ଚିଲିକା ବିଧାୟକଙ୍କ ବଢିପାରେ ଅଡୁଆ!: ଚାର୍ଜସିଟ୍ ରେ ଯୋଡି ହେଲା ଆଉ ତିନି ଗୋଟି ଦଫା

Published: Jul 20, 2022, 8:07 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ପୋଲିସ ଓ ଜନସାଧାରଣଙ୍କ ଉପରେ ଗାଡ଼ି ଚଢ଼ାଇଥିବା ଅଭିଯୋଗରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଦୀର୍ଘମାସ ହେବ ବାଣପୁର ସବ ଜେଲରେ ଅଛନ୍ତି। ଉଚ୍ଚ ନ୍ୟାୟାଳୟ ତାଙ୍କ ଜାମିନ ଆବେଦନକୁ ଆଗ୍ରାହ୍ୟ କରିଦେଇଥିବା ବେଳେ ବିଧାୟକଙ୍କ ଓକିଲଙ୍କ ପକ୍ଷରୁ ଉଚ୍ଚତମ ନ୍ୟାୟାଳୟରେ ଜାମିନ ପାଇଁ ଆବେଦନ କରାଯାଇଛି। ଆସନ୍ତା ୨୫ ତାରିଖ ଦିନ ଉଚ୍ଚତମ ନ୍ୟାୟାଳୟରେ ବିଧାୟକଙ୍କ ଜାମିନ ଆବେଦନ ଶୁଣାଣି ହେବ। କିନ୍ତୁ ତା’ପୂର୍ବରୁ ଅର୍ଥାତ ୧୮ ତାରିଖ ଦିନ ପୋଲିସ ଉକ୍ତ ମାମଲାର ଚାର୍ଜସିଟ ଦାଖଲ କରିଛି।

ତଦନ୍ତକାରୀ ଅଧିକାରୀ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ବାଣପୁର ଜେଏମଏଫସି କୋର୍ଟରେ ଚାର୍ଜସିଟ ଦାଖଲ କରିଛନ୍ତି। ତେବେ ସରକାରୀ ଓକିଲ ପ୍ରାଚୀ ପ୍ରଭା ନନ୍ଦଙ୍କ ସୂଚନା ମୁତାବକ ଉକ୍ତ ଚାର୍ଜସିଟରେ ପୋଲିସ ଆଉ ତିନି ଗୋଟି ଦଫା ଯୋଡ଼ିଛି। ବିଧାୟକଙ୍କ ବିରୋଧରେ ଆଇପିସି ର ଦଫା ୪୬୫, ୪୭୧ ଏବଂ ଏମଭି ଆକ୍ଟ ଦଫା ୧୮୧ ଲାଗିଛି। ଉକ୍ତ ଦଫା ଅନୁଯାୟୀ, ବିଧାୟକଙ୍କ ବିରୋଧରେ ନକଲି ଗାଡ଼ି ନମ୍ବର ପ୍ଲେଟ ନିମନ୍ତେ ଜାଲିଆତି ଦଫା ଯୋଡି ହେବା ସହ ଗାଡ଼ି ଚଲାଉଥିବା ବେଳେ ତାଙ୍କର ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ମୋଟରଯାନ ଦଫା ମଧ୍ୟ ଲାଗିଛି।

ଉକ୍ତ ତିନି ଦଫା ଯୋଡି ହେବା ପରେ ବିଧାୟକଙ୍କ ପାଇଁ ଅଡୁଆ ବଢିପାରେ ବୋଲି କୁହାଯାଉଛି। ହେଲେ ଆସନ୍ତା ୨୫ ତାରିଖ ଦିନ ସୁପ୍ରିମକୋର୍ଟରେ ହେବାକୁ ଥିବା ଶୁଣାଣିରେ ତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।

Related posts