିର୍ବାଚିତ ପ୍ରତିନିଧି, ଅଧିକାରୀ ଏବଂ ଗ୍ରାମୀଣ ଭାରତର ନାଗରିକମାନଙ୍କୁ ସେମାନଙ୍କ ମାତୃଭାଷାରେ ଯୋଜନା ଏବଂ ଶାସନ ବ୍ୟବସ୍ଥା ପାଇବା ପାଇଁ ସଶକ୍ତ କରାଯାଉଛି। ଏହି ସହଭାଗୀତା ପଞ୍ଚାୟତିରାଜ ମନ୍ତ୍ରଣାଳୟର ପ୍ରମୁଖ ପୋର୍ଟାଲ୍ ଏବଂ ପ୍ଲାଟଫର୍ମଗୁଡ଼ିକରେ ଭାଷା ପ୍ରବେଶକୁ ବୃଦ୍ଧି କରିବା ସହିତ ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଏବଂ ତୃଣମୂଳ ସ୍ତରରେ ଅଂଶଗ୍ରହଣକାରୀ ଗଣତନ୍ତ୍ରକୁ ସୁଦୃଢ଼ ​​କରିବା ପାଇଁ AI-ସକ୍ଷମ ସାର୍ବଜନୀନ ଡିଜିଟାଲ୍ ଭିତ୍ତିଭୂମିର ବ୍ୟବହାରକୁ ପ୍ରୋତ୍ସାହିତ କରିବ।

Categories
ଆଜିର ଖବର ରାଜ୍ୟ ଖବର

ସୂଚନା ବିଜ୍ଞାନ ପଦାଧିକାରୀଙ୍କ ପାଇଁ ତ୍ରି-ଦିବସୀୟ ଇ-ଗଭର୍ଣ୍ଣାନ୍ସ ରାଜ୍ୟସ୍ତରୀୟ ସମ୍ମିଳନୀ ଉଦଘାଟିତ

ଭୁବନେଶ୍ୱର: ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନ୍ ଆଇ ସି), ଭୁବନେଶ୍ୱର ଠାରେ ଜିଲ୍ଲା ସୂଚନା ବିଜ୍ଞାନ ପଦାଧିକାରୀ ଏବଂ ସହକାରୀ ଜିଲ୍ଲା ସୂଚନା ବିଜ୍ଞାନ ପଦାଧିକାରୀମାନଙ୍କ ପାଇଁ ତ୍ରି-ଦିବସୀୟ ଇ-ଗଭର୍ଣ୍ଣାନ୍ସ ରାଜ୍ୟସ୍ତରୀୟ ସମ୍ମିଳନୀ ଆଜି ଉଦଘାଟିତ ହୋଇଯାଇଅଛି।

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି  ରାଜ୍ୟରେ ଇ-ଶାସନର ସଫଳ ପ୍ରବର୍ତ୍ତନ ପାଇଁ ଜିଲ୍ଲା ସୂଚନା ବିଜ୍ଞାନ ପଦାଧିକାରୀ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ଏନଆଅଇସିର ବିଭିନ୍ନ କାର୍ଯ୍ୟରେ ଉଲ୍ଲେଖନୀୟ ସଫଳତା ରହିଛି। ଜିଲ୍ଲାସ୍ତରରେ ଏନଆଇସି ବହୁତ ଭଲ କାମ କରିଛନ୍ତି। ଜିଲ୍ଲାପାଳମାନଙ୍କ ତତ୍ୱାବଧାନରେ  ଜିଲ୍ଲାସ୍ତରରେ କାର୍ଯ୍ୟକାରୀ ହେଉଥିବା ବହୁ କାର୍ଯ୍ୟ ସଂପାଦନ କରିବାରେ ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀମାନେ ଅଗ୍ରଣୀ ଭୂମିକା ନିର୍ବାହ କରିଆସୁଛନ୍ତି। ଏହି ସଫଳତା ଆଧାର ତଥା ଅତୀତର କାର୍ଯ୍ୟ ପଦ୍ଧତିକୁ ବିଶ୍ଲେଷଣ କରି ଆଗାମୀ ଦିନରେ ସୂଚନା ବିଜ୍ଞାନ ଅଧିକାରୀମାନେ ଅଧିକରୁ ଅଧିକ ଭଲ କାର୍ଯ୍ୟ କରିବେ ବୋଲି ସେ ଆଶାବ୍ୟକ୍ତ କରିବା ସହିତ ସୂଚନା ବିଜ୍ଞାନୀମାନଙ୍କୁ  ଉତ୍ସାହିତ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ସୂଚନା ବିଜ୍ଞାନୀମାନଙ୍କର ବୈଷୟିକ ଜ୍ଞାନ କ୍ଷେତ୍ରରେ ଦକ୍ଷତା ରହିଛି। ସବୁବେଳେ କାର୍ଯ୍ୟରେ ଅଭିନବତ୍ୱ ଆଣିବା ସହିତ ରାଜ୍ୟର ଯେଉଁ ପ୍ରକଳ୍ପ କାର୍ଯ୍ୟକାରିତାରେ ଏନଆଇସିର ଭୂମିକା ରହୁଛି, ସେସବୁକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସାରିବାକୁ ସେ ଗୁରୁତ୍ୱାରୋପ କରିଥିଲେ। ଆଇଟି କ୍ଷେତ୍ରରେ ଯୋଗଦାନ କରୁଥିବା ଅଧିକାରୀମାନଙ୍କ ପ୍ରତି ସେ କହିଥିଲେ ଯେ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଉଜ୍ଜ୍ୱଳ ଭବିଷ୍ୟତ ରହିଛି। ନିଷ୍ଠା, ଅଭିଜ୍ଞତାସଂପନ୍ନ ଏବଂ  ଦକ୍ଷତା ରଖୁଥିବା  ଆଇଟି ବୃତ୍ତିଧାରୀ ଅନୁଷ୍ଠାନଗୁଡିକ ପାଇଁ ମୂଳପୁଞ୍ଜି ବୋଲି ସେ ପ୍ରକାଶ କରିଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରମ ତଥା ରାଜ୍ୟ କର୍ମଚାରୀ ରାଜ୍ୟ ବୀମା ବିଭାଗ  କମିଶନର ତଥା ଶାସନ ସଚିବ ସନ୍ଥନାଗୋପାଳନ ଆର. ଯୋଗଦେଇ ନାଗରିକମାନଙ୍କୁ ସେବା ଯୋଗାଇବାରେ ନୂତନ ଜ୍ଞାନ କୌଶଳ ତଥା କୃତିମ ବୁଦ୍ଧିମତା, ବ୍ଳକଚେନ, ଭରଚୁଆଲ ରିଅଲିଟି ଆଦି ଉପରେ ଆଲୋକପାତ କରିଥିଲେ।

ଉପ ମହାନିର୍ଦ୍ଦେଶକ ତଥା ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ ଡଃ. ଅଶୋକ କୁମାର ହୋତା ଯୋଗଦେଇ ଓଡିଶାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ ପ୍ରକଳ୍ପର କାର୍ଯ୍ୟାନ୍ୱୟନରେ ଏନଆଇସିର ଭୂମିକା ସଂପର୍କରେ ବିଶଦ ଭାବେ ଆଲୋକପାତ କରିଥିଲେ। ଜଗତସିଂହପୁର ଜିଲ୍ଲାରେ ଇ-ଅଫିସ୍ ଜିଲ୍ଲାସ୍ତରରୁ ପଞ୍ଚାୟତସ୍ତର ପର୍ଯ୍ୟନ୍ତ କାର୍ଯ୍ୟାନ୍ଵୟନ, ପୁରୀରେ ହବିଷ୍ୟାଳିମାନଙ୍କ ପାଇଁ କମ୍ପ୍ୟୁଟର ମାଧ୍ୟମରେ ପଞ୍ଜିକରଣ, କଟକର ବାଲିଯାତ୍ରାରେ ସାଧାରଣ ଜନତାଙ୍କ ମଧ୍ୟରେ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ସଚେତନତା ଆଦି ପ୍ରଚେଷ୍ଟା ପାଇଁ ଜିଲ୍ଲା ସୂଚନା ବିଜ୍ଞାନ ପଦାଧିକାରୀମାନଙ୍କ ପ୍ରଶଂସନୀୟ ଭୂମିକା ସଂପର୍କରେ ସେ ପ୍ରକାଶ କରିଥିଲେ। ଆସନ୍ତା ତିନି ଦିନରେ କୃଷି, ପରିବହନ, ରାଜସ୍ୱ ଆଦି ବିଭିନ୍ନ ବିଭାଗର ପ୍ରକଳ୍ପ ଉପରେ ବିଭିନ୍ନ ଆଲୋଚନା ରହିଛି ବୋଲି ସେ ସୂଚନା ପ୍ରଦାନ କରିଥିଲେ।

ଏହି ଅବସରରେ ଏନ. ଆଇ. ସି. ଓଡିଶାର ମୁଖ୍ୟ ପ୍ରକଳ୍ପ ଗୁଡିକର ଏକ ବାର୍ଷିକ  କ୍ୟାଲେଣ୍ଡର ଉନ୍ମୋଚିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଡଃ. ରାମକୃଷ୍ଣ ଦାଶ, ଏନଆଇସିର  ଉପ ମହାନିର୍ଦ୍ଦେଶକ ଓ ଜୟନ୍ତ  କୁମାର ମିଶ୍ର, ଦକ୍ଷତା ବିକାଶ ବିଭାଗ ମୁଖ୍ୟ ପରିଚାଳନା କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଓଡ଼ିଶା ବିଧାନସଭା ପକ୍ଷରୁ ପ୍ରସ୍ତୁତ ପ୍ରକଳ୍ପ ସର୍ବଭାରତୀୟ ସ୍ତରରେ ସମ୍ମାନିତ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଓ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର, ଓଡ଼ିଶା ଶାଖା ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପକୁ ସର୍ବଭାରତୀୟ ସ୍ତରରେ ସମ୍ମାନିତ କରାଯାଇଛି । ଆଜି ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ମୋତିଲାଲ ନେହେରୁ ନ୍ୟାସନାଲ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ଟେକ୍‌ନୋଲୋଜିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସର୍ବଭାରତୀୟ କର୍ମଶାଳାରେ ଓଡ଼ିଶା ବିଧାନସଭାକୁ କମ୍ପୁ୍ୟଟର ସୋସାଇଟି ଅଫ୍‌ ଇଣ୍ଡିଆ ତରଫରୁ ୧୯ତମ ସିଏସ୍‌ଆଇ ଏସ୍‌ଆଇଜି ଇ-ଗଭର୍ଣ୍ଣାନ୍ସ ଆୱାର୍ଡସ ୨୦୨୧ (CSI SIG e-Governance Awards 2021) ଉତ୍କର୍ଷ ପୁରସ୍କାରରେ ସମ୍ମାନିତ କରାଯାଇଛି ।

ଏହି ଏକ ଦିବସୀୟ କର୍ମଶାଳାରେ ଭାରତରୁ ବଛା ବଛା ଇ-ଗଭର୍ଣ୍ଣାନ୍ସ ପ୍ରକଳ୍ପଗୁଡ଼ିକୁ ମନୋନୀତ କରାଯାଇ ଏହା ଉପରେ ବକ୍ତାମାନଙ୍କ ତରଫରୁ ଆଲୋକପାତ କରାଯାଇଥିଲା। ଏଥିରେ ଓଡ଼ିଶା ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀ ଭାଗନେଇ ଓଡ଼ିଶା ବିଧାନସଭାର ପେପରଲେସ୍‌ ଅଫିସ୍‌ ଉପରେ ସବିଶେଷ ତଥ୍ୟ ଉପସ୍ଥାପନ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ।

ବାଚସ୍ପତି ଡଃ ସୂର୍ଯ୍ୟନାରାୟଣ ପାତ୍ରଙ୍କ ବଳିଷ୍ଠ ନେତୃତ୍ୱ, ଦିଗ୍‌ଦର୍ଶନ ଓ ପ୍ରେରଣା ଏବଂ ବିଧାନସଭା ସଚିବ ଶ୍ରୀ ଶତପଥୀଙ୍କ ସମେତ କର୍ମଚାରୀମାନଙ୍କ ଅକ୍ଳାନ୍ତ ଉଦ୍ୟମ ବଳରେ ଓଡ଼ିଶା ବିଧାନସଭା ଓ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନ୍‌ଆଇସି), ଓଡ଼ିଶା ଶାଖା ତରଫରୁ ଦିଆଯାଇଥିବା ପ୍ରୋଜେକଫ ‘ଓଡ଼ିଶା ଆସେମ୍ବ୍ଲି ଜର୍ଣ୍ଣି ଟୁୱାର୍ଡସ୍‌ ଡିଜିଟାଲ୍‌ ଟ୍ରାନ୍ସଫର୍ମେସନ୍‌ (ପେପରଲେସ୍‌ ଆସେମ୍ବ୍ଳି)’କୁ ପୁରସ୍କୃତ କରାଯାଇଥିଲା।

ବାଚସ୍ପତିଙ୍କ ନିର୍ଦ୍ଦେଶରେ ବିଧାନସଭା ସଚିବ ଶ୍ରୀ ଶତପଥୀ, ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ ଶ୍ରୀମତୀ କବିତା ରାୟ ଦାସ, ବରିଷ୍ଠ ବୈଷୟିକ ନିର୍ଦ୍ଦେଶିକା ଶ୍ରୀମତୀ ସରିତା ସାହୁ, ବିଧାନସଭାର ଉପନିର୍ଦ୍ଦେଶିକା (ଗ୍ରନ୍ଥାଗାର) ଶ୍ରୀମତୀ ଆରତୀ ମିଶ୍ର, ମାନ୍ୟବର ମୁଖ୍ୟ ଅତିଥି, ଆହ୍ଲାବାଦ୍‌ ଉଚ୍ଚ ନ୍ୟାୟାଳୟର ନ୍ୟାୟାଧିଶ ଶ୍ରୀ ଅଜିତ ସିଂଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ଓଡ଼ିଶା ବିଧାନସଭା ବାଚସ୍ପତିଙ୍କ ସୌଜନ୍ୟରୁ ମୁଖ୍ୟ ଅତିଥିଙ୍କୁ ଜଗନ୍ନାଥଙ୍କର ଏକ ପ୍ରତିମୂର୍ତ୍ତି ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ଅବସରରେ ବାଚସ୍ପତି ଡ. ପାତ୍ର କହିଛନ୍ତି ଯେ ଅକ୍ଳାନ୍ତ ପରିଶ୍ରମ କରି ଓଡ଼ିଶା ବିଧାନସଭାର ସମସ୍ତ ବିବରଣୀ, ଦସ୍ତାବିଜ୍‌ ଓ ନଥିପତ୍ରକୁ ଡିଜିଟାଲାଇଜ୍‌ କରିବା ସହିତ ଏହି କଷ୍ଟଲବ୍ଧ ପ୍ରକଳ୍ପକୁ ପ୍ରସ୍ତୁତ କରିଥିବା କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଆଗାମୀ ଦିନରେ ବିଧାନସଭାରେ ଆହୁରି ଅନେକ ନୂତନତ୍ୱ ଅଣାଯିବ।

ବାଚସ୍ପତିଙ୍କ ବଳିଷ୍ଠ ନେତୃତ୍ୱ, ମାର୍ଗଦର୍ଶନ ଓ ପ୍ରତ୍ୟକ୍ଷ ପ୍ରେରଣା ଓ ସମସ୍ତଙ୍କ ମିଳିତ ଉଦ୍ୟମ ବଳରେ ଆଜି ଓଡ଼ିଶା ବିଧାନସଭାକୁ ସଂପୂର୍ଣ୍ଣ ଡିଜିଟାଲାଇଜ୍‌ କରାଯିବା ସହ ସର୍ବଭାରତୀୟ ସ୍ୱୀକୃତି ମିଳିପାରିଛି ବୋଲି ସଚିବ ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି ।