Categories
ଆଜିର ଖବର ରାଜ୍ୟ ଖବର

ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବି

ବାଣପୁର: ଓଡ଼ିଶାର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଧାରିତ ରାୟ ଅନୁସାରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବି କରାଯାଇଛି। ଆଜି ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ (ଓଏସ୍ଇଏଫଡ଼ି) ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ରାଜ୍ୟ ଆଇଟି ସେଲ୍ ସଂଯୋଜକ ବିଶ୍ବବିଜୟୀ ଦାଶ, ପିନାରାଣୀ ବିଷୋୟୀ, ଶ୍ରେୟାଶ୍ରୀ ଦାଶ, ରଶ୍ମିତା ସେଠୀ, ଝୁଲୁ ବିଷୋୟୀ, ଦିଲ୍ଲୀପ ବେହେରା ବାଣପୁର ବ୍ଲକ ବି.ଡ଼ି.ଓ ମହୋଦୟାଙ୍କ ଜରିଆରେ ମୁଖ୍ୟ ଶାସନ ସଚ଼ିବଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ଜଣେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମଧ୍ୟ ଏକ ସାଧାରଣ ବିଦ୍ୟାର୍ଥୀ ପରି ସମାନ ଶିକ୍ଷା ପାଇବାର ଆବଶ୍ୟକତା ଏବଂ ଅଧିକାର ରହିଛି। ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଯଥାଶୀଘ୍ର ବାହାର କରିବା ପାଇଁ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ବିନମ୍ର ନିବେଦନ କରାଯିବା ସହ ଏହି ନିଯୁକ୍ତି ଦିଆଗଲେ ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନେ ଉତ୍ତମ ଶିକ୍ଷା ପାଇ ସମାଜର ମୁଖ୍ୟସ୍ରୋତ ରେ ସାମିଲ୍ ହୋଇପାରିବେ। ଏହା ସହ ଓଡ଼ିଶାରେ ୬୦୦୦ ରୁ ଉର୍ଦ୍ଦ୍ବ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଶିକ୍ଷୟତ୍ରୀ ଉପକୃତ ହୋଇପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ଜେଲରୁ ମୁକୁଳିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ଉଚ୍ଚତମ ନ୍ୟାୟାଳୟ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଥିବା ବେଳେ ଆଜି ଅପରାହ୍ନରେ ବାଣପୁର ସବ ଜେଲରୁ ମୁକୁଳିଛନ୍ତି ବିଧାୟକ। ସବ ଜେଲ ନିକଟରେ ଶ୍ରୀ ଜଗଦ୍ଦେବଙ୍କ ବହୁ ସମର୍ଥକ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ତେବେ ବାଣପୁର କୋର୍ଟରେ ଓକିଲ ମାନଙ୍କ ଧର୍ମଘଟ ଜାରି ରହିଥିବା ବେଳେ ବିଧାୟକଙ୍କୁ ପିଆର ବଣ୍ଡରେ ଜାମିନ ପ୍ରଦାନ କରିଛନ୍ତି ବାଣପୁର ଜେଏମଏଫସି କୋର୍ଟ। କୋର୍ଟକାର୍ଯ୍ୟ ସ୍ୱାଭାବିକ ହେଲା ପରେ ବିଧାୟକଙ୍କୁ ପୁଣି ବାଣପୁର ଜେଏମଏଫସି କୋର୍ଟରେ ହାଜର ହୋଇ ନିୟମିତ ଜାମିନ ନେବାକୁ ପଡ଼ିବ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ ଗତ ମାର୍ଚ୍ଚ ୧୨ ତାରିଖରେ ବାଣପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ସର୍ବସମ୍ମୁଖରେ ବିଧାୟକ ଶ୍ରୀ ଜଗଦ୍ଦେବ ଲୋକଙ୍କ ଉପରେ ଗାଡି ଚଢାଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଏପରିକି ଉତ୍ୟକ୍ତ ଲୋକଙ୍କ ମାଡରେ ବିଧାୟକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମାର୍ଚ୍ଚ ୨୨ ତାରିଖରେ ମେଡିକାଲରୁ ଡିସଚାର୍ଜ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଗତ ମେ ୨୦ ତାରିଖରେ ଓଡିଶା ଉଚ୍ଚ ନ୍ୟାୟାଳୟ ଶ୍ରୀ ଜଗଦ୍ଦେବଙ୍କ ଜାମିନ ଆବେଦନକୁ ଖାରଜ କରିଥିବା ବେଳେ ପରବର୍ତ୍ତୀ ସମୟରେ ଜାମିନ ପାଇଁ ଉଚ୍ଚତମ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ବିଧାୟକଙ୍କ ଓକିଲ। ଯାହାକି ସୁପ୍ରିମକୋର୍ଟ ଉକ୍ତ ମାମଲାର ଶୁଣାଣି କରି ଚିଲିକା ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି।

ସର୍ତ୍ତ ଅନୁଯାୟୀ, ଚିଲିକା ବିଧାୟକଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ନିଜ ନିର୍ବାଚନ ମଣ୍ଡଳୀଙ୍କୁ ଯିବା ପାଇଁ ବାରଣ କରାଯାଇଛି। ଯଦି ନିର୍ବାଚନ ମଣ୍ଡଳୀକୁ ଯିବେ ତାହେଲେ ଜିଲ୍ଲାପାଳଙ୍କ ଅନୁମତି ନେବା ଜରୁରୀ ଅଟେ। ଏହାସହିତ ସେ ୫ ଜଣରୁ ଉର୍ଦ୍ଧ୍ଵ ଲୋକଙ୍କୁ ନେଇ କୌଣସି ସଭାସମିତି ଅଥବା ରାଜନୈତିକ ରାଲି କରିପାରିବେ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାୟକଙ୍କ ବଢିପାରେ ଅଡୁଆ!: ଚାର୍ଜସିଟ୍ ରେ ଯୋଡି ହେଲା ଆଉ ତିନି ଗୋଟି ଦଫା

ସୀତାରାମ ଅଗ୍ରୱାଲ

ବାଣପୁର: ପୋଲିସ ଓ ଜନସାଧାରଣଙ୍କ ଉପରେ ଗାଡ଼ି ଚଢ଼ାଇଥିବା ଅଭିଯୋଗରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଦୀର୍ଘମାସ ହେବ ବାଣପୁର ସବ ଜେଲରେ ଅଛନ୍ତି। ଉଚ୍ଚ ନ୍ୟାୟାଳୟ ତାଙ୍କ ଜାମିନ ଆବେଦନକୁ ଆଗ୍ରାହ୍ୟ କରିଦେଇଥିବା ବେଳେ ବିଧାୟକଙ୍କ ଓକିଲଙ୍କ ପକ୍ଷରୁ ଉଚ୍ଚତମ ନ୍ୟାୟାଳୟରେ ଜାମିନ ପାଇଁ ଆବେଦନ କରାଯାଇଛି। ଆସନ୍ତା ୨୫ ତାରିଖ ଦିନ ଉଚ୍ଚତମ ନ୍ୟାୟାଳୟରେ ବିଧାୟକଙ୍କ ଜାମିନ ଆବେଦନ ଶୁଣାଣି ହେବ। କିନ୍ତୁ ତା’ପୂର୍ବରୁ ଅର୍ଥାତ ୧୮ ତାରିଖ ଦିନ ପୋଲିସ ଉକ୍ତ ମାମଲାର ଚାର୍ଜସିଟ ଦାଖଲ କରିଛି।

ତଦନ୍ତକାରୀ ଅଧିକାରୀ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ବାଣପୁର ଜେଏମଏଫସି କୋର୍ଟରେ ଚାର୍ଜସିଟ ଦାଖଲ କରିଛନ୍ତି। ତେବେ ସରକାରୀ ଓକିଲ ପ୍ରାଚୀ ପ୍ରଭା ନନ୍ଦଙ୍କ ସୂଚନା ମୁତାବକ ଉକ୍ତ ଚାର୍ଜସିଟରେ ପୋଲିସ ଆଉ ତିନି ଗୋଟି ଦଫା ଯୋଡ଼ିଛି। ବିଧାୟକଙ୍କ ବିରୋଧରେ ଆଇପିସି ର ଦଫା ୪୬୫, ୪୭୧ ଏବଂ ଏମଭି ଆକ୍ଟ ଦଫା ୧୮୧ ଲାଗିଛି। ଉକ୍ତ ଦଫା ଅନୁଯାୟୀ, ବିଧାୟକଙ୍କ ବିରୋଧରେ ନକଲି ଗାଡ଼ି ନମ୍ବର ପ୍ଲେଟ ନିମନ୍ତେ ଜାଲିଆତି ଦଫା ଯୋଡି ହେବା ସହ ଗାଡ଼ି ଚଲାଉଥିବା ବେଳେ ତାଙ୍କର ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ମୋଟରଯାନ ଦଫା ମଧ୍ୟ ଲାଗିଛି।

ଉକ୍ତ ତିନି ଦଫା ଯୋଡି ହେବା ପରେ ବିଧାୟକଙ୍କ ପାଇଁ ଅଡୁଆ ବଢିପାରେ ବୋଲି କୁହାଯାଉଛି। ହେଲେ ଆସନ୍ତା ୨୫ ତାରିଖ ଦିନ ସୁପ୍ରିମକୋର୍ଟରେ ହେବାକୁ ଥିବା ଶୁଣାଣିରେ ତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।